ପୁତ୍ର ଯିରୂଶାଲମ ମଧ୍ୟକୁ ଯାତ୍ରା କରନ୍ତି
ଯୀଶୁ ହୋଶାନ୍ନା ଧ୍ୱନି ମଧ୍ୟରେ ମାଗିଆଣିଥିବା ଏକ ଗଧଛୁଆ ଉପରେ ଚଢ଼ି ଯିରୂଶାଲମରେ ପ୍ରବେଶ କରନ୍ତି, ଏକ ଫଳହୀନ ଡିମ୍ବିରି ଗଛକୁ ଅଭିଶାପ ଦିଅନ୍ତି, ଏବଂ ତାଙ୍କ ପିତାଙ୍କ ଗୃହରୁ ବେପାରୀମାନଙ୍କୁ ତଡ଼ିଦିଅନ୍ତି, ଯାହା ପରେ ପ୍ରଧାନ ଯାଜକମାନେ ତାଙ୍କୁ ମାରିବାକୁ ସ୍ଥିର କରନ୍ତି। କାହାର ଅଧିକାରରେ ବୋଲି ପଚରାଯିବାରୁ, ସେ ବରଂ ସେମାନଙ୍କୁ ଯୋହନଙ୍କ ବିଷୟରେ ପଚାରନ୍ତି।
11 1ଯିରୂଶାଲମ ନିକଟବର୍ତ୍ତୀ ହୋଇ, ଜୀତପର୍ବତ ନିକଟସ୍ଥ ବେଥ୍ଫାଗୀ ଓ ବେଥନୀୟାରେ ଉପସ୍ଥିତ ହୋଇ ଯୀଶୁ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଆଗେ ପଠାଇ
2ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ, ଆଉ ସେଥିରେ ପ୍ରବେଶ କରିବା ମାତ୍ରେ, ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ବନ୍ଧା ଗଧଛୁଆ ଦେଖିବ। ତାହା ଫିଟାଇ ଏଠାକୁ ଆଣ।
3ଆଉ ଯଦି କେହି ତୁମ୍ଭମାନଙ୍କୁ ‘କାହିଁକି ଏହା କରୁଅଛ?’ ବୋଲି ପଚାରେ, ତେବେ କୁହ, ‘ଏହା ପ୍ରଭୁଙ୍କ ଆବଶ୍ୟକ ଅଛି, ପୁଣି ସେ ଏହାକୁ ଅବିଳମ୍ବେ ଏଠାକୁ ଫେରାଇ ପଠାଇବେ।’”
4ସେମାନେ ଯାଇ ବାହାରେ ଦାଣ୍ଡରେ ଗୋଟିଏ ଦ୍ଵାର ନିକଟରେ ଗଧଛୁଆଟି ବନ୍ଧା ହୋଇଥିବା ଦେଖିଲେ, ଆଉ ତାହା ଫିଟାଇଲେ। 5ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ, “ସେହି ଗଧଛୁଆ ଫିଟାଇ ତୁମ୍ଭେମାନେ କଅଣ କରୁଅଛ?” 6ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ଉତ୍ତର ଦେଲେ, ଆଉ ଲୋକମାନେ ସେମାନଙ୍କୁ ଯିବାକୁ ଦେଲେ। 7ପୁଣି ସେମାନେ ଗଧଛୁଆଟି ଯୀଶୁଙ୍କ ନିକଟକୁ ଆଣି ତାହା ଉପରେ ଆପଣା ଆପଣା ବସ୍ତ୍ର ପକାଇଲେ, ଆଉ ସେ ତାହା ଉପରେ ବସିଲେ। 8ପୁଣି ଅନେକେ ଆପଣା ଆପଣା ବସ୍ତ୍ର ବାଟରେ ବିଛାଇଦେଲେ, ଆଉ କେହି କେହି କ୍ଷେତରୁ କାଟି ଆଣିଥିବା ପତ୍ରଯୁକ୍ତ ଡାଳ ବିଛାଇଦେଲେ। 9ଆଉ ଆଗେ ଯାଉଥିବା ଓ ପଛେ ଆସୁଥିବା ଲୋକମାନେ ଉଚ୍ଚସ୍ଵରରେ କହିବାକୁ ଲାଗିଲେ, “ହୋଶାନ୍ନା! ଯେ ପିତାଙ୍କ ନାମରେ ଆସୁଅଛନ୍ତି, ସେ ଧନ୍ୟ! 10ଆମ୍ଭମାନଙ୍କ ପିତା ଦାଉଦଙ୍କ ଯେଉଁ ରାଜ୍ୟ ଆସୁଅଛି, ତାହା ଧନ୍ୟ! ଊର୍ଦ୍ଧ୍ଵଲୋକରେ ହୋଶାନ୍ନା!”
