ମୋହର ଦିନସବୁ କେବଳ ଏକ ନିଃଶ୍ଵାସ ମାତ୍ର
ଆୟୁବ ନିଜ ଜୀବନକୁ ଦାସର ପାଳି ଓ ମଜୁରିଆର ବେତନ ଅପେକ୍ଷା ସହିତ ତୁଳନା କରନ୍ତି: ଛଟପଟ ହେଉଥିବା ରାତି, ଫାଟୁଥିବା ଚର୍ମ। ସେ ଚୁପ୍ ରହିବେ ନାହିଁ। ସେ ଗୀତକୁ ତିକ୍ତ କରି ପଚାରନ୍ତି, ପରମେଶ୍ୱର ମନୁଷ୍ୟକୁ ଏତେ ନିକଟରୁ କାହିଁକି ଦେଖନ୍ତି, ଓ ଅନ୍ୟ ଆଡ଼କୁ ଚାହିଁବାକୁ କହନ୍ତି।
7 1“ପୃଥିବୀରେ କʼଣ ମନୁଷ୍ୟମାନଙ୍କର କଠିନ ପରିଶ୍ରମ ନାହିଁ, ଆଉ ସେମାନଙ୍କ ଦିନସବୁ କʼଣ ବେତନଜୀବୀ ମୂଲିଆର ଦିନ ପରି ନୁହେଁ? 2ଛାୟା ନିମନ୍ତେ ଏକାନ୍ତ ବାଞ୍ଛା କରୁଥିବା ଦାସ ପରି, ପୁଣି ଆପଣା ବେତନ ପାଇଁ ଅପେକ୍ଷା କରୁଥିବା ମୂଲିଆ ପରି, 3ସେହିପରି ଅସାରତାର ମାସସବୁ ମୋହର ଅଂଶ ହୋଇଅଛି, ଆଉ କ୍ଲେଶମୟ ରାତ୍ରିସବୁ ମୋʼ ନିମନ୍ତେ ନିରୂପିତ ହୋଇଅଛି। 4ମୁଁ ଶୟନ କଲା ବେଳେ କହେ, ʻମୁଁ କେବେ ଉଠିବି?ʼ ମାତ୍ର ରାତ୍ରି ଦୀର୍ଘ ହୁଏ, ଆଉ ପ୍ରଭାତ ପର୍ଯ୍ୟନ୍ତ ମୁଁ ଏପଟସେପଟ ଗଡ଼ୁଥାଏ। 5ମୋହର ଶରୀର କୃମି ଓ ମୃତ୍ତିକାର ଦଳାରେ ଆଚ୍ଛାଦିତ; ମୋʼ ଚର୍ମ ଶୁଷ୍କ ହୁଏ, ପୁଣି ପୁନର୍ବାର ଫାଟିଯାଏ। 6ମୋହର ଦିନସବୁ ତନ୍ତୀର ମାକୁଠାରୁ ଅଧିକ ଶୀଘ୍ରଗାମୀ, ଆଉ ତାହା ବିନା ଭରସାରେ ଆପଣା ଶେଷରେ ଉପସ୍ଥିତ ହୁଏ। 7ମୋହର ଜୀବନ କେବଳ ଏକ ନିଃଶ୍ଵାସ ମାତ୍ର ବୋଲି ସ୍ମରଣ କର; ମୁଁ ଆଉ କେବେ ହେଁ ମଙ୍ଗଳ ଦେଖିବି ନାହିଁ। 8ଯେଉଁ ଚକ୍ଷୁ ମୋତେ ଏବେ ଦେଖୁଅଛି, ତାହା ଆଉ ମୋତେ ଦେଖିବ ନାହିଁ; ତୁମ୍ଭର ଚକ୍ଷୁ ମୋʼ ଉପରେ ରହିବ, ଆଉ ମୁଁ ଲୋପ ପାଇଯାଇଥିବି। 9ମେଘ ଯେପରି କ୍ଷୟ ପାଇ ଅନ୍ତର୍ହିତ ହୁଏ, ସେହିପରି ଯେ ପାତାଳକୁ ଓହ୍ଲାଇଯାଏ, ସେ ଆଉ ଉଠିଆସେ ନାହିଁ; 10ସେ ଆଉ ଆପଣା ଗୃହକୁ ଫେରିଆସେ ନାହିଁ, ଆଉ ତାହାର ସ୍ଥାନ ତାହାକୁ ଆଉ ଚିହ୍ନେ ନାହିଁ।
