ବିନ୍ୟାମୀନଙ୍କ ପଟ ମଧ୍ୟରେ ପାନପାତ୍ର
ଯୋଷେଫ ତାଙ୍କ ପାନପାତ୍ର ବିନ୍ୟାମୀନଙ୍କ ବସ୍ତାରେ ଲୁଚାଇ ଫାନ୍ଦ ପକାନ୍ତି। ଯେଉଁ ଯିହୁଦା ଥରେ ଜଣେ ଭାଇଙ୍କୁ ବିକି ଦେଇଥିଲେ, ସେ କହନ୍ତି ଆମ ପିତା ସେମାନଙ୍କ ଦୋଷ ଧରି ପକାଇଛନ୍ତି, ଓ ପିତାଙ୍କୁ ଦୁଃଖରେ ମରୁଥିବା ଦେଖିବା ଅପେକ୍ଷା ଅନ୍ୟ ଜଣଙ୍କ ବଦଳରେ ନିଜେ ଦାସ ହେବାକୁ ନିବେଦନ କରନ୍ତି। ସେହି ଏକା ପରୀକ୍ଷା, ଭିନ୍ନ ଉତ୍ତର।
44 1ତତ୍ପରେ ସେ ଆପଣା ଗୃହାଧ୍ୟକ୍ଷକୁ ଆଜ୍ଞା ଦେଲେ, “ଏହି ଲୋକମାନଙ୍କ ପଟରେ ସେମାନେ ଯେତେ ବୋହିପାରିବେ, ସେତେ ଶସ୍ୟ ପୂର୍ଣ୍ଣ କର, ପୁଣି ପ୍ରତ୍ୟେକର ରୂପା ପ୍ରତ୍ୟେକ ପଟ ମୁଖରେ ରଖ। 2ଆଉ ମୋହର ପାନପାତ୍ର, ଅର୍ଥାତ୍ ରୂପା ପାନପାତ୍ର, ସର୍ବକନିଷ୍ଠର ଶସ୍ୟ ମୂଲ୍ୟ ସହିତ ତାହାର ପଟ ମୁଖରେ ରଖ।” ତହିଁରେ ଯୋଷେଫ କହିବା ଅନୁସାରେ ସେ କଲା। 3ପ୍ରଭାତ ହୋଇ ଆଲୋକ ହେବା ମାତ୍ରେ ସେହି ଲୋକମାନେ ଆପଣା ଆପଣା ଗର୍ଦ୍ଦଭ ସହିତ ବିଦାୟ ପ୍ରାପ୍ତ ହେଲେ। 4ସେମାନେ ନଗରରୁ ବାହାରି ଅଧିକ ଦୂର ନ ଯାଉଣୁ ଯୋଷେଫ ଆପଣା ଗୃହାଧ୍ୟକ୍ଷକୁ କହିଲେ, “ସେହି ଲୋକମାନଙ୍କ ପଛେ ପଛେ ଦୌଡ଼; ପୁଣି ସେମାନଙ୍କୁ ଧରିଲେ କହିବ, ‘ତୁମ୍ଭେମାନେ ଉପକାର ବଦଳରେ କାହିଁକି ଅପକାର କଲ? 5ଯହିଁରେ ମୋʼ ପ୍ରଭୁ ପାନ କରନ୍ତି ଓ ଯାହା ଦ୍ଵାରା ଗଣନା କରନ୍ତି, ଏହା କʼଣ ସେହି ପାତ୍ର ନୁହେଁ? ତୁମ୍ଭେମାନେ ଯାହା କରିଅଛ, ତାହା ମନ୍ଦ।’” 6ତହୁଁ ସେ ସେମାନଙ୍କୁ ଧରି ଏହିସବୁ କଥା ସେମାନଙ୍କୁ କହିଲା।
7ତହିଁରେ ସେମାନେ କହିଲେ, “ମୋʼ ପ୍ରଭୁ କାହିଁକି ଏପରି କଥା କହୁଅଛନ୍ତି? ଆପଣଙ୍କ ଦାସମାନେ ଏପରି କର୍ମ କଦାପି କରିବେ ନାହିଁ। 8ଦେଖନ୍ତୁ, ଆମ୍ଭେମାନେ ଆପଣା ଆପଣା ପଟ ମୁଖରେ ଯେଉଁ ରୂପା ପାଇଥିଲୁ, ତାହା କିଣାନ ଦେଶରୁ ଆପଣଙ୍କ ନିକଟକୁ ଫେରାଇ ଆଣିଲୁ; ତେବେ କିପ୍ରକାରେ ଆପଣଙ୍କ ପ୍ରଭୁଙ୍କ ଗୃହରୁ ରୂପା କି ସୁନା ଚୋରି କରିବୁ? 9ଆପଣଙ୍କ ଦାସମାନଙ୍କ ମଧ୍ୟରୁ ଯାହା ନିକଟରେ ତାହା ମିଳିବ, ସେ ମରିବ, ପୁଣି ଆମ୍ଭେମାନେ ମଧ୍ୟ ମୋʼ ପ୍ରଭୁଙ୍କ ଦାସ ହେବୁ।”
