ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଯୀଶୁ ଜଖିୟଙ୍କୁ ଅନ୍ଵେଷଣ କରି ପରିତ୍ରାଣ କରନ୍ତି

ସକ୍କେୟ ଗଛରେ ଚଢ଼ନ୍ତି, ଆତିଥ୍ୟ ଦେବାକୁ ଡାକରା ପାଆନ୍ତି, ଏବଂ ନିଜର ସବୁକିଛିର ଅଧା ଦାନ କରିଦିଅନ୍ତି। ମାଲିକଙ୍କ ଟଙ୍କାରେ ବ୍ୟବସାୟ କରୁଥିବା ସେବକମାନଙ୍କ ବିଷୟରେ ଏକ ଦୃଷ୍ଟାନ୍ତ ଯିରୂଶାଲମକୁ ଯାତ୍ରା ପୂର୍ବରୁ ଆସେ। ସେଠାରେ ଲୋକସମୂହ ଜୟଧ୍ୱନି କରନ୍ତି, ଯୀଶୁ ନଗର ପାଇଁ କାନ୍ଦନ୍ତି, ଏବଂ ତାʼପରେ ନିଜ ପିତାଙ୍କ ଗୃହରୁ ବ୍ୟବସାୟୀମାନଙ୍କୁ ବାହାର କରିଦିଅନ୍ତି।

ଅଧ୍ୟାୟ 19।

ଯୀଶୁ ଯିରୀହୋରେ ପ୍ରବେଶ କରି ତହିଁ ମଧ୍ୟ ଦେଇ ଯାଉଥିଲେ। ଆଉ ଦେଖ, ଜଖିୟ ନାମକ ଜଣେ ବ୍ୟକ୍ତି ଥିଲେ; ସେ ଜଣେ ପ୍ରଧାନ କରଗ୍ରାହୀ, ପୁଣି ସେ ଧନୀ ଥିଲେ। ଯୀଶୁ କିଏ, ତାହା ଦେଖିବାକୁ ସେ ଇଚ୍ଛା କରୁଥିଲେ, କିନ୍ତୁ ଲୋକଗହଳି ହେତୁ ଦେଖି ପାରିଲେ ନାହିଁ, କାରଣ ସେ ବାଙ୍ଗର ଥିଲେ। ତେଣୁ ସେ ଆଗକୁ ଦୌଡ଼ିଯାଇ ତାହାଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡିମିରି ଗଛ ଉପରକୁ ଚଢ଼ିଲେ, କାରଣ ଯୀଶୁ ସେହି ବାଟ ଦେଇ ଯିବାକୁ ଉଦ୍ୟତ ଥିଲେ।

ଯେତେବେଳେ ଯୀଶୁ ସେହି ସ୍ଥାନରେ ପହଞ୍ଚି ଉପରକୁ ଅନାଇ ତାହାଙ୍କୁ କହିଲେ, “ଜଖିୟ, ଶୀଘ୍ର ଓହ୍ଲାଇ ଆସ, କାରଣ ଆଜି ମୋତେ ତୁମ୍ଭ ଘରେ ରହିବାକୁ ହେବ।”

ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ତାହାଙ୍କୁ ଗ୍ରହଣ କଲେ। ଏହା ଦେଖି ସମସ୍ତେ ବଚସା କରି କହିଲେ, “ସେ ଜଣେ ପାପୀ ଲୋକ ସାଙ୍ଗରେ ରହିବାକୁ ଯାଇଅଛନ୍ତି।”

ମାତ୍ର ଜଖିୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, “ହେ ପ୍ରଭୁ, ଦେଖନ୍ତୁ, ମୁଁ ମୋହର ସମ୍ପତ୍ତିର ଅର୍ଦ୍ଧେକ ଦରିଦ୍ରମାନଙ୍କୁ ଦାନ କରୁଅଛି, ଆଉ ଯଦି ମୁଁ କାହାରିଠାରୁ କିଛି ଠକି ନେଇଥାଏ, ତେବେ ତାହା ଚାରିଗୁଣ ଫେରାଇ ଦେଉଅଛି।”

