ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଇଲୀଫସ୍ ପୁନର୍ବାର ଉତ୍ତର ଦିଅନ୍ତି

ଇଲୀଫସ ଶିଷ୍ଟାଚାର ଛାଡ଼ିଦିଅନ୍ତି। ଆୟୁବଙ୍କ ନିଜ ମୁଖ ତାଙ୍କୁ ଦୋଷୀ କରେ, ଏବଂ ସ୍ତ୍ରୀଜାତ କେହି ଶୁଦ୍ଧ ନୁହେଁ। ସେ ଦୁଷ୍ଟ ଲୋକର ଚିରାଚରିତ ଚିତ୍ର ଆବୃତ୍ତି କରନ୍ତି, ତାହାର କର୍ଣ୍ଣରେ ଆତଙ୍କ, ସ୍ଥାୟୀ ନ ହେବା ଧନ, ଏବଂ ଚାହାନ୍ତି ଆୟୁବ ସେଥିରେ ନିଜକୁ ଦେଖନ୍ତୁ।

ଅଧ୍ୟାୟ 15।

ସେତେବେଳେ ତୈମନୀୟ ଇଲୀଫସ୍ ଉତ୍ତର ଦେଲେ, “ଜ୍ଞାନୀ ଲୋକ କʼଣ ବାୟୁମୟ ଜ୍ଞାନରେ ଉତ୍ତର ଦେବ ଓ ଆପଣା ଉଦର ପୂର୍ବୀୟ ବାୟୁରେ ପୂର୍ଣ୍ଣ କରିବ? a a v2 ପୂର୍ବୀୟ ବାୟୁ ଥିଲା ଦହନକାରୀ ମରୁଭୂମିର ଲୂ — ଆୟୁବ ପୁସ୍ତକରେ ଶୂନ୍ୟତା ଓ ବିନାଶର ଏକ ପୁନଃପୁନଃ ଆସୁଥିବା ଚିହ୍ନ। ସେ କʼଣ ଅସାର କଥା ଓ ନିଷ୍ଫଳ ବାକ୍ୟ ଦ୍ଵାରା ତର୍କ କରିବ? ମାତ୍ର ତୁମ୍ଭେ ଈଶ୍ଵରଙ୍କ ପ୍ରତି ଭୟ ଦୂର କରୁଅଛ ଓ ଈଶ୍ଵରଙ୍କ ସମ୍ମୁଖରେ ଧ୍ୟାନରେ ବାଧା ଦେଉଅଛ। କାରଣ ତୁମ୍ଭର ପାପ ତୁମ୍ଭ ମୁଖକୁ ଶିକ୍ଷା ଦେଉଅଛି, ଆଉ ତୁମ୍ଭେ ଧୂର୍ତ୍ତ ଲୋକଙ୍କ ଜିହ୍ଵା ମନୋନୀତ କରୁଅଛ। ମୁଁ ନୁହେଁ, ମାତ୍ର ତୁମ୍ଭର ନିଜ ମୁଖ ତୁମ୍ଭକୁ ଦୋଷୀ କରୁଅଛି; ତୁମ୍ଭର ନିଜ ଓଷ୍ଠାଧର ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି। ତୁମ୍ଭେ କʼଣ ପ୍ରଥମ ଜାତ ମନୁଷ୍ୟ? ପର୍ବତସମୂହ ପୂର୍ବରୁ କʼଣ ତୁମ୍ଭେ ଜନ୍ମ ହୋଇଥିଲ? ତୁମ୍ଭେ କʼଣ ଈଶ୍ଵରଙ୍କ ମନ୍ତ୍ରଣାସଭାରେ ଶ୍ରବଣ କରିଅଛ? ତୁମ୍ଭେ କʼଣ ଜ୍ଞାନକୁ କେବଳ ଆପଣାଠାରେ ସୀମିତ କରୁଅଛ? b b v8 “ଈଶ୍ଵରଙ୍କ ମନ୍ତ୍ରଣାସଭା” ହେଉଛି ସେହି ସ୍ଵର୍ଗୀୟ ସଭା ଯେଉଁଠାରେ ଈଶ୍ଵର ଆପଣା ସ୍ଵର୍ଗୀୟ ପ୍ରାଣୀଗଣଙ୍କ ସହିତ ଅଧିଷ୍ଠାନ କରନ୍ତି — ଇଲୀଫସ୍ ଆୟୁବଙ୍କ ଅନ୍ତରଙ୍ଗ ଜ୍ଞାନର ଦର୍ପକୁ ପରିହାସ କରୁଅଛନ୍ତି। ଆମ୍ଭେମାନେ ଯାହା ଜାଣୁ ନାହୁଁ, ଏପରି କʼଣ ତୁମ୍ଭେ ଜାଣ? ଆମ୍ଭମାନଙ୍କଠାରେ ନ ଥିବା ଏପରି କʼଣ ତୁମ୍ଭେ ବୁଝ? ପକ୍ୱକେଶ ଓ ବୃଦ୍ଧ ଲୋକ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ତୁମ୍ଭ ପିତାଠାରୁ ଅଧିକ ବୟସ୍କ ଲୋକ। ଈଶ୍ଵରଙ୍କ ସାନ୍ତ୍ୱନା, ଓ ତୁମ୍ଭ ପ୍ରତି କୋମଳ ଭାବରେ କଥିତ ବାକ୍ୟ କʼଣ ତୁମ୍ଭ ପ୍ରତି ଅତି ସାମାନ୍ୟ? ତୁମ୍ଭର ହୃଦୟ କାହିଁକି ତୁମ୍ଭକୁ ଟାଣି ନେଉଅଛି, ଆଉ ତୁମ୍ଭ ଚକ୍ଷୁ କାହିଁକି ଚମକୁଅଛି, ଯେ ତୁମ୍ଭେ ଆପଣା ଆତ୍ମାକୁ ଈଶ୍ଵରଙ୍କ ବିରୁଦ୍ଧରେ ଫେରାଉଅଛ ଓ ଆପଣା ମୁଖରୁ ଏପରି ବାକ୍ୟ ବାହାର କରୁଅଛ? ମନୁଷ୍ୟ କʼଣ ଯେ ସେ ଶୁଚି ହେବ? ସ୍ତ୍ରୀଜାତ ଲୋକ କʼଣ ଯେ ସେ ଧାର୍ମିକ ହେବ? ଦେଖ, ଈଶ୍ଵର ଆପଣା ପବିତ୍ର ବ୍ୟକ୍ତିଗଣଙ୍କ ଉପରେ ବିଶ୍ଵାସ କରନ୍ତି ନାହିଁ, ଆଉ ତାହାଙ୍କ ଦୃଷ୍ଟିରେ ଆକାଶମଣ୍ଡଳ ଶୁଚି ନୁହେଁ; ତେବେ ଯେ ଘୃଣ୍ୟ ଓ ଭ୍ରଷ୍ଟ, ଜଳ ପରି ଅଧର୍ମ ପାନ କରେ, ଏପରି ମନୁଷ୍ୟ କେତେ ଅଧିକ ଅଶୁଚି! ମୁଁ ତୁମ୍ଭକୁ ଦେଖାଇବି; ମୋʼ କଥା ଶୁଣ; ମୁଁ ଯାହା ଦେଖିଅଛି, ତାହା ତୁମ୍ଭକୁ କହିବି, ଜ୍ଞାନୀ ଲୋକମାନେ ଯାହା ଘୋଷଣା କରିଅଛନ୍ତି, ଆପଣା ପିତୃପୁରୁଷଙ୍କଠାରୁ ପ୍ରାପ୍ତ କଥା ନ ଗୋପନ କରି, ଯେଉଁମାନଙ୍କୁ ହିଁ ଦେଶ ଦତ୍ତ ହୋଇଥିଲା, ଯେତେବେଳେ ସେମାନଙ୍କ ମଧ୍ୟରେ କୌଣସି ବିଦେଶୀ ଆସି ନ ଥିଲା। ଦୁଷ୍ଟ ଲୋକ ଆପଣାର ସମସ୍ତ ଦିନ ଯନ୍ତ୍ରଣାରେ ଛଟପଟ ହୁଏ, ନିଷ୍ଠୁର ଲୋକ ନିମନ୍ତେ ସଞ୍ଚିତ ସମସ୍ତ ବର୍ଷ ପର୍ଯ୍ୟନ୍ତ। ଭୟଙ୍କର ଶବ୍ଦ ତାହାର କର୍ଣ୍ଣ ପୂର୍ଣ୍ଣ କରେ; ତାହାର ସମୃଦ୍ଧି ସମୟରେ ବିନାଶକ ତାହା ଉପରେ ଆସେ। ସେ ଅନ୍ଧକାରରୁ ଉଦ୍ଧାର ପାଇବ ବୋଲି ବିଶ୍ଵାସ କରେ ନାହିଁ; ସେ ଖଡ୍ଗ ନିମନ୍ତେ ନିରୂପିତ। ସେ ଆହାର ଖୋଜି ‘ତାହା କେଉଁଠାରେ?’ ବୋଲି ପଚାରି ଭ୍ରମଣ କରେ। ଅନ୍ଧକାରର ଦିନ ନିକଟବର୍ତ୍ତୀ ବୋଲି ସେ ଜାଣେ। ସଙ୍କଟ ଓ ଯନ୍ତ୍ରଣା ତାହାକୁ ଭୟଭୀତ କରେ; ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ରାଜା ପରି ସେସବୁ ତାହାକୁ ଅଭିଭୂତ କରେ, କାରଣ ସେ ଈଶ୍ଵରଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କଲା ଓ ସର୍ବଶକ୍ତିମାନଙ୍କୁ ଅବଜ୍ଞା କଲା, ସ୍ଥୂଳ ଓ ଦୃଢ଼ ଢାଲ ଘେନି ଜିଦ୍‍ରେ ତାହାଙ୍କ ପ୍ରତି ଧାଇଁଲା; କାରଣ ସେ ଆପଣା ମୁଖ ମେଦରେ ଢାଙ୍କିଲା ଓ ଆପଣା କଟିଦେଶ ଚାରିଆଡ଼େ ମାଂସ ଜମାଇଲା, ସେ ଉଜାଡ଼ ନଗରରେ, ଯେଉଁ ଗୃହରେ କେହି ବାସ କରିବା ଉଚିତ ନୁହେଁ ଓ ଯାହା ଢିପି ହେବାକୁ ଉଦ୍ୟତ, ସେଥିରେ ବାସ କଲା। ସେ ଧନୀ ହେବ ନାହିଁ; ତାହାର ସମ୍ପତ୍ତି ସ୍ଥାୟୀ ହେବ ନାହିଁ, କିଅବା ତାହାର ସମ୍ପତ୍ତି ଦେଶରେ ବ୍ୟାପିବ ନାହିଁ। ସେ ଅନ୍ଧକାରରୁ ଉଦ୍ଧାର ପାଇବ ନାହିଁ; ଅଗ୍ନିଶିଖା ତାହାର ପଲ୍ଲବ ଶୁଷ୍କ କରିବ, ଆଉ ଈଶ୍ଵରଙ୍କ ମୁଖର ନିଃଶ୍ୱାସ ତାହାକୁ ଉଡ଼ାଇ ନେବ। ସେ ଅସାରତାରେ ବିଶ୍ଵାସ କରି ଆପଣାକୁ ନ ଭୁଲାଉ, କାରଣ ଅସାରତା ହିଁ ତାହାର ପୁରସ୍କାର ହେବ। ତାହାର ସମୟ ପୂର୍ବରୁ ତାହାର ପୁରସ୍କାର ସମ୍ପୂର୍ଣ୍ଣ ରୂପେ ଦତ୍ତ ହେବ, ଆଉ ତାହାର ଶାଖା ସତେଜ ହେବ ନାହିଁ। ସେ ଦ୍ରାକ୍ଷାଲତା ପରି ଆପଣା ଅପକ୍ୱ ଦ୍ରାକ୍ଷାଫଳ ଝାଡ଼ି ପକାଇବ ଓ ଜୀତବୃକ୍ଷ ପରି ଆପଣା ପୁଷ୍ପ ଝଡ଼ାଇବ। କାରଣ ଅଧାର୍ମିକମାନଙ୍କ ସମାଜ ବନ୍ଧ୍ୟା, ଆଉ ଅଗ୍ନି ଲାଞ୍ଚର ଗୃହସବୁ ଗ୍ରାସ କରେ। ସେମାନେ କ୍ଲେଶ ଗର୍ଭରେ ଧାରଣ କରି ଦୁଷ୍ଟତା ପ୍ରସବ କରନ୍ତି; ସେମାନଙ୍କ ଉଦର ପ୍ରବଞ୍ଚନା ପ୍ରସ୍ତୁତ କରେ।”