ଇସ୍ରାଏଲ ଶାମୁୟେଲଙ୍କ ନିମନ୍ତେ ବିଳାପ କରନ୍ତି
ଦାଉଦଙ୍କ ଲୋକମାନେ ନାବଲର ମେଷପାଳକମାନଙ୍କୁ ରକ୍ଷା କରିଥିବା ପରେ ନାବଲ ସେମାନଙ୍କୁ ଅପମାନ କରେ, ଏବଂ ଦାଉଦ ଘରର ପ୍ରତ୍ୟେକ ପୁରୁଷକୁ ମାରିବା ପାଇଁ ଖଡ୍ଗ ବାନ୍ଧନ୍ତି। ଅବୀଗଲ ଖାଦ୍ୟ ନେଇ ବାହାରି ଆସନ୍ତି ଓ ତାଙ୍କୁ ଶାନ୍ତ କରନ୍ତି: ସିଂହାସନ ଆଡ଼କୁ ଯିବା ପଥରେ ଆମ୍ଭମାନଙ୍କ ପିତା ତାଙ୍କୁ ରକ୍ତପାତର ଦୋଷରୁ ରକ୍ଷା କରୁଛନ୍ତି। ନାବଲ ମରେ।
25 1ଶାମୁୟେଲ ମଲେ, ଆଉ ସମସ୍ତ ଇସ୍ରାଏଲ ଏକତ୍ର ହୋଇ ତାହାଙ୍କ ନିମନ୍ତେ ବିଳାପ କଲେ ଓ ରାମାସ୍ଥିତ ତାହାଙ୍କ ଗୃହରେ ତାହାଙ୍କୁ କବର ଦେଲେ। ତତ୍ପରେ ଦାଉଦ ଉଠି ପାରଣ ପ୍ରାନ୍ତରକୁ ଓହ୍ଲାଇ ଗଲେ।
2ମାୟୋନରେ ଜଣେ ଲୋକ ଥିଲା, ତାହାର ସମ୍ପତ୍ତି କର୍ମିଲରେ ଥିଲା। ସେ ଅତି ଧନବାନ ଥିଲା; ତାହାର ତିନି ହଜାର ମେଷ ଓ ଏକ ହଜାର ଛେଳି ଥିଲା। ସେ କର୍ମିଲରେ ଆପଣା ମେଷର ଲୋମ କାଟୁଥିଲା। 3ସେହି ଲୋକର ନାମ ନାବଲ ଓ ତାହାର ଭାର୍ଯ୍ୟାର ନାମ ଅବୀଗଲ ଥିଲା। ସେହି ସ୍ତ୍ରୀ ସୁବୁଦ୍ଧି ଓ ସୁନ୍ଦରୀ ଥିଲା, ମାତ୍ର ସେହି ଲୋକ ଆପଣା ବ୍ୟବହାରରେ କଠୋର ଓ ନିଷ୍ଠୁର ଥିଲା; ସେ କାଲେବ ବଂଶୀୟ ଥିଲା। 4ଦାଉଦ ପ୍ରାନ୍ତରରେ ଥିବା ସମୟରେ ନାବଲ ଆପଣା ମେଷର ଲୋମ କାଟୁଅଛି ବୋଲି ଶୁଣିଲେ। 5ତହିଁରେ ଦାଉଦ ଦଶ ଜଣ ଯୁବାଲୋକ ପଠାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ କର୍ମିଲକୁ ଯାଅ, ଆଉ ନାବଲ ନିକଟକୁ ଯାଇ ମୋʼ ନାମରେ ତାହାକୁ ନମସ୍କାର କର। 