ପିତାଙ୍କ ଭୋଜିରେ ସମସ୍ତେ ସ୍ଵାଗତ
ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଫାନ୍ଦ ଭାବରେ ପକାଯାଏ — କାଇସରଙ୍କ କର, ସାତ ଥର ବିଧବା ହୋଇଥିବା ଜଣେ ସ୍ତ୍ରୀ, ସର୍ବଶ୍ରେଷ୍ଠ ଆଜ୍ଞା, ଆମ ପିତାଙ୍କୁ ସର୍ବସ୍ୱ ଦେଇ ପ୍ରେମ କରିବା — ଏବଂ ପ୍ରତ୍ୟେକଟି ପ୍ରଶ୍ନକର୍ତ୍ତା ଉପରକୁ ଫେରାଇଦିଆଯାଏ। ତାʼପରେ ଯୀଶୁ ଦାଉଦଙ୍କ ପ୍ରଭୁ ବିଷୟରେ ନିଜର ପ୍ରଶ୍ନ ପଚାରନ୍ତି, ଏବଂ ଆଉ କେହି ତାଙ୍କୁ ପ୍ରଶ୍ନ ପଚାରିବାକୁ ସାହସ କରେ ନାହିଁ।
22 1ଯୀଶୁ ପୁନର୍ବାର ଦୃଷ୍ଟାନ୍ତ ଦେଇ ସେମାନଙ୍କୁ କହିଲେ,
2“ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ ଏପରି ଜଣେ ରାଜାଙ୍କ ସଦୃଶ, ଯେ ଆପଣା ପୁତ୍ର ନିମନ୍ତେ ବିବାହ ଭୋଜି ପ୍ରସ୍ତୁତ କଲେ। 3ନିମନ୍ତ୍ରିତ ଅତିଥିମାନଙ୍କୁ ବିବାହ ଭୋଜିକୁ ଡାକିବା ନିମନ୍ତେ ସେ ଆପଣା ଦାସମାନଙ୍କୁ ପଠାଇଲେ, କିନ୍ତୁ ସେମାନେ ଆସିବାକୁ ଅସମ୍ମତ ହେଲେ। 4ସେ ପୁନର୍ବାର ଅନ୍ୟ ଦାସମାନଙ୍କୁ ପଠାଇ କହିଲେ, ‘ନିମନ୍ତ୍ରିତ ଲୋକଙ୍କୁ କୁହ: ଦେଖ, ମୁଁ ଆପଣା ଭୋଜ ପ୍ରସ୍ତୁତ କରିଅଛି; ମୋହର ବଳଦ ଓ ହୃଷ୍ଟପୁଷ୍ଟ ପଶୁ ବଧ କରାଯାଇଅଛି, ସମସ୍ତ ବିଷୟ ପ୍ରସ୍ତୁତ। ବିବାହ ଭୋଜିକୁ ଆସ।’ 5ମାତ୍ର ସେମାନେ ସେଥିପ୍ରତି ମନଯୋଗ ନ କରି ବାହାରିଗଲେ, କେହି ଆପଣା କ୍ଷେତ୍ରକୁ, କେହି ଆପଣା ବାଣିଜ୍ୟକୁ, 6ଆଉ ଅବଶିଷ୍ଟ ଲୋକେ ତାହାର ଦାସମାନଙ୍କୁ ଧରି ସେମାନଙ୍କ ପ୍ରତି ଅତ୍ୟାଚାର କଲେ ଓ ବଧ କଲେ। 7ସେଥିରେ ରାଜା କ୍ରୋଧାନ୍ଵିତ ହେଲେ, ଆଉ ଆପଣା ସୈନ୍ୟଦଳ ପଠାଇ ସେହି ନରଘାତକମାନଙ୍କୁ ବିନାଶ କଲେ ଓ ସେମାନଙ୍କ ନଗର ଅଗ୍ନିରେ ଦଗ୍ଧ କଲେ। 8ତେବେ ସେ ଆପଣା ଦାସମାନଙ୍କୁ କହିଲେ, ‘ବିବାହ ଭୋଜି ପ୍ରସ୍ତୁତ, କିନ୍ତୁ ନିମନ୍ତ୍ରିତ ଲୋକେ ଯୋଗ୍ୟ ନ ଥିଲେ। 9ଅତଏବ ରାଜପଥମାନଙ୍କୁ ଯାଇ ଯେତେ ଜଣଙ୍କୁ ପାଅ, ସେତେ ଜଣଙ୍କୁ ବିବାହ ଭୋଜିକୁ ନିମନ୍ତ୍ରଣ କର।’ 10ସେଥିରେ ସେହି ଦାସମାନେ ରାଜପଥମାନଙ୍କୁ ଯାଇ ଯେତେ ଜଣଙ୍କୁ ପାଇଲେ, ମନ୍ଦ ହେଉ ବା ଉତ୍ତମ ହେଉ, ସମସ୍ତଙ୍କୁ ଏକତ୍ର କଲେ; ଆଉ ବିବାହଗୃହ ଅତିଥିମାନଙ୍କ ଦ୍ଵାରା ପରିପୂର୍ଣ୍ଣ ହେଲା।
