ମୋହର ଆତ୍ମା ଭଗ୍ନ ହୋଇଅଛି
ଆୟୁବଙ୍କ ପ୍ରାଣ ଭଗ୍ନ, ଏବଂ କବର ଶଯ୍ୟା ପରି ପ୍ରସ୍ତୁତ ହୋଇଥିବା ପରି ଲାଗେ। ସେ ପଚାରନ୍ତି କିଏ ତାଙ୍କର ଜାମିନଦାର ହେବ, କାରଣ ଜଣେ ହେଲେ ବନ୍ଧୁଙ୍କ ପାଖରେ ଦେବା ପାଇଁ ଜ୍ଞାନ ନାହିଁ। ଯଦି ତାଙ୍କୁ ଗର୍ତ୍ତକୁ ଆପଣା ପିତା ଓ କୀଟକୁ ଆପଣା ମାତା ବୋଲି ଡାକିବାକୁ ହୁଏ, ତେବେ ତାଙ୍କ ଆଶା କେଉଁଠାରେ?
17 1“ମୋହର ଆତ୍ମା ଭଗ୍ନ ହୋଇଅଛି, ମୋହର ଦିନସବୁ ନିର୍ବାଣ ହୋଇଅଛି, କବର ମୋʼ ନିମନ୍ତେ ପ୍ରସ୍ତୁତ ଅଛି। 2ନିଶ୍ଚୟ ଉପହାସକମାନେ ମୋତେ ଘେରିଅଛନ୍ତି, ପୁଣି ସେମାନଙ୍କ ବିଦ୍ରୂପରୁ ମୋହର ଚକ୍ଷୁ ଦୃଷ୍ଟି ଫେରାଇ ପାରେ ନାହିଁ।
3“ଆପଣା ନିକଟରେ ମୋʼ ନିମନ୍ତେ ଏକ ବନ୍ଧକ ରଖ; ଆଉ କିଏ ମୋହର ଜାମିନ ହୋଇ ପ୍ରତିଜ୍ଞା କରିବ? 4କାରଣ ତୁମ୍ଭେ ସେମାନଙ୍କ ମନକୁ ବୁଦ୍ଧିରୁ ବନ୍ଦ କରିଅଛ; ଏଣୁ ତୁମ୍ଭେ ସେମାନଙ୍କୁ ଜୟ ଲାଭ କରିବାକୁ ଦେବ ନାହିଁ। 5ଯେ ନିଜ ଲାଭ ନିମନ୍ତେ ବନ୍ଧୁମାନଙ୍କୁ ଅଭିଯୋଗ କରେ, ତାହାର ସନ୍ତାନମାନଙ୍କ ଚକ୍ଷୁ କ୍ଷୀଣ ହେବ।
6“ସେ ମୋତେ ଗୋଷ୍ଠୀସମୂହ ମଧ୍ୟରେ ଏକ ଉପହାସର ପାତ୍ର କରିଅଛନ୍ତି, ଯାହାର ମୁଖରେ ଲୋକେ ଛେପ ପକାନ୍ତି। 7ଶୋକରେ ମୋହର ଚକ୍ଷୁ ଅନ୍ଧ ପ୍ରାୟ ହୋଇଅଛି, ପୁଣି ମୋହର ଅଙ୍ଗପ୍ରତ୍ୟଙ୍ଗ ସବୁ ଛାୟା ତୁଲ୍ୟ ଅଟେ। 8ସରଳ ଲୋକମାନେ ଏଥିରେ ବିସ୍ମିତ ହୁଅନ୍ତି, ପୁଣି ନିର୍ଦ୍ଦୋଷ ଲୋକ ଅଧର୍ମୀ ବିରୁଦ୍ଧରେ ଜାଗ୍ରତ ହୁଏ। 9ତଥାପି ଧାର୍ମିକ ଆପଣା ପଥ ଦୃଢ଼ ଭାବରେ ଧରିଥାଏ, ପୁଣି ଯାହାର ହସ୍ତ ଶୁଚି, ସେ କ୍ରମଶଃ ଅଧିକ ବଳବାନ ହୁଏ।
10“ମାତ୍ର ତୁମ୍ଭେ ସମସ୍ତେ ଫେରି ଆସ, ଏବେ ଆସ—ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ହେଲେ ଜ୍ଞାନୀ ଲୋକ ପାଉ ନାହିଁ। 11ମୋହର ଦିନସବୁ ଗତ ହୋଇଅଛି, ମୋହର ସଂକଳ୍ପସବୁ ଭଗ୍ନ ହୋଇଅଛି, ପୁଣି ସେସବୁ ସଙ୍ଗେ ମୋʼ ହୃଦୟର ବାସନା ମଧ୍ୟ। 12ସେମାନେ ରାତ୍ରିକୁ ଦିନ କରନ୍ତି; ‘ଆଲୋକ ନିକଟବର୍ତ୍ତୀ,’ ଅନ୍ଧକାର ସମ୍ମୁଖରେ ସେମାନେ ଏହା କହନ୍ତି। 13ଯଦି ମୁଁ କବରକୁ ଆପଣା ଗୃହ ବୋଲି ଭରସା କରେ, ଯଦି ମୁଁ ଅନ୍ଧକାରରେ ଆପଣା ଶଯ୍ୟା ପ୍ରସାରଣ କରେ, 14ଯଦି ମୁଁ ଗର୍ତ୍ତକୁ ‘ତୁ ମୋହର ପିତା,’ ପୁଣି କୀଟକୁ ‘ମୋହର ମାତା’ ଓ ‘ମୋହର ଭଗିନୀ’ ବୋଲି ଡାକେ, 15ତେବେ ମୋହର ଭରସା କେଉଁଠାରେ? ମୋʼ ନିମନ୍ତେ କିଏ କୌଣସି ଭରସା ଦେଖି ପାରେ? 16ତାହା କʼଣ କବରର ଦ୍ଵାର ପର୍ଯ୍ୟନ୍ତ ଓହ୍ଲାଇ ଯିବ? ଆମ୍ଭେମାନେ କʼଣ ଏକତ୍ର ଧୂଳି ମଧ୍ୟକୁ ଓହ୍ଲାଇ ଯିବା?”