ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତା ଦାଉଦଙ୍କୁ କିୟୀଲା ଉଦ୍ଧାର କରିବାକୁ ପଥ ଦେଖାନ୍ତି

କିୟିଲାକୁ ଉଦ୍ଧାର କରିବା ପୂର୍ବରୁ ଦାଉଦ ଆମ୍ଭମାନଙ୍କ ପିତାଙ୍କୁ ଦୁଇଥର ପଚାରନ୍ତି, ତାହାପରେ ପୁଣି ପଚାରି ଜାଣନ୍ତି ଯେ ସେ ଉଦ୍ଧାର କରିଥିବା ନଗର ତାଙ୍କୁ ସମର୍ପଣ କରିଦେବ। ଯୋନାଥନ ତାଙ୍କୁ ପ୍ରାନ୍ତରରେ ଖୋଜି ପାଆନ୍ତି ଓ ତାଙ୍କୁ ବଳବାନ କରନ୍ତି। ଶାଉଲ ଏକ ପର୍ବତର ଚାରିପାଖରେ ଘେରି ଆସନ୍ତି, ଯେପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କ ଏକ ଆକ୍ରମଣ ତାଙ୍କୁ ଟାଣି ନେଇଯାଏ ନାହିଁ।

ଅଧ୍ୟାୟ 23।

ଲୋକେ ଦାଉଦଙ୍କୁ ଜଣାଇଲେ, “ଦେଖନ୍ତୁ, ପଲେଷ୍ଟୀୟମାନେ କିୟୀଲା ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ଓ ଖଳାସବୁ ଲୁଟୁଅଛନ୍ତି।”

ତେଣୁ ଦାଉଦ ଆମ୍ଭମାନଙ୍କ ପିତାଙ୍କୁ ପଚାରିଲେ, “ମୁଁ ଯାଇ ଏହି ପଲେଷ୍ଟୀୟମାନଙ୍କୁ ଆକ୍ରମଣ କରିବି କି?” ତହିଁରେ ଆମ୍ଭମାନଙ୍କ ପିତା ଉତ୍ତର ଦେଲେ, “ଯାଅ, ପଲେଷ୍ଟୀୟମାନଙ୍କୁ ଆକ୍ରମଣ କର ଓ କିୟୀଲାକୁ ଉଦ୍ଧାର କର।”

ମାତ୍ର ଦାଉଦଙ୍କ ଲୋକମାନେ ତାହାଙ୍କୁ କହିଲେ, “ଦେଖନ୍ତୁ, ଆମ୍ଭେମାନେ ଏହି ଯିହୂଦାରେ ଭୀତ ହେଉଅଛୁ; ତେବେ ଆମ୍ଭେମାନେ ଯେବେ କିୟୀଲାକୁ ପଲେଷ୍ଟୀୟମାନଙ୍କ ସୈନ୍ୟଶ୍ରେଣୀ ବିରୁଦ୍ଧରେ ଯିବୁ, ତେବେ କେତେ ଅଧିକ ଭୀତ ନ ହେବୁ!”

ତେଣୁ ଦାଉଦ ପୁନର୍ବାର ଆମ୍ଭମାନଙ୍କ ପିତାଙ୍କୁ ପଚାରିଲେ, ଆଉ ଆମ୍ଭମାନଙ୍କ ପିତା ତାହାଙ୍କୁ ଉତ୍ତର ଦେଲେ, “ଉଠ, କିୟୀଲାକୁ ଓହ୍ଲାଇ ଯାଅ, କାରଣ ଆମ୍ଭେ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରୁଅଛୁ।”

ତହିଁରେ ଦାଉଦ ଓ ତାହାଙ୍କ ଲୋକମାନେ କିୟୀଲାକୁ ଯାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରି ସେମାନଙ୍କ ପଶୁଗଣ ହାଙ୍କି ନେଇଗଲେ ଓ ସେମାନଙ୍କୁ ମହା ଆଘାତରେ ବଧ କଲେ; ଏହିପରି ଦାଉଦ କିୟୀଲାନିବାସୀମାନଙ୍କୁ ଉଦ୍ଧାର କଲେ।

ଅହୀମେଲକ୍‌ଙ୍କ ପୁତ୍ର ଅବୀୟାଥର କିୟୀଲାକୁ ଦାଉଦଙ୍କ ନିକଟକୁ ପଳାଇ ଆସିଥିଲେ; ସେ ଆପଣା ହସ୍ତରେ ଏକ ଏଫୋଦ ଘେନି ଆସିଲେ।

