ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଦାଉଦ ବୃଦ୍ଧ ଓ ଦୁର୍ବଳ ହୁଅନ୍ତି

ଶଲୋମନଙ୍କ ମନ୍ଦିରର ଗୌରବ ଏକ ବିଭକ୍ତ ରାଜ୍ୟ ଓ ତାହାର ସମ୍ମୁଖୀନ ହେଉଥିବା ଭବିଷ୍ୟଦ୍‌ବକ୍ତାମାନଙ୍କୁ ସ୍ଥାନ ଦିଏ। ଝଡ଼ ପରର ନୀରବତାରେ, ଆମ ପିତା ନିଜକୁ ପବନରେ କି ଅଗ୍ନିରେ ନୁହେଁ, ବରଂ ଏକ ମୃଦୁ କ୍ଷୀଣ ସ୍ୱରରେ ପ୍ରକାଶ କରନ୍ତି।

ଅଧ୍ୟାୟ 1।

ଦାଉଦ ରାଜା ବୃଦ୍ଧ ଓ ବହୁ ବର୍ଷ ବୟସ୍କ ହୋଇଥିଲେ। ସେମାନେ ତାହାଙ୍କୁ ବସ୍ତ୍ରରେ ଆଚ୍ଛାଦନ କଲେ, କିନ୍ତୁ ତାହାଙ୍କ ଶରୀର ଉଷ୍ଣ ହେଲା ନାହିଁ। ତେଣୁ ତାହାଙ୍କ ଦାସମାନେ ତାହାଙ୍କୁ କହିଲେ, “ଆମ୍ଭ ପ୍ରଭୁ ମହାରାଜାଙ୍କ ନିମନ୍ତେ ଗୋଟିଏ ଯୁବତୀ କୁମାରୀ ଅନ୍ଵେଷଣ କରାଯାଉ, ଯେ ରାଜାଙ୍କ ସମ୍ମୁଖରେ ଠିଆ ହୋଇ ତାହାଙ୍କର ସେବା କରିବ ଓ ତାହାଙ୍କ କ୍ରୋଡ଼ରେ ଶୟନ କରିବ, ଯେପରି ଆମ୍ଭ ପ୍ରଭୁ ମହାରାଜାଙ୍କ ଶରୀର ଉଷ୍ଣ ହେବ।” ଏଣୁ ସେମାନେ ସମଗ୍ର ଇସ୍ରାଏଲ ଦେଶରେ ଏକ ସୁନ୍ଦରୀ ଯୁବତୀ ଅନ୍ଵେଷଣ କରି ଶୂନେମୀୟା ଅବୀଶଗକୁ ପାଇ ତାହାକୁ ରାଜାଙ୍କ ନିକଟକୁ ଆଣିଲେ। ସେହି ଯୁବତୀ ଅତ୍ୟନ୍ତ ସୁନ୍ଦରୀ ଥିଲା। ସେ ରାଜାଙ୍କ ସେବିକା ହୋଇ ତାହାଙ୍କର ସେବା କଲା, କିନ୍ତୁ ରାଜା ତାହା ସହିତ ସହବାସ କଲେ ନାହିଁ।

