ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ଆଦେଶ ଦିଅନ୍ତି
ମୃତ୍ୟୁଶଯ୍ୟାରେ ଦାଉଦ ଶଲୋମନଙ୍କୁ ଆମ ପିତାଙ୍କ ପଥରେ ଚାଲିବାକୁ କହନ୍ତି, ତାʼପରେ ପୁରୁଣା ହିସାବ ସମାଧାନ କରିବାକୁ ନାମ ଦିଅନ୍ତି। ଶଲୋମନ ସେଗୁଡ଼ିକ ସମାଧାନ କରନ୍ତି: ଅବୀଶଗଙ୍କୁ ବିବାହ କରିବାକୁ ମାଗିବାରୁ ଅଦୋନୀୟର ପ୍ରାଣଦଣ୍ଡ, ଅବିୟାଥରଙ୍କ ନିର୍ବାସନ, ଯଜ୍ଞବେଦି ଧରିଥିବା ଅବସ୍ଥାରେ ଯୋୟାବଙ୍କ ବଧ, କିଦ୍ରୋଣ ପାର ହେବାରୁ ଶିମିୟିଙ୍କ ବଧ।
2 1ଦାଉଦଙ୍କ ମୃତ୍ୟୁର ସମୟ ନିକଟ ହୁଅନ୍ତେ, ସେ ଆପଣା ପୁତ୍ର ଶଲୋମନଙ୍କୁ ଆଦେଶ ଦେଇ କହିଲେ, 2“ଆମ୍ଭେ ସମସ୍ତ ଜଗତର ପଥରେ ଯିବାକୁ ଉଦ୍ୟତ ଅଟୁ। ତୁମ୍ଭେ ବଳବାନ ହୁଅ ଓ ଆପଣାକୁ ପୁରୁଷ ବୋଲି ପ୍ରମାଣ କର। 3ତୁମ୍ଭ ପିତାଙ୍କ ଆଜ୍ଞା ପାଳନ କର; ତାହାଙ୍କ ପଥରେ ଚାଲ ଓ ମୋଶାଙ୍କ ବ୍ୟବସ୍ଥାରେ ଯେପରି ଲିଖିତ ଅଛି, ସେହିପରି ତାହାଙ୍କ ବିଧି, ଆଜ୍ଞା, ଶାସନ ଓ ସାକ୍ଷ୍ୟ ପାଳନ କର, ତାହା କଲେ ତୁମ୍ଭେ ଯାହା କରିବ ଓ ଯେକୌଣସି ଆଡ଼େ ଫେରିବ, ସେଥିରେ କୃତକାର୍ଯ୍ୟ ହେବ; 4ତହିଁରେ ଆମ୍ଭମାନଙ୍କ ପିତା ମୋʼ ବିଷୟରେ କହିଥିବା ଏହି ବାକ୍ୟ ଦୃଢ଼ କରିବେ, ‘ଯଦି ତୁମ୍ଭ ସନ୍ତାନଗଣ ଆପଣାମାନଙ୍କ ପଥ ବିଷୟରେ ସାବଧାନ ହୋଇ ଆପଣାମାନଙ୍କ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ବିଶ୍ଵସ୍ତ ଭାବରେ ଆମ୍ଭ ସମ୍ମୁଖରେ ଚାଲନ୍ତି, ତେବେ ଇସ୍ରାଏଲର ସିଂହାସନରେ ବସିବା ପାଇଁ ତୁମ୍ଭ ପକ୍ଷରେ ପୁରୁଷର ଅଭାବ କେବେ ହେବ ନାହିଁ।’