11“କିନ୍ତୁ ରାଜା ଅତିଥିମାନଙ୍କୁ ଦେଖିବା ନିମନ୍ତେ ଭିତରକୁ ଆସି ସେଠାରେ ବିବାହ ବସ୍ତ୍ର ନ ପିନ୍ଧିଥିବା ଜଣେ ଲୋକକୁ ଦେଖିଲେ। 12ସେ ତାହାକୁ ପଚାରିଲେ, ‘ବନ୍ଧୁ, ବିବାହ ବସ୍ତ୍ର ବିନା ତୁମ୍ଭେ ଏଠାକୁ କିପରି ଆସିଲ?’ କିନ୍ତୁ ସେ ନିରୁତ୍ତର ରହିଲା। 13ସେତେବେଳେ ରାଜା ଦାସମାନଙ୍କୁ କହିଲେ, ‘ଏହାର ହାତ ଓ ପାଦ ବାନ୍ଧି ବାହାର ଅନ୍ଧକାରକୁ ଫିଙ୍ଗିଦିଅ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।’ 14କାରଣ ଅନେକେ ଆହୂତ, ମାତ୍ର ଅଳ୍ପ ଲୋକ ମନୋନୀତ।”
ଆମ୍ଭମାନଙ୍କ ପିତାଙ୍କର ଯାହା, ତାହା ପିତାଙ୍କୁ ଦିଅ
15ସେତେବେଳେ ଫାରୂଶୀମାନେ ଯାଇ ତାହାଙ୍କ ନିଜ ବାକ୍ୟ ଦ୍ଵାରା କିପରି ତାହାଙ୍କୁ ଫାନ୍ଦରେ ପକାଇ ପାରିବେ, ସେ ବିଷୟରେ ମନ୍ତ୍ରଣା କଲେ।
16ପୁଣି, ସେମାନେ ହେରୋଦୀୟମାନଙ୍କ ସହିତ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିକଟକୁ ପଠାଇ କହିଲେ, “ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟବାଦୀ ଓ ସତ୍ୟ ରୂପେ ଈଶ୍ଵରଙ୍କ ପଥ ଶିକ୍ଷା ଦିଅନ୍ତି; ଆପଣ କାହାକୁ ଭୟ କରନ୍ତି ନାହିଁ, କାରଣ ଆପଣ ମନୁଷ୍ୟର ମର୍ଯ୍ୟାଦା ଦେଖି ବିଚାର କରନ୍ତି ନାହିଁ। 17ତେବେ ଆପଣଙ୍କର କʼଣ ମତ, ତାହା ଆମ୍ଭମାନଙ୍କୁ କୁହନ୍ତୁ: କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ?”
18କିନ୍ତୁ ଯୀଶୁ ସେମାନଙ୍କ ଦୁଷ୍ଟତା ଜାଣି କହିଲେ, “ହେ କପଟୀମାନେ, ତୁମ୍ଭେମାନେ କାହିଁକି ମୋତେ ପରୀକ୍ଷା କରୁଅଛ? 19କରର ମୁଦ୍ରା ମୋତେ ଦେଖାଅ।” ସେଥିରେ ସେମାନେ ତାହାଙ୍କ ନିକଟକୁ ଗୋଟିଏ ଦିନାର ଆଣିଲେ।
20ପୁଣି, ସେ ସେମାନଙ୍କୁ କହିଲେ, “ଏହା କାହାର ପ୍ରତିମୂର୍ତ୍ତି ଓ କାହାର ଲେଖା?”
