ବହୁତ ବିଳମ୍ବ ହେବା ପୂର୍ବରୁ ଫେରିଆସ
ପୀଲାତଙ୍କ ହତ୍ୟାକାଣ୍ଡ ବିଷୟରେ ଶୁଣି ଯୀଶୁ ଏହି ଧାରଣାକୁ ଅସ୍ୱୀକାର କରନ୍ତି ଯେ ମୃତମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ, ଏବଂ କହନ୍ତି, ମନ ଫେରାଅ। ଫଳହୀନ ଡିମ୍ବିରି ଗଛକୁ ଆଉ ଏକ ବର୍ଷ ସମୟ ଦିଆଯାଏ। ବିଶ୍ରାମବାରରେ ସେ କୁଜା ହୋଇଥିବା ଜଣେ ସ୍ତ୍ରୀକୁ ମୁକ୍ତ କରନ୍ତି ଓ ସେ ଆମ୍ଭମାନଙ୍କ ପିତାଙ୍କ ଗୌରବ କରେ। ସେ ଚେତାବନୀ ଦିଅନ୍ତି ଯେ ଦ୍ୱାର ସଂକୀର୍ଣ୍ଣ, ଏବଂ କାନ୍ଦନ୍ତି।
13 1ସେହି ସମୟରେ କେତେକ ଲୋକ ତାହାଙ୍କୁ ସେହି ଗାଲିଲୀୟମାନଙ୍କ ବିଷୟ କହିଲେ, ଯେଉଁମାନଙ୍କ ରକ୍ତ ପୀଲାତ ସେମାନଙ୍କ ବଳିଦାନ ସହିତ ମିଶ୍ରିତ କରିଥିଲା।
2ସେ ଉତ୍ତର ଦେଲେ, “ଏହି ଗାଲିଲୀୟମାନେ ଏସବୁ ଯନ୍ତ୍ରଣା ଭୋଗ କରିବାରୁ ତୁମ୍ଭେମାନେ କି ମନେ କରୁଅଛ ଯେ, ସେମାନେ ଅନ୍ୟ ସମସ୍ତ ଗାଲିଲୀୟଙ୍କ ଅପେକ୍ଷା ଅଧିକ ପାପୀ ଥିଲେ? 3ମୁଁ ତୁମ୍ଭମାନଙ୍କୁ କହୁଅଛି, ନା; ମାତ୍ର ଯଦି ତୁମ୍ଭେମାନେ ମନପରିବର୍ତ୍ତନ ନ କର, ତେବେ ତୁମ୍ଭେ ସମସ୍ତେ ମଧ୍ୟ ସେହିପରି ବିନଷ୍ଟ ହେବ। 4ଅବା ଯେଉଁ ଅଠର ଜଣ ଉପରେ ଶୀଲୋହର ଦୁର୍ଗ ପଡ଼ି ସେମାନଙ୍କୁ ବଧ କଲା, ଯିରୂଶାଲମ ନିବାସୀ ସମସ୍ତଙ୍କ ଅପେକ୍ଷା ସେମାନେ ଅଧିକ ଦୋଷୀ ଥିଲେ ବୋଲି କି ତୁମ୍ଭେମାନେ ମନେ କରୁଅଛ? 5ମୁଁ ତୁମ୍ଭମାନଙ୍କୁ କହୁଅଛି, ନା; ମାତ୍ର ଯଦି ତୁମ୍ଭେମାନେ ମନପରିବର୍ତ୍ତନ ନ କର, ତେବେ ତୁମ୍ଭେ ସମସ୍ତେ ସେହିପରି ବିନଷ୍ଟ ହେବ।”
6ତତ୍ପରେ ସେ ଏହି ଦୃଷ୍ଟାନ୍ତ କହିଲେ, “ଜଣେ ଲୋକର ଆପଣା ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ ଡିମ୍ବିରିବୃକ୍ଷ ରୋପିତ ଥିଲା। ସେ ତହିଁରେ ଫଳ ଖୋଜିବାକୁ ଆସି କିଛି ପାଇଲେ ନାହିଁ। 