ଯିରୂଶାଲମ ଅଭିମୁଖେ ଯାତ୍ରା
ପ୍ରତ୍ୟେକ ସ୍ଥାନରେ ଆଗକୁ ନ ଯିବା ପାଇଁ ଚେତାବନୀ ମିଳେ, ଏବଂ ଜଣେ ଭାବବାଦୀ ପାଉଲଙ୍କ କଟିବନ୍ଧନରେ ନିଜ ହାତ ବାନ୍ଧନ୍ତି। ପାଉଲ କୁହନ୍ତି ସେ ସେଠାରେ ମରିବାକୁ ପ୍ରସ୍ତୁତ। ଯିରୂଶାଲମରେ ମନ୍ଦିରର ଏକ ଜନତା, ସେ ଜଣେ ଗ୍ରୀକକୁ ଭିତରକୁ ଆଣିଛନ୍ତି ବୋଲି ଅନୁମାନ କରି, ତାଙ୍କୁ ପ୍ରାୟ ମାରିଦିଏ, ଯେପର୍ଯ୍ୟନ୍ତ ସୈନ୍ୟମାନେ ତାଙ୍କୁ ଟାଣି ବାହାର କରି ନ ଆଣନ୍ତି।
21 1ସେମାନଙ୍କଠାରୁ ବିଦାୟ ନେଇ ଆମ୍ଭେମାନେ ଜାହାଜ ଯୋଗେ ସିଧା କସ୍ ଦ୍ଵୀପକୁ, ତା’ ପରଦିନ ରୋଦା ଦ୍ଵୀପକୁ, ପୁଣି ସେଠାରୁ ପାତାରାକୁ ଗଲୁ। 2ଫୈନୀକିଆକୁ ପାର ହୋଇଯାଉଥିବା ଗୋଟିଏ ଜାହାଜ ପାଇ ଆମ୍ଭେମାନେ ସେଥିରେ ଚଢ଼ି ଯାତ୍ରା କଲୁ। 3କୁପ୍ର ଦ୍ଵୀପ ଦେଖି ତାହାକୁ ବାମ ପାର୍ଶ୍ଵରେ ଛାଡ଼ି ଆମ୍ଭେମାନେ ସୁରିଆ ଅଭିମୁଖେ ଜାହାଜ ଚଳାଇ ସୋର ନଗରରେ ଉତ୍ତରିଲୁ, କାରଣ ସେଠାରେ ଜାହାଜର ମାଲପତ୍ର ଓହ୍ଲାଇବାର ଥିଲା। 4ସେଠାରେ ଆମ୍ଭେମାନେ ଶିଷ୍ୟମାନଙ୍କୁ ପାଇ ସାତ ଦିନ ରହିଲୁ। ସେମାନେ ପବିତ୍ର ଆତ୍ମାଙ୍କ ଦ୍ଵାରା ଯିରୂଶାଲମରେ ପାଦ ନ ଦେବା ନିମନ୍ତେ ପାଉଲଙ୍କୁ କହୁଥିଲେ। 5ସେଠାରେ ଆମ୍ଭମାନଙ୍କ ସମୟ ପୂର୍ଣ୍ଣ ହୁଅନ୍ତେ, ଆମ୍ଭେମାନେ ବାହାରି ଯାତ୍ରା କଲୁ, ପୁଣି ସେସମସ୍ତେ ଆପଣା ଆପଣା ସ୍ତ୍ରୀ ଓ ସନ୍ତାନମାନଙ୍କ ସହିତ ନଗର ବାହାର ପର୍ଯ୍ୟନ୍ତ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଆସିଲେ। ଆଉ ଆମ୍ଭେମାନେ ସମୁଦ୍ରକୂଳରେ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲୁ, 6ପୁଣି ପରସ୍ପରଠାରୁ ବିଦାୟ ନେଲୁ। ତା’ ପରେ ଆମ୍ଭେମାନେ ଜାହାଜରେ ଚଢ଼ିଲୁ, ଆଉ ସେମାନେ ଆପଣା ଆପଣା ଘରକୁ ଫେରିଗଲେ।
