ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଇସ୍‌ହାକ ଏଷୌଙ୍କୁ ଡାକିଲେ

ଅନ୍ଧ ଓ ମୃତ୍ୟୁ ପାଇଁ ପ୍ରସ୍ତୁତ ହେଉଥିବା ଇସ୍ହାକ ଏକ ଭୋଜନ ପାଇଁ ଏଷୌକୁ ପଠାନ୍ତି। ଆଶୀର୍ବାଦ ଚୋରି କରିବା ପାଇଁ ରିବିକା ଯାକୁବଙ୍କୁ ଛେଳି ଚମଡ଼ା ପିନ୍ଧାନ୍ତି, ଏବଂ ଇସ୍ହାକ ତାହା ଦେଇଦିଅନ୍ତି। ଏଷୌ ପାଇଁ ଦ୍ୱିତୀୟ ଆଶୀର୍ବାଦ ନାହିଁ, କେବଳ ଏକ କଠୋର ବାକ୍ୟ, ଏବଂ ଯାକୁବଙ୍କୁ ପ୍ରାଣ ବଞ୍ଚାଇବା ପାଇଁ ପଳାଇବାକୁ ପଡ଼େ।

ଅଧ୍ୟାୟ 27।

ଇସ୍‌ହାକ ବୃଦ୍ଧ ହୁଅନ୍ତେ ତାହାଙ୍କ ଚକ୍ଷୁ ଏପରି କ୍ଷୀଣ ହେଲା ଯେ ସେ ଦେଖି ପାରିଲେ ନାହିଁ, ସେତେବେଳେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଏଷୌଙ୍କୁ ଡାକି କହିଲେ, “ମୋହର ପୁତ୍ର।” ସେ ଉତ୍ତର ଦେଲେ, “ମୁଁ ଏଠାରେ ଅଛି।”

ଇସ୍‌ହାକ କହିଲେ, “ଦେଖ, ମୁଁ ବୃଦ୍ଧ ହୋଇଅଛି; ମୋହର ମୃତ୍ୟୁ ଦିନ ଜାଣେ ନାହିଁ। ଏଣୁ ଏବେ ତୁମ୍ଭେ ଆପଣା ଅସ୍ତ୍ର, ଅର୍ଥାତ୍‌ ତୂଣ ଓ ଧନୁ ନେଇ କ୍ଷେତ୍ରକୁ ଯାଇ ମୋʼ ନିମନ୍ତେ ମୃଗୟା ଶିକାର କର। ପୁଣି ମୁଁ ଯେଉଁ ସୁସ୍ଵାଦୁ ଖାଦ୍ୟ ଭଲ ପାଏ, ତାହା ମୋʼ ନିମନ୍ତେ ପ୍ରସ୍ତୁତ କରି ଭୋଜନ କରିବାକୁ ଆଣ, ଯେପରି ମୁଁ ମରିବା ପୂର୍ବରୁ ମୋହର ପ୍ରାଣ ତୁମ୍ଭକୁ ଆଶୀର୍ବାଦ କରିବ।”

