ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତା ଅଗ୍ରାହ୍ୟ ପୁତ୍ରଙ୍କୁ ଉନ୍ନତ କରନ୍ତି

ବେଶ୍ୟାର ପୁତ୍ର ଯିପ୍ତହ, ଯାହାଙ୍କୁ ତାଙ୍କ ଭାଇମାନେ ତଡ଼ିଦେଇଥିଲେ, ତାଙ୍କୁ ଘୃଣା କରୁଥିବା ପ୍ରାଚୀନମାନେ ହିଁ ଫେରିଆସିବାକୁ ବିନତି କରନ୍ତି। ଅମ୍ମୋନ ପରାସ୍ତ ହେଲେ ତାଙ୍କ ଦ୍ୱାରରୁ ପ୍ରଥମେ ଯାହା ବାହାରି ଆସିବ, ତାହା ଆମ ପିତାଙ୍କୁ ଦେବେ ବୋଲି ସେ ମାନତ କରନ୍ତି। ବିଜୟ ଆସେ — ଏବଂ ଖଞ୍ଜଣି ଧରି ତାଙ୍କ ଏକମାତ୍ର କନ୍ୟା ମଧ୍ୟ ଆସେ। ସେ ମାନତ ପାଳନ କରନ୍ତି।

ଅଧ୍ୟାୟ 11।

ଗିଲୀୟଦୀୟ ଯିପ୍ତହ ଜଣେ ମହାବୀର ଥିଲେ, ମାତ୍ର ସେ ଜଣେ ବେଶ୍ୟାର ପୁତ୍ର ଥିଲେ। ଗିଲୀୟଦ ତାହାଙ୍କ ପିତା ଥିଲେ। ଗିଲୀୟଦର ଭାର୍ଯ୍ୟା ମଧ୍ୟ ତାହା ନିମନ୍ତେ ପୁତ୍ରମାନଙ୍କୁ ପ୍ରସବ କଲା। ସେହି ପୁତ୍ରମାନେ ବଢ଼ି ବୟସ୍କ ହୁଅନ୍ତେ ଯିପ୍ତହଙ୍କୁ ତଡ଼ିଦେଇ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପିତୃଗୃହରେ ଉତ୍ତରାଧିକାରୀ ହେବ ନାହିଁ, କାରଣ ତୁମ୍ଭେ ଅନ୍ୟ ସ୍ତ୍ରୀର ପୁତ୍ର।” ତେଣୁ ଯିପ୍ତହ ଆପଣା ଭ୍ରାତୃଗଣଠାରୁ ପଳାୟନ କରି ଟୋବ ଦେଶରେ ବାସ କଲେ; ସେଠାରେ କେତେକ ଅଧମ ଲୋକ ଯିପ୍ତହଙ୍କ ନିକଟରେ ଏକତ୍ର ହୋଇ ତାହାଙ୍କ ସଙ୍ଗରେ ବାହାରକୁ ଯାଉଥିଲେ।

କିଛି କାଳ ଉତ୍ତାରେ ଅମ୍ମୋନ ସନ୍ତାନମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ। ଯେତେବେଳେ ଅମ୍ମୋନ ସନ୍ତାନମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ, ସେତେବେଳେ ଗିଲୀୟଦର ପ୍ରାଚୀନବର୍ଗ ଟୋବ ଦେଶରୁ ଯିପ୍ତହଙ୍କୁ ଆଣିବା ନିମନ୍ତେ ଗଲେ। ପୁଣି ସେମାନେ ଯିପ୍ତହଙ୍କୁ କହିଲେ, “ଆସ, ଆମ୍ଭମାନଙ୍କ ସେନାପତି ହୁଅ, ଯେପରି ଆମ୍ଭେମାନେ ଅମ୍ମୋନ ସନ୍ତାନମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିପାରିବୁ।”

ତହିଁରେ ଯିପ୍ତହ ଗିଲୀୟଦର ପ୍ରାଚୀନବର୍ଗଙ୍କୁ କହିଲେ, “ତୁମ୍ଭେମାନେ କି ମୋତେ ଘୃଣା କରି ମୋʼ ପିତୃଗୃହରୁ ତଡ଼ିଦେଇ ନ ଥିଲ? ଏବେ ବିପଦରେ ପଡ଼ିବା ବେଳେ କାହିଁକି ମୋʼ ନିକଟକୁ ଆସୁଅଛ?”

