ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତାଙ୍କ ପୁତ୍ର ପୀଲାତଙ୍କ ହସ୍ତରେ ସମର୍ପିତ

ଯିହୂଦା ଫାଶୀ ଲଗାଇ ମରେ, ପିଲାତ ନିଜ ହାତ ଧୋଇଦିଅନ୍ତି, ସୈନ୍ୟମାନେ ଯୀଶୁଙ୍କୁ ପରିହାସର ରାଜା ପରି ସଜାନ୍ତି। ଦେଶ ଉପରେ ଅନ୍ଧକାର ଘୋଟିଯାଏ, ଏବଂ ସେ ଚିତ୍କାର କରି କୁହନ୍ତି ଯେ ପରମେଶ୍ୱର ତାଙ୍କୁ ପରିତ୍ୟାଗ କରିଛନ୍ତି, ତାʼପରେ ପ୍ରାଣତ୍ୟାଗ କରନ୍ତି। ପରଦା ଚିରିଯାଏ। ତାଙ୍କୁ ଏକ ମାଗିଆଣା କବରରେ ସମାଧି ଦିଆଯାଏ, ମୁଦ୍ରାଙ୍କିତ ଓ ପହରାଯୁକ୍ତ।

ଅଧ୍ୟାୟ 27।

ପ୍ରଭାତ ହୁଅନ୍ତେ ପ୍ରଧାନ ଯାଜକ ଓ ଲୋକଙ୍କ ପ୍ରାଚୀନବର୍ଗ ସମସ୍ତେ ଯୀଶୁଙ୍କୁ ବଧ କରିବା ନିମନ୍ତେ ଏକତ୍ର ହୋଇ ମନ୍ତ୍ରଣା କଲେ। ପୁଣି ସେମାନେ ତାହାଙ୍କୁ ବାନ୍ଧି ଘେନିଯାଇ ପୀଲାତ ଶାସନକର୍ତ୍ତାଙ୍କ ହସ୍ତରେ ସମର୍ପଣ କଲେ।

ସେତେବେଳେ ତାହାଙ୍କ ବିଶ୍ଵାସଘାତକ ଯିହୂଦା, ଯୀଶୁ ଦଣ୍ଡାଜ୍ଞା ପ୍ରାପ୍ତ ହେବା ଦେଖି ଅନୁତାପ କଲା ଓ ସେହି ତିରିଶ ରୌପ୍ୟମୁଦ୍ରା ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗଙ୍କ ନିକଟକୁ ଫେରାଇ ଆଣି, “ମୁଁ ନିର୍ଦ୍ଦୋଷ ରକ୍ତ ବିଶ୍ଵାସଘାତକତା କରି ପାପ କଲି” ବୋଲି କହିଲା। ସେମାନେ କହିଲେ, “ସେଥିରେ ଆମ୍ଭମାନଙ୍କର କʼଣ? ତୁମ୍ଭେ ତାହା ବୁଝ।”

ତହିଁରେ ସେ ସେହି ରୌପ୍ୟମୁଦ୍ରା ମନ୍ଦିର ମଧ୍ୟରେ ଫୋପାଡ଼ି ଦେଇ ବାହାରିଗଲା ଓ ଆପଣାକୁ ଫାଶୀ ଦେଇ ମଲା।

ପ୍ରଧାନ ଯାଜକମାନେ ସେହି ରୌପ୍ୟମୁଦ୍ରା ଘେନି କହିଲେ, “ଏହା ଭଣ୍ଡାରରେ ରଖିବା ବିଧେୟ ନୁହେଁ, କାରଣ ଏହା ରକ୍ତର ମୂଲ୍ୟ।” ଏଣୁ ସେମାନେ ପରସ୍ପର ମନ୍ତ୍ରଣା କରି ତଦ୍ଵାରା ବିଦେଶୀମାନଙ୍କୁ ସମାଧି ଦେବା ନିମନ୍ତେ କୁମ୍ଭାରର କ୍ଷେତ୍ର କ୍ରୟ କଲେ। ଏଥିପାଇଁ ସେହି କ୍ଷେତ୍ର ଆଜି ପର୍ଯ୍ୟନ୍ତ ରକ୍ତକ୍ଷେତ୍ର ବୋଲି ନାମିତ ହୋଇଅଛି। ସେତେବେଳେ ଯିରିମିୟ ଭାବବାଦୀଙ୍କ ଦ୍ଵାରା ଉକ୍ତ ବାକ୍ୟ ସଫଳ ହେଲା, ଯଥା, “ସେମାନେ ସେହି ତିରିଶ ରୌପ୍ୟମୁଦ୍ରା, ଅର୍ଥାତ୍‍ ଇସ୍ରାଏଲର ସନ୍ତାନମାନଙ୍କ କେହି କେହି ଯାହାଙ୍କ ଉପରେ ମୂଲ୍ୟ ନିରୂପଣ କରିଥିଲେ, ତାହାଙ୍କ ସେହି ନିରୂପିତ ମୂଲ୍ୟ ଘେନିଲେ, ଆଉ ପିତା ମୋତେ ଯେପରି ଆଜ୍ଞା ଦେଲେ, ସେହିପରି ସେମାନେ ତାହା କୁମ୍ଭାରର କ୍ଷେତ୍ର ନିମନ୍ତେ ଦେଲେ।”

