ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଯିହୂଦୀମାନେ ଆପଣା ଶତ୍ରୁମାନଙ୍କୁ ପରାସ୍ତ କଲେ

ଯେଉଁ ଦିନ ସେମାନଙ୍କ ବିନାଶ ପାଇଁ ସ୍ଥିର ହୋଇଥିଲା, ସେହି ଦିନ ବରଂ ଯିହୁଦୀମାନଙ୍କ ଶତ୍ରୁମାନେ ପତିତ ହୁଅନ୍ତି — ହାମନଙ୍କ ଦଶ ପୁତ୍ର, ପ୍ରଦେଶମାନଙ୍କରେ ପଞ୍ଚସ୍ତରି ହଜାର, ଏବଂ କୌଣସି ଲୁଟ ନିଆଯାଏ ନାହିଁ। ତାʼପରେ ମର୍ଦ୍ଦଖୟ ଓ ଏଷ୍ଟର ସେହି ଯୁଦ୍ଧକୁ ଏକ ବାର୍ଷିକ ପର୍ବ, ପୂରୀମ ରୂପେ ଲେଖି ସ୍ଥିର କରନ୍ତି: ବିଶ୍ରାମ, ଖାଦ୍ୟ ଉପହାର, ଏବଂ ଦରିଦ୍ରମାନଙ୍କୁ ଦାନ।

ଅଧ୍ୟାୟ 9।

ଦ୍ଵାଦଶ ମାସ, ଅର୍ଥାତ୍ ଅଦର ମାସର ତ୍ରୟୋଦଶ ଦିନରେ, ଯେତେବେଳେ ରାଜାଙ୍କ ଆଜ୍ଞା ଓ ନିୟମ କାର୍ଯ୍ୟକାରୀ ହେବାର ଥିଲା, ଯେଉଁ ଦିନ ଯିହୂଦୀମାନଙ୍କ ଶତ୍ରୁମାନେ ସେମାନଙ୍କ ଉପରେ ପ୍ରଭୁତ୍ଵ କରିବାକୁ ଆଶା କରିଥିଲେ, ସେହି ଦିନ ବିପରୀତ ହେଲା; ଯିହୂଦୀମାନେ ଆପଣା ଘୃଣାକାରୀମାନଙ୍କ ଉପରେ ପ୍ରଭୁତ୍ଵ କଲେ। ଯିହୂଦୀମାନେ ଅକ୍ଷଶ୍ଵେରଶ ରାଜାଙ୍କ ସମସ୍ତ ପ୍ରଦେଶସ୍ଥ ଆପଣା ଆପଣା ନଗରରେ ଏକତ୍ର ହୋଇ ଆପଣାମାନଙ୍କ ଅନିଷ୍ଟ ଚେଷ୍ଟାକାରୀମାନଙ୍କୁ ଆକ୍ରମଣ କଲେ। କେହି ସେମାନଙ୍କ ବିରୁଦ୍ଧରେ ଠିଆ ହୋଇ ପାରିଲା ନାହିଁ; କାରଣ ସମସ୍ତ ଲୋକଙ୍କ ଉପରେ ସେମାନଙ୍କ ବିଷୟକ ଭୟ ଉପସ୍ଥିତ ହୋଇଥିଲା। ପୁଣି ପ୍ରଦେଶସମୂହର ସମସ୍ତ ଅଧିପତି, କ୍ଷତ୍ରପ, ଦେଶାଧ୍ୟକ୍ଷ ଓ ରାଜକର୍ମଚାରୀମାନେ ଯିହୂଦୀମାନଙ୍କ ସାହାଯ୍ୟ କଲେ; କାରଣ ସେମାନଙ୍କ ଉପରେ ମର୍ଦ୍ଦଖୟ ବିଷୟକ ଭୟ ଉପସ୍ଥିତ ହୋଇଥିଲା। ମର୍ଦ୍ଦଖୟ ରାଜଗୃହରେ ମହାନ ହେଲେ ଓ ତାହାଙ୍କ କୀର୍ତ୍ତି ପ୍ରତ୍ୟେକ ପ୍ରଦେଶରେ ବ୍ୟାପିଗଲା; କାରଣ ମର୍ଦ୍ଦଖୟ ଉତ୍ତରୋତ୍ତର ମହାନ ହୋଇ ଉଠିଲେ। ଯିହୂଦୀମାନେ ଆପଣା ସମସ୍ତ ଶତ୍ରୁଙ୍କୁ ଖଡ୍ଗାଘାତ କରି ବଧ ଓ ବିନାଶ କଲେ, ପୁଣି ଆପଣା ଘୃଣାକାରୀମାନଙ୍କ ପ୍ରତି ଇଚ୍ଛାନୁସାରେ ବ୍ୟବହାର କଲେ। ଶୂଶନ ରାଜଧାନୀରେ ଯିହୂଦୀମାନେ ପାଞ୍ଚ ଶହ ଲୋକଙ୍କୁ ବଧ ଓ ବିନାଶ କଲେ। ଆହୁରି ପର୍ଶନ୍ଦାଥା, ଦଲ୍‌ଫୋନ୍, ଅସ୍ପାଥା, ପୋରାଥା, ଅଦଲୀୟା, ଅରୀଦାଥା, ପର୍ମଷ୍ଟା, ଅରୀଷୟ, ଅରୀଦୟ ଓ ବୟିଷାଥାଙ୍କୁ ସେମାନେ ବଧ କଲେ। ଯିହୂଦୀମାନଙ୍କ ଶତ୍ରୁ ହମ୍ମଦାଥାର ପୁତ୍ର ହାମନର ଏହି ଦଶ ପୁତ୍ରଙ୍କୁ ସେମାନେ ବଧ କଲେ; ମାତ୍ର ଲୁଟଦ୍ରବ୍ୟରେ ହସ୍ତକ୍ଷେପ କଲେ ନାହିଁ।

