ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଦାଉଦ ଲୋକଗଣନା କରନ୍ତି

ଦାଉଦ ତାଙ୍କ ଯୋଦ୍ଧାମାନଙ୍କୁ ଗଣନା କରନ୍ତି, ଆଉ ତାʼପରେ ତାଙ୍କ ନିଜ ହୃଦୟ ତାଙ୍କୁ ଆଘାତ କରେ। ତିନୋଟି ଦଣ୍ଡ ମଧ୍ୟରୁ ବାଛିବାକୁ କୁହାଗଲେ, ସେ ମନୁଷ୍ୟର ହାତରେ ନ ପଡ଼ି ଆମ ପିତାଙ୍କ ହାତରେ ପଡ଼ିବାକୁ ବାଛନ୍ତି, କାରଣ ତାଙ୍କର କରୁଣା ମହାନ। ମହାମାରୀ ଅରୌଣାର ଖଳାରେ ବନ୍ଦ ହୁଏ, ଯାହା ଦାଉଦ ମାଗଣାରେ ନ ନେଇ କିଣିବାକୁ ଜିଦ୍ କରନ୍ତି।

ଅଧ୍ୟାୟ 24।

ପୁନର୍ବାର ଆମ୍ଭମାନଙ୍କ ପିତାଙ୍କ କ୍ରୋଧ ଇସ୍ରାଏଲ ବିରୁଦ୍ଧରେ ପ୍ରଜ୍ଵଳିତ ହେଲା, ଆଉ ସେ ସେମାନଙ୍କ ବିରୁଦ୍ଧରେ ଦାଉଦଙ୍କୁ ପ୍ରବର୍ତ୍ତାଇ କହିଲେ, “ଯାଅ, ଇସ୍ରାଏଲ ଓ ଯିହୂଦାର ଲୋକଗଣନା କର।”

ତେଣୁ ରାଜା ଆପଣା ସଙ୍ଗୀ ସୈନ୍ୟ ସେନାପତି ଯୋୟାବକୁ କହିଲେ, “ତୁମ୍ଭେ ଏବେ ଦାନଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଇସ୍ରାଏଲର ସମସ୍ତ ଗୋଷ୍ଠୀ ମଧ୍ୟ ଦେଇ ଯାଇ ଲୋକଗଣନା କର, ଯେପରି ମୁଁ ଲୋକସଂଖ୍ୟା ଜାଣି ପାରିବି।”

କିନ୍ତୁ ଯୋୟାବ ରାଜାଙ୍କୁ କହିଲା, “ତୁମ୍ଭର ପିତା ଏହି ଲୋକମାନଙ୍କୁ ଯେତେ ଅଛନ୍ତି, ତହିଁ ଅପେକ୍ଷା ଶହେ ଗୁଣ ବୃଦ୍ଧି କରନ୍ତୁ, ଆଉ ମୋʼ ପ୍ରଭୁ ମହାରାଜ ତାହା ସ୍ଵଚକ୍ଷୁରେ ଦେଖନ୍ତୁ। ମାତ୍ର ମୋʼ ପ୍ରଭୁ ମହାରାଜ କାହିଁକି ଏହି କାର୍ଯ୍ୟ କରିବାକୁ ଇଚ୍ଛା କରୁଅଛନ୍ତି?”