ଯୀଶୁ ପୀଲାତଙ୍କ ସମ୍ମୁଖରେ ନୀରବ ରହିଲେ

ଯୀଶୁ ଶାସନକର୍ତ୍ତାଙ୍କ ସମ୍ମୁଖରେ ଠିଆ ହେଲେ; ଶାସନକର୍ତ୍ତା ତାହାଙ୍କୁ ପଚାରିଲେ, “ତୁମ୍ଭେ କʼଣ ଯିହୂଦୀମାନଙ୍କ ରାଜା?” ଯୀଶୁ କହିଲେ, “ତୁମ୍ଭେ ତ କହୁଅଛ।”

କିନ୍ତୁ ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତେ, ସେ କିଛି ଉତ୍ତର ଦେଲେ ନାହିଁ। ସେତେବେଳେ ପୀଲାତ ତାହାଙ୍କୁ କହିଲେ, “ସେମାନେ ତୁମ୍ଭ ବିରୁଦ୍ଧରେ କେତେ ଅଭିଯୋଗ କରୁଅଛନ୍ତି, ତାହା କି ତୁମ୍ଭେ ଶୁଣୁ ନାହଁ?”

ତଥାପି ସେ ତାହାଙ୍କୁ ଗୋଟିଏ କଥାର ସୁଦ୍ଧା ଉତ୍ତର ଦେଲେ ନାହିଁ, ଏଣୁ ଶାସନକର୍ତ୍ତା ଅତ୍ୟନ୍ତ ଚମତ୍କୃତ ହେଲେ।

ପ୍ରତ୍ୟେକ ପର୍ବ ସମୟରେ ଶାସନକର୍ତ୍ତା ଲୋକସମୂହ ଯେଉଁ ବନ୍ଦୀକୁ ଚାହାନ୍ତି, ତାହାକୁ ସେମାନଙ୍କ ନିମନ୍ତେ ମୁକ୍ତ କରିବା ତାହାଙ୍କ ପ୍ରଥା ଥିଲା। ସେହି ସମୟରେ ବାରବ୍ବା ନାମକ ଜଣେ କୁଖ୍ୟାତ ବନ୍ଦୀ ସେମାନଙ୍କ ବନ୍ଦୀଶାଳାରେ ଥିଲା। ଏଣୁ ସେମାନେ ଏକତ୍ର ହୁଅନ୍ତେ ପୀଲାତ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିବା ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ—ବାରବ୍ବାକୁ, ନା ଖ୍ରୀଷ୍ଟ ବୋଲି ଯାହାଙ୍କୁ କୁହାଯାଏ, ସେହି ଯୀଶୁଙ୍କୁ?” କାରଣ ସେମାନେ ଈର୍ଷା ହେତୁ ତାହାଙ୍କୁ ସମର୍ପଣ କରିଅଛନ୍ତି ବୋଲି ସେ ଜାଣିଥିଲେ।

ଆଉ ସେ ବିଚାରାସନ ଉପରେ ବସିଥିବା ସମୟରେ ତାହାଙ୍କ ଭାର୍ଯ୍ୟା ତାହାଙ୍କ ନିକଟକୁ ଲୋକ ପଠାଇ କହିଲା, “ସେହି ଧାର୍ମିକ ବ୍ୟକ୍ତିଙ୍କ ସହିତ ତୁମ୍ଭର କିଛି ସମ୍ପର୍କ ନ ଥାଉ, କାରଣ ଆଜି ସ୍ଵପ୍ନରେ ତାହାଙ୍କ ସକାଶେ ମୁଁ ଅନେକ ଯନ୍ତ୍ରଣା ଭୋଗ କରିଅଛି।”