ସେହି ଦିନ ଶୂଶନ ରାଜଧାନୀରେ ହତ ଲୋକଙ୍କ ସଂଖ୍ୟା ରାଜାଙ୍କ ଗୋଚରକୁ ଅଣାଗଲା। ତହିଁରେ ରାଜା ଏଷ୍ଟର ରାଣୀଙ୍କୁ କହିଲେ, “ଯିହୂଦୀମାନେ ଶୂଶନ ରାଜଧାନୀରେ ପାଞ୍ଚ ଶହ ଲୋକ ଓ ହାମନର ଦଶ ପୁତ୍ରଙ୍କୁ ବଧ ଓ ବିନାଶ କରିଅଛନ୍ତି; ତେବେ ରାଜାର ଅବଶିଷ୍ଟ ପ୍ରଦେଶସମୂହରେ ସେମାନେ କଅଣ ନ କରିଥିବେ? ବର୍ତ୍ତମାନ ତୁମ୍ଭର ନିବେଦନ କଅଣ? ତାହା ତୁମ୍ଭକୁ ଦିଆଯିବ। ଆଉ ତୁମ୍ଭର ପ୍ରାର୍ଥନା କଅଣ? ତାହା କରାଯିବ।”

ଏଷ୍ଟର କହିଲେ, “ଯଦି ରାଜାଙ୍କ ଦୃଷ୍ଟିରେ ଭଲ ଦିଶେ, ତେବେ ଆଜିକାର ନିୟମାନୁସାରେ କାର୍ଯ୍ୟ କରିବା ନିମନ୍ତେ ଶୂଶନସ୍ଥ ଯିହୂଦୀମାନଙ୍କୁ କାଲି ମଧ୍ୟ ଅନୁମତି ଦିଆଯାଉ, ପୁଣି ହାମନର ଦଶ ପୁତ୍ରଙ୍କୁ ସ୍ତମ୍ଭ ଉପରେ ଟଙ୍ଗାଯାଉ।”

