ତୀମଥି ସେମାନଙ୍କ କାର୍ଯ୍ୟରେ ଯୋଗ ଦେଲେ
ମାକିଦନିଆର ଜଣେ ଲୋକଙ୍କ ଦର୍ଶନ ଦ୍ୱାରା ଆମ ପିତା ସେମାନଙ୍କୁ ଡାକନ୍ତି। ଲୁଦିଆ ନିଜ ଘର ଖୋଲି ଦିଅନ୍ତି; ଭାଗ୍ୟ କହୁଥିବା ଜଣେ ଦାସୀ ତାʼର ଆତ୍ମା ହରାଏ ଓ ତାʼର ମାଲିକମାନେ ସେମାନଙ୍କ ଆୟ। ମାଡ଼ ଖାଇ ଶିକୁଳିରେ ବନ୍ଧା ହୋଇ ପାଉଲ ଓ ଶୀଲା ମଧ୍ୟରାତ୍ରିରେ ଗୀତ ଗାଆନ୍ତି, ଏକ ଭୂମିକମ୍ପ କବାଟ ଖୋଲିଦିଏ, ଏବଂ କାରାରକ୍ଷକ ବାପ୍ତିସ୍ମ ନିଅନ୍ତି।
16 1ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ଗଲେ। ସେଠାରେ ତୀମଥି ନାମକ ଜଣେ ଶିଷ୍ୟ ଥିଲେ, ସେ ଜଣେ ବିଶ୍ଵାସିନୀ ଯିହୂଦୀ ସ୍ତ୍ରୀଙ୍କ ପୁତ୍ର, କିନ୍ତୁ ତାହାଙ୍କ ପିତା ଜଣେ ଗ୍ରୀକ୍ ଥିଲେ। 2ଲୁସ୍ତ୍ରା ଓ ଇକନିୟର ଭାଇମାନେ ତାହାଙ୍କ ବିଷୟରେ ସୁଖ୍ୟାତି କରୁଥିଲେ। 3ପାଉଲ ତାହାଙ୍କୁ ଆପଣା ସଙ୍ଗରେ ନେଇ ଯିବାକୁ ଇଚ୍ଛା କଲେ, ଏଣୁ ସେହି ସ୍ଥାନମାନଙ୍କର ଯିହୂଦୀମାନଙ୍କ ସକାଶେ ସେ ତାହାଙ୍କୁ ନେଇ ସୁନ୍ନତ କଲେ, କାରଣ ତାହାଙ୍କ ପିତା ଯେ ଗ୍ରୀକ୍, ଏହା ସମସ୍ତେ ଜାଣିଥିଲେ। 4ସେମାନେ ନଗରମାନଙ୍କ ମଧ୍ୟ ଦେଇ ଯାଉ ଯାଉ, ଯିରୂଶାଲମର ପ୍ରେରିତ ଓ ପ୍ରାଚୀନମାନେ ଯେଉଁ ନିୟମସବୁ ସ୍ଥିର କରିଥିଲେ, ସେହିସବୁ ପାଳନ କରିବା ନିମନ୍ତେ ସେମାନଙ୍କ ନିକଟରେ ସମର୍ପଣ କଲେ। 5ଏଣୁ ମଣ୍ଡଳୀସମୂହ ବିଶ୍ଵାସରେ ଦୃଢ଼ ହେଲେ ଓ ପ୍ରତିଦିନ ସଂଖ୍ୟାରେ ବୃଦ୍ଧି ପାଇଲେ।
ପିତା ସେମାନଙ୍କୁ ମାକିଦନିଆକୁ ଆହ୍ଵାନ କଲେ