କିନ୍ତୁ ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ବାରବ୍ବାକୁ ମାଗିବା ପାଇଁ ଓ ଯୀଶୁଙ୍କୁ ବଧ କରିବା ପାଇଁ ଲୋକସମୂହକୁ ମଣାଇଲେ। ଶାସନକର୍ତ୍ତା ସେମାନଙ୍କୁ କହିଲେ, “ଏ ଦୁହିଁଙ୍କ ମଧ୍ୟରୁ ମୁଁ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିବି?” ସେମାନେ କହିଲେ, “ବାରବ୍ବାକୁ।”

ପୀଲାତ ସେମାନଙ୍କୁ ପଚାରିଲେ, “ତେବେ ଖ୍ରୀଷ୍ଟ ବୋଲି ଯାହାଙ୍କୁ କୁହାଯାଏ, ସେହି ଯୀଶୁଙ୍କୁ ମୁଁ କʼଣ କରିବି?” ସେମାନେ ସମସ୍ତେ କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଅ!”

ସେ କହିଲେ, “କାହିଁକି? ସେ କʼଣ ଦୋଷ କରିଅଛନ୍ତି?” କିନ୍ତୁ ସେମାନେ ଆହୁରି ଉଚ୍ଚସ୍ଵରରେ ଚିତ୍କାର କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଅ!”

ପୀଲାତ ଯେତେବେଳେ ଦେଖିଲେ ଯେ, କିଛି କରିପାରିବେ ନାହିଁ, ବରଂ ଗୋଳମାଳ ଆରମ୍ଭ ହେଉଅଛି, ସେତେବେଳେ ସେ ଜଳ ଘେନି ଲୋକସମୂହ ସମ୍ମୁଖରେ ଆପଣା ହସ୍ତ ଧୋଇ କହିଲେ, “ଏହି ବ୍ୟକ୍ତିଙ୍କ ରକ୍ତ ବିଷୟରେ ମୁଁ ନିର୍ଦ୍ଦୋଷ; ତୁମ୍ଭେମାନେ ତାହା ବୁଝ।”

ତହିଁରେ ସମସ୍ତ ଲୋକ ଉତ୍ତର ଦେଲେ, “ତାହାଙ୍କ ରକ୍ତ ଆମ୍ଭମାନଙ୍କ ଉପରେ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ!” a a v25 “ତାହାଙ୍କ ରକ୍ତ ଆମ୍ଭମାନଙ୍କ ଉପରେ ବର୍ତ୍ତୁ” ବୋଲି କହିବା ଏକ ପ୍ରାଚୀନ ବଚନ ଥିଲା, ଯାହା ଦ୍ଵାରା ଲୋକସମୂହ ଏକ ମୃତ୍ୟୁ ନିମନ୍ତେ ବ୍ୟବସ୍ଥାଗତ ଓ ନୈତିକ ଦାୟିତ୍ଵ ଆନୁଷ୍ଠାନିକ ଭାବରେ ଗ୍ରହଣ କରୁଥିଲେ।

ସେତେବେଳେ ସେ ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ପୁଣି ଯୀଶୁଙ୍କୁ କୋରଡ଼ା ମାରି କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ।

ସୈନ୍ୟମାନେ ରାଜାଙ୍କୁ ପରିହାସ କଲେ

ସେତେବେଳେ ଶାସନକର୍ତ୍ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ଶାସନକର୍ତ୍ତାଙ୍କ ପ୍ରାସାଦ ମଧ୍ୟକୁ ଘେନିଯାଇ ତାହାଙ୍କ ଚତୁର୍ଦ୍ଦିଗରେ ସମସ୍ତ ସୈନ୍ୟଦଳ ଏକତ୍ର କଲେ। ପୁଣି ସେମାନେ ତାହାଙ୍କ ବସ୍ତ୍ର କାଢ଼ି ତାହାଙ୍କୁ ଏକ ଲୋହିତବର୍ଣ୍ଣ ବସ୍ତ୍ର ପିନ୍ଧାଇଲେ। ଆଉ ସେମାନେ କଣ୍ଟାର ମୁକୁଟ ବୁଣି ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କ ଦକ୍ଷିଣ ହସ୍ତରେ ଗୋଟିଏ ନଳ ଦେଲେ, ପୁଣି ତାହାଙ୍କ ସମ୍ମୁଖରେ ଆଣ୍ଠୁମାଡ଼ି ତାହାଙ୍କୁ ପରିହାସ କରି କହିଲେ, “ହେ ଯିହୂଦୀମାନଙ୍କ ରାଜା, ନମସ୍କାର!” ଆଉ ସେମାନେ ତାହାଙ୍କ ଉପରେ ଛେପ ପକାଇ ସେହି ନଳ ଘେନି ବାରମ୍ବାର ତାହାଙ୍କ ମସ୍ତକରେ ଆଘାତ କଲେ। ପୁଣି ତାହାଙ୍କୁ ପରିହାସ କଲା ଉତ୍ତାରେ ସେମାନେ ସେହି ବସ୍ତ୍ର କାଢ଼ି ତାହାଙ୍କ ନିଜ ବସ୍ତ୍ର ପିନ୍ଧାଇଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବା ନିମନ୍ତେ ଘେନିଗଲେ।