11ପୁଣି ଯୀଶୁ ଯିରୂଶାଲମ ଓ ମନ୍ଦିର ମଧ୍ୟରେ ପ୍ରବେଶ କରି ସବୁ ଚାରିଆଡ଼େ ଦୃଷ୍ଟିପାତ କଲେ, ଆଉ ସନ୍ଧ୍ୟା ହୋଇଯାଇଥିବାରୁ ଦ୍ଵାଦଶ ଜଣଙ୍କ ସହିତ ବେଥନୀୟାକୁ ବାହାରିଗଲେ।
ଯୀଶୁ ଡିମ୍ବିରି ଗଛକୁ ଅଭିଶାପ ଦିଅନ୍ତି
12ତହିଁ ଆରଦିନ ସେମାନେ ବେଥନୀୟାରୁ ବାହାରିଯାଉଥିବା ସମୟରେ ଯୀଶୁ କ୍ଷୁଧିତ ହେଲେ। 13ଆଉ ଦୂରରୁ ଗୋଟିଏ ପତ୍ରଯୁକ୍ତ ଡିମ୍ବିରି ଗଛ ଦେଖି, ତାହାରେ କିଛି ପାଇବେ କି ନାହିଁ ବୋଲି ଦେଖିବାକୁ ଗଲେ, ମାତ୍ର ତାହା ନିକଟରେ ଉପସ୍ଥିତ ହୋଇ ପତ୍ର ବିନା ଆଉ କିଛି ପାଇଲେ ନାହିଁ, କାରଣ ଡିମ୍ବିରି ଫଳର ଋତୁ ନ ଥିଲା।
14ସେଥିରେ ସେ ତାହାକୁ କହିଲେ, “ଏଣିକି କେହି କେବେ ତୋʼଠାରୁ ଫଳ ଭୋଜନ ନ କରୁ।” ଆଉ ତାହାଙ୍କ ଶିଷ୍ୟମାନେ ଏହା ଶୁଣିଲେ।
ଯୀଶୁ ଆପଣା ପିତାଙ୍କ ଗୃହ ପରିଷ୍କାର କରନ୍ତି
15ପରେ ସେମାନେ ଯିରୂଶାଲମରେ ଉପସ୍ଥିତ ହେଲେ, ଆଉ ଯୀଶୁ ମନ୍ଦିର ମଧ୍ୟରେ ପ୍ରବେଶ କରି ସେଠାରେ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିଲେ, ପୁଣି ମୁଦ୍ରା ବଦଳାଉଥିବା ଲୋକମାନଙ୍କ ମେଜ ଓ କପୋତ ବିକ୍ରୟ କରୁଥିବା ଲୋକମାନଙ୍କ ଆସନ ଓଲଟାଇ ପକାଇଲେ, 16ଆଉ ମନ୍ଦିର ପ୍ରାଙ୍ଗଣ ଦେଇ କାହାକୁ କୌଣସି ବିକ୍ରୟଯୋଗ୍ୟ ବସ୍ତୁ ବୋହିନେବାକୁ ଅନୁମତି ଦେଲେ ନାହିଁ।
17ପୁଣି ସେ ସେମାନଙ୍କୁ ଶିକ୍ଷା ଦେଇ କହିଲେ, “ଏହା କି ଲେଖା ନାହିଁ: ‘ଆମ୍ଭର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାଗୃହ ବୋଲି ଖ୍ୟାତ ହେବ’? କିନ୍ତୁ ତୁମ୍ଭେମାନେ ତାହାକୁ ଡକାୟତମାନଙ୍କ ବାସା କରିଅଛ।”
18ଏହା ଶୁଣି ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କୁ କିପରି ବିନାଶ କରିବେ, ତହିଁର ଉପାୟ ଖୋଜିବାକୁ ଲାଗିଲେ, କାରଣ ସମସ୍ତ ଲୋକ ତାହାଙ୍କ ଶିକ୍ଷାରେ ଚମତ୍କୃତ ହୋଇଥିବାରୁ ସେମାନେ ତାହାଙ୍କୁ ଭୟ କରୁଥିଲେ।
19ଆଉ ସନ୍ଧ୍ୟା ହୁଅନ୍ତେ, ସେମାନେ ନଗରରୁ ବାହାରିଗଲେ।
20ପ୍ରଭାତ ସମୟରେ ଯାଉ ଯାଉ ସେମାନେ ସେହି ଡିମ୍ବିରି ଗଛଟି ମୂଳରୁ ଶୁଖିଯାଇଥିବା ଦେଖିଲେ। 21ସେଥିରେ ପିତର ତାହା ସ୍ମରଣ କରି ତାହାଙ୍କୁ କହିଲେ, “ହେ ଗୁରୁ, ଦେଖନ୍ତୁ! ଆପଣ ଯେଉଁ ଡିମ୍ବିରି ଗଛକୁ ଅଭିଶାପ ଦେଇଥିଲେ, ତାହା ଶୁଖିଯାଇଅଛି।”
22ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଆମ୍ଭମାନଙ୍କ ପିତାଙ୍କଠାରେ ବିଶ୍ଵାସ ରଖ। 23ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଏହି ପର୍ବତକୁ ‘ତୁ ଉଠାଯାଇ ସମୁଦ୍ରରେ ନିକ୍ଷିପ୍ତ ହୁଅ’ ବୋଲି କହେ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ତାହାର କଥିତ ବିଷୟ ଘଟିବ ବୋଲି ବିଶ୍ଵାସ କରେ, ତେବେ ତାହା ନିମନ୍ତେ ତାହା କରାଯିବ। 24ଏଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯାହା କିଛି ତୁମ୍ଭେମାନେ ପ୍ରାର୍ଥନା କରି ମାଗ, ତାହା ପାଇଅଛ ବୋଲି ବିଶ୍ଵାସ କର, ତେବେ ତାହା ତୁମ୍ଭମାନଙ୍କର ହେବ। 25ଆଉ ତୁମ୍ଭେମାନେ ଯେତେବେଳେ ପ୍ରାର୍ଥନା କରିବାକୁ ଠିଆ ହୁଅ, ସେତେବେଳେ କାହା ବିରୁଦ୍ଧରେ ଯଦି ତୁମ୍ଭମାନଙ୍କର କିଛି ଥାଏ, ତେବେ ତାହା କ୍ଷମା କର, ଯେପରି ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କ ପାପ ତୁମ୍ଭମାନଙ୍କୁ କ୍ଷମା କରିବେ।” a a v25 ଅତି ପ୍ରାଚୀନ ପାଣ୍ଡୁଲିପିମାନଙ୍କରେ ଏଠାରେ ୨୬ ପଦ ନାହିଁ; ପରବର୍ତ୍ତୀ ନକଲଗୁଡ଼ିକ ଏହା ଯୋଗ କରନ୍ତି: “କିନ୍ତୁ ଯଦି ତୁମ୍ଭେମାନେ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧ କ୍ଷମା କରିବେ ନାହିଁ।”
କାହାର ଅଧିକାରରେ?
27ପରେ ସେମାନେ ପୁନର୍ବାର ଯିରୂଶାଲମକୁ ଆସିଲେ। ଆଉ ଯୀଶୁ ମନ୍ଦିର ମଧ୍ୟରେ ଭ୍ରମଣ କରୁଥିବା ସମୟରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି 28ପଚାରିଲେ, “ଆପଣ କେଉଁ ଅଧିକାରରେ ଏହିସବୁ କରୁଅଛନ୍ତି? ଅବା ଏହିସବୁ କରିବା ନିମନ୍ତେ ଆପଣଙ୍କୁ ଏହି ଅଧିକାର କିଏ ଦେଲା?”
29ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି। ମୋତେ ଉତ୍ତର ଦିଅ, ତେବେ ମୁଁ କେଉଁ ଅଧିକାରରେ ଏହିସବୁ କରୁଅଛି, ତାହା ତୁମ୍ଭମାନଙ୍କୁ କହିବି। 30ଯୋହନଙ୍କ ବାପ୍ତିସ୍ମ ସ୍ଵର୍ଗରୁ ହୋଇଥିଲା, ନା ମନୁଷ୍ୟଠାରୁ ହୋଇଥିଲା? ମୋତେ ଉତ୍ତର ଦିଅ।”
31ସେଥିରେ ସେମାନେ ପରସ୍ପର ମଧ୍ୟରେ ବିଚାର କରି କହିଲେ, “ଯଦି ଆମ୍ଭେମାନେ ‘ସ୍ଵର୍ଗରୁ’ ବୋଲି କହିବୁ, ତେବେ ସେ କହିବେ, ‘ତାହାହେଲେ ତୁମ୍ଭେମାନେ ତାହାଙ୍କୁ କାହିଁକି ବିଶ୍ଵାସ କଲ ନାହିଁ?’ 32ମାତ୍ର ଯଦି ‘ମନୁଷ୍ୟଠାରୁ’ ବୋଲି କହିବୁ”—ସେମାନେ ଲୋକସମୂହକୁ ଭୟ କରୁଥିଲେ, କାରଣ ସମସ୍ତେ ଯୋହନଙ୍କୁ ପ୍ରକୃତ ଭାବବାଦୀ ବୋଲି ମାନୁଥିଲେ।
33ତେଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଆମ୍ଭେମାନେ ଜାଣୁ ନାହିଁ।” ସେଥିରେ ଯୀଶୁ କହିଲେ, “ତେବେ ମୁଁ କେଉଁ ଅଧିକାରରେ ଏହିସବୁ କରୁଅଛି, ତାହା ମଧ୍ୟ ମୁଁ ତୁମ୍ଭମାନଙ୍କୁ କହିବି ନାହିଁ।”