ଓଗ୍ ଯୁଦ୍ଧ କରିବାକୁ ବାହାରି ଆସିଲା
ସୀହୋନଙ୍କ ପରି ବାଶନର ଓଗ୍ ଓ ତାଙ୍କର ଷାଠିଏ ପ୍ରାଚୀରବେଷ୍ଟିତ ନଗରର ପତନ ହୁଏ, ଏବଂ ଆମ୍ଭମାନଙ୍କ ପିତା ଦେଇଥିବା ଦେଶ ରୁବେନ, ଗାଦ ଓ ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ବିଭକ୍ତ ହୁଏ, ଯାହାଙ୍କ ଯୋଦ୍ଧାମାନେ ତଥାପି ସେମାନଙ୍କ ଭାଇମାନଙ୍କ ଆଗରେ ସଶସ୍ତ୍ର ହୋଇ ପାର ହେବେ। ମୋଶା ଦେଶଟି ଦେଖିବାକୁ ନିବେଦନ କରନ୍ତି ଏବଂ ତାଙ୍କୁ ପିସ୍ଗା ଉପରକୁ ପଠାଯାଏ।
3 1ଏଥିଉତ୍ତାରେ ଆମ୍ଭେମାନେ ଫେରି ବାଶନ ଆଡ଼େ ଯାତ୍ରା କଲୁ, ଆଉ ବାଶନର ରାଜା ଓଗ୍ ଆପଣାର ସମସ୍ତ ଲୋକଙ୍କ ସହିତ ଇଦ୍ରିୟୀରେ ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଆସିଲା।
2ସେତେବେଳେ ଆମ୍ଭମାନଙ୍କ ପିତା ମୋତେ କହିଲେ, “ତାହାକୁ ଭୟ କର ନାହିଁ, କାରଣ ଆମ୍ଭେ ତାହାକୁ, ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ହିଷ୍ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନ ପ୍ରତି ଯେପରି କରିଥିଲ, ତାହା ପ୍ରତି ସେପରି କର।”
3ଏହିରୂପେ ଆମ୍ଭମାନଙ୍କ ପିତା ବାଶନର ରାଜା ଓଗ୍କୁ ଓ ତାହାର ସମସ୍ତ ଲୋକଙ୍କୁ ମଧ୍ୟ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ, ଆଉ ଆମ୍ଭେମାନେ ସେମାନଙ୍କୁ ଏପରି ଆଘାତ କଲୁ ଯେ କେହି ଅବଶିଷ୍ଟ ରହିଲା ନାହିଁ। 4ସେହି ସମୟରେ ଆମ୍ଭେମାନେ ତାହାର ସମସ୍ତ ନଗର ଅଧିକାର କଲୁ — ଅର୍ଗୋବର ସମୁଦାୟ ଅଞ୍ଚଳ, ବାଶନସ୍ଥ ଓଗ୍ର ରାଜ୍ୟ, ସର୍ବସୁଦ୍ଧା ଷାଠିଏ ନଗର, କୌଣସି ନଗର ଅନଧିକୃତ ରହିଲା ନାହିଁ। 5ଏହି ସମସ୍ତ ନଗର ଉଚ୍ଚ ପ୍ରାଚୀର, ଦ୍ଵାର ଓ ଅର୍ଗଳରେ ସୁଦୃଢ଼ ଥିଲା, ଏତଦ୍ବ୍ୟତୀତ ଅପ୍ରାଚୀର ଗ୍ରାମ ଅନେକ ଥିଲା। 6ହିଷ୍ବୋନର ରାଜା ସୀହୋନ ପ୍ରତି ଯେପରି କରିଥିଲୁ, ସେପରି ଆମ୍ଭେମାନେ ସେମାନଙ୍କୁ ସମ୍ପୂର୍ଣ୍ଣ ବିନାଶ କଲୁ, ପ୍ରତ୍ୟେକ ନଗରର ପୁରୁଷ, ସ୍ତ୍ରୀ ଓ ବାଳକବାଳିକାଙ୍କୁ ସମ୍ପୂର୍ଣ୍ଣ ବିନାଶ କଲୁ। 