ଉପାସନା ଓ ଶୃଙ୍ଖଳାରେ ସମ୍ମାନ
ସଭାରେ ଦୁଇଟି ସମସ୍ୟା: ଆମ ପିତାଙ୍କୁ ପ୍ରାର୍ଥନା କରିବା ସମୟରେ ମୁଣ୍ଡ ଘୋଡ଼ାଇବା କି ନ ଘୋଡ଼ାଇବା, ଏବଂ ଏପରି ଏକ ପ୍ରଭୁଭୋଜ ଯେଉଁଥିରେ ଧନୀମାନେ ଆଗରୁ ଖାଇଯାଆନ୍ତି ଓ ଗରିବମାନେ ଭୋକିଲା ରହନ୍ତି। ଏହି ଶେଷଟି ହିଁ କାରଣ ଯେ କେତେକ ଦୁର୍ବଳ ଓ ରୋଗୀ — ସେମାନେ ଶରୀରକୁ ବିଚାର ନ କରି ଖାଆନ୍ତି। ପରସ୍ପର ପାଇଁ ଅପେକ୍ଷା କର।
11 1ମୁଁ ଯେପରି ଖ୍ରୀଷ୍ଟଙ୍କର ଅନୁକାରୀ, ସେହିପରି ତୁମ୍ଭେମାନେ ମୋହର ଅନୁକାରୀ ହୁଅ।
2ତୁମ୍ଭେମାନେ ସବୁ ବିଷୟରେ ମୋତେ ସ୍ମରଣ କରୁଅଛ ଓ ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁ ପରମ୍ପରା ସମର୍ପଣ କରିଥିଲି, ସେସବୁ ଧରି ରଖୁଅଛ ବୋଲି ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଅଛି। 3ମାତ୍ର ତୁମ୍ଭେମାନେ ଜାଣ ବୋଲି ମୁଁ ଇଚ୍ଛା କରୁଅଛି; ପ୍ରତ୍ୟେକ ପୁରୁଷର ମସ୍ତକ ଖ୍ରୀଷ୍ଟ, ସ୍ତ୍ରୀର ମସ୍ତକ ପୁରୁଷ, ଆଉ ଖ୍ରୀଷ୍ଟଙ୍କ ମସ୍ତକ ଆମ୍ଭମାନଙ୍କ ପିତା ଅଟନ୍ତି। 4ଯେଉଁ ପୁରୁଷ ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକକୁ ଅପମାନିତ କରେ। 5କିନ୍ତୁ ଯେଉଁ ସ୍ତ୍ରୀ ମସ୍ତକ ଅନାଚ୍ଛାଦିତ ରଖି ପ୍ରାର୍ଥନା କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକକୁ ଅପମାନିତ କରେ—ଏହା ତ ମସ୍ତକ ମୁଣ୍ଡନ କରିବା ସମାନ। 6ଯଦି କୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ କରିବାକୁ ଅସମ୍ମତ ହୁଏ, ତେବେ ତାହାର କେଶ କାଟାଯାଉ; କିନ୍ତୁ ସ୍ତ୍ରୀ ପକ୍ଷରେ କେଶ କାଟିବା କିମ୍ବା ମସ୍ତକ ମୁଣ୍ଡନ କରିବା ଲଜ୍ଜାକର, ଏଣୁ ସେ ଆପଣା ମସ୍ତକ ଆଚ୍ଛାଦନ କରୁ। 7ପୁରୁଷ ଆପଣା ମସ୍ତକ ଆଚ୍ଛାଦନ କରିବା ଉଚିତ ନୁହେଁ, କାରଣ ସେ ଆମ୍ଭମାନଙ୍କ ପିତାଙ୍କ ପ୍ରତିମୂର୍ତ୍ତି ଓ ମହିମା ଅଟେ; ମାତ୍ର ସ୍ତ୍ରୀ ପୁରୁଷର ମହିମା ଅଟେ। 8କାରଣ ପୁରୁଷ ସ୍ତ୍ରୀଠାରୁ ଉତ୍ପନ୍ନ ହୁଅନ୍ତି ନାହିଁ, ବରଂ ସ୍ତ୍ରୀ ପୁରୁଷଠାରୁ ଉତ୍ପନ୍ନ ହୋଇଅଛି। 9ପୁଣି ପୁରୁଷ ସ୍ତ୍ରୀ ନିମନ୍ତେ ସୃଷ୍ଟ ହୋଇ ନ ଥିଲେ, ବରଂ ସ୍ତ୍ରୀ ପୁରୁଷ ନିମନ୍ତେ ସୃଷ୍ଟ ହୋଇଥିଲା। 10ଏଣୁ ଦୂତମାନଙ୍କ ସକାଶେ ସ୍ତ୍ରୀ ଆପଣା ମସ୍ତକ ଉପରେ ଅଧିକାରର ଚିହ୍ନ ରଖିବା ଉଚିତ।
