ସେୟୀର ପ୍ରଦକ୍ଷିଣ
ମୋଶା ଘୂରିବୁଲିବା ବର୍ଷଗୁଡ଼ିକର କଥା ପୁଣି କହନ୍ତି: ଇଦୋମ, ମୋୟାବ ଓ ଅମ୍ମୋନ ନିଷିଦ୍ଧ, କାରଣ ଆମ୍ଭମାନଙ୍କ ପିତା ସେହି ଦେଶସବୁ ଏଷୌ ଓ ଲୋଟଙ୍କ ବଂଶଧରମାନଙ୍କୁ ଦେଇଛନ୍ତି। ଯୁଦ୍ଧ କରିବା ପିଢ଼ି ମରିଯିବା ପର୍ଯ୍ୟନ୍ତ ଅଠତିରିଶ ବର୍ଷ ବିତିଯାଏ। ତାʼପରେ ସୀହୋନ ପଥ ଦେବାକୁ ମନା କରନ୍ତି, ଏବଂ ତାଙ୍କ ରାଜ୍ୟ ଇସ୍ରାଏଲ ପ୍ରକୃତରେ ଅଧିକାର କରିଥିବା ପ୍ରଥମ ଦେଶ ହୁଏ।
2 1ତତ୍ପରେ ଆମ୍ଭମାନଙ୍କ ପିତା ମୋତେ ଯେପରି କହିଥିଲେ, ସେହିପରି ଆମ୍ଭେମାନେ ଫେରି ସୂଫ ସାଗର ବାଟ ଦେଇ ପ୍ରାନ୍ତର ଅଭିମୁଖେ ଯାତ୍ରା କଲୁ, ଆଉ ଅନେକ ଦିନ ପର୍ଯ୍ୟନ୍ତ ସେୟୀର ପର୍ବତ ପ୍ରଦକ୍ଷିଣ କଲୁ।
2ତହିଁ ଉତ୍ତାରେ ଆମ୍ଭମାନଙ୍କ ପିତା ମୋତେ କହିଲେ,
3“ତୁମ୍ଭେମାନେ ଏହି ପର୍ବତମୟ ଦେଶ ଯଥେଷ୍ଟ ପ୍ରଦକ୍ଷିଣ କରିଅଛ। ଏବେ ଉତ୍ତର ଦିଗକୁ ଫେର। 4ପୁଣି ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ତୁମ୍ଭେମାନେ ସେୟୀର ନିବାସୀ ଏଷୌର ସନ୍ତାନଗଣ, ଅର୍ଥାତ୍ ଆପଣା ଭ୍ରାତୃଗଣର ସୀମା ଅତିକ୍ରମ କରିବାକୁ ଯାଉଅଛ; ସେମାନେ ତୁମ୍ଭମାନଙ୍କୁ ଭୟ କରିବେ; ଏଣୁ ତୁମ୍ଭେମାନେ ଅତ୍ୟନ୍ତ ସାବଧାନ ହୁଅ। 5ସେମାନଙ୍କ ସଙ୍ଗେ ବିରୋଧ କର ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦେଶରୁ ଗୋଟିଏ ପାଦ ପରିମାଣ ଭୂମି ହେଁ ଦେବା ନାହିଁ; ଯେହେତୁ ଆମ୍ଭେ ଅଧିକାରାର୍ଥେ ଏଷୌକୁ ସେୟୀର ପର୍ବତ ଦେଇଅଛୁ। 6ତୁମ୍ଭେମାନେ ଭୋଜନ କରିବା ନିମନ୍ତେ ସେମାନଙ୍କଠାରୁ ରୌପ୍ୟ ଦେଇ ଖାଦ୍ୟ କିଣିବ, ଆଉ ପାନ କରିବା ନିମନ୍ତେ ସେମାନଙ୍କଠାରୁ ରୌପ୍ୟ ଦେଇ ଜଳ ହେଁ କିଣିବ।
