ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ହିଜକୀୟଙ୍କ ସଂଗ୍ରହ

ହିଜକିୟଙ୍କ ଲୋକମାନେ ଏହାକୁ ନକଲ କରିଥିଲେ, ଏବଂ ଏହା ଅସାଧାରଣ ଭାବେ ଉପମାରେ ଭରା: ସୁନାର ସେଓ, ଅମଳ ସମୟରେ ବରଫ, ଭଙ୍ଗା ଦାନ୍ତ, ସୋଡା ଉପରେ ଭିନେଗାର, ପ୍ରାଚୀର ନ ଥିବା ନଗର। ଏହାର ଉପଦେଶ ସ୍ପଷ୍ଟ ଓ ବାସ୍ତବ — ରାଜାଙ୍କ ସାମ୍ନାରେ ଆଗକୁ ନ ମାଡ଼ିବା ଠାରୁ ପଡ଼ୋଶୀ ଘରେ ବାରମ୍ବାର ଯାଇ ତାଙ୍କୁ ବିରକ୍ତ ନ କରିବା ପର୍ଯ୍ୟନ୍ତ।

ଅଧ୍ୟାୟ 25।

ଏହିସବୁ ମଧ୍ୟ ଶଲୋମନଙ୍କ ହିତୋପଦେଶ, ଯାହା ଯିହୂଦାର ରାଜା ହିଜକୀୟଙ୍କ ଲୋକମାନେ ନକଲ କଲେ। କୌଣସି ବିଷୟ ଗୁପ୍ତ ରଖିବା ଆମ୍ଭମାନଙ୍କ ପିତାଙ୍କ ମହିମା, ମାତ୍ର କୌଣସି ବିଷୟ ଅନୁସନ୍ଧାନ କରିବା ରାଜାମାନଙ୍କ ମହିମା। ଯେପରି ଆକାଶମଣ୍ଡଳ ଉଚ୍ଚ ଓ ପୃଥିବୀ ଗଭୀର, ସେପରି ରାଜାମାନଙ୍କ ହୃଦୟ ଅନୁସନ୍ଧାନ କରାଯାଇ ନ ପାରେ। ରୂପାରୁ ଖାଦ କାଢ଼ି ପକାଅ, ତହିଁରେ ସୁନାରିର ନିମନ୍ତେ ଗୋଟିଏ ପାତ୍ର ବାହାର ହୁଏ। ରାଜାଙ୍କ ସମ୍ମୁଖରୁ ଦୁଷ୍ଟ ଲୋକକୁ ଦୂର କର, ତହିଁରେ ତାହାଙ୍କ ସିଂହାସନ ଧାର୍ମିକତାରେ ସ୍ଥିର ହେବ। ରାଜାଙ୍କ ସମ୍ମୁଖରେ ଆପଣାକୁ ବଡ଼ କର ନାହିଁ, ପୁଣି ମହତ ଲୋକଙ୍କ ସ୍ଥାନରେ ଠିଆ ହୁଅ ନାହିଁ; କାରଣ ତୁମ୍ଭେ ଯାହାକୁ ଦେଖୁଅଛ, ସେହି କୁଳୀନ ଲୋକଙ୍କ ସମ୍ମୁଖରେ ନୀଚ ସ୍ଥାନରେ ବସାଯିବା ଅପେକ୍ଷା “ଏଠାକୁ ଉଠି ଆସ” ବୋଲି ତୁମ୍ଭକୁ କୁହାଯିବା ଭଲ। ବିବାଦ କରିବାକୁ ଶୀଘ୍ର ଅଗ୍ରସର ହୁଅ ନାହିଁ, କାରଣ ତୁମ୍ଭ ପ୍ରତିବାସୀ ତୁମ୍ଭକୁ ଲଜ୍ଜିତ କଲେ, ଶେଷରେ ତୁମ୍ଭେ କʼଣ କରିବ? ତୁମ୍ଭ ପ୍ରତିବାସୀ ସହିତ ଆପଣା ବିବାଦ ମୀମାଂସା କର, ମାତ୍ର ଅନ୍ୟର ଗୁପ୍ତ କଥା ପ୍ରକାଶ କର ନାହିଁ, ନୋହିଲେ ଯେ ତାହା ଶୁଣେ, ସେ ତୁମ୍ଭକୁ ଲଜ୍ଜିତ କରିବ, ଆଉ ତୁମ୍ଭ ଅପଯଶ କେବେ ଦୂର ହେବ ନାହିଁ। ଉପଯୁକ୍ତ ସମୟରେ କଥିତ ବାକ୍ୟ ରୂପାର କାରିକରିରେ ବସା ସୁବର୍ଣ୍ଣ ଫଳ ସଦୃଶ। ଶୁଣିବା କର୍ଣ୍ଣ ପ୍ରତି ଜ୍ଞାନବାନର ଅନୁଯୋଗ ସୁବର୍ଣ୍ଣ କୁଣ୍ଡଳ ବା ଶୁଦ୍ଧ ସୁନାର