5ଆହୁରି, ସରୁୟାର ପୁତ୍ର ଯୋୟାବ ମୋʼ ପ୍ରତି ଯାହା କଲା, ଅର୍ଥାତ୍, ସେ ଇସ୍ରାଏଲର ଦୁଇ ସେନାପତି ନେରର ପୁତ୍ର ଅବ୍ନର ଓ ଯେଥରର ପୁତ୍ର ଅମାସା ପ୍ରତି ଯାହା କଲା, ତାହା ତୁମ୍ଭେ ଜାଣ; ସେ ସେମାନଙ୍କୁ ବଧ କଲା, ଶାନ୍ତିକାଳରେ ଯୁଦ୍ଧର ରକ୍ତପାତ କଲା ଓ ଆପଣା କଟିବନ୍ଧନୀରେ ଓ ପାଦର ପାଦୁକାରେ ଯୁଦ୍ଧର ରକ୍ତ ଲଗାଇଲା। 6ଏଣୁ ତୁମ୍ଭେ ଆପଣା ଜ୍ଞାନାନୁସାରେ କର୍ମ କର ଓ ତାହାର ପକ୍ୱ କେଶ ଶାନ୍ତିରେ କବରକୁ ଯିବାକୁ ଦିଅ ନାହିଁ। 7ମାତ୍ର ଗିଲୀୟଦୀୟ ବର୍ସିଲ୍ଲୟର ପୁତ୍ରମାନଙ୍କ ପ୍ରତି ଦୟା ପ୍ରକାଶ କର ଓ ସେମାନେ ତୁମ୍ଭ ମେଜରେ ଭୋଜନ କରିବା ଲୋକମାନଙ୍କ ମଧ୍ୟରେ ଥାଉନ୍ତୁ, କାରଣ ମୁଁ ତୁମ୍ଭ ଭ୍ରାତା ଅବ୍ଶାଲୋମ ନିକଟରୁ ପଳାଇ ଯିବା ବେଳେ ସେମାନେ ମୋʼ ନିକଟକୁ ଆସିଥିଲେ।
8ଆଉ ଦେଖ, ବହୁରୀମ ନିବାସୀ ଗେରାର ପୁତ୍ର ଶିମୀୟି ନାମକ ବିନ୍ୟାମୀନୀୟ ଲୋକ ତୁମ୍ଭ ସଙ୍ଗରେ ଅଛି, ଯେ ମୁଁ ମହନୟିମକୁ ଯିବା ଦିନ ମୋତେ ଅତ୍ୟନ୍ତ ଅଭିଶାପ ଦେଇଥିଲା; ମାତ୍ର ସେ ଯର୍ଦ୍ଦନ ନିକଟରେ ମୋତେ ଭେଟିବାକୁ ଓହ୍ଲାଇ ଆସିଲା ଓ ମୁଁ ଆମ୍ଭମାନଙ୍କ ପିତାଙ୍କ ନାମରେ ତାହା ନିକଟରେ ଶପଥ କରି କହିଲି, ‘ମୁଁ ତୁମ୍ଭକୁ ଖଡ଼୍ଗରେ ବଧ କରିବି ନାହିଁ।’ 9ଏଣୁ ତୁମ୍ଭେ ତାହାକୁ ନିର୍ଦ୍ଦୋଷ ଜ୍ଞାନ କର ନାହିଁ; ତୁମ୍ଭେ ଜ୍ଞାନବାନ, ତାହା ପ୍ରତି କଅଣ କରିବାକୁ ହେବ, ତାହା ତୁମ୍ଭେ ଜାଣିବ ଓ ତାହାର ପକ୍ୱ କେଶ ରକ୍ତ ସହିତ କବରକୁ ଓହ୍ଲାଇ ଦିଅ।”
10ଏଉତ୍ତାରେ ଦାଉଦ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ ଓ ଦାଉଦ ନଗରରେ କବର ପ୍ରାପ୍ତ ହେଲେ। 11ଦାଉଦ ଇସ୍ରାଏଲ ଉପରେ ଚାଳିଶ ବର୍ଷ ରାଜ୍ୟ କଲେ; ହିବ୍ରୋଣରେ ସାତ ବର୍ଷ ଓ ଯିରୂଶାଲମରେ ତେତିଶ ବର୍ଷ ରାଜ୍ୟ କଲେ। 12ଏଉତ୍ତାରେ ଶଲୋମନ ଆପଣା ପିତା ଦାଉଦଙ୍କ ସିଂହାସନରେ ବସିଲେ ଓ ତାହାଙ୍କ ରାଜ୍ୟ ଅତିଶୟ ଦୃଢ଼ ହେଲା।
