ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଆମ୍ଭମାନଙ୍କ ପିତାଙ୍କ ବିଚାରରୁ କେହି ରକ୍ଷା ପାଏ ନାହିଁ

ପ୍ରଥମ ଅଧ୍ୟାୟର ତାଲିକା ପଢ଼ି ଖୁସି ହେଉଥିବା ପାଠକ ଆଡ଼କୁ ପାଉଲ ମୁହଁ ବୁଲାନ୍ତି। ସେହି ସମାନ କାମ କରି ଅନ୍ୟମାନଙ୍କୁ ବିଚାର କଲେ ତୁମ୍ଭେ ନିଜେ ଦୋଷୀ ସାବ୍ୟସ୍ତ ହୁଅ। ଧାର୍ମିକ ପରିଚୟ ମଧ୍ୟ କାହାକୁ ଛାଡ଼ ଦିଏ ନାହିଁ, କାରଣ ଆମ ପିତା ପକ୍ଷପାତ କରନ୍ତି ନାହିଁ। ଯେଉଁ ଅଣଯିହୂଦୀମାନେ କେବେ ବ୍ୟବସ୍ଥା ପାଇନାହାନ୍ତି, ସେମାନେ ବିବେକ ଦ୍ୱାରା ତାହା ପାଳନ କରିପାରନ୍ତି।

ଅଧ୍ୟାୟ 2।

ଅତଏବ ହେ ପରର ବିଚାର କରୁଥିବା ମନୁଷ୍ୟ, ତୁମ୍ଭେ ଯେକେହି ହୁଅ ନା କାହିଁକି, ତୁମ୍ଭର କୌଣସି ଉତ୍ତର ନାହିଁ; କାରଣ ଯେଉଁ ବିଷୟରେ ତୁମ୍ଭେ ଅନ୍ୟର ବିଚାର କରୁଅଛ, ସେଥିରେ ତୁମ୍ଭେ ଆପଣାକୁ ଦୋଷୀ କରୁଅଛ, ଯେଣୁ ବିଚାର କରୁଥିବା ତୁମ୍ଭେ ସେହି ସମାନ କର୍ମ କରୁଅଛ। ଆଉ ଯେଉଁମାନେ ଏପରି କର୍ମ କରନ୍ତି, ସେମାନଙ୍କ ଉପରେ ଆମ୍ଭମାନଙ୍କ ପିତାଙ୍କ ବିଚାର ଯଥାର୍ଥ ଭାବେ ଆସେ ବୋଲି ଆମ୍ଭେମାନେ ଜାଣୁ। ହେ ଏପରି କର୍ମ କରୁଥିବା ଲୋକ, ତୁମ୍ଭେ କʼଣ ନିଜେ ସେହି କର୍ମ କରି ସେପରି କର୍ମ କରୁଥିବା ଅନ୍ୟମାନଙ୍କ ବିଚାର କରୁଅଛ, ଆଉ ଆମ୍ଭମାନଙ୍କ ପିତାଙ୍କ ବିଚାରରୁ ରକ୍ଷା ପାଇବ ବୋଲି ଭାବୁଅଛ? ଅବା ଆମ୍ଭମାନଙ୍କ ପିତାଙ୍କ ଦୟା ତୁମ୍ଭକୁ ମନପରିବର୍ତ୍ତନ ଆଡ଼କୁ କଢ଼ାଇନେବା ନିମନ୍ତେ ଉଦ୍ଦିଷ୍ଟ ବୋଲି ନ ଜାଣି ତୁମ୍ଭେ କʼଣ ତାହାଙ୍କ ଦୟା, ସହିଷ୍ଣୁତା ଓ ଧୈର୍ଯ୍ୟର ପ୍ରଚୁରତାକୁ ତୁଚ୍ଛ କରୁଅଛ? କିନ୍ତୁ ତୁମ୍ଭର କଠିନ ଓ ମନ ପରିବର୍ତ୍ତନ ନ କରିବା ହୃଦୟ ହେତୁ ତୁମ୍ଭେ ଆପଣା ନିମନ୍ତେ କ୍ରୋଧ ସଞ୍ଚୟ କରୁଅଛ, ଅର୍ଥାତ୍ ଯେଉଁ କ୍ରୋଧ ଦିବସରେ ଆମ୍ଭମାନଙ୍କ ପିତାଙ୍କ ଧର୍ମମୟ ବିଚାର ପ୍ରକାଶିତ ହେବ, ସେହି ଦିବସ ନିମନ୍ତେ। ସେ ପ୍ରତ୍ୟେକ ଜଣକୁ ତାହାର କର୍ମ ଅନୁସାରେ ଫଳ ଦେବେ। ଯେଉଁମାନେ ଅବିରତ ସତ୍କର୍ମ ଦ୍ଵାରା ମହିମା, ସମ୍ଭ୍ରମ ଓ ଅକ୍ଷୟତା ଅନ୍ଵେଷଣ କରନ୍ତି, ସେମାନଙ୍କୁ ସେ ଅନନ୍ତ ଜୀବନ ଦେବେ। କିନ୍ତୁ ଯେଉଁମାନେ ସ୍ଵାର୍ଥପର, ସତ୍ୟକୁ ଅଗ୍ରାହ୍ୟ କରନ୍ତି ଓ ଦୁଷ୍ଟତାର ଅନୁଗାମୀ ହୁଅନ୍ତି, ସେମାନଙ୍କ ପ୍ରତି କ୍ରୋଧ ଓ କୋପ ଉପସ୍ଥିତ ହେବ। ଯେଉଁ ପ୍ରତ୍ୟେକ ମନୁଷ୍ୟ ମନ୍ଦ କର୍ମ କରେ, ତାହା ପ୍ରତି କ୍ଲେଶ ଓ ଯନ୍ତ୍ରଣା ଘଟିବ, ପ୍ରଥମେ ଯିହୂଦୀ, ତତ୍ପରେ ଗ୍ରୀକ, କିନ୍ତୁ ଯେଉଁ ପ୍ରତ୍ୟେକ ଜଣ ସତ୍କର୍ମ କରେ, ତାହା ପ୍ରତି ମହିମା, ସମ୍ଭ୍ରମ ଓ ଶାନ୍ତି ଘଟିବ, ପ୍ରଥମେ ଯିହୂଦୀ, ତତ୍ପରେ ଗ୍ରୀକ ମଧ୍ୟ। କାରଣ ଆମ୍ଭମାନଙ୍କ ପିତା କାହାରି ମୁଖାପେକ୍ଷା କରନ୍ତି ନାହିଁ। ଯେଉଁମାନେ ବ୍ୟବସ୍ଥା ବିନା ପାପ କରିଅଛନ୍ତି, ସେମାନେ ବ୍ୟବସ୍ଥା ବିନା ବିନଷ୍ଟ ହେବେ; ପୁଣି ଯେଉଁମାନେ ବ୍ୟବସ୍ଥା ତଳେ ପାପ କରିଅଛନ୍ତି, ସେମାନେ ବ୍ୟବସ୍ଥା ଦ୍ଵାରା ବିଚାରିତ ହେବେ। କାରଣ ଯେଉଁମାନେ ବ୍ୟବସ୍ଥା ଶୁଣନ୍ତି, ସେମାନେ ଆମ୍ଭମାନଙ୍କ ପିତାଙ୍କ ସାକ୍ଷାତରେ ଧାର୍ମିକ ନୁହନ୍ତି, ମାତ୍ର ଯେଉଁମାନେ ବ୍ୟବସ୍ଥା ପାଳନ କରନ୍ତି, ସେମାନେ ଧାର୍ମିକ ଗଣିତ ହେବେ। କାରଣ ବ୍ୟବସ୍ଥା ବିହୀନ ଅଣଯିହୂଦୀମାନେ ଯେତେବେଳେ ସ୍ଵଭାବତଃ ବ୍ୟବସ୍ଥାନୁଯାୟୀ କର୍ମ କରନ୍ତି, ସେତେବେଳେ ବ୍ୟବସ୍ଥା ନ ଥିଲେ ହେଁ ସେମାନଙ୍କ ଅନ୍ତରରେ ବ୍ୟବସ୍ଥା କାର୍ଯ୍ୟ କରେ। ବ୍ୟବସ୍ଥାର କାର୍ଯ୍ୟ ସେମାନଙ୍କ ହୃଦୟରେ ଲିଖିତ ବୋଲି ସେମାନେ ଦେଖାନ୍ତି, ଆଉ ସେମାନଙ୍କ ବିବେକ ମଧ୍ୟ ସାକ୍ଷ୍ୟ ଦିଏ, ପୁଣି ସେମାନଙ୍କ ପରସ୍ପର ବିରୋଧୀ ଚିନ୍ତାସମୂହ ସେମାନଙ୍କୁ ଦୋଷୀ କିମ୍ବା ନିର୍ଦ୍ଦୋଷ କରେ। ଯେଉଁ ଦିବସରେ ଆମ୍ଭମାନଙ୍କ ପିତା ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ସମସ୍ତଙ୍କ ଗୁପ୍ତ ବିଷୟର ବିଚାର କରିବେ, ସେହି ଦିବସରେ ଏହା ଘଟିବ—ମୋହର ସୁସମାଚାର ଅନୁସାରେ। a a v16 ଆମ୍ଭମାନଙ୍କ ପିତା ବିଚାରକର୍ତ୍ତା, ତଥାପି ସେ ଆପଣା ପୁତ୍ରଙ୍କ ଦ୍ଵାରା ବିଚାର କରନ୍ତି—ପିତା ସମସ୍ତ ବିଚାର ଯୀଶୁଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।

ବ୍ୟବସ୍ଥା ତୁମ୍ଭକୁ ପରିତ୍ରାଣ କରିବ ନାହିଁ

କିନ୍ତୁ ତୁମ୍ଭେ ଯଦି ଆପଣାକୁ ଯିହୂଦୀ ବୋଲି କହୁଅଛ, ବ୍ୟବସ୍ଥା ଉପରେ ନିର୍ଭର କରୁଅଛ ଓ ଆମ୍ଭମାନଙ୍କ ପିତାଙ୍କଠାରେ ଦର୍ପ କରୁଅଛ, ଯଦି ତୁମ୍ଭେ ବ୍ୟବସ୍ଥା ଦ୍ଵାରା ଶିକ୍ଷିତ ହୋଇ ଆମ୍ଭମାନଙ୍କ ପିତାଙ୍କ ଇଚ୍ଛା ଜାଣୁଅଛ ଓ ଯାହା ଉତ୍ତମ ତାହା ଗ୍ରାହ୍ୟ କରୁଅଛ, ଯଦି ତୁମ୍ଭେ ଆପଣାକୁ ଅନ୍ଧମାନଙ୍କ ପଥପ୍ରଦର୍ଶକ, ଅନ୍ଧକାରସ୍ଥ ଲୋକଙ୍କ ଆଲୋକ, ନିର୍ବୋଧମାନଙ୍କ ଶିକ୍ଷକ, ଅପରିପକ୍ୱମାନଙ୍କ ଗୁରୁ, ଓ ବ୍ୟବସ୍ଥାରେ ଜ୍ଞାନ ଓ ସତ୍ୟର ରୂପ ଧାରଣକାରୀ ବୋଲି ଦୃଢ଼ ବିଶ୍ଵାସ କରୁଅଛ, ତେବେ ଅନ୍ୟକୁ ଶିକ୍ଷା ଦେଉଥିବା