ଗିଲୀୟଦର ପ୍ରାଚୀନବର୍ଗ ଯିପ୍ତହଙ୍କୁ ଉତ୍ତର ଦେଲେ, “ଏହି ହେତୁରୁ ଆମ୍ଭେମାନେ ଏବେ ତୁମ୍ଭ ନିକଟକୁ ଫେରି ଆସିଅଛୁ; ଆମ୍ଭମାନଙ୍କ ସଙ୍ଗରେ ଆସି ଅମ୍ମୋନ ସନ୍ତାନମାନଙ୍କ ବିରୁଦ୍ଧରେ ଯୁଦ୍ଧ କର, ତହିଁରେ ତୁମ୍ଭେ ଗିଲୀୟଦ ନିବାସୀ ସମସ୍ତଙ୍କ ଉପରେ ଆମ୍ଭମାନଙ୍କ ମସ୍ତକ ହେବ।”

ତେଣୁ ଯିପ୍ତହ ଗିଲୀୟଦର ପ୍ରାଚୀନବର୍ଗଙ୍କୁ କହିଲେ, “ଯଦି ତୁମ୍ଭେମାନେ ଅମ୍ମୋନ ସନ୍ତାନମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ମୋତେ ପୁନର୍ବାର ଆଣ ଓ ଆମ୍ଭମାନଙ୍କ ପିତା ସେମାନଙ୍କୁ ମୋʼ ହସ୍ତରେ ସମର୍ପଣ କରନ୍ତି, ତେବେ ମୁଁ ତୁମ୍ଭମାନଙ୍କ ମସ୍ତକ ହେବି।”

ଗିଲୀୟଦର ପ୍ରାଚୀନବର୍ଗ ଯିପ୍ତହଙ୍କୁ କହିଲେ, “ଆମ୍ଭେମାନେ ଯଦି ତୁମ୍ଭ ବାକ୍ୟାନୁସାରେ ନ କରୁ, ତେବେ ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କ ମଧ୍ୟରେ ସାକ୍ଷୀ ଅଟନ୍ତି।”

ତହୁଁ ଯିପ୍ତହ ଗିଲୀୟଦର ପ୍ରାଚୀନବର୍ଗଙ୍କ ସଙ୍ଗରେ ଗଲେ ଓ ଲୋକମାନେ ତାହାଙ୍କୁ ଆପଣାମାନଙ୍କ ମସ୍ତକ ଓ ସେନାପତି କଲେ। ପୁଣି ଯିପ୍ତହ ମିସ୍ପାରେ ପିତାଙ୍କ ଛାମୁରେ ଆପଣାର ସମସ୍ତ ବାକ୍ୟ କହିଲେ।

ଏଉତ୍ତାରେ ଯିପ୍ତହ ଅମ୍ମୋନ ସନ୍ତାନମାନଙ୍କ ରାଜା ନିକଟକୁ ଦୂତ ପଠାଇ କହିଲେ, “ଆମ୍ଭମାନଙ୍କ ମଧ୍ୟରେ ଏପରି କʼଣ ଅଛି ଯେ, ତୁମ୍ଭେ ମୋʼ ଦେଶ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଅଛ?”

