ନେତାମାନେ ଯୀଶୁଙ୍କୁ ବଧ କରିବା ନିମନ୍ତେ ଚକ୍ରାନ୍ତ କରନ୍ତି
ଜଣେ ସ୍ତ୍ରୀ ବହୁମୂଲ୍ୟ ସୁଗନ୍ଧି ତୈଳ ଢାଳିଦିଅନ୍ତି ଏବଂ ସେଥିପାଇଁ ଗାଳି ଖାଆନ୍ତି; ଯିହୂଦା ତାଙ୍କୁ ତିରିଶ ଖଣ୍ଡ ମୁଦ୍ରାରେ ବିକିଦିଏ। ଗେଥ୍ଶିମାଣୀରେ ଯୀଶୁ ତାଙ୍କ ପିତାଙ୍କୁ ପାନପାତ୍ରଟି ଦୂର କରିବାକୁ ନିବେଦନ କରନ୍ତି, ଅଥଚ ତାଙ୍କ ବନ୍ଧୁମାନେ ବାରମ୍ବାର ଶୋଇପଡ଼ନ୍ତି। ଧରାପଡ଼ି ସେ ପ୍ରତିରୋଧ କରନ୍ତି ନାହିଁ। ପିତର ଶପଥ କରି କୁହନ୍ତି ଯେ ସେ ସେହି ଲୋକକୁ କେବେ ଜାଣି ନ ଥିଲେ।
26 1ଯେତେବେଳେ ଯୀଶୁ ଏହିସବୁ କଥା ସମାପ୍ତ କଲେ, ସେତେବେଳେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ,
2“ଦୁଇ ଦିନ ପରେ ନିସ୍ତାରପର୍ବ ଆସୁଅଛି ବୋଲି ତୁମ୍ଭେମାନେ ଜାଣ, ପୁଣି ମନୁଷ୍ୟପୁତ୍ର କ୍ରୁଶରେ ହତ ହେବା ନିମନ୍ତେ ସମର୍ପିତ ହେଉଅଛନ୍ତି।”
3ସେତେବେଳେ ପ୍ରଧାନ ଯାଜକମାନେ ଓ ଲୋକମାନଙ୍କ ପ୍ରାଚୀନବର୍ଗ କୟାଫା ନାମକ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହେଲେ, 4ଆଉ ସେମାନେ ଯୀଶୁଙ୍କୁ ଛଳରେ ଧରି ବଧ କରିବା ନିମନ୍ତେ ଏକତ୍ର ମନ୍ତ୍ରଣା କଲେ। 5କିନ୍ତୁ ସେମାନେ କହିଲେ, “ପର୍ବ ସମୟରେ ନୁହେଁ, ନୋହିଲେ ଲୋକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବ।”
ସେ ଯୀଶୁଙ୍କୁ ସମାଧି ନିମନ୍ତେ ଅଭିଷେକ କରେ
6ଯୀଶୁ ବେଥନୀୟାରେ କୁଷ୍ଠୀ ଶିମୋନଙ୍କ ଗୃହରେ ଥିବା ସମୟରେ, 7ଜଣେ ସ୍ତ୍ରୀ ଗୋଟିଏ ପାଥର ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତେଲ ଘେନି ତାହାଙ୍କ ନିକଟକୁ ଆସି, ସେ ଭୋଜନରେ ବସିଥିବା ସମୟରେ ତାହା ତାହାଙ୍କ ମସ୍ତକରେ ଢାଳିଲା। 8ଏହା ଦେଖି ଶିଷ୍ୟମାନେ କ୍ରୋଧ କରି କହିଲେ, “ଏ ଅପଚୟ କାହିଁକି? 9କାରଣ ଏହା ବହୁ ମୂଲ୍ୟରେ ବିକ୍ରୀ ହୋଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା।”
