ଜ୍ଞାନ ଗୃହ ନିର୍ମାଣ କରେ
ନିର୍ମାଣ ଓ ଉଦ୍ଧାର। ଜ୍ଞାନ ଦ୍ୱାରା ଘର ନିର୍ମିତ ହୁଏ, ଏବଂ ଧାର୍ମିକ ଲୋକ ସାତଥର ପଡ଼ି ପୁଣି ଉଠେ। ଶତ୍ରୁର ପତନରେ ଆନନ୍ଦ କରିବାକୁ ଏହା ମନା କରେ, ଏବଂ ଲୋକମାନଙ୍କୁ ମୃତ୍ୟୁ ଆଡ଼କୁ ଟାଣି ନିଆଯାଉଥିବା ବେଳେ 'ଆମେ ଜାଣି ନ ଥିଲୁ' ବୋଲି ବାହାନାକୁ ମଧ୍ୟ ମନା କରେ। ଅଳିଆ ଘାସରେ ଘୋଟି ହୋଇଥିବା ଏକ ଦ୍ରାକ୍ଷାକ୍ଷେତ୍ର ଏହାର ଶିକ୍ଷା ଦିଏ।
24 1ଦୁଷ୍ଟ ଲୋକମାନଙ୍କ ପ୍ରତି ଈର୍ଷା କର ନାହିଁ, ପୁଣି ସେମାନଙ୍କ ସଙ୍ଗରେ ରହିବାକୁ ବାଞ୍ଛା କର ନାହିଁ, 2କାରଣ ସେମାନଙ୍କ ଅନ୍ତଃକରଣ ଦୌରାତ୍ମ୍ୟର କଳ୍ପନା କରେ, ଓ ସେମାନଙ୍କ ଓଷ୍ଠାଧର ଅନିଷ୍ଟ କଥା କହେ।
3ଜ୍ଞାନ ଦ୍ଵାରା ଗୃହ ନିର୍ମିତ ହୁଏ, ଓ ବୁଦ୍ଧି ଦ୍ଵାରା ତାହା ସୁସ୍ଥିର ହୁଏ; 4ପୁଣି ଜ୍ଞାନ ଦ୍ଵାରା ତାହାର କୋଠରିସବୁ ସମସ୍ତ ବହୁମୂଲ୍ୟ ଓ ମନୋହର ସମ୍ପତ୍ତିରେ ପରିପୂର୍ଣ୍ଣ ହୁଏ।
5ଜ୍ଞାନୀ ଲୋକ ବଳରେ ପରିପୂର୍ଣ୍ଣ, ପୁଣି ଜ୍ଞାନବାନ ଲୋକ ଆପଣା ଶକ୍ତି ବୃଦ୍ଧି କରେ, 6କାରଣ ସୁମନ୍ତ୍ରଣା ଦ୍ଵାରା ତୁମ୍ଭେ ଆପଣା ଯୁଦ୍ଧ କରିପାର, ଓ ଅନେକ ମନ୍ତ୍ରୀଙ୍କ ଦ୍ଵାରା ଜୟ ଆସେ।
7ମୂର୍ଖ ପ୍ରତି ଜ୍ଞାନ ଅତି ଉଚ୍ଚ; ନଗରଦ୍ଵାରରେ ତାହାର କହିବାକୁ କିଛି ନାହିଁ। 8ଯେ ମନ୍ଦ କର୍ମ କରିବାକୁ କଳ୍ପନା କରେ, ସେ ଦୁଷ୍ଟ ଯୋଜନାକାରୀ ବୋଲି ଖ୍ୟାତ ହେବ। 9ମୂର୍ଖର କୁକଳ୍ପନା ପାପ, ପୁଣି ନିନ୍ଦକ ଲୋକଙ୍କ ପ୍ରତି ଘୃଣାଯୋଗ୍ୟ।
10ବିପଦ ସମୟରେ ଯଦି ତୁମ୍ଭେ ନିରୁତ୍ସାହ ହୁଅ, ତେବେ ତୁମ୍ଭର ବଳ ଅଳ୍ପ। 11ମୃତ୍ୟୁ ପ୍ରତି ନିଆଯାଉଥିବା ଲୋକମାନଙ୍କୁ ଉଦ୍ଧାର କର, ପୁଣି ବଧ ପ୍ରତି ଟଳମଳ ହୋଇ ଯାଉଥିବା ଲୋକମାନଙ୍କୁ ନିବୃତ୍ତ କର। 12ଯଦି ତୁମ୍ଭେ କୁହ, “ଦେଖ, ଆମ୍ଭେମାନେ ଏହା ଜାଣି ନ ଥିଲୁ,” ତେବେ ଯେ ଅନ୍ତଃକରଣ ତଉଲନ୍ତି, ସେ କି ତାହା ବୁଝନ୍ତି ନାହିଁ? ଯେ ତୁମ୍ଭ ପ୍ରାଣର ରକ୍ଷଣ କରନ୍ତି, ସେ କି ତାହା ଜାଣନ୍ତି ନାହିଁ? ଆଉ ସେ କି ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ପ୍ରତିଫଳ ଦେବେ ନାହିଁ?
