ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ବିଘ୍ନ ଓ କ୍ଷମା ବିଷୟରେ

ଦିନକୁ ସାତ ଥର କ୍ଷମା କର। ଗୋଟିଏ ଦାନା ପରିମାଣର ବିଶ୍ୱାସ ଯଥେଷ୍ଟ। ନିଜ କର୍ତ୍ତବ୍ୟ କରୁଥିବା ସେବକମାନେ କୌଣସି ଶ୍ରେୟ ଦାବି କରନ୍ତି ନାହିଁ। ଦଶ ଜଣ କୁଷ୍ଠରୋଗୀ ସୁସ୍ଥ ହୁଅନ୍ତି ଏବଂ ଜଣେ, ଏକ ଶମିରୋଣୀୟ, ଆମ୍ଭମାନଙ୍କ ପିତାଙ୍କ ପ୍ରଶଂସା କରି ଫେରିଆସେ। ରାଜ୍ୟ ଆଙ୍ଗୁଠି ଦେଖାଇ କହିବା ଭଳି କୌଣସି ସ୍ଥାନ ନୁହେଁ; ତାହା ପୂର୍ବରୁ ସେମାନଙ୍କ ମଧ୍ୟରେ ଅଛି।

ଅଧ୍ୟାୟ 17।

ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ବିଘ୍ନ ନିଶ୍ଚୟ ଘଟିବ, କିନ୍ତୁ ଯାହା ଦ୍ଵାରା ତାହା ଘଟେ, ସେ ସନ୍ତାପର ପାତ୍ର! ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନ ଜନ୍ମାଇବା ଅପେକ୍ଷା ତାହାର ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯିବା ତାହା ପକ୍ଷେ ଭଲ।

“ତୁମ୍ଭେମାନେ ଆପଣାମାନଙ୍କ ବିଷୟରେ ସାବଧାନ ହୁଅ। ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର, ଆଉ ଯଦି ସେ ମନପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା କର। ଆଉ ଯଦି ସେ ଦିନକ ମଧ୍ୟରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ, ପୁଣି ‘ମୁଁ ମନପରିବର୍ତ୍ତନ କରୁଅଛି’ ବୋଲି କହି ସାତ ଥର ତୁମ୍ଭ ନିକଟକୁ ଫେରିଆସେ, ତେବେ ତାହାକୁ କ୍ଷମା କର।”

ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, “ଆମ୍ଭମାନଙ୍କ ବିଶ୍ଵାସ ବୃଦ୍ଧି କରନ୍ତୁ!”

ପ୍ରଭୁ କହିଲେ, “ଯଦି ତୁମ୍ଭମାନଙ୍କର ଗୋଟିଏ ସୋରିଷ ଦାନା ପରି ବିଶ୍ଵାସ ଥାଆନ୍ତା, ତେବେ ତୁମ୍ଭେମାନେ ଏହି ତୁତ ଗଛକୁ, ‘ସମୂଳେ ଉତ୍ପାଟିତ ହୋଇ ସମୁଦ୍ରରେ ରୋପିତ ହୁଅ’ ବୋଲି କହିଲେ, ତାହା ତୁମ୍ଭମାନଙ୍କ ଆଜ୍ଞା ମାନନ୍ତା। ତୁମ୍ଭମାନଙ୍କ ମଧ୍ୟରୁ ଏପରି କିଏ ଅଛି, ଯାହାର ଜଣେ ଦାସ ହଳ କରୁଥିବା କିମ୍ବା ମେଷ ଚରାଉଥିବା ବେଳେ କ୍ଷେତରୁ ଆସିଲେ ତାହାକୁ କହିବ, ‘ଶୀଘ୍ର ଆସି ଭୋଜନରେ ବସ’? ବରଂ ସେ କି ତାହାକୁ କହିବ ନାହିଁ, ‘ମୋହର ରାତ୍ରିଭୋଜନ ପ୍ରସ୍ତୁତ କର, ପୁଣି ମୁଁ ଭୋଜନପାନ କରିବା ପର୍ଯ୍ୟନ୍ତ ଅଣ୍ଟା ବାନ୍ଧି ମୋହର ସେବା କର, ତତ୍ପରେ ତୁମ୍ଭେ ଭୋଜନପାନ କରିବ’?