ତହିଁରେ ଅମ୍ମୋନ ସନ୍ତାନମାନଙ୍କ ରାଜା ଯିପ୍ତହଙ୍କ ଦୂତମାନଙ୍କୁ ଉତ୍ତର ଦେଲା, “ଇସ୍ରାଏଲ ମିସରରୁ ଆସିବା ବେଳେ ଅର୍ଣୋନଠାରୁ ଯବ୍ବୋକ ଓ ଯର୍ଦ୍ଦନ ପର୍ଯ୍ୟନ୍ତ ମୋʼ ଦେଶ ନେଇଅଛି; ଏଣୁ ଏବେ ତାହା ଶାନ୍ତିରେ ଫେରାଇ ଦିଅ।”

ଯିପ୍ତହ ପୁନର୍ବାର ଅମ୍ମୋନ ସନ୍ତାନମାନଙ୍କ ରାଜା ନିକଟକୁ ଦୂତ ପଠାଇଲେ, ପୁଣି ତାହାକୁ କହିଲେ, “ଯିପ୍ତହ ଏହି କଥା କହନ୍ତି: ଇସ୍ରାଏଲ ମୋୟାବର କିମ୍ବା ଅମ୍ମୋନ ସନ୍ତାନମାନଙ୍କର କୌଣସି ଦେଶ ନେଇ ନାହିଁ। ମାତ୍ର ଇସ୍ରାଏଲ ମିସରରୁ ଆସିବା ବେଳେ ପ୍ରାନ୍ତର ଦେଇ ସୂଫ ସାଗର ପର୍ଯ୍ୟନ୍ତ ଗମନ କରି କାଦେଶରେ ଉପସ୍ଥିତ ହେଲା। ତହୁଁ ଇସ୍ରାଏଲ ଇଦୋମର ରାଜା ନିକଟକୁ ଦୂତ ପଠାଇ କହିଲା, ‘ବିନୟ କରୁଅଛୁ, ଆପଣଙ୍କ ଦେଶ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅନ୍ତୁ,’ ମାତ୍ର ଇଦୋମର ରାଜା ଶୁଣିଲା ନାହିଁ। ପୁଣି ସେମାନେ ମୋୟାବର ରାଜା ନିକଟକୁ ମଧ୍ୟ ପଠାଇଲେ, ମାତ୍ର ସେ ସମ୍ମତ ହେଲା ନାହିଁ। ଏଣୁ ଇସ୍ରାଏଲ କାଦେଶରେ ରହିଲା। ତହୁଁ ସେମାନେ ପ୍ରାନ୍ତର ଦେଇ ଇଦୋମ ଦେଶ ଓ ମୋୟାବ ଦେଶ ବେଷ୍ଟନ କରି ଗମନ କଲେ ଓ ମୋୟାବ ଦେଶର ପୂର୍ବ ଦିଗରେ ଉପସ୍ଥିତ ହୋଇ ଅର୍ଣୋନର ସେହିପାରିରେ ଛାଉଣି କଲେ, ମାତ୍ର ମୋୟାବ ସୀମାରେ ପ୍ରବେଶ କଲେ ନାହିଁ, କାରଣ ଅର୍ଣୋନ ମୋୟାବର ସୀମା ଥିଲା। ଏଉତ୍ତାରେ ଇସ୍ରାଏଲ ଇମୋରୀୟମାନଙ୍କ ରାଜା, ହିଷ୍‌ବୋନର ରାଜା ସୀହୋନ ନିକଟକୁ ଦୂତ ପଠାଇଲା; ଇସ୍ରାଏଲ ତାହାକୁ କହିଲା, ‘ବିନୟ କରୁଅଛୁ, ଆପଣଙ୍କ ଦେଶ ଦେଇ ଆମ୍ଭମାନଙ୍କ ସ୍ଥାନକୁ ଯିବା ନିମନ୍ତେ ଯିବାକୁ ଦିଅନ୍ତୁ।’ ମାତ୍ର ସୀହୋନ ଆପଣା ସୀମା ଦେଇ ଯିବା ନିମନ୍ତେ ଇସ୍ରାଏଲକୁ ବିଶ୍ଵାସ କଲା ନାହିଁ; ବରଂ ସୀହୋନ ଆପଣାର ସମସ୍ତ ଲୋକଙ୍କୁ ଏକତ୍ର କରି ଯହସରେ ଛାଉଣି କରି ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲା। ତହିଁରେ ଆମ୍ଭମାନଙ୍କ ପିତା, ଇସ୍ରାଏଲର ଈଶ୍ଵର, ସୀହୋନ ଓ ତାହାର ସମସ୍ତ ଲୋକଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ, ପୁଣି ସେମାନେ ସେମାନଙ୍କୁ ପରାସ୍ତ କଲେ; ତହୁଁ ଇସ୍ରାଏଲ ସେହି ଦେଶନିବାସୀ ଇମୋରୀୟମାନଙ୍କ ସମସ୍ତ ଦେଶ ଅଧିକାର କଲା। ପୁଣି ସେମାନେ ଅର୍ଣୋନଠାରୁ ଯବ୍ବୋକ ପର୍ଯ୍ୟନ୍ତ ଓ ପ୍ରାନ୍ତରଠାରୁ ଯର୍ଦ୍ଦନ ପର୍ଯ୍ୟନ୍ତ ଇମୋରୀୟମାନଙ୍କ ସମସ୍ତ ସୀମା ଅଧିକାର କଲେ। ଏବେ ଆମ୍ଭମାନଙ୍କ ପିତା, ଇସ୍ରାଏଲର ଈଶ୍ଵର, ଆପଣା ଲୋକ ଇସ୍ରାଏଲ ସମ୍ମୁଖରୁ ଇମୋରୀୟମାନଙ୍କୁ ତଡ଼ିଦେଇଅଛନ୍ତି; ତେବେ ତୁମ୍ଭେ କି ତାହା ଅଧିକାର କରିବ? ତୁମ୍ଭର ଦେବତା କମୋଶ ଯାହା ତୁମ୍ଭକୁ ଅଧିକାର କରିବାକୁ ଦିଏ, ତାହା କି ତୁମ୍ଭେ ଅଧିକାର କରିବ ନାହିଁ? ସେହିପରି ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କ ସମ୍ମୁଖରୁ ଯାହା ତଡ଼ିଦେଇଅଛନ୍ତି, ତାହା ସବୁ ଆମ୍ଭେମାନେ ଅଧିକାର କରିବୁ। ଏବେ ତୁମ୍ଭେ କି ମୋୟାବର ରାଜା, ସିପ୍ପୋରର ପୁତ୍ର ବାଲାକଠାରୁ କିଛି ଅଧିକ ଉତ୍ତମ? ସେ କʼଣ କେବେ ଇସ୍ରାଏଲ ସହିତ ବିବାଦ କଲା, ଅବା ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲା? ଇସ୍ରାଏଲ ତିନି ଶହ ବର୍ଷ ପର୍ଯ୍ୟନ୍ତ ହିଷ୍‌ବୋନ ଓ ତହିଁର ଉପନଗରସମୂହରେ, ଅରୋୟେର ଓ ତହିଁର ଉପନଗରସମୂହରେ, ପୁଣି ଅର୍ଣୋନ କୂଳସ୍ଥ ସମସ୍ତ ନଗରରେ ବାସ କରିଅଛି; ତେବେ ସେହି କାଳ ମଧ୍ୟରେ ତୁମ୍ଭେମାନେ କାହିଁକି ସେହି ସବୁ ପୁନର୍ବାର ନେଲ ନାହିଁ? ଏଣୁ ମୁଁ ତୁମ୍ଭ ବିରୁଦ୍ଧରେ କିଛି ଅପରାଧ କରି ନାହିଁ, ମାତ୍ର ତୁମ୍ଭେ ମୋʼ ବିରୁଦ୍ଧରେ ଯୁଦ୍ଧ କରି ମୋʼ ପ୍ରତି ଅନ୍ୟାୟ କରୁଅଛ। ଆମ୍ଭମାନଙ୍କ ପିତା, ବିଚାରକର୍ତ୍ତା, ଆଜି ଇସ୍ରାଏଲ ସନ୍ତାନମାନଙ୍କ ଓ ଅମ୍ମୋନ ସନ୍ତାନମାନଙ୍କ ମଧ୍ୟରେ ବିଚାର କରନ୍ତୁ।”