6ପୁଣି ତାହାକୁ କୁହ, ‘ତୁମ୍ଭର ଦୀର୍ଘ ଜୀବନ ହେଉ। ତୁମ୍ଭର ଶାନ୍ତି ହେଉ, ତୁମ୍ଭ ପରିବାରର ଶାନ୍ତି ହେଉ ଓ ତୁମ୍ଭର ସର୍ବସ୍ଵର ଶାନ୍ତି ହେଉ।’ 7ମୁଁ ଶୁଣିଲି ତୁମ୍ଭର ଲୋମ କାଟିବା ଲୋକମାନେ ଅଛନ୍ତି। ତୁମ୍ଭର ମେଷପାଳକମାନେ ଆମ୍ଭମାନଙ୍କ ସଙ୍ଗରେ ଥିଲେ; ଆମ୍ଭେମାନେ ସେମାନଙ୍କର କୌଣସି ବିଷୟରେ ଅନିଷ୍ଟ କରି ନାହୁଁ, ଆଉ କର୍ମିଲରେ ଥିବା ସମସ୍ତ ସମୟରେ ସେମାନଙ୍କର କିଛି ହିଁ ହଜି ନାହିଁ। 8ତୁମ୍ଭର ଯୁବାଲୋକମାନଙ୍କୁ ପଚାର, ସେମାନେ ତୁମ୍ଭକୁ କହିବେ। ଏଣୁ ମୋʼ ଯୁବାଲୋକମାନେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଉନ୍ତୁ, କାରଣ ଆମ୍ଭେମାନେ ଏକ ଉତ୍ସବ ଦିନରେ ଆସିଅଛୁ। ବିନୟ କରୁଅଛି, ତୁମ୍ଭ ହସ୍ତରେ ଯାହା ମିଳେ, ତାହା ତୁମ୍ଭର ଦାସମାନଙ୍କୁ ଓ ତୁମ୍ଭ ପୁତ୍ର ଦାଉଦଙ୍କୁ ଦିଅ।”
9ତହିଁରେ ଦାଉଦଙ୍କ ଯୁବାଲୋକମାନେ ଆସି ଦାଉଦଙ୍କ ନାମରେ ନାବଲକୁ ଏହିସବୁ କଥା କହି ଅପେକ୍ଷା କଲେ।
10ମାତ୍ର ନାବଲ ଦାଉଦଙ୍କ ଦାସମାନଙ୍କୁ ଉତ୍ତର ଦେଲା, “ଦାଉଦ କିଏ? ଯିଶୀର ଏହି ପୁତ୍ର କିଏ? ଆଜିକାଲି ଅନେକ ଦାସ ଆପଣା ଆପଣା ପ୍ରଭୁଠାରୁ ଭାଙ୍ଗି ପଳାଉଅଛନ୍ତି। 11ତେବେ ମୁଁ କି ନିମନ୍ତେ ମୋହର ରୁଟି, ମୋହର ଜଳ ଓ ମୋʼ ଲୋମ କାଟିବା ଲୋକମାନଙ୍କ ପାଇଁ ବଧ କରିଥିବା ମାଂସ ନେଇ, ମୁଁ ଯେଉଁମାନଙ୍କୁ ଜାଣେ ନାହିଁ, ଏପରି ଲୋକମାନଙ୍କୁ ଦେବି?”