ତଥାପି ରାଜାଙ୍କ ଆଜ୍ଞା ଯୋୟାବ ଓ ସୈନ୍ୟ ସେନାପତିମାନଙ୍କ ଉପରେ ପ୍ରବଳ ହେଲା। ତେଣୁ ଯୋୟାବ ଓ ସୈନ୍ୟ ସେନାପତିମାନେ ଇସ୍ରାଏଲର ଲୋକଗଣନା କରିବା ନିମନ୍ତେ ରାଜାଙ୍କ ଛାମୁରୁ ବାହାରିଗଲେ। ସେମାନେ ଯର୍ଦ୍ଦନ ପାର ହୋଇ ଅରୋୟେର ନିକଟରେ, ଉପତ୍ୟକା ମଧ୍ୟସ୍ଥିତ ନଗରର ଦକ୍ଷିଣ ଦିଗରେ ଗାଦ ଆଡ଼କୁ ଛାଉଣି କରି ଯାସେର ପର୍ଯ୍ୟନ୍ତ ଗଲେ। ତହିଁ ଉତ୍ତାରେ ସେମାନେ ଗିଲୀୟଦ ଓ ତହତୀମ୍-ହଦ୍‍ଶି ଅଞ୍ଚଳକୁ ଆସିଲେ, ପୁଣି ଦାନ୍-ଯାନକୁ ଓ ଚାରିଆଡ଼େ ବୁଲି ସୀଦୋନକୁ ଆସିଲେ, ଆଉ ସୋରର ଦୁର୍ଗକୁ ଓ ହିଵୀୟ ଓ କିଣାନୀୟମାନଙ୍କ ସମସ୍ତ ନଗରକୁ ଆସିଲେ, ପୁଣି ବାହାରି ବେର୍‍ଶେବା ନିକଟରେ ଯିହୂଦାର ନେଗେଭକୁ ଗଲେ। ଏରୂପେ ସେମାନେ ସମୁଦାୟ ଦେଶ ଭ୍ରମଣ କରି ନଅ ମାସ କୋଡ଼ିଏ ଦିନ ଶେଷରେ ଯିରୂଶାଲମକୁ ଆସିଲେ। ଯୋୟାବ ରାଜାଙ୍କ ନିକଟରେ ଗଣିତ ଲୋକଙ୍କ ସଂଖ୍ୟା ଜ୍ଞାତ କଲା; ଇସ୍ରାଏଲ ମଧ୍ୟରେ ଖଡ୍ଗଧାରୀ ଆଠ ଲକ୍ଷ ବିକ୍ରମଶାଳୀ ଲୋକ ଓ ଯିହୂଦାର ପାଞ୍ଚ ଲକ୍ଷ ଲୋକ ଥିଲେ।

ମାତ୍ର ଦାଉଦ ଲୋକଗଣନା କଲା ଉତ୍ତାରେ ତାହାଙ୍କ ଅନ୍ତଃକରଣ ତାହାଙ୍କୁ ଆଘାତ କଲା। ଆଉ ଦାଉଦ ଆମ୍ଭମାନଙ୍କ ପିତାଙ୍କୁ କହିଲେ, “ମୁଁ ଏହା କରିବା ଦ୍ଵାରା ଅତ୍ୟନ୍ତ ପାପ କରିଅଛି। ଏବେ, ହେ ମୋହର ପିତା, ବିନତି କରୁଅଛି, ଆପଣା ଦାସର ଅପରାଧ ଦୂର କର, କାରଣ ମୁଁ ଅତି ନିର୍ବୋଧ କର୍ମ କରିଅଛି।”

ଦାଉଦ ପ୍ରଭାତରେ ଉଠନ୍ତେ, ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଦାଉଦଙ୍କ ଦର୍ଶକ ଗାଦ ଭାବବାଦୀ ନିକଟରେ ଉପସ୍ଥିତ ହୋଇ କହିଲା,

“ଯାଇ ଦାଉଦଙ୍କୁ କୁହ, ‘ଆମ୍ଭମାନଙ୍କ ପିତା ଏହା କହନ୍ତି: ଆମ୍ଭେ ତୁମ୍ଭ ଆଗରେ ତିନୋଟି ବିଷୟ ଉପସ୍ଥିତ କରୁଅଛୁ; ତୁମ୍ଭେ ତହିଁ ମଧ୍ୟରୁ ଗୋଟିଏ ମନୋନୀତ କର, ତାହା ଆମ୍ଭେ ତୁମ୍ଭ ପ୍ରତି ସଫଳ କରିବା।’”