ତଥାପି ଅମ୍ମୋନ ସନ୍ତାନମାନଙ୍କ ରାଜା ଯିପ୍ତହଙ୍କ ପଠାଇଥିବା ବାକ୍ୟରେ କର୍ଣ୍ଣପାତ କଲା ନାହିଁ।

ପିତାଙ୍କ ଆତ୍ମା ଓ ଏକ ଶୋଚନୀୟ ପ୍ରତିଜ୍ଞା

ତେବେ ଆମ୍ଭମାନଙ୍କ ପିତାଙ୍କ ଆତ୍ମା ଯିପ୍ତହଙ୍କ ଉପରେ ଅଧିଷ୍ଠିତ ହେଲେ, ତହୁଁ ସେ ଗିଲୀୟଦ ଓ ମନଃଶି ଦେଇ ଗମନ କଲେ ଓ ଗିଲୀୟଦର ମିସ୍ପା ଦେଇ ଗମନ କଲେ, ପୁଣି ଗିଲୀୟଦର ମିସ୍ପାରୁ ଅମ୍ମୋନ ସନ୍ତାନମାନଙ୍କ ବିରୁଦ୍ଧରେ ଅଗ୍ରସର ହେଲେ।

ଆଉ ଯିପ୍ତହ ଆମ୍ଭମାନଙ୍କ ପିତାଙ୍କ ନିକଟରେ ପ୍ରତିଜ୍ଞା କରି କହିଲେ, “ଯଦି ତୁମ୍ଭେ ଅମ୍ମୋନ ସନ୍ତାନମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିବ, ତେବେ ମୁଁ ଅମ୍ମୋନ ସନ୍ତାନମାନଙ୍କ ନିକଟରୁ କୁଶଳରେ ଫେରି ଆସିବା ବେଳେ, ମୋତେ ଭେଟିବା ନିମନ୍ତେ ମୋʼ ଗୃହଦ୍ଵାରରୁ ଯାହା ବାହାରି ଆସିବ, ତାହା ଆମ୍ଭମାନଙ୍କ ପିତାଙ୍କର ହେବ, ପୁଣି ମୁଁ ତାହା ହୋମବଳି ରୂପେ ଉତ୍ସର୍ଗ କରିବି।”

ତହୁଁ ଯିପ୍ତହ ଅମ୍ମୋନ ସନ୍ତାନମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେମାନଙ୍କ ବିରୁଦ୍ଧରେ ପାର ହୋଇ ଗଲେ, ପୁଣି ଆମ୍ଭମାନଙ୍କ ପିତା ସେମାନଙ୍କୁ ତାହାଙ୍କ ହସ୍ତରେ ସମର୍ପଣ କଲେ। ଆଉ ସେ ଅରୋୟେରଠାରୁ ମିନ୍ନୀତ ନିକଟ ପର୍ଯ୍ୟନ୍ତ କୋଡ଼ିଏ ନଗର ଓ ଆବେଲ୍-କରାମୀମ ପର୍ଯ୍ୟନ୍ତ ସେମାନଙ୍କୁ ମହାସଂହାରରେ ପରାସ୍ତ କଲେ। ଏହିରୂପେ ଅମ୍ମୋନ ସନ୍ତାନମାନେ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ଦମନ ହେଲେ।