ଅଦୋନୀୟ ସିଂହାସନ ପ୍ରତି ଲୋଭ କରେ

ସେହି ସମୟରେ ହଗୀତର ପୁତ୍ର ଅଦୋନୀୟ ଆପଣାକୁ ଉନ୍ନତ କରି, “ମୁଁ ରାଜା ହେବି” ବୋଲି କହି ଆପଣା ନିମନ୍ତେ ରଥ ଓ ଅଶ୍ଵାରୋହୀ, ପୁଣି ଆପଣା ଆଗେ ଆଗେ ଦୌଡ଼ିବା ନିମନ୍ତେ ପଚାଶ ଜଣ ଲୋକ ପ୍ରସ୍ତୁତ କଲା। ତାହାର ପିତା କେବେ କୌଣସି ସମୟରେ, “ତୁ ଏହା କାହିଁକି କଲୁ?” ବୋଲି ପଚାରି ତାହାକୁ ଦୁଃଖ ଦେଇ ନ ଥିଲେ। ସେ ମଧ୍ୟ ଅତ୍ୟନ୍ତ ସୁନ୍ଦର ଥିଲା ଓ ଅବଶାଲୋମ ଉତ୍ତାରେ ଜନ୍ମ ହୋଇଥିଲା। ପୁଣି ସେ ସରୁୟାର ପୁତ୍ର ଯୋୟାବ ଓ ଅବୀୟାଥର ଯାଜକ ସହିତ ମନ୍ତ୍ରଣା କଲା, ଆଉ ସେମାନେ ଅଦୋନୀୟର ପକ୍ଷ ହୋଇ ତାହାର ସାହାଯ୍ୟ କଲେ। କିନ୍ତୁ ସାଦୋକ ଯାଜକ, ଯିହୋୟାଦାର ପୁତ୍ର ବନାୟ, ନାଥନ ଭବିଷ୍ୟଦ୍‌ବକ୍ତା, ଶିମୀୟି, ରେୟୀ ଓ ଦାଉଦଙ୍କ ବୀରଗଣ ଅଦୋନୀୟର ସଙ୍ଗୀ ନ ଥିଲେ।

ପୁଣି ଅଦୋନୀୟ ଐନ୍‌-ରୋଗେଲ ନିକଟସ୍ଥ ସୋହେଲତ୍‌ ପ୍ରସ୍ତର ପାଖରେ ମେଷ, ଗୋରୁ ଓ ହୃଷ୍ଟପୁଷ୍ଟ ପଶୁ ବଳିଦାନ କରି ଆପଣାର ସମସ୍ତ ଭ୍ରାତା ରାଜପୁତ୍ରମାନଙ୍କୁ ଓ ଯିହୂଦାର ରାଜକର୍ମଚାରୀ ସମସ୍ତଙ୍କୁ ନିମନ୍ତ୍ରଣ କଲା। କିନ୍ତୁ ସେ ନାଥନ ଭବିଷ୍ୟଦ୍‌ବକ୍ତା, ବନାୟ, ବୀରଗଣ, ଅବା ଆପଣା ଭ୍ରାତା ଶଲୋମନଙ୍କୁ ନିମନ୍ତ୍ରଣ କଲା ନାହିଁ।

ତେବେ ନାଥନ ଶଲୋମନଙ୍କ ମାତା ବତ୍‌ଶେବାକୁ ପଚାରିଲେ, “ହଗୀତର ପୁତ୍ର ଅଦୋନୀୟ ରାଜତ୍ଵ କରୁଅଛି, ଆଉ ଆମ୍ଭମାନଙ୍କ ପ୍ରଭୁ ଦାଉଦ ତାହା ଜାଣନ୍ତି ନାହିଁ, ଏହା କʼଣ ତୁମ୍ଭେ ଶୁଣି ନାହଁ? ଏବେ ଆସ, ତୁମ୍ଭେ ଯେପରି ଆପଣା ପ୍ରାଣ ଓ ଆପଣା ପୁତ୍ର ଶଲୋମନଙ୍କ ପ୍ରାଣ ରକ୍ଷା କରିପାର, ଏଥିପାଇଁ ମୁଁ ତୁମ୍ଭକୁ ପରାମର୍ଶ ଦିଏ। ତୁମ୍ଭେ ଶୀଘ୍ର ଦାଉଦ ରାଜାଙ୍କ ନିକଟକୁ ଯାଇ ତାହାଙ୍କୁ କୁହ, ‘ହେ ମୋʼ ପ୍ରଭୁ ମହାରାଜ, ଆପଣ କʼଣ ଆପଣଙ୍କ ଦାସୀ ନିକଟରେ ଶପଥ କରି କହି ନ ଥିଲେ ଯେ, “ତୁମ୍ଭ ପୁତ୍ର ଶଲୋମନ ମୋʼ ଉତ୍ତାରେ ରାଜତ୍ଵ କରିବ ଓ ସେ ମୋʼ ସିଂହାସନରେ ବସିବ”? ତେବେ ଅଦୋନୀୟ କାହିଁକି ରାଜତ୍ଵ କରୁଅଛି?’ ଆଉ ଦେଖ, ତୁମ୍ଭେ ସେଠାରେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ମୁଁ ତୁମ୍ଭ ପଛେ ପ୍ରବେଶ କରି ତୁମ୍ଭର କଥା ଦୃଢ଼ କରିବି।”

