ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ମୂର୍ଖ ଆପଣା ମୂର୍ଖତାର ପୁନରାବୃତ୍ତି କରେ

ପ୍ରାୟ ତିନି ପ୍ରକାର ଲୋକଙ୍କ ଏକ ତାଲିକା। ମୂର୍ଖ, ଯାହାକୁ ସମ୍ମାନ ଦିଆଯାଇପାରେ ନାହିଁ, କାମରେ ଲଗାଯାଇପାରେ ନାହିଁ କି ସୁଧାରାଯାଇପାରେ ନାହିଁ; ଅଳସୁଆ, ଯିଏ କବଜା ଉପରେ କବାଟ ପରି ନିଜ ଶଯ୍ୟାରେ ଏପଟ ସେପଟ ହୁଏ; ଏବଂ ପ୍ରତାରକ, ଯିଏ ଆଘାତ ଦେଇ ପରେ କହେ ଯେ ସେ କେବଳ ଥଟ୍ଟା କରୁଥିଲା। ଯିଏ ଗାତ ଖୋଳେ, ସେ ନିଜେ ସେଥିରେ ପଡ଼େ।

ଅଧ୍ୟାୟ 26।

ଗ୍ରୀଷ୍ମକାଳରେ ହିମ ଓ ଶସ୍ୟ କାଟିବା ସମୟରେ ବୃଷ୍ଟି ଯେପରି ଅନୁପଯୁକ୍ତ, ମୂର୍ଖ ପ୍ରତି ସମ୍ମାନ ସେପରି ଶୋଭନୀୟ ନୁହେଁ। ଉଡ଼ୁଥିବା ଘରଚଟିଆ ଓ ଦ୍ରୁତଗାମୀ ତାଳଚୋଞ୍ଚ ପରି ଅକାରଣ ଅଭିଶାପ ଉପସ୍ଥିତ ହୁଏ ନାହିଁ। ଅଶ୍ଵ ନିମନ୍ତେ କୋରଡ଼ା, ଗର୍ଦ୍ଦଭ ନିମନ୍ତେ ଲଗାମ, ପୁଣି ମୂର୍ଖମାନଙ୍କ ପିଠି ନିମନ୍ତେ ବାଡ଼ି। ମୂର୍ଖକୁ ତାହାର ମୂର୍ଖତାନୁସାରେ ଉତ୍ତର ଦିଅ ନାହିଁ, ନୋହିଲେ ତୁମ୍ଭେ ନିଜେ ତାହା ପରି ହେବ। ମୂର୍ଖକୁ ତାହାର ମୂର୍ଖତାନୁସାରେ ଉତ୍ତର ଦିଅ, ନୋହିଲେ ସେ ଆପଣା ଦୃଷ୍ଟିରେ ଜ୍ଞାନୀ ହେବ। ଯେ ମୂର୍ଖ ଦ୍ଵାରା ସମ୍ବାଦ ପଠାଏ, ସେ ଆପଣା ପାଦ କାଟି ପକାଏ ଓ କ୍ଷତି ପାନ କରେ। ଯେପରି ନେଣ୍ଟା ଲୋକର ପାଦ ଅକର୍ମଣ୍ୟ ହୋଇ ଝୁଲେ, ସେପରି ମୂର୍ଖମାନଙ୍କ ମୁଖରେ ହିତୋପଦେଶ। ଫିଙ୍ଗାରେ ପ୍ରସ୍ତର ବାନ୍ଧିବା ଯେପରି, ମୂର୍ଖକୁ ସମ୍ମାନ ଦେବା ସେପରି। ମତୁଆଲାର ହସ୍ତରେ କଣ୍ଟକବୃକ୍ଷ ଯେପରି, ମୂର୍ଖମାନଙ୍କ ମୁଖରେ ହିତୋପଦେଶ ସେପରି। ଯେଉଁ ଧନୁର୍ଦ୍ଧର ସମସ୍ତଙ୍କୁ କ୍ଷତ କରେ, ତାହା ପରି ସେହି ଲୋକ, ଯେ ମୂର୍ଖକୁ ଅବା ଯେକୌଣସି ପଥିକକୁ ବେତନ ଦେଇ ରଖେ। କୁକୁର ଯେପରି ଆପଣା ବାନ୍ତି ନିକଟକୁ ଫେରିଯାଏ, ମୂର୍ଖ ସେପରି ଆପଣା ମୂର୍ଖତାର ପୁନରାବୃତ୍ତି କରେ। ଆପଣା ଦୃଷ୍ଟିରେ ଜ୍ଞାନୀ କୌଣସି ଲୋକକୁ କି ତୁମ୍ଭେ ଦେଖୁଅଛ? ତାହା ଅପେକ୍ଷା ମୂର୍ଖ ବିଷୟରେ ଅଧିକ ଭରସା ଅଛି।

