ମୁଁ ଦ୍ଵାର ଫିଟାଇଲି, ମାତ୍ର ସେ ଚାଲିଯାଇଥିଲେ
ସେ କହେ ସେ ନିଜ ଉଦ୍ୟାନକୁ ଆସିଅଛି। ତାʼପରେ ସ୍ତ୍ରୀ ଜଣକ ଏକ ରାତିର କଥା କହେ, ଯେତେବେଳେ ସେ ଦ୍ୱାରରେ ଦ୍ୱିଧା କଲା ଓ ବିଳମ୍ବରେ ଖୋଲି ଦେଖିଲା ସେ ଚାଲିଯାଇଛି। ଖୋଜିବା ବେଳେ ପ୍ରହରୀମାନେ ତାହାକୁ ମାରିଲେ। ତାହାକୁ କାହିଁକି ଭିନ୍ନ ବୋଲି ପଚରାଯିବାରୁ, ସେ ତାହାର ମସ୍ତକରୁ ପାଦ ପର୍ଯ୍ୟନ୍ତ ବର୍ଣ୍ଣନା କରେ।
5 1ହେ ମୋହର ଭଗିନୀ, ମୋହର କନ୍ୟେ, ମୁଁ ଆପଣା ଉଦ୍ୟାନରେ ପ୍ରବେଶ କରିଅଛି; ମୁଁ ଆପଣା ସୁଗନ୍ଧି ଦ୍ରବ୍ୟ ସହିତ ମୋʼ ଗନ୍ଧରସ ସଂଗ୍ରହ କରିଅଛି, ମୁଁ ଆପଣା ମଧୁ ସହିତ ମୋʼ ମଧୁଚାକ ଭୋଜନ କରିଅଛି, ମୁଁ ଆପଣା କ୍ଷୀର ସହିତ ମୋʼ ଦ୍ରାକ୍ଷାରସ ପାନ କରିଅଛି। ହେ ବନ୍ଧୁଗଣ, ଭୋଜନ କର; ହେ ପ୍ରିୟତମଗଣ, ପାନ କର ଓ ତୃପ୍ତ ହେବା ପର୍ଯ୍ୟନ୍ତ ପାନ କର!
2ମୁଁ ନିଦ୍ରିତ ଥିଲି, ମାତ୍ର ମୋହର ହୃଦୟ ଜାଗ୍ରତ ଥିଲା। ଗୋଟିଏ ସ୍ଵର—ମୋହର ପ୍ରିୟତମ ଦ୍ଵାରରେ ଆଘାତ କରୁଅଛନ୍ତି: “ହେ ମୋହର ଭଗିନୀ, ମୋହର ପ୍ରିୟେ, ମୋହର କପୋତୀ, ମୋହର ନିର୍ଦ୍ଦୋଷେ, ମୋʼ ନିମନ୍ତେ ଦ୍ଵାର ଫିଟାଅ, କାରଣ ମୋʼ ମସ୍ତକ ଶିଶିରରେ ଓ ମୋʼ କେଶ ରାତ୍ରିର ବିନ୍ଦୁରେ ଆର୍ଦ୍ର ହୋଇଅଛି।” 3ମୁଁ ଆପଣା ବସ୍ତ୍ର କାଢ଼ି ପକାଇଅଛି—କିପରି ପୁନର୍ବାର ପିନ୍ଧିବି? ମୁଁ ଆପଣା ପାଦ ଧୋଇଅଛି—କିପରି ତାହା ପୁଣି ମଇଳା କରିବି? 4ମୋହର ପ୍ରିୟତମ ଦ୍ଵାର-ଛିଦ୍ର ମଧ୍ୟରେ ଆପଣା ହସ୍ତ ଦେଲେ, ତହିଁରେ ମୋʼ ଅନ୍ତର ତାହାଙ୍କ ନିମନ୍ତେ ଉଦ୍ବେଳିତ ହେଲା। 5ମୁଁ ଆପଣା ପ୍ରିୟତମଙ୍କ ନିମନ୍ତେ ଦ୍ଵାର ଫିଟାଇବାକୁ ଉଠିଲି, ତହିଁରେ ମୋʼ ହସ୍ତରୁ ଗନ୍ଧରସ ଓ ଅର୍ଗଳର ବେଣ୍ଟ ଉପରେ ମୋʼ ଅଙ୍ଗୁଳିରୁ ତରଳ ଗନ୍ଧରସ ଝରିଲା। 