ତହିଁରେ ବତ୍‌ଶେବା ଗୃହ ଭିତରକୁ ରାଜାଙ୍କ ନିକଟକୁ ଗଲା; ରାଜା ଅତି ବୃଦ୍ଧ ହୋଇଥିଲେ ଓ ଶୂନେମୀୟା ଅବୀଶଗ ରାଜାଙ୍କର ସେବା କରୁଥିଲା। ପୁଣି ବତ୍‌ଶେବା ନଇଁ ପଡ଼ି ରାଜାଙ୍କୁ ପ୍ରଣାମ କଲା, ତହିଁରେ ରାଜା କହିଲେ, “ତୁମ୍ଭେ କʼଣ ଚାହଁ?”

ସେ ତାହାଙ୍କୁ କହିଲା, “ହେ ମୋʼ ପ୍ରଭୁ, ଆପଣ ନିଜେ ଆପଣଙ୍କ ପିତାଙ୍କ ନାମରେ ଆପଣଙ୍କ ଦାସୀ ନିକଟରେ ଶପଥ କରି କହିଥିଲେ, ‘ତୁମ୍ଭ ପୁତ୍ର ଶଲୋମନ ମୋʼ ଉତ୍ତାରେ ରାଜତ୍ଵ କରିବ ଓ ମୋʼ ସିଂହାସନରେ ବସିବ।’ ମାତ୍ର ଏବେ, ଦେଖନ୍ତୁ, ଅଦୋନୀୟ ରାଜା ହୋଇଅଛି, ଆଉ ଆପଣ, ହେ ମୋʼ ପ୍ରଭୁ ମହାରାଜ, ତାହା ଜାଣନ୍ତି ନାହିଁ। ସେ ଗୋରୁ, ହୃଷ୍ଟପୁଷ୍ଟ ପଶୁ ଓ ଅନେକ ମେଷ ବଳିଦାନ କରି ରାଜପୁତ୍ର ସମସ୍ତଙ୍କୁ, ଅବୀୟାଥର ଯାଜକକୁ ଓ ଯୋୟାବ ସେନାପତିକୁ ନିମନ୍ତ୍ରଣ କରିଅଛି, କିନ୍ତୁ ଆପଣଙ୍କ ଦାସ ଶଲୋମନଙ୍କୁ ନିମନ୍ତ୍ରଣ କରି ନାହିଁ। ହେ ମୋʼ ପ୍ରଭୁ ମହାରାଜ, ମୋʼ ପ୍ରଭୁ ମହାରାଜାଙ୍କ ଉତ୍ତାରେ କିଏ ତାହାଙ୍କ ସିଂହାସନରେ ବସିବ, ଏହା ସେମାନଙ୍କୁ ଜଣାଇବା ପାଇଁ ସମଗ୍ର ଇସ୍ରାଏଲର ଦୃଷ୍ଟି ଆପଣଙ୍କ ପ୍ରତି ରହିଅଛି। ନୋହିଲେ, ମୋʼ ପ୍ରଭୁ ମହାରାଜ ଆପଣା ପିତୃଲୋକଙ୍କ ସହିତ ଶୟନ କଲା ଉତ୍ତାରେ ମୁଁ ଓ ମୋʼ ପୁତ୍ର ଶଲୋମନ ଅପରାଧୀ ବୋଲି ଗଣିତ ହେବୁ।”

ସେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ, ଦେଖ, ନାଥନ ଭବିଷ୍ୟଦ୍‌ବକ୍ତା ଉପସ୍ଥିତ ହେଲେ। ତହିଁରେ ସେମାନେ ରାଜାଙ୍କୁ ଜଣାଇ କହିଲେ, “ଦେଖନ୍ତୁ, ନାଥନ ଭବିଷ୍ୟଦ୍‌ବକ୍ତା ଉପସ୍ଥିତ।” ଆଉ ସେ ରାଜାଙ୍କ ସମ୍ମୁଖରେ ପ୍ରବେଶ କରି ଭୂମିରେ ମୁହଁ ମାଡ଼ି ରାଜାଙ୍କୁ ପ୍ରଣାମ କଲେ।

