ବିଧବାର ସମ୍ପୂର୍ଣ୍ଣ ହୃଦୟ
ଜଣେ ବିଧବା ଦୁଇଟି ମୁଦ୍ରା ପକାଏ ଏବଂ କୁହାଯାଏ ଯେ ସେ ସମସ୍ତଙ୍କ ଅପେକ୍ଷା ଅଧିକ ଦେଇଛି। ମନ୍ଦିରର ପଥର କାରୁକାର୍ଯ୍ୟର ପ୍ରଶଂସା ହେଉଥିବା ବେଳେ ଯୀଶୁ କହନ୍ତି ଯେ ଏଥିର କିଛି ହିଁ ରହିବ ନାହିଁ। ସେ ଯୁଦ୍ଧ, ଗିରଫ, ପରିବାର ଦ୍ୱାରା ବିଶ୍ୱାସଘାତକତା ଓ ଘେରାଯାଇଥିବା ଯିରୂଶାଲମର ବର୍ଣ୍ଣନା କରନ୍ତି, ଏବଂ ନିଜ ଅନୁସରଣକାରୀମାନଙ୍କୁ ସିଧା ହୋଇ ଠିଆ ହେବାକୁ ଓ ଜାଗ୍ରତ ରହିବାକୁ କହନ୍ତି।
21 1ଯୀଶୁ ଊର୍ଦ୍ଧ୍ଵକୁ ଅନାଇ ଧନୀମାନଙ୍କୁ ମନ୍ଦିରର ଭଣ୍ଡାରରେ ଆପଣା ଆପଣା ଦାନ ପକାଉଥିବା ଦେଖିଲେ। 2ପୁଣି, ଜଣେ ଦରିଦ୍ର ବିଧବା ଦୁଇଟି କ୍ଷୁଦ୍ର ତମ୍ବା ମୁଦ୍ରା ପକାଉଥିବା ମଧ୍ୟ ଦେଖିଲେ।
3ସେ କହିଲେ, “ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏହି ଦରିଦ୍ର ବିଧବା ସମସ୍ତଙ୍କଠାରୁ ଅଧିକ ପକାଇଅଛି। 4କାରଣ ଏହି ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ ଦାନ ଦେଲେ, କିନ୍ତୁ ଏ ଆପଣା ଦରିଦ୍ରତାରୁ ବଞ୍ଚିବା ନିମନ୍ତେ ଆପଣାର ଯାହା ସବୁ ଥିଲା, ସେହି ସମସ୍ତ ଦେଲା।”
ମନ୍ଦିର ଭୂମିସାତ୍ ହେବ
5ଉତ୍ତମ ପ୍ରସ୍ତର ଓ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଦାନରେ ବିଭୂଷିତ ମନ୍ଦିର ବିଷୟରେ କେହି କେହି କଥାବାର୍ତ୍ତା କରୁଥିବା ବେଳେ ସେ କହିଲେ,
6“ତୁମ୍ଭେମାନେ ଏହି ଯାହା ଦେଖୁଅଛ, ଏପରି ସମୟ ଆସୁଅଛି, ଯେତେବେଳେ ଏଠାରେ ଗୋଟିଏ ପ୍ରସ୍ତର ଆଉ ଗୋଟିଏ ପ୍ରସ୍ତର ଉପରେ ରହିବ ନାହିଁ, ପ୍ରତ୍ୟେକଟି ତଳେ ପକାଯିବ।”
7ସେମାନେ ପଚାରିଲେ, “ହେ ଗୁରୁ, ଏସମସ୍ତ କେବେ ଘଟିବ, ଆଉ ଏସମସ୍ତ ଘଟିବାକୁ ଯାଉଅଛି ବୋଲି କେଉଁ ଚିହ୍ନ ଦେଖାଇବ?”