ଇସ୍‌ହାକ ଆପଣା ପୁତ୍ର ଏଷୌଙ୍କୁ ଏହି କଥା କହିବା ବେଳେ ରିବିକା ଶୁଣିଲେ। ପୁଣି ଏଷୌ ମୃଗୟା ଶିକାର କରି ଆଣିବା ନିମନ୍ତେ କ୍ଷେତ୍ରକୁ ଗଲେ। ସେତେବେଳେ ରିବିକା ଆପଣା ପୁତ୍ର ଯାକୁବଙ୍କୁ କହିଲେ, “ଦେଖ, ତୁମ୍ଭ ପିତା ତୁମ୍ଭ ଭାଇ ଏଷୌଙ୍କୁ ଏହି କଥା କହିବାର ମୁଁ ଶୁଣିଲି, ‘ତୁମ୍ଭେ ମୋʼ ନିମନ୍ତେ ମୃଗୟା ଆଣି ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କର, ଯେପରି ମୁଁ ଭୋଜନ କରି ମରିବା ପୂର୍ବରୁ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ତୁମ୍ଭକୁ ଆଶୀର୍ବାଦ କରିବି।’ ଏଣୁ ହେ ମୋହର ପୁତ୍ର, ମୋହର ରବ ଶୁଣ, ପୁଣି ମୁଁ ତୁମ୍ଭକୁ ଯାହା ଆଜ୍ଞା ଦେଉଅଛି, ତାହା ଠିକ୍‌ ସେପରି କର। ତୁମ୍ଭେ ପଲ ନିକଟକୁ ଯାଇ ସେଠାରୁ ଦୁଇଟି ଉତ୍ତମ ଛେଳିଛୁଆ ମୋʼ ନିକଟକୁ ଆଣ, ତହିଁରେ ମୁଁ ତୁମ୍ଭ ପିତାଙ୍କ ପସନ୍ଦ ଅନୁସାରେ ତାହାଙ୍କ ନିମନ୍ତେ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରିବି। ପୁଣି ତୁମ୍ଭେ ତାହା ତୁମ୍ଭ ପିତାଙ୍କ ନିକଟକୁ ନେଇଯିବ, ଯେପରି ସେ ଭୋଜନ କରି ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବେ।”

ତହିଁରେ ଯାକୁବ ଆପଣା ମାତା ରିବିକାଙ୍କୁ କହିଲେ, “ଦେଖ, ମୋହର ଭାଇ ଏଷୌ ଲୋମଶ ମନୁଷ୍ୟ, ମାତ୍ର ମୁଁ ନିର୍ଲୋମ। କେଜାଣି ମୋହର ପିତା ମୋତେ ସ୍ପର୍ଶ କରିବେ; ତେବେ ମୁଁ ତାହାଙ୍କ ଦୃଷ୍ଟିରେ ପ୍ରବଞ୍ଚକ ତୁଲ୍ୟ ହେବି, ପୁଣି ଆପଣା ଉପରକୁ ଆଶୀର୍ବାଦ ନୁହେଁ, ମାତ୍ର ଅଭିଶାପ ଘଟାଇବି।”

ତାହାଙ୍କ ମାତା କହିଲେ, “ହେ ମୋହର ପୁତ୍ର, ତୁମ୍ଭର ଅଭିଶାପ ମୋʼ ଉପରେ ବର୍ତ୍ତୁ; କେବଳ ମୋହର ରବ ଶୁଣ, ଯାଇ ସେମାନଙ୍କୁ ମୋʼ ନିକଟକୁ ଆଣ।”

ତହୁଁ ଯାକୁବ ଯାଇ ସେହି ଛେଳିଛୁଆ ଆଣି ଆପଣା ମାତାଙ୍କ ନିକଟକୁ ଆଣିଲେ, ଆଉ ତାହାଙ୍କ ମାତା ତାହାଙ୍କ ପିତାଙ୍କ ପ୍ରିୟ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କଲେ। ଏଉତ୍ତାରେ ରିବିକା ଆପଣା ନିକଟରେ ଗୃହ ମଧ୍ୟରେ ଥିବା ଆପଣା ଜ୍ୟେଷ୍ଠ ପୁତ୍ର ଏଷୌଙ୍କ ଉତ୍ତମ ବସ୍ତ୍ର ନେଇ ଆପଣା କନିଷ୍ଠ ପୁତ୍ର ଯାକୁବଙ୍କୁ ପିନ୍ଧାଇ ଦେଲେ। ପୁଣି ସେ ଛେଳିଛୁଆର ଚର୍ମ ନେଇ ତାହାଙ୍କ ହସ୍ତ ଓ ନିର୍ଲୋମ ଗ୍ରୀବା ଢାଙ୍କି ଦେଲେ। ତହୁଁ ସେ ଆପଣା ପ୍ରସ୍ତୁତ ସୁସ୍ଵାଦୁ ଖାଦ୍ୟ ଓ ରୁଟି ଆପଣା ପୁତ୍ର ଯାକୁବଙ୍କ ହସ୍ତରେ ଦେଲେ।

ତହିଁରେ ଯାକୁବ ଆପଣା ପିତାଙ୍କ ନିକଟକୁ ଯାଇ କହିଲେ, “ହେ ମୋହର ପିତା।” ସେ କହିଲେ, “ଏଠାରେ ଅଛି; ହେ ମୋହର ପୁତ୍ର, ତୁମ୍ଭେ କିଏ?”

