ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଦାଉଦ ପୁନର୍ବାର ପିତାଙ୍କ ଅଭିଷିକ୍ତଙ୍କୁ ରକ୍ଷା କଲେ

ସମସ୍ତେ ଶୋଇଥିବା ବେଳେ ଦାଉଦ ରାତିରେ ଶାଉଲଙ୍କ ଛାଉଣୀରେ ଚୁପଚାପ ପଶନ୍ତି ଓ ତାଙ୍କ ମୁଣ୍ଡ ପାଖରୁ ବର୍ଚ୍ଛା ନେଇଯାଆନ୍ତି। ଅବୀଶୟ ଥରେ ଭୁଷିବାକୁ ଚାହାନ୍ତି; ଦାଉଦ ଆମ୍ଭମାନଙ୍କ ପିତାଙ୍କ ଅଭିଷିକ୍ତଙ୍କୁ ଛୁଇଁବେ ନାହିଁ। ସେ ଉପତ୍ୟକା ପାର ହୋଇ ପ୍ରମାଣ ଚିତ୍କାର କରି ଜଣାନ୍ତି, ଏବଂ ଶାଉଲ ପୁଣି ସ୍ୱୀକାର କରନ୍ତି ଯେ ସେ ପାପ କରିଛନ୍ତି।

ଅଧ୍ୟାୟ 26।

ସୀଫୀୟମାନେ ଗିବୀୟାସ୍ଥିତ ଶାଉଲଙ୍କ ନିକଟକୁ ଆସି କହିଲେ, “ଦାଉଦ କʼଣ ଯିଶୀମୋନ୍‌ ସମ୍ମୁଖସ୍ଥ ହଖୀଲା ପର୍ବତରେ ଲୁଚି ରହି ନାହିଁ?” ତେଣୁ ଶାଉଲ ସୀଫ୍‌ ପ୍ରାନ୍ତରରେ ଦାଉଦଙ୍କୁ ଖୋଜିବା ନିମନ୍ତେ ଇସ୍ରାଏଲର ତିନି ହଜାର ବଛା ଲୋକ ସଙ୍ଗେ ନେଇ ସେଠାକୁ ଓହ୍ଲାଇ ଗଲେ। ଶାଉଲ ଯିଶୀମୋନ୍‌ ସମ୍ମୁଖସ୍ଥ ହଖୀଲା ପର୍ବତରେ ପଥ ପାର୍ଶ୍ଵରେ ଛାଉଣି ସ୍ଥାପନ କଲେ, ମାତ୍ର ଦାଉଦ ପ୍ରାନ୍ତରରେ ରହିଲେ। ଶାଉଲ ପ୍ରାନ୍ତରକୁ ତାଙ୍କ ପଛେ ପଛେ ଆସିଅଛନ୍ତି ବୋଲି ଦାଉଦ ଦେଖିଲେ, ଏଣୁ ସେ ଗୁପ୍ତଚରମାନଙ୍କୁ ପଠାଇଲେ ଓ ଜାଣିଲେ ଯେ ଶାଉଲ ପ୍ରକୃତରେ ଆସିଅଛନ୍ତି। ଏଉତ୍ତାରେ ଦାଉଦ ଶାଉଲଙ୍କ ଛାଉଣି ସ୍ଥାନକୁ ଉଠି ଯାଇ ଶାଉଲ ଓ ତାଙ୍କ ସେନାପତି ନେର୍‌ର ପୁତ୍ର ଅବ୍‌ନର ଶୟନ କରିଥିବା ସ୍ଥାନ ଦେଖିଲେ। ଶାଉଲ ଛାଉଣି ମଧ୍ୟରେ ଶୟନ କରିଥିଲେ ଓ ସୈନ୍ୟମାନେ ତାଙ୍କ ଚତୁର୍ଦ୍ଦିଗରେ ଥିଲେ। ତେବେ ଦାଉଦ ହିତ୍ତୀୟ ଅହୀମେଲକ୍‌ ଓ ସରୁୟାର ପୁତ୍ର, ଯୋୟାବର ଭ୍ରାତା ଅବୀଶୟକୁ ପଚାରିଲେ, “ଶାଉଲଙ୍କ ଛାଉଣିକୁ ମୋʼ ସଙ୍ଗେ କିଏ ଓହ୍ଲାଇ ଯିବ?” ଅବୀଶୟ କହିଲା, “ମୁଁ ଆପଣଙ୍କ ସଙ୍ଗେ ଓହ୍ଲାଇ ଯିବି।”