ଏଥିଉତ୍ତାରେ ଯିପ୍ତହ ମିସ୍ପାକୁ ଆପଣା ଗୃହକୁ ଆସିଲେ, ଆଉ ଦେଖ, ତାହାଙ୍କ କନ୍ୟା ତବଲ ଓ ନୃତ୍ୟ ସହିତ ତାହାଙ୍କୁ ଭେଟିବା ନିମନ୍ତେ ବାହାରି ଆସିଲା; ସେ କନ୍ୟା ତାହାଙ୍କର ଏକମାତ୍ର ସନ୍ତାନ ଥିଲା, ତାହା ଛଡ଼ା ତାହାଙ୍କର ଅନ୍ୟ କୌଣସି ପୁତ୍ର କି କନ୍ୟା ନ ଥିଲା। ଆଉ ତାହାକୁ ଦେଖିବା ମାତ୍ରେ ଯିପ୍ତହ ଆପଣା ବସ୍ତ୍ର ଚିରି କହିଲେ, “ହାୟ, ମୋʼ କନ୍ୟା! ତୁମ୍ଭେ ମୋତେ ଅତିଶୟ ଅବନତ କଲ, ତୁମ୍ଭେ ମୋʼ ଦୁଃଖର କାରଣ ହୋଇଅଛ; କାରଣ ମୁଁ ଆମ୍ଭମାନଙ୍କ ପିତାଙ୍କ ନିକଟରେ ମୁଖ ଫିଟାଇଅଛି, ଆଉ ମୁଁ ତାହା ଫେରାଇ ପାରିବି ନାହିଁ।”

ତହିଁରେ ସେ ତାହାଙ୍କୁ କହିଲା, “ହେ ମୋʼ ପିତା, ତୁମ୍ଭେ ଆମ୍ଭମାନଙ୍କ ପିତାଙ୍କ ନିକଟରେ ପ୍ରତିଜ୍ଞା କରିଅଛ; ତୁମ୍ଭ ମୁଖରୁ ଯାହା ନିର୍ଗତ ହୋଇଅଛି, ତଦନୁସାରେ ମୋʼ ପ୍ରତି କର, କାରଣ ଆମ୍ଭମାନଙ୍କ ପିତା ତୁମ୍ଭ ଶତ୍ରୁ ଅମ୍ମୋନ ସନ୍ତାନମାନଙ୍କଠାରୁ ତୁମ୍ଭ ପକ୍ଷରେ ପରିଶୋଧ ନେଇଅଛନ୍ତି।” ଆହୁରି ସେ ଆପଣା ପିତାଙ୍କୁ କହିଲା, “ମୋʼ ନିମନ୍ତେ ଏହି ଗୋଟିଏ କଥା କରାଯାଉ: ମୋତେ ଦୁଇ ମାସ ଅବସର ଦିଅ, ଯେପରି ମୁଁ ଓ ମୋʼ ସଖୀଗଣ ଯାଇ ପର୍ବତମାନଙ୍କ ଉପରେ ଭ୍ରମଣ କରି ମୋʼ କୁମାରୀତ୍ଵ ହେତୁ ରୋଦନ କରିପାରିବୁ।”

ତହିଁରେ ସେ କହିଲେ, “ଯାଅ,” ପୁଣି ତାହାକୁ ଦୁଇ ମାସ ପର୍ଯ୍ୟନ୍ତ ବିଦାୟ କଲେ। ତହୁଁ ସେ ଓ ତାହାର ସଖୀଗଣ ଯାଇ ପର୍ବତମାନଙ୍କ ଉପରେ ତାହାର କୁମାରୀତ୍ଵ ହେତୁ ରୋଦନ କଲେ। ଆଉ ଦୁଇ ମାସର ଶେଷରେ ସେ ଆପଣା ପିତାଙ୍କ ନିକଟକୁ ଫେରି ଆସିଲା, ପୁଣି ସେ ଆପଣାର କୃତ ପ୍ରତିଜ୍ଞାନୁସାରେ ତାହା ପ୍ରତି କଲେ; ସେ କୌଣସି ପୁରୁଷକୁ ଜାଣି ନ ଥିଲା। ତହିଁରୁ ଇସ୍ରାଏଲ ମଧ୍ୟରେ ଏକ ରୀତି ପ୍ରଚଳିତ ହେଲା, ଯେ ଇସ୍ରାଏଲର କନ୍ୟାଗଣ ପ୍ରତି ବର୍ଷ ଗିଲୀୟଦୀୟ ଯିପ୍ତହଙ୍କ କନ୍ୟାର ସ୍ମରଣାର୍ଥେ ଚାରି ଦିନ ବାହାରକୁ ଯାଆନ୍ତି।