ଜଣେ ରାଜା ଭୟ କରନ୍ତି, ଜଣେ ଭାବବାଦୀ ଆହୂତ ହୁଅନ୍ତି
ଇସ୍ରାଏଲ ଇମୋରୀୟମାନଙ୍କ ପ୍ରତି ଯାହା କଲା ତାହା ଦେଖି ଭୟଭୀତ ହୋଇ ମୋୟାବ ସେମାନଙ୍କୁ ଅଭିଶାପ ଦେବା ପାଇଁ ବିଲୀୟମକୁ ଭଡ଼ା କରେ। ଆମ ପିତା ତାହାକୁ ଯାହା କହନ୍ତି ସେ କେବଳ ତାହା ହିଁ ଦୋହରାଇ ପାରେ, ଏବଂ ଏହି କଥା ଗୋଟିଏ ଗଧ ଦ୍ୱାରା ପ୍ରମାଣିତ ହୁଏ, ଯିଏ ବାଟରେ ଠିଆ ହୋଇଥିବା ଖୋଲା ଖଡ୍ଗ ଦେଖେ, ଯାହା ସେହି ପ୍ରସିଦ୍ଧ ଦର୍ଶକ ଦେଖିପାରେ ନାହିଁ।
22 1ତତ୍ପରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରି ଯର୍ଦ୍ଦନ ସେପାରିରେ ଯିରୀହୋ ସମ୍ମୁଖସ୍ଥିତ ମୋୟାବ-ପଦାରେ ଛାଉଣି ସ୍ଥାପନ କଲେ। 2ଏଥିଉତ୍ତାରେ ଇସ୍ରାଏଲ ଇମୋରୀୟମାନଙ୍କ ପ୍ରତି ଯାହା ଯାହା କରିଥିଲେ, ତାହାସବୁ ସିପ୍ପୋରର ପୁତ୍ର ବାଲାକ ଦେଖିଲା। 3ପୁଣି ଲୋକମାନେ ଅନେକ ଥିବାରୁ ମୋୟାବ ସେମାନଙ୍କ ବିଷୟରେ ଅତ୍ୟନ୍ତ ଭୀତ ହେଲା; ଇସ୍ରାଏଲ-ସନ୍ତାନଗଣ ହେତୁ ମୋୟାବ ଉଦ୍ବିଗ୍ନ ହେଲା। 4ତହିଁରେ ମୋୟାବ ମିଦୀୟନର ପ୍ରାଚୀନବର୍ଗଙ୍କୁ କହିଲା, “ଗୋରୁ ଯେପରି କ୍ଷେତ୍ରର ତୃଣ ଚାଟି ଖାଏ, ସେହିପରି ଏହି ଜନସମୂହ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତ ବସ୍ତୁ ଚାଟି ଖାଇ ପକାଇବେ।” ସେସମୟରେ ସିପ୍ପୋରର ପୁତ୍ର ବାଲାକ ମୋୟାବର ରାଜା ଥିଲା।
5ତହୁଁ ସେ ବିୟୋରର ପୁତ୍ର ବିଲୀୟମଙ୍କୁ ଆହ୍ଵାନ କରିବା ନିମନ୍ତେ ଫରାତ୍ ନଦୀ ନିକଟସ୍ଥ ତାହାର ସ୍ଵଜାତିୟ ଲୋକଙ୍କ ଦେଶସ୍ଥିତ ପଥୋରକୁ ଦୂତମାନଙ୍କୁ ପ୍ରେରଣ କଲା। ସେ କହିଲା, “ଦେଖ, ଗୋଟିଏ ଲୋକସମୂହ ମିସରରୁ ବାହାରି ଆସିଅଛି; ଦେଖ, ସେମାନେ ଦେଶର ଭୂମଣ୍ଡଳ ଆଚ୍ଛାଦନ କରିଅଛନ୍ତି ଓ ମୋʼ ସମ୍ମୁଖରେ ବସତି କରିଅଛନ୍ତି। 