ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପ୍ରାର୍ଥନାରେ ପିତାଙ୍କ ନିକଟକୁ ଆସ

କିପରି ପ୍ରାର୍ଥନା କରିବେ ବୋଲି ପଚରାଯିବାରୁ ଯୀଶୁ ସେହି ବାକ୍ୟ ଦିଅନ୍ତି, ଯାହା 'ପିତା' ବୋଲି ଆରମ୍ଭ ହୁଏ, ତାʼପରେ ମଧ୍ୟରାତ୍ରରେ କବାଟ ବାଡ଼େଇଥିବା ଜଣେ ପଡ଼ୋଶୀର କାହାଣୀ କହନ୍ତି। ବାଲ୍‌ସିବୂଲ ଦ୍ୱାରା ଭୂତ ଛଡ଼ାନ୍ତି ବୋଲି ଅଭିଯୋଗ ହେବାରୁ ସେ ସେହି ଅଭିଯୋଗର ଉତ୍ତର ଦିଅନ୍ତି, ତାʼପରେ ଫାରୂଶୀ ଓ ବ୍ୟବସ୍ଥାଶାସ୍ତ୍ରୀମାନଙ୍କ ପରିପାଟୀ ଧର୍ମ ବିରୁଦ୍ଧରେ ଏକ ଲମ୍ବା ସନ୍ତାପ-ବାଣୀ ଉଚ୍ଚାରଣ କରନ୍ତି।

ଅଧ୍ୟାୟ 11।

ସେ ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ; ସେ ପ୍ରାର୍ଥନା ସମାପ୍ତ କରନ୍ତେ, ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, “ହେ ପ୍ରଭୁ, ଯୋହନ ଯେପରି ଆପଣା ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବା ଶିଖାଇଲେ, ସେପରି ଆପଣ ମଧ୍ୟ ଆମ୍ଭମାନଙ୍କୁ ଶିଖାନ୍ତୁ।”

ସେ ସେମାନଙ୍କୁ କହିଲେ, “ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କର, ସେତେବେଳେ କୁହ: ପିତଃ, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ। ତୁମ୍ଭ ରାଜ୍ୟ ଆସୁ। ଆମ୍ଭମାନଙ୍କ ଦୈନନ୍ଦିନ ଆହାର ପ୍ରତିଦିନ ଆମ୍ଭମାନଙ୍କୁ ଦିଅ। ପୁଣି, ଆମ୍ଭମାନଙ୍କ ପାପସବୁ କ୍ଷମା କର, କାରଣ ଆମ୍ଭେମାନେ ମଧ୍ୟ ଆପେ ଆମ୍ଭମାନଙ୍କ ନିକଟରେ ଋଣୀ ଥିବା ପ୍ରତ୍ୟେକ ଜଣଙ୍କୁ କ୍ଷମା କରୁ। ଆଉ, ଆମ୍ଭମାନଙ୍କୁ ପରୀକ୍ଷା ମଧ୍ୟକୁ ଆଣ ନାହିଁ।”

ପୁଣି, ସେ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ମଧ୍ୟରୁ କାହାର ଯଦି ଜଣେ ବନ୍ଧୁ ଥାଏ, ଆଉ ସେ ମଧ୍ୟରାତ୍ରିରେ ତାହା ନିକଟକୁ ଯାଇ ତାହାକୁ କହିବ, ‘ବନ୍ଧୁ, ମୋତେ ତିନୋଟି ରୁଟି ଉଧାର ଦିଅ,

କାରଣ ମୋହର ଜଣେ ବନ୍ଧୁ ଯାତ୍ରାରୁ ମୋʼ ନିକଟକୁ ଆସିଅଛି, ଆଉ ତାହା ଆଗରେ ରଖିବା ପାଇଁ ମୋହର କିଛି ନାହିଁ,

ଆଉ ସେ ଭିତରୁ ଉତ୍ତର ଦେବ, ‘ମୋତେ ବ୍ୟତିବ୍ୟସ୍ତ କର ନାହିଁ; ଦ୍ଵାର ତ ବନ୍ଦ ହୋଇଅଛି, ଆଉ ମୋହର ପିଲାମାନେ ମୋʼ ସାଙ୍ଗରେ ଶଯ୍ୟାରେ ଅଛନ୍ତି। ମୁଁ ଉଠି ତୁମ୍ଭକୁ କିଛି ଦେଇ ପାରିବି ନାହିଁ’?

ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦ୍ୟପି ବନ୍ଧୁ ବୋଲି ସେ ଉଠି ତାହାକୁ କିଛି ନ ଦେବ, ତଥାପି ତାହାର ନିର୍ଲଜ୍ଜ ଆଗ୍ରହ ହେତୁ ସେ ଉଠି ତାହାର ଯାହା ଆବଶ୍ୟକ, ତାହା ତାହାକୁ ଦେବ।”

“ଆଉ ମୁଁ ତୁମ୍ଭମାନଙ୍କୁ କହୁଅଛି, ମାଗ, ତୁମ୍ଭମାନଙ୍କୁ ଦିଆଯିବ; ଅନ୍ଵେଷଣ କର, ତୁମ୍ଭେମାନେ ପାଇବ; ଦ୍ଵାରରେ ଆଘାତ କର, ତୁମ୍ଭମାନଙ୍କ ପାଇଁ ଫିଟାଯିବ।

କାରଣ ଯେକେହି ମାଗେ, ସେ ପାଏ; ଆଉ ଯେ ଅନ୍ଵେଷଣ କରେ, ସେ ପାଏ; ପୁଣି, ଯେ ଦ୍ଵାରରେ ଆଘାତ କରେ, ତାହା ପାଇଁ ଫିଟାଯିବ।

ତୁମ୍ଭମାନଙ୍କ ମଧ୍ୟରୁ ଏପରି ପିତା କିଏ ଅଛି, ଯାହାର ପୁତ୍ର ମାଛ ମାଗିଲେ, ସେ ତାହାକୁ ମାଛ ବଦଳେ ସାପ ଦେବ;

କିମ୍ବା ଅଣ୍ଡା ମାଗିଲେ, ତାହାକୁ ବିଛା ଦେବ?

ଅତଏବ, ତୁମ୍ଭେମାନେ ମନ୍ଦ ହୋଇ ମଧ୍ୟ ଯଦି ଆପଣା ପିଲାମାନଙ୍କୁ ଉତ୍ତମ ଦାନ ଦେବାକୁ ଜାଣ, ତେବେ ସ୍ଵର୍ଗସ୍ଥ ପିତା ଆପଣାଠାରେ ମାଗୁଥିବା ଲୋକଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମାଙ୍କୁ ଦେବେ!”

ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ ଉପସ୍ଥିତ ହୋଇଅଛି

ପୁଣି, ସେ ଗୋଟିଏ ମୂକ ଭୂତ ଛଡ଼ାଉଥିଲେ। ସେହି ଭୂତ ବାହାରିଯାଆନ୍ତେ, ସେହି ମୂକ ଲୋକଟି କଥା କହିଲା, ଆଉ ଲୋକସମୂହ ଚମତ୍କୃତ ହେଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେହି କେହି କହିଲେ, “ସେ ଭୂତମାନଙ୍କ ଅଧିପତି ବାଲ୍‍ଜିବୂଲ୍‍ ଦ୍ଵାରା ଭୂତ ଛଡ଼ାନ୍ତି,” ଆଉ ଅନ୍ୟମାନେ ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ତାହାଙ୍କଠାରୁ ସ୍ଵର୍ଗରୁ ଗୋଟିଏ ଚିହ୍ନ ଅନ୍ଵେଷଣ କରୁଥିଲେ।

କିନ୍ତୁ ସେ ସେମାନଙ୍କ ଭାବନା ଜାଣି ସେମାନଙ୍କୁ କହିଲେ, “ଯେଉଁ ରାଜ୍ୟ ଆପଣା ବିରୁଦ୍ଧରେ ବିଭକ୍ତ ହୁଏ, ତାହା ଉଜାଡ଼ ହୁଏ, ଆଉ ଯେଉଁ ଗୃହ ଗୃହ ବିରୁଦ୍ଧରେ ବିଭକ୍ତ ହୁଏ, ତାହା ପଡ଼ିଯାଏ।

ଯଦି ଶୟତାନ ମଧ୍ୟ ଆପଣା ବିରୁଦ୍ଧରେ ବିଭକ୍ତ ହୁଏ, ତେବେ ତାହାର ରାଜ୍ୟ କିପରି ସ୍ଥିର ରହିବ? କାରଣ ତୁମ୍ଭେମାନେ କହୁଅଛ, ମୁଁ ବାଲ୍‍ଜିବୂଲ୍‍ ଦ୍ଵାରା ଭୂତ ଛଡ଼ାଏ।