ତହୁଁ ନାଥନ କହିଲେ, “ହେ ମୋʼ ପ୍ରଭୁ ମହାରାଜ, ‘ଅଦୋନୀୟ ମୋʼ ଉତ୍ତାରେ ରାଜତ୍ଵ କରିବ ଓ ମୋʼ ସିଂହାସନରେ ବସିବ’ ବୋଲି କʼଣ ଆପଣ କହିଅଛନ୍ତି? ଯେହେତୁ ସେ ଆଜି ଯାଇ ଗୋରୁ, ହୃଷ୍ଟପୁଷ୍ଟ ପଶୁ ଓ ଅନେକ ମେଷ ବଳିଦାନ କରି ରାଜପୁତ୍ର ସମସ୍ତଙ୍କୁ, ସେନାପତିମାନଙ୍କୁ ଓ ଅବୀୟାଥର ଯାଜକକୁ ନିମନ୍ତ୍ରଣ କରିଅଛି; ଆଉ ଦେଖନ୍ତୁ, ସେମାନେ ତାହା ସମ୍ମୁଖରେ ଭୋଜନପାନ କରି, ‘ଅଦୋନୀୟ ରାଜା ଚିରଜୀବୀ ହେଉନ୍‌’ ବୋଲି ଘୋଷଣା କରୁଅଛନ୍ତି। କିନ୍ତୁ ମୋତେ, ଆପଣଙ୍କ ଦାସକୁ, ସାଦୋକ ଯାଜକକୁ, ଯିହୋୟାଦାର ପୁତ୍ର ବନାୟକୁ ଓ ଆପଣଙ୍କ ଦାସ ଶଲୋମନଙ୍କୁ ସେ ନିମନ୍ତ୍ରଣ କରି ନାହିଁ। ମୋʼ ପ୍ରଭୁ ମହାରାଜାଙ୍କ ଉତ୍ତାରେ କିଏ ତାହାଙ୍କ ସିଂହାସନରେ ବସିବ, ଏହା ଆପଣଙ୍କ ଦାସମାନଙ୍କୁ ନ ଜଣାଇ ମୋʼ ପ୍ରଭୁ ମହାରାଜ କʼଣ ଏହି କଥା ଆଜ୍ଞା କଲେ?”

ଦାଉଦ ଶପଥ କରନ୍ତି ଯେ ଶଲୋମନ ରାଜତ୍ଵ କରିବେ

ତହିଁରେ ଦାଉଦ ରାଜା ଉତ୍ତର ଦେଲେ, “ବତ୍‌ଶେବାକୁ ମୋʼ ନିକଟକୁ ଡାକ।” ତହୁଁ ସେ ରାଜାଙ୍କ ସମ୍ମୁଖକୁ ଆସି ରାଜାଙ୍କ ସାକ୍ଷାତରେ ଠିଆ ହେଲା। ତେବେ ରାଜା ଶପଥ କରି କହିଲେ, “ଯେ ଆମ୍ଭ ପ୍ରାଣକୁ ସମସ୍ତ ସଙ୍କଟରୁ ଉଦ୍ଧାର କରିଅଛନ୍ତି, ଆମ୍ଭମାନଙ୍କ ପିତା ସେହି ଜୀବିତ ପିତାଙ୍କ ନାମରେ କହୁଅଛୁ, ଆମ୍ଭେ ଆମ୍ଭମାନଙ୍କ ପିତା, ଇସ୍ରାଏଲର ଈଶ୍ଵରଙ୍କ ନାମରେ ତୁମ୍ଭ ନିକଟରେ ଯେଉଁ ଶପଥ କରିଥିଲୁ, ‘ତୁମ୍ଭ ପୁତ୍ର ଶଲୋମନ ଆମ୍ଭ ଉତ୍ତାରେ ରାଜତ୍ଵ କରିବ ଓ ଆମ୍ଭ ପଦରେ ଆମ୍ଭ ସିଂହାସନରେ ବସିବ,’ ତାହା ଆମ୍ଭେ ନିଶ୍ଚୟ ଆଜି କରିବା।”

ତହିଁରେ ବତ୍‌ଶେବା ଭୂମିରେ ମୁହଁ ମାଡ଼ି ନଇଁ ପଡ଼ି ରାଜାଙ୍କୁ ପ୍ରଣାମ କରି କହିଲା, “ମୋʼ ପ୍ରଭୁ ଦାଉଦ ରାଜା ଅନନ୍ତକାଳ ଜୀବିତ ହେଉନ୍‌!”