10ତହୁଁ ସେ କହିଲା, “ଭଲ, ତୁମ୍ଭମାନଙ୍କ କଥାନୁସାରେ ହେଉ; ଯାହା ନିକଟରେ ତାହା ମିଳିବ, ସେ ମୋହର ଦାସ ହେବ, ପୁଣି ତୁମ୍ଭେମାନେ ନିର୍ଦ୍ଦୋଷ ହେବ।”
11ତେଣୁ ପ୍ରତ୍ୟେକେ ଶୀଘ୍ର ଆପଣା ଆପଣା ପଟ ଭୂମିରେ ଓହ୍ଲାଇ ପ୍ରତ୍ୟେକେ ଆପଣା ଆପଣା ପଟ ଫିଟାଇଲେ। 12ତହିଁରେ ସେ ଜ୍ୟେଷ୍ଠଠାରୁ ଆରମ୍ଭ କରି କନିଷ୍ଠ ପର୍ଯ୍ୟନ୍ତ ଅନୁସନ୍ଧାନ କଲା; ପୁଣି ବିନ୍ୟାମୀନଙ୍କ ପଟ ମଧ୍ୟରେ ସେହି ପାତ୍ର ମିଳିଲା। 13ତେବେ ସେମାନେ ଆପଣା ଆପଣା ବସ୍ତ୍ର ଚିରିଲେ, ପୁଣି ପ୍ରତ୍ୟେକେ ଆପଣା ଆପଣା ଗର୍ଦ୍ଦଭ ଉପରେ ଭାର ଲଦି ନଗରକୁ ଫେରିଗଲେ।
14ପରେ ଯିହୂଦା ଓ ତାହାର ଭାଇମାନେ ଯୋଷେଫଙ୍କ ଗୃହକୁ ଆସନ୍ତେ, ସେ ସେଠାରେ ଥିଲେ; ତହୁଁ ସେମାନେ ତାହାଙ୍କ ସମ୍ମୁଖରେ ଭୂମିରେ ପଡ଼ିଲେ। 15ତେଣୁ ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏ କʼଣ କର୍ମ କଲ? ମୋʼ ପରି ଲୋକ ଯେ ନିଶ୍ଚୟ ଗଣନା କରିଥାଏ, ଏହା କʼଣ ତୁମ୍ଭେମାନେ ଜାଣ ନାହିଁ?”
16ତହିଁରେ ଯିହୂଦା କହିଲା, “ଆମ୍ଭେମାନେ ମୋʼ ପ୍ରଭୁଙ୍କୁ କʼଣ କହିବୁ? କʼଣ କଥା କହିବୁ? ଅବା କିପ୍ରକାରେ ଆପଣାମାନଙ୍କୁ ନିର୍ଦ୍ଦୋଷ କରିବୁ? ଆମ୍ଭମାନଙ୍କ ପିତା ଆପଣଙ୍କ ଦାସମାନଙ୍କ ଅପରାଧ ବାହାର କରିଅଛନ୍ତି; ଦେଖନ୍ତୁ, ଆମ୍ଭେମାନେ, ପୁଣି ଯାହା ହସ୍ତରେ ପାତ୍ର ମିଳିଲା, ସେ, ଆମ୍ଭେ ସମସ୍ତେ ମୋʼ ପ୍ରଭୁଙ୍କ ଦାସ।” a a v16 ଯୋଷେଫଙ୍କୁ ବିକ୍ରୟ କରିବାର ବହୁଦିନ ଲୁକ୍କାୟିତ ଅପରାଧକୁ ଆମ୍ଭମାନଙ୍କ ପିତାଙ୍କ ହସ୍ତ ପ୍ରକାଶ କରୁଥିବା ଯିହୂଦା ବୁଝିପାରନ୍ତି — ଯାହା ଭାଇମାନଙ୍କୁ ମନପରିବର୍ତ୍ତନ ଆଡ଼କୁ ଟାଣି ଆଣେ।
