ଦାଉଦ ପିତାଙ୍କ ଅଭିଷିକ୍ତଙ୍କୁ ରକ୍ଷା କଲେ
ଦାଉଦ ଲୁଚିଥିବା ସେହି ଗୁମ୍ଫା ଭିତରକୁ ହିଁ ଶାଉଲ ପଶନ୍ତି। ଦାଉଦଙ୍କ ଲୋକମାନେ ଏହାକୁ ଏକ ଦାନ ବୋଲି କହନ୍ତି; ତାହା ବଦଳରେ ସେ ବସ୍ତ୍ରର ଏକ କୋଣ କାଟନ୍ତି, ଏବଂ ତାହା ମଧ୍ୟ ତାଙ୍କ ବିବେକକୁ ଦଂଶନ କରେ। ବାହାରେ ସେ ଶାଉଲଙ୍କୁ ନିଜ ପିତା ବୋଲି ଡାକନ୍ତି ଓ ସେମାନଙ୍କ ମଧ୍ୟରେ ଆମ୍ଭମାନଙ୍କ ପିତାଙ୍କୁ ବିଚାର କରିବାକୁ ଦିଅନ୍ତି।
24 1ଶାଉଲ ପଲେଷ୍ଟୀୟମାନଙ୍କ ପଛେ ଗୋଡ଼ାଇବାରୁ ଫେରିଆସିଲା ପରେ ତାହାକୁ କୁହାଗଲା, “ଦେଖ, ଦାଉଦ ଐନ୍ଗଦୀ ପ୍ରାନ୍ତରରେ ଅଛି।” 2ସେତେବେଳେ ଶାଉଲ ସମଗ୍ର ଇସ୍ରାଏଲ ମଧ୍ୟରୁ ତିନି ହଜାର ବଛା ଲୋକ ନେଇ ବନ୍ୟ ଛାଗଳ ଶୈଳ ସମ୍ମୁଖରେ ଦାଉଦ ଓ ତାହାର ଲୋକମାନଙ୍କୁ ଖୋଜିବାକୁ ଗଲା। 3ପୁଣି ସେ ପଥ ପାର୍ଶ୍ଵସ୍ଥ ମେଷଶାଳା ନିକଟରେ ଉପସ୍ଥିତ ହେଲା, ସେଠାରେ ଗୋଟିଏ ଗୁମ୍ଫା ଥିଲା; ଆଉ ଶାଉଲ ଆପଣା ପାଦ ଢାଙ୍କିବା ନିମନ୍ତେ ତହିଁ ଭିତରକୁ ଗଲା; ସେହି ସମୟରେ ଦାଉଦ ଓ ତାହାର ଲୋକମାନେ ଗୁମ୍ଫାର ଅନ୍ତର୍ଭାଗରେ ବସିଥିଲେ। 4ସେତେବେଳେ ଦାଉଦଙ୍କ ଲୋକମାନେ ତାହାଙ୍କୁ କହିଲେ, “ଦେଖ, ଆମ୍ଭମାନଙ୍କ ପିତା ଯେଉଁ ଦିନ ବିଷୟରେ ତୁମ୍ଭକୁ କହିଥିଲେ, ‘ଆମ୍ଭେ ତୁମ୍ଭ ଶତ୍ରୁକୁ ତୁମ୍ଭ ହସ୍ତରେ ସମର୍ପଣ କରିବା, ତହିଁରେ ତୁମ୍ଭ ଦୃଷ୍ଟିରେ ଯାହା ଭଲ, ତାହା ତାହା ପ୍ରତି କରିବ,’ ଏହି ଦିନ ଆସିଅଛି।” ତେଣୁ ଦାଉଦ ଉଠି ଶାଉଲର ବସ୍ତ୍ରର ଅଞ୍ଚଳ ନୀରବରେ କାଟି ପକାଇଲେ। 5ଏଥିଉତ୍ତାରେ ଶାଉଲର ବସ୍ତ୍ରର ଅଞ୍ଚଳ କାଟିବା ହେତୁରୁ ଦାଉଦଙ୍କ ଅନ୍ତଃକରଣ ତାହାଙ୍କୁ ଆଘାତ କଲା। 6ଆଉ ସେ ଆପଣା ଲୋକମାନଙ୍କୁ କହିଲେ, “ମୁଁ ଯେ ଆପଣା ପ୍ରଭୁ, ଆମ୍ଭମାନଙ୍କ ପିତାଙ୍କ ଅଭିଷିକ୍ତଙ୍କ ପ୍ରତି ଏହି କର୍ମ କରି ତାହାଙ୍କ ବିରୁଦ୍ଧରେ ହସ୍ତ ଉଠାଇବି, ଏହା ଆମ୍ଭମାନଙ୍କ ପିତା ନିବାରଣ କରନ୍ତୁ; କାରଣ ସେ ଆମ୍ଭମାନଙ୍କ ପିତାଙ୍କ ଅଭିଷିକ୍ତ ଅଟନ୍ତି।” 