ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କ ମୃତ୍ୟୁର ଷଡ଼଼ଯନ୍ତ୍ର କଲେ
ଯିହୂଦା ଏକ ମୂଲ୍ୟରେ ରାଜି ହୁଏ। ନିସ୍ତାରପର୍ବ ଭୋଜନରେ ଯୀଶୁ ରୁଟି ଓ ପାନପାତ୍ର ଦିଅନ୍ତି, ଆଉ ତାଙ୍କ ବନ୍ଧୁମାନେ କିଏ ବଡ଼ ସେଥିନେଇ ତର୍କ କରନ୍ତି। ସେ ଯନ୍ତ୍ରଣାରେ ତାଙ୍କ ପିତାଙ୍କ ନିକଟରେ ପ୍ରାର୍ଥନା କରନ୍ତି, ଯେପର୍ଯ୍ୟନ୍ତ ତାଙ୍କ ଝାଳ ରକ୍ତବିନ୍ଦୁ ପରି ଝରେ; ଏକ ଚୁମ୍ବନ ଦ୍ୱାରା ସେ ଧରାଇଦିଆଯାଆନ୍ତି, ଏବଂ ପିତର ତାଙ୍କୁ ତିନିଥର ଅସ୍ୱୀକାର କରନ୍ତି, ତାʼପରେ ତାଙ୍କ ଆଖିରେ ଆଖି ମିଳେ।
22 1ଏହି ସମୟରେ ତାଡ଼ିଶୂନ୍ୟ ରୋଟୀର ପର୍ବ, ଯାହା ନିସ୍ତାରପର୍ବ ବୋଲି କୁହାଯାଏ, ନିକଟବର୍ତ୍ତୀ ହେଉଥିଲା। 2ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କିପରି ତାହାଙ୍କୁ ବଧ କରିବେ, ଏଥିପାଇଁ ଉପାୟ ଖୋଜୁଥିଲେ, କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।
3ସେତେବେଳେ ଇଷ୍କାରିୟୋତୀୟ ବୋଲି କଥିତ ଯିହୂଦା, ଯେ ବାର ଜଣଙ୍କ ମଧ୍ୟରୁ ଜଣେ ଥିଲା, ତାହାଠାରେ ଶୟତାନ ପ୍ରବେଶ କଲା। 4ଆଉ ସେ ଯାଇ ପ୍ରଧାନ ଯାଜକ ଓ ମନ୍ଦିରର ସେନାପତିମାନଙ୍କ ସହିତ କିପରି ତାହାଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରିବ, ସେ ବିଷୟରେ ପରାମର୍ଶ କଲା। 5ସେଥିରେ ସେମାନେ ଆନନ୍ଦିତ ହୋଇ ତାହାକୁ ଅର୍ଥ ଦେବା ପାଇଁ ସମ୍ମତ ହେଲେ। 6ପୁଣି ସେ ରାଜି ହୋଇ ଲୋକସମୂହ ଅନୁପସ୍ଥିତିରେ ତାହାଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରିବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା।
ଶେଷ ନିସ୍ତାରପର୍ବ ପ୍ରସ୍ତୁତ ହେଲା
7ଏହାପରେ ତାଡ଼ିଶୂନ୍ୟ ରୋଟୀର ଦିନ ଉପସ୍ଥିତ ହେଲା, ଯେତେବେଳେ ନିସ୍ତାରପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ।
8ପୁଣି ଯୀଶୁ ପିତର ଓ ଯୋହନଙ୍କୁ ଏହା କହି ପ୍ରେରଣ କଲେ, “ଆମ୍ଭମାନଙ୍କ ଭୋଜନ ନିମନ୍ତେ ଯାଇ ନିସ୍ତାରପର୍ବ ପ୍ରସ୍ତୁତ କର।”
9ସେମାନେ ତାହାଙ୍କୁ ପଚାରିଲେ, “ଆମ୍ଭେମାନେ କେଉଁଠାରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?”
