ଏଷ୍ଟର ଓ ମର୍ଦ୍ଦଖୟଙ୍କ ସମ୍ମାନ
ହାମନଙ୍କ ସମ୍ପତ୍ତି ଏଷ୍ଟରଙ୍କୁ ଓ ତାଙ୍କ ମୁଦ୍ରାଙ୍କିତ ମୁଦି ମର୍ଦ୍ଦଖୟଙ୍କୁ ଦିଆଯାଏ, କିନ୍ତୁ ମୃତ୍ୟୁ ଆଜ୍ଞା ରଦ୍ଦ କରାଯାଇ ପାରେ ନାହିଁ। ତେଣୁ ରାଜକୀୟ ଘୋଡ଼ାରେ ଏକ ଦ୍ୱିତୀୟ ଆଜ୍ଞା ପଠାଯାଏ: ଯିହୁଦୀମାନେ ଏକତ୍ର ହୋଇ ନିଜ ଜୀବନ ରକ୍ଷା କରିପାରିବେ। ମର୍ଦ୍ଦଖୟ ରାଜକୀୟ ନୀଳ ଓ ସୁବର୍ଣ୍ଣ ବସ୍ତ୍ରରେ ବାହାରନ୍ତି, ଏବଂ ଶୂଶନ ଜୟଧ୍ୱନି କରେ।
8 1ସେହି ଦିନ ଅକ୍ଷଶ୍ଵେରଶ ରାଜା ଯିହୁଦୀମାନଙ୍କ ଶତ୍ରୁ ହାମନ୍ର ସମ୍ପତ୍ତି ଏଷ୍ଟର ରାଣୀଙ୍କୁ ଦେଲେ। ଆଉ ମର୍ଦ୍ଦଖୟ ରାଜାଙ୍କ ସମ୍ମୁଖକୁ ଆସିଲେ, କାରଣ ସେ ଏଷ୍ଟରଙ୍କର କିଏ, ତାହା ଏଷ୍ଟର ଜଣାଇ ଦେଇଥିଲେ। 2ପୁଣି ରାଜା ହାମନ୍ଠାରୁ ଯେଉଁ ମୁଦ୍ରାଙ୍କ ଅଙ୍ଗୁରୀୟ ଫେରାଇ ନେଇଥିଲେ, ତାହା କାଢ଼ି ମର୍ଦ୍ଦଖୟଙ୍କୁ ଦେଲେ। ଆଉ ଏଷ୍ଟର ହାମନ୍ର ସମ୍ପତ୍ତି ଉପରେ ମର୍ଦ୍ଦଖୟଙ୍କୁ ନିଯୁକ୍ତ କଲେ।
3ଏଷ୍ଟର ଆଉ ଥରେ ରାଜାଙ୍କ ଛାମୁରେ କଥା କହିଲେ, ତାହାଙ୍କ ଚରଣ ତଳେ ପଡ଼ି, ରୋଦନ କରି, ଅଗାଗୀୟ ହାମନ୍ର ଦୁଷ୍ଟତା ଓ ଯିହୁଦୀମାନଙ୍କ ବିରୁଦ୍ଧରେ ତାହାର କୁମନ୍ତ୍ରଣା ବନ୍ଦ କରିବା ନିମନ୍ତେ ବିନତି କଲେ। 4ସେତେବେଳେ ରାଜା ଏଷ୍ଟରଙ୍କ ଆଡ଼କୁ ସୁବର୍ଣ୍ଣ ଦଣ୍ଡ ବିସ୍ତାର କଲେ, ତହିଁରେ ଏଷ୍ଟର ଉଠି ରାଜାଙ୍କ ସମ୍ମୁଖରେ ଠିଆ ହେଲେ। 5ପୁଣି ସେ କହିଲେ, “ଯଦି ରାଜା ସନ୍ତୁଷ୍ଟ ହୁଅନ୍ତି, ଯଦି ମୁଁ ତାହାଙ୍କ ଅନୁଗ୍ରହ ପାଇଅଛି, ଯଦି ଏହା ତାହାଙ୍କ ଦୃଷ୍ଟିରେ ଉଚିତ ବୋଧ ହୁଏ, ଆଉ ଯଦି ମୁଁ ତାହାଙ୍କ ସନ୍ତୋଷଜନକ ହୋଇଥାଏ, ତେବେ ରାଜାଙ୍କ ସମସ୍ତ ପ୍ରଦେଶସ୍ଥ ଯିହୁଦୀମାନଙ୍କୁ ବିନାଶ କରିବା ନିମନ୍ତେ ହମ୍ମଦାଥାର ପୁତ୍ର ଅଗାଗୀୟ ହାମନ୍ ଯେଉଁ କୁମନ୍ତ୍ରଣା କରି ଲେଖିଥିଲା, ତାହା ରଦ କରିବା ନିମନ୍ତେ ପତ୍ର ଲେଖାଯାଉ। 6କାରଣ ମୋ ଲୋକଙ୍କ ଉପରେ ବିପଦ ଆସିବା ଦେଖି ମୁଁ କିପରି ସହ୍ୟ କରିବି? ଆଉ ମୋ ଜ୍ଞାତିବର୍ଗ ବିନଷ୍ଟ ହେବାର ଦେଖି ମୁଁ କିପରି ସହ୍ୟ କରିବି?”