7ସୋର ନଗରରୁ ଆମ୍ଭମାନଙ୍କ ଜଳଯାତ୍ରା ଶେଷ କରି ଆମ୍ଭେମାନେ ପତଲମାୟିରେ ଉତ୍ତରି ଭାଇମାନଙ୍କୁ ନମସ୍କାର କରି ସେମାନଙ୍କ ସହିତ ଗୋଟିଏ ଦିନ ରହିଲୁ।
8ପରଦିନ ଆମ୍ଭେମାନେ ବାହାରି କାଇସରିଆକୁ ଯାଇ ସେହି ସାତ ଜଣଙ୍କ ମଧ୍ୟରୁ ଜଣେ, ଅର୍ଥାତ୍ ସୁସମାଚାର ପ୍ରଚାରକ ଫିଲିପ୍ପଙ୍କ ଗୃହରେ ପ୍ରବେଶ କରି ତାଙ୍କ ସହିତ ରହିଲୁ। 9ତାଙ୍କର ଚାରି ଜଣ ଅବିବାହିତା କନ୍ୟା ଥିଲେ, ସେମାନେ ଭାବବାଣୀ କହୁଥିଲେ। 10ଆମ୍ଭେମାନେ ଅନେକ ଦିନ ସେଠାରେ ରହୁଥିବା ସମୟରେ, ଆଗାବ ନାମକ ଜଣେ ଭାବବାଦୀ ଯିହୂଦା ପ୍ରଦେଶରୁ ଆସିଲେ।
11ସେ ଆମ୍ଭମାନଙ୍କ ନିକଟକୁ ଆସି ପାଉଲଙ୍କ ଅଣ୍ଟାବନ୍ଧନୀ ନେଇ ଆପଣା ହସ୍ତ ଓ ପାଦ ବାନ୍ଧି କହିଲେ, “ପବିତ୍ର ଆତ୍ମା ଏହା କହନ୍ତି: ‘ଯିରୂଶାଲମରେ ଥିବା ଯିହୂଦୀମାନେ ଏହି ଅଣ୍ଟାବନ୍ଧନୀର ମାଲିକକୁ ଏହିପରି ବାନ୍ଧି ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ।’”
12ଏହା ଶୁଣନ୍ତେ, ଆମ୍ଭେମାନେ ଓ ସେଠାକାର ଲୋକମାନେ ଯିରୂଶାଲମକୁ ନ ଯିବା ନିମନ୍ତେ ପାଉଲଙ୍କୁ ବିନୟ କଲୁ। 13ସେତେବେଳେ ପାଉଲ ଉତ୍ତର ଦେଲେ, “ତୁମ୍ଭେମାନେ ରୋଦନ କରି ମୋହର ହୃଦୟ କାହିଁକି ଭଗ୍ନ କରୁଅଛ? ମୁଁ ତ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଯିରୂଶାଲମରେ କେବଳ ବନ୍ଧାହେବାକୁ ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି।” 14ଆଉ ସେ ନ ମାନିବାରୁ ଆମ୍ଭେମାନେ ନୀରବ ହୋଇ କହିଲୁ, “ପ୍ରଭୁଙ୍କ ଇଚ୍ଛା ସଫଳ ହେଉ।”
15ଏହିସବୁ ଦିନ ପରେ ଆମ୍ଭେମାନେ ପ୍ରସ୍ତୁତ ହୋଇ ଯିରୂଶାଲମକୁ ଗଲୁ। 16କାଇସରିଆରୁ କେତେକ ଶିଷ୍ୟ ମଧ୍ୟ ଆମ୍ଭମାନଙ୍କ ସଙ୍ଗେ ଗଲେ, ଆଉ ମ୍ନାସୋନ ନାମକ ଜଣେ କୁପ୍ରୀୟ ଓ ପ୍ରାଚୀନ ଶିଷ୍ୟଙ୍କ ଗୃହରେ ରହିବା ନିମନ୍ତେ ଆମ୍ଭମାନଙ୍କୁ ତାଙ୍କ ନିକଟକୁ ନେଇଗଲେ।