10ସେ ସେମାନଙ୍କୁ କହିଲେ, “ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କଲା ମାତ୍ରେ ଜଣେ ଜଳ କଳସ ବହିଥିବା ଲୋକ ତୁମ୍ଭମାନଙ୍କୁ ଭେଟିବ। ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଶ୍ଚାତ୍ ଯାଅ,
11ଆଉ ସେହି ଗୃହର କର୍ତ୍ତାଙ୍କୁ କୁହ, ‘ଗୁରୁ ଆପଣଙ୍କୁ କହୁଅଛନ୍ତି: ମୁଁ ଯେଉଁଠାରେ ମୋହର ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବ ଭୋଜନ କରିବି, ସେହି ଅତିଥିଶାଳା କେଉଁଠାରେ?’ 12ପୁଣି ସେ ତୁମ୍ଭମାନଙ୍କୁ ସଜ୍ଜିତ ଏକ ବୃହତ୍ ଉପର କୋଠରୀ ଦେଖାଇ ଦେବ; ସେଠାରେ ପ୍ରସ୍ତୁତ କର।”
13ସେଥିରେ ସେମାନେ ଯାଇ ତାହାଙ୍କ କଥିତ ପ୍ରକାରେ ସମସ୍ତ ପାଇଲେ, ଆଉ ନିସ୍ତାରପର୍ବ ପ୍ରସ୍ତୁତ କଲେ।
14ପୁଣି ସମୟ ଉପସ୍ଥିତ ହୁଅନ୍ତେ ସେ ଓ ତାହାଙ୍କ ସହିତ ପ୍ରେରିତମାନେ ଭୋଜନରେ ବସିଲେ।
15ଆଉ ସେ ସେମାନଙ୍କୁ କହିଲେ, “ମୋହର ଦୁଃଖଭୋଗ ପୂର୍ବରୁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାରପର୍ବ ଭୋଜନ କରିବାକୁ ମୁଁ ଅତ୍ୟନ୍ତ ବାଞ୍ଛା କରିଅଛି। 16କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେପର୍ଯ୍ୟନ୍ତ ଆମ୍ଭମାନଙ୍କ ପିତାଙ୍କ ରାଜ୍ୟରେ ଏହା ସଫଳ ନ ହୁଏ, ସେପର୍ଯ୍ୟନ୍ତ ମୁଁ ଏହା ଆଉ ଭୋଜନ କରିବି ନାହିଁ।” 17ପୁଣି ସେ ପାନପାତ୍ର ନେଇ ଧନ୍ୟବାଦ ଦେଇ କହିଲେ, “ଏହା ନେଇ ଆପଣାମାନଙ୍କ ମଧ୍ୟରେ ଭାଗ କର। 18କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଏବେଠାରୁ ଦ୍ରାକ୍ଷାଫଳର ରସ ଆଉ ପାନ କରିବି ନାହିଁ।”
19ପୁଣି ସେ ରୋଟୀ ନେଇ ଧନ୍ୟବାଦ ଦେଇ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, “ଏହା ମୋହର ଶରୀର, ଯାହା ତୁମ୍ଭମାନଙ୍କ ନିମନ୍ତେ ଦିଆଯାଉଅଛି। ମୋହର ସ୍ମରଣାର୍ଥେ ଏହା କର।” 20ସେହିପରି ସେ ଭୋଜନ ଉତ୍ତାରେ ପାନପାତ୍ର ନେଇ କହିଲେ, “ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ, ଯାହା ତୁମ୍ଭମାନଙ୍କ ନିମନ୍ତେ ଢଳାଯାଉଅଛି। 21କିନ୍ତୁ ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋହର ସହିତ ମେଜ ଉପରେ ଅଛି। 22ମନୁଷ୍ୟପୁତ୍ର ତ ନିରୂପିତ ବିଷୟ ଅନୁସାରେ ଯାଉଅଛନ୍ତି, କିନ୍ତୁ ଯେଉଁ ଲୋକ ଦ୍ଵାରା ସେ ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ସେହି ଲୋକ ସନ୍ତାପର ପାତ୍ର!”
23ସେଥିରେ ଏହା ସେମାନଙ୍କ ମଧ୍ୟରୁ କେଉଁ ଜଣ କରିବ, ଏ ବିଷୟ ପରସ୍ପର ପଚାରିବାକୁ ସେମାନେ ଆରମ୍ଭ କଲେ।
24ଆଉ ସେମାନଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବୋଲି ଗଣିତ ହେବ, ଏ ବିଷୟରେ ସେମାନଙ୍କ ମଧ୍ୟରେ ବିବାଦ ମଧ୍ୟ ଉପସ୍ଥିତ ହେଲା।
25ସେଥିରେ ସେ ସେମାନଙ୍କୁ କହିଲେ, “ଅଣଯିହୂଦୀୟମାନଙ୍କ ରାଜାମାନେ ସେମାନଙ୍କ ଉପରେ ପ୍ରଭୁତ୍ଵ କରନ୍ତି, ଆଉ ସେମାନଙ୍କ ଉପରେ ଯେଉଁମାନେ କ୍ଷମତା ଚଳାନ୍ତି, ସେମାନେ ଉପକାରକ ବୋଲି ଖ୍ୟାତ ହୁଅନ୍ତି। 26କିନ୍ତୁ ତୁମ୍ଭେମାନେ ସେପ୍ରକାର ନୁହ; ବରଂ ତୁମ୍ଭମାନଙ୍କ ମଧ୍ୟରେ ଯେ ଶ୍ରେଷ୍ଠ, ସେ କନିଷ୍ଠ ପରି ହେଉ, ଆଉ ଯେ ନେତା, ସେ ସେବକ ପରି ହେଉ। 27କାରଣ କିଏ ଶ୍ରେଷ୍ଠ — ଯେ ଭୋଜନରେ ବସେ, କି ଯେ ସେବା କରେ? ଯେ ଭୋଜନରେ ବସେ, ସେ କି ନୁହେଁ? ତଥାପି ମୁଁ ତୁମ୍ଭମାନଙ୍କ ମଧ୍ୟରେ ସେବକ ତୁଲ୍ୟ ଅଛି।
28ମୋହର ପରୀକ୍ଷାସମୂହରେ ଯେଉଁମାନେ ମୋʼ ସହିତ ରହିଅଛନ୍ତି, ତୁମ୍ଭେମାନେ ସେହିମାନେ, 29ଆଉ ମୋହର ପିତା ଯେପରି ମୋତେ ଏକ ରାଜ୍ୟ ପ୍ରଦାନ କରିଅଛନ୍ତି, ସେପରି ମୁଁ ତୁମ୍ଭମାନଙ୍କୁ ଏକ ରାଜ୍ୟ ପ୍ରଦାନ କରୁଅଛି, 30ଯେପରି ତୁମ୍ଭେମାନେ ମୋହର ରାଜ୍ୟରେ ମୋହର ମେଜରେ ଭୋଜନ ଓ ପାନ କରିବ, ପୁଣି ସିଂହାସନରେ ବସି ଇସ୍ରାଏଲର ଦ୍ଵାଦଶ ଗୋଷ୍ଠୀର ବିଚାର କରିବ।”
31“ଶିମୋନ, ଶିମୋନ, ଶୁଣ — ଶୟତାନ ତୁମ୍ଭ ସମସ୍ତଙ୍କୁ ଗହମ ପରି ଚଲାଇବା ନିମନ୍ତେ ଆଗ୍ରହ କରିଅଛି, 32କିନ୍ତୁ ତୁମ୍ଭର ବିଶ୍ଵାସ ଯେପରି ବିଫଳ ନ ହୁଏ, ଏଥିନିମନ୍ତେ ମୁଁ ତୁମ୍ଭ ପାଇଁ ପ୍ରାର୍ଥନା କରିଅଛି। ଆଉ ତୁମ୍ଭେ ଥରେ ଫେରିଲା ଉତ୍ତାରେ ଆପଣା ଭ୍ରାତୃଗଣଙ୍କୁ ସୁସ୍ଥିର କର।”