ଅଦୋନୀୟର ପ୍ରାଣଘାତକ ନିବେଦନ
13ଏଉତ୍ତାରେ ହଗ୍ଗୀତର ପୁତ୍ର ଅଦୋନୀୟ ଶଲୋମନଙ୍କ ମାତା ବତ୍ଶେବା ନିକଟକୁ ଆସିଲା। ତହିଁରେ ସେ ପଚାରିଲେ, “ତୁମ୍ଭେ କି ଶାନ୍ତିରେ ଆସିଅଛ?” ସେ କହିଲା, “ଶାନ୍ତିରେ।”
14ପୁନଶ୍ଚ ସେ କହିଲା, “ତୁମ୍ଭଙ୍କୁ କିଛି କଥା କହିବାର ଅଛି।” ତହିଁରେ ସେ କହିଲେ, “କୁହ।”
15ତେବେ ସେ କହିଲା, “ତୁମ୍ଭେ ଜାଣ, ରାଜ୍ୟ ମୋହର ଥିଲା ଓ ମୁଁ ରାଜ୍ୟ କରିବି ବୋଲି ସମଗ୍ର ଇସ୍ରାଏଲ ମୋʼ ଆଡ଼େ ଅନାଇଥିଲେ; ମାତ୍ର ତାହା ଫେରି ମୋʼ ଭ୍ରାତାର ହେଲା, କାରଣ ତାହା ଆମ୍ଭମାନଙ୍କ ପିତାଙ୍କଠାରୁ ତାହାର ହୋଇଥିଲା। 16ଏବେ ମୁଁ ତୁମ୍ଭ ନିକଟରେ ଗୋଟିଏ ନିବେଦନ କରିବାକୁ ଚାହେଁ; ମୋʼ ପ୍ରତି ଅସମ୍ମତ ହୁଅ ନାହିଁ।” ତହିଁରେ ସେ କହିଲେ, “କୁହ।”
17ତେବେ ସେ କହିଲା, “ବିନୟ କରୁଅଛି, ଶୁନେମୀୟା ଅବୀଶଗ୍କୁ ମୋʼ ଭାର୍ଯ୍ୟା ହେବାକୁ ଦେବା ପାଇଁ ଶଲୋମନ ରାଜାଙ୍କୁ କୁହ, କାରଣ ସେ ତୁମ୍ଭ ପ୍ରତି ଅସମ୍ମତ ହେବେ ନାହିଁ।”
18ତହିଁରେ ବତ୍ଶେବା କହିଲେ, “ଭଲ, ମୁଁ ତୁମ୍ଭ ପକ୍ଷରେ ରାଜାଙ୍କୁ କହିବି।”
19ଏଉତ୍ତାରେ ବତ୍ଶେବା ଅଦୋନୀୟ ପକ୍ଷରେ କଥା କହିବା ପାଇଁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ତହିଁରେ ରାଜା ତାହାଙ୍କୁ ଭେଟିବା ପାଇଁ ଉଠି ତାହାଙ୍କ ଆଗରେ ପ୍ରଣାମ କଲେ ଓ ଆପଣା ସିଂହାସନରେ ବସିଲେ ଏବଂ ରାଜମାତାଙ୍କ ପାଇଁ ଗୋଟିଏ ସିଂହାସନ ରଖାଇଲେ ଓ ସେ ତାହାଙ୍କ ଦକ୍ଷିଣ ପାର୍ଶ୍ଵରେ ବସିଲେ। 20ତହିଁରେ ସେ କହିଲେ, “ମୁଁ ତୁମ୍ଭକୁ ଗୋଟିଏ କ୍ଷୁଦ୍ର ନିବେଦନ କରିବାକୁ ଚାହେଁ; ମୋʼ ପ୍ରତି ଅସମ୍ମତ ହୁଅ ନାହିଁ।” ତହିଁରେ ରାଜା କହିଲେ, “ହେ ମୋʼ ମାତା, ମାଗ, କାରଣ ମୁଁ ତୁମ୍ଭ ପ୍ରତି ଅସମ୍ମତ ହେବି ନାହିଁ।”
