ଆୟୁବ ଉତ୍ତର ଦିଅନ୍ତି: ଦୁଷ୍ଟମାନେ କାହିଁକି ସମୃଦ୍ଧ ହୁଅନ୍ତି?
ଆୟୁବ ସେହି ପ୍ରମାଣ ଦେଇ ଉତ୍ତର ଦିଅନ୍ତି ଯାହାକୁ ତାଙ୍କ ବନ୍ଧୁମାନେ ଉପେକ୍ଷା କରନ୍ତି: ଦୁଷ୍ଟମାନେ ପ୍ରକୃତରେ ବୃଦ୍ଧ ଓ ଶକ୍ତିଶାଳୀ ହୁଅନ୍ତି, ସେମାନଙ୍କ ସନ୍ତାନମାନେ ନାଚନ୍ତି, ଏବଂ ପରମେଶ୍ୱରଙ୍କୁ ଆମ୍ଭଠାରୁ ଦୂର ହୁଅ ବୋଲି କହିବା ପରେ ସେମାନେ ଶାନ୍ତିରେ ମରନ୍ତି। ପରିତୃପ୍ତ ଓ ତିକ୍ତ ଉଭୟେ ଧୂଳିରେ ଶୟନ କରନ୍ତି। ସେ କହନ୍ତି, ସେମାନଙ୍କ ସାନ୍ତ୍ୱନା ମିଥ୍ୟା।
21 1ସେତେବେଳେ ଆୟୁବ ଉତ୍ତର ଦେଲେ, 2“ମୋହର ବାକ୍ୟ ଧ୍ୟାନରେ ଶୁଣ, ପୁଣି ଏହା ହିଁ ତୁମ୍ଭେମାନେ ମୋତେ ଦେଉଥିବା ସାନ୍ତ୍ୱନା ହେଉ। 3ମୁଁ କହୁଥିବା ସମୟରେ ମୋତେ ସହ୍ୟ କର, ଆଉ ମୁଁ କହିସାରିଲା ଉତ୍ତାରେ ତୁମ୍ଭେମାନେ ପରିହାସ କରିବାରେ ଲାଗିଥାଅ। 4ମୋʼ କଥା କହିଲେ, ମୋହର ଅଭିଯୋଗ କʼଣ କେବଳ ଜଣେ ମନୁଷ୍ୟ ବିରୁଦ୍ଧରେ? ତେବେ ମୁଁ କାହିଁକି ଅଧୀର ନ ହେବି? 5ମୋʼ ପ୍ରତି ଦୃଷ୍ଟି କରି ବିସ୍ମୟାପନ୍ନ ହୁଅ, ପୁଣି ଆପଣା ମୁଖ ଉପରେ ହସ୍ତ ଦିଅ। 6ମୁଁ ଏହା ସ୍ମରଣ କଲେ ଭୀତ ହୁଏ, ଆଉ ମୋହର ଶରୀର କମ୍ପିତ ହୁଏ। 7ଦୁଷ୍ଟମାନେ କାହିଁକି ବଞ୍ଚିଥାଆନ୍ତି, ବୃଦ୍ଧ ହୁଅନ୍ତି, ହଁ, ପରାକ୍ରମରେ ବୃଦ୍ଧି ପାଆନ୍ତି? 8ସେମାନଙ୍କ ସନ୍ତାନଗଣ ସେମାନଙ୍କ ସଙ୍ଗେ ସେମାନଙ୍କ ଦୃଷ୍ଟି ଆଗରେ ସୁସ୍ଥିର ଓ ନିରାପଦ, ପୁଣି ସେମାନଙ୍କ ବଂଶ ସେମାନଙ୍କ ଆଖି ଆଗରେ ଥାଏ। 9ସେମାନଙ୍କ ଗୃହ ନିରାପଦ ଓ ଭୟରହିତ, ପୁଣି ଈଶ୍ଵରଙ୍କ ଦଣ୍ଡ ସେମାନଙ୍କ ଉପରେ ପଡ଼େ ନାହିଁ। 10ସେମାନଙ୍କ ବୃଷ ଜନନକ୍ଷମ ହୁଏ ଓ କେବେ ବିଫଳ ହୁଏ ନାହିଁ; ସେମାନଙ୍କ ଗାଭୀ ବତ୍ସ ପ୍ରସବ କରେ ଓ ତାହାର ଗର୍ଭପାତ ହୁଏ ନାହିଁ। 