33ପିତର ତାହାଙ୍କୁ କହିଲେ, “ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଓ ମୃତ୍ୟୁକୁ ଯିବା ନିମନ୍ତେ ପ୍ରସ୍ତୁତ ଅଛି।”
34ଯୀଶୁ କହିଲେ, “ପିତର, ମୁଁ ତୁମ୍ଭକୁ କହୁଅଛି, ତୁମ୍ଭେ ମୋତେ ଜାଣ ବୋଲି ତିନି ଥର ଅସ୍ଵୀକାର ନ କରିବା ପର୍ଯ୍ୟନ୍ତ ଆଜି କୁକୁଡ଼ା ଡାକିବ ନାହିଁ।”
35ପୁଣି ସେ ସେମାନଙ୍କୁ ପଚାରିଲେ, “ମୁଁ ଯେତେବେଳେ ତୁମ୍ଭମାନଙ୍କୁ ଅର୍ଥଥଳୀ, ଝୁଲା କିମ୍ବା ପାଦୁକା ବିନା ପଠାଇଥିଲି, ସେତେବେଳେ ତୁମ୍ଭମାନଙ୍କର କାହିଁରେ ଅଭାବ ହୋଇଥିଲା କି?” ସେମାନେ କହିଲେ, “କାହିଁରେ ନୁହେଁ।”
36ସେଥିରେ ସେ ସେମାନଙ୍କୁ କହିଲେ, “କିନ୍ତୁ ଏବେ ଯାହାର ଅର୍ଥଥଳୀ ଅଛି, ସେ ତାହା ନେଉ, ପୁଣି ଝୁଲା ମଧ୍ୟ ନେଉ। ଆଉ ଯାହାର ଖଣ୍ଡା ନାହିଁ, ସେ ଆପଣା ବସ୍ତ୍ର ବିକ୍ରୟ କରି ଖଣ୍ଡା କିଣୁ। 37କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏହି ଶାସ୍ତ୍ରବାକ୍ୟ ମୋʼଠାରେ ଅବଶ୍ୟ ସଫଳ ହେବ, ‘ସେ ପାପୀମାନଙ୍କ ସଙ୍ଗେ ଗଣିତ ହେଲେ।’ ଯେଣୁ ମୋʼ ବିଷୟରେ ଯାହା ଲିଖିତ, ତାହା ସଫଳ ହେଉଅଛି।”
38ସେଥିରେ ସେମାନେ କହିଲେ, “ପ୍ରଭୁ, ଦେଖନ୍ତୁ, ଏଠାରେ ଦୁଇଟି ଖଣ୍ଡା ଅଛି।” ସେ ସେମାନଙ୍କୁ କହିଲେ, “ଯଥେଷ୍ଟ।”
ପୁତ୍ର ପିତାଙ୍କ ନିକଟରେ ଆତ୍ମସମର୍ପଣ କଲେ
39ଆଉ ସେ ବାହାରି ଆପଣା ରୀତି ଅନୁସାରେ ଜୀତପର୍ବତକୁ ଗଲେ, ପୁଣି ଶିଷ୍ୟମାନେ ମଧ୍ୟ ତାହାଙ୍କ ପଶ୍ଚାତ୍ ଗଲେ।
40ସେହି ସ୍ଥାନରେ ଉପସ୍ଥିତ ହୁଅନ୍ତେ ସେ ସେମାନଙ୍କୁ କହିଲେ, “ଯେପରି ତୁମ୍ଭେମାନେ ପରୀକ୍ଷାରେ ନ ପଡ଼, ଏଥିପାଇଁ ପ୍ରାର୍ଥନା କର।”