7ସେ ଉଦ୍ୟାନ-ପାଳକକୁ କହିଲେ, ‘ଦେଖ, ତିନି ବର୍ଷ ହେଲା ମୁଁ ଏହି ଡିମ୍ବିରିବୃକ୍ଷରେ ଫଳ ଖୋଜିବାକୁ ଆସୁଅଛି, କିନ୍ତୁ କିଛି ପାଇ ନାହିଁ। ଏହାକୁ କାଟି ପକାଅ—ଏହା କାହିଁକି ଭୂମି ବୃଥା ରୋକି ରଖିବ?’ 8ମାତ୍ର ସେ ଉତ୍ତର ଦେଲା, ‘ହେ ମହାଶୟ, ଏହାକୁ ଏ ବର୍ଷ ମଧ୍ୟ ଛାଡ଼ିଦିଅନ୍ତୁ, ଯେପର୍ଯ୍ୟନ୍ତ ମୁଁ ଏହାର ଚତୁର୍ଦିଗ ଖୋଳି ଖତ ନ ଦେଇଅଛି। 9ତତ୍ପରେ ଯଦି ଆସନ୍ତା ବର୍ଷ ଫଳ ଫଳେ, ତେବେ ଭଲ; ନ ହେଲେ ଆପଣ ଏହାକୁ କାଟି ପକାଇ ପାରିବେ।’”
ବିଶ୍ରାମବାରରେ ମୁକ୍ତ ଏକ କନ୍ୟା
10ଥରେ ବିଶ୍ରାମବାରରେ ସେ କୌଣସି ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିଲେ। 11ଆଉ ଦେଖ, ଅଠର ବର୍ଷ ଧରି ଜଣେ ସ୍ତ୍ରୀଲୋକ ଗୋଟିଏ ଆତ୍ମା ଦ୍ଵାରା ଦୁର୍ବଳ ହୋଇ କୁବ୍ଜା ହୋଇଥିଲା, ଆଉ କୌଣସିମତେ ସିଧା ହୋଇପାରୁ ନ ଥିଲା।
12ଯୀଶୁ ତାହାକୁ ଦେଖି ନିକଟକୁ ଡାକି କହିଲେ, “ହେ ନାରୀ, ତୁ ଆପଣା ଦୁର୍ବଳତାରୁ ମୁକ୍ତ ହେଲୁ।”
13ପୁଣି ସେ ତାହା ଉପରେ ହସ୍ତାର୍ପଣ କରନ୍ତେ, ସେ ତତ୍କ୍ଷଣାତ୍ ସିଧା ହୋଇ ଆମ୍ଭମାନଙ୍କ ପିତାଙ୍କ ମହିମା କୀର୍ତ୍ତନ କଲା।
14କିନ୍ତୁ ଯୀଶୁ ବିଶ୍ରାମବାରରେ ସୁସ୍ଥ କରିବାରୁ ସମାଜଗୃହର ଅଧ୍ୟକ୍ଷ କ୍ରୋଧିତ ହୋଇ ଲୋକସମୂହକୁ କହିଲା, “କାର୍ଯ୍ୟ କରିବା ନିମନ୍ତେ ଛଅ ଦିନ ଅଛି। ସେହି ଦିନଗୁଡ଼ିକରେ ଆସି ସୁସ୍ଥ ହୁଅ, ବିଶ୍ରାମବାରରେ ନୁହେଁ।”
15ପ୍ରଭୁ ତାହାକୁ ଉତ୍ତର ଦେଲେ, “ରେ କପଟୀମାନେ! ତୁମ୍ଭେମାନେ ପ୍ରତ୍ୟେକେ କି ବିଶ୍ରାମବାରରେ ଆପଣା ବଳଦ କିମ୍ବା ଗର୍ଦ୍ଦଭକୁ ଗୁହାଳରୁ ଫିଟାଇ ଘେନିଯାଇ ଜଳ ପିଆଅ ନାହିଁ? 16ତେବେ ଅଠର ବର୍ଷ ଧରି ଶୟତାନ ଦ୍ଵାରା ବନ୍ଧା ହୋଇ ରହିଥିବା ଅବ୍ରହାମଙ୍କ ଏହି କନ୍ୟାକୁ କି ବିଶ୍ରାମବାରରେ ସେହି ବନ୍ଧନରୁ ମୁକ୍ତ କରିବା ଉଚିତ ନ ଥିଲା?”
