ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତା ବାସ୍ତୁରି ଜଣଙ୍କୁ ପ୍ରେରଣ କରନ୍ତି

ଅମଳର ପିତାଙ୍କ ଦ୍ୱାରା ପଠାଯାଇଥିବା ବାସ୍ତରି ଜଣ ଆନନ୍ଦରେ ଫେରନ୍ତି ଯେ ଭୂତମାନେ ସେମାନଙ୍କ ଆଜ୍ଞା ମାନନ୍ତି, ଏବଂ ଯୀଶୁ ସେମାନଙ୍କୁ ତା' ବଦଳରେ ଅନ୍ୟ ଏକ କଥା ପାଇଁ ଆନନ୍ଦ କରିବାକୁ କହନ୍ତି। ପଡ଼ୋଶୀ କିଏ, ଜଣେ ବ୍ୟବସ୍ଥାଶାସ୍ତ୍ରୀଙ୍କ ଏହି ପ୍ରଶ୍ନର ଉତ୍ତର ରାସ୍ତାରେ ଥିବା ଜଣେ ଶମିରୋଣୀୟଙ୍କ କାହାଣୀରେ ଦିଆଯାଏ। ଶେଷରେ ଦୁଇ ଭଉଣୀଙ୍କ ମଧ୍ୟରେ ଏକ ବିବାଦ।

ଅଧ୍ୟାୟ 10।

ଏହାପରେ ପ୍ରଭୁ ଆଉ ବାସ୍ତୁରି ଜଣଙ୍କୁ ନିଯୁକ୍ତ କରି, ଆପେ ଯେଉଁ ଯେଉଁ ନଗର ଓ ସ୍ଥାନକୁ ଯିବାକୁ ମନସ୍ଥ କରିଥିଲେ, ସେହି ପ୍ରତ୍ୟେକ ସ୍ଥାନକୁ ଦୁଇ ଦୁଇ ଜଣ କରି ଆପଣା ଆଗେ ପ୍ରେରଣ କଲେ।

ପୁଣି, ସେ ସେମାନଙ୍କୁ କହିଲେ, “ଶସ୍ୟ ପ୍ରଚୁର, କିନ୍ତୁ କାର୍ଯ୍ୟକାରୀ ଅଳ୍ପ; ଅତଏବ ଶସ୍ୟର ପିତାଙ୍କ ନିକଟରେ ପ୍ରାର୍ଥନା କର, ଯେପରି ସେ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପ୍ରେରଣ କରନ୍ତି। ଯାଅ! ଦେଖ, ବାଘମାନଙ୍କ ମଧ୍ୟରେ ମେଷଶାବକମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି। ଥଳୀ, ଝୋଲି କି ପାଦୁକା ବହନ କର ନାହିଁ, ଆଉ ବାଟରେ କାହାକୁ ନମସ୍କାର କର ନାହିଁ। ଯେଉଁ ଗୃହରେ ପ୍ରବେଶ କରିବ, ପ୍ରଥମେ କୁହ, ‘ଏହି ଗୃହର ଶାନ୍ତି ହେଉ।’ ଯଦି ସେଠାରେ ଶାନ୍ତିର ପାତ୍ର ଥାଏ, ତେବେ ତୁମ୍ଭମାନଙ୍କ ଶାନ୍ତି ତାହା ଉପରେ ଅବସ୍ଥିତି କରିବ; ନ ଥିଲେ ତାହା ତୁମ୍ଭମାନଙ୍କ ନିକଟକୁ ଫେରିଆସିବ। ସେହି ଗୃହରେ ରୁହ, ଯାହା ଯୋଗାଯାଏ ତାହା ଭୋଜନ ଓ ପାନ କର, କାରଣ କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ। ଗୃହରୁ ଗୃହକୁ ସ୍ଥାନାନ୍ତର ହୁଅ ନାହିଁ। ଯେତେବେଳେ କୌଣସି ନଗରରେ ପ୍ରବେଶ କରିବ ଓ ସେମାନେ ତୁମ୍ଭମାନଙ୍କୁ ଗ୍ରହଣ କରିବେ, ସେତେବେଳେ ତୁମ୍ଭମାନଙ୍କ ଆଗରେ ଯାହା ରଖାଯାଏ ତାହା ଭୋଜନ କର, ପୁଣି, ସେଠାକାର ରୋଗୀମାନଙ୍କୁ ସୁସ୍ଥ କର ଓ ସେମାନଙ୍କୁ କୁହ, ‘ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟବର୍ତ୍ତୀ ହେଲାଣି।’ କିନ୍ତୁ ଯେଉଁ ନଗରରେ ପ୍ରବେଶ କରିବ ଓ ସେମାନେ ତୁମ୍ଭମାନଙ୍କୁ ଗ୍ରହଣ କରିବେ ନାହିଁ, ସେହି ନଗରର ଛକ ସ୍ଥାନକୁ ବାହାରିଯାଇ କୁହ, ‘ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ଚରଣରେ ଲାଗିଅଛି, ତାହା ସୁଦ୍ଧା ଆମ୍ଭେମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଝାଡ଼ିଦେଉଅଛୁ; ତଥାପି ଏହା ଜାଣି ରଖ, ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ ନିକଟବର୍ତ୍ତୀ ହେଲାଣି।’ ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ଦିନ ସେହି ନଗର ଅପେକ୍ଷା ସଦୋମ ପ୍ରତି ଦଣ୍ଡ ଅଧିକ ସହନୀୟ ହେବ।