ଯଦି ମୁଁ ବାଲ୍‍ଜିବୂଲ୍‍ ଦ୍ଵାରା ଭୂତ ଛଡ଼ାଏ, ତେବେ ତୁମ୍ଭମାନଙ୍କ ପୁତ୍ରମାନେ କାହା ଦ୍ଵାରା ସେମାନଙ୍କୁ ଛଡ଼ାନ୍ତି? ଏଣୁ ସେମାନେ ତୁମ୍ଭମାନଙ୍କ ବିଚାର କରିବେ।

କିନ୍ତୁ ଯଦି ମୁଁ ଆମ୍ଭମାନଙ୍କ ପିତାଙ୍କ ଅଙ୍ଗୁଳି ଦ୍ଵାରା ଭୂତ ଛଡ଼ାଏ, ତେବେ ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ ତ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଅଛି।

ଯେତେବେଳେ ବଳବାନ୍‍ ଲୋକ ସମ୍ପୂର୍ଣ୍ଣ ସସଜ୍ଜ ହୋଇ ଆପଣା ପ୍ରାସାଦ ରକ୍ଷା କରେ, ସେତେବେଳେ ତାହାର ସମ୍ପତ୍ତି ନିରାପଦ ଥାଏ।

କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ୍‍ ଜଣେ ଆକ୍ରମଣ କରି ତାହାକୁ ପରାସ୍ତ କରେ, ସେତେବେଳେ ସେହି ବଳବାନ୍‍ ଲୋକ ଯେଉଁ ସଜ୍ଜା ଉପରେ ବିଶ୍ଵାସ କରିଥିଲା, ତାହା ସେହି ଆକ୍ରମଣକାରୀ ହରଣ କରିନିଏ, ପୁଣି ତାହାର ଲୁଣ୍ଠିତ ଦ୍ରବ୍ୟ ବାଣ୍ଟିଦିଏ।

ଯେ ମୋʼ ସାଙ୍ଗରେ ନାହିଁ, ସେ ମୋʼ ବିରୁଦ୍ଧରେ ଅଛି, ଆଉ ଯେ ମୋʼ ସାଙ୍ଗରେ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରେ।

ଯେତେବେଳେ ଅଶୁଚି ଆତ୍ମା ଜଣେ ଲୋକଠାରୁ ବାହାରିଯାଏ, ସେତେବେଳେ ସେ ବିଶ୍ରାମ ଅନ୍ଵେଷଣ କରି ଶୁଷ୍କ ଅଞ୍ଚଳ ଦେଇ ଭ୍ରମଣ କରେ। କିଛି ନ ପାଇ ସେ କହେ, ‘ମୁଁ ଯେଉଁ ଗୃହ ଛାଡ଼ି ଆସିଲି, ତହିଁକୁ ଫେରିଯିବି।’ ଆଉ ସେ ଆସି ତାହା ପରିଷ୍କୃତ ଓ ସୁସଜ୍ଜିତ ଦେଖେ।

ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ମନ୍ଦ ଆଉ ସାତୋଟି ଆତ୍ମାଙ୍କୁ ସାଙ୍ଗରେ ଆଣେ; ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି, ଆଉ ସେହି ଲୋକର ଶେଷ ଦଶା ପ୍ରଥମ ଦଶାଠାରୁ ଅଧିକ ମନ୍ଦ ହୁଏ।”

ସେ ଏହି କଥା କହୁଥିବା ସମୟରେ ଲୋକସମୂହ ମଧ୍ୟରୁ ଜଣେ ସ୍ତ୍ରୀଲୋକ ଉଚ୍ଚସ୍ଵରରେ ତାହାଙ୍କୁ କହିଲା, “ଯେଉଁ ଗର୍ଭ ଆପଣଙ୍କୁ ବହନ କଲା ଓ ଯେଉଁ ସ୍ତନ ଆପଣଙ୍କୁ ସ୍ତନ୍ୟ ଦେଲା, ତାହା ଧନ୍ୟ!”