12ଏଣୁ ଦାଉଦଙ୍କ ଯୁବାଲୋକମାନେ ବାହୁଡ଼ିଗଲେ ଓ ଫେରିଆସି ତାହାଙ୍କୁ ଏହିସବୁ କଥା ଜଣାଇଲେ।
13ତହିଁରେ ଦାଉଦ ଆପଣା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ୍ଗ ବାନ୍ଧ!” ତହିଁରେ ପ୍ରତ୍ୟେକେ ଆପଣା ଆପଣା ଖଡ୍ଗ ବାନ୍ଧିଲେ, ଦାଉଦ ମଧ୍ୟ ଆପଣା ଖଡ୍ଗ ବାନ୍ଧିଲେ। ଆଉ ପ୍ରାୟ ଚାରି ଶହ ଲୋକ ଦାଉଦଙ୍କ ପଛେ ପଛେ ଉଠିଗଲେ ଓ ଦୁଇ ଶହ ଲୋକ ସାମଗ୍ରୀ ନିକଟରେ ରହିଲେ।
14ମାତ୍ର ଯୁବାଲୋକମାନଙ୍କ ମଧ୍ୟରୁ ଜଣେ ନାବଲର ଭାର୍ଯ୍ୟା ଅବୀଗଲକୁ କହିଲା, “ଦେଖ, ଦାଉଦ ପ୍ରାନ୍ତରରୁ ଆମ୍ଭମାନଙ୍କ ପ୍ରଭୁଙ୍କୁ ନମସ୍କାର କରିବା ନିମନ୍ତେ ଦୂତ ପଠାଇଲେ, କିନ୍ତୁ ସେ ସେମାନଙ୍କ ଉପରେ ଗାଳି ବର୍ଷାଇଲା। 15ମାତ୍ର ସେହି ଲୋକମାନେ ଆମ୍ଭମାନଙ୍କ ପ୍ରତି ଅତି ଉତ୍ତମ ଥିଲେ; ସେମାନେ ଆମ୍ଭମାନଙ୍କର କେବେ ଅନିଷ୍ଟ କରି ନାହାନ୍ତି, ଆଉ ଆମ୍ଭେମାନେ ସେମାନଙ୍କ ସଙ୍ଗରେ ପଦାରେ ବୁଲିଥିବା ସମସ୍ତ ସମୟରେ ଆମ୍ଭମାନଙ୍କର କିଛି ହିଁ ହଜି ନାହିଁ। 16ଆମ୍ଭେମାନେ ଯେତେକାଳ ସେମାନଙ୍କ ସଙ୍ଗରେ ଥାଇ ମେଷ ଚରାଇଲୁ, ସେତେକାଳ ସେମାନେ ଦିବାରାତ୍ର ଆମ୍ଭମାନଙ୍କ ଚତୁର୍ଦିଗରେ ପ୍ରାଚୀର ସ୍ଵରୂପ ଥିଲେ। 17ଏଣୁ ଏବେ ତୁମ୍ଭର କଅଣ କରିବାକୁ ହେବ, ତାହା ଜାଣ ଓ ବିବେଚନା କର, କାରଣ ଆମ୍ଭମାନଙ୍କ ପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ସମସ୍ତ ପରିବାର ବିରୁଦ୍ଧରେ ଅମଙ୍ଗଳ ସ୍ଥିର ହୋଇଅଛି। ସେ ଏପରି ପାଷଣ୍ଡ ଯେ, ତାହାକୁ କେହି କିଛି କହିପାରେ ନାହିଁ।”