“ହାୟ କୋରାଜୀନ୍! ହାୟ ବେଥ୍‍ସାଇଦା! ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ସମସ୍ତ ଆଶ୍ଚର୍ଯ୍ୟ କର୍ମ କରାଯାଇଅଛି, ସେସବୁ ଯଦି ସୋର ଓ ସୀଦୋନରେ କରାଯାଇଥାଆନ୍ତା, ତେବେ ସେମାନେ ବହୁ ପୂର୍ବରୁ ଅଖା ପିନ୍ଧି ଓ ପାଉଁଶରେ ବସି ମନପରିବର୍ତ୍ତନ କରିଥାଆନ୍ତେ। କିନ୍ତୁ ବିଚାର ସମୟରେ ତୁମ୍ଭମାନଙ୍କ ଅପେକ୍ଷା ସୋର ଓ ସୀଦୋନ ପ୍ରତି ଦଣ୍ଡ ଅଧିକ ସହନୀୟ ହେବ। ଆଉ ହେ କଫର୍ନାହୂମ, ତୁମ୍ଭେ କʼଣ ସ୍ଵର୍ଗ ପର୍ଯ୍ୟନ୍ତ ଉନ୍ନତ ହେବ? ତୁମ୍ଭେ ତ ପାତାଳ ପର୍ଯ୍ୟନ୍ତ ଅବନତ ହେବ। ଯେ ତୁମ୍ଭମାନଙ୍କ କଥା ଶୁଣେ, ସେ ମୋହର କଥା ଶୁଣେ; ଆଉ ଯେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ; ପୁଣି, ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋʼ ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ।”

ପରେ ବାସ୍ତୁରି ଜଣ ଆନନ୍ଦରେ ଫେରିଆସି କହିଲେ, “ହେ ପ୍ରଭୁ, ଆପଣଙ୍କ ନାମରେ ଭୂତମାନେ ସୁଦ୍ଧା ଆମ୍ଭମାନଙ୍କ ବଶୀଭୂତ ହୁଅନ୍ତି।”

ସେଥିରେ ସେ ସେମାନଙ୍କୁ କହିଲେ, “ମୁଁ ଶୟତାନକୁ ବିଜୁଳି ପରି ସ୍ଵର୍ଗରୁ ପତିତ ହେବାର ଦେଖିଲି। ଦେଖ, ସର୍ପ ଓ ବିଛାମାନଙ୍କୁ, ପୁଣି ଶତ୍ରୁର ସମସ୍ତ ବଳକୁ ଦଳିତ କରିବା ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଅଧିକାର ଦେଇଅଛି, ଆଉ କୌଣସି ବିଷୟ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ। ତଥାପି ଆତ୍ମାମାନେ ତୁମ୍ଭମାନଙ୍କ ବଶୀଭୂତ ହୁଅନ୍ତି ବୋଲି ଆନନ୍ଦ କର ନାହିଁ, ବରଂ ତୁମ୍ଭମାନଙ୍କ ନାମ ସ୍ଵର୍ଗରେ ଲିଖିତ ହୋଇଅଛି ବୋଲି ଆନନ୍ଦ କର।”