21ତେବେ ସେ କହିଲେ, “ଶୁନେମୀୟା ଅବୀଶଗ୍କୁ ତୁମ୍ଭ ଭ୍ରାତା ଅଦୋନୀୟର ଭାର୍ଯ୍ୟା ହେବା ପାଇଁ ଦିଆଯାଉ।”
22ତହିଁରେ ଶଲୋମନ ରାଜା ଆପଣା ମାତାଙ୍କୁ ଉତ୍ତର ଦେଇ କହିଲେ, “ତୁମ୍ଭେ ଅଦୋନୀୟ ପାଇଁ କାହିଁକି କେବଳ ଶୁନେମୀୟା ଅବୀଶଗ୍କୁ ମାଗୁଅଛ? ତାହା ପାଇଁ ରାଜ୍ୟ ମଧ୍ୟ ମାଗ, କାରଣ ସେ ମୋʼ ଜ୍ୟେଷ୍ଠ ଭ୍ରାତା; ହଁ, ତାହା ପାଇଁ ଓ ଅବୀୟାଥର ଯାଜକ ଓ ସରୁୟାର ପୁତ୍ର ଯୋୟାବ ପାଇଁ ମାଗ!” 23ତହିଁରେ ଶଲୋମନ ରାଜା ଆମ୍ଭମାନଙ୍କ ପିତାଙ୍କ ନାମରେ ଶପଥ କରି କହିଲେ, “ଅଦୋନୀୟ ଯଦି ଆପଣା ପ୍ରାଣ ବିରୁଦ୍ଧରେ ଏହି କଥା ନ କହିଥାଏ, ତେବେ ସେ ମୋʼ ପ୍ରତି ସେହିପରି, ବରଞ୍ଚ ତହିଁରୁ ଅଧିକ କରନ୍ତୁ! 24ଏଣୁ ଏବେ, ଯେ ମୋତେ ସ୍ଥାପନ କରିଅଛନ୍ତି ଓ ମୋʼ ପିତା ଦାଉଦଙ୍କ ସିଂହାସନରେ ମୋତେ ବସାଇ ଅଛନ୍ତି ଓ ଆପଣା ପ୍ରତିଜ୍ଞାନୁସାରେ ମୋʼ ପାଇଁ ଗୋଟିଏ ବଂଶ ସ୍ଥାପନ କରିଅଛନ୍ତି, ସେହି ଜୀବିତ ଆମ୍ଭମାନଙ୍କ ପିତାଙ୍କ ନାମରେ କହୁଅଛି, ଅଦୋନୀୟ ଆଜି ବଧ କରାଯିବ।”
25ଏଉତ୍ତାରେ ଶଲୋମନ ରାଜା ଯିହୋୟାଦାର ପୁତ୍ର ବନାୟକୁ ପଠାଇଲେ ଓ ସେ ଅଦୋନୀୟକୁ ଆଘାତ କଲା, ତହିଁରେ ସେ ମଲା। 26ପୁଣି ରାଜା ଅବୀୟାଥର ଯାଜକକୁ କହିଲେ, “ତୁମ୍ଭେ ଅନାଥୋତ୍ସ୍ଥିତ ଆପଣା କ୍ଷେତକୁ ଯାଅ, କାରଣ ତୁମ୍ଭେ ବଧଯୋଗ୍ୟ ଲୋକ; ମାତ୍ର ଆଜି ମୁଁ ତୁମ୍ଭକୁ ବଧ କରିବି ନାହିଁ, ଯେହେତୁ ତୁମ୍ଭେ ମୋʼ ପିତା ଦାଉଦଙ୍କ ସମ୍ମୁଖରେ ସର୍ଵାଧିପତି ପିତାଙ୍କ ସିନ୍ଦୁକ ବହିଥିଲ ଓ ତାହାଙ୍କ ସମସ୍ତ କ୍ଲେଶର ସହଭାଗୀ ହୋଇଥିଲ।” 