11ସେମାନେ ଆପଣା ଶିଶୁମାନଙ୍କୁ ମେଷପଲ ପରି ଛାଡ଼ି ଦିଅନ୍ତି, ପୁଣି ସେମାନଙ୍କ ବାଳକମାନେ ନୃତ୍ୟ କରନ୍ତି। 12ସେମାନେ ଖଞ୍ଜଣି ଓ ବୀଣା ସଙ୍ଗେ ଗାନ କରନ୍ତି, ପୁଣି ବଂଶୀ ସ୍ଵରରେ ଆନନ୍ଦ କରନ୍ତି। 13ସେମାନେ ସମୃଦ୍ଧିରେ ଆପଣା ଦିନ କାଟନ୍ତି, ପୁଣି ଶାନ୍ତିରେ କବରକୁ ଓହ୍ଲାଇ ଯାଆନ୍ତି। 14ତଥାପି ସେମାନେ ଈଶ୍ଵରଙ୍କୁ କହନ୍ତି, ‘ଆମ୍ଭମାନଙ୍କୁ ଛାଡ଼ି ଦିଅ! ତୁମ୍ଭ ପଥ ଜାଣିବାକୁ ଆମ୍ଭମାନଙ୍କର କୌଣସି ବାସନା ନାହିଁ। 15ସର୍ବଶକ୍ତିମାନ କିଏ ଯେ ଆମ୍ଭେମାନେ ତାହାଙ୍କ ସେବା କରିବୁ? ଆଉ ତାହାଙ୍କ ନିକଟରେ ପ୍ରାର୍ଥନା କଲେ ଆମ୍ଭମାନଙ୍କର କʼଣ ଲାଭ ହେବ?’ 16ମାତ୍ର ସେମାନଙ୍କ ସମୃଦ୍ଧି ସେମାନଙ୍କ ନିଜ ହସ୍ତରେ ନାହିଁ; ଦୁଷ୍ଟମାନଙ୍କ ମନ୍ତ୍ରଣା ସହିତ ମୋହର କୌଣସି ସମ୍ପର୍କ ନ ଥାଉ। 17ଦୁଷ୍ଟମାନଙ୍କ ପ୍ରଦୀପ କେତେ ଥର ନିର୍ବାଣ ହୁଏ? ସେମାନଙ୍କ ବିପଦ କେତେ ଥର ସେମାନଙ୍କ ଉପରେ ପଡ଼େ? ଈଶ୍ଵର ଆପଣା କ୍ରୋଧରେ କେତେ ଥର ଯନ୍ତ୍ରଣା ବଣ୍ଟନ କରନ୍ତି? 18ସେମାନେ କେତେ ଥର ବାୟୁ ଆଗରେ ନଡ଼ା ପରି, ଝଡ଼ ଉଡ଼ାଇ ନେଉଥିବା ତୁଷ ପରି ହୁଅନ୍ତି? 19ତୁମ୍ଭେମାନେ କହୁଅଛ, ‘ଈଶ୍ଵର ମନୁଷ୍ୟର ଦଣ୍ଡ ତାହାର ସନ୍ତାନଗଣ ନିମନ୍ତେ ସଞ୍ଚୟ କରନ୍ତି।’ ସେ ସେହି ମନୁଷ୍ୟକୁ ହିଁ ପ୍ରତିଫଳ ଦେଉନ୍ତୁ, ଯେପରି ସେ ତାହା ବୁଝେ। 20ତାହାର ନିଜ ଚକ୍ଷୁ ତାହାର ବିନାଶ ଦେଖୁ, ପୁଣି ସେ ସର୍ବଶକ୍ତିମାନଙ୍କ କୋପ ପାନ କରୁ। 