ଏଉତ୍ତାରେ ଦାଉଦ କିୟୀଲାକୁ ଆସିଅଛନ୍ତି ବୋଲି ଶାଉଲ ଶୁଣନ୍ତେ, ସେ କହିଲେ, “ଈଶ୍ଵର ଦାଉଦକୁ ମୋʼ ହସ୍ତରେ ସମର୍ପଣ କରିଅଛନ୍ତି, କାରଣ ସେ କବାଟ ଓ ଅର୍ଗଳବିଶିଷ୍ଟ ନଗରରେ ପ୍ରବେଶ କରି ଆପେ ଆପଣାକୁ ବନ୍ଦ କରିଅଛି।” ତେଣୁ ଶାଉଲ ସମସ୍ତ ଲୋକଙ୍କୁ ଯୁଦ୍ଧ ନିମନ୍ତେ ଡାକିଲେ, ଯେପରି ସେମାନେ କିୟୀଲାକୁ ଓହ୍ଲାଇ ଯାଇ ଦାଉଦ ଓ ତାହାଙ୍କ ଲୋକମାନଙ୍କୁ ଅବରୋଧ କରିବେ। ଶାଉଲ ତାହାଙ୍କ ବିରୁଦ୍ଧରେ ଅନିଷ୍ଟ କଳ୍ପନା କରୁଅଛନ୍ତି ବୋଲି ଦାଉଦ ଜାଣିଲେ, ଆଉ ସେ ଅବୀୟାଥର ଯାଜକଙ୍କୁ କହିଲେ, “ଏଫୋଦ ଏଠିକୁ ଆଣ।” ଆଉ ଦାଉଦ କହିଲେ, “ହେ ମୋହର ପିତା, ଇସ୍ରାଏଲର ଈଶ୍ଵର, ତୁମ୍ଭ ଦାସ ନିଶ୍ଚୟ ରୂପେ ଶୁଣିଅଛି ଯେ, ଶାଉଲ ମୋʼ ହେତୁ କିୟୀଲାକୁ ଆସି ନଗର ବିନାଶ କରିବାକୁ ମନସ୍ଥ କରୁଅଛି।

କିୟୀଲାର ଅଧିବାସୀମାନେ ମୋତେ ତାହାର ହସ୍ତରେ ସମର୍ପଣ କରିବେ କି? ତୁମ୍ଭ ଦାସ ଯେପରି ଶୁଣିଅଛି, ସେପରି ଶାଉଲ କʼଣ ଓହ୍ଲାଇ ଆସିବ? ହେ ମୋହର ପିତା, ଇସ୍ରାଏଲର ଈଶ୍ଵର, ଦୟା କରି ତୁମ୍ଭ ଦାସକୁ ଜଣାଅ।” ତହିଁରେ ଆମ୍ଭମାନଙ୍କ ପିତା କହିଲେ, “ସେ ଓହ୍ଲାଇ ଆସିବ।”

ତେବେ ଦାଉଦ ପଚାରିଲେ, “କିୟୀଲାର ଅଧିବାସୀମାନେ ମୋତେ ଓ ମୋହର ଲୋକମାନଙ୍କୁ ଶାଉଲ ହସ୍ତରେ ସମର୍ପଣ କରିବେ କି?” ତହିଁରେ ଆମ୍ଭମାନଙ୍କ ପିତା କହିଲେ, “ସେମାନେ ତୁମ୍ଭକୁ ସମର୍ପଣ କରିବେ।”

ତେବେ ଦାଉଦ ଓ ତାହାଙ୍କ ପ୍ରାୟ ଛଅ ଶହ ଲୋକ ଉଠି କିୟୀଲାରୁ ବାହାରିଗଲେ ଓ ଯେଉଁଠିକୁ ଯାଇ ପାରିଲେ, ସେଠାକୁ ଭ୍ରମଣ କଲେ। ଆଉ ଦାଉଦ କିୟୀଲାରୁ ପଳାଇ ଯାଇଅଛନ୍ତି ବୋଲି ଶାଉଲଙ୍କୁ ଜଣାଇବାରୁ ସେ ତାହାଙ୍କୁ ଅନୁଧାବନ କରିବା ବନ୍ଦ କଲେ। ପୁଣି ଦାଉଦ ପ୍ରାନ୍ତରସ୍ଥ ଦୁର୍ଗ ସମୂହରେ ଓ ସୀଫ୍‌ ପ୍ରାନ୍ତରର ପର୍ବତମୟ ଅଞ୍ଚଳରେ ବାସ କଲେ। ଶାଉଲ ପ୍ରତିଦିନ ତାହାଙ୍କ ଅନ୍ଵେଷଣ କଲେ, ମାତ୍ର ଆମ୍ଭମାନଙ୍କ ପିତା ତାହାଙ୍କୁ ସେହି ହସ୍ତରେ ସମର୍ପଣ କଲେ ନାହିଁ। ଦାଉଦ ଯେତେବେଳେ ସୀଫ୍‌ ପ୍ରାନ୍ତରସ୍ଥ ହୋରେଶ୍‌ରେ ଥିଲେ, ସେତେବେଳେ ଶାଉଲ ତାହାଙ୍କ ପ୍ରାଣ ଅନ୍ଵେଷଣ କରିବାକୁ ବାହାରିଅଛନ୍ତି ବୋଲି ସେ ଦେଖିଲେ। ଆଉ ଶାଉଲଙ୍କ ପୁତ୍ର ଯୋନାଥନ ଉଠି ହୋରେଶ୍‌ରେ ଦାଉଦଙ୍କ ନିକଟକୁ ଯାଇ ଆମ୍ଭମାନଙ୍କ ପିତାଙ୍କଠାରେ ତାହାଙ୍କ ହସ୍ତ ସବଳ କଲେ। ଆଉ ସେ ତାହାଙ୍କୁ କହିଲେ, “ଭୟ କର ନାହିଁ, କାରଣ ମୋʼ ପିତା ଶାଉଲଙ୍କ ହସ୍ତ ତୁମ୍ଭକୁ ପାଇବ ନାହିଁ; ତୁମ୍ଭେ ଇସ୍ରାଏଲ ଉପରେ ରାଜା ହେବ ଓ ମୁଁ ତୁମ୍ଭର ଦ୍ଵିତୀୟ ହେବି; ଏହା ମୋʼ ପିତା ଶାଉଲ ମଧ୍ୟ ଜାଣନ୍ତି।” ଏଉତ୍ତାରେ ସେମାନେ ଦୁହେଁ ଆମ୍ଭମାନଙ୍କ ପିତାଙ୍କ ସାକ୍ଷାତରେ ନିୟମ କଲେ। ପୁଣି ଦାଉଦ ହୋରେଶ୍‌ରେ ରହିଲେ ଓ ଯୋନାଥନ ଆପଣା ଗୃହକୁ ଗଲେ।

ଏଥିଉତ୍ତାରେ ସୀଫୀୟମାନେ ଗିବୀୟାକୁ ଶାଉଲଙ୍କ ନିକଟକୁ ଯାଇ କହିଲେ, “ଦାଉଦ କʼଣ ଯିଶୀମୋନର ଦକ୍ଷିଣସ୍ଥ ହଖୀଲା ପର୍ବତ ଉପରିସ୍ଥ ହୋରେଶ୍‌ ଦୁର୍ଗ ସମୂହରେ ଆମ୍ଭମାନଙ୍କ ମଧ୍ୟରେ ଆପଣାକୁ ଲୁଚାଇ ରଖି ନାହିଁ? ଏଣୁ, ହେ ରାଜନ୍‌, ଆପଣଙ୍କ ପ୍ରାଣର ସମସ୍ତ ବାଞ୍ଛାନୁସାରେ ଯେକୌଣସି ସମୟରେ ଓହ୍ଲାଇ ଆସିବାକୁ ଆପଣ ଓହ୍ଲାଇ ଆସନ୍ତୁ; ଆଉ ତାହାକୁ ରାଜାଙ୍କ ହସ୍ତରେ ସମର୍ପଣ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ ହେବ।”

ତହିଁରେ ଶାଉଲ ଉତ୍ତର ଦେଲେ, “ଆମ୍ଭମାନଙ୍କ ପିତା ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ, କାରଣ ତୁମ୍ଭେମାନେ ମୋʼ ପ୍ରତି ଦୟା କରିଅଛ। ଯାଅ, ବିନୟ କରୁଅଛି, ଆହୁରି ପ୍ରସ୍ତୁତ ହୁଅ; ସେ କେଉଁଠାରେ ପାଦ ଦେଇଅଛି, ସେଠାରେ କିଏ ତାହାକୁ ଦେଖିଅଛି, ଏହା ଜାଣି ନିଅ; କାରଣ ସେ ଅତି ଚତୁର ବୋଲି ମୋତେ କୁହାଯାଉଅଛି। ଏଣୁ ସେ ଯେଉଁ ଯେଉଁ ଗୁପ୍ତ ସ୍ଥାନରେ ଆପଣାକୁ ଲୁଚାଇ ରଖେ, ସେହି ସମସ୍ତ ସ୍ଥାନ ଦେଖି ଜାଣ, ପୁଣି ନିଶ୍ଚିତ ବିବରଣ ନେଇ ପୁନର୍ବାର ମୋʼ ନିକଟକୁ ଆସ; ତହିଁରେ ମୁଁ ତୁମ୍ଭମାନଙ୍କ ସଙ୍ଗେ ଯିବି; ଆଉ ସେ ଦେଶରେ ଥିଲେ, ମୁଁ ଯିହୂଦାର ସହସ୍ର ସହସ୍ର ଲୋକଙ୍କ ମଧ୍ୟରୁ ତାହାକୁ ଖୋଜି ବାହାର କରିବି।”