ତୁମ୍ଭେ କʼଣ ଆପଣାକୁ ଶିକ୍ଷା ଦେଉ ନାହଁ? ଚୋରି କରିବା ବିରୁଦ୍ଧରେ ପ୍ରଚାର କରୁଥିବା ତୁମ୍ଭେ କʼଣ ଚୋରି କରୁଅଛ? ବ୍ୟଭିଚାର ନ କରିବା ନିମନ୍ତେ ଅନ୍ୟକୁ କହୁଥିବା ତୁମ୍ଭେ କʼଣ ବ୍ୟଭିଚାର କରୁଅଛ? ପ୍ରତିମାସମୂହକୁ ଘୃଣା କରୁଥିବା ତୁମ୍ଭେ କʼଣ ମନ୍ଦିର ଲୁଟ କରୁଅଛ? ବ୍ୟବସ୍ଥାରେ ଦର୍ପ କରୁଥିବା ତୁମ୍ଭେ କʼଣ ବ୍ୟବସ୍ଥା ଉଲ୍ଲଙ୍ଘନ କରି ଆମ୍ଭମାନଙ୍କ ପିତାଙ୍କୁ ଅପମାନ କରୁଅଛ? ଯେପରି ଲେଖାଅଛି, “ତୁମ୍ଭମାନଙ୍କ ହେତୁ ଅଣଯିହୂଦୀମାନଙ୍କ ମଧ୍ୟରେ ଆମ୍ଭମାନଙ୍କ ପିତାଙ୍କ ନାମ ନିନ୍ଦିତ ହେଉଅଛି।” ତୁମ୍ଭେ ଯଦି ବ୍ୟବସ୍ଥା ପାଳନ କର, ତେବେ ସୁନ୍ନତ ଉପକାର କରେ; କିନ୍ତୁ ଯଦି ତୁମ୍ଭେ ବ୍ୟବସ୍ଥା ଉଲ୍ଲଙ୍ଘନ କର, ତେବେ ତୁମ୍ଭର ସୁନ୍ନତ ଅସୁନ୍ନତ ହୋଇଯାଏ। ଅତଏବ ଅସୁନ୍ନତ ଲୋକ ଯଦି ବ୍ୟବସ୍ଥାର ବିଧିସମୂହ ପାଳନ କରେ, ତେବେ କʼଣ ତାହାର ଅସୁନ୍ନତ ସୁନ୍ନତ ବୋଲି ଗଣିତ ହେବ ନାହିଁ? ପୁଣି ସ୍ଵଭାବତଃ ଅସୁନ୍ନତ ଥିବା ଯେଉଁ ଲୋକ ବ୍ୟବସ୍ଥା ପାଳନ କରେ, ସେ ବ୍ୟବସ୍ଥାର ଅକ୍ଷର ଓ ସୁନ୍ନତ ଥାଇ ବ୍ୟବସ୍ଥା ଉଲ୍ଲଙ୍ଘନ କରୁଥିବା ତୁମ୍ଭର ବିଚାର କରିବ। କାରଣ ଯେ ବାହ୍ୟରେ ଯିହୂଦୀ, ସେ ଯିହୂଦୀ ନୁହେଁ, କିମ୍ବା ଯାହା ବାହ୍ୟରେ ଶରୀରରେ ସୁନ୍ନତ, ତାହା ସୁନ୍ନତ ନୁହେଁ। ମାତ୍ର ଯେ ଅନ୍ତରରେ ଯିହୂଦୀ, ସେ ହିଁ ଯିହୂଦୀ, ପୁଣି ଯାହା ଅକ୍ଷରାନୁଯାୟୀ ନୁହେଁ, ବରଂ ଆତ୍ମାଙ୍କ ଦ୍ଵାରା ହୃଦୟର ସୁନ୍ନତ, ତାହା ହିଁ ସୁନ୍ନତ; ସେହି ଲୋକର ପ୍ରଶଂସା ମନୁଷ୍ୟଠାରୁ ନୁହେଁ, ମାତ୍ର ଆମ୍ଭମାନଙ୍କ ପିତାଙ୍କଠାରୁ ହୋଇଥାଏ।