ଯୀଶୁ ତାହାଙ୍କୁ କହିଲେ, “ଆଜି ଏହି ଗୃହକୁ ପରିତ୍ରାଣ ଉପସ୍ଥିତ ହେଲା, କାରଣ ଏ ମଧ୍ୟ ଅବ୍ରହାମଙ୍କ ସନ୍ତାନ। ଯେଣୁ ମନୁଷ୍ୟପୁତ୍ର ହଜିଲା ଲୋକଙ୍କୁ ଅନ୍ଵେଷଣ କରି ପରିତ୍ରାଣ କରିବାକୁ ଆସିଅଛନ୍ତି।”

ବିଶ୍ଵସ୍ତ ଦାସମାନେ ରାଜାଙ୍କ ଅପେକ୍ଷାରେ ଥାʼନ୍ତି

ସେମାନେ ଏହିସବୁ ଶୁଣୁଥିବା ସମୟରେ ଯୀଶୁ ଗୋଟିଏ ଦୃଷ୍ଟାନ୍ତ ମଧ୍ୟ କହିଲେ, କାରଣ ସେ ଯିରୂଶାଲମ ନିକଟରେ ଥିଲେ, ପୁଣି ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ ତତ୍‌କ୍ଷଣାତ୍‌ ପ୍ରକାଶିତ ହେବ ବୋଲି ସେମାନେ ଭାବୁଥିଲେ।

ଅତଏବ ସେ କହିଲେ, “ଜଣେ କୁଳୀନ ଲୋକ ଆପଣା ନିମନ୍ତେ ରାଜ୍ୟ ପ୍ରାପ୍ତ ହୋଇ ଫେରି ଆସିବା ନିମନ୍ତେ ଦୂର ଦେଶକୁ ଗଲେ। ପୁଣି ସେ ଆପଣାର ଦଶ ଜଣ ଦାସଙ୍କୁ ଡାକି ପ୍ରତ୍ୟେକଙ୍କୁ ପ୍ରାୟ ତିନି ମାସର ବେତନ ସମାନ ଦେଇ କହିଲେ, ‘ମୁଁ ନ ଫେରିବା ପର୍ଯ୍ୟନ୍ତ ଏହା ଦ୍ଵାରା ବ୍ୟବସାୟ କର।’ କିନ୍ତୁ ତାହାଙ୍କ ପ୍ରଜାମାନେ ତାହାଙ୍କୁ ଘୃଣା କରୁଥିଲେ, ପୁଣି ‘ଏହି ଲୋକ ଆମ୍ଭମାନଙ୍କ ଉପରେ ରାଜତ୍ଵ କରନ୍ତୁ ବୋଲି ଆମ୍ଭେମାନେ ଇଚ୍ଛା କରୁ ନାହୁଁ’ ବୋଲି କହି ତାହାଙ୍କ ପଛେ ପଛେ ଦୂତମାନଙ୍କୁ ପଠାଇଲେ।

“ପରେ ସେ ରାଜ୍ୟ ପ୍ରାପ୍ତ ହୋଇ ଫେରି ଆସି, ଯେଉଁ ଦାସମାନଙ୍କୁ ସେ ଟଙ୍କା ଦେଇଥିଲେ, ସେମାନେ କେତେ ଲାଭ କରିଅଛନ୍ତି, ତାହା ଜାଣିବା ନିମନ୍ତେ ସେମାନଙ୍କୁ ଆପଣା ନିକଟକୁ ଡାକିଲେ। ସେଥିରେ ପ୍ରଥମ ଜଣ ଆସି କହିଲା, ‘ହେ ପ୍ରଭୁ, ଆପଣଙ୍କ ଟଙ୍କା ଦଶଗୁଣ ଲାଭ କରିଅଛି।’”

“ତେଣୁ ସେ ତାହାକୁ କହିଲେ, ‘ବେଶ୍‌, ଉତ୍ତମ ଦାସ! ତୁମ୍ଭେ ଅଳ୍ପ ବିଷୟରେ ବିଶ୍ଵସ୍ତ ହେବାରୁ ଦଶ ଗୋଟି ନଗରର ଅଧିକାର ଗ୍ରହଣ କର।’”