10ଯୀଶୁ ଏହା ଜାଣି ସେମାନଙ୍କୁ କହିଲେ, “ଏହି ସ୍ତ୍ରୀକୁ କାହିଁକି କଷ୍ଟ ଦେଉଅଛ? ସେ ତ ମୋʼ ପ୍ରତି ଉତ୍ତମ କର୍ମ କରିଅଛି। 11କାରଣ ଦରିଦ୍ରମାନେ ସର୍ବଦା ତୁମ୍ଭମାନଙ୍କ ସଙ୍ଗରେ ଅଛନ୍ତି, କିନ୍ତୁ ତୁମ୍ଭେମାନେ ମୋତେ ସର୍ବଦା ପାଇବ ନାହିଁ। 12କାରଣ ସେ ମୋʼ ଶରୀର ଉପରେ ଏହି ସୁଗନ୍ଧି ତେଲ ଢାଳି ମୋʼ ସମାଧି ନିମନ୍ତେ ମୋତେ ପ୍ରସ୍ତୁତ କରିବା ନିମନ୍ତେ ଏହା କଲା। 13ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି: ଜଗତରେ ଯେଉଁ ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ, ସେହି ସ୍ଥାନରେ ତାହାର ସ୍ମରଣାର୍ଥେ ଏହି ସ୍ତ୍ରୀ ଯାହା କଲା, ତାହା ମଧ୍ୟ କୁହାଯିବ।”
ଯିହୂଦା ରୌପ୍ୟ ବଦଳରେ ପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରେ
14ସେତେବେଳେ ଦ୍ୱାଦଶ ଶିଷ୍ୟଙ୍କ ମଧ୍ୟରୁ ଯିହୂଦା ଇଷ୍କାରିୟୋତ ନାମକ ଜଣେ ପ୍ରଧାନ ଯାଜକମାନଙ୍କ ନିକଟକୁ ଯାଇ କହିଲା, 15“ଯଦି ମୁଁ ତାହାଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରେ, ତେବେ ତୁମ୍ଭେମାନେ ମୋତେ କʼଣ ଦେବ?” ସେଥିରେ ସେମାନେ ତାହାକୁ ତିରିଶ ରୌପ୍ୟ ମୁଦ୍ରା ଗଣି ଦେଲେ। 16ଆଉ ସେହି ସମୟଠାରୁ ସେ ତାହାଙ୍କୁ ସମର୍ପଣ କରିବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା।
ନିସ୍ତାରପର୍ବ ନିମନ୍ତେ ଆୟୋଜନ
17ତାଡ଼ିଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନ ଶିଷ୍ୟମାନେ ଯୀଶୁଙ୍କୁ ପଚାରିଲେ, “ଆପଣଙ୍କ ନିମନ୍ତେ ନିସ୍ତାରପର୍ବର ଭୋଜ ଭୋଜନ କରିବାକୁ ଆମ୍ଭେମାନେ କେଉଁ ସ୍ଥାନରେ ଆୟୋଜନ କରିବା ବୋଲି ଆପଣ ଇଚ୍ଛା କରନ୍ତି?”
18ସେ କହିଲେ, “ନଗରକୁ ଅମୁକ ଲୋକ ନିକଟକୁ ଯାଇ ତାହାକୁ କୁହ, ‘ଗୁରୁ କହୁଅଛନ୍ତି: ମୋହର ସମୟ ସନ୍ନିକଟ। ମୁଁ ଆପଣା ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାରପର୍ବ ପାଳନ କରିବି।’”
19ଆଉ ଶିଷ୍ୟମାନେ ଯୀଶୁଙ୍କ ଆଜ୍ଞାନୁସାରେ କର୍ମ କଲେ, ପୁଣି ସେମାନେ ନିସ୍ତାରପର୍ବ ଆୟୋଜନ କଲେ।
20ସନ୍ଧ୍ୟା ହୁଅନ୍ତେ ସେ ଦ୍ୱାଦଶ ଶିଷ୍ୟଙ୍କ ସହିତ ଭୋଜନରେ ବସିଲେ।
21ଆଉ ସେମାନେ ଭୋଜନ କରୁଥିବା ସମୟରେ ସେ କହିଲେ, “ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।”
22ସେଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହୋଇ ପ୍ରତ୍ୟେକେ ତାହାଙ୍କୁ ପଚାରିବାକୁ ଲାଗିଲେ, “ହେ ପ୍ରଭୁ, ମୁଁ ତ ନୁହେଁ?”