17ସେ ଏସମସ୍ତ କହନ୍ତେ, ତାହାଙ୍କ ବିପକ୍ଷ ସମସ୍ତେ ଲଜ୍ଜିତ ହେଲେ, ଆଉ ତାହାଙ୍କ ଦ୍ଵାରା ସାଧିତ ସମସ୍ତ ମହିମାମୟ କର୍ମରେ ଲୋକସମୂହ ସମସ୍ତେ ଆନନ୍ଦ କଲେ।
ରାଜ୍ୟ ବୀଜ ପରି ବଢ଼େ
18ଏଣୁ ସେ କହିଲେ, “ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ କାହା ସଦୃଶ? ମୁଁ ତାହା କାହା ସଙ୍ଗେ ତୁଳନା କରିବି? 19ତାହା ଗୋଟିଏ ସୋରିଷ ଦାନା ସଦୃଶ, ଯାହା ଜଣେ ଲୋକ ନେଇ ଆପଣା ଉଦ୍ୟାନରେ ବୁଣିଲା, ଆଉ ତାହା ବଢ଼ି ବୃକ୍ଷ ହେଲା, ପୁଣି ଆକାଶର ପକ୍ଷୀମାନେ ତାହାର ଶାଖାରେ ବସା କଲେ।”
20ପୁଣି ସେ କହିଲେ, “ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ ମୁଁ କାହା ସଙ୍ଗେ ତୁଳନା କରିବି? 21ତାହା ଖମୀର ସଦୃଶ, ଯାହା ଜଣେ ସ୍ତ୍ରୀଲୋକ ନେଇ ତିନି ମାଣ ମଇଦାରେ ଯେପର୍ଯ୍ୟନ୍ତ ସମସ୍ତ ଖମୀରମୟ ନ ହେଲା, ସେପର୍ଯ୍ୟନ୍ତ ଲୁଚାଇ ରଖିଲା।”
ସଙ୍କୀର୍ଣ୍ଣ ଦ୍ଵାର ଦେଇ ପ୍ରବେଶ କର
22ଆଉ ସେ ଶିକ୍ଷା ଦେଉ ଦେଉ ଯିରୂଶାଲମ ଆଡ଼କୁ ଯାତ୍ରା କରି ନଗର ଓ ଗ୍ରାମ ଦେଇ ଗମନ କଲେ। 23ଜଣେ ତାହାଙ୍କୁ ପଚାରିଲା, “ହେ ପ୍ରଭୁ, ପରିତ୍ରାଣ ପାଉଥିବା ଲୋକ କି ଅଳ୍ପ?” ସେଥିରେ ସେ ସେମାନଙ୍କୁ କହିଲେ,
24“ସଙ୍କୀର୍ଣ୍ଣ ଦ୍ଵାର ଦେଇ ପ୍ରବେଶ କରିବା ନିମନ୍ତେ ପ୍ରାଣପଣ କର; କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକେ ପ୍ରବେଶ କରିବାକୁ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ। 25ଗୃହର ସ୍ଵାମୀ ଉଠି ଦ୍ଵାର ବନ୍ଦ କଲା ପରେ ତୁମ୍ଭେମାନେ ବାହାରେ ଠିଆ ହୋଇ କବାଟ ବାଡ଼େଇ କହିବ, ‘ହେ ପ୍ରଭୁ, ଆମ୍ଭମାନଙ୍କ ନିମନ୍ତେ ଦ୍ଵାର ଫିଟାଇ ଦିଅନ୍ତୁ।’ ସେ ଉତ୍ତର ଦେବେ, ‘ତୁମ୍ଭେମାନେ କେଉଁଠାର, ତାହା ମୁଁ ଜାଣେ ନାହିଁ।’ 26ସେତେବେଳେ ତୁମ୍ଭେମାନେ କହିବାକୁ ଲାଗିବ, ‘ଆମ୍ଭେମାନେ ଆପଣଙ୍କ ଆଗରେ ଭୋଜନପାନ କରିଅଛୁ, ଆଉ ଆପଣ ଆମ୍ଭମାନଙ୍କ ଦାଣ୍ଡରେ ଶିକ୍ଷା ଦେଇଅଛନ୍ତି।’ 