“ପୁଣି ଦ୍ଵିତୀୟ ଜଣ ଆସି କହିଲା, ‘ହେ ପ୍ରଭୁ, ଆପଣ ମୋତେ ଯେଉଁ ଟଙ୍କା ଦେଇଥିଲେ, ତାହା ପାଞ୍ଚଗୁଣ ଲାଭ କରିଅଛି।’”

“ଆଉ ସେ ତାହାକୁ କହିଲେ, ‘ତୁମ୍ଭେ ମଧ୍ୟ ପାଞ୍ଚ ଗୋଟି ନଗରର ଅଧିକାରୀ ହେବ।’”

“ତାʼପରେ ଆଉ ଜଣେ ଆସି କହିଲା, ‘ହେ ପ୍ରଭୁ, ଦେଖନ୍ତୁ, ଆପଣଙ୍କ ଟଙ୍କା ଏଠାରେ ଅଛି, ମୁଁ ଏହା ଗୋଟିଏ ରୁମାଲରେ ବାନ୍ଧି ରଖିଥିଲି; କାରଣ ମୁଁ ଆପଣଙ୍କୁ ଭୟ କରୁଥିଲି, ଯେଣୁ ଆପଣ ଜଣେ କଠୋର ଲୋକ; ଆପଣ ଯାହା ରଖି ନାହାନ୍ତି, ତାହା ଉଠାନ୍ତି, ପୁଣି ଯାହା ବୁଣି ନାହାନ୍ତି, ତାହା କାଟନ୍ତି।’”

ସେ ତାହାକୁ ଉତ୍ତର ଦେଲେ, “ରେ ଦୁଷ୍ଟ ଦାସ, ତୋହର ନିଜ ମୁଖ ଅନୁସାରେ ମୁଁ ତୋʼ ବିଚାର କରିବି! ମୁଁ ଯାହା ରଖି ନାହିଁ, ତାହା ଉଠାଉ ଓ ଯାହା ବୁଣି ନାହିଁ, ତାହା କାଟୁ, ଏପରି ଜଣେ କଠୋର ଲୋକ ବୋଲି ତୁ କʼଣ ଜାଣିଥିଲୁ? ତେବେ ତୁ ମୋʼ ଟଙ୍କା କାହିଁକି ବ୍ୟାଙ୍କରେ ରଖିଲୁ ନାହିଁ? ତାହାହେଲେ ମୁଁ ଫେରି ଆସି ସୁଧ ସହିତ ତାହା ଆଦାୟ କରିଥାʼନ୍ତି। ପୁଣି ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ସେ କହିଲେ, ‘ଏହାଠାରୁ ସେହି ଟଙ୍କା ନେଇ, ଯାହାର ଦଶଗୁଣ ଅଛି, ତାହାକୁ ଦିଅ।’”

“ସେଥିରେ ସେମାନେ ତାହାଙ୍କୁ କହିଲେ, ‘ହେ ପ୍ରଭୁ, ତାହାର ତ ଦଶଗୁଣ ଅଛି!’ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯାହାର ଅଛି, ତାହାକୁ ଅଧିକ ଦିଆଯିବ; କିନ୍ତୁ ଯାହାର କିଛି ନାହିଁ, ତାହାର ଯାହା ଅଛି, ତାହା ମଧ୍ୟ ତାହାଠାରୁ ନିଆଯିବ। ମାତ୍ର ମୋହର ଏହି ଯେଉଁ ଶତ୍ରୁମାନେ ମୋʼ ରାଜତ୍ଵ ଇଚ୍ଛା କଲେ ନାହିଁ, ସେମାନଙ୍କୁ ଏଠାକୁ ଆଣି ମୋʼ ସମ୍ମୁଖରେ ବଧ କର।’”