17ମାତ୍ର ସେ କହିଲେ, “ଏପରି କର୍ମ ମୁଁ କଦାପି କରିବି ନାହିଁ; ଯାହା ହସ୍ତରେ ପାତ୍ର ମିଳିଲା, କେବଳ ସେହି ଲୋକ ମୋହର ଦାସ ହେବ; ମାତ୍ର ତୁମ୍ଭେମାନେ କୁଶଳରେ ଆପଣାମାନଙ୍କ ପିତା ନିକଟକୁ ଫେରିଯାଅ।”
18ତେବେ ଯିହୂଦା ନିକଟକୁ ଆସି କହିଲା, “ହେ ମୋʼ ପ୍ରଭୁ, ବିନୟ କରୁଅଛି, ଆପଣଙ୍କ ଦାସକୁ ଆପଣଙ୍କ କର୍ଣ୍ଣଗୋଚରରେ ଗୋଟିଏ କଥା କହିବାକୁ ଅନୁମତି ଦିଅନ୍ତୁ, ପୁଣି ଆପଣଙ୍କ ଦାସ ପ୍ରତି କ୍ରୋଧ ନ କରନ୍ତୁ; କାରଣ ଆପଣ ଫାରୋଙ୍କ ସମାନ ଅଟନ୍ତି।
19ମୋʼ ପ୍ରଭୁ ଆପଣଙ୍କ ଦାସମାନଙ୍କୁ ପଚାରିଥିଲେ, ‘ତୁମ୍ଭମାନଙ୍କର ପିତା କି ଭାଇ ଅଛି କି?’ 20ତହିଁରେ ଆମ୍ଭେମାନେ ମୋʼ ପ୍ରଭୁଙ୍କୁ କହିଥିଲୁ, ‘ଆମ୍ଭମାନଙ୍କର ଜଣେ ବୃଦ୍ଧ ପିତା ଅଛନ୍ତି, ପୁଣି ତାହାଙ୍କ ବୃଦ୍ଧ ବୟସର ଗୋଟିଏ ସାନ ପୁଅ ଅଛି; ତାହାର ଭାଇ ମରିଅଛି, ଆଉ ଆପଣା ମାତାର ସନ୍ତାନଗଣ ମଧ୍ୟରେ କେବଳ ସେ ଏକା ଅବଶିଷ୍ଟ ଅଛି, ଏଣୁ ତାହାର ପିତା ତାହାକୁ ସ୍ନେହ କରନ୍ତି।’ 21ତହୁଁ ଆପଣ ଆପଣଙ୍କ ଦାସମାନଙ୍କୁ କହିଥିଲେ, ‘ତାହାକୁ ମୋʼ ନିକଟକୁ ଆଣ, ତହିଁରେ ମୁଁ ତାହାକୁ ସ୍ଵଚକ୍ଷୁରେ ଦେଖିବି।’ 22ତେବେ ଆମ୍ଭେମାନେ ମୋʼ ପ୍ରଭୁଙ୍କୁ କହିଥିଲୁ, ‘ସେ ବାଳକ ଆପଣା ପିତାଙ୍କୁ ଛାଡ଼ି ଆସି ନ ପାରେ; କାରଣ ସେ ଆସିଲେ ତାହାର ପିତା ମରିଯିବେ।’ 23ତହୁଁ ଆପଣ ଆପଣଙ୍କ ଦାସମାନଙ୍କୁ କହିଥିଲେ, ‘ତୁମ୍ଭମାନଙ୍କ ସାନ ଭାଇ ତୁମ୍ଭମାନଙ୍କ ସଙ୍ଗରେ ନ ଆସିଲେ ତୁମ୍ଭେମାନେ ପୁନର୍ବାର ମୋʼ ମୁଖ ଦେଖିବ ନାହିଁ।’ 24ତହିଁ ଉତ୍ତାରେ ଆମ୍ଭେମାନେ ଆପଣଙ୍କ ଦାସ ମୋʼ ପିତା ନିକଟକୁ ଯାଇ ତାହାଙ୍କୁ ମୋʼ ପ୍ରଭୁଙ୍କ କଥାସବୁ କହିଲୁ। 25ଏଥିଉତ୍ତାରେ ଆମ୍ଭମାନଙ୍କ ପିତା କହିଲେ, ‘ତୁମ୍ଭେମାନେ ପୁନର୍ବାର ଯାଇ ଆମ୍ଭମାନଙ୍କ ନିମନ୍ତେ କିଛି ଶସ୍ୟ କିଣି ଆଣ।’ 26ତହିଁରେ ଆମ୍ଭେମାନେ କହିଲୁ, ‘ଆମ୍ଭେମାନେ ଯାଇ ନ ପାରୁ; ଆମ୍ଭମାନଙ୍କ ସାନ ଭାଇ ଆମ୍ଭମାନଙ୍କ ସଙ୍ଗରେ ଗଲେ ଆମ୍ଭେମାନେ ଯିବୁ; କାରଣ ଆମ୍ଭମାନଙ୍କ ସାନ ଭାଇ ଆମ୍ଭମାନଙ୍କ ସଙ୍ଗରେ ନ ଥିଲେ ଆମ୍ଭେମାନେ ସେହି ବ୍ୟକ୍ତିଙ୍କ ମୁଖ ଦେଖିପାରିବୁ ନାହିଁ।’ 