ଯାକୁବ ଆପଣା ପିତାଙ୍କୁ କହିଲେ, “ମୁଁ ଆପଣଙ୍କ ଜ୍ୟେଷ୍ଠ ପୁତ୍ର ଏଷୌ; ଆପଣ ମୋତେ ଯେପରି କହିଥିଲେ, ସେପରି ମୁଁ କରିଅଛି; ବିନତି କରୁଅଛି, ଆପଣ ଉଠି ବସି ମୋହର ମୃଗୟା ମାଂସ ଭୋଜନ କରନ୍ତୁ, ଯେପରି ଆପଣଙ୍କ ପ୍ରାଣ ମୋତେ ଆଶୀର୍ବାଦ କରିବ।”

ଇସ୍‌ହାକ ଆପଣା ପୁତ୍ରଙ୍କୁ ପଚାରିଲେ, “ହେ ମୋହର ପୁତ୍ର, ତୁମ୍ଭେ ଏତେ ଶୀଘ୍ର କିପରି ତାହା ପାଇଲ?” ସେ କହିଲେ, “ଆପଣଙ୍କ ପିତା ମୋତେ ସଫଳ କରାଇଲେ ବୋଲି।”

ଇସ୍‌ହାକ ଯାକୁବଙ୍କୁ କହିଲେ, “ହେ ମୋହର ପୁତ୍ର, ବିନତି କରୁଅଛି, ନିକଟକୁ ଆସ, ଯେପରି ମୁଁ ତୁମ୍ଭକୁ ସ୍ପର୍ଶ କରି ଜାଣିପାରିବି, ତୁମ୍ଭେ ପ୍ରକୃତରେ ମୋହର ପୁତ୍ର ଏଷୌ, କି ନୁହଁ।”

ତହୁଁ ଯାକୁବ ଆପଣା ପିତା ଇସ୍‌ହାକଙ୍କ ନିକଟକୁ ଗଲେ, ଆଉ ସେ ତାହାଙ୍କୁ ସ୍ପର୍ଶ କରି କହିଲେ, “ସ୍ଵର ତ ଯାକୁବର ସ୍ଵର, ମାତ୍ର ହସ୍ତ ଏଷୌର ହସ୍ତ।” ଯାକୁବଙ୍କ ହସ୍ତ ତାହାଙ୍କ ଭାଇ ଏଷୌଙ୍କ ହସ୍ତ ପରି ଲୋମଶ ଥିବାରୁ ଇସ୍‌ହାକ ତାହାଙ୍କୁ ଚିହ୍ନି ପାରିଲେ ନାହିଁ; ଏଣୁ ସେ ତାହାଙ୍କୁ ଆଶୀର୍ବାଦ କଲେ। ସେ ପଚାରିଲେ, “ତୁମ୍ଭେ କʼଣ ପ୍ରକୃତରେ ମୋହର ପୁତ୍ର ଏଷୌ?” ସେ କହିଲେ, “ମୁଁ ସେହି।”

ଇସ୍‌ହାକ କହିଲେ, “ମୋʼ ନିକଟକୁ ଆଣ, ମୁଁ ମୋହର ପୁତ୍ରର ମୃଗୟା ମାଂସ ଭୋଜନ କରିବି, ଯେପରି ମୋହର ପ୍ରାଣ ତୁମ୍ଭକୁ ଆଶୀର୍ବାଦ କରିବ।” ତହିଁରେ ଯାକୁବ ତାହାଙ୍କ ନିକଟକୁ ଆଣନ୍ତେ, ସେ ଭୋଜନ କଲେ; ପୁଣି ସେ ତାହାଙ୍କ ନିକଟକୁ ଦ୍ରାକ୍ଷାରସ ଆଣନ୍ତେ, ସେ ପାନ କଲେ।

