ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଦୁଃଖଦାୟକ ସାନ୍ତ୍ୱନାକାରୀ

ଆୟୁବ ସେମାନଙ୍କୁ ଦୁଃଖଦାୟକ ସାନ୍ତ୍ୱନାକାରୀ ବୋଲି କହନ୍ତି ଏବଂ କହନ୍ତି, ଯଦି ସେମାନଙ୍କ ସ୍ଥାନ ଅଦଳବଦଳ ହୁଅନ୍ତା, ତେବେ ସେ ମଧ୍ୟ ଭାଷଣ ଦେଇପାରନ୍ତେ। ସେ ପରମେଶ୍ୱରଙ୍କୁ ଜଣେ ଯୋଦ୍ଧା ଭାବରେ ବର୍ଣ୍ଣନା କରନ୍ତି, ଯେ ତାଙ୍କ ବେକ ଧରି ତାଙ୍କୁ ଲକ୍ଷ୍ୟସ୍ଥଳ କରି ସ୍ଥାପନ କଲେ। ତଥାପି ସେ ଦୃଢ଼ ଭାବରେ କହନ୍ତି ଯେ ସ୍ୱର୍ଗରେ ତାଙ୍କ ପାଇଁ ଜଣେ ସାକ୍ଷୀ ଅଛନ୍ତି।