ସେହି ସମୟରେ ଯୀଶୁ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, “ହେ ପିତା, ସ୍ଵର୍ଗ ଓ ପୃଥିବୀର ପ୍ରଭୁ, ମୁଁ ତୁମ୍ଭର ପ୍ରଶଂସା କରୁଅଛି, କାରଣ ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନମାନଙ୍କଠାରୁ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ। ହଁ, ପିତଃ, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷଜନକ ଥିଲା।”

“ମୋହର ପିତାଙ୍କ ଦ୍ଵାରା ମୋତେ ସମସ୍ତ ବିଷୟ ସମର୍ପିତ ହୋଇଅଛି; ଆଉ ପୁତ୍ର କିଏ, ଏହା ପିତାଙ୍କ ବିନା କେହି ଜାଣେ ନାହିଁ; ପୁଣି, ପିତା କିଏ, ଏହା ପୁତ୍ର ବିନା ଓ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେହି ବିନା କେହି ଜାଣେ ନାହିଁ।”

ପୁଣି, ସେ ଶିଷ୍ୟମାନଙ୍କ ଆଡ଼କୁ ବୁଲି ଗୋପନରେ କହିଲେ, “ତୁମ୍ଭେମାନେ ଯାହା ଦେଖୁଅଛ, ତାହା ଯେଉଁ ଚକ୍ଷୁ ଦେଖେ, ସେହି ଚକ୍ଷୁ ଧନ୍ୟ! କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଦେଖୁଅଛ, ତାହା ଅନେକ ଭାବବାଦୀ ଓ ରାଜା ଦେଖିବାକୁ ବାଞ୍ଛା କଲେ, ମାତ୍ର ଦେଖିଲେ ନାହିଁ; ଆଉ ତୁମ୍ଭେମାନେ ଯାହା ଶୁଣୁଅଛ, ତାହା ଶୁଣିବାକୁ ବାଞ୍ଛା କଲେ, ମାତ୍ର ଶୁଣିଲେ ନାହିଁ।”

ଉତ୍ତମ ଶମିରୋଣୀୟର ଦୃଷ୍ଟାନ୍ତ

ଆଉ ଦେଖ, ଜଣେ ବ୍ୟବସ୍ଥାଜ୍ଞ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲା, “ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କʼଣ କରିବି?”

ସେଥିରେ ସେ ତାହାକୁ କହିଲେ, “ବ୍ୟବସ୍ଥାରେ କʼଣ ଲେଖାଅଛି? ତୁମ୍ଭେ କିପରି ପାଠ କରୁଅଛ?”

ସେ ଉତ୍ତର ଦେଲା, “ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ଆପଣା ପିତାଙ୍କୁ ପ୍ରେମ କର, ପୁଣି, ଆପଣା ପ୍ରତିବାସୀକୁ ଆପଣା ପରି ପ୍ରେମ କର।”

ସେଥିରେ ସେ ତାହାକୁ କହିଲେ, “ତୁମ୍ଭେ ଯଥାର୍ଥ ଉତ୍ତର ଦେଲ; ଏହା କର, ତେବେ ବଞ୍ଚିବ।”

କିନ୍ତୁ ସେ ଆପଣାକୁ ନିର୍ଦ୍ଦୋଷ ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲା, “ତେବେ ମୋହର ପ୍ରତିବାସୀ କିଏ?”

