ଦାଉଦ ପଲେଷ୍ଟୀୟମାନଙ୍କ ମଧ୍ୟରେ ଆଶ୍ରୟ ନେଲେ
ଶାଉଲ ଶେଷରେ ତାଙ୍କୁ ଧରିବେ ବୋଲି ନିଶ୍ଚିତ ହୋଇ, ଦାଉଦ ଗାଥର ଆଖୀଶ ପକ୍ଷକୁ ଚାଲିଯାଆନ୍ତି ଓ ସିକ୍ଲଗ ପାଆନ୍ତି। ସେ ଦକ୍ଷିଣର ଜାତିମାନଙ୍କ ଉପରେ ଆକ୍ରମଣ କରନ୍ତି, ପ୍ରତ୍ୟେକ ସାକ୍ଷୀକୁ ମାରନ୍ତି, ଏବଂ ଆଖୀଶଙ୍କୁ କହନ୍ତି ଯେ ସେ ଯିହୁଦା ଉପରେ ଆକ୍ରମଣ କରୁଛନ୍ତି। ଆଖୀଶ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି। ଏଠାରେ କିଛି ପ୍ରଶଂସନୀୟ ନାହିଁ, ଏବଂ ଶାସ୍ତ୍ର ଏହାକୁ ସିଧାସଳଖ ବର୍ଣ୍ଣନା କରେ।
27 1ଦାଉଦ ମନେ ମନେ ଭାବିଲେ, “ଦିନେ ନା ଦିନେ ମୁଁ ଶାଉଲଙ୍କ ହସ୍ତ ଦ୍ଵାରା ବିନଷ୍ଟ ହୋଇଯିବି। ପଲେଷ୍ଟୀୟମାନଙ୍କ ଦେଶକୁ ତୁରନ୍ତ ପଳାଇଯିବା ଅପେକ୍ଷା ମୋʼ ପକ୍ଷରେ ଭଲ କିଛି ନାହିଁ। ତେବେ ଶାଉଲ ଇସ୍ରାଏଲର ସୀମା ମଧ୍ୟରେ କୌଣସି ସ୍ଥାନରେ ମୋତେ ଅନ୍ଵେଷଣ କରିବା ଛାଡ଼ିଦେବେ, ଆଉ ମୁଁ ତାହାଙ୍କ ହସ୍ତରୁ ରକ୍ଷା ପାଇବି।” 2ତେଣୁ ଦାଉଦ ବାହାରି ଆପଣା ସଙ୍ଗର ଛଅ ଶହ ଲୋକ ସହିତ ଗାଥ୍ର ରାଜା ମାୟୋକ୍ର ପୁତ୍ର ଆଖୀଶ୍ଙ୍କ ନିକଟକୁ ପାର ହୋଇଗଲେ। 3ଆଉ ଦାଉଦ ଓ ତାହାଙ୍କ ଲୋକମାନେ, ପ୍ରତ୍ୟେକେ ଆପଣା ଆପଣା ପରିବାର ସହିତ, ଗାଥ୍ରେ ଆଖୀଶ୍ଙ୍କ ସଙ୍ଗରେ ବାସ କଲେ; ଦାଉଦ ଆପଣା ଦୁଇ ଭାର୍ଯ୍ୟା, ଯିଷ୍ରିୟେଲୀୟା ଅହୀନୋୟମ ଓ ନାବଲର ବିଧଵା କର୍ମିଲୀୟା ଅବୀଗଲ ସହିତ ବାସ କଲେ। 4ପୁଣି ଦାଉଦ ଗାଥ୍କୁ ପଳାଇ ଯାଇଅଛନ୍ତି ବୋଲି ଶାଉଲଙ୍କୁ କୁହାଯାʼନ୍ତେ, ସେ ଆଉ ତାହାଙ୍କୁ ଅନ୍ଵେଷଣ କଲେ ନାହିଁ।