7କାରଣ ତୁମ୍ଭ ପିତା ତୁମ୍ଭ ହସ୍ତକୃତ ସମସ୍ତ କାର୍ଯ୍ୟରେ ତୁମ୍ଭକୁ ଆଶୀର୍ବାଦ କରିଅଛନ୍ତି; ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତର ଦେଇ ତୁମ୍ଭର ଯାତ୍ରା ଜାଣିଅଛନ୍ତି; ଏହି ଚାଳିଶ ବର୍ଷ ତୁମ୍ଭ ପିତା ତୁମ୍ଭ ସଙ୍ଗରେ ଅଛନ୍ତି; ତୁମ୍ଭର କୌଣସି ଅଭାବ ହୋଇ ନାହିଁ।”
8ତେଣୁ ଆମ୍ଭେମାନେ ସେୟୀର ନିବାସୀ ଆପଣା ଭ୍ରାତୃଗଣ ଏଷୌର ସନ୍ତାନଗଣ ନିକଟ ଦେଇ, ଏଲତ୍ ଓ ଇତ୍ସିୟୋନ୍-ଗେବରରୁ ଉଠିଯିବା ଅରାବା ପଥ ଛାଡ଼ି ଆଗକୁ ଗଲୁ। ତହିଁ ଉତ୍ତାରେ ଆମ୍ଭେମାନେ ଫେରି ମୋୟାବ ପ୍ରାନ୍ତର ଅଭିମୁଖେ ଅଗ୍ରସର ହେଲୁ।
9ସେତେବେଳେ ଆମ୍ଭମାନଙ୍କ ପିତା ମୋତେ କହିଲେ, “ତୁମ୍ଭେମାନେ ମୋୟାବକୁ କ୍ଲେଶ ଦିଅ ନାହିଁ, କିଅବା ଯୁଦ୍ଧ କରିବା ନିମନ୍ତେ ସେମାନଙ୍କ ସଙ୍ଗେ ବିରୋଧ କର ନାହିଁ; କାରଣ ଆମ୍ଭେ ଅଧିକାରାର୍ଥେ ତୁମ୍ଭମାନଙ୍କୁ ସେମାନଙ୍କ ଦେଶରୁ କିଛି ଦେବା ନାହିଁ; ଯେହେତୁ ଆମ୍ଭେ ଅଧିକାରାର୍ଥେ ଲୋଟର ସନ୍ତାନଗଣକୁ ଆର୍ ଦେଇଅଛୁ।”
10(ପୂର୍ବେ ଏମୀୟମାନେ ସେହି ସ୍ଥାନରେ ବାସ କରୁଥିଲେ; ସେମାନେ ଅନାକୀୟମାନଙ୍କ ପରି ବୃହତ୍ ଓ ବହୁସଂଖ୍ୟକ ଓ ଉଚ୍ଚ ଥିଲେ। 11ଅନାକୀୟମାନଙ୍କ ପରି ସେମାନେ ମଧ୍ୟ ରଫାୟୀୟ ବୋଲି ଗଣିତ ହୁଅନ୍ତି; ମାତ୍ର ମୋୟାବୀୟମାନେ ସେମାନଙ୍କୁ ଏମୀୟ ବୋଲି ଡାକନ୍ତି। 12ପୂର୍ବେ ହୋରୀୟମାନେ ମଧ୍ୟ ସେୟୀରରେ ବାସ କରୁଥିଲେ; ମାତ୍ର ଏଷୌର ସନ୍ତାନଗଣ ସେମାନଙ୍କୁ ତଡ଼ିଦେଇ ବିନାଶ କଲେ, ଆଉ ସେମାନଙ୍କ ସ୍ଥାନରେ ବାସ କଲେ; ଯେପରି ଇସ୍ରାଏଲ, ଆମ୍ଭମାନଙ୍କ ପିତା ସେମାନଙ୍କୁ ଦେଇଥିବା ଅଧିକାର-ଦେଶରେ କଲେ।)
13“ଏବେ ଉଠି ସେରଦ୍ ନଦୀ ପାର ହୁଅ।” ତହିଁରେ ଆମ୍ଭେମାନେ ସେରଦ୍ ନଦୀ ପାର ହେଲୁ।
