ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତା ଆପଣା ବାଣୀ ପ୍ରେରଣ କରନ୍ତି

ଯୋହନ ପ୍ରାନ୍ତରରେ ପ୍ରଚାର କରନ୍ତି, ଏବଂ ଲୋକମାନେ ବାରମ୍ବାର ପଚାରନ୍ତି ଯେ ସେମାନେ ପ୍ରକୃତରେ କʼଣ କରିବେ: ଜାମା ବାଣ୍ଟି ଦିଅ, ଅଧିକ ଆଦାୟ କର ନାହିଁ, ବଳପୂର୍ବକ ଛଡ଼ାଇ ନିଅ ନାହିଁ। ସେ ହେରୋଦଙ୍କ ପାପ ପ୍ରକାଶ କରନ୍ତି ଓ ସେଥିପାଇଁ କାରାଗାରରେ ପଡ଼ନ୍ତି। ଯୀଶୁ ଅନ୍ୟ ସମସ୍ତଙ୍କ ସହିତ ବାପ୍ତିଜିତ ହୁଅନ୍ତି, ଏବଂ ତାହାଙ୍କ ପିତା ତାହାଙ୍କୁ ପ୍ରିୟ ପୁତ୍ର ବୋଲି ଡାକନ୍ତି।

ଅଧ୍ୟାୟ 3।

ତୀବରୀୟ କାଇସରଙ୍କ ରାଜତ୍ଵର ପଞ୍ଚଦଶ ବର୍ଷରେ, ଯେତେବେଳେ ପନ୍ତିୟ ପୀଲାତ ଯିହୂଦା ପ୍ରଦେଶର ଶାସନକର୍ତ୍ତା, ହେରୋଦ ଗାଲିଲୀର ସାମନ୍ତରାଜା, ତାଙ୍କ ଭାଇ ଫିଲିପ୍‌ ଇତୁରିୟା ଓ ତ୍ରାଖୋନୀତି ଅଞ୍ଚଳର ସାମନ୍ତରାଜା, ପୁଣି ଲୁସାନିୟ ଅବୀଲୀନୀର ସାମନ୍ତରାଜା ଥିଲେ, ଆଉ ହାନାନ ଓ କୟାଫା ମହାଯାଜକ ଥିବା ସମୟରେ ପ୍ରାନ୍ତରରେ ସିଖରୀୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଉପସ୍ଥିତ ହେଲା। ସେ ପାପ କ୍ଷମା ନିମନ୍ତେ ମନପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରି ସମସ୍ତ ଯର୍ଦ୍ଦନ ଅଞ୍ଚଳ ମଧ୍ୟଦେଇ ଗଲେ, ଯେପରି ଯିଶାଇୟ ଭାବବାଦୀଙ୍କ ବାକ୍ୟ-ପୁସ୍ତକରେ ଲିଖିତ ଅଛି, “ପ୍ରାନ୍ତରରେ ଉଚ୍ଚସ୍ଵରେ ଡାକୁଥିବା ଜଣକର ବାଣୀ: ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜମାର୍ଗସବୁ ସଳଖ କର। ପ୍ରତ୍ୟେକ ଉପତ୍ୟକା ଭରି ଦିଆଯିବ, ଆଉ ପ୍ରତ୍ୟେକ ପର୍ବତ ଓ ଉପପର୍ବତ ଅବନତ କରାଯିବ। ବକ୍ର ପଥସବୁ ସଳଖ ହେବ, ପୁଣି ବନ୍ଧୁର ପଥସବୁ ସମତଳ ହେବ, ଆଉ ସମସ୍ତ ପ୍ରାଣୀ ଆମ୍ଭମାନଙ୍କ ପିତାଙ୍କ ପରିତ୍ରାଣ ଦେଖିବେ।”

ସେତେବେଳେ ଯୋହନଙ୍କ ଦ୍ଵାରା ବାପ୍ତିଜିତ ହେବା ନିମନ୍ତେ ଆସୁଥିବା ଲୋକସମୂହକୁ ସେ କହିଲେ, “ହେ ସର୍ପର ବଂଶ! ଆସୁଥିବା କ୍ରୋଧରୁ ପଳାଇବା ପାଇଁ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? ଅତଏବ ମନପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର। ଅବ୍ରହାମ ଆମ୍ଭମାନଙ୍କ ପିତା ବୋଲି ମନେ ମନେ କହିବାକୁ ଆରମ୍ଭ କର ନାହିଁ। କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆମ୍ଭମାନଙ୍କ ପିତା ଏହି ପଥରଗୁଡ଼ିକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି। ବର୍ତ୍ତମାନ ସୁଦ୍ଧା ବୃକ୍ଷଗୁଡ଼ିକର ମୂଳରେ କୁହ୍ରାଡ଼ି ଲଗାଯାଇଅଛି; ଏଣୁ ଯେଉଁ ବୃକ୍ଷ ଉତ୍ତମ ଫଳ ଫଳେ ନାହିଁ, ତାହା କଟାଯାଇ ଅଗ୍ନିରେ ନିକ୍ଷେପ କରାଯାଏ।”

