ଫାରୋଙ୍କ ବ୍ୟାକୁଳ ନିଦ୍ରା
ଫାରୋ ଗାଈ ଓ ଶସ୍ୟର ସ୍ୱପ୍ନ ଦେଖନ୍ତି, ଯାହାର ଅର୍ଥ କେହି କହିପାରନ୍ତି ନାହିଁ। ଅନ୍ଧକୂପରୁ ତରବରରେ ଅଣାଯାଇଥିବା ଯୋଷେଫ ଉତ୍ତର ପାଇଁ ଆମ ପିତାଙ୍କୁ ଶ୍ରେୟ ଦିଅନ୍ତି ଓ ତାʼପରେ ଏକ ଯୋଜନା ଦିଅନ୍ତି: ସାତ ବର୍ଷ ଧରି ପାଞ୍ଚ ଭାଗରୁ ଏକ ଭାଗ ସଞ୍ଚୟ କର। ଗୋଟିଏ ସକାଳରେ ସେ ବନ୍ଦୀରୁ ଶାସନକର୍ତ୍ତା ହୁଅନ୍ତି।
41 1ସମ୍ପୂର୍ଣ୍ଣ ଦୁଇ ବର୍ଷ ଗତ ହେଲା ଉତ୍ତାରେ ଫାରୋ ଗୋଟିଏ ସ୍ଵପ୍ନ ଦେଖିଲେ; ସେ ନୀଲ ନଦୀ ନିକଟରେ ଠିଆ ହୋଇଥିଲେ। 2ପୁଣି, ହୃଷ୍ଟପୁଷ୍ଟ ଓ ସୁନ୍ଦର ସାତ ଗୋରୁ ନୀଲ ନଦୀରୁ ଉଠିଆସି ଜଳଜ ତୃଣ ମଧ୍ୟରେ ଚରିବାକୁ ଲାଗିଲେ। 3ସେମାନଙ୍କ ପଛେ ଆଉ ସାତଗୋଟି କୁତ୍ସିତ ଓ କୃଶ ଗୋରୁ ନୀଲ ନଦୀରୁ ଉଠିଆସି ନଦୀ କୂଳରେ ଅନ୍ୟ ଗୋରୁମାନଙ୍କ ପାଖରେ ଠିଆ ହେଲେ। 4ପୁଣି, ସେହି କୁତ୍ସିତ ଓ କୃଶ ଗୋରୁମାନେ ହୃଷ୍ଟପୁଷ୍ଟ ଓ ସୁନ୍ଦର ସାତ ଗୋରୁଙ୍କୁ ଖାଇ ପକାଇଲେ; ସେତେବେଳେ ଫାରୋଙ୍କ ନିଦ୍ରା ଭାଙ୍ଗିଗଲା। 5ତହିଁ ଉତ୍ତାରେ ସେ ପୁନର୍ବାର ନିଦ୍ରିତ ହୋଇ ଦ୍ଵିତୀୟ ସ୍ଵପ୍ନ ଦେଖିଲେ; ଗୋଟିଏ ନଡ଼ାରେ ପୁଷ୍ଟ ଓ ଉତ୍ତମ ସାତ ଶିଷା ବାହାରିଲା। 6ତହିଁ ଉତ୍ତାରେ ପୂର୍ବୀୟ ବାୟୁରେ ଶୁଷ୍କ କ୍ଷୀଣ ସାତ ଶିଷା ଅଙ୍କୁରିତ ହେଲା। 7ପୁଣି, ସେହି କ୍ଷୀଣ ଶିଷାଗୁଡ଼ିକ ପୁଷ୍ଟ ଓ ପରିପୂର୍ଣ୍ଣ ସାତ ଶିଷାକୁ ଗ୍ରାସ କଲା; ସେତେବେଳେ ଫାରୋଙ୍କ ନିଦ୍ରା ଭାଙ୍ଗିଗଲା, ଆଉ ତାହା ସ୍ଵପ୍ନମାତ୍ର। 