27ଏହିରୂପେ ଶଲୋମନ ଅବୀୟାଥରକୁ ଆମ୍ଭମାନଙ୍କ ପିତାଙ୍କ ଯାଜକପଦରୁ ଦୂର କଲେ, ତହିଁରେ ଆମ୍ଭମାନଙ୍କ ପିତା ଏଲିର ବଂଶ ବିଷୟରେ ଶୀଲୋରେ ଯେଉଁ ବାକ୍ୟ କହିଥିଲେ, ତାହା ସଫଳ ହେଲା।
28ଏଉତ୍ତାରେ ଯୋୟାବ ନିକଟରେ ଏହି ସମାଚାର ଉପସ୍ଥିତ ହେଲା; କାରଣ ଯୋୟାବ ଅବ୍ଶାଲୋମର ପକ୍ଷ ଅବଲମ୍ବନ ନ କରିଥିଲେ ହେଁ ଅଦୋନୀୟର ପକ୍ଷ ଅବଲମ୍ବନ କରିଥିଲା; ଏଣୁ ସେ ଆମ୍ଭମାନଙ୍କ ପିତାଙ୍କ ତମ୍ବୁ ଆଡ଼େ ପଳାଇ ଯଜ୍ଞବେଦିର ଶୃଙ୍ଗ ଧରିଲା। 29ଯୋୟାବ ଆମ୍ଭମାନଙ୍କ ପିତାଙ୍କ ତମ୍ବୁ ଆଡ଼େ ପଳାଇ ଯଜ୍ଞବେଦି ପାଖରେ ଅଛି ବୋଲି ଶଲୋମନ ରାଜାଙ୍କୁ କୁହାଗଲା। ତହିଁରେ ଶଲୋମନ ଯିହୋୟାଦାର ପୁତ୍ର ବନାୟକୁ ପଠାଇ କହିଲେ, “ଯାଇ ତାହାକୁ ଆଘାତ କର।”
30ତହିଁରେ ବନାୟ ଆମ୍ଭମାନଙ୍କ ପିତାଙ୍କ ତମ୍ବୁକୁ ଆସି ଯୋୟାବକୁ କହିଲା, “ରାଜା କହୁଅଛନ୍ତି, ବାହାରି ଆସ।” ତହିଁରେ ସେ ଉତ୍ତର ଦେଲା, “ନା, ମୁଁ ଏଠାରେ ମରିବି।” ତେବେ ବନାୟ ରାଜାଙ୍କୁ ସମାଚାର ଦେଇ କହିଲା, “ଯୋୟାବ ଏହିପରି କହିଲା ଓ ମୋତେ ଏହିପରି ଉତ୍ତର ଦେଲା।”
31ତହିଁରେ ରାଜା ତାହାକୁ କହିଲେ, “ସେ ଯେପରି କହୁଅଛି, ସେପରି କର; ତାହାକୁ ଆଘାତ କରି କବର ଦିଅ, ତହିଁରେ ଯୋୟାବ ଯେଉଁ ନିର୍ଦ୍ଦୋଷ ରକ୍ତ ବିନା କାରଣରେ ପାତ କଲା, ତାହା ମୋʼ ଠାରୁ ଓ ମୋʼ ପିତୃବଂଶଠାରୁ ଦୂର କର। 32ପୁଣି ଆମ୍ଭମାନଙ୍କ ପିତା ତାହାର ରକ୍ତପାତର ଅପରାଧ ତାହାର ନିଜ ମସ୍ତକରେ ବର୍ତ୍ତାଇବେ, କାରଣ ସେ ଆପଣାଠାରୁ ଅଧିକ ଧାର୍ମିକ ଓ ଉତ୍ତମ ଦୁଇ ଜଣଙ୍କୁ, ଅର୍ଥାତ୍, ଇସ୍ରାଏଲ-ସୈନ୍ୟର ସେନାପତି ନେରର ପୁତ୍ର ଅବ୍ନର ଓ ଯିହୁଦା-ସୈନ୍ୟର ସେନାପତି ଯେଥରର ପୁତ୍ର ଅମାସାକୁ, ମୋʼ ପିତା ଦାଉଦଙ୍କ ଅଜ୍ଞାତସାରରେ ଖଡ଼୍ଗରେ ବଧ କଲା। 