ଏଉତ୍ତାରେ ତାହାଙ୍କ ପିତା ଇସ୍‌ହାକ ତାହାଙ୍କୁ କହିଲେ, “ହେ ମୋହର ପୁତ୍ର, ନିକଟକୁ ଆସି ମୋତେ ଚୁମ୍ବନ କର।” ତହୁଁ ସେ ନିକଟକୁ ଯାଇ ତାହାଙ୍କୁ ଚୁମ୍ବନ କଲେ; ଆଉ ଇସ୍‌ହାକ ତାହାଙ୍କ ବସ୍ତ୍ରର ସୁବାସ ପାଇ ତାହାଙ୍କୁ ଆଶୀର୍ବାଦ କରି କହିଲେ, “ଦେଖ, ମୋହର ପୁତ୍ରର ସୁବାସ ସେହି କ୍ଷେତ୍ରର ସୁବାସ ତୁଲ୍ୟ, ଯାହା ଆମ୍ଭମାନଙ୍କ ପିତା ଆଶୀର୍ବାଦ କରିଅଛନ୍ତି। ଆମ୍ଭମାନଙ୍କ ପିତା ତୁମ୍ଭକୁ ଆକାଶର ଶିଶିର ଓ ଭୂମିର ପୁଷ୍ଟିକରତା, ପୁଣି ପ୍ରଚୁର ଶସ୍ୟ ଓ ନୂତନ ଦ୍ରାକ୍ଷାରସ ଦିଅନ୍ତୁ। ଗୋଷ୍ଠୀୟମାନେ ତୁମ୍ଭର ସେବା କରନ୍ତୁ ଓ ଜନବୃନ୍ଦ ତୁମ୍ଭ ସମ୍ମୁଖରେ ପ୍ରଣାମ କରନ୍ତୁ। ତୁମ୍ଭେ ଆପଣା ଭ୍ରାତୃଗଣ ଉପରେ କର୍ତ୍ତୃତ୍ଵ କର, ପୁଣି ତୁମ୍ଭ ମାତାର ପୁତ୍ରମାନେ ତୁମ୍ଭ ସମ୍ମୁଖରେ ପ୍ରଣାମ କରନ୍ତୁ। ଯେଉଁମାନେ ତୁମ୍ଭକୁ ଅଭିଶାପ ଦିଅନ୍ତି, ସେମାନେ ଅଭିଶପ୍ତ ହେଉନ୍ତୁ, ଆଉ ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ସେମାନେ ଆଶୀର୍ବାଦପ୍ରାପ୍ତ ହେଉନ୍ତୁ।”

ଇସ୍‌ହାକ ଯାକୁବଙ୍କୁ ଆଶୀର୍ବାଦ କରିବା ସମାପ୍ତ କରିବା ମାତ୍ରେ, ଆଉ ଯାକୁବ ଆପଣା ପିତା ଇସ୍‌ହାକଙ୍କ ସମ୍ମୁଖରୁ ବାହାରିବା ମାତ୍ରେ, ତାହାଙ୍କ ଭାଇ ଏଷୌ ମୃଗୟାରୁ ଫେରି ଆସିଲେ। ସେ ମଧ୍ୟ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରି ଆପଣା ପିତାଙ୍କ ନିକଟକୁ ଆଣି ପିତାଙ୍କୁ କହିଲେ, “ମୋହର ପିତା ଉଠି ଆପଣା ପୁତ୍ରର ମୃଗୟା ମାଂସରୁ କିଛି ଭୋଜନ କରନ୍ତୁ, ଯେପରି ଆପଣଙ୍କ ପ୍ରାଣ ମୋତେ ଆଶୀର୍ବାଦ କରିବ।”

ତାହାଙ୍କ ପିତା ଇସ୍‌ହାକ ତାହାଙ୍କୁ ପଚାରିଲେ, “ତୁମ୍ଭେ କିଏ?” ସେ କହିଲେ, “ମୁଁ ଆପଣଙ୍କ ପୁତ୍ର, ଆପଣଙ୍କ ଜ୍ୟେଷ୍ଠ ପୁତ୍ର ଏଷୌ।”