ଈଶ୍ଵରଙ୍କ ପୁତ୍ର କ୍ରୁଶରେ ହତ ହେଲେ

ବାହାରିଯାଉ ଯାଉ ସେମାନେ ଶିମୋନ ନାମକ ଜଣେ କୁରୀଣୀୟ ଲୋକକୁ ପାଇ ଯୀଶୁଙ୍କ କ୍ରୁଶ ବହନ କରିବା ନିମନ୍ତେ ତାହାକୁ ବାଧ୍ୟ କଲେ। ଆଉ ଗଲ୍‍ଗଥା, ଅର୍ଥାତ୍‍ କପାଳସ୍ଥାନ ନାମକ ଏକ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ସେମାନେ ତାହାଙ୍କୁ ତିକ୍ତ ପିତ୍ତ ମିଶ୍ରିତ ଦ୍ରାକ୍ଷାରସ ପାନ କରିବାକୁ ଦେଲେ; ସେ ତାହା ଆସ୍ଵାଦନ କରି ପାନ କରିବାକୁ ଅସ୍ଵୀକାର କଲେ। ପୁଣି ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇ ଗୁଲିବାଣ୍ଟ କରି ତାହାଙ୍କ ବସ୍ତ୍ରସବୁ ପରସ୍ପର ମଧ୍ୟରେ ବିଭାଗ କଲେ। ଆଉ ସେମାନେ ବସି ସେହି ସ୍ଥାନରେ ତାହାଙ୍କୁ ଜଗିବାକୁ ଲାଗିଲେ। ପୁଣି ସେମାନେ ତାହାଙ୍କ ବିରୁଦ୍ଧ ଅଭିଯୋଗର ଲିଖନ ତାହାଙ୍କ ମସ୍ତକ ଉପରେ ଲଗାଇଲେ, “ଏ ଯିହୂଦୀମାନଙ୍କ ରାଜା ଯୀଶୁ।”

ସେତେବେଳେ ତାହାଙ୍କ ସହିତ ଦୁଇ ଜଣ ଡକାଇତ, ଜଣେ ତାହାଙ୍କ ଦକ୍ଷିଣ ପାର୍ଶ୍ଵରେ ଓ ଜଣେ ବାମ ପାର୍ଶ୍ଵରେ କ୍ରୁଶରେ ଚଢ଼ାଗଲେ।

ଆଉ ପଥ ଦେଇ ଗମନ କରୁଥିବା ଲୋକମାନେ ମସ୍ତକ ହଲାଇ ତାହାଙ୍କ ନିନ୍ଦା କରି କହିଲେ, “ହେ ମନ୍ଦିର ଭାଙ୍ଗି ତିନି ଦିନ ମଧ୍ୟରେ ପୁନର୍ବାର ନିର୍ମାଣ କରିବା ଲୋକ, ଆପଣାକୁ ରକ୍ଷା କର! ଯଦି ତୁମ୍ଭେ ଈଶ୍ଵରଙ୍କ ପୁତ୍ର, ତେବେ କ୍ରୁଶରୁ ଓହ୍ଲାଇ ଆସ!”