8ସେ କହିଲେ, “ସାବଧାନ ଥାଅ, ଭ୍ରାନ୍ତ ହୁଅ ନାହିଁ। କାରଣ ଅନେକେ ମୋହର ନାମରେ ଆସି କହିବେ, ‘ମୁଁ ସେହି,’ ଆଉ ‘ସମୟ ସନ୍ନିକଟ।’ ସେମାନଙ୍କ ପଛେ ଯାଅ ନାହିଁ। 9ଆଉ ଯେତେବେଳେ ତୁମ୍ଭେମାନେ ଯୁଦ୍ଧ ଓ ବିଦ୍ରୋହର କଥା ଶୁଣିବ, ସେତେବେଳେ ଭୟଭୀତ ହୁଅ ନାହିଁ। କାରଣ ଏସମସ୍ତ ପ୍ରଥମେ ଘଟିବା ଆବଶ୍ୟକ, କିନ୍ତୁ ଅନ୍ତ ତୁରନ୍ତ ହେବ ନାହିଁ।”
10ତତ୍ପରେ ସେ ସେମାନଙ୍କୁ କହିଲେ, “ଏକ ଜାତି ଅନ୍ୟ ଜାତି ବିରୁଦ୍ଧରେ, ପୁଣି ଏକ ରାଜ୍ୟ ଅନ୍ୟ ରାଜ୍ୟ ବିରୁଦ୍ଧରେ ଉଠିବ। 11ବଡ଼ ବଡ଼ ଭୂମିକମ୍ପ ହେବ, ଆଉ ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ମହାମାରୀ ହେବ, ପୁଣି ଆକାଶରୁ ତ୍ରାସଜନକ ଘଟଣା ଓ ମହା ଚିହ୍ନ ପ୍ରକାଶ ପାଇବ। 12କିନ୍ତୁ ଏସମସ୍ତ ଘଟିବା ପୂର୍ବରୁ ଲୋକେ ତୁମ୍ଭମାନଙ୍କୁ ଧରି ତାଡ଼ନା କରିବେ, ଆଉ ମୋହର ନାମ ସକାଶେ ସମାଜଗୃହ ଓ କାରାଗାରରେ ସମର୍ପଣ କରି ରାଜା ଓ ଶାସନକର୍ତ୍ତାମାନଙ୍କ ସମ୍ମୁଖକୁ ତୁମ୍ଭମାନଙ୍କୁ ଟାଣି ନେବେ। 13ଏହା ତୁମ୍ଭମାନଙ୍କ ପକ୍ଷରେ ସାକ୍ଷ୍ୟ ଦେବାର ସୁଯୋଗ ହେବ। 14ଅତଏବ କିପରି ଉତ୍ତର ଦେବ, ତାହା ଆଗରୁ ପ୍ରସ୍ତୁତ ନ କରିବା ନିମନ୍ତେ ଆପଣା ଆପଣା ହୃଦୟରେ ସ୍ଥିର କର। 15କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କ ବିପକ୍ଷ ସମସ୍ତେ ତାହା ପ୍ରତିରୋଧ କିମ୍ବା ଖଣ୍ଡନ କରିପାରିବେ ନାହିଁ। 16ଆଉ ମାତାପିତା, ଭ୍ରାତୃଗଣ, ଜ୍ଞାତି ଓ ବନ୍ଧୁମାନେ ସୁଦ୍ଧା ତୁମ୍ଭମାନଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବେ, ପୁଣି ସେମାନେ ତୁମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ବଧ କରିବେ। 17ଆଉ ମୋହର ନାମ ସକାଶେ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ। 18କିନ୍ତୁ ତୁମ୍ଭମାନଙ୍କ ମସ୍ତକର ଗୋଟିଏ କେଶ ସୁଦ୍ଧା ନଷ୍ଟ ହେବ ନାହିଁ। 19ତୁମ୍ଭେମାନେ ଆପଣା ଆପଣା ଧୈର୍ଯ୍ୟ ଦ୍ଵାରା ଆପଣା ଆପଣା ପ୍ରାଣ ଲାଭ କରିବ।”
20“କିନ୍ତୁ ଯେତେବେଳେ ତୁମ୍ଭେମାନେ ଯିରୂଶାଲମକୁ ସୈନ୍ୟଦଳ ଦ୍ଵାରା ବେଷ୍ଟିତ ଦେଖିବ, ସେତେବେଳେ ଜାଣ ଯେ, ତାହାର ଉଚ୍ଛିନ୍ନ ହେବାର ସମୟ ସନ୍ନିକଟ। 21ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତ ଆଡ଼କୁ ପଳାଇ ଯାଆନ୍ତୁ, ଯେଉଁମାନେ ନଗର ମଧ୍ୟରେ ଥାଆନ୍ତି, ସେମାନେ ବାହାରି ଯାଆନ୍ତୁ, ଆଉ ଯେଉଁମାନେ ପଲ୍ଲୀ ଅଞ୍ଚଳରେ ଥାଆନ୍ତି, ସେମାନେ ନଗର ମଧ୍ୟରେ ପ୍ରବେଶ ନ କରନ୍ତୁ। 22କାରଣ ଏହି ସମୟ ଦଣ୍ଡର ସମୟ, ଯେତେବେଳେ ଲିଖିତ ସମସ୍ତ କଥା ସଫଳ ହେବ। 23ସେହି ସମୟରେ ଯେଉଁ ସ୍ତ୍ରୀମାନେ ଗର୍ଭବତୀ ଓ ସ୍ତନ୍ୟଦାୟିନୀ, ସେମାନଙ୍କ ପ୍ରତି ଅବସ୍ଥା କେଡ଼େ ଭୟଙ୍କର ହେବ! କାରଣ ଦେଶ ଉପରେ ମହା ସଙ୍କଟ ଓ ଏହି ଲୋକଙ୍କ ଉପରେ କୋପ ଉପସ୍ଥିତ ହେବ। 24ଲୋକେ ଖଡ୍ଗଧାରରେ ପତିତ ହେବେ ଓ ବନ୍ଦୀ ହୋଇ ସମସ୍ତ ଜାତି ମଧ୍ୟକୁ ନୀତ ହେବେ। ଆଉ ଅଣଯିହୂଦୀମାନଙ୍କ ସମୟ ସଫଳ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ଅଣଯିହୂଦୀମାନଙ୍କ ଦ୍ଵାରା ପଦଦଳିତ ହେବ।”