7ଏହିସବୁ ବାକ୍ୟ ଦ୍ଵାରା ଦାଉଦ ଆପଣା ଲୋକମାନଙ୍କୁ ଅଟକାଇଲେ ଓ ଶାଉଲକୁ ଆକ୍ରମଣ କରିବାକୁ ଦେଲେ ନାହିଁ। ତହୁଁ ଶାଉଲ ଗୁମ୍ଫାରୁ ବାହାରି ଆପଣା ପଥରେ ଚାଲିଗଲା। 8ଏଉତ୍ତାରେ ଦାଉଦ ଉଠି ଗୁମ୍ଫାରୁ ବାହାରି ଶାଉଲ ପଛେ ଡାକି କହିଲେ, “ହେ ମୋʼ ପ୍ରଭୁ ମହାରାଜ!” ତହିଁରେ ଶାଉଲ ପଛକୁ ଅନାନ୍ତେ ଦାଉଦ ଭୂମିଷ୍ଠ ପର୍ଯ୍ୟନ୍ତ ମୁଖ ନୁଆଁଇ ପ୍ରଣାମ କଲେ।
9ପୁଣି ଦାଉଦ ଶାଉଲକୁ କହିଲେ, “‘ଦେଖ, ଦାଉଦ ତୁମ୍ଭର ଅନିଷ୍ଟ ଚେଷ୍ଟା କରୁଅଛି,’ ବୋଲି ଯେଉଁମାନେ କହୁଅଛନ୍ତି, ସେମାନଙ୍କ କଥାରେ ଆପଣ କାହିଁକି କର୍ଣ୍ଣପାତ କରୁଅଛନ୍ତି? 10ଦେଖ, ଆଜି ଆପଣଙ୍କ ଚକ୍ଷୁ ଦେଖିଅଛି ଯେ, ଆମ୍ଭମାନଙ୍କ ପିତା କିପରି ଆଜି ଗୁମ୍ଫା ମଧ୍ୟରେ ଆପଣଙ୍କୁ ମୋʼ ହସ୍ତରେ ସମର୍ପଣ କରିଥିଲେ; ଆଉ କେହି କେହି ଆପଣଙ୍କୁ ବଧ କରିବା ନିମନ୍ତେ ମୋତେ କହିଲେ; ମାତ୍ର ମୁଁ ଆପଣଙ୍କୁ ଦୟା କରି କହିଲି, ‘ମୁଁ ଆପଣା ପ୍ରଭୁଙ୍କ ବିରୁଦ୍ଧରେ ହସ୍ତ ଉଠାଇବି ନାହିଁ; କାରଣ ସେ ଆମ୍ଭମାନଙ୍କ ପିତାଙ୍କ ଅଭିଷିକ୍ତ ଅଟନ୍ତି।’ 11ହେ ମୋʼ ପିତଃ, ଦେଖ, ହଁ, ଆପଣଙ୍କ ବସ୍ତ୍ରର ଅଞ୍ଚଳ ମୋʼ ହସ୍ତରେ ଦେଖ; କାରଣ ମୁଁ ଆପଣଙ୍କ ବସ୍ତ୍ରର ଅଞ୍ଚଳ କାଟିଲି, ମାତ୍ର ଆପଣଙ୍କୁ ବଧ କଲି ନାହିଁ; ମୋʼ ହସ୍ତରେ କୌଣସି ଦୁଷ୍ଟତା କି ବିଦ୍ରୋହ ନାହିଁ, ଏହା ଜାଣନ୍ତୁ ଓ ଦେଖନ୍ତୁ, ଆଉ ମୁଁ ଆପଣଙ୍କ ବିରୁଦ୍ଧରେ ପାପ କରି ନାହିଁ; ତଥାପି ଆପଣ ମୋʼ ପ୍ରାଣ ନେବା ନିମନ୍ତେ ତାହାକୁ ଅନ୍ଵେଷଣ କରୁଅଛନ୍ତି। 12ଆମ୍ଭମାନଙ୍କ ପିତା ଆପଣଙ୍କ ଓ ମୋʼ ମଧ୍ୟରେ ବିଚାର କରନ୍ତୁ, ପୁଣି ଆମ୍ଭମାନଙ୍କ ପିତା ଆପଣଙ୍କଠାରୁ ମୋʼ ପକ୍ଷରେ ପରିଶୋଧ ନେଉନ୍ତୁ; ମାତ୍ର ମୋʼ ହସ୍ତ ଆପଣଙ୍କୁ ସ୍ପର୍ଶ କରିବ ନାହିଁ। 