କିନ୍ତୁ ସେ କହିଲେ, “ବରଂ ଯେଉଁମାନେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ଧନ୍ୟ!”

ଯୂନସଙ୍କଠାରୁ ମହାନ୍‍ ଜଣେ ଏଠାରେ ଅଛନ୍ତି

ପୁଣି, ଲୋକସମୂହ ଏକତ୍ର ହେବାରୁ ସେ କହିବାକୁ ଲାଗିଲେ, “ଏହି ବଂଶ ଗୋଟିଏ ମନ୍ଦ ବଂଶ। ଏ ଚିହ୍ନ ଅନ୍ଵେଷଣ କରେ, କିନ୍ତୁ ଯୂନସଙ୍କ ଚିହ୍ନ ବିନା ଏହାକୁ ଆଉ କୌଣସି ଚିହ୍ନ ଦିଆଯିବ ନାହିଁ। କାରଣ ଯୂନସ ଯେପରି ନୀନିବୀ ନଗରର ଲୋକମାନଙ୍କ ପ୍ରତି ଚିହ୍ନ ସ୍ଵରୂପ ହେଲେ, ସେପରି ମନୁଷ୍ୟପୁତ୍ର ମଧ୍ୟ ଏହି ବଂଶ ପ୍ରତି ହେବେ। ଦକ୍ଷିଣ ଦେଶର ରାଣୀ ବିଚାର ଦିନରେ ଏହି ବଂଶର ଲୋକମାନଙ୍କ ସହିତ ଉଠି ସେମାନଙ୍କୁ ଦୋଷୀ କରିବେ—କାରଣ ସେ ଶଲୋମନଙ୍କ ଜ୍ଞାନ ଶୁଣିବା ନିମନ୍ତେ ପୃଥିବୀର ପ୍ରାନ୍ତରୁ ଆସିଥିଲେ, ଆଉ ଦେଖ, ଶଲୋମନଙ୍କଠାରୁ ମହାନ୍‍ ବିଷୟ ଏଠାରେ ଅଛି।

ନୀନିବୀର ଲୋକମାନେ ବିଚାର ଦିନରେ ଏହି ବଂଶ ସହିତ ଉଠି ଏହାକୁ ଦୋଷୀ କରିବେ, କାରଣ ଯୂନସ ଉପଦେଶ ଦେବା ସମୟରେ ସେମାନେ ମନ-ପରିବର୍ତ୍ତନ କଲେ, ଆଉ ଦେଖ, ଯୂନସଙ୍କଠାରୁ ମହାନ୍‍ ଜଣେ ଏଠାରେ ଅଛନ୍ତି।

ଶରୀରର ପ୍ରଦୀପ

“କେହି ପ୍ରଦୀପ ଜ୍ଵଳାଇ ତାହା ଗୋଟିଏ ଅନ୍ଧାର କୋଠରୀରେ କିମ୍ବା ମାଣ ତଳେ ରଖେ ନାହିଁ, ବରଂ ଦୀପରୂଖା ଉପରେ ରଖେ, ଯେପରି ଭିତରକୁ ଆସୁଥିବା ଲୋକମାନେ ଆଲୋକ ଦେଖନ୍ତି। ତୁମ୍ଭ ଚକ୍ଷୁ ତୁମ୍ଭ ଶରୀରର ପ୍ରଦୀପ ଅଟେ: ଯେତେବେଳେ ତାହା ନିର୍ମଳ, ସେତେବେଳେ ତୁମ୍ଭ ସମସ୍ତ ଶରୀର ମଧ୍ୟ ଆଲୋକମୟ; କିନ୍ତୁ ଯେତେବେଳେ ତାହା ମନ୍ଦ, ସେତେବେଳେ ତୁମ୍ଭ ଶରୀର ଅନ୍ଧକାରମୟ।

ଏଣୁ ସାବଧାନ ହୁଅ, ଯେପରି ତୁମ୍ଭ ଅନ୍ତରସ୍ଥ ଆଲୋକ ଅନ୍ଧକାର ନ ହୁଏ।

ଅତଏବ, ଯଦି ତୁମ୍ଭ ସମସ୍ତ ଶରୀର ଆଲୋକମୟ ହୁଏ, ଆଉ କୌଣସି ଅଂଶ ଅନ୍ଧକାରମୟ ନ ଥାଏ, ତେବେ ପ୍ରଦୀପ ଯେପରି ତାହାର ରଶ୍ମି ଦ୍ଵାରା ତୁମ୍ଭକୁ ଆଲୋକିତ କରେ, ସେହିପରି ତାହା ସମ୍ପୂର୍ଣ୍ଣ ରୂପେ ଆଲୋକମୟ ହେବ।”