6ଏଣୁ ଏବେ ବିନତି କରୁଅଛି, ଆସି ମୋʼ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ, କାରଣ ସେମାନେ ମୋʼଠାରୁ ଅଧିକ ବଳବାନ; କଦାଚ ମୁଁ ସେମାନଙ୍କୁ ଆଘାତ କରି ଦେଶରୁ ତଡ଼ିଦେଇ ପାରିବି, କାରଣ ମୁଁ ଜାଣେ, ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସେ ଆଶୀର୍ବାଦ ପ୍ରାପ୍ତ ହୁଏ ଓ ତୁମ୍ଭେ ଯାହାକୁ ଅଭିଶାପ ଦିଅ, ସେ ଅଭିଶପ୍ତ ହୁଏ।”
7ତହିଁରେ ମୋୟାବର ପ୍ରାଚୀନବର୍ଗ ଓ ମିଦୀୟନର ପ୍ରାଚୀନବର୍ଗ ଆପଣାମାନଙ୍କ ହସ୍ତରେ ମନ୍ତ୍ରଗଣନାର ପୁରସ୍କାର ଘେନି ଯାଇ ବିଲୀୟମଙ୍କ ନିକଟରେ ଉପସ୍ଥିତ ହୋଇ ତାହାଙ୍କୁ ବାଲାକର କଥା କହିଲେ।
8ତହୁଁ ସେ ସେମାନଙ୍କୁ କହିଲେ, “ଆଜି ରାତ୍ର ଏଠାରେ ରୁହ, ତହିଁରେ ସଦାପ୍ରଭୁ ମୋତେ ଯେପରି କହିବେ, ସେପରି ମୁଁ ତୁମ୍ଭମାନଙ୍କୁ ଉତ୍ତର ଦେବି।” ତେଣୁ ମୋୟାବର ଅଧିପତିମାନେ ବିଲୀୟମଙ୍କ ସଙ୍ଗେ ରହିଲେ।
9ଏଥିଉତ୍ତାରେ ଆମ୍ଭମାନଙ୍କ ପିତା ବିଲୀୟମଙ୍କ ନିକଟକୁ ଆସି କହିଲେ, “ତୁମ୍ଭ ସଙ୍ଗେ ଥିବା ଏହି ଲୋକମାନେ କିଏ?”
10ତହିଁରେ ବିଲୀୟମ ଆମ୍ଭମାନଙ୍କ ପିତାଙ୍କୁ କହିଲେ, “ମୋୟାବର ରାଜା ସିପ୍ପୋରର ପୁତ୍ର ବାଲାକ ମୋʼ ନିକଟକୁ ଏହି କଥା କହି ପଠାଇଅଛି, 11‘ଦେଖ, ଯେଉଁ ଲୋକସମୂହ ମିସରରୁ ବାହାରି ଆସିଅଛି, ସେମାନେ ଦେଶର ଭୂମଣ୍ଡଳ ଆଚ୍ଛାଦନ କରିଅଛନ୍ତି; ଏଣୁ ତୁମ୍ଭେ ଆସି ମୋʼ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ, କଦାଚ ମୁଁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ତଡ଼ିଦେଇ ପାରିବି।’”
12ମାତ୍ର ଆମ୍ଭମାନଙ୍କ ପିତା ବିଲୀୟମଙ୍କୁ କହିଲେ, “ତୁମ୍ଭେ ସେମାନଙ୍କ ସଙ୍ଗେ ଯାଅ ନାହିଁ; ତୁମ୍ଭେ ସେହି ଲୋକମାନଙ୍କୁ ଅଭିଶାପ ଦିଅ ନାହିଁ, କାରଣ ସେମାନେ ଆଶୀର୍ବାଦ ପ୍ରାପ୍ତ।”