8ପ୍ରଭାତରେ ତାହାଙ୍କ ମନ ଅସ୍ଥିର ହେଲା; ତେଣୁ ସେ ଲୋକ ପଠାଇ ମିସର ଦେଶର ସମସ୍ତ ମନ୍ତ୍ରଜ୍ଞ ଓ ସମସ୍ତ ଜ୍ଞାନୀ ଲୋକଙ୍କୁ ଡକାଇଲେ; ପୁଣି, ଫାରୋ ସେମାନଙ୍କୁ ଆପଣା ସ୍ଵପ୍ନ କହିଲେ, ମାତ୍ର ସେମାନଙ୍କ ମଧ୍ୟରୁ କେହି ତାହା ଫାରୋଙ୍କ ନିକଟରେ ବୁଝାଇ ପାରିଲେ ନାହିଁ।
9ସେତେବେଳେ ପ୍ରଧାନ ପାନପାତ୍ରବାହକ ଫାରୋଙ୍କୁ କହିଲା, “ଆଜି ମୋହର ଅପରାଧସବୁ ମନେ ପଡ଼ୁଅଛି। 10ଫାରୋ ଆପଣା ଦାସମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ମୋତେ ଓ ପ୍ରଧାନ ରୁଟିକରଙ୍କୁ ରକ୍ଷକ ସେନାପତିଙ୍କ ଗୃହରେ ବନ୍ଦୀ କରି ରଖିଥିଲେ। 11ତହିଁରେ ଆମ୍ଭେ ଦୁହେଁ ଏକ ରାତ୍ରିରେ ସ୍ଵପ୍ନ ଦେଖିଲୁ, ପୁଣି, ପ୍ରତ୍ୟେକ ସ୍ଵପ୍ନର ନିଜ ନିଜ ଅର୍ଥ ଥିଲା। 12ସେଠାରେ ଆମ୍ଭମାନଙ୍କ ସଙ୍ଗରେ ରକ୍ଷକ ସେନାପତିଙ୍କ ଦାସ ଜଣେ ଏବ୍ରୀୟ ଯୁବକ ଥିଲା; ଆମ୍ଭେମାନେ ତାହାକୁ ଆପଣା ଆପଣା ସ୍ଵପ୍ନ କହିଲା ଉତ୍ତାରେ ସେ ପ୍ରତ୍ୟେକର ସ୍ଵପ୍ନାନୁସାରେ ଅର୍ଥ ବୁଝାଇଦେଲା। 13ପୁଣି, ସେ ଆମ୍ଭମାନଙ୍କ ପ୍ରତି ଯେରୂପ ଅର୍ଥ ବୁଝାଇଥିଲା, ସେରୂପ ଘଟିଲା; ମୋତେ ପୁନର୍ବାର ମୋʼ ପଦରେ ନିଯୁକ୍ତ କରାଗଲା ଓ ଅନ୍ୟଜଣକୁ ଫାଶୀ ଦିଆଗଲା।”
14ସେତେବେଳେ ଫାରୋ ଯୋଷେଫଙ୍କୁ ଡକାଇ ପଠାଇଲେ, ଆଉ ଲୋକମାନେ ତାଙ୍କୁ ଶୀଘ୍ର କାରାକୂପରୁ ଆଣିଲେ; ପୁଣି, ସେ କ୍ଷୌର ହୋଇ ବସ୍ତ୍ର ବଦଳାଇ ଫାରୋଙ୍କ ସମ୍ମୁଖକୁ ଆସିଲେ। 15ଫାରୋ ଯୋଷେଫଙ୍କୁ କହିଲେ, “ଆମ୍ଭେ ଗୋଟିଏ ସ୍ଵପ୍ନ ଦେଖିଅଛୁ, ମାତ୍ର ତାହାର ଅର୍ଥ କେହି ବୁଝାଇ ପାରୁ ନାହାନ୍ତି; ଆଉ ଆମ୍ଭେ ତୁମ୍ଭ ବିଷୟରେ ଶୁଣିଅଛୁ ଯେ, ତୁମ୍ଭେ ସ୍ଵପ୍ନ ଶୁଣିଲେ ତାହାର ଅର୍ଥ ବୁଝାଇ ପାର।”