27କିନ୍ତୁ ସେ କହିବେ, ‘ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ କେଉଁଠାର, ତାହା ମୁଁ ଜାଣେ ନାହିଁ। ରେ ସମସ୍ତ ଅଧର୍ମାଚାରୀମାନେ, ମୋʼ ନିକଟରୁ ଦୂର ହୁଅ!’ 28ଯେତେବେଳେ ତୁମ୍ଭେମାନେ ଅବ୍ରହାମ, ଇସ୍ହାକ ଓ ଯାକୁବ, ପୁଣି ସମସ୍ତ ଭାବବାଦୀଙ୍କୁ ଆମ୍ଭମାନଙ୍କ ପିତାଙ୍କ ରାଜ୍ୟରେ ଦେଖିବ, ଆଉ ଆପେ ବାହାରେ ନିକ୍ଷିପ୍ତ ହେବ, ସେତେବେଳେ ସେଠାରେ ରୋଦନ ଓ ଦନ୍ତ ଘର୍ଷଣ ହେବ। 29ଆଉ ଲୋକମାନେ ପୂର୍ବ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗରୁ ଆସି ଆମ୍ଭମାନଙ୍କ ପିତାଙ୍କ ରାଜ୍ୟରେ ଭୋଜନରେ ବସିବେ। 30ଆଉ ଦେଖ, କେତେକ ଶେଷରେ ଅଛନ୍ତି, ଯେଉଁମାନେ ପ୍ରଥମ ହେବେ, ପୁଣି କେତେକ ପ୍ରଥମରେ ଅଛନ୍ତି, ଯେଉଁମାନେ ଶେଷ ହେବେ।”
ଯୀଶୁ ଯିରୂଶାଲମ ନିମନ୍ତେ ରୋଦନ କରନ୍ତି
31ସେହି ସମୟରେ କେତେକ ଫାରୂଶୀ ଆସି ତାହାଙ୍କୁ କହିଲେ, “ବାହାରି ଏଠାରୁ ଚାଲିଯାଉନ୍ତୁ, କାରଣ ହେରୋଦ ଆପଣଙ୍କୁ ବଧ କରିବାକୁ ଇଚ୍ଛା କରୁଅଛି।”
32ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ସେହି କୋକିଶିଆଳିକୁ କୁହ: ‘ଦେଖ, ମୁଁ ଆଜି ଓ କାଲି ଭୂତ ଛଡ଼ାଉଅଛି ଓ ସୁସ୍ଥ କରୁଅଛି, ଆଉ ତୃତୀୟ ଦିନରେ ମୁଁ ସମାପ୍ତ ହେବି।’ 33ତଥାପି ମୋତେ ଆଜି, କାଲି ଓ ତହିଁ ଆରଦିନ ଯାତ୍ରା କରିବାକୁ ହେବ, କାରଣ ଯିରୂଶାଲମ ବାହାରେ କୌଣସି ଭାବବାଦୀ ପ୍ରାଣତ୍ୟାଗ କରିପାରନ୍ତି ନାହିଁ।
34ହେ ଯିରୂଶାଲମ, ଯିରୂଶାଲମ, ତୁ ଭାବବାଦୀମାନଙ୍କୁ ବଧ କରୁଅଛୁ, ଆଉ ଆପଣା ନିକଟକୁ ପ୍ରେରିତ ଲୋକଙ୍କୁ ପ୍ରସ୍ତରାଘାତ କରୁଅଛୁ! କୁକୁଡ଼ୀ ଯେପରି ଆପଣା ଛୁଆମାନଙ୍କୁ ଡେଣା ତଳେ ଏକତ୍ର କରେ, ସେହିପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ବାଞ୍ଛା କଲି, କିନ୍ତୁ ତୁ ସମ୍ମତ ହେଲୁ ନାହିଁ! 35ଦେଖ, ତୋହର ଗୃହ ତୋʼ ନିମନ୍ତେ ପରିତ୍ୟକ୍ତ ହୋଇ ପଡ଼ିରହିଲା। ମୁଁ ତୋତେ କହୁଅଛି, ‘ଆମ୍ଭମାନଙ୍କ ପିତାଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ!’ ବୋଲି ତୁ ଯେପର୍ଯ୍ୟନ୍ତ ନ କହିବୁ, ସେପର୍ଯ୍ୟନ୍ତ ମୋତେ ଦେଖିବୁ ନାହିଁ।”