33ଏଣୁ ସେମାନଙ୍କ ରକ୍ତ ଅନନ୍ତକାଳ ପର୍ଯ୍ୟନ୍ତ ଯୋୟାବର ମସ୍ତକରେ ଓ ତାହାର ବଂଶର ମସ୍ତକରେ ବର୍ତ୍ତୁ; ମାତ୍ର ଦାଉଦ ପ୍ରତି ଓ ତାହାଙ୍କ ବଂଶ, ତାହାଙ୍କ ଗୃହ ଓ ତାହାଙ୍କ ସିଂହାସନ ପ୍ରତି ଆମ୍ଭମାନଙ୍କ ପିତାଙ୍କଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ଶାନ୍ତି ହେଉ।”
34ଏଉତ୍ତାରେ ଯିହୋୟାଦାର ପୁତ୍ର ବନାୟ ଉଠିଯାଇ ଯୋୟାବକୁ ଆଘାତ କରି ବଧ କଲା; ତହିଁରେ ସେ ପ୍ରାନ୍ତରସ୍ଥିତ ଆପଣା ଗୃହରେ କବର ପ୍ରାପ୍ତ ହେଲା। 35ପୁଣି ରାଜା ଯୋୟାବର ପଦରେ ଯିହୋୟାଦାର ପୁତ୍ର ବନାୟକୁ ସୈନ୍ୟ ଉପରେ ନିଯୁକ୍ତ କଲେ ଓ ଅବୀୟାଥରର ପଦରେ ସାଦୋକ ଯାଜକକୁ ନିଯୁକ୍ତ କଲେ।
36ଏଉତ୍ତାରେ ରାଜା ଶିମୀୟିକୁ ଡକାଇ ତାହାକୁ କହିଲେ, “ତୁମ୍ଭେ ଯିରୂଶାଲମରେ ଆପଣା ପାଇଁ ଗୋଟିଏ ଗୃହ ନିର୍ମାଣ କରି ସେଠାରେ ବାସ କର ଓ ସେଠାରୁ ଅନ୍ୟ କୌଣସି ସ୍ଥାନକୁ ବାହାରି ଯାଅ ନାହିଁ। 37କାରଣ ଯେଉଁ ଦିନ ତୁମ୍ଭେ ବାହାରି କିଦ୍ରୋଣ ନଦୀ ପାର ହେବ, ସେହି ଦିନ ତୁମ୍ଭେ ନିଶ୍ଚୟ ମରିବ, ଏହା ନିଶ୍ଚିତ ଜାଣ; ତୁମ୍ଭ ରକ୍ତ ତୁମ୍ଭ ନିଜ ମସ୍ତକରେ ବର୍ତ୍ତିବ।”
38ତହିଁରେ ଶିମୀୟି ରାଜାଙ୍କୁ କହିଲା, “ଏହି କଥା ଉତ୍ତମ; ମୋʼ ପ୍ରଭୁ ମହାରାଜ ଯେପରି କହିଅଛନ୍ତି, ତୁମ୍ଭ ଦାସ ସେପରି କରିବ।” ତହିଁରେ ଶିମୀୟି ଅନେକ ଦିନ ଯିରୂଶାଲମରେ ବାସ କଲା।
39ମାତ୍ର ତିନି ବର୍ଷ ଉତ୍ତାରେ ଶିମୀୟିର ଦୁଇ ଦାସ ଗାଥ୍ର ରାଜା ମାଖାର ପୁତ୍ର ଆଖୀଶ ନିକଟକୁ ପଳାଇଗଲେ। ତହିଁରେ ଶିମୀୟିକୁ କୁହାଗଲା, “ଦେଖ, ତୁମ୍ଭର ଦାସମାନେ ଗାଥ୍ରେ ଅଛନ୍ତି।”