18ତେବେ ଅବୀଗଲ ଶୀଘ୍ର ଦୁଇ ଶହ ରୁଟି, ଦୁଇ କୁମ୍ପା ଦ୍ରାକ୍ଷାରସ, ପ୍ରସ୍ତୁତ କରାଯାଇଥିବା ପାଞ୍ଚୋଟି ମେଷ, ପ୍ରାୟ ପଞ୍ଚତିରିଶ ସେର ଭଜା ଶସ୍ୟ, ଏକ ଶହ ପେଣ୍ଡା ଦ୍ରାକ୍ଷା ଓ ଦୁଇ ଶହ ଅଞ୍ଜୁରର ପିଠା ନେଇ ଗର୍ଦ୍ଦଭମାନଙ୍କ ଉପରେ ଲଦିଲା। 19ପୁଣି ସେ ଆପଣା ଦାସମାନଙ୍କୁ କହିଲା, “ତୁମ୍ଭେମାନେ ମୋʼ ଆଗେ ଆଗେ ଯାଅ; ଦେଖ, ମୁଁ ତୁମ୍ଭମାନଙ୍କ ପଛେ ପଛେ ଆସୁଅଛି।” ମାତ୍ର ସେ ଆପଣା ସ୍ଵାମୀ ନାବଲକୁ କିଛି ଜଣାଇଲା ନାହିଁ। 20ପୁଣି ସେ ଆପଣା ଗର୍ଦ୍ଦଭରେ ଚଢ଼ି ପର୍ବତର ଗୁପ୍ତ ପଥ ଦେଇ ଓହ୍ଲାଇ ଯାଉଥିବା ସମୟରେ, ଦେଖ, ଦାଉଦ ଓ ତାହାଙ୍କ ଲୋକମାନେ ତାହା ଆଡ଼କୁ ଓହ୍ଲାଇ ଆସୁଥିଲେ, ଆଉ ସେ ସେମାନଙ୍କ ସଙ୍ଗେ ସାକ୍ଷାତ କଲା।
21ଦାଉଦ କହୁଥିଲେ, “ମୁଁ ଏହି ଲୋକର ସର୍ବସ୍ଵ ପ୍ରାନ୍ତରରେ ବୃଥାରେ ରକ୍ଷା କଲି, ତାହାର କିଛି ହିଁ ହଜିଲା ନାହିଁ, ତଥାପି ସେ ମୋତେ ମଙ୍ଗଳ ବଦଳେ ଅମଙ୍ଗଳ ଦେଲା। 22ପ୍ରଭାତ ପର୍ଯ୍ୟନ୍ତ ତାହାର ସମସ୍ତ ଲୋକ ମଧ୍ୟରୁ ଗୋଟିଏ ପୁରୁଷକୁ ଯଦି ମୁଁ ଜୀଅନ୍ତା ଛାଡ଼େ, ତେବେ ଆମ୍ଭମାନଙ୍କ ପିତା ଦାଉଦର ଶତ୍ରୁମାନଙ୍କ ପ୍ରତି ଏହା ଓ ଏହାଠାରୁ ଅଧିକ କରନ୍ତୁ।”
23ତହିଁରେ ଅବୀଗଲ ଦାଉଦଙ୍କୁ ଦେଖି ଶୀଘ୍ର ଗର୍ଦ୍ଦଭରୁ ଓହ୍ଲାଇ ଦାଉଦଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ି ଭୂମିରେ ପ୍ରଣାମ କଲା। 24ପୁଣି ସେ ତାହାଙ୍କ ପାଦ ତଳେ ପଡ଼ି କହିଲା, “ହେ ମୋʼ ପ୍ରଭୁ, ଏହି ଅପରାଧ କେବଳ ମୋʼ ଉପରେ ଥାଉ। ବିନୟ କରୁଅଛି, ଆପଣଙ୍କ ଦାସୀ ଆପଣଙ୍କ କର୍ଣ୍ଣଗୋଚରରେ କିଛି କହିବାକୁ ଅନୁମତି ପାଉ ଓ ଆପଣ ନିଜ ଦାସୀର ବାକ୍ୟ ଶୁଣନ୍ତୁ। 