ତହିଁରେ ଇସ୍‌ହାକ ଅତ୍ୟନ୍ତ କମ୍ପିତ ହୋଇ କହିଲେ, “ତେବେ ଯେ ମୃଗୟା ଶିକାର କରି ମୋʼ ନିକଟକୁ ଆଣିଲା, ସେ କିଏ? ତୁମ୍ଭେ ଆସିବା ପୂର୍ବରୁ ମୁଁ ସେହିସବୁ ଭୋଜନ କରି ତାହାଙ୍କୁ ଆଶୀର୍ବାଦ କଲି; ହଁ, ସେ ଆଶୀର୍ବାଦପ୍ରାପ୍ତ ହେବେ!”

ଏଷୌ ଆପଣା ପିତାଙ୍କ ବାକ୍ୟ ଶୁଣନ୍ତେ, ଅତି ଉଚ୍ଚ ଓ ତିକ୍ତ ସ୍ଵରରେ କ୍ରନ୍ଦନ କରି ଆପଣା ପିତାଙ୍କୁ କହିଲେ, “ହେ ମୋହର ପିତା, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ!”

ଇସ୍‌ହାକ କହିଲେ, “ତୁମ୍ଭର ଭାଇ ଛଳରେ ଆସି ତୁମ୍ଭର ଆଶୀର୍ବାଦ ନେଇ ଯାଇଅଛନ୍ତି।”

ଏଷୌ କହିଲେ, “ତାହାଙ୍କ ନାମ କʼଣ ଯଥାର୍ଥରେ ଯାକୁବ ରଖାଯାଇ ନାହିଁ? ସେ ଦୁଇ ଥର ମୋତେ ପ୍ରବଞ୍ଚନା କରିଅଛନ୍ତି; ସେ ମୋହର ଜ୍ୟେଷ୍ଠାଧିକାର ନେଇଗଲେ, ଆଉ ଏବେ ମୋହର ଆଶୀର୍ବାଦ ନେଇଗଲେ।” ପୁଣି ସେ ପଚାରିଲେ, “ଆପଣ କʼଣ ମୋʼ ନିମନ୍ତେ କୌଣସି ଆଶୀର୍ବାଦ ରଖି ନାହାନ୍ତି?”

ଇସ୍‌ହାକ ଏଷୌଙ୍କୁ ଉତ୍ତର ଦେଲେ, “ଦେଖ, ମୁଁ ତାହାଙ୍କୁ ତୁମ୍ଭ ଉପରେ ପ୍ରଭୁ କରିଅଛି, ପୁଣି ତାହାଙ୍କ ଭ୍ରାତୃଗଣ ସମସ୍ତଙ୍କୁ ତାହାଙ୍କ ଦାସ ରୂପେ ଦେଇଅଛି, ଆଉ ଶସ୍ୟ ଓ ନୂତନ ଦ୍ରାକ୍ଷାରସରେ ତାହାଙ୍କୁ ପୋଷଣ କରିଅଛି; ଏଣୁ ହେ ମୋହର ପୁତ୍ର, ମୁଁ ତୁମ୍ଭ ନିମନ୍ତେ ଆଉ କʼଣ କରିପାରିବି?”

ଏଷୌ ଆପଣା ପିତାଙ୍କୁ କହିଲେ, “ହେ ମୋହର ପିତା, ଆପଣଙ୍କର କʼଣ କେବଳ ଗୋଟିଏ ଆଶୀର୍ବାଦ ଅଛି? ହେ ମୋହର ପିତା, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ!” ଆଉ ଏଷୌ ଉଚ୍ଚ ସ୍ଵରରେ ରୋଦନ କଲେ।

