ଇସ୍ହାକଙ୍କ ପ୍ରତି ପ୍ରତିଜ୍ଞା ନୂତନୀକୃତ
ଦୁର୍ଭିକ୍ଷ ପୁଣି ଆସେ ଏବଂ ଇସ୍ହାକ ନିଜ ସ୍ତ୍ରୀ ବିଷୟରେ ତାଙ୍କ ପିତାଙ୍କର ମିଥ୍ୟା ପୁନରାବୃତ୍ତି କରନ୍ତି, ଏବଂ ଧରାପଡ଼ନ୍ତି। ଆମ ପିତା ତାଙ୍କୁ ଆଶୀର୍ବାଦ କରିବାରୁ ସେ ଧନୀ ହୁଅନ୍ତି, ଏବଂ ତାଙ୍କ କୂଅଗୁଡ଼ିକ ଗୋଟିଏ ପରେ ଗୋଟିଏ ଛଡ଼ାଇ ନିଆଯାଏ, ଯେପର୍ଯ୍ୟନ୍ତ ସେ ଏପରି ସ୍ଥାନରେ ଖୋଳନ୍ତି ଯେଉଁଠାରେ କେହି ତାଙ୍କ ସହିତ ବିବାଦ କରେ ନାହିଁ। ତାʼପରେ ତାଙ୍କୁ ଈର୍ଷା କରୁଥିବା ରାଜା ଏକ ସନ୍ଧି ମାଗିବାକୁ ଆସେ।
26 1ଅବ୍ରହାମଙ୍କ ସମୟରେ ଯେଉଁ ପୂର୍ବକାଳୀନ ଦୁର୍ଭିକ୍ଷ ଘଟିଥିଲା, ତାହା ଛଡ଼ା ସେହି ଦେଶରେ ଆଉ ଗୋଟିଏ ଦୁର୍ଭିକ୍ଷ ହେଲା। ତେଣୁ ଇସ୍ହାକ ପଲେଷ୍ଟୀୟମାନଙ୍କ ରାଜା ଅବୀମେଲକଙ୍କ ନିକଟକୁ ଗରାରକୁ ଗଲେ।
2ପୁଣି ଆମ୍ଭମାନଙ୍କ ପିତା ତାହାଙ୍କୁ ଦର୍ଶନ ଦେଇ କହିଲେ, “ତୁମ୍ଭେ ମିସରକୁ ଓହ୍ଲାଇ ଯାଅ ନାହିଁ; ଆମ୍ଭେ ଯେଉଁ ଦେଶ ବିଷୟ ତୁମ୍ଭକୁ କହିବା, ସେହି ଦେଶରେ ବାସ କର। 3ଏହି ଦେଶରେ ପ୍ରବାସ କର, ଆଉ ଆମ୍ଭେ ତୁମ୍ଭ ସଙ୍ଗରେ ରହି ତୁମ୍ଭକୁ ଆଶୀର୍ବାଦ କରିବା; କାରଣ ଆମ୍ଭେ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହିସବୁ ଦେଶ ଦେବା, ପୁଣି ତୁମ୍ଭ ପିତା ଅବ୍ରହାମଙ୍କ ନିକଟରେ ଯେଉଁ ଶପଥ କରିଥିଲୁ, ତାହା ସଫଳ କରିବା। 4ପୁଣି ଆମ୍ଭେ ଆକାଶର ନକ୍ଷତ୍ର ତୁଲ୍ୟ ତୁମ୍ଭ ବଂଶ ବୃଦ୍ଧି କରିବା ଓ ତୁମ୍ଭ ବଂଶକୁ ଏହିସବୁ ଦେଶ ଦେବା, ପୁଣି ତୁମ୍ଭ ବଂଶ ଦ୍ଵାରା ପୃଥିବୀର ସମସ୍ତ ଗୋଷ୍ଠୀ ଆଶୀର୍ବାଦ ପ୍ରାପ୍ତ ହେବେ; 5କାରଣ ଅବ୍ରହାମ ଆମ୍ଭର ବାକ୍ୟ ପାଳନ କଲେ, ପୁଣି ଆମ୍ଭର ଆଦେଶ, ଆମ୍ଭର ଆଜ୍ଞା, ଆମ୍ଭର ବିଧି ଓ ଆମ୍ଭର ବ୍ୟବସ୍ଥା ରକ୍ଷା କଲେ।”
6ତେଣୁ ଇସ୍ହାକ ଗରାରରେ ବାସ କଲେ। 7ସେହି ସ୍ଥାନର ଲୋକମାନେ ତାହାଙ୍କ ଭାର୍ଯ୍ୟା ବିଷୟରେ ପଚାରନ୍ତେ, ସେ ଉତ୍ତର ଦେଲେ, “ସେ ମୋହର ଭଗିନୀ”; କାରଣ “ସେ ମୋହର ଭାର୍ଯ୍ୟା” ବୋଲି କହିବାକୁ ସେ ଭୀତ ହେଲେ, ପୁଣି ମନେ ମନେ ଭାବିଲେ, “ରିବିକା ସୁନ୍ଦରୀ ହେତୁ ଏହି ସ୍ଥାନର ଲୋକମାନେ ତାହା ନିମନ୍ତେ ମୋତେ ବଧ କରିବେ।” 