ତେଣୁ ଗାଦ ଦାଉଦଙ୍କ ନିକଟକୁ ଆସି ତାହାଙ୍କୁ ଜଣାଇ ପଚାରିଲା, “ତୁମ୍ଭ ଦେଶରେ ତିନି ବର୍ଷ ଦୁର୍ଭିକ୍ଷ ଘଟିବ? ଅବା ତୁମ୍ଭର ଶତ୍ରୁମାନେ ତୁମ୍ଭ ପଛେ ଗୋଡ଼ାଇବା ବେଳେ ତୁମ୍ଭେ ତିନି ମାସ ସେମାନଙ୍କ ସମ୍ମୁଖରୁ ପଳାୟନ କରିବ? ଅବା ତୁମ୍ଭ ଦେଶରେ ତିନି ଦିନ ମହାମାରୀ ହେବ? ଏବେ ବିବେଚନା କରି ସ୍ଥିର କର, ଯେ ମୋତେ ପ୍ରେରଣ କରିଅଛନ୍ତି, ତାହାଙ୍କ ନିକଟକୁ ମୁଁ କି ଉତ୍ତର ନେଇଯିବି।”

ତେବେ ଦାଉଦ ଗାଦକୁ କହିଲେ, “ମୁଁ ଘୋର ସଙ୍କଟରେ ପଡ଼ିଅଛି। ଆସ, ଆମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କ ହସ୍ତରେ ପତିତ ହେଉ, କାରଣ ତାହାଙ୍କ କରୁଣା ଅତି ମହତ୍; ମାତ୍ର ମୋତେ ମନୁଷ୍ୟର ହସ୍ତରେ ପତିତ ହେବାକୁ ଦିଅ ନାହିଁ।”

ତେଣୁ ଆମ୍ଭମାନଙ୍କ ପିତା ପ୍ରଭାତଠାରୁ ନିରୂପିତ ସମୟ ପର୍ଯ୍ୟନ୍ତ ଇସ୍ରାଏଲ ଉପରେ ମହାମାରୀ ପ୍ରେରଣ କଲେ, ତହିଁରେ ଦାନଠାରୁ ବେର୍‍ଶେବା ପର୍ଯ୍ୟନ୍ତ ସତୁରି ହଜାର ଲୋକ ମଲେ। a a v15 “ନିରୂପିତ ସମୟ” ସମ୍ଭବତଃ ସନ୍ଧ୍ୟାକାଳୀନ ବଳିଦାନର ନିର୍ଦ୍ଦିଷ୍ଟ ବେଳକୁ ବୁଝାଏ।

ମାତ୍ର ଦୂତ ଯିରୂଶାଲମକୁ ଉଚ୍ଛିନ୍ନ କରିବା ନିମନ୍ତେ ତହିଁ ଆଡ଼କୁ ଆପଣା ହସ୍ତ ବିସ୍ତାର କରନ୍ତେ, ଆମ୍ଭମାନଙ୍କ ପିତା ସେହି ଅମଙ୍ଗଳରୁ କ୍ଷାନ୍ତ ହୋଇ ଲୋକ-ବିନାଶକ ଦୂତଙ୍କୁ କହିଲେ, “ଯଥେଷ୍ଟ ହେଲା! ଏବେ ଆପଣା ହସ୍ତ ସମ୍ବରଣ କର।” ସେତେବେଳେ ଆମ୍ଭମାନଙ୍କ ପିତାଙ୍କ ଦୂତ ଯିବୂଷୀୟ ଅରୌଣାର ଶସ୍ୟମର୍ଦ୍ଦନ ସ୍ଥାନ ନିକଟରେ ଥିଲେ।

ପୁଣି ଦାଉଦ ଲୋକ-ବିନାଶକ ଦୂତଙ୍କୁ ଦେଖି ଆମ୍ଭମାନଙ୍କ ପିତାଙ୍କୁ କହିଲେ, “ଦେଖ, ମୁଁ ହିଁ ପାପ କରିଅଛି, ମୁଁ ହିଁ ଅଧର୍ମ କରିଅଛି; କିନ୍ତୁ ଏହି ମେଷଗଣ କଅଣ କରିଅଛନ୍ତି? ବିନତି କରୁଅଛି, ତୁମ୍ଭ ହସ୍ତ ମୋʼ ବିରୁଦ୍ଧରେ ଓ ମୋହର ପିତୃବଂଶ ବିରୁଦ୍ଧରେ ପତିତ ହେଉ।”