ସେହିପରି ପ୍ରଧାନ ଯାଜକମାନେ ମଧ୍ୟ ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କ ସହିତ ତାହାଙ୍କୁ ପରିହାସ କରି କହିଲେ, “ସେ ଅନ୍ୟମାନଙ୍କୁ ରକ୍ଷା କଲା; ଆପଣାକୁ ରକ୍ଷା କରିପାରୁ ନାହିଁ। ସେ ତ ଇସ୍ରାଏଲର ରାଜା—ସେ ବର୍ତ୍ତମାନ କ୍ରୁଶରୁ ଓହ୍ଲାଇ ଆସୁ, ତାହାହେଲେ ଆମ୍ଭେମାନେ ତାହାଠାରେ ବିଶ୍ଵାସ କରିବୁ। ସେ ଈଶ୍ଵରଙ୍କଠାରେ ଭରସା ରଖିଅଛି—ଈଶ୍ଵର ଯଦି ତାହାକୁ ଇଚ୍ଛା କରନ୍ତି, ତେବେ ବର୍ତ୍ତମାନ ତାହାକୁ ଉଦ୍ଧାର କରନ୍ତୁ, କାରଣ ସେ କହିଥିଲା, ‘ମୁଁ ଈଶ୍ଵରଙ୍କ ପୁତ୍ର।’” ପୁଣି ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିବା ଡକାଇତମାନେ ମଧ୍ୟ ସେହିପରି ତାହାଙ୍କୁ ନିନ୍ଦା କଲେ।

ପରିତ୍ୟକ୍ତ ପୁତ୍ର ଆପଣା ଆତ୍ମା ସମର୍ପଣ କଲେ

ପୁଣି ମଧ୍ୟାହ୍ନରୁ ଅପରାହ୍ନ ତିନି ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଦେଶ ଉପରେ ଅନ୍ଧକାର ହେଲା।

ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ଵରରେ ଡାକ ପକାଇ କହିଲେ, “ଏଲୀ, ଏଲୀ, ଲାମା ଶବକ୍ଥାନୀ?”—ଅର୍ଥାତ୍‍, “ହେ ମୋହର ଈଶ୍ଵର, ହେ ମୋହର ଈଶ୍ଵର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?”

ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ଏହା ଶୁଣି କହିଲେ, “ଏ ଲୋକ ଏଲୀୟଙ୍କୁ ଡାକୁଅଛି।” ସେମାନଙ୍କ ମଧ୍ୟରୁ ଜଣେ ତୁରନ୍ତ ଦୌଡ଼ିଯାଇ ଗୋଟିଏ ସ୍ପଞ୍ଜ ଘେନି ତାହା ଅମ୍ଳ ଦ୍ରାକ୍ଷାରସରେ ବୁଡ଼ାଇ ଗୋଟିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଲା। କିନ୍ତୁ ଅନ୍ୟମାନେ କହିଲେ, “ଛାଡ଼ିଦିଅ, ତାହାକୁ ରକ୍ଷା କରିବା ନିମନ୍ତେ ଏଲୀୟ ଆସନ୍ତି କି ନାହିଁ, ତାହା ଆମ୍ଭେମାନେ ଦେଖୁ।”

ତହିଁରେ ଯୀଶୁ ପୁନର୍ବାର ଉଚ୍ଚସ୍ଵରରେ ଡାକ ପକାଇ ଆପଣା ଆତ୍ମା ସମର୍ପଣ କଲେ। ଆଉ ଦେଖ, ମନ୍ଦିରର ବିଚ୍ଛେଦ ବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହୋଇଗଲା, ଭୂମି କମ୍ପିଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା। ପୁଣି ସମାଧିସବୁ ଉନ୍ମୁକ୍ତ ହେଲା ଓ ମହାନିଦ୍ରାପ୍ରାପ୍ତ ପବିତ୍ର ଲୋକମାନଙ୍କର ଅନେକ ଶରୀର ଉତ୍ଥିତ ହେଲା। ଆଉ ଯୀଶୁଙ୍କ ପୁନରୁତ୍ଥାନ ଉତ୍ତାରେ ସେମାନେ ସମାଧିରୁ ବାହାରି ପବିତ୍ର ନଗରରେ ପ୍ରବେଶ କରି ଅନେକଙ୍କୁ ଦର୍ଶନ ଦେଲେ।

ଶତସେନାପତି ଓ ତାହା ସହିତ ଯୀଶୁଙ୍କୁ ଜଗୁଥିବା ଲୋକମାନେ ଭୂମିକମ୍ପ ଓ ଘଟିଥିବା ଘଟଣାସବୁ ଦେଖି ଅତ୍ୟନ୍ତ ଭୀତ ହୋଇ କହିଲେ, “ଏ ବ୍ୟକ୍ତି ସତ୍ୟରେ ଈଶ୍ଵରଙ୍କ ପୁତ୍ର ଥିଲେ!”