5ଅନନ୍ତର ଦାଉଦ ଆଖୀଶ୍ଙ୍କୁ କହିଲେ, “ଯଦି ମୁଁ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ତେବେ ବାସ କରିବା ନିମନ୍ତେ ଗ୍ରାମମାନଙ୍କର କୌଣସି ଗୋଟିଏ ନଗରରେ ମୋତେ ଏକ ସ୍ଥାନ ଦେଉନ୍ତୁ। କାରଣ ଆପଣଙ୍କ ଦାସ ଆପଣଙ୍କ ସଙ୍ଗରେ ରାଜଧାନୀରେ କାହିଁକି ବାସ କରିବ?” 6ତେଣୁ ଆଖୀଶ୍ ସେହିଦିନ ତାହାଙ୍କୁ ସିକ୍ଲଗ୍ ଦେଲେ; ଏହେତୁ ସିକ୍ଲଗ୍ ଆଜି ପର୍ଯ୍ୟନ୍ତ ଯିହୁଦାର ରାଜାମାନଙ୍କର ଅଟେ। 7ଦାଉଦ ପଲେଷ୍ଟୀୟମାନଙ୍କ ଦେଶରେ ଯେତେକାଳ ବାସ କଲେ, ତାହା ଏକ ବର୍ଷ ଚାରି ମାସ ଥିଲା।
8ପୁଣି ଦାଉଦ ଓ ତାହାଙ୍କ ଲୋକମାନେ ଯାଇ ଗଶୂରୀୟ, ଗିର୍ଷୀୟ ଓ ଅମାଲେକୀୟମାନଙ୍କୁ ଆକ୍ରମଣ କଲେ; କାରଣ ପ୍ରାଚୀନକାଳରୁ ଶୂର ଅଭିମୁଖେ ମିସର ଦେଶ ପର୍ଯ୍ୟନ୍ତ ସେହି ଦେଶ ସେମାନଙ୍କ ବାସସ୍ଥାନ ଥିଲା। 9ଆଉ ଦାଉଦ ଯେତେବେଳେ ସେହି ଦେଶ ଆକ୍ରମଣ କଲେ, ସେତେବେଳେ ପୁରୁଷ କି ସ୍ତ୍ରୀ କାହାକୁ ଜୀଵିତ ରଖିଲେ ନାହିଁ, ପୁଣି ମେଷ, ଗୋରୁ, ଗର୍ଦ୍ଦଭ, ଓଟ ଓ ବସ୍ତ୍ର ନେଇ ଆଖୀଶ୍ଙ୍କ ନିକଟକୁ ଫେରିଆସିଲେ।
10ତହିଁରେ ଆଖୀଶ୍ ପଚାରନ୍ତି, “ତୁମ୍ଭେମାନେ ଆଜି କେଉଁ ଆଡ଼େ ଆକ୍ରମଣ କଲ?” ତହୁଁ ଦାଉଦ କହନ୍ତି, “ଯିହୁଦାର ଦକ୍ଷିଣାଞ୍ଚଳରେ,” କିମ୍ବା “ଯିରହମେଲୀୟମାନଙ୍କ ଦକ୍ଷିଣାଞ୍ଚଳରେ,” ଅଥଵା “କେନୀୟମାନଙ୍କ ଦକ୍ଷିଣାଞ୍ଚଳରେ।”
11ପୁଣି ଗାଥ୍କୁ ଆଣିବା ନିମନ୍ତେ ଦାଉଦ ପୁରୁଷ କି ସ୍ତ୍ରୀ କାହାକୁ ଜୀଵିତ ରଖିଲେ ନାହିଁ, କାରଣ ସେ ଭାବିଲେ, “କେଜାଣି ସେମାନେ ଆମ୍ଭମାନଙ୍କ ବିଷୟରେ ସମାଚାର ଦେଇ କହିବେ, ‘ଦାଉଦ ଏହିପରି କରିଅଛି।’” ପଲେଷ୍ଟୀୟମାନଙ୍କ ଦେଶରେ ବାସ କରିବା ସମୁଦାୟ କାଳ ତାହାଙ୍କ ବ୍ୟଵହାର ଏହିପରି ଥିଲା।
12ଆଉ ଆଖୀଶ୍ ଦାଉଦଙ୍କୁ ବିଶ୍ଵାସ କରି ଭାବିଲେ, “ସେ ଆପଣା ଲୋକ ଇସ୍ରାଏଲ ନିକଟରେ ନିତାନ୍ତ ଘୃଣାର ପାତ୍ର ହୋଇଅଛି; ଏଣୁ ସେ ଅନନ୍ତକାଳ ମୋହର ଦାସ ହୋଇ ରହିବ।”