40ତେବେ ଶିମୀୟି ଉଠି ଆପଣା ଗର୍ଦ୍ଦଭ ସଜାଇ ଆପଣା ଦାସମାନଙ୍କୁ ଖୋଜିବା ପାଇଁ ଗାଥ୍କୁ ଆଖୀଶ ନିକଟକୁ ଗଲା; ପୁଣି ଯାଇ ଗାଥ୍ରୁ ଆପଣା ଦାସମାନଙ୍କୁ ଆଣିଲା। 41ଶିମୀୟି ଯିରୂଶାଲମରୁ ଗାଥ୍କୁ ଯାଇ ଫେରି ଆସିଅଛି ବୋଲି ଶଲୋମନଙ୍କୁ କୁହାଗଲା। 42ତହିଁରେ ରାଜା ଶିମୀୟିକୁ ଡକାଇ ଆଣି ତାହାକୁ କହିଲେ, “ମୁଁ କି ତୁମ୍ଭକୁ ଆମ୍ଭମାନଙ୍କ ପିତାଙ୍କ ନାମରେ ଶପଥ କରାଇ ତୁମ୍ଭକୁ ସାବଧାନ କରି ନ ଥିଲି, ‘ଯେଉଁ ଦିନ ତୁମ୍ଭେ ବାହାରି କୌଣସି ସ୍ଥାନକୁ ଯିବ, ସେହି ଦିନ ତୁମ୍ଭେ ନିଶ୍ଚୟ ମରିବ, ଏହା ନିଶ୍ଚିତ ଜାଣ’? ଆଉ ତୁମ୍ଭେ ମୋତେ କହିଥିଲ, ‘ଏହି କଥା ଉତ୍ତମ; ମୁଁ ମାନିବି।’ 43ତେବେ ତୁମ୍ଭେ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ କରିଥିବା ଶପଥ ଓ ମୁଁ ତୁମ୍ଭକୁ ଦେଇଥିବା ଆଜ୍ଞା କାହିଁକି ପାଳନ କଲ ନାହିଁ?” 44ପୁନଶ୍ଚ ରାଜା ଶିମୀୟିକୁ କହିଲେ, “ତୁମ୍ଭେ ମୋʼ ପିତା ଦାଉଦଙ୍କ ପ୍ରତି ଯେଉଁ ସମସ୍ତ ଦୁଷ୍କର୍ମ କଲ, ତାହା ତୁମ୍ଭେ ଆପଣା ଅନ୍ତଃକରଣରେ ଜାଣ; ଏଣୁ ଆମ୍ଭମାନଙ୍କ ପିତା ତୁମ୍ଭର ଦୁଷ୍କର୍ମ ତୁମ୍ଭ ନିଜ ମସ୍ତକରେ ବର୍ତ୍ତାଇବେ। 45ମାତ୍ର ଶଲୋମନ ରାଜା ଆଶୀର୍ବାଦ ପ୍ରାପ୍ତ ହେବେ ଓ ଦାଉଦଙ୍କ ସିଂହାସନ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ଅନନ୍ତକାଳ ପର୍ଯ୍ୟନ୍ତ ଦୃଢ଼ ହୋଇ ରହିବ।” 46ଏଉତ୍ତାରେ ରାଜା ଯିହୋୟାଦାର ପୁତ୍ର ବନାୟକୁ ଆଜ୍ଞା ଦେଲେ, ତହିଁରେ ସେ ବାହାରିଯାଇ ଶିମୀୟିକୁ ଆଘାତ କଲା, ତହିଁରେ ସେ ମଲା। ଏହିରୂପେ ରାଜ୍ୟ ଶଲୋମନଙ୍କ ହସ୍ତରେ ଦୃଢ଼ ହେଲା।