7ମାତ୍ର ସମସ୍ତ ପଶୁ ଓ ନଗରସମୂହର ଲୁଟ ଦ୍ରବ୍ୟ ଆମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଅଧିକାର କଲୁ। 8ଏହିରୂପେ ସେହି ସମୟରେ ଆମ୍ଭେମାନେ ଯର୍ଦନ ନଦୀର ପୂର୍ବ ପାରିସ୍ଥିତ ଇମୋରୀୟମାନଙ୍କ ଏହି ଦୁଇ ରାଜାଙ୍କ ହସ୍ତରୁ ଅର୍ଣୋନ ଉପତ୍ୟକାଠାରୁ ହର୍ମୋନ ପର୍ବତ ପର୍ଯ୍ୟନ୍ତ ଦେଶ ଅଧିକାର କଲୁ 9(ସୀଦୋନୀୟମାନେ ହର୍ମୋନକୁ ସିରୀୟୋନ ବୋଲି କହନ୍ତି, ପୁଣି ଇମୋରୀୟମାନେ ତାହାକୁ ସନୀର ବୋଲି କହନ୍ତି), 10ସମଭୂମିସ୍ଥ ସମସ୍ତ ନଗର, ସମୁଦାୟ ଗିଲୀୟଦ, ସଲ୍ଖା ଓ ଇଦ୍ରିୟୀ ପର୍ଯ୍ୟନ୍ତ ସମୁଦାୟ ବାଶନ — ବାଶନସ୍ଥ ଓଗ୍ର ରାଜ୍ୟର ନଗରସମୂହ। 11(କେବଳ ବାଶନର ରାଜା ଓଗ୍ ହିଁ ରଫାୟୀୟମାନଙ୍କ ଅବଶିଷ୍ଟାଂଶ ମଧ୍ୟରୁ ବଞ୍ଚିଥିଲା। ତାହାର ଶଯ୍ୟା ଲୌହମୟ ଶଯ୍ୟା ଥିଲା; ତାହା କʼଣ ଅମ୍ମୋନ-ସନ୍ତାନମାନଙ୍କ ରବ୍ବାରେ ନାହିଁ? ତାହା ଲମ୍ବରେ ପ୍ରାୟ ସାଢ଼େ ତେର ଫୁଟ ଓ ପ୍ରସ୍ଥରେ ଛଅ ଫୁଟ ଥିଲା।)। a a v11 ରଫାୟୀୟମାନେ ବିରାଟକାୟ ଯୋଦ୍ଧାମାନଙ୍କର ଏକ କିମ୍ବଦନ୍ତୀ-ଜାତି ଥିଲେ, ଯେଉଁମାନେ ଏକଦା କିଣାନ ଦେଶରେ ବାସ କରୁଥିଲେ।
ଯର୍ଦନ ନଦୀର ପୂର୍ବ ଦେଶ ବିଭକ୍ତ
12ସେହି ସମୟରେ ଆମ୍ଭେମାନେ ଏହି ଦେଶ ଅଧିକାର କଲୁ: ଅର୍ଣୋନ ଉପତ୍ୟକାର ପ୍ରାନ୍ତସ୍ଥିତ ଅରୋୟେର ନଗରଠାରୁ ଆରମ୍ଭ କରି ଗିଲୀୟଦ ପର୍ବତମୟ ଦେଶର ଅର୍ଦ୍ଧେକ ଓ ତହିଁର ନଗରସମୂହ ମୁଁ ରୂବେନୀୟ ଓ ଗାଦୀୟମାନଙ୍କୁ ଦେଲି। 13ଗିଲୀୟଦର ଅବଶିଷ୍ଟ ଭାଗ ଓ ସମୁଦାୟ ବାଶନ — ଓଗ୍ର ରାଜ୍ୟ — ଅର୍ଥାତ୍ ଅର୍ଗୋବର ସମୁଦାୟ ଅଞ୍ଚଳ ମୁଁ ମନଃଶିର ଅର୍ଦ୍ଧ ବଂଶକୁ ଦେଲି। (ବାଶନର ସେହି ସମୁଦାୟ ଭାଗ ରଫାୟୀୟମାନଙ୍କ ଦେଶ ବୋଲି ଖ୍ୟାତ ଥିଲା। 