ଆଉ ଲୋକସମୂହ ତାଙ୍କୁ ପଚାରିଲେ, “ତେବେ ଆମ୍ଭେମାନେ କʼଣ କରିବୁ?”

ସେ ସେମାନଙ୍କୁ ଉତ୍ତର ଦେଲେ, “ଯାହାର ଦୁଇଟି ଅଙ୍ଗରଖା ଅଛି, ସେ ଯାହାର ନାହିଁ, ତାହାକୁ ବାଣ୍ଟି ଦେଉ; ପୁଣି ଯାହା ନିକଟରେ ଖାଦ୍ୟ ଅଛି, ସେ ମଧ୍ୟ ସେହିପରି କରୁ।”

କରଗ୍ରାହୀମାନେ ମଧ୍ୟ ବାପ୍ତିଜିତ ହେବା ନିମନ୍ତେ ଆସି ତାଙ୍କୁ କହିଲେ, “ଗୁରୁ, ଆମ୍ଭେମାନେ କʼଣ କରିବୁ?”

ସେ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଇଁ ଯାହା ନିରୂପିତ ଅଛି, ତାହାଠାରୁ ଅଧିକ ଆଦାୟ କର ନାହିଁ।”

ସୈନ୍ୟମାନେ ମଧ୍ୟ ତାଙ୍କୁ ପଚାରିଲେ, “ଆଉ ଆମ୍ଭେମାନେ କʼଣ କରିବୁ?” ସେ ସେମାନଙ୍କୁ କହିଲେ, “କାହାରିଠାରୁ ବଳ ଅବା ମିଥ୍ୟା ଅଭିଯୋଗ ଦ୍ଵାରା କିଛି ଆଦାୟ କର ନାହିଁ; ଆପଣା ବେତନରେ ସନ୍ତୁଷ୍ଟ ହୁଅ।”

ଲୋକମାନେ ଅପେକ୍ଷାରେ ଥିଲେ, ଆଉ ଯୋହନ ନିଜେ ଖ୍ରୀଷ୍ଟ ହୋଇ ପାରନ୍ତି କି ନାହିଁ, ଏହା ସମସ୍ତେ ଆପଣା ଆପଣା ହୃଦୟରେ ବିଚାର କରୁଥିଲେ। ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, “ମୁଁ ତ ଜଳରେ ତୁମ୍ଭମାନଙ୍କୁ ବାପ୍ତିସ୍ମ ଦେଉଅଛି। କିନ୍ତୁ ମୋʼଠାରୁ ଅଧିକ ଶକ୍ତିମାନ ଜଣେ ଆସୁଅଛନ୍ତି—ମୁଁ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ। ସେ ପବିତ୍ର ଆତ୍ମା ଓ ଅଗ୍ନିରେ ତୁମ୍ଭମାନଙ୍କୁ ବାପ୍ତିସ୍ମ ଦେବେ। ତାହାଙ୍କ ହାତରେ କୁଲା ଅଛି, ଆଉ ସେ ଆପଣା ଖଳା ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରିବେ, ଗହମ ଆପଣା ଅମାରରେ ସଂଗ୍ରହ କରିବେ, କିନ୍ତୁ ଅଗାଡ଼ି ଅନିର୍ବାଣ ଅଗ୍ନିରେ ଦଗ୍ଧ କରିବେ।”

