ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଦାଉଦ ଗୁମ୍ଫାରେ ଆଶ୍ରୟ ନେଲେ

ଋଣଗ୍ରସ୍ତ, ଦୁର୍ଦ୍ଦଶାଗ୍ରସ୍ତ ବା ତିକ୍ତମନା ସମସ୍ତେ ଏକ ଗୁମ୍ଫାରେ ଦାଉଦଙ୍କ ପାଖରେ ଏକତ୍ର ହୁଅନ୍ତି, ଚାରି ଶହ ଲୋକ। ଏକ ଝାଉଁ ଗଛ ତଳେ ନିଜ କ୍ଷୋଭକୁ ପୋଷୁଥିବା ଶାଉଲ ଦୋୟେଗ ଦ୍ୱାରା ଆମ୍ଭମାନଙ୍କ ପିତାଙ୍କର ପଚାଶୀ ଜଣ ଯାଜକଙ୍କୁ ଓ ସମଗ୍ର ନୋବ ନଗରକୁ ସଂହାର କରାନ୍ତି। ଜଣେ ପୁତ୍ର ପଳାଇଯାଏ, ଏବଂ ଦାଉଦ କହନ୍ତି ଯେ ସେମାନଙ୍କ ମୃତ୍ୟୁର କାରଣ ସେ।

ଅଧ୍ୟାୟ 22।

ଦାଉଦ ସେଠାରୁ ପ୍ରସ୍ଥାନ କରି ଅଦୁଲ୍ଲମର ଗୁମ୍ଫାକୁ ପଳାଇଗଲେ; ତାହାଙ୍କ ଭ୍ରାତୃଗଣ ଓ ତାହାଙ୍କ ପିତୃଗୃହର ସମସ୍ତେ ଏହା ଶୁଣି ସେଠାକୁ ତାହାଙ୍କ ନିକଟକୁ ଓହ୍ଲାଇ ଆସିଲେ। ପୁଣି ଯେତେ ଲୋକ ସଙ୍କଟରେ, ଋଣଗ୍ରସ୍ତ ବା ମନରେ ତିକ୍ତ ଥିଲେ, ସମସ୍ତେ ତାହାଙ୍କ ନିକଟରେ ଏକତ୍ର ହେଲେ; ଆଉ ସେ ସେମାନଙ୍କ ସେନାପତି ହେଲେ—ପ୍ରାୟ ଚାରି ଶହ ଲୋକ ଥିଲେ। ଦାଉଦ ସେଠାରୁ ମୋୟାବ ଦେଶର ମିସ୍ପିକୁ ଯାଇ ତହିଁର ରାଜାଙ୍କୁ କହିଲେ, “ଆମ୍ଭମାନଙ୍କ ପିତା ମୋʼ ନିମନ୍ତେ କʼଣ କରିବେ, ତାହା ମୁଁ ନ ଜାଣିବା ପର୍ଯ୍ୟନ୍ତ ଆପଣ ଅନୁଗ୍ରହ କରି ମୋʼ ପିତା ଓ ମାତାଙ୍କୁ ଆସି ଆପଣଙ୍କ ସଙ୍ଗରେ ରହିବାକୁ ଦିଅନ୍ତୁ।” ତହିଁରେ ସେ ସେମାନଙ୍କୁ ମୋୟାବର ରାଜାଙ୍କ ନିକଟରେ ଛାଡ଼ିଆସିଲେ; ଆଉ ଦାଉଦ ଦୁର୍ଗରେ ଥିବା ସମସ୍ତ ସମୟ ସେମାନେ ତାହାଙ୍କ ସଙ୍ଗରେ ବାସ କଲେ। ତହୁଁ ଗାଦ୍‍ ଭାବବାଦୀ ଦାଉଦଙ୍କୁ କହିଲେ, “ଦୁର୍ଗରେ ରୁହ ନାହିଁ; ପ୍ରସ୍ଥାନ କରି ଯିହୂଦା ଦେଶକୁ ଯାଅ।” ତେଣୁ ଦାଉଦ ପ୍ରସ୍ଥାନ କରି ହେରତ୍‍ ବନକୁ ଗଲେ।