14ଆମ୍ଭମାନଙ୍କ ପିତା ସେମାନଙ୍କ ବିଷୟରେ ଯେରୂପ ଶପଥ କରିଥିଲେ, ତଦନୁସାରେ ଯୁଦ୍ଧକ୍ଷମ ଲୋକମାନଙ୍କର ସମୁଦାୟ ବଂଶ ଛାଉଣିରୁ ଲୋପ ନ ହେବା ପର୍ଯ୍ୟନ୍ତ, କାଦେଶ-ବର୍ଣ୍ଣେୟରୁ ବାହାରି ସେରଦ୍ ନଦୀ ପାର ହେବା ପର୍ଯ୍ୟନ୍ତ ଅଠତିରିଶ ବର୍ଷ ଗତ ହେଲା। 15ଆହୁରି ମଧ୍ୟ ସେମାନେ ଲୁପ୍ତ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଛାଉଣିରୁ ଉଚ୍ଛିନ୍ନ କରିବା ନିମନ୍ତେ ଆମ୍ଭମାନଙ୍କ ପିତାଙ୍କ ହସ୍ତ ସେମାନଙ୍କ ବିରୁଦ୍ଧରେ ଥିଲା। 16ଏହିରୂପେ ସମସ୍ତ ଯୁଦ୍ଧକ୍ଷମ ଲୋକ ଲୋକମାନଙ୍କ ମଧ୍ୟରୁ ଲୁପ୍ତ ଓ ମୃତ ହୁଅନ୍ତେ, 17ଆମ୍ଭମାନଙ୍କ ପିତା ମୋତେ କହିଲେ,
18“ତୁମ୍ଭେ ଆଜି ଆର୍ ନିକଟ ଦେଇ ମୋୟାବର ସୀମା ଅତିକ୍ରମ କରିବ। 19ପୁଣି ଯେତେବେଳେ ତୁମ୍ଭେ ଅମ୍ମୋନ-ସନ୍ତାନଗଣର ସମ୍ମୁଖବର୍ତ୍ତୀ ହେବ, ସେତେବେଳେ ସେମାନଙ୍କୁ କ୍ଲେଶ ଦିଅ ନାହିଁ, କିଅବା ସେମାନଙ୍କ ସଙ୍ଗେ ବିରୋଧ କର ନାହିଁ; କାରଣ ଆମ୍ଭେ ଅଧିକାରାର୍ଥେ ତୁମ୍ଭକୁ ଅମ୍ମୋନ-ସନ୍ତାନଗଣର ଦେଶରୁ କିଛି ଦେବା ନାହିଁ; ଯେହେତୁ ଆମ୍ଭେ ଅଧିକାରାର୍ଥେ ତାହା ଲୋଟର ସନ୍ତାନଗଣକୁ ଦେଇଅଛୁ।”
20(ତାହା ହେଁ ରଫାୟୀୟମାନଙ୍କ ଦେଶ ବୋଲି ଗଣିତ ହୁଏ; ପୂର୍ବେ ରଫାୟୀୟମାନେ ସେଠାରେ ବାସ କରୁଥିଲେ; ମାତ୍ର ଅମ୍ମୋନୀୟମାନେ ସେମାନଙ୍କୁ ସମ୍ସୁମ୍ମୀୟ ବୋଲି ଡାକନ୍ତି; 21ସେମାନେ ଅନାକୀୟମାନଙ୍କ ପରି ବୃହତ୍ ଓ ବହୁସଂଖ୍ୟକ ଓ ଉଚ୍ଚ ଲୋକ ଥିଲେ; ମାତ୍ର ଆମ୍ଭମାନଙ୍କ ପିତା ସେମାନଙ୍କ ସମ୍ମୁଖରେ ସେମାନଙ୍କୁ ବିନାଶ କଲେ; ତହିଁରେ ସେମାନେ ସେମାନଙ୍କୁ ତଡ଼ିଦେଇ ସେମାନଙ୍କ ସ୍ଥାନରେ ବାସ କଲେ; 22ଯେପରି ସେ ସେୟୀର ନିବାସୀ ଏଷୌର ସନ୍ତାନଗଣ ନିମନ୍ତେ କରିଥିଲେ; ଅର୍ଥାତ୍, ସେ ସେମାନଙ୍କ ସମ୍ମୁଖରେ ହୋରୀୟମାନଙ୍କୁ ବିନାଶ କଲେ; ତହିଁରେ ସେମାନେ ସେମାନଙ୍କୁ ତଡ଼ିଦେଇ ଆଜି ପର୍ଯ୍ୟନ୍ତ ସେମାନଙ୍କ ସ୍ଥାନରେ ବାସ କରିଅଛନ୍ତି। 