17ଆମ୍ଭେମାନେ ଯିରୂଶାଲମରେ ଉପସ୍ଥିତ ହୁଅନ୍ତେ, ଭାଇମାନେ ଆନନ୍ଦରେ ଆମ୍ଭମାନଙ୍କୁ ଗ୍ରହଣ କଲେ। 18ପରଦିନ ପାଉଲ ଆମ୍ଭମାନଙ୍କ ସହିତ ଯାକୁବଙ୍କ ସାକ୍ଷାତ କରିବାକୁ ଗଲେ, ଆଉ ପ୍ରାଚୀନବର୍ଗ ସମସ୍ତେ ଉପସ୍ଥିତ ଥିଲେ। 19ସେ ସେମାନଙ୍କୁ ନମସ୍କାର କରି, ଆପଣା ସେବାକାର୍ଯ୍ୟ ଦ୍ଵାରା ବିଜାତିମାନଙ୍କ ମଧ୍ୟରେ ଆମ୍ଭମାନଙ୍କ ପିତା ଯାହା ଯାହା କରିଥିଲେ, ସେହିସବୁ ଗୋଟି ଗୋଟି କରି ବର୍ଣ୍ଣନା କଲେ। 20ଏହା ଶୁଣି ସେମାନେ ଆମ୍ଭମାନଙ୍କ ପିତାଙ୍କ ପ୍ରଶଂସା କଲେ, ପୁଣି ତାଙ୍କୁ କହିଲେ, “ହେ ଭାଇ, ତୁମ୍ଭେ ଦେଖୁଅଛ, ଯିହୂଦୀମାନଙ୍କ ମଧ୍ୟରେ କେତେ ସହସ୍ର ଲୋକ ବିଶ୍ଵାସ କରିଅଛନ୍ତି, ଆଉ ସେସମସ୍ତେ ବ୍ୟବସ୍ଥା ନିମନ୍ତେ ଉଦ୍ଯୋଗୀ। 21ତୁମ୍ଭେ ବିଜାତିମାନଙ୍କ ମଧ୍ୟରେ ଥିବା ସମସ୍ତ ଯିହୂଦୀଙ୍କୁ ଆପଣା ସନ୍ତାନମାନଙ୍କୁ ସୁନ୍ନତ ନ କରିବାକୁ ଓ ଆମ୍ଭମାନଙ୍କ ରୀତିନୀତି ନ ମାନିବାକୁ କହି ମୋଶାଙ୍କୁ ତ୍ୟାଗ କରିବା ବିଷୟ ଶିକ୍ଷା ଦେଉଅଛ ବୋଲି ସେମାନଙ୍କୁ କୁହାଯାଇଅଛି। 22ତେବେ ଆମ୍ଭେମାନେ କʼଣ କରିବୁ? ତୁମ୍ଭେ ଯେ ଆସିଅଛ, ଏହା ସେମାନେ ନିଶ୍ଚୟ ଶୁଣିବେ। 23ଅତଏବ ଆମ୍ଭେମାନେ ତୁମ୍ଭକୁ ଯାହା କହୁଅଛୁ, ତାହା କର। ଆମ୍ଭମାନଙ୍କ ସଙ୍ଗରେ ଚାରି ଜଣ ଲୋକ ଅଛନ୍ତି, ସେମାନେ ଗୋଟିଏ ମାନତ କରିଅଛନ୍ତି। a a v23 ଏହି ଲୋକମାନେ ଗୋଟିଏ ନାସରୀୟ ମାନତ କରିଥିଲେ — ଏହା ଭକ୍ତିର ଏକ କ୍ଷଣସ୍ଥାୟୀ ପ୍ରତିଜ୍ଞା, ଯାହା ମସ୍ତକ ମୁଣ୍ଡନ କରିବା ଓ ମନ୍ଦିରରେ ଗୋଟିଏ ବଳିଦାନ ଉତ୍ସର୍ଗ କରିବା ଦ୍ଵାରା ଶେଷ ହେଉଥିଲା। 24ଏହି ଲୋକମାନଙ୍କୁ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର, ଆଉ ସେମାନେ ଯେପରି ମସ୍ତକ ମୁଣ୍ଡନ କରିପାରନ୍ତି, ଏଥିପାଇଁ ସେମାନଙ୍କ ବ୍ୟୟ ବହନ କର। ତାହାହେଲେ ତୁମ୍ଭ ବିଷୟରେ ଯାହା ଯାହା କୁହାଯାଇଅଛି, ସେସବୁ ଯେ ମିଥ୍ୟା, ଆଉ ତୁମ୍ଭେ ନିଜେ ମଧ୍ୟ ବ୍ୟବସ୍ଥା ପାଳନ କରୁଅଛ ବୋଲି ସମସ୍ତେ ଜାଣିବେ। 