13ପୁରାତନ ପ୍ରବାଦ ଯେପରି କହେ, ‘ଦୁଷ୍ଟଠାରୁ ଦୁଷ୍ଟତା ନିର୍ଗତ ହୁଏ;’ ମାତ୍ର ମୋʼ ହସ୍ତ ଆପଣଙ୍କ ବିରୁଦ୍ଧରେ ହେବ ନାହିଁ। 14ଇସ୍ରାଏଲର ରାଜା କାହା ବିରୁଦ୍ଧରେ ବାହାର ହୋଇ ଆସିଅଛନ୍ତି? ଆପଣ କାହାକୁ ଗୋଡ଼ାଉଅଛନ୍ତି? ଏକ ମଲା କୁକୁରକୁ? ଗୋଟିଏ ଡାଆଁସକୁ? 15ଅତଏବ ଆମ୍ଭମାନଙ୍କ ପିତା ବିଚାରକର୍ତ୍ତା ହୋଇ ଆପଣଙ୍କ ଓ ମୋʼ ମଧ୍ୟରେ ବିଚାର କରନ୍ତୁ, ପୁଣି ତାହା ଦେଖନ୍ତୁ ଓ ମୋʼ ବିବାଦ ନିଷ୍ପତ୍ତି କରନ୍ତୁ, ଆଉ ଆପଣଙ୍କ ହସ୍ତରୁ ମୋତେ ଉଦ୍ଧାର କରନ୍ତୁ।”
16ଦାଉଦ ଶାଉଲକୁ ଏହିସବୁ କଥା କହିସାରିଲା ଉତ୍ତାରେ ଶାଉଲ କହିଲା, “ହେ ମୋʼ ପୁତ୍ର ଦାଉଦ, ଏ କି ତୁମ୍ଭର ସ୍ଵର?” ପୁଣି ଶାଉଲ ଉଚ୍ଚସ୍ଵରରେ ରୋଦନ କଲା। 17ଆଉ ସେ ଦାଉଦଙ୍କୁ କହିଲା, “ତୁମ୍ଭେ ମୋʼ ଅପେକ୍ଷା ଅଧିକ ଧାର୍ମିକ; କାରଣ ତୁମ୍ଭେ ମୋʼ ପ୍ରତି ମଙ୍ଗଳ କଲ, ମାତ୍ର ମୁଁ ତୁମ୍ଭ ପ୍ରତି ଅମଙ୍ଗଳ କଲି। 18ପୁଣି ତୁମ୍ଭେ ମୋʼ ପ୍ରତି ଯେଉଁ ମଙ୍ଗଳ କରିଅଛ, ତାହା ଆଜି ପ୍ରକାଶ କଲ; କାରଣ ଆମ୍ଭମାନଙ୍କ ପିତା ମୋତେ ତୁମ୍ଭ ହସ୍ତରେ ସମର୍ପଣ କରିଥିଲେ, ତଥାପି ତୁମ୍ଭେ ମୋତେ ବଧ କଲ ନାହିଁ। 19ଯେବେ କେହି ଆପଣା ଶତ୍ରୁକୁ ପାଏ, ତେବେ ସେ କି ତାହାକୁ କୁଶଳରେ ଯିବାକୁ ଦେବ? ତୁମ୍ଭେ ଆଜି ମୋʼ ପ୍ରତି ଯାହା କରିଅଛ, ତହିଁ ନିମନ୍ତେ ଆମ୍ଭମାନଙ୍କ ପିତା ତୁମ୍ଭକୁ ମଙ୍ଗଳରେ ପୁରସ୍କୃତ କରନ୍ତୁ। 20ପୁଣି ଦେଖ, ତୁମ୍ଭେ ନିଶ୍ଚୟ ରାଜା ହେବ ଓ ଇସ୍ରାଏଲର ରାଜ୍ୟ ତୁମ୍ଭ ହସ୍ତରେ ସୁସ୍ଥିର ହେବ, ଏହା ମୁଁ ଏବେ ଜାଣୁଅଛି। 21ଏଣୁ ଏବେ ତୁମ୍ଭେ ଆମ୍ଭମାନଙ୍କ ପିତାଙ୍କ ନାମରେ ମୋʼ ନିକଟରେ ଶପଥ କର ଯେ, ତୁମ୍ଭେ ମୋʼ ଉତ୍ତାରେ ମୋʼ ବଂଶ ଉଚ୍ଛିନ୍ନ କରିବ ନାହିଁ ଓ ମୋʼ ପିତୃଗୃହରୁ ମୋʼ ନାମ ଲୋପ କରିବ ନାହିଁ।”
22ତହିଁରେ ଦାଉଦ ଶାଉଲ ନିକଟରେ ଶପଥ କଲେ। ପୁଣି ଶାଉଲ ଆପଣା ଗୃହକୁ ଗଲା; ମାତ୍ର ଦାଉଦ ଓ ତାହାର ଲୋକମାନେ ଦୁର୍ଗ ଉପରକୁ ଗଲେ।