7ତେବେ ଅକ୍ଷଶ୍ଵେରଶ ରାଜା ଏଷ୍ଟର ରାଣୀ ଓ ଯିହୁଦୀ ମର୍ଦ୍ଦଖୟଙ୍କୁ କହିଲେ, “ଦେଖ, ମୁଁ ହାମନ୍ର ଗୃହ ଏଷ୍ଟରଙ୍କୁ ଦେଇଅଛି, ଆଉ ସେ ଯିହୁଦୀମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରିଥିବାରୁ ଲୋକମାନେ ତାହାକୁ ଫାଶୀକାଠରେ ଟଙ୍ଗାଇଲେ। 8ଏଣୁ ତୁମ୍ଭେମାନେ ଯିହୁଦୀମାନଙ୍କ ବିଷୟରେ ଯାହା ଭଲ ବୋଧ କର, ତାହା ରାଜାଙ୍କ ନାମରେ ଲେଖ ଓ ତାହାଙ୍କ ମୁଦ୍ରାଙ୍କ ଅଙ୍ଗୁରୀୟରେ ତାହା ମୁଦ୍ରାଙ୍କିତ କର; କାରଣ ରାଜାଙ୍କ ନାମରେ ଲିଖିତ ଓ ତାହାଙ୍କ ଅଙ୍ଗୁରୀୟରେ ମୁଦ୍ରାଙ୍କିତ ଲେଖା ରଦ କରାଯାଇ ନ ପାରେ।”
9ତତ୍କାଳେ ତୃତୀୟ ମାସର, ଅର୍ଥାତ୍ ସୀବନ୍ ମାସର ତେଇଶି ଦିନରେ ରାଜାଙ୍କ ଲେଖକମାନେ ଆହୂତ ହେଲେ, ପୁଣି ମର୍ଦ୍ଦଖୟ ଯାହା ଯାହା ଆଜ୍ଞା ଦେଲେ, ତଦନୁସାରେ ହିନ୍ଦୁସ୍ଥାନଠାରୁ କୂଶ ଦେଶ ପର୍ଯ୍ୟନ୍ତ ଏକ ଶହ ସତାଇଶ ପ୍ରଦେଶସ୍ଥ ଯିହୁଦୀମାନଙ୍କ ପ୍ରତି, ଆଉ କ୍ଷିତିପାଳ, ଦେଶାଧ୍ୟକ୍ଷ ଓ ପ୍ରଦେଶସ୍ଥ ଅଧିପତିମାନଙ୍କ ପ୍ରତି — ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ ଓ ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ, ପୁଣି ଯିହୁଦୀମାନଙ୍କ ପ୍ରତି ସେମାନଙ୍କ ଅକ୍ଷର ଓ ଭାଷାନୁସାରେ ଲେଖାଗଲା। 10ଆଉ ମର୍ଦ୍ଦଖୟ ଅକ୍ଷଶ୍ଵେରଶ ରାଜାଙ୍କ ନାମରେ ଲେଖି, ରାଜାଙ୍କ ମୁଦ୍ରାଙ୍କ ଅଙ୍ଗୁରୀୟରେ ତାହା ମୁଦ୍ରାଙ୍କିତ କରି, ରାଜକାର୍ଯ୍ୟ ନିମନ୍ତେ ପାଳିତ ବେଗବାହୀ ଅଶ୍ଵାରୋହୀ ଦୂତମାନଙ୍କ ଦ୍ଵାରା ପତ୍ର ପଠାଇଲେ। 