21କାରଣ ତାହାର ମାସସବୁ ସଂକ୍ଷିପ୍ତ ହେଲେ, ତାହା ଉତ୍ତାରେ ଆପଣା ଗୃହ ବିଷୟରେ ତାହାର କʼଣ ଚିନ୍ତା ଥାଏ? 22ଈଶ୍ଵରଙ୍କୁ କିଏ ଜ୍ଞାନ ଶିଖାଇ ପାରେ, ଯେହେତୁ ସେ ହିଁ ଊର୍ଦ୍ଧ୍ୱସ୍ଥ ଲୋକମାନଙ୍କର ବିଚାର କରନ୍ତି? 23ଜଣେ ପୂର୍ଣ୍ଣ ବଳରେ, ସମ୍ପୂର୍ଣ୍ଣ ସୁଖ ଓ ନିରାପଦରେ ମରେ, 24ତାହାର ଶରୀର ସୁପୁଷ୍ଟ ଓ ତାହାର ଅସ୍ଥିର ମଜ୍ଜା ଏ ପର୍ଯ୍ୟନ୍ତ ସରସ ଥାଏ। 25ଆଉ ଜଣେ ତିକ୍ତ ପ୍ରାଣ ନେଇ, କଦାପି କୌଣସି ମଙ୍ଗଳ ଆସ୍ୱାଦନ ନ କରି ମରେ। 26ଦୁହେଁ ଏକତ୍ର ଧୂଳିରେ ଶୟନ କରନ୍ତି, ପୁଣି କୀଟସବୁ ସେ ଦୁହିଁଙ୍କୁ ଆଚ୍ଛାଦନ କରେ। 27ଦେଖ, ମୁଁ ତୁମ୍ଭମାନଙ୍କ ଭାବନା ଜାଣେ, ପୁଣି ମୋʼ ପ୍ରତି ଅନ୍ୟାୟ କରିବାର ତୁମ୍ଭମାନଙ୍କ କୁକଳ୍ପନା ଜାଣେ। 28କାରଣ ତୁମ୍ଭେମାନେ କହୁଅଛ, ‘ଅଭିଜାତ ଲୋକର ଗୃହ ବର୍ତ୍ତମାନ କେଉଁଠାରେ? ଦୁଷ୍ଟମାନେ ବାସ କରିଥିବା ତମ୍ବୁ କେଉଁଠାରେ?’ 29ତୁମ୍ଭେମାନେ କʼଣ ପଥିକମାନଙ୍କୁ କେବେ ପଚାରି ନାହଁ? ସେମାନେ ଦେଉଥିବା ପ୍ରମାଣ କʼଣ ଗ୍ରହଣ କରିବ ନାହିଁ, 30ଯେ ବିପଦ ଦିନରେ ଦୁଷ୍ଟ ଲୋକ ରକ୍ଷା ପାଏ, କ୍ରୋଧ ଦିନରେ ସେ ଉଦ୍ଧାର ପାଏ? 31ତାହାର ଆଚରଣ ବିଷୟରେ କିଏ ତାହା ମୁହଁ ଆଗରେ ତାହାକୁ ଅଭିଯୋଗ କରେ, ପୁଣି ସେ ଯାହା କରିଅଛି, ତହିଁ ନିମନ୍ତେ କିଏ ତାହାକୁ ପ୍ରତିଫଳ ଦିଏ? 32ତାହାକୁ କବରକୁ ବହି ନିଆଯାଏ, ପୁଣି ତାହାର ସମାଧି ଉପରେ ପ୍ରହରୀ ରଖାଯାଏ। 33ଉପତ୍ୟକାର ମୃତ୍ତିକା ତାହା ପ୍ରତି ମଧୁର ହୁଏ; ପ୍ରତ୍ୟେକେ ତାହା ପଛେ ଯାଆନ୍ତି, ପୁଣି ତାହା ଆଗରେ ଯାଇଥିବା ଲୋକମାନେ ଅଗଣିତ। 34ତେବେ ତୁମ୍ଭେମାନେ କିପରି ବୃଥା ବାକ୍ୟରେ ମୋତେ ସାନ୍ତ୍ୱନା ଦେବ? ତୁମ୍ଭମାନଙ୍କ ଉତ୍ତରସବୁ ମିଥ୍ୟା ବିନା ଆଉ କିଛି ନୁହେଁ।”