ପୁତ୍ର ରାଜା ରୂପେ ଯିରୂଶାଲମରେ ପ୍ରବେଶ କରନ୍ତି

ଏହିସବୁ କଥା କହିସାରି ଯୀଶୁ ଆଗେ ଆଗେ ଯାଇ ଯିରୂଶାଲମ ଆଡ଼କୁ ଉପରକୁ ଉଠିଲେ।

ଆଉ ଜୀତ ପର୍ବତ ନିକଟସ୍ଥ ବେଥ୍‌ଫାଗୀ ଓ ବେଥନୀ ପାଖରେ ପହଞ୍ଚି ସେ ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହା କହି ପଠାଇଲେ, “ତୁମ୍ଭମାନଙ୍କ ସମ୍ମୁଖସ୍ଥ ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା ମାତ୍ରେ, ଯାହା ଉପରେ କେହି କେବେ ବସି ନାହିଁ, ଏପରି ଗୋଟିଏ ଗଧଛୁଆ ବନ୍ଧା ହୋଇଥିବା ଦେଖିବ; ତାହାକୁ ଫିଟାଇ ଏଠାକୁ ଆଣ। ଆଉ ଯଦି କେହି ତୁମ୍ଭମାନଙ୍କୁ ‘କାହିଁକି ଏହାକୁ ଫିଟାଉଅଛ’ ବୋଲି ପଚାରେ, ତେବେ ‘ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି’ ବୋଲି କହିବ।”

ସେଥିରେ ପ୍ରେରିତ ହୋଇଥିବା ଲୋକମାନେ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ଠିକ୍‌ ସେହିପରି ଦେଖିଲେ। ସେମାନେ ଗଧଛୁଆଟିକୁ ଫିଟାଉଥିବା ସମୟରେ ତାହାର ମାଲିକମାନେ ସେମାନଙ୍କୁ ପଚାରିଲେ, “ଗଧଛୁଆଟିକୁ କାହିଁକି ଫିଟାଉଅଛ?” ସେଥିରେ ସେମାନେ କହିଲେ, “ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି।” ପୁଣି ସେମାନେ ତାହାକୁ ଯୀଶୁଙ୍କ ନିକଟକୁ ଆଣି ଗଧଛୁଆ ଉପରେ ଆପଣା ଆପଣା ବସ୍ତ୍ର ପକାଇ ଯୀଶୁଙ୍କୁ ତହିଁ ଉପରେ ବସାଇଲେ। ଆଉ ସେ ଯାଉ ଯାଉ ଲୋକମାନେ ବାଟରେ ଆପଣା ଆପଣା ବସ୍ତ୍ର ବିଛାଇଲେ। ଆଉ ସେ ଜୀତ ପର୍ବତର ଗଡ଼ାଣି ନିକଟରେ ପହଞ୍ଚିବା ମାତ୍ରେ ଶିଷ୍ୟମାନଙ୍କ ସମଗ୍ର ଦଳ ଆନନ୍ଦ କରି, ଯେଉଁ ସମସ୍ତ ଶକ୍ତିର କାର୍ଯ୍ୟ ସେମାନେ ଦେଖିଥିଲେ, ସେହିସବୁ ନିମନ୍ତେ ଉଚ୍ଚସ୍ଵରରେ ଆମ୍ଭମାନଙ୍କ ପିତାଙ୍କ ପ୍ରଶଂସା କରିବାକୁ ଲାଗିଲେ, ଆଉ କହିଲେ, “ଆମ୍ଭମାନଙ୍କ ପିତାଙ୍କ ନାମରେ ଯେଉଁ ରାଜା ଆସୁଅଛନ୍ତି, ସେ ଧନ୍ୟ! ସ୍ଵର୍ଗରେ ଶାନ୍ତି ଓ ଊର୍ଦ୍ଧ୍ଵଲୋକରେ ମହିମା!”