41ପୁଣି ସେ ସେମାନଙ୍କଠାରୁ ପ୍ରାୟ ଏକ ଢ଼େଲା ପକାଇବା ଦୂରତାକୁ ଅଲଗା ହୋଇ ଆଣ୍ଠୋଇ ପଡ଼ି ପ୍ରାର୍ଥନା କଲେ,
42ଆଉ କହିଲେ, “ପିତଃ, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ପାନପାତ୍ର ମୋʼଠାରୁ ଦୂର କର। ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ।”
43ସେତେବେଳେ ସ୍ଵର୍ଗରୁ ଜଣେ ଦୂତ ତାହାଙ୍କ ନିକଟରେ ଦର୍ଶନ ଦେଇ ତାହାଙ୍କୁ ବଳ ଦେଲେ। a a v43 ୪୩-୪୪ ପଦ କେତେକ ପ୍ରାଚୀନ ପାଣ୍ଡୁଲିପିରେ ନାହିଁ। ଅଧିକାଂଶ ଆଧୁନିକ ବାଇବଲ ପରି ଏଠାରେ ସେଗୁଡ଼ିକ ମୁଦ୍ରିତ ହୋଇଅଛି। 44ଆଉ ସେ ଯନ୍ତ୍ରଣାରେ ଆହୁରି ଏକାଗ୍ରଭାବେ ପ୍ରାର୍ଥନା କଲେ; ତାହାଙ୍କ ଝାଳ ବଡ଼ ବଡ଼ ରକ୍ତବିନ୍ଦୁ ପରି ଭୂମିରେ ପଡ଼ିବାକୁ ଲାଗିଲା।
45ପୁଣି ସେ ପ୍ରାର୍ଥନାରୁ ଉଠି ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ଶୋକରେ ନିଦ୍ରିତ ଦେଖିଲେ,
46ଆଉ ସେ ସେମାନଙ୍କୁ କହିଲେ, “କାହିଁକି ଶୋଇ ପଡ଼ିଅଛ? ଉଠ ଓ ପ୍ରାର୍ଥନା କର, ଯେପରି ତୁମ୍ଭେମାନେ ପରୀକ୍ଷାରେ ନ ପଡ଼।”
ଚୁମ୍ବନ ଦ୍ଵାରା ଶତ୍ରୁ ହସ୍ତରେ ସମର୍ପିତ
47ସେ ଏହି କଥା କହୁଥିବା ସମୟରେ ଜନଗହଳି ଆସିଲା, ଆଉ ଯିହୂଦା ବୋଲି କଥିତ ଜଣେ, ଯେ ବାର ଜଣଙ୍କ ମଧ୍ୟରୁ ଜଣେ, ସେମାନଙ୍କୁ କଢ଼ାଇ ଆଣୁଥିଲା। ସେ ଯୀଶୁଙ୍କୁ ଚୁମ୍ବନ କରିବା ନିମନ୍ତେ ତାହାଙ୍କ ନିକଟକୁ ଆସିଲା,
48କିନ୍ତୁ ଯୀଶୁ ତାହାକୁ କହିଲେ, “ଯିହୂଦା, ତୁମ୍ଭେ କି ଚୁମ୍ବନ ଦ୍ଵାରା ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ?”