ତହିଁରେ ରାଜା ତାହା କରିବାକୁ ଆଜ୍ଞା ଦେଲେ; ଶୂଶନରେ ଏକ ନିୟମ ପ୍ରଚାରିତ ହେଲା, ଆଉ ସେମାନେ ହାମନର ଦଶ ପୁତ୍ରଙ୍କୁ ଟଙ୍ଗାଇଲେ। ଶୂଶନସ୍ଥ ଯିହୂଦୀମାନେ ଅଦର ମାସର ଚତୁର୍ଦ୍ଦଶ ଦିନରେ ମଧ୍ୟ ଏକତ୍ର ହୋଇ ସେଠାରେ ତିନି ଶହ ଲୋକଙ୍କୁ ବଧ କଲେ; ମାତ୍ର ଲୁଟଦ୍ରବ୍ୟରେ ହସ୍ତକ୍ଷେପ କଲେ ନାହିଁ।

ରାଜାଙ୍କ ପ୍ରଦେଶସମୂହସ୍ଥ ଅବଶିଷ୍ଟ ଯିହୂଦୀମାନେ ଆପଣା ଆପଣା ପ୍ରାଣ ରକ୍ଷା କରିବା ନିମନ୍ତେ ଏକତ୍ର ହୋଇ ଶତ୍ରୁମାନଙ୍କଠାରୁ ବିଶ୍ରାମ ପାଇଲେ, ପୁଣି ଆପଣା ଘୃଣାକାରୀ ପଞ୍ଚସ୍ତରୀ ହଜାର ଲୋକଙ୍କୁ ବଧ କଲେ; ମାତ୍ର ଲୁଟଦ୍ରବ୍ୟରେ ହସ୍ତକ୍ଷେପ କଲେ ନାହିଁ। ଅଦର ମାସର ତ୍ରୟୋଦଶ ଦିନରେ ଏହା ଘଟିଲା; ପୁଣି ଚତୁର୍ଦ୍ଦଶ ଦିନରେ ସେମାନେ ବିଶ୍ରାମ କରି ତାହାକୁ ଭୋଜନ ଓ ଆନନ୍ଦର ଦିନ କଲେ।

ମାତ୍ର ଶୂଶନସ୍ଥ ଯିହୂଦୀମାନେ ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନରେ ଏକତ୍ର ହୋଇ ପଞ୍ଚଦଶ ଦିନରେ ବିଶ୍ରାମ କଲେ, ଆଉ ତାହାକୁ ଭୋଜନ ଓ ଆନନ୍ଦର ଦିନ କଲେ। ଏଥିପାଇଁ ପଲ୍ଲୀଗ୍ରାମବାସୀ ଯିହୂଦୀମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ, ଭୋଜନ, ଉତ୍ସବ ଓ ପରସ୍ପରଙ୍କ ନିକଟକୁ ଖାଦ୍ୟଦ୍ରବ୍ୟ ପଠାଇବାର ଦିନ ରୂପେ ପାଳନ କରନ୍ତି।