ସେଥିରେ ଲୋକଗହଳି ମଧ୍ୟରୁ କେତେକ ଫାରୂଶୀ ତାହାଙ୍କୁ କହିଲେ, “ହେ ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ଅନୁଯୋଗ କରନ୍ତୁ।”

ସେ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି ଏମାନେ ନୀରବ ରହିବେ, ତେବେ ପ୍ରସ୍ତରସବୁ ପାଟି କରି ଉଠିବେ।”

ଆଉ ସେ ନିକଟକୁ ଆସି ନଗର ଦେଖି ତାହା ନିମନ୍ତେ ରୋଦନ କରି କହିଲେ,

“ତୁମ୍ଭ ଶାନ୍ତିଜନକ ବିଷୟ ଯଦି ଆଜି ତୁମ୍ଭେ ଜାଣିଥାʼନ୍ତ! କିନ୍ତୁ ଏବେ ତାହା ତୁମ୍ଭ ଚକ୍ଷୁରୁ ଲୁକ୍କାୟିତ ହୋଇଅଛି। କାରଣ ଏପରି ସମୟ ଆସୁଅଛି, ଯେତେବେଳେ ତୁମ୍ଭ ଶତ୍ରୁମାନେ ତୁମ୍ଭ ଚତୁର୍ଦ୍ଦିଗରେ ବେଢ଼ା ନିର୍ମାଣ କରି ତୁମ୍ଭକୁ ଘେରି ପକାଇ ପ୍ରତ୍ୟେକ ଦିଗରୁ ତୁମ୍ଭକୁ ସଙ୍କୀର୍ଣ୍ଣ କରିବେ, ପୁଣି ତୁମ୍ଭକୁ ଓ ତୁମ୍ଭ ପ୍ରାଚୀର ମଧ୍ୟରେ ଥିବା ତୁମ୍ଭ ସନ୍ତାନମାନଙ୍କୁ ଭୂମିସାତ୍‌ କରିବେ, ଆଉ ତୁମ୍ଭ ମଧ୍ୟରେ ଗୋଟିଏ ପ୍ରସ୍ତର ଆଉ ଗୋଟିଏ ପ୍ରସ୍ତର ଉପରେ ରଖିବେ ନାହିଁ, କାରଣ ତୁମ୍ଭ ତତ୍ତ୍ଵାନୁସନ୍ଧାନର ସମୟ ତୁମ୍ଭେ ଚିହ୍ନିଲ ନାହିଁ।” a a v44 ‘ତୁମ୍ଭ ତତ୍ତ୍ଵାନୁସନ୍ଧାନର ସମୟ’ ହେଉଛି ସେହି ସମୟ, ଯେତେବେଳେ ଈଶ୍ଵର ଯୀଶୁଙ୍କ ବ୍ୟକ୍ତିତ୍ଵରେ ଯିରୂଶାଲମକୁ ଆସିଥିଲେ।

ଯୀଶୁ ଆପଣା ପିତାଙ୍କ ଗୃହ ଶୁଚି କରନ୍ତି

ଆଉ ସେ ମନ୍ଦିରରେ ପ୍ରବେଶ କରି ବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ,

ପୁଣି ସେ ସେମାନଙ୍କୁ କହିଲେ, “ଶାସ୍ତ୍ରରେ ଲେଖାଅଛି, ‘ମୋହର ଗୃହ ପ୍ରାର୍ଥନାର ଗୃହ ହେବ,’ କିନ୍ତୁ ତୁମ୍ଭେମାନେ ତାହାକୁ ଡକାୟତମାନଙ୍କ ଗହ୍ଵର କରିଅଛ।”

ଆଉ ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ; କିନ୍ତୁ ପ୍ରଧାନ ଯାଜକମାନେ, ଶାସ୍ତ୍ରୀମାନେ ଓ ଲୋକଙ୍କ ପ୍ରଧାନବର୍ଗ ତାହାଙ୍କୁ ବଧ କରିବା ନିମନ୍ତେ ଉପାୟ ଖୋଜୁଥିଲେ, ମାତ୍ର ସେମାନେ କୌଣସି ଉପାୟ ପାଇଲେ ନାହିଁ, କାରଣ ସମସ୍ତ ଲୋକ ଏକାଗ୍ରଚିତ୍ତରେ ତାହାଙ୍କ ବାକ୍ୟ ଶୁଣୁଥିଲେ।