25ମାତ୍ର ବିଶ୍ଵାସ କରିଥିବା ବିଜାତିମାନଙ୍କ ବିଷୟରେ ଆମ୍ଭେମାନେ ଆପଣାମାନଙ୍କ ବିଚାର ପୂର୍ବରୁ ଲେଖିଅଛୁ, ଅର୍ଥାତ୍ ସେମାନେ ଯେପରି ପ୍ରତିମାକୁ ଉତ୍ସର୍ଗୀକୃତ ଖାଦ୍ୟ, ରକ୍ତ, ଶ୍ଵାସରୋଧ କରାଯାଇଥିବା ପଶୁର ମାଂସ ଓ ବ୍ୟଭିଚାରରୁ ଆପଣାକୁ ରକ୍ଷା କରନ୍ତି।”
26ସେଥିରେ ପାଉଲ ସେହି ଲୋକମାନଙ୍କୁ ନେଇ ପରଦିନ ସେମାନଙ୍କ ସହିତ ଆପଣାକୁ ଶୁଚି କରି ମନ୍ଦିରରେ ପ୍ରବେଶ କଲେ, ପୁଣି ପ୍ରତ୍ୟେକ ଜଣ ନିମନ୍ତେ ଶୁଚିକ୍ରିୟାର ଦିନ କେବେ ଶେଷ ହେବ ଓ କେବେ ବଳିଦାନ ଉତ୍ସର୍ଗ କରାଯିବ, ତାହା ଜଣାଇଦେଲେ।
ମନ୍ଦିରରେ ପାଉଲ ଧରାଗଲେ
27ସେହି ସାତ ଦିନ ଶେଷ ହେବା ବେଳେ ଆସିଆ ଦେଶର ଯିହୂଦୀମାନେ ତାଙ୍କୁ ମନ୍ଦିରରେ ଦେଖି ସମସ୍ତ ଲୋକସମୂହକୁ ଉତ୍ତେଜିତ କରି ତାଙ୍କୁ ଧରିଲେ, 28ଆଉ ଉଚ୍ଚ ସ୍ଵରରେ କହିଲେ, “ହେ ଇସ୍ରାଏଲୀୟ ଲୋକମାନେ, ସାହାଯ୍ୟ କର! ଯେଉଁ ଲୋକ ସର୍ବତ୍ର ସମସ୍ତଙ୍କୁ ଆମ୍ଭମାନଙ୍କ ଲୋକ, ବ୍ୟବସ୍ଥା ଓ ଏହି ସ୍ଥାନ ବିରୁଦ୍ଧରେ ଶିକ୍ଷା ଦେଉଅଛି, ସେ ଏହି। ଆହୁରି ସେ ଗ୍ରୀକ୍ମାନଙ୍କୁ ମଧ୍ୟ ମନ୍ଦିର ଭିତରକୁ ଆଣି ଏହି ପବିତ୍ର ସ୍ଥାନ ଅଶୁଚି କରିଅଛି।” 29କାରଣ ସେମାନେ ପୂର୍ବରୁ ଏଫିସୀୟ ତ୍ରଫିମଙ୍କୁ ତାଙ୍କ ସହିତ ନଗରରେ ଦେଖିଥିଲେ, ଆଉ ପାଉଲ ତ୍ରଫିମଙ୍କୁ ମନ୍ଦିର ଭିତରକୁ ଆଣିଅଛନ୍ତି ବୋଲି ଅନୁମାନ କରିଥିଲେ।
30ସମସ୍ତ ନଗର ଉତ୍ତେଜିତ ହେଲା, ଲୋକମାନେ ଏକତ୍ର ଦୌଡ଼ି ଆସି ପାଉଲଙ୍କୁ ଧରି ମନ୍ଦିର ବାହାରକୁ ଟାଣି ନେଲେ, ଆଉ ସଙ୍ଗେ ସଙ୍ଗେ ଦ୍ଵାରସବୁ ବନ୍ଦ କରାଗଲା। 31ସେମାନେ ତାଙ୍କୁ ବଧ କରିବାକୁ ଚେଷ୍ଟା କରୁଥିବା ସମୟରେ, ସମସ୍ତ ଯିରୂଶାଲମ ଗଣ୍ଡଗୋଳରେ ପଡ଼ିଅଛି ବୋଲି ସୈନ୍ୟଦଳର ସହସ୍ରପତି ନିକଟରେ ସମାଚାର ପହଞ୍ଚିଲା। 