23ସେ ଉତ୍ତର ଦେଲେ, “ଯେ ମୋʼ ସହିତ ପାତ୍ରରେ ହସ୍ତ ବୁଡ଼ାଇଅଛି, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ। 24ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖାଅଛି, ସେପରି ସେ ଯାଉଅଛନ୍ତି; କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହୁଅନ୍ତି, ହାୟ, ତାହା ପ୍ରତି କେଡ଼େ ସନ୍ତାପ! ସେ ଜନ୍ମ ନ ହୋଇଥିଲେ ତାହା ପକ୍ଷେ ଭଲ ହୋଇଥାଆନ୍ତା।”
25ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ଯିହୂଦା କହିଲା, “ହେ ଗୁରୁ, ମୁଁ ତ ନୁହେଁ?” ସେ ତାହାକୁ କହିଲେ, “ତୁ ନିଜେ କହିଲୁ।”
26ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟୀ ଘେନି ଆଶୀର୍ବାଦ କରି ଭାଙ୍ଗିଲେ, ପୁଣି ଶିଷ୍ୟମାନଙ୍କୁ ଦେଇ କହିଲେ, “ନିଅ, ଭୋଜନ କର; ଏହା ମୋʼ ଶରୀର।” 27ଆଉ ସେ ପାନପାତ୍ର ଘେନି ଧନ୍ୟବାଦ ଦେଇ ସେମାନଙ୍କୁ ଦେଇ କହିଲେ, “ତୁମ୍ଭେମାନେ ସମସ୍ତେ ଏଥିରୁ ପାନ କର, 28କାରଣ ଏହା ମୋʼ ନିୟମର ରକ୍ତ, ଯାହା ପାପ କ୍ଷମା ନିମନ୍ତେ ଅନେକଙ୍କ ପାଇଁ ଢଳାଯାଉଅଛି। 29ମୁଁ ତୁମ୍ଭମାନଙ୍କୁ କହୁଅଛି: ମୋହର ପିତାଙ୍କ ରାଜ୍ୟରେ ଯେଉଁ ଦିନ ତୁମ୍ଭମାନଙ୍କ ସହିତ ନୂତନ ଦ୍ରାକ୍ଷାରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଆଜିଠାରୁ ମୁଁ ଏହି ଦ୍ରାକ୍ଷାଫଳର ରସ ଆଉ ପାନ କରିବି ନାହିଁ।”
30ଆଉ ସେମାନେ ଗୋଟିଏ ସ୍ତୋତ୍ର ଗାନ କଲା ଉତ୍ତାରେ ଜୀତପର୍ବତକୁ ବାହାରିଗଲେ।
ଯୀଶୁ ପିତରଙ୍କ ଅସ୍ୱୀକାର ବିଷୟ ପୂର୍ବରୁ କହନ୍ତି
31ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, “ଆଜି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋʼ ସକାଶେ ବିଘ୍ନ ପାଇବ। କାରଣ ଲେଖାଅଛି: ‘ଆମ୍ଭେ ମେଷପାଳକଙ୍କୁ ପ୍ରହାର କରିବା, ପୁଣି ପଲର ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ।’ 32କିନ୍ତୁ ମୁଁ ଉତ୍ଥିତ ହେଲା ଉତ୍ତାରେ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯିବି।”
33ପିତର ତାହାଙ୍କୁ କହିଲେ, “ଯଦ୍ୟପି ସମସ୍ତେ ଆପଣଙ୍କ ସକାଶେ ବିଘ୍ନ ପାଇବେ, ତଥାପି ମୁଁ କଦାପି ବିଘ୍ନ ପାଇବି ନାହିଁ।”
34ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି: ଆଜି ରାତ୍ରିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ତିନି ଥର ମୋତେ ଅସ୍ୱୀକାର କରିବ।”