23ପୁଣି ଘସା ପର୍ଯ୍ୟନ୍ତ ଗ୍ରାମମାନଙ୍କରେ ବାସ କରୁଥିବା ଅଵ୍ଵୀୟମାନଙ୍କୁ କଫ୍ତୋରରୁ ଆଗତ କଫ୍ତୋରୀୟମାନେ ବିନାଶ କରି ସେମାନଙ୍କ ସ୍ଥାନରେ ବାସ କଲେ।) a a v23 କଫ୍ତୋର କ୍ରୀତୀ ଓ ତତ୍ ପାର୍ଶ୍ୱବର୍ତ୍ତୀ ଏଜୀୟ ଅଞ୍ଚଳର ପ୍ରାଚୀନ ନାମ; କଫ୍ତୋରୀୟମାନେ ଜଣେ ସମୁଦ୍ରଯାତ୍ରୀ ଜାତି ଥିଲେ, ଯେଉଁମାନେ ଘସା ନିକଟସ୍ଥ ଉପକୂଳରେ ବାସ କଲେ।
24“ତୁମ୍ଭେମାନେ ଉଠ, ଯାତ୍ରା କରି ଅର୍ଣ୍ଣୋନ ନଦୀ ପାର ହୁଅ; ଦେଖ, ଆମ୍ଭେ ତୁମ୍ଭ ହସ୍ତରେ ହିଷ୍ବୋନର ରାଜା ସୀହୋନ ଅମୋରୀୟକୁ ଓ ତାହାର ଦେଶ ସମର୍ପଣ କରିଅଛୁ; ଅଧିକାର କରିବାକୁ ଆରମ୍ଭ କର, ପୁଣି ତାହା ସଙ୍ଗେ ଯୁଦ୍ଧ କର। 25ଆମ୍ଭେ ଆଜି ଆକାଶମଣ୍ଡଳ ତଳେ ଥିବା ସମସ୍ତ ଗୋଷ୍ଠୀ ଉପରେ ତୁମ୍ଭ ବିଷୟକ ଆଶଙ୍କା ଓ ଭୟ ଜନ୍ମାଇବାକୁ ଆରମ୍ଭ କରିବା; ସେମାନେ ତୁମ୍ଭର ସମାଚାର ଶୁଣି କମ୍ପିତ ହେବେ ଓ ତୁମ୍ଭ ସକାଶୁ ଯନ୍ତ୍ରଣାରେ ବ୍ୟଥିତ ହେବେ।”
ମୋଶା ସୀହୋନଙ୍କୁ ଶାନ୍ତିର ପ୍ରସ୍ତାବ ଦେଲେ
26ଏଣୁ ମୁଁ କାଦେମୋତ୍ ପ୍ରାନ୍ତରରୁ ହିଷ୍ବୋନର ରାଜା ସୀହୋନ ନିକଟକୁ ଏହି ଶାନ୍ତିବାକ୍ୟ କହି ଦୂତମାନଙ୍କୁ ପ୍ରେରଣ କଲି, 27“ମୋତେ ତୁମ୍ଭ ଦେଶ ମଧ୍ୟ ଦେଇ ଯିବାକୁ ଦିଅ; ମୁଁ କେବଳ ରାଜପଥରେ ଯିବି, ଦକ୍ଷିଣ କି ବାମ ଦିଗକୁ ଫେରିବି ନାହିଁ। 28ତୁମ୍ଭେ ରୌପ୍ୟ ଦେଇ ମୋତେ ଭୋଜନ ନିମନ୍ତେ ଖାଦ୍ୟ ବିକ୍ରୟ କରିବ, ପୁଣି ରୌପ୍ୟ ଦେଇ ମୋତେ ପାନ କରିବା ନିମନ୍ତେ ଜଳ ଦେବ; ମୁଁ କେବଳ ପଦଯାତ୍ରାରେ ପାର ହୋଇଯିବି, 29ଯେପରି ସେୟୀର ନିବାସୀ ଏଷୌର ସନ୍ତାନଗଣ ଓ ଆର୍ ନିବାସୀ ମୋୟାବୀୟମାନେ ମୋʼ ପ୍ରତି କଲେ; ଶେଷରେ ମୁଁ ଯର୍ଦ୍ଦନ ପାର ହୋଇ ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କୁ ଦେଉଥିବା ଦେଶରେ ଉପସ୍ଥିତ ହେବି।” 30ମାତ୍ର ହିଷ୍ବୋନର ରାଜା ସୀହୋନ ଆମ୍ଭମାନଙ୍କୁ ଆପଣା ନିକଟ ଦେଇ ଯିବାକୁ ଦେବା ପାଇଁ ସମ୍ମତ ହେଲା ନାହିଁ; କାରଣ ଆମ୍ଭମାନଙ୍କ ପିତା, ଆଜିକାର ପରି ତାହାକୁ ତୁମ୍ଭ ହସ୍ତରେ ସମର୍ପଣ କରିବା ନିମନ୍ତେ, ତାହାର ଆତ୍ମାକୁ କଠିନ ଓ ତାହାର ହୃଦୟକୁ ଅବାଧ୍ୟ କଲେ।