6ପବିତ୍ର ଆତ୍ମା ସେମାନଙ୍କୁ ଆସିଆରେ ବାକ୍ୟ ପ୍ରଚାର କରିବାକୁ ବାରଣ କରିଥିବାରୁ, ସେମାନେ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଅତିକ୍ରମ କଲେ। 7ମୁସିଆ ନିକଟରେ ଉପସ୍ଥିତ ହୋଇ ସେମାନେ ବୈଥୁନିଆରେ ପ୍ରବେଶ କରିବାକୁ ଚେଷ୍ଟା କଲେ, କିନ୍ତୁ ଯୀଶୁଙ୍କ ଆତ୍ମା ସେମାନଙ୍କୁ ଅନୁମତି ଦେଲେ ନାହିଁ। 8ଏଣୁ ସେମାନେ ମୁସିଆ ପାଖ ଦେଇ ଯାଇ ତ୍ରୋୟାକୁ ଓହ୍ଲାଇ ଆସିଲେ। 9ପାଉଲ ରାତ୍ରିରେ ଗୋଟିଏ ଦର୍ଶନ ଦେଖିଲେ: ଜଣେ ମାକିଦନୀୟ ଲୋକ ଠିଆ ହୋଇ ତାହାଙ୍କୁ ବିନତି କରି କହୁଥିଲା, “ମାକିଦନିଆକୁ ପାର ହୋଇ ଆସି ଆମ୍ଭମାନଙ୍କୁ ସାହାଯ୍ୟ କର।” 10ସେ ସେହି ଦର୍ଶନ ଦେଖିଲା ଉତ୍ତାରେ, ଆମ୍ଭମାନଙ୍କ ପିତା ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମ୍ଭମାନଙ୍କୁ ଆହ୍ଵାନ କରିଅଛନ୍ତି ବୋଲି ସ୍ଥିର କରି, ଆମ୍ଭେମାନେ ତୁରନ୍ତ ମାକିଦନିଆକୁ ଯିବା ନିମନ୍ତେ ଚେଷ୍ଟା କଲୁ।
ଲୁଦିଆ ଫିଲିପ୍ପୀରେ ଆପଣା ହୃଦୟ ଉନ୍ମୁକ୍ତ କଲେ
11ଏଣୁ ଆମ୍ଭେମାନେ ତ୍ରୋୟାରୁ ଜାହାଜ ଫିଟାଇ ସମଥ୍ରାକୀକୁ ସିଧା ଯାତ୍ରା କଲୁ, ଆଉ ପରଦିନ ନୀୟାପଲିକୁ, 12ଓ ସେଠାରୁ ଫିଲିପ୍ପୀକୁ ଗଲୁ, ତାହା ମାକିଦନିଆର ସେହି ଅଞ୍ଚଳର ଏକ ପ୍ରଧାନ ନଗର ଓ ଏକ ରୋମୀୟ ଉପନିବେଶ ଥିଲା। ସେଠାରେ ଆମ୍ଭେମାନେ କେତେକ ଦିନ ରହିଲୁ।
13ବିଶ୍ରାମବାରରେ ଆମ୍ଭେମାନେ ପ୍ରାର୍ଥନା କରିବା ସ୍ଥାନ ଅଛି ବୋଲି ଅନୁମାନ କରି, ନଗରଦ୍ଵାର ବାହାରକୁ ଯାଇ ଗୋଟିଏ ନଦୀ ତୀରକୁ ଗଲୁ। ଆମ୍ଭେମାନେ ବସି ସେଠାରେ ଏକତ୍ର ହୋଇଥିବା ସ୍ତ୍ରୀଲୋକମାନଙ୍କ ସହିତ କଥାବାର୍ତ୍ତା କଲୁ। 14ତୁୟାତୀରା ନଗରର ଲୁଦିଆ ନାମ୍ନୀ ଜଣେ ବାଇଗଣୀ ବସ୍ତ୍ର ବିକ୍ରୟକାରିଣୀ ସ୍ତ୍ରୀଲୋକ, ଯେ ଆମ୍ଭମାନଙ୍କ ପିତାଙ୍କ ଉପାସନା କରୁଥିଲେ, ସେ ଶୁଣୁଥିଲେ। ପ୍ରଭୁ ପାଉଲଙ୍କ ବାକ୍ୟରେ ମନୋଯୋଗ କରିବା ନିମନ୍ତେ ତାହାଙ୍କ ହୃଦୟ ଉନ୍ମୁକ୍ତ କଲେ। 