32ସେ ସେହିକ୍ଷଣି ସୈନ୍ୟ ଓ ଶତସେନାପତିମାନଙ୍କୁ ନେଇ ସେମାନଙ୍କ ନିକଟକୁ ଦୌଡ଼ି ଆସିଲେ। ସହସ୍ରପତି ଓ ସୈନ୍ୟମାନଙ୍କୁ ଦେଖି ଲୋକସମୂହ ପାଉଲଙ୍କୁ ମାରିବା ବନ୍ଦ କଲେ। 33ସେତେବେଳେ ସହସ୍ରପତି ନିକଟକୁ ଆସି ତାଙ୍କୁ ଧରି ଦୁଇ ଜଞ୍ଜିରରେ ବାନ୍ଧିବା ନିମନ୍ତେ ଆଜ୍ଞା ଦେଲେ, ପୁଣି ସେ କିଏ ଓ କʼଣ କରିଅଛି ବୋଲି ପଚାରିଲେ। 34ସେତେବେଳେ ଲୋକସମୂହ ମଧ୍ୟରେ କେହି ଏକ କଥା, ତ କେହି ଅନ୍ୟ କଥା ଉଚ୍ଚ ସ୍ଵରରେ କହିବାକୁ ଲାଗିଲେ। କୋଳାହଳ ହେତୁ ପ୍ରକୃତ ବିଷୟ ଜାଣିବାକୁ ଅସମର୍ଥ ହୋଇ ସେ ପାଉଲଙ୍କୁ ଦୁର୍ଗ ଭିତରକୁ ନେଇଯିବା ନିମନ୍ତେ ଆଜ୍ଞା ଦେଲେ। 35ପାଉଲ ସୋପାନ ନିକଟରେ ପହଞ୍ଚିବା ବେଳେ, ଲୋକସମୂହର ଉଗ୍ରତା ହେତୁ ସୈନ୍ୟମାନଙ୍କୁ ତାଙ୍କୁ ବୋହିନେବାକୁ ପଡ଼ିଲା, 36କାରଣ ଲୋକସମୂହ, “ତାହାକୁ ଦୂର କର!” ବୋଲି ଉଚ୍ଚ ସ୍ଵରରେ କହି କହି ପଛେ ପଛେ ଯାଉଥିଲେ।
ପାଉଲ ଲୋକସମୂହକୁ କଥା କହିଲେ
37ପାଉଲଙ୍କୁ ଦୁର୍ଗ ଭିତରକୁ ନିଆଯିବାକୁ ଉଦ୍ୟତ ହେବା ବେଳେ, ସେ ସହସ୍ରପତିଙ୍କୁ ପଚାରିଲେ, “ମୁଁ କି ଆପଣଙ୍କୁ କିଛି କହିପାରେ?” ସେ ଉତ୍ତର ଦେଲେ, “ତୁମ୍ଭେ କି ଗ୍ରୀକ୍ ଭାଷା ଜାଣ?
38ତେବେ ଯେଉଁ ମିସରୀୟ ଲୋକ ପୂର୍ବରୁ ବିଦ୍ରୋହ ଘଟାଇ ଚାରି ସହସ୍ର ଘାତକଙ୍କୁ ପ୍ରାନ୍ତରକୁ ନେଇଯାଇଥିଲା, ତୁମ୍ଭେ କି ସେ ନୁହଁ?”
39ପାଉଲ ଉତ୍ତର ଦେଲେ, “ମୁଁ ଜଣେ ଯିହୂଦୀ, କିଲିକିଆର ତାର୍ଷ ନଗରର, ଗୋଟିଏ ଅପ୍ରସିଦ୍ଧ ନଗରର ନାଗରିକ ନୁହେଁ। ମୁଁ ଆପଣଙ୍କୁ ବିନୟ କରୁଅଛି, ମୋତେ ଲୋକମାନଙ୍କୁ କଥା କହିବାକୁ ଅନୁମତି ଦିଅନ୍ତୁ।”
40ଅନୁମତି ପାଇ ପାଉଲ ସୋପାନ ଉପରେ ଠିଆ ହୋଇ ଲୋକମାନଙ୍କ ପ୍ରତି ହସ୍ତ ଦ୍ଵାରା ସଙ୍କେତ କଲେ। ଆଉ ଗଭୀର ନୀରବତା ହୁଅନ୍ତେ, ସେ ସେମାନଙ୍କୁ ଏବ୍ରୀ ଭାଷାରେ କଥା କହିଲେ: