ବନ୍ୟ ଗର୍ଦ୍ଦଭକୁ କିଏ ମୁକ୍ତ କଲା?
ପ୍ରଶ୍ନ ଚାଲିଥାଏ ସେହି ବନ୍ୟ ଜୀବମାନଙ୍କ ମଧ୍ୟ ଦେଇ, ଯାହାଙ୍କୁ ମଣିଷର ପରିଚାଳନାର ଆବଶ୍ୟକତା ନାହିଁ: ଏକାକୀ ଛୁଆ ଜନ୍ମ କରୁଥିବା ପାର୍ବତ୍ୟ ଛେଳି, ନଗରକୁ ଘୃଣା କରୁଥିବା ବନ୍ୟ ଗଧ, ନିଜ ଅଣ୍ଡା ଭୁଲିଯାଉଥିବା ଉଷ୍ଟ୍ରପକ୍ଷୀ, ଭୟକୁ ହସି ଉଡ଼ାଉଥିବା ଘୋଡ଼ା, ନିଜ ଶୈଳଚୂଡ଼ାରେ ବସିଥିବା ଉତ୍କ୍ରୋଶ। ଏସବୁ ମଧ୍ୟରୁ କିଛି ହିଁ ଆୟୁବଙ୍କ ସୁବିଧା ପାଇଁ ନୁହେଁ।
39 1“ପର୍ବତସ୍ଥ ଛେଳୀ କେତେବେଳେ ପ୍ରସବ କରନ୍ତି, ତାହା କି ତୁମ୍ଭେ ଜାଣ? ହରିଣୀ ପ୍ରସବ କଲା ବେଳେ କି ତୁମ୍ଭେ ଲକ୍ଷ୍ୟ କର? 2ସେମାନେ ଆପଣା ଶାବକ ବହନ କରିବା ମାସ ତୁମ୍ଭେ କି ଗଣି ପାର? ସେମାନେ ପ୍ରସବ କରିବା ସମୟ କି ତୁମ୍ଭେ ଜାଣ? 3ସେମାନେ ନଇଁ ପଡ଼ି ଆପଣା ଶାବକ ପ୍ରସବ କରନ୍ତି; ସେମାନଙ୍କ ପ୍ରସବ ବେଦନା ଶେଷ ହୁଏ। 4ସେମାନଙ୍କ ଶାବକ ଉନ୍ମୁକ୍ତ କ୍ଷେତ୍ରରେ ବଳବାନ ହୁଅନ୍ତି; ସେମାନେ ବାହାରିଯାଆନ୍ତି, ଆଉ ଫେରିଆସନ୍ତି ନାହିଁ।
5“ବନ୍ୟ ଗର୍ଦ୍ଦଭକୁ କିଏ ମୁକ୍ତ କଲା? ଦ୍ରୁତଗାମୀ ଗର୍ଦ୍ଦଭର ବନ୍ଧନ କିଏ ଫିଟାଇଲା, 6ଯାହାକୁ ଆମ୍ଭେ ବାସସ୍ଥାନ ନିମନ୍ତେ ପ୍ରାନ୍ତର ଓ ବସତି ନିମନ୍ତେ ଲବଣଭୂମି ଦେଲୁ? 7ସେ ନଗରର କୋଳାହଳକୁ ତୁଚ୍ଛ କରେ, ଆଉ ଚାଳକର ଡାକ କେବେ ଶୁଣେ ନାହିଁ। 8ସେ ଆପଣା ଚରାସ୍ଥଳ ନିମନ୍ତେ ପର୍ବତମାନ ଭ୍ରମଣ କରେ, ଆଉ ପ୍ରତ୍ୟେକ ସବୁଜ ବସ୍ତୁ ଅନ୍ଵେଷଣ କରେ।
9“ବନ୍ୟ ବୃଷ କି ତୁମ୍ଭର ସେବା କରିବାକୁ ରାଜି ହେବ? ସେ କି ତୁମ୍ଭ କୁଣ୍ଡ ପାଖରେ ରାତ୍ର କାଟିବ? 10ତୁମ୍ଭେ କି ବନ୍ୟ ବୃଷକୁ ରଜ୍ଜୁ ଦ୍ଵାରା ହଳ-ଲାଙ୍ଗଳ ଗାତରେ ବାନ୍ଧି ପାର? ସେ କି ତୁମ୍ଭ ପଛେ ପଛେ ତଳଭୂମିରେ ହଳ କରିବ? 11ତାହାର ବଳ ଅଧିକ ବୋଲି ତୁମ୍ଭେ କି ତାହା ଉପରେ ନିର୍ଭର କରିବ? ତୁମ୍ଭେ କି ତୁମ୍ଭର ପରିଶ୍ରମ ତାହା ଉପରେ ଛାଡ଼ି ଦେବ? 12ତୁମ୍ଭର ଶସ୍ୟ ଫେରାଇ ଆଣିବାକୁ ଓ ତୁମ୍ଭ ଖଳାରେ ଏକତ୍ର କରିବାକୁ ତୁମ୍ଭେ କି ତାହା ଉପରେ ବିଶ୍ଵାସ କରି ପାର?