15ପୁଣି ସେ ଓ ତାହାଙ୍କ ପରିବାର ବାପ୍ତିଜିତ ହେଲା ଉତ୍ତାରେ, ସେ ଆମ୍ଭମାନଙ୍କୁ ଅନୁରୋଧ କରି କହିଲେ, “ଯଦି ଆପଣମାନେ ମୋତେ ପ୍ରଭୁଙ୍କ ପ୍ରତି ବିଶ୍ଵସ୍ତ ବୋଲି ବିବେଚନା କରନ୍ତି, ତେବେ ମୋʼ ଗୃହକୁ ଆସି ରୁହନ୍ତୁ।” ଆଉ ସେ ଆମ୍ଭମାନଙ୍କୁ ବାଧ୍ୟ କଲେ।
ସୁସମାଚାର ନିମନ୍ତେ କାରାରୁଦ୍ଧ
16ଆମ୍ଭେମାନେ ପ୍ରାର୍ଥନା ସ୍ଥାନକୁ ଯାଉ ଯାଉ, ଭୂତଗ୍ରସ୍ତ ଜଣେ ଦାସୀ ସହିତ ଆମ୍ଭମାନଙ୍କ ସାକ୍ଷାତ ହେଲା; ସେ ଭବିଷ୍ୟତ କଥା କହି ଆପଣା ପ୍ରଭୁମାନଙ୍କ ନିମନ୍ତେ ବହୁତ ଲାଭ ଉପାର୍ଜନ କରୁଥିଲା। 17ସେ ପାଉଲ ଓ ଆମ୍ଭମାନଙ୍କ ପଛେ ପଛେ ଯାଇ ଡାକ ପକାଇ କହିଲା, “ଏହି ଲୋକମାନେ ସର୍ବୋପରିସ୍ଥ ଈଶ୍ଵରଙ୍କ ସେବକ, ସେମାନେ ତୁମ୍ଭମାନଙ୍କ ନିକଟରେ ପରିତ୍ରାଣର ପଥ ଘୋଷଣା କରୁଅଛନ୍ତି।” 18ସେ ଅନେକ ଦିନ ପର୍ଯ୍ୟନ୍ତ ଏହା କରୁଥିଲା। ପାଉଲ ଅତ୍ୟନ୍ତ ବିରକ୍ତ ହୋଇ ବୁଲିପଡ଼ି ସେହି ଆତ୍ମାକୁ କହିଲେ, “ମୁଁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରିଯା।” ଆଉ ତତ୍କ୍ଷଣାତ୍ ତାହା ବାହାରିଗଲା।
19ତାହାର ପ୍ରଭୁମାନେ ଆପଣାମାନଙ୍କ ଲାଭର ଭରସା ଗଲା ବୋଲି ଦେଖି, ପାଉଲ ଓ ଶୀଲାଙ୍କୁ ଧରି ଟାଣି ବଜାରକୁ ଶାସନକର୍ତ୍ତାମାନଙ୍କ ସମ୍ମୁଖକୁ ନେଇଗଲେ। 20ପୁଣି ସେମାନଙ୍କୁ ବିଚାରକର୍ତ୍ତାମାନଙ୍କ ନିକଟକୁ ଆଣି କହିଲେ, “ଏହି ଲୋକମାନେ ଯିହୂଦୀ, ଏମାନେ ଆମ୍ଭମାନଙ୍କ ନଗରରେ ଗଣ୍ଡଗୋଳ କରୁଅଛନ୍ତି, 21ଆଉ ରୋମୀୟ ହୋଇଥିବା ଆମ୍ଭମାନଙ୍କ ପକ୍ଷରେ ଯାହା ଗ୍ରହଣ କରିବା କିମ୍ବା ପାଳନ କରିବା ବିଧିସଙ୍ଗତ ନୁହେଁ, ଏମାନେ ସେହିପରି ରୀତିନୀତି ପ୍ରଚାର କରୁଅଛନ୍ତି।”
