ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ମନୁଷ୍ୟ ପାଇଁ କʼଣ ଆଶା ଅଛି?

କଟାଯାଇଥିବା ଗଛ ଜଳର ଗନ୍ଧ ପାଇ ପୁଣି ଅଙ୍କୁରିତ ହୁଏ, କିନ୍ତୁ ମନୁଷ୍ୟ ଶୟନ କରେ ଓ ଆଉ ଉଠେ ନାହିଁ। ଆୟୁବ ଭାବନ୍ତି ମୃତମାନେ ପୁଣି ବଞ୍ଚିପାରନ୍ତି କି ନାହିଁ, କ୍ରୋଧ ଶାନ୍ତ ନହେବା ପର୍ଯ୍ୟନ୍ତ ଲୁଚି ରହି ତାʼପରେ ପୁଣି ଡକାଯିବାର କଳ୍ପନା କରନ୍ତି, ଏବଂ କହନ୍ତି ଜଳ ଯେପରି ପଥରକୁ କ୍ଷୟ କରେ, ପରମେଶ୍ୱର ସେହିପରି ଆଶାକୁ କ୍ଷୟ କରନ୍ତି।

ଅଧ୍ୟାୟ 14।

“ସ୍ତ୍ରୀଠାରୁ ଜାତ ମନୁଷ୍ୟ ଅଳ୍ପାୟୁ ଓ ଦୁଃଖରେ ପରିପୂର୍ଣ୍ଣ ଅଟେ। ସେ ପୁଷ୍ପ ପରି ଉଦ୍ଗତ ହୋଇ ମ୍ଳାନ ହୁଏ; ସେ ଛାୟା ପରି ପଳାୟନ କରେ ଓ ସ୍ଥାୟୀ ହୁଏ ନାହିଁ। ତୁମ୍ଭେ କʼଣ ଏପରି ଲୋକ ଉପରେ ଦୃଷ୍ଟି ନିବଦ୍ଧ କରୁଅଛ? ପୁଣି, ତୁମ୍ଭେ ମୋତେ ଆପଣା ସହିତ ବିଚାରକୁ ଆଣୁଅଛ? ଅଶୁଚିରୁ ଶୁଚି ବସ୍ତୁ କିଏ ବାହାର କରିପାରେ? କେହି ନୁହେଁ। ଯେହେତୁ ତାହାର ଦିନ ନିରୂପିତ ହୋଇଅଛି, ତାହାର ମାସଗୁଡ଼ିକର ସଂଖ୍ୟା ତୁମ୍ଭ ନିକଟରେ ଅଛି, ପୁଣି ତୁମ୍ଭେ ଏପରି ସୀମା ସ୍ଥିର କରିଅଛ, ଯାହା ସେ ଅତିକ୍ରମ କରିପାରିବ ନାହିଁ, ତାହାଠାରୁ ଆପଣା ଦୃଷ୍ଟି ଫେରାଅ, ଯେପରି ସେ ବିଶ୍ରାମ କରିପାରିବ, ଯେପର୍ଯ୍ୟନ୍ତ ସେ ବେତନଜୀବୀ ଶ୍ରମିକ ପରି ଆପଣା ଦିନ ସମାପ୍ତ ନ କରେ।

“କାରଣ ବୃକ୍ଷ ପାଇଁ ଆଶା ଅଛି: ଯଦି ତାହା କଟାଯାଏ, ତେବେ ତାହା ପୁନର୍ବାର ପଲ୍ଲବିତ ହେବ, ପୁଣି ତାହାର ଅଙ୍କୁର ବନ୍ଦ ହେବ ନାହିଁ। ଯଦ୍ୟପି ତାହାର ମୂଳ ଭୂମିରେ ପୁରାତନ ହୁଏ ଓ ତାହାର ଗଣ୍ଡି ମାଟିରେ ମରିଯାଏ, ତଥାପି ଜଳର ଗନ୍ଧରେ ତାହା କଅଁଳିବ ଓ ନୂତନ ଚାରା ପରି ଶାଖା ବିସ୍ତାର କରିବ। ମାତ୍ର ମନୁଷ୍ୟ ମରିଯାଇ ଶୟନ କରେ; ମନୁଷ୍ୟ ଶେଷ ନିଃଶ୍ଵାସ ତ୍ୟାଗ କରେ, ଆଉ ସେ କାହିଁ? ଯେପରି ହ୍ରଦରୁ ଜଳ ଲୁପ୍ତ ହୁଏ, ଆଉ ନଦୀ କ୍ଷୀଣ ହୋଇ ଶୁଷ୍କ ହୁଏ, ସେହିପରି ମନୁଷ୍ୟ ଶୟନ କରେ ଓ ଉଠେ ନାହିଁ; ଯେପର୍ଯ୍ୟନ୍ତ ଆକାଶମଣ୍ଡଳ ଲୋପ ନ ପାଏ, ସେପର୍ଯ୍ୟନ୍ତ ସେ ଜାଗ୍ରତ ହେବ ନାହିଁ କିମ୍ବା ଆପଣା ନିଦ୍ରାରୁ ଜଗାଯିବ ନାହିଁ।