ଏହିରୂପେ ଦାଉଦ ଓ ଅବୀଶୟ ରାତ୍ରିରେ ସୈନ୍ୟମାନଙ୍କ ନିକଟକୁ ଆସିଲେ। ଶାଉଲ ଛାଉଣିରେ ଶୟନ କରି ନିଦ୍ରିତ ଥିଲେ, ତାଙ୍କ ମସ୍ତକ ପାଖରେ ତାଙ୍କ ବର୍ଚ୍ଛା ଭୂମିରେ ବିଦ୍ଧ ହୋଇ ରହିଥିଲା, ଆଉ ଅବ୍‌ନର ଓ ସୈନ୍ୟମାନେ ତାଙ୍କ ଚତୁର୍ଦ୍ଦିଗରେ ଥିଲେ। ସେତେବେଳେ ଅବୀଶୟ ଦାଉଦଙ୍କୁ କହିଲା, “ପିତା ଆଜି ଆପଣଙ୍କ ଶତ୍ରୁକୁ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ଏଣୁ ମୁଁ ବିନତି କରୁଅଛି, ଗୋଟିଏ ବର୍ଚ୍ଛା ଆଘାତରେ ମୋତେ ତାହାକୁ ଭୂମିରେ ବିଦ୍ଧ କରିବାକୁ ଦେଉନ୍ତୁ, ଦ୍ଵିତୀୟ ଥର ଆଘାତ କରିବାକୁ ପଡ଼ିବ ନାହିଁ।”

ମାତ୍ର ଦାଉଦ ଅବୀଶୟକୁ କହିଲେ, “ତାହାଙ୍କୁ ବିନାଶ କର ନାହିଁ! ପିତାଙ୍କ ଅଭିଷିକ୍ତଙ୍କ ବିରୁଦ୍ଧରେ ହସ୍ତ ଉଠାଇ କିଏ ନିର୍ଦ୍ଦୋଷ ରହିପାରିବ?” ଦାଉଦ ଆହୁରି କହିଲେ, “ପିତା ଜୀବିତ ଥିବା ପ୍ରମାଣେ, ପିତା ହିଁ ତାହାଙ୍କୁ ଆଘାତ କରିବେ, ଅବା ତାହାଙ୍କ ଦିନ ଉପସ୍ଥିତ ହେବ ଓ ସେ ମରିବେ, ଅବା ସେ ଯୁଦ୍ଧକୁ ଯାଇ ବିନଷ୍ଟ ହେବେ। ପିତାଙ୍କ ଅଭିଷିକ୍ତଙ୍କ ବିରୁଦ୍ଧରେ ମୋʼ ହସ୍ତ ଉଠାଇବା ପିତାଙ୍କ ସାକ୍ଷାତରେ ମୋʼଠାରୁ ଦୂରେ ଥାଉ। ବର୍ତ୍ତମାନ ତାହାଙ୍କ ମସ୍ତକ ପାଖର ବର୍ଚ୍ଛା ଓ ଜଳ-କୁଣ୍ଡିକା ନେଇ ଆମ୍ଭେମାନେ ଚାଲିଯିବା।”

ଏଣୁ ଦାଉଦ ଶାଉଲଙ୍କ ମସ୍ତକ ପାଖରୁ ବର୍ଚ୍ଛା ଓ ଜଳ-କୁଣ୍ଡିକା ନେଲେ; ଆଉ ସେମାନେ ଚାଲିଗଲେ। କେହି ସେମାନଙ୍କୁ ଦେଖିଲା ନାହିଁ, କି କେହି ଜାଣିଲା ନାହିଁ, କି କେହି ଜାଗିଲା ନାହିଁ, କାରଣ ପିତାଙ୍କଠାରୁ ଏକ ଗାଢ଼ ନିଦ୍ରା ସେମାନଙ୍କ ସମସ୍ତଙ୍କ ଉପରେ ପଡ଼ିଥିଲା।