ପୂରୀମ୍ ପର୍ବ ସ୍ଥାପିତ ହେଲା

ମର୍ଦ୍ଦଖୟ ଏହିସବୁ ଘଟଣା ଲେଖି ଅକ୍ଷଶ୍ଵେରଶ ରାଜାଙ୍କ ପ୍ରଦେଶସମୂହସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଯିହୂଦୀଙ୍କ ନିକଟକୁ ପତ୍ର ପଠାଇଲେ, ଯେପରି ସେମାନେ ପ୍ରତି ବର୍ଷ ଅଦର ମାସର ଚତୁର୍ଦ୍ଦଶ ଓ ପଞ୍ଚଦଶ ଦିନ ପାଳନ କରନ୍ତି, ଏହା ସେମାନଙ୍କ ପ୍ରତି ଦୃଢ଼ କଲେ, ଯେଉଁ ଦିନମାନଙ୍କରେ ଯିହୂଦୀମାନେ ଆପଣା ଶତ୍ରୁମାନଙ୍କଠାରୁ ବିଶ୍ରାମ ପାଇଥିଲେ ଓ ଯେଉଁ ମାସ ସେମାନଙ୍କ ପ୍ରତି ଦୁଃଖରୁ ଆନନ୍ଦକୁ ଓ ଶୋକରୁ ମଙ୍ଗଳ ଉତ୍ସବକୁ ପରିବର୍ତ୍ତିତ ହୋଇଥିଲା, ସେହି ଦିନମାନଙ୍କୁ ଭୋଜନ ଓ ଆନନ୍ଦର ଦିନ ରୂପେ ପାଳନ କରିବାକୁ, ପୁଣି ପରସ୍ପରଙ୍କ ନିକଟକୁ ଖାଦ୍ୟଦ୍ରବ୍ୟ ଓ ଦରିଦ୍ରମାନଙ୍କ ନିକଟକୁ ଦାନ ପଠାଇବାକୁ ସେ ସେମାନଙ୍କୁ କହିଲେ। ତହିଁରେ ଯିହୂଦୀମାନେ ଯେପରି କରିବାକୁ ଆରମ୍ଭ କରିଥିଲେ ଓ ମର୍ଦ୍ଦଖୟ ସେମାନଙ୍କ ନିକଟକୁ ଯେପରି ଲେଖିଥିଲେ, ତଦନୁସାରେ ତାହା ରୀତି ରୂପେ ଗ୍ରହଣ କଲେ। କାରଣ ସମସ୍ତ ଯିହୂଦୀଙ୍କ ଶତ୍ରୁ ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ ଯିହୂଦୀମାନଙ୍କୁ ବିନାଶ କରିବା ନିମନ୍ତେ ସେମାନଙ୍କ ବିରୁଦ୍ଧରେ କଳ୍ପନା କରିଥିଲା, ପୁଣି ସେମାନଙ୍କୁ ଚୂର୍ଣ୍ଣ ଓ ବିନାଶ କରିବା ନିମନ୍ତେ ପୂର, ଅର୍ଥାତ୍ ଗୁଲିବାଣ୍ଟ କରିଥିଲା। ମାତ୍ର ଏହି କଥା ରାଜାଙ୍କ ଗୋଚରକୁ ଆସନ୍ତେ, ହାମନ ଯିହୂଦୀମାନଙ୍କ ବିରୁଦ୍ଧରେ ଯେଉଁ ଦୁଷ୍ଟ କଳ୍ପନା କରିଥିଲା, ତାହା ଯେପରି ତାହାର ନିଜ ମସ୍ତକ ଉପରେ ବର୍ତ୍ତେ ଓ ସେ ଓ ତାହାର ପୁତ୍ରମାନେ ଯେପରି ସ୍ତମ୍ଭ ଉପରେ ଟଙ୍ଗାଯାଆନ୍ତି, ଏହା ରାଜା ପତ୍ର ଦ୍ଵାରା ଆଜ୍ଞା କଲେ।