25ବିନୟ କରୁଅଛି, ମୋʼ ପ୍ରଭୁ ଏହି ପାଷଣ୍ଡ ନାବଲ ପ୍ରତି ମନ ନ ଦେଉନ୍ତୁ, କାରଣ ତାହାର ନାମ ଯେପରି, ସେ ସେହିପରି; ନାବଲର ଅର୍ଥ ମୂର୍ଖ, ଆଉ ମୂର୍ଖତା ତାହା ସଙ୍ଗରେ ଅଛି। ମାତ୍ର ମୁଁ, ଆପଣଙ୍କ ଦାସୀ, ମୋʼ ପ୍ରଭୁ ପଠାଇଥିବା ଯୁବାଲୋକମାନଙ୍କୁ ଦେଖି ନ ଥିଲି। 26ଏଣୁ ହେ ମୋʼ ପ୍ରଭୁ, ଆମ୍ଭମାନଙ୍କ ପିତା ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପ୍ରମାଣେ, ଆମ୍ଭମାନଙ୍କ ପିତା ଆପଣଙ୍କୁ ରକ୍ତପାତରୁ ଓ ଆପଣଙ୍କ ନିଜ ହସ୍ତ ଦ୍ଵାରା ପ୍ରତିଶୋଧ ନେବାରୁ ନିବୃତ୍ତ କରିଅଛନ୍ତି, ଏହେତୁ ଆପଣଙ୍କ ଶତ୍ରୁମାନେ ଓ ମୋʼ ପ୍ରଭୁଙ୍କ ଅନିଷ୍ଟ ଚେଷ୍ଟା କରୁଥିବା ସମସ୍ତେ ନାବଲ ତୁଲ୍ୟ ହେଉନ୍ତୁ। 27ଏବେ ଆପଣଙ୍କ ଦାସୀ ମୋʼ ପ୍ରଭୁଙ୍କ ନିକଟକୁ ଏ ଯେଉଁ ଭେଟି ଆଣିଅଛି, ତାହା ମୋʼ ପ୍ରଭୁଙ୍କ ଅନୁଗାମୀ ଯୁବାଲୋକମାନଙ୍କୁ ଦିଆଯାଉ। 28ବିନୟ କରୁଅଛି, ଆପଣଙ୍କ ଦାସୀର ଅପରାଧ କ୍ଷମା କରନ୍ତୁ, କାରଣ ଆମ୍ଭମାନଙ୍କ ପିତା ନିଶ୍ଚୟ ମୋʼ ପ୍ରଭୁଙ୍କ ପାଇଁ ଏକ ସ୍ଥାୟୀ ବଂଶ ସ୍ଥାପନ କରିବେ, ଯେଣୁ ମୋʼ ପ୍ରଭୁ ଆମ୍ଭମାନଙ୍କ ପିତାଙ୍କ ଯୁଦ୍ଧ କରୁଅଛନ୍ତି; ଆଉ ଆପଣଙ୍କ ଯାବଜ୍ଜୀବନ ଆପଣଙ୍କଠାରେ କୌଣସି ଦୁଷ୍କର୍ମ ନ ମିଳୁ। 29ଯଦ୍ୟପି କେହି ଆପଣଙ୍କ ପଛେ ଗୋଡ଼ାଇ ଆପଣଙ୍କ ପ୍ରାଣ ନେବାକୁ ଉଠେ, ତଥାପି ମୋʼ ପ୍ରଭୁଙ୍କ ପ୍ରାଣ ଆପଣଙ୍କ ପିତାଙ୍କ ନିକଟରେ ଜୀବିତମାନଙ୍କ ବନ୍ଧନୀ ମଧ୍ୟରେ ସୁରକ୍ଷିତ ହୋଇ ବନ୍ଧା ରହିବ; ମାତ୍ର ସେ ଆପଣଙ୍କ ଶତ୍ରୁମାନଙ୍କ ପ୍ରାଣ ବାଟୁଳିର ଖୋଳରୁ ଯେପରି, ସେପରି ନିକ୍ଷେପ କରିବେ। 