ଯୀଶୁ ଆପଣା ପ୍ରଥମ ଶିଷ୍ୟମାନଙ୍କୁ ଆହ୍ଵାନ କରନ୍ତି
ପିତର ରାତିସାରା ମାଛ ଧରି କିଛି ପାଆନ୍ତି ନାହିଁ, ତାʼପରେ ଯୀଶୁଙ୍କ ବାକ୍ୟରେ ଏତେ ମାଛ ଟାଣି ଆଣନ୍ତି ଯେ ସେ ତାହାଙ୍କୁ ଚାଲିଯିବାକୁ ନିବେଦନ କରନ୍ତି। ଜଣେ କୁଷ୍ଠରୋଗୀକୁ ସେ ସ୍ପର୍ଶ କରନ୍ତି। ଜଣେ ପକ୍ଷାଘାତୀକୁ ଛାତ ଦେଇ ତଳକୁ ଓହ୍ଲାଇ ଦିଆଯାଏ ଓ ଆମ୍ଭମାନଙ୍କ ପିତାଙ୍କ ଶକ୍ତିରେ ସେ କ୍ଷମା ପାଏ, ଯାହାରେ ଶାସ୍ତ୍ରୀମାନେ କ୍ଷୁବ୍ଧ ହୁଅନ୍ତି। ଲେବି ନିଜ କର ଆଦାୟ ଘର ଛାଡ଼ିଦିଅନ୍ତି।
5 1ଦିନେ ଲୋକସମୂହ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଶୁଣିବା ନିମନ୍ତେ ତାହାଙ୍କ ଚାରିପାଖରେ ଜମାଜମି ହୋଇ ଚାପି ଆସୁଥିବା ସମୟରେ ଯୀଶୁ ଗିନେସରତ ହ୍ରଦ ନିକଟରେ ଠିଆ ହୋଇଥିଲେ। a a v1 ଗିନେସରତ ହ୍ରଦ ହେଉଛି ଗାଲିଲୀ ସମୁଦ୍ରର ଆଉ ଏକ ନାମ। 2ସେ ହ୍ରଦ କୂଳରେ ଦୁଇଟି ନୌକା ଠିଆ ହୋଇଥିବା ଦେଖିଲେ; ମାଛୁଆମାନେ ସେଗୁଡ଼ିକ ଛାଡ଼ି ଆପଣାମାନଙ୍କ ଜାଲ ଧୋଉଥିଲେ। 3ସେହି ନୌକାଗୁଡ଼ିକ ମଧ୍ୟରୁ ଶିମୋନଙ୍କ ନୌକାରେ ଚଢ଼ି ସେ କୂଳରୁ ଅଳ୍ପ ଦୂରକୁ ଯିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ, ଆଉ ବସି ନୌକାରୁ ଲୋକସମୂହଙ୍କୁ ଶିକ୍ଷା ଦେଲେ।
4ସେ କଥା କହିବା ବନ୍ଦ କଲା ପରେ ଶିମୋନଙ୍କୁ କହିଲେ, “ଗଭୀର ଜଳକୁ ନୌକା ଠେଲି ନେଇ ମାଛ ଧରିବା ନିମନ୍ତେ ଆପଣାମାନଙ୍କ ଜାଲ ପକାଅ।”
5ଶିମୋନ ଉତ୍ତର ଦେଲେ, “ହେ ଗୁରୁ, ଆମ୍ଭେମାନେ ସାରାରାତି ପରିଶ୍ରମ କରି କିଛି ହିଁ ଧରିଲୁ ନାହିଁ। କିନ୍ତୁ ଆପଣଙ୍କ ବାକ୍ୟ ଅନୁସାରେ ମୁଁ ଜାଲ ପକାଇବି।” 6ଏପରି କରନ୍ତେ ସେମାନେ ଏତେ ଅଧିକ ମାଛ ଧରିଲେ ଯେ ସେମାନଙ୍କ ଜାଲ ଚିରିବାକୁ ଲାଗିଲା। 7ତେଣୁ ସେମାନେ ଅନ୍ୟ ନୌକାରେ ଥିବା ସହଭାଗୀମାନଙ୍କୁ ଆସି ସାହାଯ୍ୟ କରିବା ନିମନ୍ତେ ସଙ୍କେତ କଲେ; ସେମାନେ ଆସି ଉଭୟ ନୌକା ଏପରି ଭର୍ତ୍ତି କଲେ ଯେ ସେଗୁଡ଼ିକ ବୁଡ଼ିବାକୁ ଲାଗିଲା। 8ଏହା ଦେଖି ଶିମୋନ ପିତର ଯୀଶୁଙ୍କ ଆଣ୍ଠୁମୂଳରେ ପଡ଼ି କହିଲେ, “ହେ ପ୍ରଭୁ, ମୋʼଠାରୁ ଦୂର ହୁଅନ୍ତୁ, କାରଣ ମୁଁ ଜଣେ ପାପୀ ମନୁଷ୍ୟ!” 9ଯେଣୁ ଯେଉଁ ମାଛ ସେମାନେ ଧରିଥିଲେ, ସେଥିରେ ତାହାଙ୍କୁ ଓ ତାହାଙ୍କ ସଙ୍ଗରେ ଥିବା ସମସ୍ତଙ୍କୁ ବିସ୍ମୟ ଆଚ୍ଛନ୍ନ କଲା,