14ମନଃଶିର ପୁତ୍ର ଯାୟୀର ଗଶୂରୀୟ ଓ ମାଖାଥୀୟମାନଙ୍କ ସୀମା ପର୍ଯ୍ୟନ୍ତ ଅର୍ଗୋବର ସମୁଦାୟ ଅଞ୍ଚଳ ଅଧିକାର କଲା, ପୁଣି ବାଶନକୁ ଆପଣା ନାମାନୁସାରେ ହବ୍ବୋତ୍-ଯାୟୀର ବୋଲି ନାମ ଦେଲା, ତାହା ଆଜି ପର୍ଯ୍ୟନ୍ତ ଅଛି।)। 15ଆଉ ମୁଁ ମାଖୀରକୁ ଗିଲୀୟଦ ଦେଲି। 16ପୁଣି ରୂବେନୀୟ ଓ ଗାଦୀୟମାନଙ୍କୁ ମୁଁ ଗିଲୀୟଦଠାରୁ ଅର୍ଣୋନ ଉପତ୍ୟକା ପର୍ଯ୍ୟନ୍ତ — ଉପତ୍ୟକାର ମଧ୍ୟଭାଗ ସୀମା ସ୍ଵରୂପ — ଅମ୍ମୋନ-ସନ୍ତାନମାନଙ୍କ ସୀମା ଯବ୍ବୋକ ନଦୀ ପର୍ଯ୍ୟନ୍ତ ଦେଲି। 17ଆହୁରି ଅରାବା ପ୍ରାନ୍ତର, ତହିଁର ସୀମା ସ୍ଵରୂପ ଯର୍ଦନ ନଦୀ, କିନ୍ନେରତଠାରୁ ପିସ୍ଗାର ଅଧଃସ୍ଥିତ ଉପତ୍ୟକାର ପୂର୍ବ ଦିଗରେ ଅରାବାର ସମୁଦ୍ର (ଅର୍ଥାତ୍ ଲବଣ ସମୁଦ୍ର) ପର୍ଯ୍ୟନ୍ତ ଦେଲି।
18ସେହି ସମୟରେ ମୁଁ ତୁମ୍ଭମାନଙ୍କୁ ଆଜ୍ଞା ଦେଇ କହିଲି, “ତୁମ୍ଭମାନଙ୍କ ପିତା ଅଧିକାର କରିବା ନିମନ୍ତେ ଏହି ଦେଶ ତୁମ୍ଭମାନଙ୍କୁ ଦେଇଅଛନ୍ତି; ତୁମ୍ଭମାନଙ୍କ ସମସ୍ତ ଯୋଦ୍ଧା ଆପଣା ଭ୍ରାତୃଗଣ ଇସ୍ରାଏଲ-ସନ୍ତାନମାନଙ୍କ ଆଗେ ସସଜ୍ଜ ହୋଇ ପାର ହୋଇ ଯିବେ। 19କେବଳ ତୁମ୍ଭମାନଙ୍କ ସ୍ତ୍ରୀ, ବାଳକବାଳିକା ଓ ପଶୁ — ମୁଁ ଜାଣେ ତୁମ୍ଭମାନଙ୍କର ଅନେକ ପଶୁ ଅଛି — ମୁଁ ତୁମ୍ଭମାନଙ୍କୁ ଯେଉଁ ନଗରସମୂହ ଦେଇଅଛି, ସେଥିରେ ରହିବେ, 20ଆମ୍ଭମାନଙ୍କ ପିତା ଯେପରି ତୁମ୍ଭମାନଙ୍କୁ, ସେପରି ତୁମ୍ଭମାନଙ୍କ ଭ୍ରାତୃଗଣଙ୍କୁ ବିଶ୍ରାମ ନ ଦେବା ପର୍ଯ୍ୟନ୍ତ, ପୁଣି ତୁମ୍ଭମାନଙ୍କ ପିତା ଯର୍ଦନ ନଦୀର ପରପାରିରେ ସେମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ତାହା ସେମାନେ ମଧ୍ୟ ଅଧିକାର ନ କରିବା ପର୍ଯ୍ୟନ୍ତ ସେଥିରେ ରହିବେ। ତହିଁ ଉତ୍ତାରେ ମୁଁ ତୁମ୍ଭମାନଙ୍କ ପ୍ରତ୍ୟେକଙ୍କୁ ଯେଉଁ ଅଧିକାର ଦେଇଅଛି, ସେଠାକୁ ତୁମ୍ଭେମାନେ ଫେରିଯିବ।”