49ଯାହା ଘଟିବାକୁ ଯାଉଥିଲା, ତାହା ଦେଖି ତାହାଙ୍କ ସଙ୍ଗୀମାନେ କହିଲେ, “ପ୍ରଭୁ, ଆମ୍ଭେମାନେ କି ଖଣ୍ଡାରେ ଆଘାତ କରିବୁ?” 50ଆଉ ସେମାନଙ୍କ ମଧ୍ୟରୁ ଜଣେ ମହାଯାଜକଙ୍କ ଦାସକୁ ଆଘାତ କରି ତାହାର ଡାହାଣ କର୍ଣ୍ଣ କାଟି ପକାଇଲା।
51କିନ୍ତୁ ଯୀଶୁ ଉତ୍ତର ଦେଲେ, “ଏତିକି ପର୍ଯ୍ୟନ୍ତ ଛାଡ଼!” ଆଉ ସେ ସେହି କର୍ଣ୍ଣ ସ୍ପର୍ଶ କରି ତାହାକୁ ସୁସ୍ଥ କଲେ। 52ସେତେବେଳେ ଯୀଶୁ ଆପଣା ବିରୁଦ୍ଧରେ ବାହାରି ଆସିଥିବା ପ୍ରଧାନ ଯାଜକ, ମନ୍ଦିରର ସେନାପତି ଓ ପ୍ରାଚୀନବର୍ଗଙ୍କୁ କହିଲେ, “ତୁମ୍ଭେମାନେ କି ଡକାୟତ ବିରୁଦ୍ଧରେ ବାହାରିଲା ପରି ଖଣ୍ଡା ଓ ଠେଙ୍ଗା ଘେନି ବାହାରି ଆସିଅଛ? 53ମୁଁ ପ୍ରତିଦିନ ମନ୍ଦିରରେ ତୁମ୍ଭମାନଙ୍କ ସହିତ ଥିଲି, ଆଉ ତୁମ୍ଭେମାନେ ମୋʼ ଉପରେ ହସ୍ତକ୍ଷେପ କଲ ନାହିଁ। କିନ୍ତୁ ଏହା ତୁମ୍ଭମାନଙ୍କ ସମୟ ଓ ଅନ୍ଧକାରର କ୍ଷମତା।”
ପିତର ଯୀଶୁଙ୍କୁ ଜାଣିବା ଅସ୍ଵୀକାର କଲେ
54ପୁଣି ସେମାନେ ତାହାଙ୍କୁ ଧରି ନେଇ ମହାଯାଜକଙ୍କ ଗୃହ ଭିତରକୁ ଆଣିଲେ; ପିତର ଦୂରରେ ରହି ପଶ୍ଚାତ୍ ଯାଉଥିଲେ। 55ସେମାନେ ପ୍ରାଙ୍ଗଣ ମଧ୍ୟଭାଗରେ ନିଆଁ ଜଳାଇ ଏକତ୍ର ବସିବାରୁ ପିତର ସେମାନଙ୍କ ମଧ୍ୟରେ ବସିଲେ। 56କିନ୍ତୁ ଜଣେ ଦାସୀ ତାହାଙ୍କୁ ଆଲୋକ ସମ୍ମୁଖରେ ବସିଥିବା ଦେଖି ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ କହିଲା, “ଏ ଲୋକ ମଧ୍ୟ ତାହାଙ୍କ ସଙ୍ଗରେ ଥିଲା।”
57କିନ୍ତୁ ସେ ଅସ୍ଵୀକାର କରି କହିଲେ, “ହେ ନାରୀ, ମୁଁ ତାହାଙ୍କୁ ଜାଣେ ନାହିଁ।”
58ଅଳ୍ପ ସମୟ ଉତ୍ତାରେ ଆଉ ଜଣେ ତାହାଙ୍କୁ ଦେଖି କହିଲା, “ତୁମ୍ଭେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ।” କିନ୍ତୁ ପିତର କହିଲେ, “ହେ ମନୁଷ୍ୟ, ମୁଁ ନୁହେଁ।”
59ପ୍ରାୟ ଏକ ଘଣ୍ଟା ଉତ୍ତାରେ ଆଉ ଜଣେ ଦୃଢ଼ ଭାବରେ କହିଲା, “ଏ ଲୋକ ନିଶ୍ଚୟ ତାହାଙ୍କ ସଙ୍ଗରେ ଥିଲା, କାରଣ ସେ ମଧ୍ୟ ଜଣେ ଗାଲିଲୀୟ।”