ତହିଁରେ ତାହାଙ୍କ ପିତା ଇସ୍‌ହାକ ତାହାଙ୍କୁ ଉତ୍ତର ଦେଲେ, “ଦେଖ, ତୁମ୍ଭର ବାସସ୍ଥାନ ଭୂମିର ପୁଷ୍ଟିକରତାରୁ ଦୂରରେ, ପୁଣି ଉପରିସ୍ଥ ଆକାଶର ଶିଶିରରୁ ଦୂରରେ ହେବ। ତୁମ୍ଭେ ଆପଣା ଖଡ୍ଗ ଦ୍ଵାରା ବଞ୍ଚିବ, ପୁଣି ଆପଣା ଭାଇର ସେବା କରିବ; ମାତ୍ର ଯେତେବେଳେ ତୁମ୍ଭେ ଅସ୍ଥିର ହେବ, ସେତେବେଳେ ତୁମ୍ଭେ ଆପଣା ଗ୍ରୀବାରୁ ତାହାର ଯୁଆଳି ଭାଙ୍ଗି ପକାଇବ।”

ଆପଣା ପିତା ଯାକୁବଙ୍କୁ ଯେଉଁ ଆଶୀର୍ବାଦ ଦେଇଥିଲେ, ତହିଁ ସକାଶୁ ଏଷୌ ଯାକୁବଙ୍କ ପ୍ରତି ଦ୍ଵେଷ ଭାବ ରଖିଲେ, ପୁଣି ମନେ ମନେ କହିଲେ, “ମୋହର ପିତାଙ୍କ ବିଳାପର ଦିନ ସନ୍ନିକଟ; ତେବେ ମୁଁ ମୋହର ଭାଇ ଯାକୁବଙ୍କୁ ବଧ କରିବି।”

ଆପଣା ଜ୍ୟେଷ୍ଠ ପୁତ୍ର ଏଷୌଙ୍କ ଏହି କଥା ରିବିକାଙ୍କୁ ଜଣାଯାʼନ୍ତେ, ସେ ଲୋକ ପଠାଇ ଆପଣା କନିଷ୍ଠ ପୁତ୍ର ଯାକୁବଙ୍କୁ ଡକାଇ କହିଲେ, “ଦେଖ, ତୁମ୍ଭ ଭାଇ ଏଷୌ ତୁମ୍ଭକୁ ବଧ କରିବାର ସଂକଳ୍ପ କରି ଆପଣାକୁ ସାନ୍ତ୍ଵନା ଦେଉଅଛି। ଏଣୁ ହେ ମୋହର ପୁତ୍ର, ମୋହର ରବ ଶୁଣ; ଉଠି ହାରଣରେ ଥିବା ମୋହର ଭାଇ ଲାବନ ନିକଟକୁ ପଳାଇଯାଅ। ତୁମ୍ଭ ଭାଇର କ୍ରୋଧ ଶାନ୍ତ ନ ହେବା ପର୍ଯ୍ୟନ୍ତ କିଛି ଦିନ ତାହା ନିକଟରେ ରୁହ, ଯେପର୍ଯ୍ୟନ୍ତ ତୁମ୍ଭ ଭାଇର କ୍ରୋଧ ତୁମ୍ଭଠାରୁ ନିବୃତ୍ତ ନ ହୁଏ, ଆଉ ତୁମ୍ଭେ ତାହା ପ୍ରତି ଯାହା କରିଅଛ, ତାହା ସେ ପାସୋରି ନ ଯାଏ; ତେବେ ମୁଁ ଲୋକ ପଠାଇ ତୁମ୍ଭକୁ ସେଠାରୁ ଅଣାଇବି। ମୁଁ କାହିଁକି ଏକ ଦିନରେ ତୁମ୍ଭ ଦୁହିଁଙ୍କୁ ହରାଇବି?”

ଆଉ ରିବିକା ଇସ୍‌ହାକଙ୍କୁ କହିଲେ, “ଏହି ହିତ୍ତୀୟା ସ୍ତ୍ରୀମାନଙ୍କ ସକାଶୁ ମୁଁ ଆପଣା ଜୀବନ ପ୍ରତି ବିରକ୍ତ ହୋଇଅଛି। ଯଦି ଯାକୁବ ଏହି ଦେଶର ହେତର କନ୍ୟାମାନଙ୍କ ମଧ୍ୟରୁ ଏହିପରି ଜଣେ ସ୍ତ୍ରୀ ବିବାହ କରେ, ତେବେ ମୁଁ କାହିଁକି ବଞ୍ଚିବି?”