22ସେତେବେଳେ ଜନସମୂହ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଏକସଙ୍ଗ ଉଠିଲେ, ଆଉ ବିଚାରକର୍ତ୍ତାମାନେ ପାଉଲ ଓ ଶୀଲାଙ୍କ ବସ୍ତ୍ର ଚିରି ପକାଇ ବେତ୍ରାଘାତ କରିବାକୁ ଆଜ୍ଞା ଦେଲେ। 23ସେମାନଙ୍କୁ ଅନେକ ପ୍ରହାର କଲା ଉତ୍ତାରେ, ସେମାନେ ସେମାନଙ୍କୁ କାରାଗାରରେ ପକାଇଲେ, ପୁଣି ସେମାନଙ୍କୁ ସାବଧାନରେ ରକ୍ଷା କରିବା ନିମନ୍ତେ କାରାରକ୍ଷକକୁ ଆଜ୍ଞା ଦେଲେ। 24ଏହି ପ୍ରକାର ଆଜ୍ଞା ପାଇ, ସେ ସେମାନଙ୍କୁ ଭିତର କୋଠରୀରେ ରୁଦ୍ଧ କରି ସେମାନଙ୍କ ପାଦ ବେଡ଼ିରେ ଦୃଢ଼ ଭାବରେ ବାନ୍ଧିଲା।
25ପ୍ରାୟ ମଧ୍ୟରାତ୍ରି ସମୟରେ ପାଉଲ ଓ ଶୀଲା ପ୍ରାର୍ଥନା କରି ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ସ୍ତୋତ୍ର ଗାନ କରୁଥିଲେ, ଆଉ ବନ୍ଦୀମାନେ ସେମାନଙ୍କ କଥା ଶୁଣୁଥିଲେ। 26ହଠାତ୍ ଗୋଟିଏ ପ୍ରବଳ ଭୂମିକମ୍ପ ହୋଇ କାରାଗାରର ମୂଳଦୁଆ ହଲାଇଲା; ତତ୍କ୍ଷଣାତ୍ ସମସ୍ତ ଦ୍ଵାର ଉନ୍ମୁକ୍ତ ହେଲା ଓ ପ୍ରତ୍ୟେକର ଶିକୁଳି ଢିଲା ହୋଇଗଲା। 27କାରାରକ୍ଷକ ନିଦରୁ ଉଠି କାରାଗାରର ଦ୍ଵାରସବୁ ଉନ୍ମୁକ୍ତ ଦେଖି, ବନ୍ଦୀମାନେ ପଳାଇ ଯାଇଅଛନ୍ତି ବୋଲି ମନେ କରି, ଆପଣା ଖଡ଼୍ଗ କାଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଲା। 28କିନ୍ତୁ ପାଉଲ ଉଚ୍ଚସ୍ଵରରେ ଡାକି କହିଲେ, “ଆପଣାର କିଛି ଅନିଷ୍ଟ କର ନାହିଁ, କାରଣ ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ।”
29ସେତେବେଳେ କାରାରକ୍ଷକ ଆଲୋକ ଆଣିବାକୁ କହି ଭିତରକୁ ଦୌଡ଼ିଗଲା, ଆଉ କମ୍ପିତ ହୋଇ ପାଉଲ ଓ ଶୀଲାଙ୍କ ସମ୍ମୁଖରେ ପଡ଼ିଗଲା। 30ପୁଣି ସେ ସେମାନଙ୍କୁ ବାହାରକୁ ଆଣି କହିଲା, “ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କʼଣ କରିବାକୁ ହେବ?”