21ସେହି ସମୟରେ ମୁଁ ଯିହୋଶୂୟଙ୍କୁ ଆଜ୍ଞା ଦେଇ କହିଲି, “ତୁମ୍ଭମାନଙ୍କ ପିତା ଏହି ଦୁଇ ରାଜା ପ୍ରତି ଯାହା ଯାହା କଲେ, ତାହାସବୁ ତୁମ୍ଭର ନିଜ ଚକ୍ଷୁ ଦେଖିଅଛି; ତୁମ୍ଭେ ଯେଉଁ ସମସ୍ତ ରାଜ୍ୟକୁ ପାର ହୋଇ ଯାଉଅଛ, ତୁମ୍ଭମାନଙ୍କ ପିତା ସେହି ସମସ୍ତ ପ୍ରତି ସେପରି କରିବେ।
ଭୟ କର ନାହିଁ — ସେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରନ୍ତି
22ସେମାନଙ୍କୁ ଭୟ କର ନାହିଁ, କାରଣ ତୁମ୍ଭମାନଙ୍କ ପିତା ସ୍ଵୟଂ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରନ୍ତି।”
23ସେହି ସମୟରେ ମୁଁ ଆମ୍ଭମାନଙ୍କ ପିତାଙ୍କ ନିକଟରେ ନିବେଦନ କରି କହିଲି, 24“ହେ ମୋହର ସର୍ବାଧିପତି ପିତା, ତୁମ୍ଭେ ଆପଣା ଦାସ ନିକଟରେ ଆପଣାର ମହିମା ଓ ବଳବାନ ହସ୍ତ ଦେଖାଇବାକୁ ଆରମ୍ଭ କରିଅଛ। ତୁମ୍ଭ କ୍ରିୟା ଓ ପରାକ୍ରମ ତୁଲ୍ୟ କର୍ମ କରିବାକୁ ସ୍ଵର୍ଗ କି ପୃଥିବୀରେ ଏପରି କେଉଁ ଦେବତା ଅଛି? 25ବିନୟ କରୁଅଛି, ମୋତେ ପାର ହୋଇଯାଇ ଯର୍ଦନ ନଦୀର ପରପାରିସ୍ଥିତ ସେହି ଉତ୍ତମ ଦେଶ, ଏହି ଉତ୍ତମ ପର୍ବତମୟ ଦେଶ ଓ ଲିବାନୋନ ଦେଖିବାକୁ ଦିଅ।”
26ମାତ୍ର ତୁମ୍ଭମାନଙ୍କ ସକାଶୁ ଆମ୍ଭମାନଙ୍କ ପିତା ମୋʼ ପ୍ରତି କ୍ରୁଦ୍ଧ ହୋଇଥିଲେ ଓ ମୋʼ କଥା ଶୁଣିଲେ ନାହିଁ; ଆମ୍ଭମାନଙ୍କ ପିତା ମୋତେ କହିଲେ, “ବସ୍! ଏ ବିଷୟରେ ଆଉ ଆମ୍ଭକୁ କିଛି କୁହ ନାହିଁ। 27ତୁମ୍ଭେ ପିସ୍ଗାର ଶିଖର ଉପରକୁ ଚଢ଼ି ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ପୂର୍ବ ଆଡ଼େ ଆପଣା ଚକ୍ଷୁ ଉଠାଇ ନିଜ ଚକ୍ଷୁରେ ଦେଖ, କାରଣ ତୁମ୍ଭେ ଏହି ଯର୍ଦନ ନଦୀ ପାର ହୋଇଯିବ ନାହିଁ। 28ମାତ୍ର ତୁମ୍ଭେ ଯିହୋଶୂୟଙ୍କୁ ଆଜ୍ଞା ଦିଅ, ତାହାଙ୍କୁ ସାହସ ଓ ବଳ ଦିଅ, କାରଣ ସେ ଏହି ଲୋକମାନଙ୍କ ଆଗେ ପାର ହୋଇ ଯିବେ, ପୁଣି ତୁମ୍ଭେ ଯେଉଁ ଦେଶ ଦେଖିବ, ତାହା ସେମାନଙ୍କ ଅଧିକାର ସ୍ଵରୂପ ସେମାନଙ୍କୁ ଦେବେ।”
29ଏହିରୂପେ ଆମ୍ଭେମାନେ ବେଥ୍-ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ରହିଲୁ।