10ପୁଣି ସେହିପରି ଜେବଦୀଙ୍କ ପୁତ୍ର ଯାକୁବ ଓ ଯୋହନ, ଯେଉଁମାନେ ଶିମୋନଙ୍କ ସହଭାଗୀ ଥିଲେ, ସେମାନେ ମଧ୍ୟ ବିସ୍ମିତ ହେଲେ। ଯୀଶୁ ଶିମୋନଙ୍କୁ କହିଲେ, “ଭୟ କର ନାହିଁ; ଏବେଠାରୁ ତୁମ୍ଭେ ମନୁଷ୍ୟ ଧରିବ।”
11ତେଣୁ ସେମାନେ ଆପଣାମାନଙ୍କ ନୌକା କୂଳକୁ ଟାଣି ଆଣି, ସମସ୍ତ ଛାଡ଼ି ତାହାଙ୍କ ଅନୁଗମନ କଲେ।
ଜଣେ ବ୍ୟକ୍ତି ଶୁଚି ହେଲା
12ଯୀଶୁ ଗୋଟିଏ ନଗରରେ ଥିବା ସମୟରେ ଭୟଙ୍କର ଚର୍ମ ରୋଗରେ ପରିପୂର୍ଣ୍ଣ ଜଣେ ବ୍ୟକ୍ତି ଉପସ୍ଥିତ ହେଲା। ଯୀଶୁଙ୍କୁ ଦେଖି ସେ ମୁହଁ ମାଡ଼ି ପଡ଼ି ବିନତି କଲା, “ହେ ପ୍ରଭୁ, ଯଦି ଆପଣଙ୍କ ଇଚ୍ଛା ଥାଏ, ତେବେ ଆପଣ ମୋତେ ଶୁଚି କରିପାରିବେ।”
13ଯୀଶୁ ଆପଣା ହସ୍ତ ବଢ଼ାଇ ତାହାକୁ ସ୍ପର୍ଶ କରି କହିଲେ, “ମୋହର ଇଚ୍ଛା ଅଛି। ଶୁଚି ହୁଅ।” ସେହିକ୍ଷଣି ତାହାର ଚର୍ମ ରୋଗ ଦୂର ହୋଇଗଲା।
14ଯୀଶୁ ତାହାକୁ ଆଜ୍ଞା ଦେଲେ ଯେ ସେ ଯେପରି କାହାକୁ ନ କୁହେ, “ମାତ୍ର ଯାଇ ଆପଣାକୁ ଯାଜକଙ୍କୁ ଦେଖାଅ, ଆଉ ଲୋକମାନଙ୍କ ନିକଟରେ ପ୍ରମାଣ ସ୍ଵରୂପ ତୁମ୍ଭ ଶୁଚି ହେବା ନିମନ୍ତେ ମୋଶା ଯାହା ଆଜ୍ଞା ଦେଇଅଛନ୍ତି, ତାହା ଉତ୍ସର୍ଗ କର।”
15କିନ୍ତୁ ତାହାଙ୍କ ବିଷୟର କଥା ଆହୁରି ଅଧିକ ବ୍ୟାପିଗଲା; ବହୁସଂଖ୍ୟକ ଲୋକ ତାହାଙ୍କ କଥା ଶୁଣିବା ଓ ଆପଣାମାନଙ୍କ ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେଲେ। 16ମାତ୍ର ଯୀଶୁ ବାରମ୍ବାର ନିର୍ଜନ ସ୍ଥାନକୁ ଯାଇ ପ୍ରାର୍ଥନା କରୁଥିଲେ।
କ୍ଷମା କରିବାର ପିତାଙ୍କ ପରାକ୍ରମ
17ଦିନେ ସେ ଶିକ୍ଷା ଦେଉଥିବା ସମୟରେ ଗାଲିଲୀର ପ୍ରତ୍ୟେକ ଗ୍ରାମରୁ, ପୁଣି ଯିହୂଦା ଓ ଯିରୂଶାଲମରୁ ଆସିଥିବା ଫାରୂଶୀ ଓ ବ୍ୟବସ୍ଥାଶିକ୍ଷକମାନେ ବସିଥିଲେ। ଆଉ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ ଆମ୍ଭମାନଙ୍କ ପିତାଙ୍କ ପରାକ୍ରମ ତାହାଙ୍କଠାରେ ଉପସ୍ଥିତ ଥିଲା। 18ସେହି ସମୟରେ କେତେକ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଖଟିଆରେ ବୋହି ଆଣି ତାହାକୁ ଭିତରକୁ ନେଇ ଯୀଶୁଙ୍କ ସମ୍ମୁଖରେ ରଖିବା ପାଇଁ ଚେଷ୍ଟା କଲେ। 19ଲୋକସମୂହ ହେତୁ ତାହାକୁ ଭିତରକୁ ଆଣିବାର କୌଣସି ଉପାୟ ନ ପାଇ ସେମାନେ ଛାତ ଉପରକୁ ଯାଇ କଉଡ଼ି ଭିତର ଦେଇ ତାହାକୁ ଖଟିଆ ସହିତ ଠିକ୍ ଯୀଶୁଙ୍କ ସମ୍ମୁଖରେ ମଝି ସ୍ଥାନକୁ ଓହ୍ଲାଇ ଦେଲେ।