16ଯୋଷେଫ ଉତ୍ତର ଦେଲେ, “ତାହା ମୋʼ ନିଜ ସାଧ୍ୟ ନୁହେଁ; ଆମ୍ଭମାନଙ୍କ ପିତା ଫାରୋଙ୍କୁ ମଙ୍ଗଳଜନକ ଉତ୍ତର ଦେବେ।”
17ତେବେ ଫାରୋ ଯୋଷେଫଙ୍କୁ କହିଲେ, “ଆମ୍ଭେ ସ୍ଵପ୍ନରେ ନୀଲ ନଦୀ କୂଳରେ ଠିଆ ହୋଇଥିଲୁ। 18ଆଉ ହୃଷ୍ଟପୁଷ୍ଟ ଓ ସୁନ୍ଦର ସାତ ଗୋରୁ ନଦୀରୁ ଉଠିଆସି ଜଳଜ ତୃଣ ମଧ୍ୟରେ ଚରିବାକୁ ଲାଗିଲେ। 19ତହିଁ ଉତ୍ତାରେ ସେମାନଙ୍କ ପଛେ ଆଉ ସାତ ଗୋରୁ ଉଠିଆସିଲେ; ସେମାନେ ଦୁର୍ବଳ ଓ ଅତିଶୟ କୁତ୍ସିତ ଓ କୃଶ ଥିଲେ, ତେଣେ ଆମ୍ଭେ ସମୁଦାୟ ମିସର ଦେଶରେ ସେପରି ମନ୍ଦ ଗୋରୁ କେବେ ଦେଖି ନ ଥିଲୁ। 20ପୁଣି, ସେହି କୃଶ ଓ କୁତ୍ସିତ ଗୋରୁମାନେ ପ୍ରଥମ ହୃଷ୍ଟପୁଷ୍ଟ ସାତ ଗୋରୁଙ୍କୁ ଖାଇ ପକାଇଲେ। 21ମାତ୍ର ଖାଇଲା ଉତ୍ତାରେ ହେଁ ସେମାନେ ଯେ ତାହା ଉଦରସ୍ଥ କରିଅଛନ୍ତି, ଏହା ଜଣା ପଡ଼ିଲା ନାହିଁ, ବରଂ ସେମାନେ ପୂର୍ବ ପରି କୁତ୍ସିତ ରହିଲେ; ସେତେବେଳେ ଆମ୍ଭର ନିଦ୍ରା ଭାଙ୍ଗିଗଲା। 22ଏଥିଉତ୍ତାରେ ଆମ୍ଭେ ସ୍ଵପ୍ନରେ ପୁଣି ଦେଖିଲୁ, ଗୋଟିଏ ନଡ଼ାରେ ପରିପୂର୍ଣ୍ଣ ଓ ଉତ୍ତମ ସାତ ଶିଷା ବାହାରିଲା। 23ପୁଣି, ସେମାନଙ୍କ ପଛେ ପୂର୍ବୀୟ ବାୟୁରେ ଶୁଷ୍କ କ୍ଷୀଣ ସାତ ଶିଷା ଅଙ୍କୁରିତ ହେଲା। 24ପୁଣି, ସେହି କ୍ଷୀଣ ଶିଷାଗୁଡ଼ିକ ଉତ୍ତମ ସାତ ଶିଷାକୁ ଗ୍ରାସ କଲା; ଆଉ ଆମ୍ଭେ ଏହା ମନ୍ତ୍ରଜ୍ଞମାନଙ୍କୁ କହିଲୁ, ମାତ୍ର କେହି ତାହା ଆମ୍ଭ ନିକଟରେ ବୁଝାଇ ପାରିଲେ ନାହିଁ।”
25ଯୋଷେଫ ଫାରୋଙ୍କୁ କହିଲେ, “ଫାରୋଙ୍କ ସ୍ଵପ୍ନ ଏକ; ଆମ୍ଭମାନଙ୍କ ପିତା ଯାହା କରିବାକୁ ଉଦ୍ୟତ, ତାହା ସେ ଫାରୋଙ୍କୁ ଜଣାଇ ଅଛନ୍ତି। 26ସେହି ଉତ୍ତମ ସାତ ଗୋରୁ ସାତ ବର୍ଷ ଓ ସେହି ଉତ୍ତମ ସାତ ଶିଷା ସାତ ବର୍ଷ; ସ୍ଵପ୍ନ ଏକ। 27ପୁଣି, ସେମାନଙ୍କ ପଛେ ଉଠିଆସିବା ସେହି କୃଶ ଓ କୁତ୍ସିତ ସାତ ଗୋରୁ ସାତ ବର୍ଷ, ଆଉ ପୂର୍ବୀୟ ବାୟୁରେ ଶୁଷ୍କ ଅସାର ସେହି ସାତ ଶିଷା ଦୁର୍ଭିକ୍ଷର ସାତ ବର୍ଷ। 28ମୁଁ ଫାରୋଙ୍କୁ ଏହି କଥା କହିଲି; ଆମ୍ଭମାନଙ୍କ ପିତା ଯାହା କରିବାକୁ ଉଦ୍ୟତ, ତାହା ସେ ଫାରୋଙ୍କୁ ଦେଖାଇ ଅଛନ୍ତି। 29ଦେଖନ୍ତୁ, ସମୁଦାୟ ମିସର ଦେଶରେ ମହା ସୁଭିକ୍ଷର ସାତ ବର୍ଷ ଆସୁଅଛି। 30ତହିଁ ଉତ୍ତାରେ ଦୁର୍ଭିକ୍ଷର ସାତ ବର୍ଷ ହେବ; ପୁଣି, ମିସର ଦେଶରେ ସମସ୍ତ ସୁଭିକ୍ଷ ବିସ୍ମୃତ ହେବ, ଆଉ ଦୁର୍ଭିକ୍ଷ ଦେଶକୁ ଗ୍ରାସ କରିବ। 31ପୁଣି, ତହିଁ ଉତ୍ତାରବର୍ତ୍ତୀ ଦୁର୍ଭିକ୍ଷ ଅତ୍ୟନ୍ତ ଭୟଙ୍କର ହେବାରୁ ଦେଶରେ ସେହି ସୁଭିକ୍ଷ ବିସ୍ମୃତ ହେବ। 32ଫାରୋଙ୍କ ପ୍ରତି ଏହି ସ୍ଵପ୍ନ ଦୁଇ ଥର ହେବାର ଅର୍ଥ ଏହି ଯେ, ଆମ୍ଭମାନଙ୍କ ପିତା ଏହି ବିଷୟ ଦୃଢ଼ ରୂପେ ସ୍ଥିର କରିଅଛନ୍ତି, ପୁଣି ଆମ୍ଭମାନଙ୍କ ପିତା ଶୀଘ୍ର ତାହା ସଫଳ କରିବେ।
33ଅତଏବ ଫାରୋ ଜଣେ ବୁଦ୍ଧିମାନ ଓ ଜ୍ଞାନୀ ଲୋକ ଅନ୍ଵେଷଣ କରି ତାହାକୁ ମିସର ଦେଶ ଉପରେ ନିଯୁକ୍ତ କରନ୍ତୁ। 34ଫାରୋ ଏହା କରନ୍ତୁ ଓ ଦେଶ ଉପରେ ଅଧ୍ୟକ୍ଷଗଣ ନିଯୁକ୍ତ କରନ୍ତୁ, ପୁଣି, ସୁଭିକ୍ଷର ସାତ ବର୍ଷରେ ମିସର ଦେଶର ଉତ୍ପନ୍ନ ଦ୍ରବ୍ୟର ପଞ୍ଚମାଂଶ ସଂଗ୍ରହ କରନ୍ତୁ। 