8ସେ ସେଠାରେ ବହୁ କାଳ ରହିଲା ଉତ୍ତାରେ ପଲେଷ୍ଟୀୟମାନଙ୍କ ରାଜା ଅବୀମେଲକ ଝରକା ବାଟେ ଅନାଇ ଦେଖିଲେ ଯେ, ଇସ୍ହାକ ଆପଣା ଭାର୍ଯ୍ୟା ରିବିକାଙ୍କ ସଙ୍ଗେ କୌତୁକ କରୁଅଛନ୍ତି। 9ତେଣୁ ଅବୀମେଲକ ଇସ୍ହାକଙ୍କୁ ଡକାଇ କହିଲେ, “ସେ ତ ନିଶ୍ଚୟ ତୁମ୍ଭ ଭାର୍ଯ୍ୟା! ତେବେ ‘ସେ ମୋହର ଭଗିନୀ’ ବୋଲି କିପରି କହିଲ?” ଇସ୍ହାକ ତାହାଙ୍କୁ କହିଲେ, “କାରଣ ‘ତାହା ହେତୁ ମୁଁ ମରିବି’ ବୋଲି ମୁଁ ଭାବିଥିଲି।”
10ଅବୀମେଲକ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ? ଲୋକମାନଙ୍କ ମଧ୍ୟରୁ କେହି ସହଜରେ ତୁମ୍ଭ ଭାର୍ଯ୍ୟା ସହିତ ଶୟନ କରିପାରିଥାʼନ୍ତା, ତହିଁରେ ତୁମ୍ଭେ ଆମ୍ଭମାନଙ୍କ ଉପରେ ଦୋଷ ଘଟାଇଥାʼନ୍ତ।” 11ତେଣୁ ଅବୀମେଲକ ସମସ୍ତ ଲୋକଙ୍କୁ ଆଜ୍ଞା ଦେଇ କହିଲେ, “ଯେ କେହି ଏହି ମନୁଷ୍ୟକୁ କି ତାହାର ଭାର୍ଯ୍ୟାକୁ ସ୍ପର୍ଶ କରିବ, ସେ ନିଶ୍ଚୟ ହତ ହେବ।”
12ଅନନ୍ତର ଇସ୍ହାକ ସେହି ଦେଶରେ କୃଷିକର୍ମ କଲେ, ଆଉ ସେହି ବର୍ଷ ଶହ ଗୁଣ ଫଳ ପାଇଲେ; କାରଣ ଆମ୍ଭମାନଙ୍କ ପିତା ତାହାଙ୍କୁ ଆଶୀର୍ବାଦ କଲେ। 13ପୁଣି ସେହି ମନୁଷ୍ୟ ଧନବାନ ହେଲେ ଓ କ୍ରମଶଃ ଅଧିକ ଅଧିକ ଉନ୍ନତି ପାଇ ଅତ୍ୟନ୍ତ ମହାନ ହେଲେ। 14ତାହାଙ୍କର ମେଷଗୋଷ୍ଠୀ ଓ ଗୋଷ୍ଠୀ ପୁଣି ବହୁସଂଖ୍ୟକ ଦାସ ଥିଲେ, ଏଣୁ ପଲେଷ୍ଟୀୟମାନେ ତାହାଙ୍କୁ ଈର୍ଷା କଲେ। 15ତାହାଙ୍କ ପିତା ଅବ୍ରହାମଙ୍କ ସମୟରେ ତାହାଙ୍କ ପିତାଙ୍କ ଦାସମାନେ ଯେଉଁସବୁ କୂପ ଖୋଳିଥିଲେ, ସେହିସବୁ ପଲେଷ୍ଟୀୟମାନେ ବନ୍ଦ କରି ମାଟିରେ ପୂର୍ଣ୍ଣ କରିଥିଲେ। 16ପୁଣି ଅବୀମେଲକ ଇସ୍ହାକଙ୍କୁ କହିଲେ, “ଆମ୍ଭମାନଙ୍କ ନିକଟରୁ ପ୍ରସ୍ଥାନ କର; କାରଣ ତୁମ୍ଭେ ଆମ୍ଭମାନଙ୍କ ଅପେକ୍ଷା ଅତ୍ୟନ୍ତ ବଳବାନ ହୋଇ ଉଠିଅଛ।”
17ତେଣୁ ଇସ୍ହାକ ସେଠାରୁ ଯାଇ ଗରାର ଉପତ୍ୟକାରେ ଛାଉଣି ସ୍ଥାପନ କରି ସେଠାରେ ବାସ କଲେ। 18ପୁଣି ତାହାଙ୍କ ପିତା ଅବ୍ରହାମଙ୍କ ସମୟରେ ଯେଉଁ ଜଳକୂପ ଖୋଳା ଯାଇଥିଲା, ଅବ୍ରହାମଙ୍କ ମୃତ୍ୟୁ ଉତ୍ତାରେ ପଲେଷ୍ଟୀୟମାନେ ଯାହା ବନ୍ଦ କରିଥିଲେ, ସେହିସବୁ କୂପ ଇସ୍ହାକ ପୁନର୍ବାର ଖୋଳିଲେ ଓ ଆପଣା ପିତା ସେହିସବୁର ଯେଉଁ ଯେଉଁ ନାମ ଦେଇଥିଲେ, ସେହି ସେହି ନାମରେ ସେଗୁଡ଼ିକର ନାମ ଦେଲେ। 