11ତଥାପି ପ୍ରଭୁଙ୍କଠାରେ ପୁରୁଷ ବିନା ସ୍ତ୍ରୀ ନୁହେଁ, କିମ୍ବା ସ୍ତ୍ରୀ ବିନା ପୁରୁଷ ନୁହେଁ। 12କାରଣ ଯେପରି ସ୍ତ୍ରୀ ପୁରୁଷଠାରୁ ଉତ୍ପନ୍ନ, ସେହିପରି ପୁରୁଷ ମଧ୍ୟ ସ୍ତ୍ରୀ ଦ୍ଵାରା ଜାତ; କିନ୍ତୁ ସମସ୍ତ ବିଷୟ ଆମ୍ଭମାନଙ୍କ ପିତାଙ୍କଠାରୁ ଉତ୍ପନ୍ନ। 13ତୁମ୍ଭେମାନେ ଆପଣାମାନଙ୍କ ମଧ୍ୟରେ ବିଚାର କର; ସ୍ତ୍ରୀ ମସ୍ତକ ଅନାଚ୍ଛାଦିତ ରଖି ଆମ୍ଭମାନଙ୍କ ପିତାଙ୍କ ନିକଟରେ ପ୍ରାର୍ଥନା କରିବା କʼଣ ଶୋଭନୀୟ? 14ପ୍ରକୃତି ଆପେ କʼଣ ତୁମ୍ଭମାନଙ୍କୁ ଶିକ୍ଷା ଦିଏ ନାହିଁ ଯେ, ପୁରୁଷର ଦୀର୍ଘ କେଶ ତାହା ପକ୍ଷରେ ଅପମାନଜନକ, 15କିନ୍ତୁ ଯଦି ସ୍ତ୍ରୀର ଦୀର୍ଘ କେଶ ଥାଏ, ତେବେ ତାହା ତାହା ପକ୍ଷରେ ଗୌରବଜନକ, କାରଣ ସେହି କେଶ ଆଚ୍ଛାଦନ ସ୍ଵରୂପେ ତାହାକୁ ଦିଆଯାଇଅଛି। 16ଯଦି କେହି ଏ ବିଷୟରେ ବିବାଦ କରିବାକୁ ପ୍ରବୃତ୍ତ ହୁଏ, ତେବେ ଆମ୍ଭମାନଙ୍କର କିମ୍ବା ଆମ୍ଭମାନଙ୍କ ପିତାଙ୍କ ମଣ୍ଡଳୀଗୁଡ଼ିକର ଏପରି କୌଣସି ରୀତି ନାହିଁ।
ପ୍ରଭୁଙ୍କ ମେଜ ଅବମାନିତ
17ଏହି ଆଦେଶ ଦେବା ସମୟରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରେ ନାହିଁ, କାରଣ ତୁମ୍ଭେମାନେ ଏକତ୍ର ହେବା ଦ୍ଵାରା ଉତ୍ତମ ନ ହୋଇ ବରଂ ମନ୍ଦ ହୋଇଥାଅ। 18କାରଣ ପ୍ରଥମତଃ, ତୁମ୍ଭେମାନେ ମଣ୍ଡଳୀ ରୂପେ ଏକତ୍ର ହେବା ସମୟରେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଅଛି ବୋଲି ମୁଁ ଶୁଣୁଅଛି, ଆଉ ତାହା କେତେକ ପରିମାଣରେ ବିଶ୍ଵାସ କରୁଅଛି। 19କାରଣ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ମଧ୍ୟ ଅବଶ୍ୟ ଘଟିବ, ଯେପରି ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ପ୍ରକୃତ, ସେମାନେ ପ୍ରକାଶ ପାଇବେ। 20ଅତଏବ ତୁମ୍ଭେମାନେ ଏକ ସ୍ଥାନରେ ଏକତ୍ର ହେବା ସମୟରେ ଯାହା ଭୋଜନ କର, ତାହା ପ୍ରଭୁଙ୍କ ଭୋଜ ନୁହେଁ। 21କାରଣ ଭୋଜନ କରିବା ବେଳେ ପ୍ରତ୍ୟେକ ଜଣ ଆପଣା ଆପଣା ଭୋଜ ଆଗରେ ଗ୍ରହଣ କରିବାକୁ ଛୁଟେ—ଜଣେ କ୍ଷୁଧିତ ରହେ, ଆଉ ଜଣେ ମତ୍ତ ହୁଏ। 22ଭୋଜନପାନ କରିବା ନିମନ୍ତେ କʼଣ ତୁମ୍ଭମାନଙ୍କର ଗୃହ ନାହିଁ? ଅବା ତୁମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କ ମଣ୍ଡଳୀକୁ ତୁଚ୍ଛ କରୁଅଛ ଓ ଯେଉଁମାନଙ୍କର କିଛି ନାହିଁ, ସେମାନଙ୍କୁ ଲଜ୍ଜା ଦେଉଅଛ? ମୁଁ ତୁମ୍ଭମାନଙ୍କୁ କʼଣ କହିବି? କʼଣ ତୁମ୍ଭମାନଙ୍କର ପ୍ରଶଂସା କରିବି? ଏ ବିଷୟରେ ମୁଁ ପ୍ରଶଂସା କରେ ନାହିଁ।