13ହେ ମୋହର ପୁତ୍ର, ମଧୁ ଭୋଜନ କର, କାରଣ ତାହା ଉତ୍ତମ, ପୁଣି ମହୁଚାକରୁ କ୍ଷରିତ ମଧୁ ତୁମ୍ଭ ସ୍ଵାଦ ପ୍ରତି ମିଷ୍ଟ। 14ଜାଣ ଯେ ଜ୍ଞାନ ତୁମ୍ଭ ପ୍ରାଣ ପ୍ରତି ଠିକ୍ ଏହିପରି; ଯଦି ତୁମ୍ଭେ ତାହା ପାଅ, ତେବେ ଭବିଷ୍ୟତ ଅଛି, ଓ ତୁମ୍ଭ ଭରସା ଉଚ୍ଛିନ୍ନ ହେବ ନାହିଁ।
15ହେ ଦୁଷ୍ଟ ଲୋକ, ତୁମ୍ଭେ ଧାର୍ମିକ ଲୋକର ବାସସ୍ଥାନ ବିରୁଦ୍ଧରେ ଛକି ବସ ନାହିଁ; ତାହାର ବିଶ୍ରାମ ସ୍ଥାନ ନଷ୍ଟ କର ନାହିଁ, 16କାରଣ ଧାର୍ମିକ ସାତ ଥର ପତିତ ହେଲେ ହେଁ ପୁନର୍ବାର ଉଠେ, ମାତ୍ର ଦୁଷ୍ଟମାନେ ବିପଦରେ ପତିତ ହୁଅନ୍ତି।
17ତୁମ୍ଭ ଶତ୍ରୁ ପତିତ ହେଲେ ଆନନ୍ଦ କର ନାହିଁ, ପୁଣି ସେ ଝୁଣ୍ଟିପଡ଼ିଲେ ତୁମ୍ଭ ଅନ୍ତଃକରଣ ଉଲ୍ଲସିତ ହେଉ ନାହିଁ, 18କେଜାଣି ଆମ୍ଭମାନଙ୍କ ପିତା ତାହା ଦେଖି ଅସନ୍ତୁଷ୍ଟ ହୁଅନ୍ତି, ପୁଣି ତାହାଠାରୁ ଆପଣା କ୍ରୋଧ ଫେରାନ୍ତି।
19କୁକର୍ମକାରୀମାନଙ୍କ ସକାଶୁ ବିରକ୍ତ ହୁଅ ନାହିଁ, ପୁଣି ଦୁଷ୍ଟମାନଙ୍କ ପ୍ରତି ଈର୍ଷା କର ନାହିଁ, 20କାରଣ ଦୁଷ୍ଟ ଲୋକର କୌଣସି ଭବିଷ୍ୟତ ନାହିଁ; ଦୁଷ୍ଟର ପ୍ରଦୀପ ନିର୍ବାଣ ହେବ।
21ହେ ମୋହର ପୁତ୍ର, ଆମ୍ଭମାନଙ୍କ ପିତା ଓ ରାଜାଙ୍କୁ ଭୟ କର, ପୁଣି ସେମାନଙ୍କ ବିରୁଦ୍ଧରେ ବିଦ୍ରୋହ କରୁଥିବା ଲୋକମାନଙ୍କ ସଙ୍ଗରେ ମିଶ ନାହିଁ, 22କାରଣ ସେମାନଙ୍କ ବିପଦ ହଠାତ୍ ଉପସ୍ଥିତ ହେବ, ପୁଣି ସେ ଉଭୟେ ଯେଉଁ ବିନାଶ ଘଟାଇ ପାରନ୍ତି, ତାହା କିଏ ଜାଣେ?