ତହୁଁ ଦାଉଦ ରାଜା କହିଲେ, “ସାଦୋକ ଯାଜକକୁ, ନାଥନ ଭବିଷ୍ୟଦ୍‌ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ ମୋʼ ନିକଟକୁ ଡାକ।” ତହିଁରେ ସେମାନେ ରାଜାଙ୍କ ସମ୍ମୁଖକୁ ଆସିଲେ। ପୁଣି ରାଜା ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ପ୍ରଭୁର ଦାସମାନଙ୍କୁ ସଙ୍ଗରେ ନେଇ ମୋʼ ପୁତ୍ର ଶଲୋମନଙ୍କୁ ମୋʼ ନିଜ ଖଚରରେ ଚଢ଼ାଇ ତାହାକୁ ଗୀହୋନକୁ ଆଣ। ଆଉ ସେଠାରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍‌ବକ୍ତା ତାହାକୁ ଇସ୍ରାଏଲ ଉପରେ ରାଜା ଅଭିଷେକ କରନ୍ତୁ; ପୁଣି ତୁମ୍ଭେମାନେ ତୂରୀ ବଜାଇ, ‘ଶଲୋମନ ରାଜା ଚିରଜୀବୀ ହେଉନ୍‌’ ବୋଲି ଘୋଷଣା କର। ତହିଁ ଉତ୍ତାରେ ତୁମ୍ଭେମାନେ ତାହା ପଛେ ପଛେ ଆସିବ, ଆଉ ସେ ଆସି ମୋʼ ସିଂହାସନରେ ବସିବ ଓ ମୋʼ ପଦରେ ରାଜତ୍ଵ କରିବ; କାରଣ ମୁଁ ତାହାକୁ ଇସ୍ରାଏଲ ଓ ଯିହୂଦା ଉପରେ ଶାସନକର୍ତ୍ତା ହେବା ନିମନ୍ତେ ନିଯୁକ୍ତ କରିଅଛି।”

ତହିଁରେ ଯିହୋୟାଦାର ପୁତ୍ର ବନାୟ ରାଜାଙ୍କୁ ଉତ୍ତର ଦେଇ କହିଲା, “ଆମେନ୍‌! ମୋʼ ପ୍ରଭୁ ମହାରାଜାଙ୍କ ଈଶ୍ଵର, ଆମ୍ଭମାନଙ୍କ ପିତା ତାହା ଦୃଢ଼ କରନ୍ତୁ। ଆମ୍ଭମାନଙ୍କ ପିତା ଯେପରି ମୋʼ ପ୍ରଭୁ ମହାରାଜାଙ୍କ ସଙ୍ଗରେ ଥିଲେ, ସେପରି ସେ ଶଲୋମନଙ୍କ ସଙ୍ଗରେ ଥାଉନ୍‌ ଓ ତାହାଙ୍କ ସିଂହାସନକୁ ମୋʼ ପ୍ରଭୁ ଦାଉଦ ରାଜାଙ୍କ ସିଂହାସନ ଅପେକ୍ଷା ଅଧିକ ମହତ୍ କରନ୍ତୁ।”

ତହୁଁ ସାଦୋକ ଯାଜକ, ନାଥନ ଭବିଷ୍ୟଦ୍‌ବକ୍ତା, ଯିହୋୟାଦାର ପୁତ୍ର ବନାୟ, ପୁଣି କରେଥୀୟ ଓ ପଲେଥୀୟ ଲୋକମାନେ ଓହ୍ଲାଇ ଯାଇ ଶଲୋମନଙ୍କୁ ଦାଉଦ ରାଜାଙ୍କ ଖଚରରେ ଚଢ଼ାଇ ତାହାଙ୍କୁ ଗୀହୋନକୁ ଆଣିଲେ। ପୁଣି ସାଦୋକ ଯାଜକ ତମ୍ବୁ ମଧ୍ୟରୁ ତୈଳ ଶୃଙ୍ଗ ନେଇ ଶଲୋମନଙ୍କୁ ଅଭିଷେକ କଲେ। ତହିଁରେ ସେମାନେ ତୂରୀ ବଜାଇଲେ, ଆଉ ସମସ୍ତ ଲୋକ, “ଶଲୋମନ ରାଜା ଚିରଜୀବୀ ହେଉନ୍‌” ବୋଲି ଘୋଷଣା କଲେ।