ଆଉ ଯୋହନ ଅନେକ ପ୍ରକାର ଉପଦେଶ ବାକ୍ୟ କହି ଲୋକମାନଙ୍କୁ ସୁସମାଚାର ଘୋଷଣା କଲେ। କିନ୍ତୁ ସାମନ୍ତରାଜା ହେରୋଦ ଆପଣା ଭାଇ ଭାର୍ଯ୍ୟା ହେରୋଦିୟା ବିଷୟରେ ଓ ହେରୋଦ କରିଥିବା ସମସ୍ତ ଦୁଷ୍କର୍ମ ବିଷୟରେ ଯୋହନଙ୍କ ଦ୍ଵାରା ଅନୁଯୋଗ ପାଇ, ଏହା ସମସ୍ତର ଉପରେ ଆଉ ଏକ କର୍ମ ଯୋଡ଼ିଲା: ସେ ଯୋହନଙ୍କୁ କାରାଗାରରେ ବନ୍ଦ କରିଦେଲା।

ପିତା ଆପଣା ପୁତ୍ରଙ୍କୁ ପ୍ରିୟ ବୋଲି ଡାକନ୍ତି

ଯେତେବେଳେ ସମସ୍ତ ଲୋକ ବାପ୍ତିଜିତ ହୋଇଥିଲେ, ସେତେବେଳେ ଯୀଶୁ ମଧ୍ୟ ବାପ୍ତିଜିତ ହେଲେ। ସେ ପ୍ରାର୍ଥନା କରୁଥିବା ସମୟରେ ସ୍ଵର୍ଗ ଉନ୍ମୁକ୍ତ ହେଲା,

ଆଉ ପବିତ୍ର ଆତ୍ମା କପୋତ ପରି ଦୈହିକ ରୂପରେ ତାହାଙ୍କ ଉପରେ ଅବତରଣ କଲେ। ପୁଣି ସ୍ଵର୍ଗରୁ ଏକ ବାଣୀ ହେଲା, “ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର; ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।”