11“ଏଣୁ ମୁଁ ଆପଣା ମୁଖ ବନ୍ଦ କରିବି ନାହିଁ; ମୁଁ ଆପଣା ଆତ୍ମାର ବେଦନାରୁ କହିବି, ମୁଁ ଆପଣା ପ୍ରାଣର ତିକ୍ତତାରେ ବିଳାପ କରିବି। 12ତୁମ୍ଭେ ମୋʼ ଉପରେ ଜଣେ ପ୍ରହରୀ ନିଯୁକ୍ତ କରିବା ନିମନ୍ତେ ମୁଁ କʼଣ ସମୁଦ୍ର, ଅବା ଜଳଜନ୍ତୁ? 13ମୁଁ ଯେତେବେଳେ କହେ, ʻମୋହର ଶଯ୍ୟା ମୋତେ ସାନ୍ତ୍ଵନା ଦେବ, ମୋହର ଖଟ ମୋʼ ବିଳାପ ଲାଘବ କରିବ,ʼ 14ସେତେବେଳେ ତୁମ୍ଭେ ସ୍ଵପ୍ନ ଦ୍ଵାରା ମୋତେ ଭୀତ କର, ଆଉ ଦର୍ଶନ ଦ୍ଵାରା ମୋତେ ଆତଙ୍କିତ କର, 15ତେଣୁ ମୁଁ ଏହି ଆପଣା ଶରୀର ଅପେକ୍ଷା ବରଂ ଶ୍ଵାସରୋଧ ଓ ମୃତ୍ୟୁ ମନୋନୀତ କରନ୍ତି। 16ମୁଁ କ୍ଷୟ ପାଉଅଛି; ମୁଁ ସଦାକାଳ ବଞ୍ଚିବି ନାହିଁ। ମୋତେ ଛାଡ଼ିଦିଅ, କାରଣ ମୋହର ଦିନସବୁ ଏକ ନିଃଶ୍ଵାସ ମାତ୍ର।
17“ତୁମ୍ଭେ ମନୁଷ୍ୟକୁ ଏତେ ମହତ୍ତ୍ଵ ଦେଉଅଛ, ଆଉ ତାହା ଉପରେ ଆପଣା ମନ ଦେଉଅଛ ଯେ, ସେ କିଏ? 18ଯେ ତୁମ୍ଭେ ପ୍ରତି ପ୍ରଭାତରେ ତାହାର ତତ୍ତ୍ଵ ନେଉଅଛ, ଆଉ ପ୍ରତି ନିମିଷରେ ତାହାକୁ ପରୀକ୍ଷା କରୁଅଛ? 19ତୁମ୍ଭେ କେତେ କାଳ ପର୍ଯ୍ୟନ୍ତ ମୋʼ ଠାରୁ ଆପଣା ଦୃଷ୍ଟି ଫେରାଇବ ନାହିଁ, ଆଉ ମୋତେ ମୋʼ ଛେପ ଗିଳିବା ପର୍ଯ୍ୟନ୍ତ ହେଲେ ହେଁ ଛାଡ଼ିବ ନାହିଁ? 20ଯଦି ମୁଁ ପାପ କରିଅଛି, ତେବେ ହେ ମନୁଷ୍ୟଜାତିର ଜଗୁଆଳ, ମୁଁ ତୁମ୍ଭ ପ୍ରତି କʼଣ କରିଅଛି? ତୁମ୍ଭେ କାହିଁକି ମୋତେ ଆପଣା ଲକ୍ଷ୍ୟ କରିଅଛ, ଯେ ମୁଁ ଆପଣା ପ୍ରତି ଭାର ସ୍ଵରୂପ ହୋଇଅଛି? 21ତୁମ୍ଭେ କାହିଁକି ମୋହର ଅପରାଧ କ୍ଷମା କରୁ ନାହଁ ଓ ମୋହର ଦୋଷ ଦୂର କରୁ ନାହଁ? କାରଣ ଅଳ୍ପ କାଳ ମଧ୍ୟରେ ମୁଁ ଧୂଳିରେ ଶୟନ କରିବି; ତୁମ୍ଭେ ମୋତେ ଅନ୍ଵେଷଣ କରିବ, ମାତ୍ର ମୁଁ ଲୋପ ପାଇଯାଇଥିବି।”