ଆଉ ସମସ୍ତ ଲୋକ ତାହାଙ୍କ ପଛେ ପଛେ ବଂଶୀ ବଜାଇ ଓ ଅତିଶୟ ଆନନ୍ଦ କରି ଉପରକୁ ଗଲେ, ତେଣୁ ସେମାନଙ୍କ ଶବ୍ଦରେ ଭୂମି ଫାଟି ଗଲା।

ଅଦୋନୀୟ ଓ ତାହା ସଙ୍ଗେ ଥିବା ନିମନ୍ତ୍ରିତ ସମସ୍ତେ ଆପଣାମାନଙ୍କ ଭୋଜନ ସମାପ୍ତ କରିବା ବେଳେ ତାହା ଶୁଣିଲେ। ଆଉ ଯୋୟାବ ତୂରୀ ଶବ୍ଦ ଶୁଣି ପଚାରିଲା, “ନଗର କାହିଁକି କୋଳାହଳମୟ ହୋଇଅଛି?”

ସେ କଥା କହୁଥିବା ବେଳେ, ଦେଖ, ଅବୀୟାଥର ଯାଜକର ପୁତ୍ର ଯୋନାଥନ ଉପସ୍ଥିତ ହେଲା। ତହିଁରେ ଅଦୋନୀୟ କହିଲା, “ଭିତରକୁ ଆସ, ତୁମ୍ଭେ ଯୋଗ୍ୟ ଲୋକ ଓ ନିଶ୍ଚୟ ଶୁଭ ସମ୍ବାଦ ଆଣୁଅଛ।”

ମାତ୍ର ଯୋନାଥନ ଅଦୋନୀୟକୁ ଉତ୍ତର ଦେଇ କହିଲା, “ନା, ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜା ଶଲୋମନଙ୍କୁ ରାଜା କରିଅଛନ୍ତି। ପୁଣି ରାଜା ତାହାଙ୍କ ସଙ୍ଗରେ ସାଦୋକ ଯାଜକ, ନାଥନ ଭବିଷ୍ୟଦ୍‌ବକ୍ତା, ଯିହୋୟାଦାର ପୁତ୍ର ବନାୟ, ପୁଣି କରେଥୀୟ ଓ ପଲେଥୀୟ ଲୋକମାନଙ୍କୁ ପ୍ରେରଣ କରିଅଛନ୍ତି, ଆଉ ସେମାନେ ତାହାଙ୍କୁ ରାଜାଙ୍କ ଖଚରରେ ଚଢ଼ାଇଅଛନ୍ତି। ଆଉ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍‌ବକ୍ତା ତାହାଙ୍କୁ ଗୀହୋନରେ ରାଜା ଅଭିଷେକ କରିଅଛନ୍ତି; ପୁଣି ସେମାନେ ସେଠାରୁ ଆନନ୍ଦ କରୁ କରୁ ଉପରକୁ ଆସିଅଛନ୍ତି, ତେଣୁ ନଗର କୋଳାହଳମୟ ହୋଇଅଛି; ତୁମ୍ଭେ ଯେଉଁ ଶବ୍ଦ ଶୁଣିଲ, ତାହା ଏହି। ଆହୁରି ମଧ୍ୟ ଶଲୋମନ ରାଜସିଂହାସନରେ ଉପବିଷ୍ଟ ହୋଇଅଛନ୍ତି। ଆଉ ରାଜାଙ୍କ ଦାସମାନେ ମଧ୍ୟ ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜାଙ୍କ ମଙ୍ଗଳବାଦ କରିବାକୁ ଆସି କହିଲେ, ‘ଆପଣଙ୍କ ପିତା ଶଲୋମନଙ୍କ ନାମକୁ ଆପଣଙ୍କ ନାମ ଅପେକ୍ଷା ଅଧିକ ମହତ୍ ଓ ତାହାଙ୍କ ସିଂହାସନକୁ ଆପଣଙ୍କ ସିଂହାସନ ଅପେକ୍ଷା ଅଧିକ ମହତ୍ କରନ୍ତୁ।’ ତହିଁରେ ରାଜା ଆପଣା ଶଯ୍ୟାରେ ନଇଁ ପଡ଼ି ପ୍ରଣାମ କଲେ। ପୁଣି ରାଜା ମଧ୍ୟ କହିଲେ, ‘ଆମ୍ଭମାନଙ୍କ ପିତା, ଇସ୍ରାଏଲର ଈଶ୍ଵର ଧନ୍ୟ ହେଉନ୍‌, ଯେ ଆଜି ମୋʼ ସିଂହାସନରେ ବସିବା ପାଇଁ ଜଣକୁ ଦେଇଅଛନ୍ତି ଓ ମୋʼ ନିଜ ଚକ୍ଷୁ ତାହା ଦେଖୁଅଛି।’”