13ତହୁଁ ବିଲୀୟମ ପ୍ରଭାତରେ ଉଠି ବାଲାକର ଅଧିପତିମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ଦେଶକୁ ଫେରିଯାଅ, କାରଣ ତୁମ୍ଭମାନଙ୍କ ସଙ୍ଗେ ମୋତେ ଯିବାକୁ ସଦାପ୍ରଭୁ ଅସମ୍ମତ ହୋଇଅଛନ୍ତି।”
14ତହିଁରେ ମୋୟାବର ଅଧିପତିମାନେ ଉଠି ବାଲାକ ନିକଟକୁ ଯାଇ କହିଲେ, “ବିଲୀୟମ ଆମ୍ଭମାନଙ୍କ ସଙ୍ଗେ ଆସିବାକୁ ଅସମ୍ମତ ହେଲେ।”
15ଏଥିଉତ୍ତାରେ ବାଲାକ ପ୍ରଥମଥର ଅପେକ୍ଷା ଅଧିକ ସଂଖ୍ୟକ ଓ ଅଧିକ ସମ୍ଭ୍ରାନ୍ତ ଅଧିପତିମାନଙ୍କୁ ପୁନର୍ବାର ପଠାଇଲା। 16ତହୁଁ ସେମାନେ ବିଲୀୟମଙ୍କ ନିକଟକୁ ଆସି କହିଲେ, “ସିପ୍ପୋରର ପୁତ୍ର ବାଲାକ ଏହି କଥା କହୁଅଛି, ‘ବିନତି କରୁଅଛି, ମୋʼ ନିକଟକୁ ଆସିବା ପାଇଁ କୌଣସି ବିଷୟ ତୁମ୍ଭକୁ ନିବୃତ୍ତ ନ କରୁ, 17କାରଣ ମୁଁ ତୁମ୍ଭକୁ ଅତିଶୟ ସମ୍ମାନ କରିବି ଓ ତୁମ୍ଭେ ମୋତେ ଯାହା କହିବ, ତାହା ମୁଁ କରିବି; ଏଣୁ ବିନତି କରୁଅଛି, ତୁମ୍ଭେ ଆସି ମୋʼ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।’”
18ତହିଁରେ ବିଲୀୟମ ବାଲାକର ଦାସମାନଙ୍କୁ ଉତ୍ତର ଦେଲେ, “ଯଦ୍ୟପି ବାଲାକ ଆପଣା ଗୃହ ପରିପୂର୍ଣ୍ଣ ରୌପ୍ୟ ଓ ସୁବର୍ଣ୍ଣ ମୋତେ ଦିଏ, ତଥାପି ମୁଁ ସାନ କି ବଡ଼ କିଛି କରିବା ପାଇଁ ସଦାପ୍ରଭୁ ମୋʼ ପରମେଶ୍ଵରଙ୍କ ଆଜ୍ଞା ଲଙ୍ଘନ କରି ପାରିବି ନାହିଁ। 19ଏଣୁ ବିନତି କରୁଅଛି, ତୁମ୍ଭେମାନେ ମଧ୍ୟ ଆଜି ରାତ୍ର ଏଠାରେ ରୁହ, ତହିଁରେ ଆମ୍ଭମାନଙ୍କ ପିତା ମୋତେ ଆଉ କʼଣ କହିବେ, ତାହା ମୁଁ ଜାଣି ପାରିବି।”
20ଏଥିଉତ୍ତାରେ ଆମ୍ଭମାନଙ୍କ ପିତା ରାତ୍ରିରେ ବିଲୀୟମଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, “ଏହି ଲୋକମାନେ ଯେବେ ତୁମ୍ଭକୁ ଡାକିବାକୁ ଆସିଅଛନ୍ତି, ତେବେ ଉଠି ସେମାନଙ୍କ ସଙ୍ଗେ ଯାଅ; ମାତ୍ର ଆମ୍ଭେ ତୁମ୍ଭକୁ ଯାହା କହିବା, କେବଳ ତାହା ହିଁ କର।”