ଏଥିପାଇଁ ପୂର ଶବ୍ଦ ଅନୁସାରେ ଏହି ଦିନମାନଙ୍କୁ ପୂରୀମ୍ ବୋଲି ନାମ ଦିଆଗଲା। ଏହି ପତ୍ରର ସମସ୍ତ କଥା ସକାଶୁ, ପୁଣି ଏ ବିଷୟରେ ସେମାନେ ଯାହା ଦେଖିଥିଲେ ଓ ସେମାନଙ୍କ ପ୍ରତି ଯାହା ଘଟିଥିଲା, ତହିଁ ସକାଶୁ, ଯିହୂଦୀମାନେ ଆପଣାମାନଙ୍କ, ଆପଣା ବଂଶ ଓ ଆପଣାମାନଙ୍କ ସଙ୍ଗେ ମିଳିତ ହେବା ସମସ୍ତଙ୍କ ଉପରେ ଏହି ଦୁଇ ଦିନ ଲିଖନାନୁସାରେ ଓ ନିରୂପିତ ସମୟାନୁସାରେ ପ୍ରତି ବର୍ଷ ବିନା ବ୍ୟତିକ୍ରମେ ପାଳନ କରିବାର ଦାୟିତ୍ଵ ଆପଣାମାନଙ୍କ ଉପରେ ଗ୍ରହଣ କଲେ। ପୁଣି ଏହି ଦିନମାନଙ୍କୁ ପ୍ରତ୍ୟେକ ପୁରୁଷାନୁକ୍ରମେ, ପ୍ରତ୍ୟେକ ଗୋଷ୍ଠୀରେ, ପ୍ରତ୍ୟେକ ପ୍ରଦେଶରେ ଓ ପ୍ରତ୍ୟେକ ନଗରରେ ସ୍ମରଣ ଓ ପାଳନ କରାଯିବ; ଏହି ପୂରୀମ୍ ଦିନ ଯିହୂଦୀମାନଙ୍କ ମଧ୍ୟରୁ କେବେ ଲୁପ୍ତ ହେବ ନାହିଁ, ଅଥବା ସେମାନଙ୍କ ବଂଶ ମଧ୍ୟରୁ ଏହାର ସ୍ମୃତି କେବେ ବିଲୁପ୍ତ ହେବ ନାହିଁ।

ତହିଁ ଉତ୍ତାରେ ଅବୀହୀଲର କନ୍ୟା ଏଷ୍ଟର ରାଣୀ ଓ ଯିହୂଦୀୟ ମର୍ଦ୍ଦଖୟ ଏହି ଦ୍ଵିତୀୟ ପୂରୀମ୍ ପତ୍ର ଦୃଢ଼ କରିବା ନିମନ୍ତେ ସମ୍ପୂର୍ଣ୍ଣ ଅଧିକାର ସହିତ ଲେଖିଲେ। ପୁଣି ଅକ୍ଷଶ୍ଵେରଶ ରାଜ୍ୟର ଏକ ଶହ ସତାଇଶ ପ୍ରଦେଶସ୍ଥ ସମସ୍ତ ଯିହୂଦୀଙ୍କ ନିକଟକୁ ଶାନ୍ତି ଓ ସତ୍ୟର କଥା ସମ୍ବଳିତ ପତ୍ର ପଠାଗଲା, ଯେପରି ଯିହୂଦୀୟ ମର୍ଦ୍ଦଖୟ ଓ ଏଷ୍ଟର ରାଣୀ ସେମାନଙ୍କ ପାଇଁ ଆଜ୍ଞା ଦେଇଥିଲେ ଓ ଯେପରି ସେମାନେ ଆପଣାମାନଙ୍କ ଓ ଆପଣା ବଂଶ ପାଇଁ ଉପବାସ ଓ ଶୋକର ବିଷୟ ସ୍ଥିର କରିଥିଲେ, ତଦନୁସାରେ ଏହି ପୂରୀମ୍ ଦିନ ନିରୂପିତ ସମୟରେ ଦୃଢ଼ କରିବା ନିମନ୍ତେ ଏହା ଲେଖାଗଲା। ଆଉ ଏଷ୍ଟରଙ୍କ ଆଜ୍ଞା ପୂରୀମ୍ ସମ୍ବନ୍ଧୀୟ ଏହି ବ୍ୟବସ୍ଥାସବୁ ଦୃଢ଼ କଲା, ପୁଣି ତାହା ପୁସ୍ତକରେ ଲିପିବଦ୍ଧ ହେଲା।