ଆଉ ଅନେକ ସ୍ତ୍ରୀଲୋକ ସେଠାରେ ଦୂରରୁ ଅନାଇ ଦେଖୁଥିଲେ; ସେମାନେ ଯୀଶୁଙ୍କ ସେବା କରିବା ନିମନ୍ତେ ଗାଲିଲୀରୁ ତାହାଙ୍କ ପଛେ ପଛେ ଆସିଥିଲେ। ସେମାନଙ୍କ ମଧ୍ୟରେ ମଗ୍‍ଦଲୀନୀ ମରିୟମ, ଯାକୁବ ଓ ଯୋଷେଫଙ୍କ ମାତା ମରିୟମ, ପୁଣି ସିବଦୀଙ୍କ ପୁତ୍ରମାନଙ୍କ ମାତା ଥିଲେ।

ଯୀଶୁ ସମାଧିରେ ଶାୟିତ ହେଲେ

ସନ୍ଧ୍ୟା ହୁଅନ୍ତେ ଯୋଷେଫ ନାମକ ଅରିମଥୀୟାର ଜଣେ ଧନୀ ବ୍ୟକ୍ତି ଆସିଲେ, ସେ ନିଜେ ମଧ୍ୟ ଯୀଶୁଙ୍କ ଜଣେ ଶିଷ୍ୟ ଥିଲେ। ସେ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ। ସେତେବେଳେ ପୀଲାତ ତାହା ତାହାଙ୍କୁ ଦେବା ପାଇଁ ଆଜ୍ଞା ଦେଲେ। ଯୋଷେଫ ସେହି ଶରୀର ଘେନି ତାହା ଏକ ଶୁଚି ସରୁ ବସ୍ତ୍ରରେ ଗୁଡ଼ାଇ, ଶୈଳରେ ଖୋଳା ହୋଇଥିବା ଆପଣା ନୂତନ ସମାଧିରେ ତାହା ରଖିଲେ, ପୁଣି ସମାଧିର ଦ୍ଵାର ନିକଟରେ ଏକ ବୃହତ୍‍ ପ୍ରସ୍ତର ଗଡ଼ାଇ ଦେଇ ଚାଲିଗଲେ। ମଗ୍‍ଦଲୀନୀ ମରିୟମ ଓ ଅନ୍ୟ ମରିୟମ ସେଠାରେ ସମାଧି ସମ୍ମୁଖରେ ବସି ରହିଥିଲେ।

ସମାଧି ମୁଦ୍ରାଙ୍କିତ ଓ ପ୍ରହରୀଯୁକ୍ତ ହେଲା

ପରଦିନ, ଅର୍ଥାତ୍‍ ଆୟୋଜନ ଦିନ ପରେ, ପ୍ରଧାନ ଯାଜକ ଓ ଫାରୂଶୀମାନେ ପୀଲାତଙ୍କ ସମ୍ମୁଖରେ ଏକତ୍ର ହୋଇ କହିଲେ, “ହେ ମହାଶୟ, ଆମ୍ଭମାନଙ୍କ ମନେ ଅଛି ଯେ, ସେହି ପ୍ରବଞ୍ଚକ ଜୀବିତ ଥିବା ସମୟରେ କହିଥିଲା, ‘ତିନି ଦିନ ଉତ୍ତାରେ ମୁଁ ଉଠିବି।’ ଏଣୁ ତୃତୀୟ ଦିନ ପର୍ଯ୍ୟନ୍ତ ସମାଧି ସୁରକ୍ଷିତ ରଖିବା ପାଇଁ ଆଜ୍ଞା ଦିଅନ୍ତୁ, ନୋହିଲେ କାଳେ ତାହାର ଶିଷ୍ୟମାନେ ଆସି ତାହାକୁ ଚୋରି କରିନେଇ ଲୋକମାନଙ୍କୁ କହିବେ, ‘ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛି।’ ତାହାହେଲେ ଏହି ଶେଷ ପ୍ରବଞ୍ଚନା ପ୍ରଥମଠାରୁ ଅଧିକ ମନ୍ଦ ହେବ।”

ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ପ୍ରହରୀଦଳ ଅଛି। ଯାଅ, ଯଥାସାଧ୍ୟ ତାହା ସୁରକ୍ଷିତ କର।” ତହିଁରେ ସେମାନେ ଯାଇ ସେହି ପ୍ରସ୍ତର ମୁଦ୍ରାଙ୍କିତ କରି ଓ ପ୍ରହରୀଦଳ ନିଯୁକ୍ତ କରି ସମାଧି ସୁରକ୍ଷିତ କଲେ।