“ସେ ଦାସ ଆଜ୍ଞା ଅନୁସାରେ କର୍ମ କଲା ବୋଲି ସେ କି ତାହାକୁ ଧନ୍ୟବାଦ ଦିଏ? ସେହିପ୍ରକାରେ ତୁମ୍ଭେମାନେ ମଧ୍ୟ, ଯାହା ଯାହା ଆଜ୍ଞା ଦିଆଯାଇଥିଲା, ସେହିସବୁ କଲା ଉତ୍ତାରେ କୁହ, ‘ଆମ୍ଭେମାନେ ଅଯୋଗ୍ୟ ଦାସ; ଯାହା କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ ଥିଲା, ତାହା ହିଁ କରିଅଛୁ।’”

ପିତା ଦଶ କୁଷ୍ଠୀଙ୍କୁ ସୁସ୍ଥ କଲେ

ଯିରୂଶାଲମକୁ ଯିବା ବାଟରେ ସେ ଶମିରୋଣ ଓ ଗାଲିଲୀ ମଧ୍ୟଦେଇ ଯାଉଥିଲେ। ଆଉ ସେ ଗୋଟିଏ ଗ୍ରାମରେ ପ୍ରବେଶ କରୁଥିବା ବେଳେ ଦଶ ଜଣ କୁଷ୍ଠୀ ତାହାଙ୍କ ସଙ୍ଗେ ସାକ୍ଷାତ କଲେ। ସେମାନେ ଦୂରରେ ଠିଆ ହୋଇ

ଉଚ୍ଚସ୍ଵରରେ ଡାକି କହିଲେ, “ହେ ଯୀଶୁ, ହେ ପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟା କରନ୍ତୁ!”

ସେ ସେମାନଙ୍କୁ ଦେଖି କହିଲେ, “ଯାଇ ଯାଜକମାନଙ୍କ ନିକଟରେ ଆପଣାମାନଙ୍କୁ ଦେଖାଅ।” ପୁଣି ସେମାନେ ଯାଉ ଯାଉ ଶୁଚି ହୋଇଗଲେ।

ସେମାନଙ୍କ ମଧ୍ୟରୁ ଜଣେ ଆପଣାକୁ ସୁସ୍ଥ ହୋଇଥିବା ଦେଖି ଉଚ୍ଚସ୍ଵରରେ ଆମ୍ଭମାନଙ୍କ ପିତାଙ୍କ ପ୍ରଶଂସା କରୁ କରୁ ବାହୁଡ଼ି ଆସିଲା, ଆଉ ସେ ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ପଡ଼ି ତାହାଙ୍କୁ ଧନ୍ୟବାଦ ଦେଲା। ସେ ଜଣେ ଶମିରୋଣୀୟ ଥିଲା।

ସେଥିରେ ଯୀଶୁ କହିଲେ, “ଦଶ ଜଣ କି ଶୁଚି ହୋଇ ନ ଥିଲେ? ତେବେ ସେହି ନଅ ଜଣ କାହାନ୍ତି? ଏହି ବିଦେଶୀ ଛଡ଼ା ଆମ୍ଭମାନଙ୍କ ପିତାଙ୍କୁ ମହିମା ଦେବା ନିମନ୍ତେ ବାହୁଡ଼ି ଆସିଥିବା ଆଉ କେହି କି ମିଳିଲା ନାହିଁ?” ଆଉ ସେ ତାହାକୁ କହିଲେ, “ଉଠି ଯାଅ; ତୁମ୍ଭର ବିଶ୍ଵାସ ତୁମ୍ଭକୁ ସୁସ୍ଥ କରିଅଛି।”

ରାଜ୍ୟ ବର୍ତ୍ତମାନ ତୁମ୍ଭମାନଙ୍କ ମଧ୍ୟରେ ଅଛି

ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ କେବେ ଆସିବ ବୋଲି ଫାରୂଶୀମାନଙ୍କ ଦ୍ଵାରା ପଚରାଯାଆନ୍ତେ, ସେ ସେମାନଙ୍କୁ ଉତ୍ତର ଦେଲେ, “ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ ଦୃଶ୍ୟଭାବରେ ଆସେ ନାହିଁ, କିମ୍ବା ଲୋକେ, ‘ଦେଖ, ଏଠାରେ!’ ଅବା ‘ସେଠାରେ!’ ବୋଲି କହିବେ ନାହିଁ; କାରଣ ଦେଖ, ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି।”