35ପୁଣି, ସେମାନେ ଏହି ଆଗାମୀ ଉତ୍ତମ ବର୍ଷମାନର ସମସ୍ତ ଖାଦ୍ୟଦ୍ରବ୍ୟ ସଂଗ୍ରହ କରି ଫାରୋଙ୍କ ହସ୍ତାଧୀନରେ ନଗରମାନରେ ଖାଦ୍ୟ ନିମନ୍ତେ ଶସ୍ୟ ସଞ୍ଚୟ କରନ୍ତୁ ଓ ତାହା ରକ୍ଷା କରନ୍ତୁ। 36ତହିଁରେ ମିସର ଦେଶ ଉପରେ ଘଟିବା ଦୁର୍ଭିକ୍ଷର ସାତ ବର୍ଷ ନିମନ୍ତେ ସେହି ଖାଦ୍ୟଦ୍ରବ୍ୟ ଦେଶ ପକ୍ଷରେ ସଞ୍ଚିତ ଥିବ, ଯେପରି ଦୁର୍ଭିକ୍ଷ ଦ୍ଵାରା ଦେଶ ଉଚ୍ଛିନ୍ନ ନ ହୁଏ।”
ଆଗାମୀ ବର୍ଷ ନିମନ୍ତେ ଏକ ଜ୍ଞାନଯୁକ୍ତ ଯୋଜନା
37ଏହି ପ୍ରସ୍ତାବ ଫାରୋଙ୍କ ଓ ତାହାଙ୍କ ସମସ୍ତ ଦାସଙ୍କ ଦୃଷ୍ଟିରେ ଉତ୍ତମ ବୋଧ ହେଲା। 38ଆଉ ଫାରୋ ଆପଣା ଦାସମାନଙ୍କୁ କହିଲେ, “ଈଶ୍ଵରଙ୍କ ଆତ୍ମାଯୁକ୍ତ ଏଭଳି ଲୋକ କି ଆମ୍ଭେମାନେ ପାଇ ପାରିବୁ?” 39ତହିଁ ଉତ୍ତାରେ ଫାରୋ ଯୋଷେଫଙ୍କୁ କହିଲେ, “ଈଶ୍ଵର ଏହିସବୁ ତୁମ୍ଭକୁ ଜଣାଇ ଅଛନ୍ତି ବୋଲି ତୁମ୍ଭ ପରି ବୁଦ୍ଧିମାନ ଓ ଜ୍ଞାନୀ କେହି ନାହିଁ। 40ତୁମ୍ଭେ ଆମ୍ଭ ଗୃହ ଉପରେ ନିଯୁକ୍ତ ହେବ, ପୁଣି, ଆମ୍ଭର ସମସ୍ତ ଲୋକ ତୁମ୍ଭ ଆଜ୍ଞା ମାନିବେ; କେବଳ ସିଂହାସନରେ ଆମ୍ଭେ ତୁମ୍ଭଠାରୁ ଶ୍ରେଷ୍ଠ ହେବୁ।” 41ଫାରୋ ଯୋଷେଫଙ୍କୁ ଆହୁରି କହିଲେ, “ଦେଖ, ଆମ୍ଭେ ତୁମ୍ଭକୁ ସମୁଦାୟ ମିସର ଦେଶ ଉପରେ ନିଯୁକ୍ତ କଲୁ।”
42ତହୁଁ ଫାରୋ ଆପଣା ହସ୍ତରୁ ମୋହରାଙ୍କିତ ଅଙ୍ଗୁରୀୟ ବାହାର କରି ଯୋଷେଫଙ୍କ ହସ୍ତରେ ଦେଲେ, ପୁଣି, ତାଙ୍କୁ ସୂକ୍ଷ୍ମ କ୍ଷୌମବସ୍ତ୍ର ପିନ୍ଧାଇ ତାଙ୍କ କଣ୍ଠରେ ସ୍ଵର୍ଣ୍ଣ ହାର ପିନ୍ଧାଇ ଦେଲେ। 