35ପିତର କହିଲେ, “ଯଦି ମୋତେ ଆପଣଙ୍କ ସହିତ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ ଅସ୍ୱୀକାର କରିବି ନାହିଁ।” ପୁଣି ଶିଷ୍ୟମାନେ ସମସ୍ତେ ସେହିପରି କହିଲେ।
ପୁତ୍ର ପିତାଙ୍କ ନିକଟରେ ଆତ୍ମସମର୍ପଣ କରନ୍ତି
36ସେତେବେଳେ ଯୀଶୁ ସେମାନଙ୍କ ସହିତ ଗେଥଶିମାନୀ ନାମକ ସ୍ଥାନକୁ ଆସି ଶିଷ୍ୟମାନଙ୍କୁ କହିଲେ, “ମୁଁ ସେଠାକୁ ଯାଇ ପ୍ରାର୍ଥନା କରିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହି ସ୍ଥାନରେ ବସିଥାଅ।”
37ଆଉ ସେ ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ସଙ୍ଗରେ ଘେନି ଅତ୍ୟନ୍ତ ଦୁଃଖିତ ଓ ବ୍ୟାକୁଳ ହେବାକୁ ଲାଗିଲେ।
38ସେତେବେଳେ ସେ ସେମାନଙ୍କୁ କହିଲେ, “ମୋʼ ପ୍ରାଣ ମୃତ୍ୟୁ ପର୍ଯ୍ୟନ୍ତ ଦୁଃଖରେ ଭାରାକ୍ରାନ୍ତ ହୋଇଅଛି। ତୁମ୍ଭେମାନେ ଏହି ସ୍ଥାନରେ ରହି ମୋʼ ସହିତ ଜାଗି ରୁହ।”
39ପୁଣି ସେ ଅଳ୍ପ ଆଗକୁ ଯାଇ ମୁହଁ ମାଡ଼ି ପଡ଼ି ପ୍ରାର୍ଥନା କରି କହିଲେ, “ହେ ମୋହର ପିତା, ଯଦି ସମ୍ଭବ, ତେବେ ଏହି ପାନପାତ୍ର ମୋʼ ନିକଟରୁ ଦୂର ହେଉ। ତଥାପି ମୋʼ ଇଚ୍ଛାନୁସାରେ ନୁହେଁ, ମାତ୍ର ତୁମ୍ଭ ଇଚ୍ଛାନୁସାରେ ହେଉ।”
40ପରେ ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ। ଆଉ ସେ ପିତରଙ୍କୁ କହିଲେ, “କʼଣ, ତୁମ୍ଭେମାନେ ମୋʼ ସହିତ ଗୋଟିଏ ଘଣ୍ଟା ମଧ୍ୟ ଜାଗି ରହି ପାରିଲ ନାହିଁ? 41ଯେପରି ତୁମ୍ଭେମାନେ ପରୀକ୍ଷାରେ ନ ପଡ଼, ଏଥିପାଇଁ ଜାଗ୍ରତ ହୋଇ ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ବଟେ, କିନ୍ତୁ ଶରୀର ଦୁର୍ବଳ।”
42ସେ ଦ୍ୱିତୀୟ ଥର ଯାଇ ପ୍ରାର୍ଥନା କରି କହିଲେ, “ହେ ମୋହର ପିତା, ମୁଁ ପାନ ନ କଲେ ଯଦି ଏହା ଦୂର ହୋଇ ନ ପାରେ, ତେବେ ତୁମ୍ଭର ଇଚ୍ଛା ସଫଳ ହେଉ।”
43ଆଉ ସେ ପୁନର୍ବାର ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଚକ୍ଷୁ ଭାରାକ୍ରାନ୍ତ ଥିଲା। 44ତେଣୁ ସେ ସେମାନଙ୍କୁ ପୁନର୍ବାର ଛାଡ଼ି ଯାଇ ତୃତୀୟ ଥର ସେହି ବାକ୍ୟ ପୁଣି କହି ପ୍ରାର୍ଥନା କଲେ।
45ସେତେବେଳେ ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ସୁଦ୍ଧା ନିଦ୍ରା ଓ ବିଶ୍ରାମ କରୁଅଛ? ଦେଖ, ସମୟ ଉପସ୍ଥିତ, ପୁଣି ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି। 46ଉଠ, ଯିବା! ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ଉପସ୍ଥିତ!”