ଶୂନ୍ୟ ଧର୍ମ ପ୍ରତି ସନ୍ତାପ

ସେ କଥା କହୁଥିବା ସମୟରେ ଜଣେ ଫାରୂଶୀ ତାହାଙ୍କୁ ଆପଣା ସାଙ୍ଗରେ ଭୋଜନ କରିବା ନିମନ୍ତେ ନିମନ୍ତ୍ରଣ କଲେ; ତେଣୁ ସେ ଭିତରକୁ ଯାଇ ଭୋଜନରେ ବସିଲେ। ମାତ୍ର ସେ ଯେ ଭୋଜନ ପୂର୍ବରୁ ପ୍ରଥମେ ହସ୍ତ ପ୍ରକ୍ଷାଳନ କଲେ ନାହିଁ, ଏହା ଦେଖି ସେହି ଫାରୂଶୀ ଆଶ୍ଚର୍ଯ୍ୟ ହେଲେ।

ସେଥିରେ ପ୍ରଭୁ ତାହାଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ଫାରୂଶୀମାନେ ପାନପାତ୍ର ଓ ଥାଳିର ବାହାର ପରିଷ୍କାର କରିଥାଅ, କିନ୍ତୁ ତୁମ୍ଭମାନଙ୍କ ଭିତର ଲୋଭ ଓ ମନ୍ଦତାରେ ପରିପୂର୍ଣ୍ଣ। ହେ ନିର୍ବୋଧମାନେ! ଯେ ବାହାର ନିର୍ମାଣ କଲେ, ସେ କʼଣ ଭିତର ମଧ୍ୟ ନିର୍ମାଣ କଲେ ନାହିଁ?

କିନ୍ତୁ ଭିତରେ ଯାହା ଅଛି, ତାହା ଦରିଦ୍ରମାନଙ୍କୁ ଦାନ କର, ଆଉ ଦେଖ, ତୁମ୍ଭମାନଙ୍କ ପକ୍ଷରେ ସବୁ ଶୁଚି ହେବ।

“କିନ୍ତୁ ତୁମ୍ଭ ଫାରୂଶୀମାନଙ୍କ ପ୍ରତି ସନ୍ତାପ! କାରଣ ତୁମ୍ଭେମାନେ ପୋଦିନା, ଅରୁଦ ଓ ସବୁ ପ୍ରକାର ଶାକର ଦଶମାଂଶ ଦେଉଅଛ, ଅଥଚ ନ୍ୟାୟବିଚାର ଓ ଆମ୍ଭମାନଙ୍କ ପିତାଙ୍କ ପ୍ରେମକୁ ଅବହେଳା କରୁଅଛ। ଏସବୁ ତ କରିବା ଉଚିତ ଥିଲା, ଆଉ ଅନ୍ୟସବୁ ମଧ୍ୟ ଅବହେଳା କରିବା ଉଚିତ ନ ଥିଲା।

ତୁମ୍ଭ ଫାରୂଶୀମାନଙ୍କ ପ୍ରତି ସନ୍ତାପ! କାରଣ ତୁମ୍ଭେମାନେ ସମାଜଗୃହରେ ଅଗ୍ରାସନ ଓ ହାଟବଜାରରେ ନମସ୍କାର ଭଲ ପାଅ।

ତୁମ୍ଭମାନଙ୍କ ପ୍ରତି ସନ୍ତାପ! କାରଣ ତୁମ୍ଭେମାନେ ଅଚିହ୍ନା କବର ସଦୃଶ, ଆଉ ଲୋକମାନେ ତାହା ଉପରେ ନ ଜାଣି ଚାଲନ୍ତି।”

ସେତେବେଳେ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲେ, “ହେ ଗୁରୁ, ଏହିସବୁ କଥା କହି ଆପଣ ଆମ୍ଭମାନଙ୍କୁ ମଧ୍ୟ ଅପମାନ କରୁଅଛନ୍ତି।”