30ଆଉ ଆମ୍ଭମାନଙ୍କ ପିତା ଆପଣଙ୍କ ବିଷୟରେ କହିଥିବା ସମସ୍ତ ମଙ୍ଗଳ ମୋʼ ପ୍ରଭୁଙ୍କ ପ୍ରତି ସାଧନ କରିଥିବେ ଓ ଆପଣଙ୍କୁ ଇସ୍ରାଏଲ ଉପରେ ଅଧିପତି କରିଥିବେ, 31ସେତେବେଳେ ଅକାରଣରେ ରକ୍ତପାତ କରିବା ବା ମୋʼ ପ୍ରଭୁ ନିଜେ ପ୍ରତିଶୋଧ ନେବା ହେତୁ ଆପଣଙ୍କର କୌଣସି ଶୋକ ବା ମନଃକ୍ଷୋଭ ହେବ ନାହିଁ। ପୁଣି ଆମ୍ଭମାନଙ୍କ ପିତା ଯେତେବେଳେ ମୋʼ ପ୍ରଭୁଙ୍କ ପ୍ରତି ମଙ୍ଗଳ କରିବେ, ସେତେବେଳେ ଆପଣ ନିଜ ଦାସୀକୁ ସ୍ମରଣ କରିବେ।”
32ତହିଁରେ ଦାଉଦ ଅବୀଗଲକୁ କହିଲେ, “ଇସ୍ରାଏଲର ଈଶ୍ଵର ଆମ୍ଭମାନଙ୍କ ପିତା ଧନ୍ୟ ହେଉନ୍ତୁ, ଯେ ଆଜି ତୁମ୍ଭକୁ ମୋʼ ସଙ୍ଗେ ସାକ୍ଷାତ କରିବା ନିମନ୍ତେ ପଠାଇଲେ। 33ଆଉ ତୁମ୍ଭର ସୁବିବେଚନା ଧନ୍ୟ ହେଉ, ପୁଣି ତୁମ୍ଭେ ଧନ୍ୟା, ଯେ ଆଜି ମୋତେ ରକ୍ତପାତ କରିବାରୁ ଓ ମୋʼ ନିଜ ହସ୍ତ ଦ୍ଵାରା ପ୍ରତିଶୋଧ ନେବାରୁ ନିବୃତ୍ତ କଲ। 34ଯେଉଁ ଇସ୍ରାଏଲର ଈଶ୍ଵର ଆମ୍ଭମାନଙ୍କ ପିତା ମୋତେ ତୁମ୍ଭର ଅନିଷ୍ଟ କରିବାରୁ ନିବୃତ୍ତ କଲେ, ତାହାଙ୍କ ଜୀବିତ ଥିବା ପ୍ରମାଣେ କହୁଅଛି, ଯଦି ତୁମ୍ଭେ ଶୀଘ୍ର ମୋʼ ସଙ୍ଗେ ସାକ୍ଷାତ କରିବାକୁ ନ ଆସିଥାଆନ୍ତ, ତେବେ ପ୍ରଭାତ ପର୍ଯ୍ୟନ୍ତ ନାବଲର ଗୋଟିଏ ପୁରୁଷ ହିଁ ଜୀବିତ ରହି ନ ଥାଆନ୍ତା।”
35ତହିଁରେ ଦାଉଦ ସେ ଆଣିଥିବା ବସ୍ତୁ ତାହାର ହସ୍ତରୁ ଗ୍ରହଣ କଲେ ଓ ତାହାକୁ କହିଲେ, “କୁଶଳରେ ଆପଣା ଗୃହକୁ ଯାଅ। ଦେଖ, ମୁଁ ତୁମ୍ଭ ରବ ଶୁଣିଅଛି ଓ ତୁମ୍ଭ ପ୍ରାର୍ଥନା ଗ୍ରାହ୍ୟ କରିଅଛି।”
36ଏଥିଉତ୍ତାରେ ଅବୀଗଲ ନାବଲ ନିକଟକୁ ଆସନ୍ତେ, ଦେଖ, ସେ ଆପଣା ଗୃହରେ ରାଜଭୋଜ ତୁଲ୍ୟ ଭୋଜ କରୁଥିଲା; ପୁଣି ନାବଲର ହୃଦୟ ଆନନ୍ଦିତ ଥିଲା, କାରଣ ସେ ଅତିଶୟ ମତ୍ତ ଥିଲା; ଏହେତୁ ସେ ପ୍ରଭାତ ପର୍ଯ୍ୟନ୍ତ ତାହାକୁ କିଛି ଜଣାଇଲା ନାହିଁ। 