43ଆଉ ସେ ତାଙ୍କୁ ଆପଣାର ଦ୍ଵିତୀୟ ରଥରେ ଆରୋହଣ କରାଇଲେ, ପୁଣି, ଲୋକମାନେ ତାଙ୍କ ଆଗେ ଆଗେ “ଆଣ୍ଠୁ ପାତ” ବୋଲି ଘୋଷଣା କଲେ; ଏହିରୂପେ ସେ ତାଙ୍କୁ ସମୁଦାୟ ମିସର ଦେଶ ଉପରେ ନିଯୁକ୍ତ କଲେ। 44ଆଉ ଫାରୋ ଯୋଷେଫଙ୍କୁ କହିଲେ, “ଆମ୍ଭେ ଫାରୋ, ପୁଣି, ତୁମ୍ଭ ବିନା ସମୁଦାୟ ମିସର ଦେଶରେ କେହି ଆପଣା ହସ୍ତ କି ପାଦ ଉଠାଇ ପାରିବ ନାହିଁ।” 45ପୁଣି, ଫାରୋ ଯୋଷେଫଙ୍କ ନାମ ସାଫନତ-ପାନେହ ଦେଲେ, ଆଉ ଓନ୍-ନଗରର ଯାଜକ ପୋଟୀଫେରଙ୍କ କନ୍ୟା ଆସନତକୁ ତାଙ୍କ ସଙ୍ଗେ ବିବାହ ଦେଲେ। ତହୁଁ ଯୋଷେଫ ମିସର ଦେଶ ମଧ୍ୟ ଦେଇ ଗମନାଗମନ କଲେ। a a v45 ଓନ୍ ଏକ ପ୍ରଧାନ ମିସରୀୟ ନଗର ଓ ସୂର୍ଯ୍ୟ-ପୂଜାର କେନ୍ଦ୍ର ଥିଲା — ଗ୍ରୀକ୍ ଲୋକଙ୍କ ନିକଟରେ ଏହା ହେଲିଓପଲିସ୍ ବୋଲି ପରିଚିତ, ଆଧୁନିକ କାଇରୋ ନିକଟରେ।
46ଯୋଷେଫ ତିରିଶ ବର୍ଷ ବୟସ୍କ ହୋଇ ମିସରର ରାଜା ଫାରୋଙ୍କ ସମ୍ମୁଖରେ ଠିଆ ହୋଇଥିଲେ। ତହୁଁ ଯୋଷେଫ ଫାରୋଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ସମୁଦାୟ ମିସର ଦେଶ ଭ୍ରମଣ କଲେ। 47ପୁଣି, ସୁଭିକ୍ଷର ସାତ ବର୍ଷରେ ଭୂମି ପ୍ରଚୁର ଶସ୍ୟ ଉତ୍ପନ୍ନ କଲା। 48ତହିଁରେ ସେ ମିସର ଦେଶର ସେହି ସାତ ବର୍ଷର ସମସ୍ତ ଖାଦ୍ୟଦ୍ରବ୍ୟ ସଂଗ୍ରହ କରି ନଗରମାନରେ ସଞ୍ଚୟ କଲେ; ପ୍ରତ୍ୟେକ ନଗରର ଚତୁର୍ଦ୍ଦିଗସ୍ଥ କ୍ଷେତ୍ରର ଖାଦ୍ୟଦ୍ରବ୍ୟ ସେହି ନଗରରେ ସଞ୍ଚୟ କଲେ। 49ଏହିରୂପେ ଯୋଷେଫ ସମୁଦ୍ରର ବାଲି ପରି ଅପାର ଶସ୍ୟ ସଞ୍ଚୟ କଲେ; ଶେଷରେ ତାହା ଗଣିବା ଛାଡ଼ିଦେଲେ, କାରଣ ତାହା ଅଗଣ୍ୟ ଥିଲା। 50ଦୁର୍ଭିକ୍ଷର ବର୍ଷ ଉପସ୍ଥିତ ହେବା ପୂର୍ବେ ଓନ୍-ନଗରର ଯାଜକ ପୋଟୀଫେରଙ୍କ କନ୍ୟା ଆସନତଠାରୁ ଯୋଷେଫଙ୍କ ଦୁଇ ପୁତ୍ର ଜନ୍ମିଲେ। 