25“ଆଉ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାନଙ୍କଠାରେ ନାନା ଚିହ୍ନ ପ୍ରକାଶ ପାଇବ, ପୁଣି ପୃଥିବୀରେ ସମୁଦ୍ର ଓ ତରଙ୍ଗର ଗର୍ଜ୍ଜନ ହେତୁ ବିହ୍ୱଳ ହୋଇ ଜାତିସମୂହ ସଙ୍କଟରେ ପଡ଼ିବେ। 26ଜଗତ ଉପରେ ଘଟିବାକୁ ଯାଉଥିବା ବିଷୟ ବିଷୟରେ ଆଶଙ୍କା ହେତୁ ଭୟରେ ଲୋକମାନେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ପରାକ୍ରମସମୂହ ବିଚଳିତ ହେବ। 27ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମ ଓ ମହା ମହିମା ସହିତ ମେଘରେ ଆଗମନ କରିବା ଦେଖିବେ। 28ଆଉ ଏସମସ୍ତ ଘଟଣା ଆରମ୍ଭ ହେବା ବେଳେ ତୁମ୍ଭେମାନେ ଊର୍ଦ୍ଧ୍ଵକୁ ଅନାଇ ଆପଣା ଆପଣା ମସ୍ତକ ଉଠାଅ, କାରଣ ତୁମ୍ଭମାନଙ୍କ ମୁକ୍ତି ସନ୍ନିକଟ।”
29ତତ୍ପରେ ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କହିଲେ, “ଡିମ୍ବିରି ବୃକ୍ଷ ଓ ସମସ୍ତ ବୃକ୍ଷ ପ୍ରତି ଦୃଷ୍ଟିପାତ କର। 30ଯେତେବେଳେ ସେଗୁଡ଼ିକ ପଲ୍ଲବିତ ହୁଅନ୍ତି, ସେତେବେଳେ ତୁମ୍ଭେମାନେ ତାହା ଦେଖି ଆପେ ଆପେ ଜାଣ ଯେ, ଗ୍ରୀଷ୍ମକାଳ ସନ୍ନିକଟ ହୋଇଅଛି। 31ସେହିପରି ଯେତେବେଳେ ତୁମ୍ଭେମାନେ ଏସମସ୍ତ ଘଟୁଥିବା ଦେଖିବ, ସେତେବେଳେ ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ ସନ୍ନିକଟ ବୋଲି ଜାଣ। 32ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପିଢ଼ି କଦାପି ଲୋପ ପାଇବ ନାହିଁ। 33ଆକାଶ ଓ ପୃଥିବୀ ଲୋପ ପାଇବ, କିନ୍ତୁ ମୋହର ବାକ୍ୟ କଦାପି ଲୋପ ପାଇବ ନାହିଁ।”
34“କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ଥାଅ, କାଳେ ରଙ୍ଗରସ, ମତ୍ତତା ଓ ସାଂସାରିକ ଚିନ୍ତା ଦ୍ଵାରା ତୁମ୍ଭମାନଙ୍କ ହୃଦୟ ଭାରଗ୍ରସ୍ତ ହୁଏ, ପୁଣି ସେହି ଦିନ ଫାନ୍ଦ ପରି ତୁମ୍ଭମାନଙ୍କ ଉପରେ ହଠାତ୍ ଆସି ପଡ଼େ। 35କାରଣ ତାହା ସମୁଦାୟ ପୃଥିବୀର ଭୂପୃଷ୍ଠରେ ବାସ କରୁଥିବା ସମସ୍ତ ଲୋକଙ୍କ ଉପରେ ଆସି ପଡ଼ିବ। 36ଅତଏବ ଘଟିବାକୁ ଯାଉଥିବା ଏସମସ୍ତ ବିଷୟରୁ ରକ୍ଷା ପାଇବାକୁ, ପୁଣି ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବାକୁ ଶକ୍ତି ପାଇଁ ପ୍ରାର୍ଥନା କରୁ କରୁ ସବୁ ସମୟରେ ଜାଗ୍ରତ ଥାଅ।”
37ସେ ଦିନ ବେଳେ ମନ୍ଦିରରେ ଶିକ୍ଷା ଦେଉଥିଲେ, ଆଉ ରାତ୍ରିରେ ବାହାରକୁ ଯାଇ ଜୀତ ପର୍ବତ ନାମକ ପର୍ବତରେ ରହୁଥିଲେ। 38ପୁଣି, ସମସ୍ତ ଲୋକ ତାହାଙ୍କ ବାକ୍ୟ ଶୁଣିବା ନିମନ୍ତେ ଅତି ପ୍ରଭାତରେ ମନ୍ଦିରରେ ତାହାଙ୍କ ନିକଟକୁ ଆସୁଥିଲେ।