ଅଳସୁଆ ଲୋକ କହେ, “ବାଟରେ ସିଂହ ଅଛି! ସଡ଼କରେ ସିଂହ!” କବାଟ ଯେପରି ଆପଣା ଗୋଡ଼େଇରେ ବୁଲେ, ଅଳସୁଆ ଲୋକ ସେପରି ଆପଣା ଶଯ୍ୟାରେ ବୁଲେ। ଅଳସୁଆ ଲୋକ ଥାଳିରେ ଆପଣା ହସ୍ତ ବୁଡ଼ାଏ; ତାହା ପୁନର୍ବାର ମୁଖକୁ ଆଣିବାକୁ ତାହାକୁ ପରିଶ୍ରାନ୍ତ କରେ। ବିବେଚନାପୂର୍ବକ ଉତ୍ତର ଦେଉଥିବା ସାତ ଜଣ ଅପେକ୍ଷା, ଅଳସୁଆ ଲୋକ ଆପଣା ଦୃଷ୍ଟିରେ ଅଧିକ ଜ୍ଞାନୀ।

କୁକୁରକୁ କର୍ଣ୍ଣ ଧରି ଟାଣିବା ଯେପରି, ଆପଣାର ନୋହିଲା କଳିରେ ହସ୍ତକ୍ଷେପ କରୁଥିବା ପଥିକ ସେପରି।

ଯେଉଁ ବାୟୁଗ୍ରସ୍ତ ଲୋକ ଜ୍ଵଳନ୍ତ ଅଙ୍ଗାର, ତୀର ଓ ମୃତ୍ୟୁ ନିକ୍ଷେପ କରେ, ସେହିପରି ସେହି ଲୋକ, ଯେ ଆପଣା ପ୍ରତିବାସୀକୁ ପ୍ରବଞ୍ଚନା କରି କହେ, “ମୁଁ ତ କେବଳ ଥଟ୍ଟା କରୁଥିଲି!”

କାଠ ବିନା ଯେପରି ଅଗ୍ନି ନିର୍ବାଣ ହୁଏ, ପରନିନ୍ଦକ ବିନା ସେପରି କଳି ଶାନ୍ତ ହୁଏ। ଜ୍ଵଳନ୍ତ ଅଙ୍ଗାର ପ୍ରତି ଯେପରି କୋଇଲା ଓ ଅଗ୍ନି ପ୍ରତି ଯେପରି କାଠ, କଳିହୁଡ଼ା ଲୋକ ସେପରି ବିବାଦ ପ୍ରଜ୍ଵଳିତ କରେ। ପରନିନ୍ଦକର ବାକ୍ୟ ଉତ୍ତମ ଖାଦ୍ୟ ଖଣ୍ଡ ପରି; ତାହା ଉଦରର ଅନ୍ତସ୍ଥଳକୁ ଓହ୍ଲାଇଯାଏ।

ମୃତ୍ତିକା ପାତ୍ର ଉପରେ ଚଢ଼ା କଲାଇ ଯେପରି, ଦୁଷ୍ଟ ହୃଦୟ ସହିତ ଚିକ୍କଣ ଓଷ୍ଠ ସେପରି। ଶତ୍ରୁ ଆପଣା ଓଷ୍ଠରେ ନିଜକୁ ଛଦ୍ମବେଶୀ କରେ, ମାତ୍ର ଆପଣା ହୃଦୟରେ ସେ ପ୍ରବଞ୍ଚନା ପୋଷଣ କରେ। ସେ ମଧୁର ବାକ୍ୟ କହିଲେ, ତାହାକୁ ବିଶ୍ଵାସ କର ନାହିଁ, କାରଣ ତାହାର ହୃଦୟ ସାତ ପ୍ରକାର ଘୃଣ୍ୟ ବସ୍ତୁରେ ପରିପୂର୍ଣ୍ଣ। ପ୍ରବଞ୍ଚନା ଦ୍ଵାରା ତାହାର ଘୃଣା ଗୁପ୍ତ ଥିଲେ ହେଁ, ତାହାର ଦୁଷ୍ଟତା ସମାଜ ମଧ୍ୟରେ ପ୍ରକାଶିତ ହେବ। ଯେ ଗାତ ଖୋଳେ, ସେ ତହିଁ ମଧ୍ୟରେ ପଡ଼ିବ, ପୁଣି ଯେ ପ୍ରସ୍ତର ଗଡ଼ାଏ, ତାହା ତାହା ଉପରକୁ ଫେରିଆସେ। ମିଥ୍ୟାବାଦୀ ଜିହ୍ଵା ଯାହାକୁ ଚୂର୍ଣ୍ଣ କରେ, ସେମାନଙ୍କୁ ଘୃଣା କରେ, ପୁଣି ଚାଟୁବାଦୀ ମୁଖ ବିନାଶ ସାଧନ କରେ।