ତହୁଁ ଅଦୋନୀୟର ନିମନ୍ତ୍ରିତ ସମସ୍ତେ ଭୀତ ହେଲେ ଓ ଉଠି ପ୍ରତ୍ୟେକେ ଆପଣା ଆପଣା ବାଟରେ ଛିନ୍ନଭିନ୍ନ ହୋଇ ଗଲେ। ମାତ୍ର ଅଦୋନୀୟ ଶଲୋମନଙ୍କ ଭୟରେ ଉଠି ଯାଇ ଯଜ୍ଞବେଦିର ଶୃଙ୍ଗ ଧରିଲା। a a v50 ଯଜ୍ଞବେଦିର ବାହାରକୁ ବାହାରିଥିବା କୋଣ ଧରିବା ଥିଲା ଆଶ୍ରୟ ଅନ୍ଵେଷଣ କରିବାର ଏକ ପ୍ରାଚୀନ କର୍ମ — ପ୍ରାଣଦଣ୍ଡରୁ କୃପା ଓ ସୁରକ୍ଷା ପାଇଁ ଏକ ନିରୁପାୟ ବିନତି। ତହିଁରେ ଶଲୋମନଙ୍କୁ ଜଣାଯାଇ କୁହାଗଲା, “ଦେଖନ୍ତୁ, ଅଦୋନୀୟ ଶଲୋମନ ରାଜାଙ୍କୁ ଭୟ କରୁଅଛି, ଆଉ ଦେଖନ୍ତୁ, ସେ ଯଜ୍ଞବେଦିର ଶୃଙ୍ଗ ଧରି କହୁଅଛି, ‘ଶଲୋମନ ରାଜା ପ୍ରଥମେ ମୋʼ ନିକଟରେ ଶପଥ କରନ୍ତୁ ଯେ, ସେ ଆପଣା ଦାସକୁ ଖଡ଼୍ଗ ଦ୍ଵାରା ବଧ କରିବେ ନାହିଁ।’”

ତହୁଁ ଶଲୋମନ କହିଲେ, “ଯଦି ସେ ଯୋଗ୍ୟ ବ୍ୟକ୍ତି ଅଟେ, ତେବେ ତାହାର ଗୋଟିଏ କେଶ ହେଁ ଭୂମିରେ ପଡ଼ିବ ନାହିଁ; କିନ୍ତୁ ତାହାଠାରେ ଯଦି ମନ୍ଦ ଭାବ ଦେଖାଯାଏ, ତେବେ ସେ ମରିବ।”

ଏଣୁ ଶଲୋମନ ରାଜା ଲୋକ ପଠାଇ ତାହାକୁ ଯଜ୍ଞବେଦିରୁ ଓହ୍ଲାଇ ଆଣିଲେ। ତହିଁରେ ସେ ଆସି ଶଲୋମନ ରାଜାଙ୍କୁ ପ୍ରଣାମ କଲା, ଆଉ ଶଲୋମନ କହିଲେ, “ଆପଣା ଗୃହକୁ ଯାଅ।”