ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଲୁହା ଲୁହାକୁ ତୀକ୍ଷ୍ଣ କରେ

ବନ୍ଧୁତାର ସଚ୍ଚୋଟ ପରୀକ୍ଷା। ଗୁପ୍ତ ପ୍ରେମ ଅପେକ୍ଷା ପ୍ରକାଶ୍ୟ ଭର୍ତ୍ସନା ଭଲ, ବନ୍ଧୁର ଆଘାତ ବିଶ୍ୱସ୍ତ, ଏବଂ ଲୁହା ଲୁହାକୁ ଧାର ଦିଏ। ଏହା କାଲି ବିଷୟରେ ଗର୍ବ କରିବା ବିରୁଦ୍ଧରେ ମଧ୍ୟ ଚେତାବନୀ ଦିଏ ଓ ପ୍ରଶଂସାକୁ ଚରିତ୍ରର ପରୀକ୍ଷା ବୋଲି ଗଣେ, ତାʼପରେ ମେଣ୍ଢାପଲ ଓ ଗୋରୁପଲ ବିଷୟରେ କହି ଶେଷ ହୁଏ, କାରଣ ଧନ ଚିରକାଳ ରହେ ନାହିଁ।

ଅଧ୍ୟାୟ 27।

ଆସନ୍ତାକାଲି ବିଷୟରେ ଦର୍ପ କର ନାହିଁ, କାରଣ ଦିନଟିଏ କଅଣ ଆଣିବ, ତାହା ତୁମ୍ଭେ ଜାଣ ନାହିଁ। ତୁମ୍ଭର ନିଜ ମୁଖ ନୁହେଁ, ମାତ୍ର ଅନ୍ୟ ଜଣେ ତୁମ୍ଭର ପ୍ରଶଂସା କରୁ; ତୁମ୍ଭର ନିଜ ଓଷ୍ଠ ନୁହେଁ, ମାତ୍ର ଅପରିଚିତ ଜଣେ କରୁ। ପ୍ରସ୍ତର ଭାରୀ ଓ ବାଲି ବୋଝ ସ୍ଵରୂପ, ମାତ୍ର ମୂର୍ଖର ବିରକ୍ତି ଏ ଦୁହିଁଙ୍କଠାରୁ ଅଧିକ ଭାରୀ। କୋପ ନିଷ୍ଠୁର ଓ କ୍ରୋଧ ପ୍ରବଳ, ମାତ୍ର ଈର୍ଷା ସମ୍ମୁଖରେ କିଏ ଠିଆ ହୋଇପାରେ? ଗୁପ୍ତ ରହୁଥିବା ପ୍ରେମ ଅପେକ୍ଷା ପ୍ରକାଶ୍ୟ ଅନୁଯୋଗ ଉତ୍ତମ। ମିତ୍ରର ଆଘାତ ବିଶ୍ଵସ୍ତ, ମାତ୍ର ଶତ୍ରୁର ଚୁମ୍ବନ ପ୍ରବଞ୍ଚନାପୂର୍ଣ୍ଣ। ତୃପ୍ତ ବ୍ୟକ୍ତି ମଧୁ ମଧୁଚାକ ପଦ ତଳେ ଦଳେ, ମାତ୍ର କ୍ଷୁଧିତ ଲୋକ ପ୍ରତି ତିକ୍ତ ଦ୍ରବ୍ୟ ମଧ୍ୟ ମିଷ୍ଟ ଲାଗେ। ଯେଉଁ ମନୁଷ୍ୟ ଆପଣା ଗୃହରୁ ଭ୍ରମଣ କରେ, ସେ ବସାରୁ ଭ୍ରମଣକାରୀ ପକ୍ଷୀ ତୁଲ୍ୟ। ତୈଳ ଓ ସୁଗନ୍ଧି ଦ୍ରବ୍ୟ ହୃଦୟକୁ ଆନନ୍ଦିତ କରେ, ଆଉ ମିତ୍ରର ମାଧୁର୍ଯ୍ୟ ଅନ୍ତରର ପରାମର୍ଶରୁ ଜନ୍ମେ। ତୁମ୍ଭର ମିତ୍ର କି ତୁମ୍ଭ ପିତାର ମିତ୍ରଙ୍କୁ ତ୍ୟାଗ କର ନାହିଁ, ପୁଣି ବିପଦ ଘଟିବା ସମୟରେ ଆପଣା ଭ୍ରାତାର ଗୃହକୁ ଯାଅ ନାହିଁ; ଦୂରସ୍ଥ ଭ୍ରାତା ଅପେକ୍ଷା ନିକଟସ୍ଥ ପ୍ରତିବାସୀ ଭଲ। ହେ ମୋʼ ପୁତ୍ର, ଜ୍ଞାନବାନ ହୁଅ, ପୁଣି ମୋʼ ହୃଦୟକୁ ଆନନ୍ଦିତ କର, ଯେପରି ମୋତେ ନିନ୍ଦାକାରୀକୁ ମୁଁ ଉତ୍ତର ଦେଇ ପାରିବି। ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ, ମାତ୍ର ନିର୍ବୋଧ ଲୋକ ଆଗକୁ ଯାଇ ଦଣ୍ଡ ଭୋଗେ। ଯେ ଅପରିଚିତ ଲୋକ ପାଇଁ ଜାମିନ ହୁଏ, ତାହାର ବସ୍ତ୍ର ନେଇଯାଅ; ସେ ବିଦେଶିନୀ ସ୍ତ୍ରୀ ପାଇଁ ଜାମିନ ହେଲେ, ତାହା ବନ୍ଧକ ରୂପେ ଧରି ରଖ। ଯେକେହି ଅତି ପ୍ରଭାତରେ ଉଚ୍ଚ ସ୍ଵରରେ ଆପଣା ପ୍ରତିବାସୀକୁ ଆଶୀର୍ବାଦ କରେ, ତାହା ଅଭିଶାପ ବୋଲି ଗଣାଯିବ। କଳହକାରିଣୀ ଭାର୍ଯ୍ୟା ବର୍ଷା ଦିନର ନିରନ୍ତର ବୁନ୍ଦା ପଡ଼ିବା ତୁଲ୍ୟ। ତାହାକୁ ଅଟକାଇବା ବାୟୁକୁ ଅଟକାଇବା ତୁଲ୍ୟ, ଅବା ଡାହାଣ ହସ୍ତରେ ତୈଳ ଧରିବା ତୁଲ୍ୟ। ଲୁହା ଲୁହାକୁ ତୀକ୍ଷ୍ଣ କରେ, ଆଉ ଜଣେ ଲୋକ ଅନ୍ୟ ଜଣକୁ ତୀକ୍ଷ୍ଣ କରେ। ଯେକେହି ଡିମ୍ବିରି ବୃକ୍ଷ ପ୍ରତିପାଳନ କରେ, ସେ ତାହାର ଫଳ ଭୋଜନ କରିବ, ଆଉ ଯେକେହି ଆପଣା ପ୍ରଭୁଙ୍କୁ ରକ୍ଷା କରେ, ସେ ସମ୍ମାନିତ ହେବ। ଜଳ ଯେପରି ମୁଖର ପ୍ରତିବିମ୍ବ ଦେଖାଏ, ସେପରି ହୃଦୟ ମନୁଷ୍ୟର ପ୍ରତିବିମ୍ବ ଦେଖାଏ। କବର ଓ ବିନାଶ କେବେ ତୃପ୍ତ ହୁଅନ୍ତି ନାହିଁ, ପୁଣି ମନୁଷ୍ୟର ଚକ୍ଷୁ କେବେ ତୃପ୍ତ ହୁଏ ନାହିଁ। a a v20 ଶିଓଲ ମୃତମାନଙ୍କ ସ୍ଥାନ; ଆବଦ୍ଦୋନ ବିନାଶର ସ୍ଥାନ — ଏ ଦୁଇ ଏକତ୍ର କେବେ ପୂର୍ଣ୍ଣ ନ ହେଉଥିବା କ୍ଷୁଧାର ଚିତ୍ର ଦିଅନ୍ତି। ରୂପା ପାଇଁ ମୁଷା ଓ ସୁନା ପାଇଁ ଉହ୍ମାଇ, ପୁଣି ପ୍ରାପ୍ତ ପ୍ରଶଂସା ଦ୍ଵାରା ମନୁଷ୍ୟ ପରୀକ୍ଷିତ ହୁଏ। ତୁମ୍ଭେ ମୂର୍ଖକୁ ମୁଷଳ ଦ୍ଵାରା ଢେଙ୍କିରେ ଶସ୍ୟ ସହିତ କୁଟିଲେ ହେଁ, ତାହାର ମୂର୍ଖତା ତାହାଠାରୁ ଯିବ ନାହିଁ। ଆପଣା ପଲର ଅବସ୍ଥା ଉତ୍ତମ ରୂପେ ଜାଣ, ପୁଣି ଆପଣା ଗୋରୁ ପଲ ପ୍ରତି ଯତ୍ନ ସହକାରେ ମନୋଯୋଗ କର। କାରଣ ଐଶ୍ଵର୍ଯ୍ୟ ଅନନ୍ତକାଳ ରହେ ନାହିଁ, କିଅବା ମୁକୁଟ ପୁରୁଷାନୁକ୍ରମେ ସ୍ଥାୟୀ ହୁଏ ନାହିଁ। ତୃଣ ଯାଇ ନୂତନ ପଲ୍ଲବ ଦେଖାଦେଲେ, ଆଉ ପର୍ବତର ଓଷଧି ସଂଗୃହୀତ ହେଲେ, ମେଷଶାବକମାନେ ତୁମ୍ଭର ବସ୍ତ୍ର ଯୋଗାଇବେ, ଆଉ ଛେଳିମାନେ କ୍ଷେତ୍ରର ମୂଲ୍ୟ ଯୋଗାଇବେ; ପୁଣି ତୁମ୍ଭ ଆହାର ନିମନ୍ତେ, ତୁମ୍ଭ ପରିବାରର ଆହାର ନିମନ୍ତେ ଓ ତୁମ୍ଭ ଦାସୀମାନଙ୍କ ପ୍ରତିପାଳନ ନିମନ୍ତେ ଯଥେଷ୍ଟ ଛେଳି ଦୁଗ୍ଧ ହେବ।