31ସେଥିରେ ସେମାନେ କହିଲେ, “ପ୍ରଭୁ ଯୀଶୁଙ୍କଠାରେ ବିଶ୍ଵାସ କର, ତାହାହେଲେ ତୁମ୍ଭେ ଓ ତୁମ୍ଭ ପରିବାର ପରିତ୍ରାଣ ପାଇବ।” 32ଆଉ ସେମାନେ ତାହାକୁ ଓ ତାହାର ଗୃହସ୍ଥିତ ସମସ୍ତଙ୍କୁ ପ୍ରଭୁଙ୍କ ବାକ୍ୟ କହିଲେ। 33ରାତ୍ରିର ସେହି ସମୟରେ ସେ ସେମାନଙ୍କୁ ନେଇ ସେମାନଙ୍କ କ୍ଷତସବୁ ଧୋଇଦେଲା; ପୁଣି ସେ ଓ ତାହାର ସମସ୍ତ ପରିବାର ତତ୍କ୍ଷଣାତ୍ ବାପ୍ତିଜିତ ହେଲେ। 34ଆଉ ସେ ସେମାନଙ୍କୁ ଆପଣା ଗୃହକୁ ନେଇଯାଇ ସେମାନଙ୍କ ସମ୍ମୁଖରେ ଭୋଜନ ପରିବେଷଣ କଲା, ଆଉ ଆମ୍ଭମାନଙ୍କ ପିତାଙ୍କଠାରେ ବିଶ୍ଵାସ କରିବାରୁ ଆପଣା ସମସ୍ତ ପରିବାର ସହିତ ଅତ୍ୟନ୍ତ ଆନନ୍ଦିତ ହେଲା।
35ମାତ୍ର ସକାଳ ହୁଅନ୍ତେ, ବିଚାରକର୍ତ୍ତାମାନେ ପଦାତିକମାନଙ୍କୁ ପଠାଇ କହିଲେ, “ସେହି ଲୋକମାନଙ୍କୁ ମୁକ୍ତ କର।”
36ସେଥିରେ କାରାରକ୍ଷକ ପାଉଲଙ୍କୁ କହିଲା, “ଆପଣମାନଙ୍କୁ ମୁକ୍ତ କରିବା ନିମନ୍ତେ ବିଚାରକର୍ତ୍ତାମାନେ ଆଜ୍ଞା ପଠାଇଅଛନ୍ତି। ଏଣୁ ଏବେ ବାହାରି ଆସି ଶାନ୍ତିରେ ପ୍ରସ୍ଥାନ କରନ୍ତୁ।”
37କିନ୍ତୁ ପାଉଲ ସେମାନଙ୍କୁ କହିଲେ, “ରୋମୀୟ ପ୍ରଜା ହୋଇଥିବା ଆମ୍ଭମାନଙ୍କୁ ସେମାନେ ବିନା ବିଚାରରେ ପ୍ରକାଶ୍ୟରେ ପ୍ରହାର କରି କାରାଗାରରେ ପକାଇଲେ, ଆଉ ଏବେ କʼଣ ସେମାନେ ଗୋପନରେ ଆମ୍ଭମାନଙ୍କୁ ବାହାର କରିଦେବେ? ତାହା ହେବ ନାହିଁ! ସେମାନେ ନିଜେ ଆସି ଆମ୍ଭମାନଙ୍କୁ ବାହାର କରି ନେଇଯାଆନ୍ତୁ।”
38ପଦାତିକମାନେ ଏହି କଥାସବୁ ବିଚାରକର୍ତ୍ତାମାନଙ୍କୁ ଜଣାଇଲେ, ଆଉ ସେମାନେ ରୋମୀୟ ପ୍ରଜା ବୋଲି ଶୁଣି ଭୀତ ହେଲେ। 39ପୁଣି ସେମାନେ ଆସି କ୍ଷମା ମାଗିଲେ, ଆଉ ସେମାନଙ୍କୁ ବାହାର କରି ନଗରରୁ ପ୍ରସ୍ଥାନ କରିବା ନିମନ୍ତେ ବିନତି କଲେ। 40ଏଣୁ ସେମାନେ କାରାଗାରରୁ ବାହାରି ଲୁଦିଆଙ୍କ ଗୃହକୁ ଗଲେ। ସେଠାରେ ଭାଇମାନଙ୍କୁ ଦେଖି ସେମାନଙ୍କୁ ଉତ୍ସାହିତ କରି ପ୍ରସ୍ଥାନ କଲେ।