ଯୀଶୁ ଶତ୍ରୁ ହସ୍ତରେ ସମର୍ପିତ ଓ ବନ୍ଦୀ ହୁଅନ୍ତି
47ସେ କଥା କହୁଥିବା ସମୟରେ, ଦେଖ, ଦ୍ୱାଦଶ ଶିଷ୍ୟଙ୍କ ମଧ୍ୟରୁ ଜଣେ ଯିହୂଦା ଆସିଲା, ପୁଣି ତାହା ସଙ୍ଗରେ ପ୍ରଧାନ ଯାଜକ ଓ ଲୋକମାନଙ୍କ ପ୍ରାଚୀନବର୍ଗଙ୍କ ପ୍ରେରିତ ଖଡ଼୍ଗ ଓ ଠେଙ୍ଗା ଧରିଥିବା ବହୁ ଲୋକ ଆସିଲେ। 48ଆଉ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇଥିଲା, “ମୁଁ ଯାହାକୁ ଚୁମ୍ବନ କରିବି, ସେ ହିଁ ସେହି—ତାହାଙ୍କୁ ଧର।” 49ଆଉ ସେ ସେହିକ୍ଷଣି ଯୀଶୁଙ୍କ ନିକଟକୁ ଆସି କହିଲା, “ହେ ଗୁରୁ, ନମସ୍କାର!” ପୁଣି ସେ ତାହାଙ୍କୁ ଚୁମ୍ବନ କଲା।
50ଯୀଶୁ ତାହାକୁ କହିଲେ, “ବନ୍ଧୁ, ଯେଉଁ କର୍ମ କରିବାକୁ ଆସିଅଛ, ତାହା କର।” ସେତେବେଳେ ସେମାନେ ଆସି ଯୀଶୁଙ୍କୁ ଧରି ବାନ୍ଧିଲେ।
51ଆଉ ଦେଖ, ଯୀଶୁଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଆପଣା ଖଡ଼୍ଗ ବାହାର କରି ମହାଯାଜକଙ୍କ ଦାସକୁ ଆଘାତ କରି ତାହାର କର୍ଣ୍ଣ କାଟି ପକାଇଲା।
52ସେତେବେଳେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭ ଖଡ଼୍ଗ ପୁଣି ଆପଣା ସ୍ଥାନରେ ରଖ। ଯେଉଁମାନେ ଖଡ଼୍ଗ ଧରନ୍ତି, ସେମାନେ ସମସ୍ତେ ଖଡ଼୍ଗ ଦ୍ୱାରା ବିନଷ୍ଟ ହେବେ। 53ତୁମ୍ଭେ କି ଭାବୁଅଛ ଯେ ମୁଁ ମୋହର ପିତାଙ୍କୁ ଡାକି ପାରିବି ନାହିଁ, ଆଉ ସେ ତତ୍କ୍ଷଣାତ୍ ବାର ବାହିନୀରୁ ଅଧିକ ଦୂତଙ୍କୁ ମୋʼ ନିକଟକୁ ପ୍ରେରଣ କରିବେ ନାହିଁ? 54କିନ୍ତୁ ଏହିପରି ଘଟିବା ଆବଶ୍ୟକ ବୋଲି ଯେଉଁ ଶାସ୍ତ୍ର ଲେଖାଅଛି, ତାହା ତେବେ କିପରି ସଫଳ ହେବ?”