21ତହୁଁ ବିଲୀୟମ ପ୍ରଭାତରେ ଉଠି ଆପଣା ଗର୍ଦ୍ଦଭୀ ସଜାଇ ମୋୟାବର ଅଧିପତିମାନଙ୍କ ସଙ୍ଗେ ଗଲେ।
ଆମ୍ଭମାନଙ୍କ ପିତା ଗର୍ଦ୍ଦଭୀ ଦ୍ଵାରା କଥା କହନ୍ତି
22ମାତ୍ର ସେ ଯିବାରୁ ଆମ୍ଭମାନଙ୍କ ପିତାଙ୍କ କ୍ରୋଧ ପ୍ରଜ୍ଵଳିତ ହେଲା ଓ ଆମ୍ଭମାନଙ୍କ ପିତାଙ୍କ ଦୂତ ତାହାଙ୍କ ବିପକ୍ଷ ହୋଇ ପଥ ମଧ୍ୟରେ ଠିଆ ହେଲେ। ସେସମୟରେ ବିଲୀୟମ ଆପଣା ଗର୍ଦ୍ଦଭୀ ଉପରେ ଚଢ଼ିଥିଲେ ଓ ତାହାଙ୍କ ସଙ୍ଗେ ଦୁଇ ଦାସ ଥିଲେ। 23ତହିଁରେ ଗର୍ଦ୍ଦଭୀ ଆମ୍ଭମାନଙ୍କ ପିତାଙ୍କ ଦୂତଙ୍କୁ ହସ୍ତରେ ନିଷ୍କୋଷିତ ଖଡ୍ଗ ଘେନି ପଥ ମଧ୍ୟରେ ଠିଆ ହୋଇଥିବା ଦେଖି ପଥରୁ ବାହାରି କ୍ଷେତ୍ର ଆଡ଼କୁ ଗଲା; ତହୁଁ ବିଲୀୟମ ତାହାକୁ ପଥକୁ ଫେରାଇ ଆଣିବା ନିମନ୍ତେ ଗର୍ଦ୍ଦଭୀକୁ ପ୍ରହାର କଲେ। 24ଏଥିଉତ୍ତାରେ ଆମ୍ଭମାନଙ୍କ ପିତାଙ୍କ ଦୂତ ଦ୍ରାକ୍ଷାକ୍ଷେତ୍ରର ମଧ୍ୟବର୍ତ୍ତୀ ସଂକୀର୍ଣ୍ଣ ପଥରେ ଠିଆ ହେଲେ, ଯହିଁର ଉଭୟ ପାର୍ଶ୍ଵରେ ପ୍ରାଚୀର ଥିଲା। 25ତହିଁରେ ଗର୍ଦ୍ଦଭୀ ଆମ୍ଭମାନଙ୍କ ପିତାଙ୍କ ଦୂତଙ୍କୁ ଦେଖି ପ୍ରାଚୀର ଆଡ଼କୁ ଚାପି ହୋଇ ବିଲୀୟମଙ୍କ ପାଦ ପ୍ରାଚୀରରେ ଚାପି ଦେଲା; ଏଣୁ ସେ ତାହାକୁ ପୁନର୍ବାର ପ୍ରହାର କଲେ।
26ପୁଣି ଆମ୍ଭମାନଙ୍କ ପିତାଙ୍କ ଦୂତ ଆଗକୁ ଯାଇ ଡାହାଣ କି ବାମକୁ ଫେରିବା ପାଇଁ ସ୍ଥାନ ନ ଥିବା ଏକ ସଂକୀର୍ଣ୍ଣ ସ୍ଥାନରେ ଠିଆ ହେଲେ। 27ତହିଁରେ ଗର୍ଦ୍ଦଭୀ ଆମ୍ଭମାନଙ୍କ ପିତାଙ୍କ ଦୂତଙ୍କୁ ଦେଖି ବିଲୀୟମଙ୍କ ତଳେ ଶୋଇ ପଡ଼ିଲା; ତେଣୁ ବିଲୀୟମଙ୍କ କ୍ରୋଧ ପ୍ରଜ୍ଵଳିତ ହେଲା ଓ ସେ ଆପଣା ଯଷ୍ଟିରେ ତାହାକୁ ପ୍ରହାର କଲେ।
28ସେତେବେଳେ ଆମ୍ଭମାନଙ୍କ ପିତା ଗର୍ଦ୍ଦଭୀର ମୁଖ ଫିଟାଇଲେ ଓ ତାହା ବିଲୀୟମଙ୍କୁ କହିଲା, “ମୁଁ ତୁମ୍ଭର କʼଣ କରିଅଛି ଯେ, ତୁମ୍ଭେ ଏହି ତିନିଥର ମୋତେ ପ୍ରହାର କଲ?”