ତହିଁ ଉତ୍ତାରେ ଦାଉଦ ସେପାରିକୁ ଯାଇ ଦୂରସ୍ଥ ଏକ ପର୍ବତ ଶୃଙ୍ଗ ଉପରେ ଠିଆ ହେଲେ, ସେମାନଙ୍କ ମଧ୍ୟରେ ବହୁ ବ୍ୟବଧାନ ଥିଲା। ପୁଣି ଦାଉଦ ସୈନ୍ୟମାନଙ୍କୁ ଓ ନେର୍‌ର ପୁତ୍ର ଅବ୍‌ନରକୁ ଡାକି କହିଲେ, “ହେ ଅବ୍‌ନର, ତୁମ୍ଭେ କʼଣ ଉତ୍ତର ଦେବ ନାହିଁ?” ଅବ୍‌ନର ଉତ୍ତର ଦେଲା, “ରାଜାଙ୍କୁ ଡାକୁଥିବା ତୁମ୍ଭେ କିଏ?”

ଦାଉଦ ଅବ୍‌ନରକୁ କହିଲେ, “ତୁମ୍ଭେ କʼଣ ବୀର ପୁରୁଷ ନୁହଁ? ଇସ୍ରାଏଲ ମଧ୍ୟରେ ତୁମ୍ଭ ତୁଲ୍ୟ କିଏ ଅଛି? ତେବେ ତୁମ୍ଭେ ଆପଣା ପ୍ରଭୁ ରାଜାଙ୍କୁ କାହିଁକି ରକ୍ଷା କଲ ନାହିଁ? କାରଣ ତୁମ୍ଭ ପ୍ରଭୁ ରାଜାଙ୍କୁ ବିନାଶ କରିବା ନିମନ୍ତେ ଜଣେ ଆସିଥିଲା। ତୁମ୍ଭେ ଯାହା କଲ, ତାହା ଭଲ ନୁହେଁ। ପିତା ଜୀବିତ ଥିବା ପ୍ରମାଣେ, ତୁମ୍ଭେ ଆପଣା ପ୍ରଭୁ, ପିତାଙ୍କ ଅଭିଷିକ୍ତଙ୍କୁ ରକ୍ଷା ନ କରିଥିବାରୁ ତୁମ୍ଭେ ସମସ୍ତେ ବଧଯୋଗ୍ୟ। ବର୍ତ୍ତମାନ ଦେଖ, ରାଜାଙ୍କ ମସ୍ତକ ପାଖର ବର୍ଚ୍ଛା ଓ ଜଳ-କୁଣ୍ଡିକା କାହାନ୍ତି?”

ସେତେବେଳେ ଶାଉଲ ଦାଉଦଙ୍କ ସ୍ଵର ଚିହ୍ନି କହିଲେ, “ହେ ମୋʼ ପୁତ୍ର ଦାଉଦ, ଏ କʼଣ ତୁମ୍ଭର ସ୍ଵର?” ଦାଉଦ କହିଲେ, “ହେ ମୋʼ ପ୍ରଭୁ ମହାରାଜ, ଏ ମୋʼ ସ୍ଵର।”

ପୁଣି ସେ କହିଲେ, “ମୋʼ ପ୍ରଭୁ କାହିଁକି ଆପଣା ଦାସ ପଛେ ପଛେ ଗୋଡ଼ାଉଅଛନ୍ତି? ମୁଁ କʼଣ କରିଅଛି? ମୋʼ ହସ୍ତରେ କʼଣ ଦୁଷ୍କର୍ମ ଅଛି? ଏଣୁ ବର୍ତ୍ତମାନ ମୁଁ ବିନତି କରୁଅଛି, ମୋʼ ପ୍ରଭୁ ମହାରାଜ ଆପଣା ଦାସର ବାକ୍ୟ ଶ୍ରବଣ କରନ୍ତୁ: ଯଦି ପିତା ଆପଣଙ୍କୁ ମୋʼ ବିରୁଦ୍ଧରେ ଉତ୍ତେଜିତ କରିଅଛନ୍ତି, ତେବେ ସେ ନୈବେଦ୍ୟ ଗ୍ରହଣ କରନ୍ତୁ; ମାତ୍ର ଯଦି ମନୁଷ୍ୟମାନେ ଏହା କରିଅଛନ୍ତି, ତେବେ ସେମାନେ ପିତାଙ୍କ ସାକ୍ଷାତରେ ଅଭିଶପ୍ତ ହେଉନ୍ତୁ, କାରଣ ‘ଯାଅ, ଅନ୍ୟ ଦେବତାମାନଙ୍କର ସେବା କର’ ବୋଲି କହି ସେମାନେ ଆଜି ପିତାଙ୍କ ଅଧିକାରସ୍ଥ ମୋʼ ଅଂଶରୁ ମୋତେ ତଡ଼ି ଦେଇଅଛନ୍ତି। ଏଣୁ ପିତାଙ୍କ ସାକ୍ଷାତଠାରୁ ଦୂରରେ ମୋʼ ରକ୍ତ ଭୂମିରେ ନ ପଡ଼ୁ, କାରଣ ଲୋକେ ଯେପରି ପର୍ବତରେ ତିତ୍ତିର ପକ୍ଷୀ ପଛେ ଗୋଡ଼ାନ୍ତି, ସେପରି ଇସ୍ରାଏଲର ରାଜା ଗୋଟିଏ ଡାଆଁଶ ଖୋଜିବାକୁ ବାହାରି ଆସିଅଛନ୍ତି।”