“ଆଃ, ଯଦି ତୁମ୍ଭେ ମୋତେ କବରରେ ଲୁଚାଇ ରଖନ୍ତ, ତୁମ୍ଭର କ୍ରୋଧ ଶାନ୍ତ ନ ହେବା ପର୍ଯ୍ୟନ୍ତ ମୋତେ ଗୁପ୍ତ କରି ରଖନ୍ତ, ମୋʼ ନିମନ୍ତେ ଏକ ନିରୂପିତ ସମୟ ସ୍ଥିର କରନ୍ତ ଓ ମୋତେ ସ୍ମରଣ କରନ୍ତ! ଯଦି ମନୁଷ୍ୟ ମରିଯାଏ, ତେବେ ସେ କʼଣ ପୁନର୍ବାର ବଞ୍ଚିବ? ଯେପର୍ଯ୍ୟନ୍ତ ମୋହର ନୂତନୀକରଣ ଉପସ୍ଥିତ ନ ହୁଏ, ସେପର୍ଯ୍ୟନ୍ତ ମୋହର କଠିନ ସେବାର ସମସ୍ତ ଦିନ ମୁଁ ଅପେକ୍ଷା କରିବି। ତୁମ୍ଭେ ଡାକିବ, ଆଉ ମୁଁ ତୁମ୍ଭକୁ ଉତ୍ତର ଦେବି; ତୁମ୍ଭ ହସ୍ତକୃତ କର୍ମ ପ୍ରତି ତୁମ୍ଭର ବାଞ୍ଛା ହେବ। କାରଣ ସେତେବେଳେ ତୁମ୍ଭେ ମୋହର ପାଦଗୁଡ଼ିକ ଗଣନା କରିବ; ତୁମ୍ଭେ ମୋହର ପାପ ଉପରେ ଦୃଷ୍ଟି ରଖିବ ନାହିଁ। ମୋହର ଅଧର୍ମ ଥଳିରେ ମୁଦ୍ରାଙ୍କିତ ହୋଇ ରହିବ, ଆଉ ତୁମ୍ଭେ ମୋହର ପାପ ଆଚ୍ଛାଦନ କରିବ।

“ମାତ୍ର ଯେପରି ପର୍ବତ ପତିତ ହୋଇ କ୍ଷୟ ପାଇଯାଏ, ଆଉ ଶୈଳ ଆପଣା ସ୍ଥାନରୁ ବିଚଳିତ ହୁଏ, ଯେପରି ଜଳ ପ୍ରସ୍ତରଗୁଡ଼ିକୁ କ୍ଷୟ କରେ ଓ ତାହାର ପ୍ରବଳ ସ୍ରୋତ ପୃଥିବୀର ମୃତ୍ତିକା ଧୋଇ ନେଇଯାଏ, ସେହିପରି ତୁମ୍ଭେ ମନୁଷ୍ୟର ଆଶା ବିନଷ୍ଟ କରୁଅଛ। ତୁମ୍ଭେ ଚିରକାଳ ପର୍ଯ୍ୟନ୍ତ ତାହାକୁ ପରାସ୍ତ କର, ଆଉ ସେ ପ୍ରସ୍ଥାନ କରେ; ତୁମ୍ଭେ ତାହାର ମୁଖ ବିକୃତ କରି ତାହାକୁ ବିଦାୟ କରିଦିଅ। ତାହାର ପୁତ୍ରମାନେ ସମ୍ମାନ ପ୍ରାପ୍ତ ହୁଅନ୍ତି, ଆଉ ସେ ତାହା ଜାଣେ ନାହିଁ; ସେମାନେ ହୀନ କରାଯାʼନ୍ତି, ଆଉ ସେ ତାହା ଲକ୍ଷ୍ୟ କରେ ନାହିଁ। ସେ କେବଳ ଆପଣା ଶରୀରର ଯନ୍ତ୍ରଣା ଅନୁଭବ କରେ, ଆଉ ସେ କେବଳ ଆପଣା ନିମନ୍ତେ ଶୋକ କରେ।”