ଦାଉଦ ଏକ ଯଜ୍ଞବେଦି ନିର୍ମାଣ କରନ୍ତି

ସେହିଦିନ ଗାଦ ଦାଉଦଙ୍କ ନିକଟକୁ ଆସି ତାହାଙ୍କୁ କହିଲା, “ଉଠିଯାଇ ଯିବୂଷୀୟ ଅରୌଣାର ଶସ୍ୟମର୍ଦ୍ଦନ ସ୍ଥାନରେ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କର।” ତେଣୁ ଗାଦର ବାକ୍ୟ ଅନୁସାରେ, ଆମ୍ଭମାନଙ୍କ ପିତା ଆଜ୍ଞା ଦେଇଥିବା ପ୍ରକାରେ, ଦାଉଦ ଉଠିଗଲେ। ଆଉ ଅରୌଣା ଅନାଇ ରାଜାଙ୍କୁ ଓ ତାହାଙ୍କ ଦାସମାନଙ୍କୁ ଆପଣା ଆଡ଼କୁ ଆସୁଥିବା ଦେଖି ବାହାରିଯାଇ ରାଜାଙ୍କ ସମ୍ମୁଖରେ ଭୂମିରେ ମୁହଁ ମାଡ଼ି ପ୍ରଣାମ କଲା। ପୁଣି ଅରୌଣା କହିଲା, “ମୋʼ ପ୍ରଭୁ ମହାରାଜ କାହିଁକି ଆପଣା ଦାସ ନିକଟକୁ ଆସିଅଛନ୍ତି?” ଦାଉଦ ଉତ୍ତର ଦେଲେ, “ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବା ନିମନ୍ତେ ତୁମ୍ଭଠାରୁ ଏହି ଶସ୍ୟମର୍ଦ୍ଦନ ସ୍ଥାନ କିଣିବାକୁ ଆସିଅଛି, ଯେପରି ଲୋକମାନଙ୍କଠାରୁ ମହାମାରୀ ନିବୃତ୍ତ ହେବ।”

ଅରୌଣା ଦାଉଦଙ୍କୁ କହିଲା, “ମୋʼ ପ୍ରଭୁ ମହାରାଜ ଯାହା ଭଲ ବୁଝନ୍ତି, ତାହା ନେଇ ଉତ୍ସର୍ଗ କରନ୍ତୁ। ଦେଖନ୍ତୁ, ଏଠାରେ ହୋମବଳି ନିମନ୍ତେ ବଳଦ ଅଛି, ପୁଣି କାଠ ନିମନ୍ତେ ଶସ୍ୟମର୍ଦ୍ଦନ ଯନ୍ତ୍ର ଓ ବଳଦର ଯୁଆଳି ଅଛି। ହେ ରାଜନ୍, ଏହିସବୁ ଅରୌଣା ରାଜାଙ୍କୁ ଦେଉଅଛି।” ଆଉ ଅରୌଣା ରାଜାଙ୍କୁ କହିଲା, “ସଦାପ୍ରଭୁ ଆପଣଙ୍କ ଈଶ୍ଵର ଆପଣଙ୍କୁ ଗ୍ରହଣ କରନ୍ତୁ।”

ମାତ୍ର ରାଜା ଅରୌଣାକୁ କହିଲେ, “ନା, ମୁଁ ଅବଶ୍ୟ ମୂଲ୍ୟ ଦେଇ ତୁମ୍ଭଠାରୁ ଏହା କିଣିବି। ମୁଁ ବିନାମୂଲ୍ୟରେ ପ୍ରାପ୍ତ ଦ୍ରବ୍ୟ ମୋହର ପିତାଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ଉତ୍ସର୍ଗ କରିବି ନାହିଁ।” ତେଣୁ ଦାଉଦ ପ୍ରାୟ ଷାଠିଏ ଶେକଲ ରୂପା ଦେଇ ଶସ୍ୟମର୍ଦ୍ଦନ ସ୍ଥାନ ଓ ବଳଦ କିଣିଲେ। ଆଉ ଦାଉଦ ସେଠାରେ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ତହିଁରେ ଆମ୍ଭମାନଙ୍କ ପିତା ଦେଶ ନିମନ୍ତେ ବିନତି ଗ୍ରହଣ କଲେ, ଆଉ ଇସ୍ରାଏଲଠାରୁ ମହାମାରୀ ନିବୃତ୍ତ ହେଲା।