13“ଉଷ୍ଟ୍ରପକ୍ଷୀର ପକ୍ଷ ଆନନ୍ଦରେ ଫଡ଼ଫଡ଼ ହୁଏ, ମାତ୍ର ତାହା କି ବକର ପର ଓ ପକ୍ଷ ଅଟେ? 14ସେ ଆପଣା ଅଣ୍ଡା ଭୂମିରେ ଛାଡ଼ି ଦିଏ, ଆଉ ସେଗୁଡ଼ିକୁ ଧୂଳିରେ ଉତ୍ତପ୍ତ ହେବାକୁ ଦିଏ, 15ଆଉ ଭୁଲିଯାଏ ଯେ ପାଦ ସେଗୁଡ଼ିକୁ ଭାଙ୍ଗି ପକାଇ ପାରେ, କିମ୍ବା ବନ୍ୟ ପଶୁ ସେଗୁଡ଼ିକୁ ଦଳି ପକାଇ ପାରେ। 16ସେ ଆପଣା ଶାବକ ପ୍ରତି କଠୋର ବ୍ୟବହାର କରେ, ଯେପରି ସେମାନେ ତାହାର ନିଜର ନୁହଁନ୍ତି; ତାହାର ପରିଶ୍ରମ ବୃଥା ବୋଲି ତାହାର କିଛି ଭୟ ନାହିଁ, 17କାରଣ ଆମ୍ଭେ ତାହାକୁ ଜ୍ଞାନ ଭୁଲାଇ ଦେଲୁ, ଆଉ ବୁଦ୍ଧିରେ ତାହାକୁ କୌଣସି ଅଂଶ ଦେଲୁ ନାହିଁ। 18ତଥାପି ସେ ଦୌଡ଼ିବାକୁ ଆରମ୍ଭ କଲେ, ଅଶ୍ଵ ଓ ତାହାର ଆରୋହୀକୁ ଉପହାସ କରେ।
19“ଅଶ୍ଵକୁ କି ତୁମ୍ଭେ ତାହାର ବଳ ଦେଇଅଛ? ତୁମ୍ଭେ କି ତାହାର ଗଳଦେଶ ଲହଲହ କେଶରରେ ବସ୍ତ୍ରାନ୍ଵିତ କରିଅଛ? 20ତୁମ୍ଭେ କି ତାହାକୁ ପଙ୍ଗପାଳ ପରି ଡିଆଁ କରାଇ ପାର? ତାହାର ଗର୍ବିତ ଫୁଙ୍କାର ତ୍ରାସ ଜନ୍ମାଏ। 21ସେ ତଳଭୂମିରେ ଗୋଡ଼ ମାରେ, ଆଉ ଆପଣା ବଳରେ ଆନନ୍ଦ କରେ; ସେ ଯୁଦ୍ଧ ମଧ୍ୟକୁ ଦ୍ରୁତ ବେଗରେ ଯାଏ। 22ସେ ଭୟକୁ ଉପହାସ କରେ, ଆଉ ତ୍ରାସିତ ହୁଏ ନାହିଁ; ସେ ଖଡ଼୍ଗରୁ ପଛକୁ ହଟେ ନାହିଁ। 23ତାହା ବିରୁଦ୍ଧରେ ତୂଣ ଝନଝନ ହୁଏ, ଝଲସୁଥିବା ବର୍ଚ୍ଛା ଓ ବର୍ଚ୍ଛୀ ଶବ୍ଦ କରେ। 24ପ୍ରଚଣ୍ଡ ଓ ଉଗ୍ର ଉତ୍ସାହରେ ସେ ଭୂମି ଗ୍ରାସ କରେ; ତୂରୀ ବାଜିଲେ ସେ ସ୍ଥିର ହୋଇ ଠିଆ ହୋଇ ପାରେ ନାହିଁ। 25ତୂରୀର ଶବ୍ଦ ହେଲେ ସେ କହେ, ‘ବାଃ!’ ସେ ଦୂରରୁ ଯୁଦ୍ଧର ଗନ୍ଧ ପାଏ, ସେନାପତିମାନଙ୍କ ଗର୍ଜ୍ଜନ ଓ ଯୁଦ୍ଧଧ୍ଵନି ଶୁଣେ।
26“ଶ୍ୟେନ ପକ୍ଷୀ କି ତୁମ୍ଭର ବୁଦ୍ଧି ଦ୍ଵାରା ଉଡ଼େ ଓ ଦକ୍ଷିଣ ଆଡ଼କୁ ଆପଣା ପକ୍ଷ ବିସ୍ତାର କରେ? 27ଉତ୍କ୍ରୋଶ ପକ୍ଷୀ କି ତୁମ୍ଭର ଆଜ୍ଞାରେ ଉର୍ଦ୍ଧ୍ଵକୁ ଉଡ଼େ ଓ ଉଚ୍ଚ ସ୍ଥାନରେ ଆପଣା ବସା ବାନ୍ଧେ? 28ସେ ଶୈଳ ଉପରେ ବାସ କରେ, ଆଉ ସେଠାରେ ଆପଣା ବସା କରେ, ଶୈଳଶୃଙ୍ଗ ଉପରେ, ଆପଣା ଦୃଢ଼ ଦୁର୍ଗରେ। 29ସେଠାରୁ ସେ ଆପଣା ଆହାର ଅନ୍ଵେଷଣ କରେ; ତାହାର ଚକ୍ଷୁ ବହୁ ଦୂରରୁ ତାହା ଦେଖେ। 30ତାହାର ଶାବକମାନେ ରକ୍ତ ପାନ କରନ୍ତି, ଆଉ ଯେଉଁଠାରେ ହତ ଲୋକେ ଥାଆନ୍ତି, ସେଠାରେ ସେ ଥାଏ।”