ଅଧ୍ୟାୟ 16।

ସେତେବେଳେ ଆୟୁବ ଉତ୍ତର ଦେଲେ, “ମୁଁ ଏହିପରି ଅନେକ କଥା ଶୁଣିଅଛି; ତୁମ୍ଭେମାନେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ। ତୁମ୍ଭମାନଙ୍କ ବାୟୁବତ୍ ବାକ୍ୟର କି ଶେଷ ନାହିଁ? କେଉଁ କଥା ତୁମ୍ଭକୁ ଉତ୍ତେଜିତ କରୁଅଛି ଯେ ତୁମ୍ଭେ ଲଗାତାର ଉତ୍ତର ଦେଉଅଛ? ତୁମ୍ଭେମାନେ ଯଦି ମୋʼ ସ୍ଥାନରେ ଥାଆନ୍ତ, ତେବେ ମୁଁ ମଧ୍ୟ ତୁମ୍ଭମାନଙ୍କ ପରି କହି ପାରନ୍ତି; ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ବାକ୍ୟ ଗନ୍ଥି ପାରନ୍ତି ଓ ତୁମ୍ଭମାନଙ୍କ ପ୍ରତି ଆପଣା ମସ୍ତକ ହଲାଇ ପାରନ୍ତି। ମାତ୍ର ମୁଁ ଆପଣା ମୁଖ ଦ୍ଵାରା ତୁମ୍ଭମାନଙ୍କୁ ସବଳ କରନ୍ତି, ଆଉ ମୋʼ ଓଷ୍ଠାଧରର ସାନ୍ତ୍ୱନା ତୁମ୍ଭମାନଙ୍କ ବେଦନା ଉପଶମ କରନ୍ତା। ଯଦି ମୁଁ କଥା କହେ, ତେବେ ମୋହର ବେଦନା ଉପଶମ ହୁଏ ନାହିଁ; ଆଉ ଯଦି ମୁଁ ନିବୃତ୍ତ ହୁଏ, ତେବେ ମୋʼଠାରୁ କଅଣ ଦୂର ହୁଏ? ନିଶ୍ଚୟ ଏବେ ଈଶ୍ଵର ମୋତେ କ୍ଲାନ୍ତ କରିଅଛନ୍ତି; ତୁମ୍ଭେ ମୋହର ସମସ୍ତ ସମ୍ପ୍ରଦାୟକୁ ଉଚ୍ଛିନ୍ନ କରିଅଛ। ତୁମ୍ଭେ ମୋତେ ଶୁଷ୍କ କରିଅଛ, ଆଉ ତାହା ସାକ୍ଷୀ ହୋଇଅଛି; ମୋହର କୃଶତା ମୋʼ ବିରୁଦ୍ଧରେ ଉଠି ମୋʼ ମୁଖ ସମ୍ମୁଖରେ ସାକ୍ଷ୍ୟ ଦେଉଅଛି। ତାହାଙ୍କ କ୍ରୋଧ ମୋତେ ବିଦୀର୍ଣ୍ଣ କରିଅଛି ଓ ମୋʼ ଉପରେ ଆକ୍ରମଣ କରିଅଛି; ସେ ମୋʼ ପ୍ରତି ଦନ୍ତ କଡ଼ମଡ଼ କରିଅଛନ୍ତି; ମୋହର ବିପକ୍ଷ ମୋʼ ଉପରେ ଆପଣା ଦୃଷ୍ଟି ତୀକ୍ଷ୍ଣ କରୁଅଛି। ଲୋକେ ମୋʼ ବିରୁଦ୍ଧରେ ଆପଣା ଆପଣା ମୁଖ ମେଲାଇଅଛନ୍ତି; ସେମାନେ ତୁଚ୍ଛ କରି ମୋʼ ଗାଲରେ ଆଘାତ କରିଅଛନ୍ତି; ସେମାନେ ମୋʼ ବିରୁଦ୍ଧରେ ଏକତ୍ର ହୁଅନ୍ତି। ଈଶ୍ଵର ମୋତେ ଅଧାର୍ମିକ ଲୋକ ହସ୍ତରେ ସମର୍ପଣ କରନ୍ତି ଓ ଦୁଷ୍ଟମାନଙ୍କ ପଞ୍ଜାରେ ପକାନ୍ତି। ମୁଁ ସୁସ୍ଥିର ଥିଲି, ଆଉ ସେ ମୋତେ ଚୂର୍ଣ୍ଣ କଲେ; ସେ ମୋʼ ଗ୍ରୀବା ଧରି ମୋତେ ଖଣ୍ଡ ଖଣ୍ଡ କରି ଚୂର୍ଣ୍ଣ କଲେ; ସେ ମୋତେ ଆପଣା ଲକ୍ଷ୍ୟ ରୂପେ ସ୍ଥାପନ କରିଅଛନ୍ତି। ତାହାଙ୍କ ଧନୁର୍ଦ୍ଧରମାନେ ମୋତେ ଚାରିଆଡ଼େ ଘେରନ୍ତି; ସେ ନିର୍ଦ୍ଦୟ ଭାବେ ମୋʼ ବୃକ୍କ ବିଦୀର୍ଣ୍ଣ କରନ୍ତି ଓ ମୋʼ ପିତ୍ତ ଭୂମିରେ ଢାଳନ୍ତି। ସେ ଆଘାତ ଉପରେ ଆଘାତ କରି ମୋତେ ଭାଙ୍ଗନ୍ତି; ସେ ଯୋଦ୍ଧା ପରି ମୋʼ ଉପରକୁ ଦୌଡ଼ି ଆସନ୍ତି। ମୁଁ ଆପଣା ଚର୍ମ ଉପରେ ଶୋକବସ୍ତ୍ର ସିଲାଇ କରିଅଛି ଓ ଧୂଳିରେ ଆପଣା ଲଲାଟ ଗାଡ଼ିଅଛି। ରୋଦନ ହେତୁ ମୋହର ମୁଖ ଲୋହିତବର୍ଣ୍ଣ ହୋଇଅଛି, ଆଉ ମୋʼ ଚକ୍ଷୁପତା ଉପରେ ଘୋର ଅନ୍ଧକାର ଅଛି, ତଥାପି ମୋʼ ହସ୍ତରେ କୌଣସି ଦୌରାତ୍ମ୍ୟ ନାହିଁ ଓ ମୋହର ପ୍ରାର୍ଥନା ଶୁଦ୍ଧ ଅଟେ। ହେ ପୃଥିବୀ, ମୋʼ ରକ୍ତ ଆଚ୍ଛାଦନ କର ନାହିଁ, ଆଉ ମୋହର କ୍ରନ୍ଦନ କୌଣସି ବିଶ୍ରାମ ସ୍ଥାନ ନ ପାଉ। ଏବେ ସୁଦ୍ଧା ମୋହର ସାକ୍ଷୀ ସ୍ଵର୍ଗରେ ଅଛନ୍ତି, ଆଉ ମୋହର ପକ୍ଷବାଦୀ ଊର୍ଦ୍ଧ୍ଵରେ ଅଛନ୍ତି। ମୋʼ ବନ୍ଧୁମାନେ ମୋତେ ତୁଚ୍ଛ କରନ୍ତି; ମୋହର ଚକ୍ଷୁ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ଅଶ୍ରୁ ଢାଳେ, ଯେପରି ସେ ଈଶ୍ଵରଙ୍କ ସମ୍ମୁଖରେ ଜଣେ ମନୁଷ୍ୟ ପକ୍ଷରେ ଓକିଲାତି କରିବେ, ଯେପରି ମନୁଷ୍ୟର ପୁତ୍ର ଆପଣା ପ୍ରତିବାସୀ ପକ୍ଷରେ ଅନୁରୋଧ କରେ। କାରଣ ଅଳ୍ପ ବର୍ଷ ଗତ ହେଲେ, ତେବେ ମୁଁ ଅପ୍ରତ୍ୟାବର୍ତ୍ତନୀୟ ପଥରେ ଯିବି।”