23କାରଣ ମୁଁ ପ୍ରଭୁଙ୍କଠାରୁ ଯାହା ପାଇଲି ଓ ତୁମ୍ଭମାନଙ୍କ ନିକଟକୁ ମଧ୍ୟ ସମର୍ପଣ କଲି, ତାହା ଏହି; ପ୍ରଭୁ ଯୀଶୁ ଯେଉଁ ରାତ୍ରିରେ ସମର୍ପିତ ହେଲେ, ସେହି ରାତ୍ରିରେ ସେ ରୁଟି ନେଇ,
24ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, “ଏହା ମୋହର ଶରୀର, ତୁମ୍ଭମାନଙ୍କ ନିମନ୍ତେ; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।” 25ସେହିପରି ସେ ଭୋଜ ଉତ୍ତାରେ ପାନପାତ୍ର ମଧ୍ୟ ନେଇ କହିଲେ, “ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ ଅଟେ। ତୁମ୍ଭେମାନେ ଯେତେଥର ଏହା ପାନ କର, ସେତେଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”
26କାରଣ ତୁମ୍ଭେମାନେ ଯେତେଥର ଏହି ରୁଟି ଭୋଜନ କର ଓ ଏହି ପାନପାତ୍ର ପାନ କର, ସେତେଥର ପ୍ରଭୁ ନ ଆସିବା ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ଘୋଷଣା କରିଥାଅ।
27ଅତଏବ ଯେକେହି ଅଯୋଗ୍ୟ ରୂପେ ପ୍ରଭୁଙ୍କ ରୁଟି ଭୋଜନ କରେ କିମ୍ବା ତାହାଙ୍କ ପାନପାତ୍ର ପାନ କରେ, ସେ ପ୍ରଭୁଙ୍କ ଶରୀର ଓ ରକ୍ତ ବିଷୟରେ ଅପରାଧୀ ହେବ। 28ମାତ୍ର ମନୁଷ୍ୟ ଆପଣାକୁ ପରୀକ୍ଷା କରୁ, ତାହା ପରେ ସେହି ରୁଟି ଭୋଜନ କରୁ ଓ ସେହି ପାନପାତ୍ର ପାନ କରୁ। 29କାରଣ ଯେକେହି ଶରୀର ବିବେଚନା ନ କରି ଭୋଜନପାନ କରେ, ସେ ଆପଣା ପ୍ରତି ଦଣ୍ଡ ଭୋଜନପାନ କରେ। 30ଏଥିସକାଶେ ତୁମ୍ଭମାନଙ୍କ ମଧ୍ୟରେ ଅନେକ ଦୁର୍ବଳ ଓ ପୀଡ଼ିତ, ପୁଣି କେତେକ ମହାନିଦ୍ରାପ୍ରାପ୍ତ ହୋଇଅଛନ୍ତି। 31କିନ୍ତୁ ଯଦି ଆମ୍ଭେମାନେ ଆପଣାମାନଙ୍କ ବିଚାର ଯଥାର୍ଥ ରୂପେ କରନ୍ତୁ, ତେବେ ବିଚାରିତ ହୁଅନ୍ତୁ ନାହିଁ। 32ପ୍ରଭୁ ଆମ୍ଭମାନଙ୍କ ବିଚାର କରିବା ସମୟରେ ଆମ୍ଭମାନଙ୍କୁ ଶାସନ କରନ୍ତି, ଯେପରି ଆମ୍ଭେମାନେ ଜଗତ ସହିତ ଦଣ୍ଡିତ ନ ହେଉ। 33ଅତଏବ ହେ ମୋହର ଭ୍ରାତୃଭଗିନୀମାନେ, ତୁମ୍ଭେମାନେ ଭୋଜନ କରିବା ନିମନ୍ତେ ଏକତ୍ର ହେବା ସମୟରେ ପରସ୍ପରକୁ ଅପେକ୍ଷା କର। 34ଯଦି କେହି କ୍ଷୁଧିତ ହୁଏ, ତେବେ ସେ ଗୃହରେ ଭୋଜନ କରୁ, ଯେପରି ତୁମ୍ଭମାନଙ୍କ ଏକତ୍ର ହେବା ଦଣ୍ଡଜନକ ନ ହୁଏ। ଅବଶିଷ୍ଟ ବିଷୟ ମୁଁ ଆସିବା ସମୟରେ ସ୍ଥିର କରିବି।