55ସେହି ସମୟରେ ଯୀଶୁ ଲୋକସମୂହକୁ କହିଲେ, “ତୁମ୍ଭେମାନେ କି ଡକାୟତ ବିରୁଦ୍ଧରେ ଆସିବା ପରି ଖଡ଼୍ଗ ଓ ଠେଙ୍ଗା ଘେନି ମୋତେ ଧରିବାକୁ ବାହାରି ଆସିଲ? ମୁଁ ପ୍ରତିଦିନ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ। 56ମାତ୍ର ଭାବବାଦୀମାନଙ୍କ ଶାସ୍ତ୍ର ସଫଳ ହେବା ନିମନ୍ତେ ଏହିସବୁ ଘଟିଲା।” ସେତେବେଳେ ଶିଷ୍ୟମାନେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ।
ଯୀଶୁ ଆପଣା ଅଭିଯୋଗକାରୀମାନଙ୍କ ସମ୍ମୁଖରେ
57ପୁଣି ଯେଉଁମାନେ ଯୀଶୁଙ୍କୁ ଧରିଥିଲେ, ସେମାନେ ତାହାଙ୍କୁ କୟାଫା ମହାଯାଜକଙ୍କ ନିକଟକୁ ନେଇଗଲେ, ଯେଉଁଠାରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଏକତ୍ର ହୋଇଥିଲେ। 58ଆଉ ପିତର ଦୂରରେ ରହି ତାହାଙ୍କ ପଛେ ପଛେ ମହାଯାଜକଙ୍କ ପ୍ରାଙ୍ଗଣ ପର୍ଯ୍ୟନ୍ତ ଯାଇ, ଭିତରେ ପ୍ରବେଶ କରି ଶେଷରେ କʼଣ ହେବ ତାହା ଦେଖିବା ନିମନ୍ତେ ପ୍ରହରୀମାନଙ୍କ ସହିତ ବସିଲେ।
59ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଖୋଜିଲେ, 60କିନ୍ତୁ ଅନେକ ମିଥ୍ୟା ସାକ୍ଷୀ ଆସିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ। ଶେଷରେ ଦୁଇ ଜଣ ଆସି 61କହିଲେ, “ଏହି ଲୋକ କହିଥିଲା, ‘ମୁଁ ଈଶ୍ଵରଙ୍କ ମନ୍ଦିର ଭାଙ୍ଗି ତିନି ଦିନ ମଧ୍ୟରେ ପୁନର୍ବାର ନିର୍ମାଣ କରି ପାରିବି।’”
62ସେତେବେଳେ ମହାଯାଜକ ଠିଆ ହୋଇ ତାହାଙ୍କୁ କହିଲେ, “ତୁମ୍ଭର କି କୌଣସି ଉତ୍ତର ନାହିଁ? ଏମାନେ ତୁମ୍ଭ ବିରୁଦ୍ଧରେ କʼଣ ସାକ୍ଷ୍ୟ ଦେଉଅଛନ୍ତି?” 63କିନ୍ତୁ ଯୀଶୁ ନୀରବ ରହିଲେ। ମହାଯାଜକ କହିଲେ, “ମୁଁ ତୁମ୍ଭକୁ ଜୀବନ୍ତ ଈଶ୍ଵରଙ୍କ ନାମରେ ଶପଥ ଦେଉଅଛି: ତୁମ୍ଭେ ଈଶ୍ଵରଙ୍କ ପୁତ୍ର ଖ୍ରୀଷ୍ଟ କି ନା, ତାହା ଆମ୍ଭମାନଙ୍କୁ କୁହ।”
64ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ତାହା କହିଲ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି: ଆଜିଠାରୁ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଥିବା ଓ ଆକାଶର ମେଘ ଉପରେ ଆସୁଥିବା ଦେଖିବ।”