ଅଳଙ୍କାର ତୁଲ୍ୟ। ଯେଉଁମାନେ ବିଶ୍ଵସ୍ତ ଦୂତକୁ ପ୍ରେରଣ କରନ୍ତି, ସେମାନଙ୍କ ପ୍ରତି ସେ ଶସ୍ୟଚ୍ଛେଦନ ସମୟର ହିମ ଶୀତଳତା ସଦୃଶ; ସେ ଆପଣା କର୍ତ୍ତାମାନଙ୍କ ପ୍ରାଣ ସତେଜ କରେ। ଅଦତ୍ତ ଦାନ ବିଷୟରେ ଯେ ଦର୍ପ କରେ, ସେ ବୃଷ୍ଟିହୀନ ମେଘ ଓ ବାୟୁ ସଦୃଶ। ଦୀର୍ଘସହିଷ୍ଣୁତା ଦ୍ଵାରା ଶାସନକର୍ତ୍ତା ପ୍ରବର୍ତ୍ତିତ ହୁଅନ୍ତି, ପୁଣି କୋମଳ ଜିହ୍ଵା ଅସ୍ଥି ଭାଙ୍ଗେ। ଯଦି ତୁମ୍ଭେ ମଧୁ ପାଅ, ତେବେ କେବଳ ଯଥେଷ୍ଟ ଖାଅ, ନୋହିଲେ ତୁମ୍ଭେ ଅତ୍ୟଧିକ ଖାଇ ବାନ୍ତି କରିବ। ତୁମ୍ଭ ପ୍ରତିବାସୀର ଗୃହକୁ ବାରମ୍ବାର ଯାଅ ନାହିଁ, ନୋହିଲେ ସେ ତୁମ୍ଭ ପ୍ରତି ବିରକ୍ତ ହୋଇ ତୁମ୍ଭକୁ ଘୃଣା କରିବ। ଯେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦିଏ, ସେ ଗଦା, ଖଡ୍ଗ ଓ ତୀକ୍ଷ୍ଣ ତୀର ସଦୃଶ। ସଙ୍କଟ ସମୟରେ ବିଶ୍ଵାସଘାତକ ଲୋକ ଉପରେ ଭରସା ଭଗ୍ନ ଦନ୍ତ ବା ଖଞ୍ଜ ଚରଣ ସଦୃଶ। ଯେ ଭାରାକ୍ରାନ୍ତ ହୃଦୟ ନିକଟରେ ଗୀତ ଗାଏ, ସେ ଶୀତଳ ଦିନରେ ବସ୍ତ୍ର କାଢ଼ି ପକାଉଥିବା ଲୋକ ସଦୃଶ, ଯେପରି ସୋରା ଉପରେ ଢଳା ଅମ୍ଳ ରସ ସଦୃଶ। ଯଦି ତୁମ୍ଭ ଶତ୍ରୁ କ୍ଷୁଧିତ ହୁଏ, ତେବେ ତାହାକୁ ଖାଇବାକୁ ଆହାର ଦିଅ, ଆଉ ଯଦି ସେ ତୃଷିତ ହୁଏ, ତେବେ ତାହାକୁ ପିଇବାକୁ ଜଳ ଦିଅ; କାରଣ ତୁମ୍ଭେ ତାହାର ମସ୍ତକ ଉପରେ ଅଙ୍ଗାର ରାଶି କରିବ, ଆଉ ଆମ୍ଭମାନଙ୍କ ପିତା ତୁମ୍ଭକୁ ପୁରସ୍କାର ଦେବେ। ଉତ୍ତରୀୟ ବାୟୁ ବୃଷ୍ଟି ଉତ୍ପନ୍ନ କରେ, ଆଉ ଗୋପନକାରୀ ଜିହ୍ଵା କ୍ରୁଦ୍ଧ ମୁଖ ଉତ୍ପନ୍ନ କରେ। କଳିହୁଡ଼ି ଭାର୍ଯ୍ୟା ସହିତ ଏକ ଗୃହରେ ବାସ କରିବା ଅପେକ୍ଷା ଛାତର କୋଣରେ ବାସ କରିବା ଭଲ। ଦୂର ଦେଶରୁ ଆଗତ ସୁସମାଚାର କ୍ଲାନ୍ତ ପ୍ରାଣ ପକ୍ଷରେ ଶୀତଳ ଜଳ ସଦୃଶ। ଯେଉଁ ଧାର୍ମିକ ଲୋକ ଦୁଷ୍ଟ ସମ୍ମୁଖରେ ବିଚଳିତ ହୁଏ, ସେ ଘୋଳା ନିର୍ଝର ବା ମଳିନ ଉତ୍ସ ସଦୃଶ। ଅତ୍ୟଧିକ ମଧୁ ଖାଇବା ଯେପରି ଭଲ ନୁହେଁ, ସେପରି ଆପଣା ଗୌରବ ଅନ୍ଵେଷଣ କରିବା ଭଲ ନୁହେଁ। ଯେଉଁ ଲୋକ ଆପଣା ଆତ୍ମାକୁ ଦମନ କରେ ନାହିଁ, ସେ ପ୍ରାଚୀରବିହୀନ ଓ ଭଗ୍ନ ନଗର ସଦୃଶ।