ଶାଉଲ ପିତାଙ୍କ ଯାଜକମାନଙ୍କୁ ବଧ କଲେ

ଦାଉଦ ଓ ତାହାଙ୍କ ସଙ୍ଗୀମାନଙ୍କର ସନ୍ଧାନ ମିଳିଅଛି ବୋଲି ଶାଉଲ ଶୁଣିଲେ। ସେତେବେଳେ ଶାଉଲ ଗିବୀୟାରେ ଉଚ୍ଚସ୍ଥାନରେ ଝାଉଁ ବୃକ୍ଷ ତଳେ ହସ୍ତରେ ବର୍ଚ୍ଛା ଧରି ବସିଥିଲେ, ଆଉ ତାହାଙ୍କ ଦାସ ସମସ୍ତେ ତାହାଙ୍କ ଚତୁର୍ଦ୍ଦିଗରେ ଠିଆ ହୋଇଥିଲେ। ତହିଁରେ ଶାଉଲ ଆପଣା ପାର୍ଶ୍ଵବର୍ତ୍ତୀ ଦାସମାନଙ୍କୁ କହିଲେ, “ହେ ବିନ୍ୟାମୀନ୍‍ ବଂଶୀୟ ଲୋକମାନେ, ଶୁଣ! ଯିଶୀର ପୁତ୍ର କʼଣ ତୁମ୍ଭ ସମସ୍ତଙ୍କୁ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦେବ? କʼଣ ସେ ତୁମ୍ଭ ସମସ୍ତଙ୍କୁ ସହସ୍ରପତି ଓ ଶତପତି କରିବ, ଯେ ତୁମ୍ଭେ ସମସ୍ତେ ମୋʼ ବିରୁଦ୍ଧରେ ଚକ୍ରାନ୍ତ କରିଅଛ? ମୋହର ପୁତ୍ର ଯିଶୀର ପୁତ୍ର ସହିତ ନିୟମ କରିଅଛି ବୋଲି କେହି ମୋତେ କହୁ ନାହିଁ। ତୁମ୍ଭମାନଙ୍କ ମଧ୍ୟରୁ କେହି ମୋʼ ନିମନ୍ତେ ଦୁଃଖ କରୁ ନାହିଁ, କିଅବା ମୋହର ପୁତ୍ର ଆଜିର ପରି ମୋʼ ଉପରେ ଛକି ବସିବା ପାଇଁ ମୋʼ ଦାସକୁ ମୋʼ ବିରୁଦ୍ଧରେ ଉତ୍ତେଜିତ କରିଅଛି ବୋଲି କେହି ମୋତେ କହୁ ନାହିଁ।”

ସେତେବେଳେ ଇଦୋମୀୟ ଦୋୟେଗ୍‍ ଶାଉଲଙ୍କ ଦାସମାନଙ୍କ ସଙ୍ଗରେ ଠିଆ ହୋଇ ଉତ୍ତର ଦେଲା, “ମୁଁ ଯିଶୀର ପୁତ୍ରକୁ ନୋବ୍‍କୁ ଅହୀଟୂବ୍‍ର ପୁତ୍ର ଅହୀମେଲକ୍‍ ନିକଟକୁ ଆସିବାର ଦେଖିଲି। ଅହୀମେଲକ୍‍ ତାହାରି ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପଚାରିଲା, ପୁଣି ତାହାକୁ ଖାଦ୍ୟସାମଗ୍ରୀ ଓ ପଲେଷ୍ଟୀୟ ଗଲୀୟାତ୍‍ର ଖଡ୍ଗ ଦେଲା।”