51ପୁଣି, ଯୋଷେଫ ଜ୍ୟେଷ୍ଠ ପୁତ୍ରର ନାମ ମନଃଶି ଦେଇ କହିଲେ, “ଆମ୍ଭମାନଙ୍କ ପିତା ମୋତେ ମୋʼ ସମସ୍ତ କ୍ଲେଶ ଓ ମୋʼ ପିତୃଗୃହର ସମସ୍ତ କଥା ଭୁଲାଇ ଦେଇଅଛନ୍ତି।” b b v51 ମନଃଶି ନାମର ଅର୍ଥ “ଭୁଲାଇ ଦେବା”। 52ଆଉ ଦ୍ଵିତୀୟ ପୁତ୍ରର ନାମ ଇଫ୍ରୟିମ ଦେଇ କହିଲେ, “ଆମ୍ଭମାନଙ୍କ ପିତା ମୋତେ ମୋʼ ଦୁଃଖଭୋଗର ଦେଶରେ ଫଳବାନ କରିଅଛନ୍ତି।” c c v52 ଇଫ୍ରୟିମ ନାମର ଅର୍ଥ “ଫଳବାନ”।
53ଏଥିଉତ୍ତାରେ ମିସର ଦେଶରେ ସୁଭିକ୍ଷର ସାତ ବର୍ଷ ସମାପ୍ତ ହେଲା। 54ପୁଣି, ଯୋଷେଫଙ୍କ ବାକ୍ୟାନୁସାରେ ଦୁର୍ଭିକ୍ଷର ସାତ ବର୍ଷ ଆରମ୍ଭ ହେଲା; ତହିଁରେ ସମସ୍ତ ଦେଶରେ ଦୁର୍ଭିକ୍ଷ ପଡ଼ିଲା, ମାତ୍ର ସମୁଦାୟ ମିସର ଦେଶରେ ଖାଦ୍ୟଦ୍ରବ୍ୟ ଥିଲା। 55ଯେତେବେଳେ ସମୁଦାୟ ମିସର ଦେଶ ଦୁର୍ଭିକ୍ଷଗ୍ରସ୍ତ ହେଲା, ସେତେବେଳେ ଲୋକମାନେ ଖାଦ୍ୟ ନିମନ୍ତେ ଫାରୋଙ୍କ ନିକଟରେ କ୍ରନ୍ଦନ କଲେ; ତହିଁରେ ଫାରୋ ସମସ୍ତ ମିସରୀୟ ଲୋକଙ୍କୁ କହିଲେ, “ତୁମ୍ଭେମାନେ ଯୋଷେଫଙ୍କ ନିକଟକୁ ଯାଅ; ସେ ଯାହା କହିବେ, ତାହା କର।” 56ପୁଣି, ସମୁଦାୟ ଦେଶରେ ଦୁର୍ଭିକ୍ଷ ବ୍ୟାପିଲା; ତହିଁରେ ଯୋଷେଫ ସମସ୍ତ ଶସ୍ୟାଗାର ଫିଟାଇ ମିସରୀୟ ଲୋକଙ୍କ ନିକଟରେ ଶସ୍ୟ ବିକ୍ରୟ କଲେ, କାରଣ ମିସର ଦେଶରେ ଦୁର୍ଭିକ୍ଷ ଅତି ଭୟଙ୍କର ହେଲା। 57ଆଉ ସମୁଦାୟ ଦେଶରେ ଦୁର୍ଭିକ୍ଷ ଅତି ଭୟଙ୍କର ହେବାରୁ ସମସ୍ତ ଦେଶ ଯୋଷେଫଙ୍କ ନିକଟରୁ ଶସ୍ୟ କିଣିବା ନିମନ୍ତେ ମିସର ଦେଶକୁ ଆସିଲେ।