21ସେମାନେ କହିଲେ, “କାଇସରଙ୍କର।” ସେତେବେଳେ ସେ ସେମାନଙ୍କୁ କହିଲେ, “ତେବେ କାଇସରଙ୍କର ଯାହା, ତାହା କାଇସରଙ୍କୁ, ଆଉ ଆମ୍ଭମାନଙ୍କ ପିତାଙ୍କର ଯାହା, ତାହା ଆମ୍ଭମାନଙ୍କ ପିତାଙ୍କୁ ଦିଅ।”
22ଏହା ଶୁଣି ସେମାନେ ଚମତ୍କୃତ ହେଲେ; ପୁଣି, ତାହାଙ୍କୁ ଛାଡ଼ି ଚାଲିଗଲେ।
ଆମ୍ଭମାନଙ୍କ ପିତା ଜୀବିତମାନଙ୍କ ଈଶ୍ଵର
23ସେହି ଦିନ ସାଦ୍ଦୂକୀମାନେ, ଯେଉଁମାନେ ପୁନରୁତ୍ଥାନ ନାହିଁ ବୋଲି କହନ୍ତି, ତାହାଙ୍କ ନିକଟକୁ ଆସି ତାହାଙ୍କୁ ପଚାରିଲେ, 24“ହେ ଗୁରୁ, ମୋଶା କହିଥିଲେ: ଯଦି କୌଣସି ଲୋକ ନିଃସନ୍ତାନ ହୋଇ ମରେ, ତେବେ ତାହାର ଭାଇ ସେହି ବିଧଵାକୁ ବିବାହ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ। 25ଆମ୍ଭମାନଙ୍କ ମଧ୍ୟରେ ସାତ ଭାଇ ଥିଲେ। ପ୍ରଥମ ଜଣ ବିବାହ କରି ମଲା, ଆଉ ନିଃସନ୍ତାନ ହୋଇ ଆପଣା ସ୍ତ୍ରୀକୁ ଆପଣା ଭାଇ ନିମନ୍ତେ ଛାଡ଼ିଗଲା। 26ସେହିପରି ଦ୍ଵିତୀୟ ଓ ତୃତୀୟ, ସପ୍ତମ ପର୍ଯ୍ୟନ୍ତ ସମସ୍ତେ। 27ସମସ୍ତଙ୍କ ଶେଷରେ ସେହି ସ୍ତ୍ରୀ ମଧ୍ୟ ମଲା। 28ଅତଏବ ପୁନରୁତ୍ଥାନରେ ସେ ସେହି ସାତ ଜଣଙ୍କ ମଧ୍ୟରେ କାହାର ସ୍ତ୍ରୀ ହେବ? କାରଣ ସମସ୍ତେ ତ ତାହାକୁ ବିବାହ କରିଥିଲେ।”
29ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ଭ୍ରାନ୍ତ ହେଉଅଛ—ତୁମ୍ଭେମାନେ ଶାସ୍ତ୍ର କି ଆମ୍ଭମାନଙ୍କ ପିତାଙ୍କ ଶକ୍ତି, କିଛି ଜାଣ ନାହିଁ। 30କାରଣ ପୁନରୁତ୍ଥାନରେ ଲୋକେ ବିବାହ କରନ୍ତି ନାହିଁ କି ବିବାହିତା ହୁଅନ୍ତି ନାହିଁ, ମାତ୍ର ସ୍ଵର୍ଗରେ ଦୂତମାନଙ୍କ ସଦୃଶ। 31ଆଉ ମୃତମାନଙ୍କ ପୁନରୁତ୍ଥାନ ବିଷୟରେ ଆମ୍ଭମାନଙ୍କ ପିତା ତୁମ୍ଭମାନଙ୍କୁ ଯାହା କହିଥିଲେ, ତାହା କି ତୁମ୍ଭେମାନେ ପାଠ କରି ନାହଁ:
32‘ଆମ୍ଭେ ଅବ୍ରହାମଙ୍କ ଈଶ୍ଵର, ଇସ୍ହାକଙ୍କ ଈଶ୍ଵର ଓ ଯାକୁବଙ୍କ ଈଶ୍ଵର’? ସେ ମୃତମାନଙ୍କ ଈଶ୍ଵର ନୁହଁନ୍ତି, ମାତ୍ର ଜୀବିତମାନଙ୍କ ଈଶ୍ଵର।”
33ଆଉ ଲୋକସମୂହ ଏହା ଶୁଣି ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ଵିତ ହେଲେ।