ତହିଁରେ ରାଜା ଅହୀଟୂବ୍‍ର ପୁତ୍ର ଅହୀମେଲକ୍‍ ଯାଜକକୁ ଓ ତାହାର ପିତୃଗୃହର ସମସ୍ତଙ୍କୁ, ଅର୍ଥାତ୍‍ ନୋବ୍‍ସ୍ଥିତ ଯାଜକମାନଙ୍କୁ ଡକାଇ ପଠାଇଲେ; ପୁଣି ସେମାନେ ସମସ୍ତେ ରାଜାଙ୍କ ନିକଟକୁ ଆସିଲେ। ଶାଉଲ କହିଲେ, “ହେ ଅହୀଟୂବ୍‍ର ପୁତ୍ର, ଏବେ ଶୁଣ।” ସେ ଉତ୍ତର ଦେଲା, “ହେ ମୋʼ ପ୍ରଭୁ, ଦେଖନ୍ତୁ, ମୁଁ ଏଠାରେ ଅଛି।”

ତହିଁରେ ଶାଉଲ ପଚାରିଲେ, “ତୁମ୍ଭେ ଓ ଯିଶୀର ପୁତ୍ର କାହିଁକି ମୋʼ ବିରୁଦ୍ଧରେ ଚକ୍ରାନ୍ତ କରିଅଛ? ଆଜିର ପରି ସେ ମୋʼ ବିରୁଦ୍ଧରେ ଉଠି ଛକି ବସିବା ପାଇଁ ତୁମ୍ଭେ ତାହାକୁ ରୁଟି ଓ ଖଡ୍ଗ ଦେଇ ତାହା ନିମନ୍ତେ ଈଶ୍ଵରଙ୍କ ନିକଟରେ ପଚାରିଅଛ।”

ତେବେ ଅହୀମେଲକ୍‍ ରାଜାଙ୍କୁ ଉତ୍ତର ଦେଲା, “ଆପଣଙ୍କ ସମସ୍ତ ଦାସଙ୍କ ମଧ୍ୟରେ ଦାଉଦ ତୁଲ୍ୟ ବିଶ୍ଵସ୍ତ କିଏ ଅଛି, ଯେ କି ରାଜାଙ୍କ ଜୁଆଁଇ ଓ ଆପଣଙ୍କ ଅଙ୍ଗରକ୍ଷକମାନଙ୍କ ଅଧ୍ୟକ୍ଷ, ପୁଣି ଆପଣଙ୍କ ଗୃହରେ ସମାଦୃତ? ମୁଁ କʼଣ ଆଜି ତାହା ନିମନ୍ତେ ଆମ୍ଭମାନଙ୍କ ପିତାଙ୍କ ନିକଟରେ ପଚାରିବାକୁ ଆରମ୍ଭ କଲି? ଏହା ମୋʼଠାରୁ ଦୂରେ ଥାଉ! ରାଜା ଆପଣା ଦାସ ଉପରେ, କିଅବା ମୋʼ ପିତୃଗୃହର ସମସ୍ତଙ୍କ ଉପରେ କୌଣସି ଦୋଷ ନ ଦେଉନ୍ତୁ; କାରଣ ଆପଣଙ୍କ ଦାସ ଏହିସବୁ ବିଷୟର ଅଳ୍ପ କି ଅଧିକ କିଛି ହିଁ ଜାଣି ନାହିଁ।”

ମାତ୍ର ରାଜା କହିଲେ, “ହେ ଅହୀମେଲକ୍‍, ତୁମ୍ଭେ ଅବଶ୍ୟ ମରିବ, ତୁମ୍ଭେ ଓ ତୁମ୍ଭ ପିତୃଗୃହର ସମସ୍ତେ।” ପୁଣି ରାଜା ଆପଣା ପାର୍ଶ୍ଵବର୍ତ୍ତୀ ଅଙ୍ଗରକ୍ଷକମାନଙ୍କୁ କହିଲେ, “ଫେରି ଆମ୍ଭମାନଙ୍କ ପିତାଙ୍କ ଯାଜକମାନଙ୍କୁ ବଧ କର; କାରଣ ସେମାନଙ୍କ ହସ୍ତ ମଧ୍ୟ ଦାଉଦ ସଙ୍ଗରେ ଅଛି, ଆଉ ସେ ପଳାଉଅଛି ବୋଲି ଜାଣି ହେଁ ସେମାନେ ମୋତେ ତାହା ଜଣାଇଲେ ନାହିଁ।” ମାତ୍ର ରାଜାଙ୍କ ଦାସମାନେ ଆମ୍ଭମାନଙ୍କ ପିତାଙ୍କ ଯାଜକମାନଙ୍କୁ ଆକ୍ରମଣ କରିବା ପାଇଁ ହସ୍ତ ଉଠାଇବାକୁ ସମ୍ମତ ହେଲେ ନାହିଁ।