37ମାତ୍ର ପ୍ରଭାତ ବେଳେ ନାବଲଠାରୁ ଦ୍ରାକ୍ଷାରସ ଉତ୍ରିଯାʼନ୍ତେ, ତାହାର ଭାର୍ଯ୍ୟା ତାହାକୁ ଏହିସବୁ କଥା ଜଣାଇଲା; ତହିଁରେ ତାହାର ଅନ୍ତରରେ ତାହାର ହୃଦୟ ମଲା ଓ ସେ ପ୍ରସ୍ତର ତୁଲ୍ୟ ହୋଇଗଲା। 38ପୁଣି ପ୍ରାୟ ଦଶ ଦିନ ଉତ୍ତାରେ ଆମ୍ଭମାନଙ୍କ ପିତା ନାବଲକୁ ଆଘାତ କଲେ, ତହିଁରେ ସେ ମଲା।
39ତହିଁରେ ଦାଉଦ ନାବଲ ମରିଅଛି ବୋଲି ଶୁଣି କହିଲେ, “ଆମ୍ଭମାନଙ୍କ ପିତା ଧନ୍ୟ ହେଉନ୍ତୁ, ଯେ ନାବଲଠାରୁ ପାଇଥିବା ଅପମାନ ବିଷୟରେ ମୋʼ ବିବାଦ ନିଷ୍ପତ୍ତି କଲେ ଓ ଆପଣା ଦାସକୁ ଅମଙ୍ଗଳରୁ ନିବୃତ୍ତ କଲେ; କାରଣ ଆମ୍ଭମାନଙ୍କ ପିତା ନାବଲର ଅମଙ୍ଗଳ ତାହାର ନିଜ ମସ୍ତକ ଉପରେ ବର୍ତ୍ତାଇଅଛନ୍ତି।” ତତ୍ପରେ ଦାଉଦ ଅବୀଗଲକୁ ଆପଣା ଭାର୍ଯ୍ୟା କରିବା ନିମନ୍ତେ ତାହା ନିକଟକୁ ଲୋକ ପଠାଇ କଥା କହିଲେ।
40ତହିଁରେ ଦାଉଦଙ୍କ ଦାସମାନେ କର୍ମିଲରେ ଅବୀଗଲ ନିକଟକୁ ଆସି ତାହାକୁ କହିଲେ, “ଦାଉଦ ତୁମ୍ଭକୁ ଆପଣା ଭାର୍ଯ୍ୟା କରିବା ନିମନ୍ତେ ତୁମ୍ଭ ନିକଟକୁ ଆମ୍ଭମାନଙ୍କୁ ପଠାଇଅଛନ୍ତି।”
41ତହିଁରେ ସେ ଉଠି ଭୂମିରେ ମୁହଁ ମାଡ଼ି ପ୍ରଣାମ କରି କହିଲା, “ଦେଖନ୍ତୁ, ଆପଣଙ୍କ ଦାସୀ ମୋʼ ପ୍ରଭୁଙ୍କ ଦାସମାନଙ୍କ ପାଦ ପ୍ରକ୍ଷାଳନ କରିବା ନିମନ୍ତେ ଦାସୀ ହେବ।” 42ତତ୍ପରେ ଅବୀଗଲ ଶୀଘ୍ର ଉଠି ଆପଣା ଗର୍ଦ୍ଦଭରେ ଚଢ଼ି ଆପଣା ପାଞ୍ଚ ଜଣ ପରିଚାରିକାଙ୍କ ସହିତ ଦାଉଦଙ୍କ ଦୂତମାନଙ୍କ ପଛେ ପଛେ ଯାଇ ତାହାଙ୍କ ଭାର୍ଯ୍ୟା ହେଲା। 43ଦାଉଦ ଯିଷ୍ରିୟେଲୀୟା ଅହୀନୋୟମକୁ ମଧ୍ୟ ବିବାହ କରିଥିଲେ, ଏଣୁ ସେ ଦୁହେଁ ତାହାଙ୍କ ଭାର୍ଯ୍ୟା ହେଲେ। 44ମାତ୍ର ଶାଉଲ ଆପଣା କନ୍ୟା ଦାଉଦଙ୍କ ଭାର୍ଯ୍ୟା ମୀଖଲକୁ ଗଲ୍ଲୀମ ନିବାସୀ ଲୟିଶର ପୁତ୍ର ପଲ୍ଟୀୟେଲକୁ ଦେଇଥିଲେ।