ସେଥିରେ ସେ କହିଲେ, “ତୁମ୍ଭ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କ ପ୍ରତି ମଧ୍ୟ ସନ୍ତାପ! କାରଣ ତୁମ୍ଭେମାନେ ଲୋକମାନଙ୍କ ଉପରେ ଦୁର୍ବହ ଭାର ଲଦିଥାଅ, ଅଥଚ ଆପେ ଗୋଟିଏ ଅଙ୍ଗୁଳିରେ ସୁଦ୍ଧା ସେହି ଭାର ଛୁଅଁ ନାହିଁ।

ତୁମ୍ଭମାନଙ୍କ ପ୍ରତି ସନ୍ତାପ! କାରଣ ତୁମ୍ଭେମାନେ ଭାବବାଦୀମାନଙ୍କ କବର ନିର୍ମାଣ କରୁଅଛ, ମାତ୍ର ତୁମ୍ଭମାନଙ୍କ ପିତୃପୁରୁଷମାନେ ସେମାନଙ୍କୁ ବଧ କଲେ।

ଅତଏବ, ତୁମ୍ଭେମାନେ ସାକ୍ଷୀ ଅଟ ଓ ତୁମ୍ଭ ପିତୃପୁରୁଷମାନଙ୍କ କର୍ମରେ ସମ୍ମତି ଦେଉଅଛ, କାରଣ ସେମାନେ ସେମାନଙ୍କୁ ବଧ କଲେ ଆଉ ତୁମ୍ଭେମାନେ ସେମାନଙ୍କ କବର ନିର୍ମାଣ କରୁଅଛ।

ଏଥିପାଇଁ ଆମ୍ଭମାନଙ୍କ ପିତାଙ୍କ ଜ୍ଞାନ ମଧ୍ୟ କହିଲା, ‘ଆମ୍ଭେ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତମାନଙ୍କୁ ପ୍ରେରଣ କରିବା; ସେମାନଙ୍କ ମଧ୍ୟରୁ କେତେକଙ୍କୁ ସେମାନେ ବଧ କରିବେ ଓ ତାଡ଼ନା କରିବେ,’

ଯେପରି ଜଗତର ପତ୍ତନ ସମୟଠାରୁ ବହାଯାଇଥିବା ସମସ୍ତ ଭାବବାଦୀଙ୍କ ରକ୍ତ ଏହି ବଂଶଠାରୁ ଅନୁସନ୍ଧାନ କରାଯାଏ,

ହେବଲଙ୍କ ରକ୍ତଠାରୁ ଆରମ୍ଭ କରି ଯଜ୍ଞବେଦି ଓ ମନ୍ଦିର ମଧ୍ୟରେ ଯେଉଁ ଜିଖରିୟ ବଧ ହେଲେ, ତାହାଙ୍କ ରକ୍ତ ପର୍ଯ୍ୟନ୍ତ। ହଁ, ମୁଁ ତୁମ୍ଭମାନଙ୍କୁ କହୁଅଛି, ତାହା ଏହି ବଂଶଠାରୁ ଅନୁସନ୍ଧାନ କରାଯିବ।

ତୁମ୍ଭ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କ ପ୍ରତି ସନ୍ତାପ! କାରଣ ତୁମ୍ଭେମାନେ ଜ୍ଞାନର କୁଞ୍ଜିକା ହରଣ କରିଅଛ—ତୁମ୍ଭେମାନେ ଆପେ ପ୍ରବେଶ କଲ ନାହିଁ, ଆଉ ପ୍ରବେଶ କରୁଥିବା ଲୋକମାନଙ୍କୁ ବାଧା ଦେଲ।”

ସେ ସେଠାରୁ ବାହାରିଯାʼନ୍ତେ, ଶାସ୍ତ୍ରୀ ଓ ଫାରୂଶୀମାନେ ତାହାଙ୍କୁ ଅତ୍ୟନ୍ତ ବିରକ୍ତ କରିବାକୁ ଲାଗିଲେ ଓ ଅନେକ ବିଷୟରେ କଥା କହିବା ନିମନ୍ତେ ତାହାଙ୍କୁ ବାଧ୍ୟ କରିବାକୁ ଲାଗିଲେ, ତାହାଙ୍କ ମୁଖର କୌଣସି କଥାରେ ତାହାଙ୍କୁ ଧରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ଛକି ବସିଲେ।