27ତହୁଁ ଆପଣଙ୍କ ଦାସ ମୋʼ ପିତା ଆମ୍ଭମାନଙ୍କୁ କହିଲେ, ‘ମୋʼ ଭାର୍ଯ୍ୟା ଯେ ମୋʼ ନିମନ୍ତେ ଦୁଇ ପୁତ୍ର ପ୍ରସବ କଲା, ଏହା ତୁମ୍ଭେମାନେ ଜାଣ। 28ସେମାନଙ୍କ ମଧ୍ୟରୁ ଜଣେ ମୋʼ ନିକଟରୁ ବାହାରିଗଲା, ପୁଣି ମୁଁ କହିଲି, “ନିଶ୍ଚୟ ସେ ଖଣ୍ଡ ଖଣ୍ଡ ହୋଇ ବିଦୀର୍ଣ୍ଣ ହୋଇଅଛି”; ଆଉ ମୁଁ ଏଯାଏ ତାହାକୁ ଦେଖି ନାହିଁ। 29ଏବେ ତୁମ୍ଭେମାନେ ଏହାକୁ ମଧ୍ୟ ମୋʼ ନିକଟରୁ ନେଲେ, ପୁଣି ତାହାର କିଛି ବିପଦ ଘଟିଲେ, ତୁମ୍ଭେମାନେ ମୋʼ ଏହି ପକ୍ଵ କେଶ ଶୋକରେ କବରକୁ ଓହ୍ଲାଇ ନେବ।’ 30ଏଣୁ ଏବେ ମୁଁ ଆପଣଙ୍କ ଦାସ ମୋʼ ପିତା ନିକଟକୁ ଗଲେ, ଯଦି ସେହି ବାଳକ ଆମ୍ଭମାନଙ୍କ ସଙ୍ଗରେ ନ ଥିବ — କାରଣ ତାହାର ପ୍ରାଣ ସେହି ବାଳକର ପ୍ରାଣ ସଙ୍ଗେ ବନ୍ଧା ଅଛି — 31ତେବେ ସେ ବାଳକ ନ ଥିବାର ଦେଖି ସେ ମରିଯିବେ, ପୁଣି ଆପଣଙ୍କ ଦାସମାନେ ଆପଣଙ୍କ ଦାସ ଆମ୍ଭମାନଙ୍କ ପିତାଙ୍କ ପକ୍ଵ କେଶ ଶୋକରେ କବରକୁ ଓହ୍ଲାଇ ନେବୁ। 32କାରଣ ଆପଣଙ୍କ ଦାସ ଆପଣା ପିତା ନିକଟରେ ସେହି ବାଳକ ବିଷୟରେ ଜାମିନ ହୋଇ କହିଥିଲା, ‘ମୁଁ ତାହାକୁ ଆପଣଙ୍କ ନିକଟକୁ ଫେରାଇ ନ ଆଣିଲେ ଯାବଜ୍ଜୀବନ ମୋʼ ପିତା ନିକଟରେ ଏହି ଅପରାଧ ବହିବି।’ 33ଏଣୁ ବିନୟ କରୁଅଛି, ସେହି ବାଳକ ବଦଳେ ଆପଣଙ୍କ ଏହି ଦାସ ମୋʼ ପ୍ରଭୁଙ୍କ ଦାସ ହୋଇ ରହୁ, ପୁଣି ସେ ବାଳକ ଆପଣା ଭାଇମାନଙ୍କ ସଙ୍ଗରେ ଫେରିଯାଉ। b b v33 ଯିହୂଦା ବିନ୍ୟାମୀନଙ୍କ ସ୍ଥାନରେ ଆପଣା ଜୀବନ ଅର୍ପଣ କରନ୍ତି — ଇସ୍ରାଏଲର ଜଣେ ପୁତ୍ର ଦ୍ଵାରା ପ୍ରଥମ ଶାସ୍ତ୍ରୀୟ ବଦଳ। ଯିହୂଦା ବଂଶର ସିଂହ ଯୀଶୁ କ୍ରୁଶ ଉପରେ ଆମ୍ଭମାନଙ୍କ ସ୍ଥାନ ଗ୍ରହଣ କରି ଏହି ନମୁନା ସଫଳ କରନ୍ତି। 34ସେ ବାଳକ ବିନା ମୁଁ କିପ୍ରକାରେ ମୋʼ ପିତା ନିକଟକୁ ଫେରିଯିବି? ମୋʼ ପିତାଙ୍କ ପ୍ରତି ଘଟିବା ବିପଦ ମୁଁ ଦେଖିବାକୁ ସହ୍ୟ କରିପାରିବି ନାହିଁ।”