ତେବେ ସେମାନେ ଉଠି ଶାଉଲଙ୍କ ଆଗେ ସୀଫ୍‌କୁ ଗଲେ। ମାତ୍ର ଦାଉଦ ଓ ତାହାଙ୍କ ଲୋକମାନେ ଯିଶୀମୋନର ଦକ୍ଷିଣସ୍ଥ ଅରାବା ନାମକ ମାୟୋନ୍‌ ପ୍ରାନ୍ତରରେ ଥିଲେ। ଆଉ ଶାଉଲ ଓ ତାହାଙ୍କ ଲୋକମାନେ ଅନ୍ଵେଷଣ କରିବାକୁ ଗଲେ। ଏହା ଦାଉଦଙ୍କୁ ଜଣାଇ ଦିଆଯିବାରୁ ସେ ଶୈଳ ନିକଟକୁ ଓହ୍ଲାଇ ଯାଇ ମାୟୋନ୍‌ ପ୍ରାନ୍ତରରେ ରହିଲେ। ତାହା ଶୁଣି ଶାଉଲ ମାୟୋନ୍‌ ପ୍ରାନ୍ତରକୁ ଦାଉଦଙ୍କ ପଛେ ପଛେ ଯାଇ ଅନୁଧାବନ କଲେ। ଆଉ ଶାଉଲ ପର୍ବତର ଏକ ପାର୍ଶ୍ଵ ଦେଇ ଗଲେ ଓ ଦାଉଦ ଓ ତାହାଙ୍କ ଲୋକମାନେ ପର୍ବତର ଅନ୍ୟ ପାର୍ଶ୍ଵ ଦେଇ ଗଲେ; ଆଉ ଦାଉଦ ଶାଉଲଙ୍କଠାରୁ ପଳାଇବା ପାଇଁ ବ୍ୟସ୍ତ ହେଉଥିଲେ, କାରଣ ଶାଉଲ ଓ ତାହାଙ୍କ ଲୋକମାନେ ଦାଉଦ ଓ ତାହାଙ୍କ ଲୋକମାନଙ୍କୁ ଧରିବା ପାଇଁ ଚାରିଆଡ଼ୁ ଘେରି ଆସୁଥିଲେ। ମାତ୍ର ଜଣେ ଦୂତ ଶାଉଲଙ୍କ ନିକଟକୁ ଆସି କହିଲା, “ଶୀଘ୍ର ଆସନ୍ତୁ, କାରଣ ପଲେଷ୍ଟୀୟମାନେ ଦେଶ ଆକ୍ରମଣ କରିଅଛନ୍ତି।” ତେଣୁ ଶାଉଲ ଦାଉଦଙ୍କ ପଛେ ଅନୁଧାବନ କରିବା ବନ୍ଦ କରି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଗଲେ; ଏହେତୁ ଲୋକେ ସେହି ସ୍ଥାନର ନାମ ସେଲା-ହମ୍ମହଲଙ୍କୋତ୍‌ ରଖିଲେ। a a v28 ସେଲା-ହମ୍ମହଲଙ୍କୋତ୍‌ର ଅର୍ଥ “ବିଚ୍ଛେଦର ଶୈଳ” — ଯେଉଁ ସ୍ଥାନରେ ପଲେଷ୍ଟୀୟମାନଙ୍କ ଆକ୍ରମଣ ଶାଉଲଙ୍କୁ ଅନୁଧାବନ ଛାଡ଼ିବାକୁ ବାଧ୍ୟ କରିବାରୁ ଶାଉଲ ଓ ଦାଉଦ ପରସ୍ପରଠାରୁ ବିଭକ୍ତ ହେଲେ। ଏଉତ୍ତାରେ ଦାଉଦ ସେଠାରୁ ଉଠିଯାଇ ଐନ୍‌-ଗଦୀର ଦୁର୍ଗ ସମୂହରେ ବାସ କଲେ।