11ତହିଁରେ ରାଜା ପ୍ରତ୍ୟେକ ନଗରସ୍ଥ ଯିହୁଦୀମାନଙ୍କୁ ଏକତ୍ର ହୋଇ ଆପଣା ଆପଣା ପ୍ରାଣ ରକ୍ଷା କରିବା ନିମନ୍ତେ — ଅର୍ଥାତ୍ ଯେଉଁ ଗୋଷ୍ଠୀ ବା ପ୍ରଦେଶର ଯେକୌଣସି ସସ୍ତ୍ର ବଳ ସେମାନଙ୍କୁ, ବାଳକ ଓ ସ୍ତ୍ରୀଲୋକସୁଦ୍ଧା ଆକ୍ରମଣ କରେ, ସେମାନଙ୍କୁ ବିନାଶ, ହତ୍ୟା ଓ ଉଚ୍ଛିନ୍ନ କରିବା ନିମନ୍ତେ, ପୁଣି ସେମାନଙ୍କ ଦ୍ରବ୍ୟ ଲୁଟିବା ନିମନ୍ତେ ଅଧିକାର ଦେଲେ। 12ଅକ୍ଷଶ୍ଵେରଶ ରାଜାଙ୍କ ସମସ୍ତ ପ୍ରଦେଶରେ ଏକ ଦିନରେ, ଅର୍ଥାତ୍ ଅଦର୍ ନାମକ ଦ୍ଵାଦଶ ମାସର ତ୍ରୟୋଦଶ ଦିନରେ ଏହା ଘଟିବାର ଥିଲା। 13ଯେପରି ଯିହୁଦୀମାନେ ସେହି ଦିନ ଆପଣା ଶତ୍ରୁମାନଙ୍କଠାରୁ ପ୍ରତିଶୋଧ ନେବା ନିମନ୍ତେ ପ୍ରସ୍ତୁତ ହୁଅନ୍ତି, ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ବ୍ୟବସ୍ଥା ରୂପେ ସେହି ଆଜ୍ଞାର ଏକ ନକଲ ପ୍ରଚାର କରାଯିବାକୁ ଓ ସମସ୍ତ ଗୋଷ୍ଠୀଙ୍କ ନିକଟରେ ଜ୍ଞାତ କରାଯିବାକୁ ହେଲା। 14ତହିଁରେ ରାଜକାର୍ଯ୍ୟର ଅଶ୍ଵାରୋହୀ ଦୂତମାନେ ରାଜାଙ୍କ ଆଜ୍ଞାରେ ତ୍ୱରିତ ଓ ବ୍ୟଗ୍ର ହୋଇ ବେଗରେ ବାହାରିଗଲେ; ପୁଣି ଶୂଶନ୍ ରାଜଗଡ଼ରେ ସେହି ଆଜ୍ଞା ଦିଆଗଲା।
15ଆଉ ମର୍ଦ୍ଦଖୟ ନୀଳ ଓ ଶ୍ଵେତବର୍ଣ୍ଣ ରାଜକୀୟ ବସ୍ତ୍ର ପରିଧାନ କରି, ଏକ ବୃହତ୍ ସୁବର୍ଣ୍ଣ ମୁକୁଟ ଓ ସୂକ୍ଷ୍ମ କ୍ଷୌମବସ୍ତ୍ର ଓ ବାଇଗଣୀ ବର୍ଣ୍ଣ ଉତ୍ତରୀୟ ଧାରଣ କରି ରାଜାଙ୍କ ସମ୍ମୁଖରୁ ବାହାରିଗଲେ। ତହିଁରେ ଶୂଶନ୍ ନଗର ଜୟଧ୍ଵନି କରି ଆନନ୍ଦିତ ହେଲା। 16ଯିହୁଦୀମାନଙ୍କର ଦୀପ୍ତି, ଆନନ୍ଦ, ହର୍ଷ ଓ ସମ୍ମାନ ହେଲା। 17ଆଉ ରାଜାଙ୍କ ଆଜ୍ଞା ଓ ନିୟମ ଯେଉଁ ଯେଉଁ ପ୍ରଦେଶ ଓ ନଗରରେ ଉପସ୍ଥିତ ହେଲା, ସେହି ସେହି ସ୍ଥାନରେ ଯିହୁଦୀମାନଙ୍କର ଆନନ୍ଦ ଓ ଉଲ୍ଲାସ, ଭୋଜି ଓ ମଙ୍ଗଳ ଦିନ ହେଲା। ପୁଣି ଦେଶସ୍ଥ ଅନେକ ଗୋଷ୍ଠୀର ଲୋକ ଯିହୁଦୀ ହେଲେ, କାରଣ ଯିହୁଦୀମାନଙ୍କ ବିଷୟକ ଭୟ ସେମାନଙ୍କୁ ଅଧିକାର କଲା।