ଯୀଶୁ ଆପଣା ସେବାକାର୍ଯ୍ୟ ଆରମ୍ଭ କରିବା ସମୟରେ ପ୍ରାୟ ତିରିଶ ବର୍ଷ ବୟସ୍କ ଥିଲେ, ଆଉ ଲୋକମାନଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର, ଯୋଷେଫ ହେଲିଙ୍କ ପୁତ୍ର, ହେଲି ମତ୍ତତଙ୍କ ପୁତ୍ର, ମତ୍ତତ ଲେବୀଙ୍କ ପୁତ୍ର, ଲେବୀ ମଲ୍‌କୀଙ୍କ ପୁତ୍ର, ମଲ୍‌କୀ ଯନ୍ନାୟଙ୍କ ପୁତ୍ର, ଯନ୍ନାୟ ଯୋଷେଫଙ୍କ ପୁତ୍ର, ଯୋଷେଫ ମତ୍ତଥିୟଙ୍କ ପୁତ୍ର, ମତ୍ତଥିୟ ଆମୋଷଙ୍କ ପୁତ୍ର, ଆମୋଷ ନାହୂମଙ୍କ ପୁତ୍ର, ନାହୂମ ଇସ୍‌ଲୀଙ୍କ ପୁତ୍ର, ଇସ୍‌ଲୀ ନଗୟଙ୍କ ପୁତ୍ର, ନଗୟ ମାଥଙ୍କ ପୁତ୍ର, ମାଥ ମତ୍ତଥିୟଙ୍କ ପୁତ୍ର, ମତ୍ତଥିୟ ଶିମୀୟିଙ୍କ ପୁତ୍ର, ଶିମୀୟି ଯୋଷେଖଙ୍କ ପୁତ୍ର, ଯୋଷେଖ ଯୋଦାଙ୍କ ପୁତ୍ର, ଯୋଦା ଯୋହାନନଙ୍କ ପୁତ୍ର, ଯୋହାନନ ରେଷାଙ୍କ ପୁତ୍ର, ରେଷା ଯିରୁବ୍ବାବିଲଙ୍କ ପୁତ୍ର, ଯିରୁବ୍ବାବିଲ ଶଲ୍‌ଟୀୟେଲଙ୍କ ପୁତ୍ର, ଶଲ୍‌ଟୀୟେଲ ନେରିଙ୍କ ପୁତ୍ର, ନେରି ମଲ୍‌କୀଙ୍କ ପୁତ୍ର, ମଲ୍‌କୀ ଅଦ୍ଦୀଙ୍କ ପୁତ୍ର, ଅଦ୍ଦୀ କୋଷମଙ୍କ ପୁତ୍ର, କୋଷମ ଇଲ୍‌ମଦମଙ୍କ ପୁତ୍ର, ଇଲ୍‌ମଦମ ଏରଙ୍କ ପୁତ୍ର, ଏର ଯୀଶୂଙ୍କ ପୁତ୍ର, ଯୀଶୂ ଇଲୀୟେଷରଙ୍କ ପୁତ୍ର, ଇଲୀୟେଷର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ତତଙ୍କ ପୁତ୍ର, ମତ୍ତତ ଲେବୀଙ୍କ ପୁତ୍ର, ଲେବୀ ଶିମିୟୋନଙ୍କ ପୁତ୍ର, ଶିମିୟୋନ ଯିହୂଦାଙ୍କ ପୁତ୍ର, ଯିହୂଦା ଯୋଷେଫଙ୍କ ପୁତ୍ର, ଯୋଷେଫ ଯୋନନଙ୍କ ପୁତ୍ର, ଯୋନନ ଇଲୀୟାକୀମଙ୍କ ପୁତ୍ର, ଇଲୀୟାକୀମ ମଲେୟାଙ୍କ ପୁତ୍ର, ମଲେୟା ମିନ୍ନାଙ୍କ ପୁତ୍ର, ମିନ୍ନା ମତ୍ତଥଙ୍କ ପୁତ୍ର, ମତ୍ତଥ ନାଥନଙ୍କ ପୁତ୍ର, ନାଥନ ଦାଉଦଙ୍କ ପୁତ୍ର, ଦାଉଦ ଯିଶୀଙ୍କ ପୁତ୍ର, ଯିଶୀ ଓବେଦଙ୍କ ପୁତ୍ର, ଓବେଦ ବୋୟଜଙ୍କ ପୁତ୍ର, ବୋୟଜ ସଲ୍‌ମୋନଙ୍କ ପୁତ୍ର, ସଲ୍‌ମୋନ ନହଶୋନଙ୍କ ପୁତ୍ର, ନହଶୋନ ଅମ୍ମୀନାଦବଙ୍କ ପୁତ୍ର, ଅମ୍ମୀନାଦବ ଅଦ୍‌ମୀନଙ୍କ ପୁତ୍ର, ଅଦ୍‌ମୀନ ଅର୍ଣୀଙ୍କ ପୁତ୍ର, ଅର୍ଣୀ ହିଷ୍ରୋଣଙ୍କ ପୁତ୍ର, ହିଷ୍ରୋଣ ପେରସଙ୍କ ପୁତ୍ର, ପେରସ ଯିହୂଦାଙ୍କ ପୁତ୍ର, ଯିହୂଦା ଯାକୁବଙ୍କ ପୁତ୍ର, ଯାକୁବ ଇସ୍‌ହାକଙ୍କ ପୁତ୍ର, ଇସ୍‌ହାକ ଅବ୍ରହାମଙ୍କ ପୁତ୍ର, ଅବ୍ରହାମ ତେରହଙ୍କ ପୁତ୍ର, ତେରହ ନାହୋରଙ୍କ ପୁତ୍ର, ନାହୋର ସରୂଗଙ୍କ ପୁତ୍ର, ସରୂଗ ରୀୟୂଙ୍କ ପୁତ୍ର, ରୀୟୂ ପେଲଗଙ୍କ ପୁତ୍ର, ପେଲଗ ଏବରଙ୍କ ପୁତ୍ର, ଏବର ଶେଲହଙ୍କ ପୁତ୍ର, ଶେଲହ କୈନନଙ୍କ ପୁତ୍ର, କୈନନ ଅର୍ଫକ୍‌ଷଦଙ୍କ ପୁତ୍ର, ଅର୍ଫକ୍‌ଷଦ ଶେମଙ୍କ ପୁତ୍ର, ଶେମ ନୋହଙ୍କ ପୁତ୍ର, ନୋହ ଲେମକଙ୍କ ପୁତ୍ର, ଲେମକ ମଥୂଶେଲହଙ୍କ ପୁତ୍ର, ମଥୂଶେଲହ ହନୋକଙ୍କ ପୁତ୍ର, ହନୋକ ଯେରଦଙ୍କ ପୁତ୍ର, ଯେରଦ ମହଲଲେଲଙ୍କ ପୁତ୍ର, ମହଲଲେଲ କୈନନଙ୍କ ପୁତ୍ର, କୈନନ ଏନୋଶଙ୍କ ପୁତ୍ର, ଏନୋଶ ଶେତଙ୍କ ପୁତ୍ର, ଶେତ ଆଦମଙ୍କ ପୁତ୍ର, ଆଦମ ଆମ୍ଭମାନଙ୍କ ପିତାଙ୍କ ପୁତ୍ର।