20ଯୀଶୁ ସେମାନଙ୍କ ବିଶ୍ଵାସ ଦେଖି କହିଲେ, “ହେ ବନ୍ଧୁ, ତୁମ୍ଭର ପାପ କ୍ଷମା କରାଗଲା।”
21ସେଥିରେ ଶାସ୍ତ୍ରୀ ଓ ଫାରୂଶୀମାନେ ତର୍କବିତର୍କ କରିବାକୁ ଲାଗିଲେ, “ଈଶ୍ଵରଙ୍କ ନିନ୍ଦା କରୁଥିବା ଏ କିଏ? ଏକମାତ୍ର ଈଶ୍ଵରଙ୍କ ବିନା ଆଉ କିଏ ପାପ କ୍ଷମା କରିପାରେ?”
22ସେମାନେ କʼଣ ଭାବୁଅଛନ୍ତି, ତାହା ଜାଣି ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଆପଣା ଆପଣା ହୃଦୟରେ କାହିଁକି ତର୍କ କରୁଅଛ? 23କେଉଁଟା ସହଜ: ‘ତୁମ୍ଭର ପାପ କ୍ଷମା କରାଗଲା’ ବୋଲି କହିବା, ଅବା ‘ଉଠ ଓ ଚାଲ’ ବୋଲି କହିବା? 24ମାତ୍ର ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଅଧିକାର ଅଛି ବୋଲି ତୁମ୍ଭେମାନେ ଯେପରି ଜାଣିପାର” — ସେ ପକ୍ଷାଘାତ ରୋଗୀକୁ କହିଲେ — “ମୁଁ ତୁମ୍ଭକୁ କହୁଅଛି, ଉଠ, ଆପଣା ଖଟିଆ ଉଠାଅ ଓ ଘରକୁ ଯାଅ।”
25ସେହିକ୍ଷଣି ସେ ସେମାନଙ୍କ ସମ୍ମୁଖରେ ଠିଆ ହୋଇ ଆପଣା ଖଟିଆ ଉଠାଇ ଆମ୍ଭମାନଙ୍କ ପିତାଙ୍କ ମହିମା କୀର୍ତ୍ତନ କରୁ କରୁ ଘରକୁ ଗଲା। 26ବିସ୍ମୟ ସମସ୍ତଙ୍କୁ ଆଚ୍ଛନ୍ନ କଲା; ସେମାନେ ଭୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ପିତାଙ୍କ ମହିମା କୀର୍ତ୍ତନ କରି କହିଲେ, “ଆଜି ଆମ୍ଭେମାନେ ଅଦ୍ଭୁତ ବିଷୟ ଦେଖିଲୁ।”
ଯୀଶୁ ଲେବୀଙ୍କୁ ଆହ୍ଵାନ କରନ୍ତି
27ଏହାପରେ ଯୀଶୁ ବାହାରିଯାଇ ଲେବୀ ନାମକ ଜଣେ କରଗ୍ରାହୀକୁ କରଘରରେ ବସିଥିବା ଦେଖିଲେ। ସେ କହିଲେ, “ମୋହର ଅନୁଗମନ କର।”
28ତେଣୁ ଲେବୀ ଉଠି ସମସ୍ତ ଛାଡ଼ି ତାହାଙ୍କ ଅନୁଗମନ କଲେ। 29ତା ପରେ ଲେବୀ ଆପଣା ଘରେ ଯୀଶୁଙ୍କ ନିମନ୍ତେ ଏକ ମହାଭୋଜ ଦେଲେ, ଆଉ କରଗ୍ରାହୀ ଓ ଅନ୍ୟମାନଙ୍କ ଏକ ବିରାଟ ଜନସମୂହ ସେମାନଙ୍କ ସହିତ ଭୋଜନରେ ବସିଲେ। 30କିନ୍ତୁ ଫାରୂଶୀ ଓ ସେମାନଙ୍କ ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ବଚସା କରି କହିଲେ, “ତୁମ୍ଭେମାନେ କରଗ୍ରାହୀ ଓ ପାପୀମାନଙ୍କ ସହିତ କାହିଁକି ଭୋଜନପାନ କରୁଅଛ?”
31ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସୁସ୍ଥ ଲୋକମାନଙ୍କର ବୈଦ୍ୟ ଆବଶ୍ୟକ ନାହିଁ, ମାତ୍ର ରୋଗୀମାନଙ୍କର ଆବଶ୍ୟକ। 32ମୁଁ ଧାର୍ମିକମାନଙ୍କୁ ଆହ୍ଵାନ କରିବାକୁ ଆସି ନାହିଁ, ମାତ୍ର ପାପୀମାନଙ୍କୁ ମନ-ପରିବର୍ତ୍ତନ ନିମନ୍ତେ ଆହ୍ଵାନ କରିବାକୁ ଆସିଅଛି।”
ଉପବାସ ବିଷୟରେ ଏକ ପ୍ରଶ୍ନ
33ସେମାନେ ତାହାଙ୍କୁ କହିଲେ, “ଯୋହନଙ୍କ ଶିଷ୍ୟମାନେ ବାରମ୍ବାର ଉପବାସ ଓ ପ୍ରାର୍ଥନା କରନ୍ତି, ସେହିପରି ଫାରୂଶୀମାନଙ୍କ ଶିଷ୍ୟମାନେ ମଧ୍ୟ, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଭୋଜନପାନ କରନ୍ତି।”
34ଯୀଶୁ କହିଲେ, “ବର ସଙ୍ଗରେ ଥିବା ସମୟରେ ତୁମ୍ଭେମାନେ କି ବର ସାଙ୍ଗମାନଙ୍କୁ ଉପବାସ କରାଇପାର? 35କିନ୍ତୁ ଏପରି ଦିନ ଆସିବ, ଯେତେବେଳେ ବର ସେମାନଙ୍କଠାରୁ ନିଆଯିବେ, ଆଉ ସେତେବେଳେ, ସେହି ଦିନମାନଙ୍କରେ, ସେମାନେ ଉପବାସ କରିବେ।”
36ସେ ସେମାନଙ୍କୁ ଏକ ଦୃଷ୍ଟାନ୍ତ ମଧ୍ୟ କହିଲେ, “କେହି ନୂଆ ବସ୍ତ୍ରରୁ ତାଳି କାଟି ପୁରୁଣା ବସ୍ତ୍ରରେ ସିଲାଇ କରେ ନାହିଁ। ନ ହେଲେ ସେ ନୂଆ ବସ୍ତ୍ର ଚିରେ, ପୁଣି ନୂଆ ତାଳି ପୁରୁଣା ସହିତ ମିଶେ ନାହିଁ। 37କେହି ପୁରୁଣା ଚମଡ଼ା ମଶକରେ ନୂଆ ଦ୍ରାକ୍ଷାରସ ରଖେ ନାହିଁ; ନ ହେଲେ ନୂଆ ଦ୍ରାକ୍ଷାରସ ମଶକ ଫଟାଇ ଢାଳି ଯିବ, ଆଉ ମଶକସବୁ ନଷ୍ଟ ହୋଇଯିବ। 38ବରଂ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ମଶକରେ ଢାଳିବା ଆବଶ୍ୟକ। 39ଆଉ ପୁରୁଣା ଦ୍ରାକ୍ଷାରସ ପିଇଲା ପରେ କେହି ନୂଆ ଦ୍ରାକ୍ଷାରସ ଇଚ୍ଛା କରେ ନାହିଁ, କାରଣ ସେ କହେ, ‘ପୁରୁଣାଟା ହିଁ ଭଲ।’”