31ତହୁଁ ଆମ୍ଭମାନଙ୍କ ପିତା ମୋତେ କହିଲେ, “ଦେଖ, ଆମ୍ଭେ ତୁମ୍ଭ ସମ୍ମୁଖରେ ସୀହୋନକୁ ଓ ତାହାର ଦେଶକୁ ସମର୍ପଣ କରିବାକୁ ଆରମ୍ଭ କରିଅଛୁ; ତୁମ୍ଭେ ତାହାର ଦେଶ ଅଧିକାର କରିବା ନିମନ୍ତେ ତାହା ଅଧିକାର କରିବାକୁ ଆରମ୍ଭ କର।”
32ତେବେ ସୀହୋନ ଓ ତାହାର ସମସ୍ତ ଲୋକ ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ବାହାରି ଯହସ୍କୁ ଆସିଲେ। 33ତହିଁରେ ଆମ୍ଭମାନଙ୍କ ପିତା ତାହାକୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ; ତହୁଁ ଆମ୍ଭେମାନେ ତାହାକୁ ଓ ତାହାର ପୁତ୍ରଗଣଙ୍କୁ ଓ ତାହାର ସମସ୍ତ ଲୋକଙ୍କୁ ଆଘାତ କଲୁ। 34ପୁଣି ସେହି ସମୟରେ ଆମ୍ଭେମାନେ ତାହାର ସମସ୍ତ ନଗର ହସ୍ତଗତ କରି ପ୍ରତ୍ୟେକ ନଗରର ପୁରୁଷ, ସ୍ତ୍ରୀ ଓ ବାଳକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲୁ; କାହାକୁ ଅବଶିଷ୍ଟ ରଖିଲୁ ନାହିଁ। 35କେବଳ ପଶୁଗଣ ଓ ହସ୍ତଗତ ନଗରସମୂହର ଲୁଟଦ୍ରବ୍ୟ ଆମ୍ଭେମାନେ ଆପଣାମାନଙ୍କ ପାଇଁ ନେଲୁ। 36ଅର୍ଣ୍ଣୋନ ନଦୀ ତୀରସ୍ଥ ଅରୋୟେର ଓ ତତ୍ ଉପତ୍ୟକାସ୍ଥିତ ନଗରଠାରୁ ଗିଲୀୟଦ ପର୍ଯ୍ୟନ୍ତ କୌଣସି ନଗର ଆମ୍ଭମାନଙ୍କ ପ୍ରତି ଦୁର୍ଗମ ହେଲା ନାହିଁ; ଆମ୍ଭମାନଙ୍କ ପିତା ସେସବୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ। 37ମାତ୍ର ତୁମ୍ଭେ ଅମ୍ମୋନ-ସନ୍ତାନଗଣର ଦେଶ, ଅର୍ଥାତ୍ ଯବ୍ବୋକ୍ ନଦୀର ସମସ୍ତ ତୀର ଓ ପର୍ବତମୟ ଦେଶସ୍ଥିତ ନଗରସମୂହ, ପୁଣି ଆମ୍ଭମାନଙ୍କ ପିତା ଯାହା ନିଷେଧ କରିଥିଲେ, ତାହା ନିକଟକୁ ଗଲ ନାହିଁ।