ତାହାଙ୍କ ବାସନା ମୋʼ ନିମନ୍ତେ
ପୁରୁଷ ଜଣକ ତାହାର ପାଦୁକା ପିନ୍ଧା ଚରଣଠାରୁ କେଶ ପର୍ଯ୍ୟନ୍ତ ପ୍ରଶଂସା କରେ, ଖୋଲାଖୋଲି ତାହାଠାରେ ଆନନ୍ଦିତ ହୁଏ। ସେ ତାହା ଏଡ଼ାଇ ଦିଏ ନାହିଁ। ସେ ସେହି ବାସନାକୁ ପରସ୍ପରର ଓ ନିଜର ବୋଲି ଦାବି କରେ, ତାʼପରେ ତାହାକୁ ଦ୍ରାକ୍ଷାକ୍ଷେତ୍ର ଓ ଗ୍ରାମମାନଙ୍କୁ ନେଇଯାଏ, ଯେଉଁଠାରେ ସେ ତାହା ପାଇଁ ଫଳ ସାଇତି ରଖିଛି।
7 1ହେ କୁଳୀନ କନ୍ୟେ, ପାଦୁକାରେ ତୁମ୍ଭ ଚରଣ କିପରି ସୁନ୍ଦର! ତୁମ୍ଭ ଜଙ୍ଘର ବକ୍ରତା ମଣି ସଦୃଶ, ନିପୁଣ ଶିଳ୍ପକାରର ହସ୍ତକୃତ କର୍ମ ତୁଲ୍ୟ। 2ତୁମ୍ଭ ନାଭି ଗୋଲାକାର ପାତ୍ର ସଦୃଶ, ତହିଁରେ ମିଶ୍ରିତ ଦ୍ରାକ୍ଷାରସର କେବେ ଅଭାବ ହୁଏ ନାହିଁ। ତୁମ୍ଭ ଉଦର କଇଁ ପୁଷ୍ପରେ ବେଷ୍ଟିତ ଗହମ ରାଶି ତୁଲ୍ୟ। 3ତୁମ୍ଭ ସ୍ତନଦ୍ଵୟ ହରିଣ ଶାବକ ଦୁଇଟି ତୁଲ୍ୟ, ମୃଗୀର ଯାଆଁଳା ବତ୍ସ ସଦୃଶ। 4ତୁମ୍ଭ ଗ୍ରୀବା ହସ୍ତୀଦନ୍ତ ନିର୍ମିତ ଦୁର୍ଗ ତୁଲ୍ୟ। ତୁମ୍ଭ ଚକ୍ଷୁଦ୍ଵୟ ବତ୍-ରବ୍ବୀମ ଦ୍ଵାର ନିକଟସ୍ଥ ହିଷ୍ବୋନର ପୁଷ୍କରିଣୀ ତୁଲ୍ୟ। ତୁମ୍ଭ ନାସିକା ଦମ୍ମେଶକ ଅଭିମୁଖ ଲିବାନୋନର ଦୁର୍ଗ ତୁଲ୍ୟ। 5ତୁମ୍ଭ ମସ୍ତକ କର୍ମିଲ ତୁଲ୍ୟ ତୁମ୍ଭକୁ ବିଭୂଷିତ କରେ, ପୁଣି ତୁମ୍ଭ ପ୍ରବାହିତ କେଶ ବାଇଗଣୀ ବର୍ଣ୍ଣ ତୁଲ୍ୟ; ଏକ ରାଜା ତହିଁର ଅଳକାରେ ବନ୍ଦୀ ହୋଇ ରହିଅଛନ୍ତି। 6ହେ ପ୍ରିୟେ, ତୁମ୍ଭ ସମସ୍ତ ଆନନ୍ଦ ସହିତ ତୁମ୍ଭେ କିପରି ସୁନ୍ଦର ଓ କିପରି ମନୋହର! 7ତୁମ୍ଭ ଉଚ୍ଚତା ତାଳବୃକ୍ଷ ତୁଲ୍ୟ, ପୁଣି ତୁମ୍ଭ ସ୍ତନଦ୍ଵୟ ତହିଁର ପେଣ୍ଡା ସଦୃଶ। 8ମୁଁ କହିଲି, “ମୁଁ ତାଳବୃକ୍ଷରେ ଚଢ଼ିବି ଓ ତହିଁର ଫଳ ଧରିବି।” ତୁମ୍ଭ ସ୍ତନଦ୍ଵୟ ଦ୍ରାକ୍ଷାଲତାର ପେଣ୍ଡା ତୁଲ୍ୟ ହେଉ, ପୁଣି ତୁମ୍ଭ ନିଃଶ୍ଵାସର ସୁଗନ୍ଧ ସେଓ ତୁଲ୍ୟ, 9ଆଉ ତୁମ୍ଭ ମୁଖ ଉତ୍ତମ ଦ୍ରାକ୍ଷାରସ ତୁଲ୍ୟ। ତାହା ମୋହର ପ୍ରିୟତମ ନିମନ୍ତେ ସୁଗମରେ ବହିଯାଏ, ଓଷ୍ଠ ଓ ଦନ୍ତ ଉପରେ କୋମଳ ଭାବରେ ଗଡ଼ିଯାଏ।
10ମୁଁ ମୋହର ପ୍ରିୟତମଙ୍କର, ପୁଣି ତାହାଙ୍କ ବାସନା ମୋʼ ନିମନ୍ତେ। 11ହେ ମୋହର ପ୍ରିୟତମ, ଆସ, ଆମ୍ଭେମାନେ କ୍ଷେତ୍ରକୁ ବାହାରିଯାଉ ଓ ଗ୍ରାମମାନଙ୍କରେ ରାତ୍ରି କ୍ଷେପଣ କରୁ। 12ଆମ୍ଭେମାନେ ପ୍ରତ୍ୟୁଷରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ ଓ ଦ୍ରାକ୍ଷାଲତା ପଲ୍ଲବିତ ହୋଇଅଛି କି ନାହିଁ, ପୁଷ୍ପ ପ୍ରସ୍ଫୁଟିତ ହୋଇଅଛି କି ନାହିଁ, ଓ ଡାଳିମ୍ବ ଫୁଟିଅଛି କି ନାହିଁ, ତାହା ଦେଖୁ। ସେଠାରେ ମୁଁ ତୁମ୍ଭକୁ ମୋହର ପ୍ରେମ ଦେବି। 13ଦୂଦାଫଳ ଆପଣା ସୁଗନ୍ଧ ବିତରଣ କରୁଅଛି, ଆଉ ଆମ୍ଭମାନଙ୍କ ଦ୍ଵାର ଉପରେ ନୂତନ ଓ ପୁରାତନ ସମସ୍ତ ଉତ୍ତମ ଫଳ ଅଛି, ଯାହା ମୁଁ, ହେ ମୋହର ପ୍ରିୟତମ, ତୁମ୍ଭ ନିମନ୍ତେ ସଞ୍ଚୟ କରି ରଖିଅଛି। a a v13 ଦୂଦାଫଳ ସୁଗନ୍ଧଯୁକ୍ତ ଉଦ୍ଭିଦ ଥିଲା, ଯାହା ପ୍ରାଚୀନ ଜଗତରେ ପ୍ରେମବାସନା ଉଦ୍ଦୀପିତ କରେ ଓ ବଂଶବୃଦ୍ଧି ବର୍ଦ୍ଧିତ କରେ ବୋଲି ବହୁଳ ଭାବରେ ବିଶ୍ଵାସ କରାଯାଉଥିଲା।