6ମୁଁ ଆପଣା ପ୍ରିୟତମଙ୍କ ନିମନ୍ତେ ଦ୍ଵାର ଫିଟାଇଲି, ମାତ୍ର ମୋହର ପ୍ରିୟତମ ବୁଲିଯାଇ ଚାଲିଯାଇଥିଲେ। ସେ କଥା କହିବା ବେଳେ ମୋʼ ପ୍ରାଣ ମୂର୍ଚ୍ଛିତ ହୋଇଥିଲା। ମୁଁ ତାହାଙ୍କୁ ଅନ୍ଵେଷଣ କଲି, ମାତ୍ର ପାଇଲି ନାହିଁ; ମୁଁ ତାହାଙ୍କୁ ଡାକିଲି, ମାତ୍ର ସେ କିଛି ଉତ୍ତର ଦେଲେ ନାହିଁ। 7ପ୍ରହରୀମାନେ ନଗର ମଧ୍ୟରେ ଭ୍ରମଣ କରୁ କରୁ ମୋତେ ପାଇଲେ; ସେମାନେ ମୋତେ ଆଘାତ କଲେ, ସେମାନେ ମୋତେ କ୍ଷତବିକ୍ଷତ କଲେ; ସେହି ପ୍ରାଚୀରର ପ୍ରହରୀମାନେ ମୋʼ ଠାରୁ ମୋʼ ଉତ୍ତରୀୟ ବସ୍ତ୍ର ନେଇଗଲେ। 8ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ ଶପଥ ଦେଉଅଛି, ଯଦି ତୁମ୍ଭେମାନେ ମୋʼ ପ୍ରିୟତମଙ୍କୁ ପାଅ, ତେବେ ମୁଁ ପ୍ରେମରେ ପୀଡ଼ିତା ବୋଲି ତାହାଙ୍କୁ କୁହ। 9ହେ ନାରୀଗଣ ମଧ୍ୟରେ ପରମା ସୁନ୍ଦରୀ, ଅନ୍ୟ ପ୍ରିୟତମଠାରୁ ତୁମ୍ଭ ପ୍ରିୟତମ ଅଧିକ କʼଣ? ତୁମ୍ଭେ ଯେ ଆମ୍ଭମାନଙ୍କୁ ଏରୂପ ଶପଥ ଦେଉଅଛ, ଅନ୍ୟ ପ୍ରିୟତମଠାରୁ ତୁମ୍ଭ ପ୍ରିୟତମ ଅଧିକ କʼଣ?
10ମୋହର ପ୍ରିୟତମ ଉଜ୍ଜ୍ଵଳ ଓ ରକ୍ତବର୍ଣ୍ଣ, ଦଶ ସହସ୍ର ମଧ୍ୟରେ ଅଗ୍ରଗଣ୍ୟ। 11ତାହାଙ୍କ ମସ୍ତକ ଉତ୍ତମ ସୁବର୍ଣ୍ଣ ତୁଲ୍ୟ; ତାହାଙ୍କ କେଶ କୁଞ୍ଚିତ, ଡାମରା କାଉ ପରି କଳା। 12ତାହାଙ୍କ ଚକ୍ଷୁ ଜଳସ୍ରୋତ ନିକଟସ୍ଥ କପୋତ ତୁଲ୍ୟ, ଦୁଗ୍ଧରେ ଧୌତ, ଯଥାସ୍ଥାନରେ ବସାଯାଇଥିବା ମଣି ପରି। 13ତାହାଙ୍କ କପୋଳ ସୁଗନ୍ଧି ଦ୍ରବ୍ୟର ଉଦ୍ୟାନ ତୁଲ୍ୟ, ସୁଗନ୍ଧି ଲତାର ସ୍ତୂପ। ତାହାଙ୍କ ଓଷ୍ଠ ଲିଲି ପୁଷ୍ପ ତୁଲ୍ୟ, ତରଳ ଗନ୍ଧରସ ଝରୁଅଛି। 14ତାହାଙ୍କ ବାହୁ ମଣିଖଚିତ ସୁବର୍ଣ୍ଣ ଦଣ୍ଡ ତୁଲ୍ୟ। ତାହାଙ୍କ ଶରୀର ନୀଳମଣିରେ ଭୂଷିତ ଚିକ୍କଣ ଗଜଦନ୍ତ ତୁଲ୍ୟ। 15ତାହାଙ୍କ ପାଦ ଉତ୍ତମ ସୁବର୍ଣ୍ଣ ଚୁଙ୍ଗି ଉପରେ ସ୍ଥାପିତ ପ୍ରସ୍ତର ସ୍ତମ୍ଭ ତୁଲ୍ୟ। ତାହାଙ୍କ ରୂପ ଲିବାନୋନ ତୁଲ୍ୟ, ଏରସ ବୃକ୍ଷ ପରି ଉତ୍ତମ। 16ତାହାଙ୍କ ମୁଖ ମାଧୁର୍ଯ୍ୟ ସ୍ଵରୂପ, ଆଉ ସେ ସର୍ବତୋଭାବେ ବାଞ୍ଛନୀୟ। ହେ ଯିରୂଶାଲମର କନ୍ୟାଗଣ, ଏ ମୋହର ପ୍ରିୟତମ, ଆଉ ଏ ମୋହର ବନ୍ଧୁ।