29ତହିଁରେ ବିଲୀୟମ ଗର୍ଦ୍ଦଭୀକୁ କହିଲେ, “ତୁ ମୋତେ ପରିହାସ କରିଅଛୁ! ମୋʼ ହସ୍ତରେ ଯଦି ଖଡ୍ଗ ଥାଆନ୍ତା, ତେବେ ମୁଁ ଏବେ ତୋତେ ବଧ କରନ୍ତି।”
30ଗର୍ଦ୍ଦଭୀ ବିଲୀୟମଙ୍କୁ କହିଲା, “ଆଜି ପର୍ଯ୍ୟନ୍ତ ଜୀବନସାରା ତୁମ୍ଭେ ଯାହା ଉପରେ ଚଢ଼ି ଆସିଅଛ, ମୁଁ କି ତୁମ୍ଭର ସେହି ଗର୍ଦ୍ଦଭୀ ନୁହେଁ? ମୁଁ କି କେବେ ତୁମ୍ଭ ପ୍ରତି ଏପରି ବ୍ୟବହାର କରିଅଛି?” ତହୁଁ ସେ କହିଲେ, “ନା।”
31ସେତେବେଳେ ଆମ୍ଭମାନଙ୍କ ପିତା ବିଲୀୟମଙ୍କ ଚକ୍ଷୁ ଫିଟାଇଲେ ଓ ସେ ହସ୍ତରେ ନିଷ୍କୋଷିତ ଖଡ୍ଗ ଘେନି ପଥ ମଧ୍ୟରେ ଠିଆ ହୋଇଥିବା ଆମ୍ଭମାନଙ୍କ ପିତାଙ୍କ ଦୂତଙ୍କୁ ଦେଖିଲେ; ତହିଁରେ ସେ ନତ ହୋଇ ମୁହଁ ମାଡ଼ି ପ୍ରଣାମ କଲେ।
32ଏଥିରେ ଆମ୍ଭମାନଙ୍କ ପିତାଙ୍କ ଦୂତ ତାହାଙ୍କୁ କହିଲେ, “ତୁମ୍ଭେ ଏହି ତିନିଥର ଆପଣା ଗର୍ଦ୍ଦଭୀକୁ କାହିଁକି ପ୍ରହାର କଲ? ଦେଖ, ମୁଁ ବିପକ୍ଷ ହୋଇ ବାହାରି ଆସିଅଛି, କାରଣ ତୁମ୍ଭର ପଥ ମୋʼ ସମ୍ମୁଖରେ ବକ୍ର ଅଟେ। 33ଗର୍ଦ୍ଦଭୀ ମୋତେ ଦେଖି ଏହି ତିନିଥର ମୋʼ ସମ୍ମୁଖରୁ ଫେରିଗଲା; ଯଦି ସେ ନ ଫେରିଥାଆନ୍ତା, ତେବେ ନିଶ୍ଚୟ ମୁଁ ଏବେ ତୁମ୍ଭକୁ ବଧ କରିଥାଆନ୍ତି ଓ ତାହାକୁ ଜୀବିତ ରଖିଥାଆନ୍ତି।”
34ତହିଁରେ ବିଲୀୟମ ଆମ୍ଭମାନଙ୍କ ପିତାଙ୍କ ଦୂତଙ୍କୁ କହିଲେ, “ମୁଁ ପାପ କରିଅଛି, କାରଣ ଆପଣ ମୋʼ ବିରୁଦ୍ଧରେ ପଥ ମଧ୍ୟରେ ଠିଆ ହୋଇଅଛନ୍ତି ବୋଲି ମୁଁ ଜାଣି ନ ଥିଲି; ଏଣୁ ଏବେ ଯଦି ତାହା ଆପଣଙ୍କ ଦୃଷ୍ଟିରେ ଅସନ୍ତୋଷଜନକ, ତେବେ ମୁଁ ଫେରିଯିବି।”