ତୁମ୍ଭର ଯାହା ଅଛି, ସେସବୁ ଦେଇ ତୁମ୍ଭ ପିତାଙ୍କୁ ପ୍ରେମ କର
34କିନ୍ତୁ ଯୀଶୁ ସାଦ୍ଦୂକୀମାନଙ୍କୁ ନିରୁତ୍ତର କରିଅଛନ୍ତି ବୋଲି ଶୁଣି ଫାରୂଶୀମାନେ ଏକତ୍ର ହେଲେ। 35ପୁଣି, ସେମାନଙ୍କ ମଧ୍ୟରୁ ଜଣେ ବ୍ୟବସ୍ଥାଜ୍ଞ ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ଗୋଟିଏ ପ୍ରଶ୍ନ ପଚାରିଲେ, 36“ହେ ଗୁରୁ, ବ୍ୟବସ୍ଥାରେ କେଉଁ ଆଜ୍ଞା ମହତ୍?”
37ସେ ତାହାଙ୍କୁ କହିଲେ, “ତୁମ୍ଭର ସମସ୍ତ ଅନ୍ତଃକରଣ ଦେଇ, ତୁମ୍ଭର ସମସ୍ତ ପ୍ରାଣ ଦେଇ ଓ ତୁମ୍ଭର ସମସ୍ତ ମନ ଦେଇ ତୁମ୍ଭ ପିତାଙ୍କୁ ପ୍ରେମ କର। 38ଏହା ହିଁ ମହତ୍ ଓ ପ୍ରଥମ ଆଜ୍ଞା। 39ଆଉ ଦ୍ଵିତୀୟଟି ଏହାର ସଦୃଶ: ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବ। 40ଏହି ଦୁଇ ଆଜ୍ଞା ଉପରେ ସମସ୍ତ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଗ୍ରନ୍ଥ ନିର୍ଭର କରେ।”
ଖ୍ରୀଷ୍ଟ କାହାର ପୁତ୍ର?
41ଆଉ ଫାରୂଶୀମାନେ ଏକତ୍ର ହୋଇଥିବା ସମୟରେ ଯୀଶୁ ସେମାନଙ୍କୁ ପଚାରିଲେ, 42“ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର କʼଣ ମତ? ସେ କାହାର ପୁତ୍ର?” ସେମାନେ ତାହାଙ୍କୁ କହିଲେ, “ଦାଉଦଙ୍କ।”
43ସେ ସେମାନଙ୍କୁ ପଚାରିଲେ, “ତେବେ ଦାଉଦ ପବିତ୍ର ଆତ୍ମାଙ୍କ ଦ୍ଵାରା ତାହାଙ୍କୁ କିପରି ପ୍ରଭୁ ବୋଲି କହନ୍ତି; ସେ କହନ୍ତି,
44‘ଆମ୍ଭମାନଙ୍କ ପିତା ମୋହର ପ୍ରଭୁଙ୍କୁ କହିଲେ, “ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ନ ରଖୁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣ ପାର୍ଶ୍ଵରେ ବସି ଥାଅ”’?
45ଦାଉଦ ଯଦି ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି କହନ୍ତି, ତେବେ ସେ କିପରି ଦାଉଦଙ୍କ ପୁତ୍ର ହୋଇ ପାରନ୍ତି?”
46ସେତେବେଳେ କେହି ତାହାଙ୍କୁ ଗୋଟିଏ ବାକ୍ୟ ଉତ୍ତର ଦେଇ ପାରିଲେ ନାହିଁ, ଆଉ ସେହି ଦିନଠାରୁ କେହି ତାହାଙ୍କୁ ଆଉ କିଛି ପଚାରିବାକୁ ସାହସ କଲେ ନାହିଁ।