ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ମୁଁ ମୋହର ପ୍ରିୟତମଙ୍କର

ଯିରୂଶାଲମର କନ୍ୟାମାନେ ତାହାକୁ ଖୋଜିବାରେ ସାହାଯ୍ୟ କରିବାକୁ ଚାହାନ୍ତି, ଆଉ ସେ ଉତ୍ତର ଦିଏ ଯେ ସେ କେଉଁଠାକୁ ଯାଇଛି ତାହା ସେ ଜାଣେ। ପୁରୁଷ ଜଣକ ତାହାର ପ୍ରଶଂସା କରେ: ଷାଠିଏ ରାଣୀ ଓ ଅସଂଖ୍ୟ ସ୍ତ୍ରୀ, ତଥାପି ସେ ହିଁ ଏକମାତ୍ର। ତାʼପରେ ଦର୍ଶକମାନେ ଶୂଲମ୍ମୀୟାକୁ ଦେଖିବା ପାଇଁ ଫେରି ଆସିବାକୁ ଡାକନ୍ତି।

ଅଧ୍ୟାୟ 6।

ହେ ନାରୀଗଣ ମଧ୍ୟରେ ସର୍ବସୁନ୍ଦରୀ, ତୁମ୍ଭ ପ୍ରିୟତମ କେଉଁଠାକୁ ଯାଇଅଛନ୍ତି? ତୁମ୍ଭ ପ୍ରିୟତମ କେଉଁ ବାଟେ ଯାଇଅଛନ୍ତି, ଯେପରି ଆମ୍ଭେମାନେ ତୁମ୍ଭ ସହିତ ତାହାଙ୍କୁ ଅନ୍ଵେଷଣ କରିପାରୁ?

ମୋହର ପ୍ରିୟତମ ଆପଣା ଉଦ୍ୟାନକୁ, ସୁଗନ୍ଧି ଦ୍ରବ୍ୟର କିଆରିମାନଙ୍କ ନିକଟକୁ ଓହ୍ଲାଇ ଯାଇଅଛନ୍ତି, ଯେପରି ଉଦ୍ୟାନସମୂହ ମଧ୍ୟରେ ଚରାଇବେ ଓ କଇଁ ଫୁଲ ସଂଗ୍ରହ କରିବେ।

ମୁଁ ମୋହର ପ୍ରିୟତମଙ୍କର ଓ ମୋହର ପ୍ରିୟତମ ମୋହର; ସେ କଇଁ ଫୁଲ ମଧ୍ୟରେ ଚରାନ୍ତି।

ହେ ମୋହର ପ୍ରିୟେ, ତୁମ୍ଭେ ତିର୍ସା ତୁଲ୍ୟ ସୁନ୍ଦରୀ, ଯିରୂଶାଲମ ତୁଲ୍ୟ ମନୋହରା, ପତାକାଧାରୀ ସୈନ୍ୟଦଳ ତୁଲ୍ୟ ଭୟଙ୍କରୀ ଅଟ। a a v4 ତିର୍ସା ଏକ ପ୍ରାଚୀନ ରାଜକୀୟ ନଗର ଥିଲା, ଯାହା ଆପଣା ସୌନ୍ଦର୍ଯ୍ୟ ନିମନ୍ତେ ବିଖ୍ୟାତ ଥିଲା, ଏଠାରେ ଏହା ଯିରୂଶାଲମ ସହିତ ନଗରସମୂହର ମଧ୍ୟରେ ସର୍ବାପେକ୍ଷା ମନୋହର ରୂପେ ଯୁଗ୍ମ କରାଯାଇଅଛି।

ତୁମ୍ଭ ଚକ୍ଷୁ ମୋʼଠାରୁ ଫେରାଅ, କାରଣ ତାହା ମୋତେ ଅଭିଭୂତ କରେ। ତୁମ୍ଭ କେଶ ଗିଲୀୟଦରୁ ଓହ୍ଲାଇ ଆସୁଥିବା ଛାଗପଲ ତୁଲ୍ୟ। ତୁମ୍ଭ ଦନ୍ତ ସ୍ନାନ କରି ଉଠିଆସିଥିବା ମେଷୀପଲ ତୁଲ୍ୟ, ସେସମସ୍ତେ ଯାଆଁଳା ପ୍ରସବ କରନ୍ତି, ପୁଣି ସେମାନଙ୍କ ମଧ୍ୟରେ କେହି ନିଃସନ୍ତାନ ନୁହେଁ। ତୁମ୍ଭ ଓଢ଼ଣୀ ତଳେ ତୁମ୍ଭ କଅଁଳ ଡାଳିମ୍ବ ଫଳର ଖଣ୍ଡ ତୁଲ୍ୟ।

ଷାଠିଏ ରାଣୀ ଓ ଅଶୀ ଉପପତ୍ନୀ, ପୁଣି ଅସଂଖ୍ୟ ଯୁବତୀ ଅଛନ୍ତି, ମାତ୍ର ମୋହର କପୋତୀ, ମୋହର ନିର୍ଦ୍ଦୋଷା ଅଦ୍ଵିତୀୟା ଅଟେ, ସେ ଆପଣା ମାତାର ଏକମାତ୍ର କନ୍ୟା, ପ୍ରସବକାରିଣୀର ପ୍ରିୟତମା। ଯୁବତୀମାନେ ତାହାକୁ ଦେଖି ତାହାକୁ ଧନ୍ୟା ବୋଲି କହିଲେ; ରାଣୀ ଓ ଉପପତ୍ନୀମାନେ ମଧ୍ୟ ତାହାର ପ୍ରଶଂସା କଲେ।

ଅରୁଣ ତୁଲ୍ୟ ଉଦିତ, ଚନ୍ଦ୍ର ତୁଲ୍ୟ ସୁନ୍ଦରୀ, ସୂର୍ଯ୍ୟ ତୁଲ୍ୟ ଉଜ୍ଜ୍ଵଳା, ପତାକାଧାରୀ ସୈନ୍ୟଦଳ ତୁଲ୍ୟ ଭୟଙ୍କରୀ ଏ କିଏ?

ମୁଁ ଉପତ୍ୟକାର ପୁଷ୍ପ ଦେଖିବାକୁ, ଦ୍ରାକ୍ଷାଲତା ଅଙ୍କୁରିତ ହୋଇଅଛି କି ନାହିଁ ଓ ଡାଳିମ୍ବ ଫୁଟିଅଛି କି ନାହିଁ ତାହା ଦେଖିବାକୁ ବାଦାମ ଉଦ୍ୟାନକୁ ଓହ୍ଲାଇ ଗଲି।

ମୁଁ ଜାଣିବା ପୂର୍ବରୁ ମୋହର ବାସନା ମୋତେ ମୋʼ କୁଳୀନ ଲୋକଙ୍କ ରଥସମୂହ ମଧ୍ୟରେ ସ୍ଥାପନ କଲା।

ଫେର, ଫେର, ହେ ଶୂଲମୀୟେ; ଫେର, ଫେର, ଯେପରି ଆମ୍ଭେମାନେ ତୁମ୍ଭକୁ ନିରୀକ୍ଷଣ କରିପାରୁ। ତୁମ୍ଭେମାନେ ଦୁଇ ଛାଉଣିର ନୃତ୍ୟ ଦେଖିବା ତୁଲ୍ୟ ଶୂଲମୀୟାକୁ କାହିଁକି ନିରୀକ୍ଷଣ କରୁଅଛ? b b v13 ‘ଦୁଇ ଛାଉଣିର ନୃତ୍ୟ’ ଦର୍ଶକମାନଙ୍କ ଦୁଇ ଅଭିମୁଖ ଶ୍ରେଣୀ ମଧ୍ୟରେ କରାଯାଉଥିବା ଏକ ମନୋହର ଶୋଭାଯାତ୍ରାର ଚିତ୍ର ଅଙ୍କନ କରେ।