ଯୀଶୁ ଉତ୍ତର ଦେଲେ, “ଜଣେ ବ୍ୟକ୍ତି ଯିରୂଶାଲମରୁ ଯିରୀହୋକୁ ଓହ୍ଲାଇ ଯାଉଥିବା ସମୟରେ ଡକାଇତମାନଙ୍କ ହାତରେ ପଡ଼ିଲା, ଆଉ ସେମାନେ ତାହାର ବସ୍ତ୍ର ଛଡ଼ାଇ ନେଇ ତାହାକୁ ପ୍ରହାର କରି ଅର୍ଦ୍ଧମୃତ ଅବସ୍ଥାରେ ଛାଡ଼ି ଚାଲିଗଲେ। ଆକସ୍ମିକ ଭାବରେ ଜଣେ ଯାଜକ ସେହି ବାଟ ଦେଇ ଓହ୍ଲାଇ ଯାଉଥିଲା; ପୁଣି, ତାହାକୁ ଦେଖି ଅନ୍ୟ ପାଖ ଦେଇ ଚାଲିଗଲା। ସେହିପରି ଜଣେ ଲେବୀୟ ମଧ୍ୟ ସେହି ସ୍ଥାନକୁ ଆସି ତାହାକୁ ଦେଖି ଅନ୍ୟ ପାଖ ଦେଇ ଚାଲିଗଲା। କିନ୍ତୁ ସେହି ବାଟ ଦେଇ ଯାଉଥିବା ଜଣେ ଶମିରୋଣୀୟ ତାହା ନିକଟରେ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲା, ଆଉ ତାହା ନିକଟକୁ ଯାଇ ତାହାର କ୍ଷତସ୍ଥାନରେ ତୈଳ ଓ ଦ୍ରାକ୍ଷାରସ ଢାଳି ବାନ୍ଧିଦେଲା, ପୁଣି, ତାହାକୁ ଆପଣା ପଶୁ ଉପରେ ବସାଇ ଏକ ପାନ୍ଥଶାଳାକୁ ନେଇଯାଇ ତାହାର ଯତ୍ନ ନେଲା। ଆରଦିନ ସେ ଦୁଇଟି ରୌପ୍ୟମୁଦ୍ରା ବାହାର କରି ପାନ୍ଥଶାଳାର ଅଧିକାରୀଙ୍କୁ ଦେଇ କହିଲା, ‘ଏହାର ଯତ୍ନ ନିଅ, ଆଉ ଯାହା କିଛି ଅଧିକ ବ୍ୟୟ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି।’ ଏହି ତିନି ଜଣଙ୍କ ମଧ୍ୟରୁ କେଉଁ ଜଣ ଡକାଇତମାନଙ୍କ ହାତରେ ପଡ଼ିଥିବା ବ୍ୟକ୍ତିର ପ୍ରତିବାସୀ ହୋଇଥିଲା ବୋଲି ତୁମ୍ଭେ ବୋଧ କରୁଅଛ?”

ସେ କହିଲା, “ଯେ ତାହା ପ୍ରତି ଦୟା କଲା, ସେହି।” ସେଥିରେ ଯୀଶୁ ତାହାକୁ କହିଲେ, “ଯାଅ, ତୁମ୍ଭେ ମଧ୍ୟ ସେହିପରି କର।”

ମାର୍ଥା ଓ ମରିୟମ

ସେମାନେ ଯାଉଥିବା ସମୟରେ ଯୀଶୁ ଗୋଟିଏ ଗ୍ରାମରେ ପ୍ରବେଶ କଲେ, ଆଉ ମାର୍ଥା ନାମ୍ନୀ ଜଣେ ସ୍ତ୍ରୀ ତାହାଙ୍କୁ ଆପଣା ଗୃହରେ ଗ୍ରହଣ କଲା। ମରିୟମ ନାମ୍ନୀ ତାହାର ଜଣେ ଭଉଣୀ ଥିଲା, ସେ ପ୍ରଭୁଙ୍କ ଚରଣ ନିକଟରେ ବସି ତାହାଙ୍କ ବାକ୍ୟ ଶୁଣୁଥିଲା। କିନ୍ତୁ ମାର୍ଥା ଅନେକ ପରିଚର୍ଯ୍ୟାରେ ବ୍ୟସ୍ତ ଥିଲା; ପୁଣି, ସେ ତାହାଙ୍କ ନିକଟକୁ ଆସି କହିଲା, “ହେ ପ୍ରଭୁ, ମୋହର ଭଉଣୀ ମୋତେ ଏକାକୀ ପରିଚର୍ଯ୍ୟା କରିବାକୁ ଛାଡ଼ିଦେଲା, ଏଥିରେ କʼଣ ଆପଣଙ୍କ ଚିନ୍ତା ନାହିଁ? ଅତଏବ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ।”

କିନ୍ତୁ ପ୍ରଭୁ ତାହାକୁ ଉତ୍ତର ଦେଲେ, “ମାର୍ଥା, ମାର୍ଥା, ତୁମ୍ଭେ ଅନେକ ବିଷୟ ନେଇ ଚିନ୍ତିତ ଓ ଉଦ୍‍ବିଗ୍ନ ହେଉଅଛ, କିନ୍ତୁ ଗୋଟିଏ ବିଷୟ ଆବଶ୍ୟକ; ମରିୟମ ଉତ୍ତମ ଅଂଶ ମନୋନୀତ କରିଅଛି, ତାହା ତାହାଠାରୁ କାଢ଼ି ନିଆଯିବ ନାହିଁ।”