35ଏଥିରେ ଆମ୍ଭମାନଙ୍କ ପିତାଙ୍କ ଦୂତ ବିଲୀୟମଙ୍କୁ କହିଲେ, “ଏହି ଲୋକମାନଙ୍କ ସଙ୍ଗେ ଯାଅ, ମାତ୍ର ମୁଁ ତୁମ୍ଭକୁ ଯାହା କହିବି, କେବଳ ତାହା ହିଁ କହିବ।” ତେଣୁ ବିଲୀୟମ ବାଲାକର ଅଧିପତିମାନଙ୍କ ସଙ୍ଗେ ଗଲେ।
36ଏଥିଉତ୍ତାରେ ବିଲୀୟମ ଆସୁଅଛନ୍ତି ବୋଲି ଶୁଣି ବାଲାକ ତାହାଙ୍କ ସଙ୍ଗେ ସାକ୍ଷାତ କରିବା ନିମନ୍ତେ ଅର୍ଣ୍ଣୋନ ସୀମାସ୍ଥିତ ମୋୟାବ ନଗର ପର୍ଯ୍ୟନ୍ତ, ସୀମାର ପ୍ରାନ୍ତ ଭାଗକୁ ବାହାରିଗଲା। 37ତହିଁରେ ବାଲାକ ବିଲୀୟମଙ୍କୁ କହିଲା, “ଆପଣଙ୍କୁ ଡାକିବା ପାଇଁ ମୁଁ କି ବ୍ୟଗ୍ର ହୋଇ ଲୋକ ପଠାଇ ନ ଥିଲି? ଆପଣ କାହିଁକି ମୋʼ ନିକଟକୁ ଆସିଲେ ନାହିଁ? ମୁଁ କି ବାସ୍ତବରେ ଆପଣଙ୍କୁ ସମ୍ମାନ କରି ପାରିବି ନାହିଁ?”
38ବିଲୀୟମ ବାଲାକକୁ କହିଲେ, “ଦେଖ, ମୁଁ ଏବେ ତୁମ୍ଭ ନିକଟକୁ ଆସିଅଛି; ମାତ୍ର ମୁଁ କି କୌଣସି କଥା କହି ପାରିବି? ପରମେଶ୍ଵର ମୋʼ ମୁଖରେ ଯେଉଁ କଥା ଦେବେ, କେବଳ ତାହା ହିଁ ମୁଁ କହିବି।”
39ତହୁଁ ବିଲୀୟମ ବାଲାକ ସଙ୍ଗେ ଗଲେ ଓ ସେମାନେ କିରୀୟଥ-ହୂସୋତକୁ ଆସିଲେ। 40ଏଥିରେ ବାଲାକ ଗୋରୁ ଓ ମେଷ ବଳିଦାନ କରି ବିଲୀୟମଙ୍କ ନିକଟକୁ ଓ ତାହାଙ୍କ ସଙ୍ଗେ ଥିବା ଅଧିପତିମାନଙ୍କ ନିକଟକୁ ଅଂଶ ପଠାଇଲା। 41ପ୍ରଭାତରେ ବାଲାକ ବିଲୀୟମଙ୍କୁ ନେଇ ବାମୋତ-ବାଲ୍କୁ ଉଠାଇ ଆଣିଲା ଓ ସେଠାରୁ ସେ ଲୋକମାନଙ୍କର ପ୍ରାନ୍ତ ଭାଗ ଦେଖିଲେ।