19ମାତ୍ର ଇସ୍ହାକଙ୍କ ଦାସମାନେ ସେହି ଉପତ୍ୟକାରେ ଖୋଳି ସେଠାରେ ନିର୍ଝର ଜଳର ଗୋଟିଏ କୂପ ପାଇଲେ; 20ତହିଁରେ ଗରାରର ପଶୁପାଳକମାନେ ଇସ୍ହାକଙ୍କ ପଶୁପାଳକମାନଙ୍କ ସଙ୍ଗେ ବିବାଦ କରି କହିଲେ, “ଏ ଜଳ ଆମ୍ଭମାନଙ୍କର।” ସେଥିରେ ସେ ସେହି କୂପର ନାମ ଏଷକ ଦେଲେ, କାରଣ ସେମାନେ ତାହାଙ୍କ ସଙ୍ଗେ ବିବାଦ କଲେ। a a v20 ଏଷକ ନାମର ଅର୍ଥ “ବିବାଦ”। 21ଏଥିଉତ୍ତାରେ ସେମାନେ ଆଉ ଗୋଟିଏ କୂପ ଖୋଳିଲେ, ତାହା ନିମନ୍ତେ ମଧ୍ୟ ବିବାଦ କଲେ; ଏଣୁ ସେ ତାହାର ନାମ ସିଟ୍ନା ଦେଲେ। b b v21 ସିଟ୍ନା ନାମର ଅର୍ଥ “ବିରୋଧ”। 22ପୁଣି ସେ ସେଠାରୁ ପ୍ରସ୍ଥାନ କରି ଆଉ ଗୋଟିଏ କୂପ ଖୋଳିଲେ; ତାହା ନିମନ୍ତେ ସେମାନେ ବିବାଦ କଲେ ନାହିଁ, ଏଣୁ ସେ ତାହାର ନାମ ରିହୋବୋତ୍ ଦେଇ କହିଲେ, “ବର୍ତ୍ତମାନ ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରଶସ୍ତ କଲେ, ଆଉ ଆମ୍ଭେମାନେ ଏହି ଦେଶରେ ବର୍ଦ୍ଧିଷ୍ଣୁ ହେବୁ।” c c v22 ରିହୋବୋତ୍ ନାମର ଅର୍ଥ “ସ୍ଥାନ” ବା “ପ୍ରଶସ୍ତ ସ୍ଥାନ”।
23ତହିଁ ଉତ୍ତାରେ ସେ ସେଠାରୁ ବେର୍ଶେବାକୁ ଗଲେ।
24ପୁଣି ସେହି ରାତ୍ରିରେ ଆମ୍ଭମାନଙ୍କ ପିତା ତାହାଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭ ପିତା ଅବ୍ରହାମଙ୍କ ଈଶ୍ଵର; ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗେ ଅଛୁ, ଆଉ ଆମ୍ଭର ଦାସ ଅବ୍ରହାମଙ୍କ ସକାଶୁ ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରିବା ଓ ତୁମ୍ଭ ବଂଶ ବୃଦ୍ଧି କରିବା।”
25ତହିଁରେ ସେ ସେଠାରେ ଗୋଟିଏ ଯଜ୍ଞବେଦି ନିର୍ମାଣ କରି ଆମ୍ଭମାନଙ୍କ ପିତାଙ୍କ ନାମରେ ପ୍ରାର୍ଥନା କଲେ ଓ ସେଠାରେ ଆପଣା ତମ୍ବୁ ସ୍ଥାପନ କଲେ; ପୁଣି ସେଠାରେ ଇସ୍ହାକଙ୍କ ଦାସମାନେ ଗୋଟିଏ କୂପ ଖୋଳିଲେ।
26ଏଥିଉତ୍ତାରେ ଅବୀମେଲକ ଆପଣା ମନ୍ତ୍ରୀ ଅହୁଷତ୍ ଓ ସେନାପତି ଫୀଖୋଲଙ୍କ ସହିତ ଗରାରରୁ ତାହାଙ୍କ ନିକଟକୁ ଆସିଲେ। 27ତହିଁରେ ଇସ୍ହାକ ସେମାନଙ୍କୁ କହିଲେ, “ଆପଣମାନେ ତ ମୋତେ ଘୃଣା କରି ଆପଣାମାନଙ୍କ ନିକଟରୁ ବିଦାୟ କରିଥିଲେ, ତେବେ କାହିଁକି ମୋʼ ନିକଟକୁ ଆସିଲେ?”