ପକ୍ଷପାତବିହୀନ ନ୍ୟାୟ
23ଏହିସବୁ ମଧ୍ୟ ଜ୍ଞାନୀମାନଙ୍କ ବଚନ: ବିଚାରରେ ପକ୍ଷପାତ କରିବା ଭଲ ନୁହେଁ। 24ଯେ ଦୋଷୀକୁ କହେ, “ତୁମ୍ଭେ ନିର୍ଦ୍ଦୋଷ,” ଗୋଷ୍ଠୀସମୂହ ତାହାକୁ ଅଭିଶାପ ଦେବେ ଓ ଦେଶସମୂହ ତାହାକୁ ଧିକ୍କାର କରିବେ, 25ମାତ୍ର ଯେଉଁମାନେ ଦୋଷୀକୁ ଅନୁଯୋଗ କରନ୍ତି, ସେମାନଙ୍କର ମଙ୍ଗଳ ହେବ, ପୁଣି ସେମାନଙ୍କ ଉପରେ ପ୍ରଚୁର ଆଶୀର୍ବାଦ ବର୍ତ୍ତିବ। 26ଯଥାର୍ଥ ଉତ୍ତର ଓଷ୍ଠାଧରରେ ଚୁମ୍ବନ ସଦୃଶ। 27ବାହାରେ ଆପଣା କର୍ମ ପ୍ରସ୍ତୁତ କର, ଆପଣା କ୍ଷେତ ସଜାଡ଼, ଆଉ ତହିଁ ଉତ୍ତାରେ ଆପଣା ଗୃହ ନିର୍ମାଣ କର। 28ଅକାରଣରେ ଆପଣା ପ୍ରତିବାସୀ ବିରୁଦ୍ଧରେ ସାକ୍ଷୀ ହୁଅ ନାହିଁ; ତୁମ୍ଭେ କʼଣ ଆପଣା ଓଷ୍ଠାଧରରେ ପ୍ରବଞ୍ଚନା କରିବ? 29ତୁମ୍ଭେ କୁହ ନାହିଁ, “ସେ ମୋʼ ପ୍ରତି ଯେପରି କଲା, ମୁଁ ମଧ୍ୟ ତାହା ପ୍ରତି ସେପରି କରିବି; ସେ ଲୋକ ଯାହା କରିଅଛି, ତଦନୁସାରେ ମୁଁ ତାହାକୁ ପ୍ରତିଫଳ ଦେବି।” 30ମୁଁ ଏକ ଅଳସୁଆ ଲୋକର କ୍ଷେତ ନିକଟ ଦେଇ, ବୁଦ୍ଧିହୀନ ଲୋକର ଦ୍ରାକ୍ଷାକ୍ଷେତ ନିକଟ ଦେଇ ଗଲି, 31ଆଉ ଦେଖ, ତାହା ସମସ୍ତ କଣ୍ଟକରେ ଆଚ୍ଛନ୍ନ ହୋଇଥିଲା; ଭୂମି ବିଛୁଆତିରେ ଆବୃତ ହୋଇଥିଲା, ପୁଣି ତାହାର ପ୍ରସ୍ତରମୟ ପ୍ରାଚୀର ଭାଙ୍ଗି ପଡ଼ିଥିଲା। 32ତେବେ ମୁଁ ତାହା ଦେଖି ଅନ୍ତଃକରଣରେ ବିବେଚନା କଲି; ମୁଁ ଦେଖି ଉପଦେଶ ଗ୍ରହଣ କଲି। 33ଅଳ୍ପ ନିଦ୍ରା, ଅଳ୍ପ ତନ୍ଦ୍ରା, ବିଶ୍ରାମ ନିମନ୍ତେ ଅଳ୍ପ ହସ୍ତ ମୋଡ଼ିବା, 34ଆଉ ଡକାୟତ ପରି ଦରିଦ୍ରତା ତୁମ୍ଭ ଉପରେ ଆସିବ, ପୁଣି ସସ୍ତ୍ର ଲୋକ ପରି ଅଭାବ ଆସିବ।