ପୁଣି ସେ ଶିଷ୍ୟମାନଙ୍କୁ କହିଲେ, “ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କ ଦିନସମୂହ ମଧ୍ୟରୁ ଗୋଟିକ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖିବ ନାହିଁ। ଆଉ ଲୋକେ ତୁମ୍ଭମାନଙ୍କୁ କହିବେ, ‘ଦେଖ, ସେଠାରେ!’ ଅବା ‘ଦେଖ, ଏଠାରେ!’ ତୁମ୍ଭେମାନେ ବାହାରିଯାଅ ନାହିଁ କିମ୍ବା ସେମାନଙ୍କ ପଛେ ପଛେ ଯାଅ ନାହିଁ। କାରଣ ବିଜୁଳି ଚମକି ଯେପରି ଆକାଶର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଆଲୋକିତ କରେ, ସେହିପରି ମନୁଷ୍ୟପୁତ୍ର ଆପଣା ଦିନରେ ହେବେ। କିନ୍ତୁ ପ୍ରଥମେ ତାହାଙ୍କୁ ଅନେକ ଦୁଃଖଭୋଗ କରିବାକୁ ଓ ଏହି ବଂଶ ଦ୍ଵାରା ଅଗ୍ରାହ୍ୟ ହେବାକୁ ହେବ। ପୁଣି ନୋହଙ୍କ ଦିନରେ ଯେପରି ଘଟିଥିଲା, ମନୁଷ୍ୟପୁତ୍ରଙ୍କ ଦିନରେ ମଧ୍ୟ ସେହିପରି ଘଟିବ। ନୋହ ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଭୋଜନପାନ କରୁଥିଲେ, ବିବାହ କରୁଥିଲେ ଓ ବିବାହ ଦେଉଥିଲେ; ପରେ ଜଳପ୍ଲାବନ ଆସି ସେ ସମସ୍ତଙ୍କୁ ବିନଷ୍ଟ କଲା। ସେହିପରି ଲୋଟଙ୍କ ଦିନରେ ମଧ୍ୟ ଘଟିଥିଲା; ଲୋକେ ଭୋଜନପାନ କରୁଥିଲେ, କ୍ରୟବିକ୍ରୟ କରୁଥିଲେ, ରୋପଣ ଓ ଗୃହନିର୍ମାଣ କରୁଥିଲେ, କିନ୍ତୁ ଲୋଟ ସଦୋମରୁ ବାହାରିଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ବର୍ଷି ସେ ସମସ୍ତଙ୍କୁ ବିନଷ୍ଟ କଲା, ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନରେ ମଧ୍ୟ ସେହିପରି ଘଟିବ। ସେହି ଦିନ ଯେ ଛାତ ଉପରେ ଥାଏ ଓ ଯାହାର ସମ୍ପତ୍ତି ଘର ଭିତରେ ଥାଏ, ସେ ତାହା ନେବା ନିମନ୍ତେ ତଳକୁ ନ ଆସୁ; ସେହିପରି ଯେ କ୍ଷେତରେ ଥାଏ, ସେ ଫେରି ନ ଆସୁ। ଲୋଟଙ୍କ ଭାର୍ଯ୍ୟାକୁ ସ୍ମରଣ କର। ଯେ ଆପଣା ଜୀବନ ରକ୍ଷା କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, କିନ୍ତୁ ଯେ ଆପଣା ଜୀବନ ହରାଏ, ସେ ତାହା ରକ୍ଷା କରିବ। ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ରାତ୍ରିରେ ଦୁଇ ଜଣ ଗୋଟିଏ ଶଯ୍ୟାରେ ଥିବେ; ଜଣକୁ ଗ୍ରହଣ କରାଯିବ, ଆଉ ଜଣକୁ ଛାଡ଼ିଦିଆଯିବ। ଦୁଇ ଜଣ ସ୍ତ୍ରୀ ଏକତ୍ର ଚକି ପେଷୁଥିବେ; ଜଣକୁ ଗ୍ରହଣ କରାଯିବ, ଆଉ ଜଣକୁ ଛାଡ଼ିଦିଆଯିବ।” a a v35 ପ୍ରାଚୀନତମ ପାଣ୍ଡୁଲିପିସମୂହରେ ଏଠାରେ ୩୬ ପଦ ନାହିଁ; ପରବର୍ତ୍ତୀ ନକଲସମୂହ ଯୋଗ କରନ୍ତି: “ଦୁଇ ଜଣ ପୁରୁଷ କ୍ଷେତରେ ଥିବେ; ଜଣକୁ ଗ୍ରହଣ କରାଯିବ, ଆଉ ଜଣକୁ ଛାଡ଼ିଦିଆଯିବ।”

ସେଥିରେ ସେମାନେ ପଚାରିଲେ, “ହେ ପ୍ରଭୁ, କେଉଁ ସ୍ଥାନରେ?” ସେ ସେମାନଙ୍କୁ କହିଲେ, “ଯେଉଁ ସ୍ଥାନରେ ଶବ ଥାଏ, ସେହି ସ୍ଥାନରେ ଶାଗୁଣାମାନେ ଏକତ୍ର ହେବେ।”