28ସେମାନେ କହିଲେ, “ଈଶ୍ଵର ଯେ ଆପଣଙ୍କ ସଙ୍ଗେ ଅଛନ୍ତି, ଏହା ଆମ୍ଭେମାନେ ସ୍ପଷ୍ଟ ଦେଖିଲୁ, ଏଣୁ ଆମ୍ଭେମାନେ କହିଲୁ, ‘ଆମ୍ଭମାନଙ୍କ ମଧ୍ୟରେ, ଅର୍ଥାତ୍ ଆପଣଙ୍କ ଓ ଆମ୍ଭମାନଙ୍କ ମଧ୍ୟରେ ଏକ ଶପଥ ହେଉ, ଆଉ ଆମ୍ଭେମାନେ ଆପଣଙ୍କ ସଙ୍ଗେ ଏକ ନିୟମ ସ୍ଥାପନ କରୁ, 29ଯେପରି ଆପଣ ଆମ୍ଭମାନଙ୍କର କୌଣସି ଅନିଷ୍ଟ କରିବେ ନାହିଁ, ଯେପରି ଆମ୍ଭେମାନେ ଆପଣଙ୍କୁ ସ୍ପର୍ଶ ନ କରି କେବଳ ମଙ୍ଗଳ କଲୁ ଓ ଆପଣଙ୍କୁ କୁଶଳରେ ବିଦାୟ କଲୁ। ଆପଣ ତ ବର୍ତ୍ତମାନ ଈଶ୍ଵରଙ୍କ ଆଶୀର୍ବାଦ-ପ୍ରାପ୍ତ।’”
30ତେଣୁ ଇସ୍ହାକ ସେମାନଙ୍କ ନିମନ୍ତେ ଗୋଟିଏ ଭୋଜ ପ୍ରସ୍ତୁତ କଲେ, ଆଉ ସେମାନେ ଭୋଜନ ପାନ କଲେ। 31ତହିଁ ଆରଦିନ ପ୍ରଭାତରେ ସେମାନେ ଉଠି ପରସ୍ପର ଶପଥ କଲେ; ପୁଣି ଇସ୍ହାକ ସେମାନଙ୍କୁ ବିଦାୟ କରନ୍ତେ, ସେମାନେ କୁଶଳରେ ତାହାଙ୍କ ନିକଟରୁ ପ୍ରସ୍ଥାନ କଲେ। 32ସେହି ଦିନ ଇସ୍ହାକଙ୍କ ଦାସମାନେ ଆସି ଆପଣାମାନଙ୍କ ଖୋଳିଥିବା କୂପ ବିଷୟରେ ତାହାଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଜଳ ପାଇଲୁ!” 33ତହିଁରେ ସେ ତାହାର ନାମ ଶିବ୍ଆ ଦେଲେ; ଏହେତୁ ଆଜି ପର୍ଯ୍ୟନ୍ତ ସେହି ନଗରର ନାମ ବେର୍ଶେବା ଅଟେ। d d v33 ଶିବ୍ଆର ଅର୍ଥ “ଶପଥ”; ବେର୍ଶେବାର ଅର୍ଥ “ଶପଥର କୂପ”।
34ଏଷୌ ଚାଳିଶ ବର୍ଷ ବୟସରେ ହିତ୍ତୀୟ ବେରିର କନ୍ୟା ଯିହୂଦୀତ୍କୁ ଓ ହିତ୍ତୀୟ ଏଲୋନର କନ୍ୟା ବାସମତ୍କୁ ବିବାହ କଲେ। 35ଆଉ ସେମାନେ ଇସ୍ହାକ ଓ ରିବିକାଙ୍କ ପ୍ରତି ମନଃପୀଡ଼ାର କାରଣ ହେଲେ।