60କିନ୍ତୁ ପିତର କହିଲେ, “ହେ ମନୁଷ୍ୟ, ତୁମ୍ଭେ କʼଣ କହୁଅଛ, ତାହା ମୁଁ ଜାଣେ ନାହିଁ।” ଆଉ ସେ କଥା କହୁଥିବା ସମୟରେ ହିଁ ସେହିକ୍ଷଣି କୁକୁଡ଼ା ଡାକିଲା। 61ସେତେବେଳେ ପ୍ରଭୁ ବୁଲିପଡ଼ି ପିତରଙ୍କ ପ୍ରତି ଦୃଷ୍ଟିପାତ କଲେ। ପୁଣି, “ଆଜି କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ତିନି ଥର ମୋତେ ଅସ୍ଵୀକାର କରିବ,” ବୋଲି ପ୍ରଭୁ ଯେଉଁ କଥା ତାହାଙ୍କୁ କହିଥିଲେ, ତାହା ପିତର ସ୍ମରଣ କଲେ। 62ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବିଳାପ କରି ରୋଦନ କଲେ।
63ଏହି ସମୟରେ ଯେଉଁ ଲୋକମାନେ ଯୀଶୁଙ୍କୁ ଧରିଥିଲେ, ସେମାନେ ତାହାଙ୍କୁ ପ୍ରହାର କରୁ କରୁ ପରିହାସ କଲେ। 64ଆଉ ସେମାନେ ତାହାଙ୍କ ଆଖି ବାନ୍ଧି ପଚାରିବାକୁ ଲାଗିଲେ, “ଭାବବାଣୀ କୁହ! ତୋତେ କିଏ ମାରିଲା?” 65ପୁଣି ସେମାନେ ତାହାଙ୍କ ବିରୁଦ୍ଧରେ ଆହୁରି ଅନେକ କଥା କହି ତାହାଙ୍କୁ ନିନ୍ଦା କଲେ।
ଯୀଶୁ ମହାସଭା ସମ୍ମୁଖରେ ଠିଆ ହେଲେ
66ପ୍ରଭାତ ହୁଅନ୍ତେ ଲୋକମାନଙ୍କ ପ୍ରାଚୀନବର୍ଗର ମହାସଭା — ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ — ଏକତ୍ର ହେଲେ, ଆଉ ତାହାଙ୍କୁ ସେମାନଙ୍କ ମହାସଭାକୁ ନେଇଯାଇ କହିଲେ,
67“ଯଦି ତୁମ୍ଭେ ଖ୍ରୀଷ୍ଟ, ତେବେ ଆମ୍ଭମାନଙ୍କୁ କୁହ।” ସେ ସେମାନଙ୍କୁ କହିଲେ, “ଯଦି ମୁଁ ତୁମ୍ଭମାନଙ୍କୁ କହେ, ତେବେ ତୁମ୍ଭେମାନେ ବିଶ୍ଵାସ କରିବ ନାହିଁ,
68ଆଉ ଯଦି ମୁଁ ପଚାରେ, ତେବେ ତୁମ୍ଭେମାନେ ଉତ୍ତର ଦେବ ନାହିଁ।
69କିନ୍ତୁ ଏବେଠାରୁ ମନୁଷ୍ୟପୁତ୍ର ଆମ୍ଭମାନଙ୍କ ପିତାଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ ହେବେ।”
70ସେଥିରେ ସମସ୍ତେ କହିଲେ, “ତେବେ ତୁମ୍ଭେ କି ଈଶ୍ଵରଙ୍କ ପୁତ୍ର?” ସେ ସେମାନଙ୍କୁ କହିଲେ, “ମୁଁ ଯେ ଅଟେ, ଏହା ତୁମ୍ଭେମାନେ କହୁଅଛ।”
71ସେଥିରେ ସେମାନେ କହିଲେ, “ଆମ୍ଭମାନଙ୍କର ଆଉ ସାକ୍ଷ୍ୟରେ କʼଣ ପ୍ରୟୋଜନ? କାରଣ ଆମ୍ଭେମାନେ ନିଜେ ତାହାର ମୁଖରୁ ଏହା ଶୁଣିଲୁ।”