65ସେତେବେଳେ ମହାଯାଜକ ଆପଣା ବସ୍ତ୍ର ଚିରି କହିଲେ, “ସେ ଈଶ୍ଵରନିନ୍ଦା କଲା! ଆମ୍ଭମାନଙ୍କର ଆଉ ସାକ୍ଷୀର କି ପ୍ରୟୋଜନ? ଦେଖ, ତୁମ୍ଭେମାନେ ଏବେ ଏହି ଈଶ୍ଵରନିନ୍ଦା ଶୁଣିଲ। 66ତୁମ୍ଭମାନଙ୍କ ବିଚାର କʼଣ?” ସେମାନେ ଉତ୍ତର ଦେଲେ, “ସେ ବଧଯୋଗ୍ୟ।”
67ସେତେବେଳେ ସେମାନେ ତାହାଙ୍କ ମୁଖରେ ଛେପ ପକାଇ ତାହାଙ୍କୁ ମୁଷ୍ଟାଘାତ କଲେ; ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରି 68କହିଲେ, “ହେ ଖ୍ରୀଷ୍ଟ, ଆମ୍ଭମାନଙ୍କ ନିକଟରେ ଭାବବାଣୀ କୁହ! କିଏ ତୋତେ ମାରିଲା?”
ପିତର ଯୀଶୁଙ୍କୁ ଜାଣିବା ଅସ୍ୱୀକାର କରନ୍ତି
69ପିତର ବାହାରେ ପ୍ରାଙ୍ଗଣରେ ବସିଥିଲେ। ଆଉ ଜଣେ ଦାସୀ ତାହାଙ୍କ ନିକଟକୁ ଆସି କହିଲା, “ତୁ ମଧ୍ୟ ସେହି ଗାଲିଲୀୟ ଯୀଶୁଙ୍କ ସଙ୍ଗରେ ଥିଲୁ।”
70କିନ୍ତୁ ସେ ସମସ୍ତଙ୍କ ଆଗରେ ଅସ୍ୱୀକାର କରି କହିଲେ, “ତୁ କʼଣ କହୁଅଛୁ, ତାହା ମୁଁ ଜାଣେ ନାହିଁ।”
71ପରେ ସେ ଦ୍ୱାର ନିକଟକୁ ବାହାରିଯାଉଥିବା ସମୟରେ ଆଉ ଜଣେ ଦାସୀ ତାହାଙ୍କୁ ଦେଖି ସେଠାରେ ଥିବା ଲୋକମାନଙ୍କୁ କହିଲା, “ଏ ଲୋକ ନାଜରିତୀୟ ଯୀଶୁଙ୍କ ସଙ୍ଗରେ ଥିଲା।”
72ଆଉ ସେ ପୁନର୍ବାର ଶପଥ କରି ଅସ୍ୱୀକାର କଲେ, “ମୁଁ ସେହି ଲୋକକୁ ଜାଣେ ନାହିଁ।”
73ଅଳ୍ପ ସମୟ ପରେ ସେଠାରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ନିକଟକୁ ଆସି କହିଲେ, “ନିଶ୍ଚୟ ତୁ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୋʼ କଥା ତୋତେ ପ୍ରକାଶ କରୁଅଛି।”
74ସେତେବେଳେ ସେ ଆପଣାକୁ ଅଭିଶାପ ଦେବାକୁ ଓ ଶପଥ କରିବାକୁ ଲାଗିଲେ, “ମୁଁ ସେହି ଲୋକକୁ ଜାଣେ ନାହିଁ।” ସେହିକ୍ଷଣି କୁକୁଡ଼ା ଡାକିଲା।
75ସେଥିରେ ପିତର ଯୀଶୁଙ୍କ ବାକ୍ୟ ସ୍ମରଣ କଲେ, “କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ତିନି ଥର ମୋତେ ଅସ୍ୱୀକାର କରିବ।” ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବିଳାପ କରି କାନ୍ଦିଲେ।