ତେଣୁ ରାଜା ଦୋୟେଗ୍‍କୁ କହିଲେ, “ତୁମ୍ଭେ ଫେରି ଯାଜକମାନଙ୍କୁ ଆକ୍ରମଣ କର।” ତହିଁରେ ଇଦୋମୀୟ ଦୋୟେଗ୍‍ ଫେରି ଯାଜକମାନଙ୍କୁ ଆକ୍ରମଣ କଲା, ପୁଣି ସେହି ଦିନ ଶୁକ୍ଲ ବସ୍ତ୍ରର ଏଫୋଦ୍‍ ପିନ୍ଧିଥିବା ପଞ୍ଚାଅଶୀ ଜଣ ଲୋକଙ୍କୁ ବଧ କଲା।

ଆଉ ସେ ଯାଜକମାନଙ୍କ ନଗର ନୋବ୍‍କୁ ଖଡ୍ଗଧାରରେ ଆଘାତ କଲା—ପୁରୁଷ ଓ ସ୍ତ୍ରୀ, ବାଳକ ଓ ଦୁଗ୍ଧପୋଷ୍ୟ ଶିଶୁ, ଗୋରୁ, ଗର୍ଦ୍ଦଭ ଓ ମେଷ—ସମସ୍ତଙ୍କୁ ଖଡ୍ଗଧାରରେ ଆଘାତ କଲା। ମାତ୍ର ଅହୀଟୂବ୍‍ର ପୁତ୍ର ଅହୀମେଲକ୍‍ର ପୁତ୍ରମାନଙ୍କ ମଧ୍ୟରୁ ଅବୀୟାଥର ନାମକ ଏକ ଜଣ ରକ୍ଷା ପାଇ ଦାଉଦଙ୍କ ନିକଟକୁ ପଳାଇଗଲା। ପୁଣି ଶାଉଲ ଆମ୍ଭମାନଙ୍କ ପିତାଙ୍କ ଯାଜକମାନଙ୍କୁ ବଧ କରିଅଛନ୍ତି ବୋଲି ଅବୀୟାଥର ଦାଉଦଙ୍କୁ ଜଣାଇଲା।

ତହିଁରେ ଦାଉଦ ଅବୀୟାଥରକୁ କହିଲେ, “ସେଦିନ ଇଦୋମୀୟ ଦୋୟେଗ୍‍ ସେଠାରେ ଥିବାରୁ ସେ ଅବଶ୍ୟ ଶାଉଲଙ୍କୁ ଜଣାଇବ ବୋଲି ମୁଁ ଜାଣିଥିଲି। ତୁମ୍ଭ ପିତୃଗୃହର ସମସ୍ତଙ୍କ ମୃତ୍ୟୁର କାରଣ ମୁଁ ହୋଇଅଛି। ତୁମ୍ଭେ ମୋʼ ସଙ୍ଗରେ ରୁହ, ଭୟ କର ନାହିଁ; କାରଣ ଯେ ମୋʼ ପ୍ରାଣ ଅନ୍ଵେଷଣ କରେ, ସେ ତୁମ୍ଭ ପ୍ରାଣ ମଧ୍ୟ ଅନ୍ଵେଷଣ କରେ। ମୋʼ ସଙ୍ଗରେ ତୁମ୍ଭେ ନିରାପଦ।”