ତେବେ ଶାଉଲ କହିଲେ, “ମୁଁ ପାପ କରିଅଛି। ହେ ମୋʼ ପୁତ୍ର ଦାଉଦ, ଫେରି ଆସ। ଆଜି ତୁମ୍ଭ ଦୃଷ୍ଟିରେ ମୋʼ ପ୍ରାଣ ବହୁମୂଲ୍ୟ ବୋଧ ହୋଇଥିବାରୁ ମୁଁ ଆଉ ତୁମ୍ଭର କ୍ଷତି କରିବି ନାହିଁ। ମୁଁ ମୂର୍ଖ ହୋଇ ବଡ଼ ଭ୍ରାନ୍ତ ହୋଇଅଛି।”

ତହିଁରେ ଦାଉଦ ଉତ୍ତର ଦେଲେ, “ଏହି ଦେଖ ରାଜାଙ୍କ ବର୍ଚ୍ଛା। ଜଣେ ଯୁବା ଲୋକ ଆସି ଏହା ନେଇଯାଉ। ପିତା ପ୍ରତ୍ୟେକ ଜଣକୁ ତାହାର ଧାର୍ମିକତା ଓ ବିଶ୍ଵସ୍ତତା ଅନୁସାରେ ପ୍ରତିଫଳ ଦିଅନ୍ତି। ଆଜି ପିତା ଆପଣଙ୍କୁ ମୋʼ ହସ୍ତରେ ସମର୍ପଣ କରିଥିଲେ, ମାତ୍ର ମୁଁ ପିତାଙ୍କ ଅଭିଷିକ୍ତଙ୍କ ବିରୁଦ୍ଧରେ ଆପଣା ହସ୍ତ ଉଠାଇଲି ନାହିଁ। ଆଉ ଦେଖ, ଆଜି ଯେପରି ଆପଣଙ୍କ ପ୍ରାଣ ମୋʼ ଦୃଷ୍ଟିରେ ବହୁମୂଲ୍ୟ ବୋଧ ହେଲା, ସେହିପରି ମୋʼ ପ୍ରାଣ ପିତାଙ୍କ ଦୃଷ୍ଟିରେ ବହୁମୂଲ୍ୟ ବୋଧ ହେଉ ଓ ସେ ମୋତେ ସମସ୍ତ ସଙ୍କଟରୁ ଉଦ୍ଧାର କରନ୍ତୁ।”

ସେତେବେଳେ ଶାଉଲ ଦାଉଦଙ୍କୁ କହିଲେ, “ହେ ମୋʼ ପୁତ୍ର ଦାଉଦ, ତୁମ୍ଭେ ଧନ୍ୟ; ତୁମ୍ଭେ ମହତ୍‌ କର୍ମ କରିବ ଓ ନିଶ୍ଚୟ ଜୟଯୁକ୍ତ ହେବ।” ତହୁଁ ଦାଉଦ ଆପଣା ପଥରେ ଗଲେ; ଆଉ ଶାଉଲ ଆପଣା ସ୍ଥାନକୁ ଫେରିଗଲେ।